Categories
ଅପରାଧ ଆଜିର ଖବର ଖେଳ ଜାତୀୟ ଖବର

ଆଇପିଏସ୍ ଅଧିକାରୀଙ୍କ ବିରୋଧରେ ମାଡ୍ରାସ ହାଇକୋର୍ଟ ପହଞ୍ଚିଲେ ଧୋନି: ୧୦୦ କୋଟି ମାଗିଲେ କ୍ଷତିପୂରଣ

ନୂଆଦିଲ୍ଲୀ: ମହେନ୍ଦ୍ର ସିଂ ଧୋନି (ଏମଏସ ଧୋନି) ଜଣେ ଆଇପିଏସ ଅଧିକାରୀଙ୍କ ବିରୋଧରେ ମାଡ୍ରାସ ହାଇକୋର୍ଟରେ ପହଞ୍ଚିଛନ୍ତି। ଏଠାରେ ସେ ଅଧିକାରୀଙ୍କ ବିରୋଧରେ ଅପରାଧିକ ଅବମାନନା ଆବେଦନ କରିଛନ୍ତି। ଆଇପିଏଲ ବେଟିଂ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ଆଦେଶ ବିରୋଧରେ ମନ୍ତବ୍ୟ ଦେବା ପ୍ରସଙ୍ଗରେ ଏହି ପିଟିସନ ଦାଖଲ କରାଯାଇଛି।

ଧୋନି ଆଇପିଏଲ୍ ୨୦୧୩ ସ୍ପଟ୍ ଫିକ୍ସିଂ ଏବଂ ବେଟିଂ ଯାଞ୍ଚ କରିଥିବା ଆଇପିଏସ୍ ଅଧିକାରୀ ଜି ସମ୍ପତ କୁମାରଙ୍କ ବିରୋଧରେ ଏହି ଅବମାନନା ଆବେଦନ କରିଛନ୍ତି। ଏହା ସହିତ ଧୋନିଙ୍କ ବିରୋଧରେ ମ୍ୟାଚ୍ ଫିକ୍ସିଂ ଅଭିଯୋଗ ଆଣିଥିବାରୁ ସମ୍ପତ କୁମାରଙ୍କ ଠାରୁ ୧୦୦ କୋଟି କ୍ଷତିପୂରଣ ମାଗିଛନ୍ତି। ଶୁକ୍ରବାର ଦିନ ଏହି ମାମଲାର ଶୁଣାଣି ହେବାର ଥିଲା କିନ୍ତୁ ବର୍ତ୍ତମାନ ମଙ୍ଗଳବାର ଦିନ ଏହା ଶୁଣାଣି ହେବ।

ଧୋନି ୨୦୧୪ ମସିହାରେ ଜି ସମ୍ପତ କୁମାରଙ୍କ ଉପରେ ମାନହାନି ମକଦ୍ଦମା ଦାୟର କରିଥିଲେ। ସେହିବର୍ଷ ଧୋନିଙ୍କ ବିରୋଧରେ କୌଣସି ମନ୍ତବ୍ୟ ନଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହା ସତ୍ତ୍ୱେ ସମ୍ପତ କୁମାର ଏହି ମାମଲାରେ ସୁପ୍ରିମକୋର୍ଟରେ ଏକ ଆଫିଡେଭିଟ୍ ଦାଖଲ କରିଥିଲେ। ଧୋନିଙ୍କ ପକ୍ଷ କହିଛନ୍ତି ଯେ, ଏହି ଆଫିଡେଭିଟ୍‌ରେ ନ୍ୟାୟପାଳିକା ଏବଂ ମାଡ୍ରାସ ହାଇକୋର୍ଟଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦିଆଯାଇଛି। ବର୍ତ୍ତମାନ ଧୋନି ଏହି ଘଟଣାରେ କୋର୍ଟ ଅବମାନନା କରିଥିବାରୁ ସମ୍ପତ କୁମାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ଦାବି କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଟୀକାକରଣକୁ କରିପାରିବେ ନାହିଁ ବାଧ୍ୟତାମୂଳକ, ମୃତ୍ୟୁ ପାଇଁ କ୍ଷତିପୂରଣ ଦିଅନ୍ତୁ ସରକାର 

ଭୁବନେଶ୍ୱର: ଇନ୍‌ଷ୍ଟିଚ୍ୟୁଟ୍ ଅଫ ଇଞ୍ଜିନିୟର୍ସ ଠାରେ ନବନିର୍ମାଣ କୃଷକ ସଂଗଠନ ତରଫରୁ କରୋନା ଟୀକାକରଣର ସତ୍ୟତା ଓ ଏହାର ବାସ୍ତବତାକୁ ନେଇ ଏକ ଆଲୋଚନଚକ୍ର ଅନୁଷ୍ଠିତ ହୋଇଯାଇଛି। ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ମୁମ୍ବାଇ ହାଇକୋର୍ଟ ଓ ସୁପ୍ରିମ କୋର୍ଟର ଓକିଲ ନିଲେଶ ଓଝା ମୁଖ୍ୟବକ୍ତା ଭାବରେ ଯୋଗଦେଇ କହିଲେ ଯେ, ସୁପ୍ରିମ କୋର୍ଟ କହିଛନ୍ତି ଟୀକାକରଣକୁ ବାଧ୍ୟତାମୂଳକ କରାଯାଇ ପାରିବ ନାହିଁ। ଯଦି ଲୋକଙ୍କ ଟିକସ ଅର୍ଥରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଅନାବଶ୍ୟକ ଭାବେ ଲୋକଙ୍କୁ ଟୀକା ଦିଆଯାଇ ମୃତ୍ୟୁମୁଖକୁ ଠେଲାଯାଉଛି, ତେବେ ସରକାର ଏଥିପାଇଁ କ୍ଷତିପୂରଣ ଦେବେ ନା ନାହିଁ। ଆମେରିକା ଭଳି ଉନ୍ନତ ଦେଶରେ ଟୀକାକରଣ ଜନିତ ମୃତ୍ୟୁ ପାଇଁ କୋଟି କୋଟି ଟଙ୍କା କ୍ଷତିପୂରଣ ଦିଆଯାଉଛି। ଆମ ଦେଶରେ ଟୀକାକରଣ ଯୋଗୁ ପାଶ୍ୱର୍ପ୍ରତିକ୍ରିୟା ହୋଇ ଯେଉଁମାନଙ୍କ ମୃତ୍ୟୁ ଘଟୁଛି ସେମାନଙ୍କୁ କ୍ଷତିପୂରଣ ପାଇଁ ଅଦାଲତରେ ଆବେଦନ କରାଯାଇଛି।

ସମ୍ମାନିତ ବକ୍ତା ଭାବେ ଡଃ ବିଶ୍ୱରୂପ ରାୟଚୌଧୁରୀ ଯୋଗଦେଇ କହିଲେ ଯେ, ମୋ ଦେଶରେ ତିନି ତିନୋଟି କୋଭିଡ଼ କେନ୍ଦ୍ର ଚାଲିଛି। ଏହି କୋଭିଡ଼ ସେଣ୍ଟରରେ ନା ମାସ୍କ ବ୍ୟବହାର ହୁଏ ନା ଶାରୀରିକ ଦୂରତା ରକ୍ଷା କରାଯାଏ। ବିନା ମାସ୍କ ଓ ଶାରୀରିକ ଦୂରତାରେ ଆମେ ୬୦ ହଜାର ରୋଗୀଙ୍କୁ ଚିକିତ୍ସା କରି ଭଲ କରିଛୁ। ଏମ୍ସର ଡ଼ାକ୍ତର ଡଃ ସଞ୍ଜୟ ରାୟ ଯୋଗଦେଇ କହିଲେ ଯେ, ୮୦ ପ୍ରତିଶତ ଲୋକଙ୍କ ଦେହରେ ରୋଗ ପ୍ରତିରୋଧକ ଶକ୍ତି ତିଆରି ହେଲା ପରେ ଆଉ ସେମାନଙ୍କୁ ଟୀକାକରଣ ଆବଶ୍ୟକତା ନାହିଁ। ଟୀକାକରଣ କବେ ସଂକ୍ରମଣକୁ ରୋକିପାରିବ ନାହିଁ, ଏହା ମୃତ୍ୟୁସଂଖ୍ୟାକୁ କମାଇପାରେ। ‘ବ୍ୟାଙ୍କୋକା ମାୟାଜାଲ’ ପୁସ୍ତକର ଲେଖକ ରବି କୋହଡ଼ ଯୋଗଦେଇ କହିଲେ ଯେ, କରୋନା ସମୟରେ ସମସ୍ତଙ୍କ ରୋଜଗାର ମାନ୍ଦା ଅବସ୍ଥାର ଶିକାର ହୋଇଥିବା ବେଳେ ଫାଇଜର ଭଳି ଟୀକା କମ୍ପାନୀ ପ୍ରତି ସେକେଣ୍ଡରେ ୭୦ ହଜାର ଟଙ୍କା ରୋଜକାର କରୁଛି। ଟୀକା କମ୍ପାନୀମାନେ ବ୍ୟବସାୟ ଦୃଷ୍ଟିରୁ ସ୍ୱାସ୍ଥ୍ୟସେବାକୁ ବିଭ୍ରାନ୍ତ କରୁଛନ୍ତି।

ଏହି ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଅଶୋକ ମହାପାତ୍ର, ସରକାରଙ୍କ କୋଭିଡ଼ ନିର୍ଦ୍ଦେଶକ ଡଃ ନିରୋଦ ମିଶ୍ର, ଡଃ ଭଗବାନ ପ୍ରକାଶ, ବରିଷ୍ଠ ସାମ୍ବାଦିକ ରବି ଦାସ, ବିଶିଷ୍ଟ ଆଇନଜୀବୀ ଶିବାନନ୍ଦ ରାୟ, ଓମ୍‌ସାର ପୂର୍ବତନ ସଭାପତି ମଧୁସୂଦନ ମିଶ୍ର, ଓଡ଼ିଶା ସୂଚନା ଅଭିଯାନର ଆବାହକ ପ୍ରଦୀପ ପ୍ରଧାନ, ବିନୋବା ସେବା ପ୍ରତିଷ୍ଠାନର ଅଧ୍ୟକ୍ଷ ମନୋଜ ଜେନା, ସର୍ବୋଦୟ ନେତା ରମାକାନ୍ତ ମଣ୍ଡଳ, ଚିଟ୍‌ଫଣ୍ଡ ଆନ୍ଦୋଳନର ମଧୁସୂଦନ ବିଶ୍ୱାଳ, ଏକତା ପରିଷଦର ବିଜୟ ପ୍ରଧାନ ଓ ଡ଼ଲି ଅପା ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଏମଏସପି, କ୍ଷତିପୂରଣ ଏବଂ ମାମଲା ପ୍ରତ୍ୟାହାର ନହେବା ଯାଏଁ ଜାରି ରହିବ ଆନ୍ଦୋଳନ: ରାକେଶ ଟିକାଏତ

ନୂଆଦିଲ୍ଲୀ: କୃଷି ଆଇନ ପ୍ରତ୍ୟାହାର ପାଇଁ ଏହି ବିଲ୍ ଆଜି ଲୋକସଭାରେ ଆଗତ ହେବାକୁ ଯାଉଛି। କୃଷକଙ୍କ ମନୋଭାବରେ ସାମାନ୍ୟ ନରମତା ଅଛି, କିନ୍ତୁ ଆନ୍ଦୋଳନ ଜାରି ରହିଛି। ଗଣମାଧ୍ୟମକୁ ଏକ ବାର୍ତ୍ତାଳାପରେ କୃଷକ ନେତା ରାକେଶ ଟିକାଏତ କହିଛନ୍ତି ଯେ, ଯେପର୍ଯ୍ୟନ୍ତ ସରକାର ଏମଏସପି ଗ୍ୟାରେଣ୍ଟି ନ ଦିଅନ୍ତି, ଚାଷୀଙ୍କ ବିରୋଧରେ ମାମଲା ପ୍ରତ୍ୟାହାର କରାଯାଇନାହିଁ ଏବଂ କ୍ଷତିପୂରଣ ସମସ୍ୟାର ସମାଧାନ ନ ହୋଇଛି, ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ।

ଗୋଟିଏ ଦିନ ପୂର୍ବରୁ ମୁମ୍ବାଇର ସଂଯୁକ୍ତ ଶେତକାରି କାମଗଗାର ମୋର୍ଚ୍ଚା (ଏସଏସକେଏମ) ବ୍ୟାନରରେ ଆଜାଦ ମଇଦାନରେ ଆୟୋଜିତ ହୋଇଥିବା ‘କିଷାନ ମହାପଞ୍ଚାୟତ’ରେ ଭାଗ ନେବାକୁ ଯାଇଥିବା ରାକେଶ ଟିକାଏତ କହିଥିଲେ ଯେ, ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବାବେଳେ ପ୍ରଧାନମନ୍ତ୍ରୀ ମୋଦୀ ଏମଏସପିର ସମର୍ଥକ ଥିଲେ। ମନ୍ତ୍ରୀ ଏବଂ ସେ କୃଷକଙ୍କ ହିତରେ ଥିଲେ। ଗ୍ୟାରେଣ୍ଟି ନିଶ୍ଚିତ କରିବାକୁ ଦେଶବ୍ୟାପୀ ଆଇନ ଚାହୁଁଥିଲେ। କିନ୍ତୁ ବର୍ତ୍ତମାନ ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ବିତର୍କରୁ ଦୂରେଇ ଯାଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ସେ କହିଛନ୍ତି, ‘କୃଷକମାନଙ୍କୁ ଏମଏସପି ଗ୍ୟାରେଣ୍ଟି ଦେବା ପାଇଁ କେନ୍ଦ୍ର ଏକ ଆଇନ ଆଣିବା ଉଚିତ। କୃଷି ଏବଂ ଶ୍ରମ କ୍ଷେତ୍ର ସହିତ ଜଡିତ ଅନେକ ସମସ୍ୟା ଅଛି, ଯାହା ଧ୍ୟାନ ଆବଶ୍ୟକ କରେ ଏବଂ ଆମେ ଏହାକୁ ଉଜାଗର କରିବା ପାଇଁ ଦେଶ ଭ୍ରମଣ କରିବୁ। କେନ୍ଦ୍ରର ତିନୋଟି କୃଷି ମାର୍କେଟିଂ ନିୟମ ବିରୁଦ୍ଧରେ ଏକ ବର୍ଷ ଧରି ଚାଲିଥିବା ବିକ୍ଷୋଭରେ ପ୍ରାଣ ହରାଇଥିବା ଚାଷୀଙ୍କ ପରିବାରକୁ ଆର୍ଥିକ ସହାୟତା ଦିଆଯିବାକୁ ଟିକାଏତ ଦାବି କରିଛି।

Categories
ଆଜିର ଖବର ଜାତୀୟ ଖବର

କରୋନାରେ ମୃତକଙ୍କ ପରିବାରକୁ ଦିଆଯାଉ କ୍ଷତିପୂରଣ: ୬ ସପ୍ତାହରେ ଗାଇଡଲାଇନ ପ୍ରସ୍ତୁତ କରିବାକୁ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କରୋନାରେ ମୃତ୍ୟୁବରଣ କରିଥିବା ପରିବାରଙ୍କୁ ସହାୟତା ରାଶି ଦେବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ଲାଗି ଏକ ନିର୍ଦ୍ଦିଷ୍ଟ ଗାଇଡଲାଇନ ପ୍ରସ୍ତୁତ କରିବା ପାଇଁ ସୁପ୍ରିମକୋର୍ଟ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ମୃତକଙ୍କ ପରିବାରକୁ କ୍ଷତିପୂରଣ କେତେ ଦିଆଯିବ, ତାହା ଅଦାଲତ ସ୍ଥିର କରିପାରିବେ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। ସେ ଲାଗି କେନ୍ଦ୍ର ସରକାର ସ୍ଥିର କରିବାକୁ ସୁପ୍ରିମକୋର୍ଟ କହିଛନ୍ତି। ଏହାପୂର୍ବରୁ ମୃତକଙ୍କ ପରିବାରକୁ ୪-୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ମିଳିବା ପାଇଁ ସୁପ୍ରିମକୋର୍ଟରେ ଏକ ଆବେଦନ ହୋଇଥିଲା। ଯାହାକୁ ନେଇ କେନ୍ଦ୍ର ସରକାର ୪ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇପାରିବ ନାହିଁ ବୋଲି ଅଦାଲତଙ୍କୁ କେନ୍ଦ୍ର ସରକାର ଜଣାଇଦେଇଛନ୍ତି।

ତେବେ କେନ୍ଦ୍ର ସରକାର ନିଜର ନୀତି ଅନୁସାରେ କ୍ଷତିପୂରଣ ରାଶି ନିର୍ଣ୍ଣୟ କରିପାରିବେ ବୋଲି କହିଛନ୍ତି। ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ନିୟମ ଏବଂ ସମ୍ବଳ ଅନୁଯାୟୀ ସରକାର କ୍ଷତିପୂରଣ ସ୍ଥିର କରିପାରିବ। ତେବେ ଏଥିପାଇଁ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ୬ ସପ୍ତାହ ସମୟ ଦେଇଛନ୍ତି। ସେପଟେ କୋଭିଡ ସହ ଜଡିତ ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ କରିବା ସହ ପୂର୍ବରୁ ଦିଆଯାଇଥିବା ପ୍ରମାଣପତ୍ର ଗୁଡ଼ିକର ସଂଶୋଧନ କରାଯିବା ଉଚିତ ବୋଲି କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପୋଲିସ ଅଧିକାରୀ ଗଣିବେ 5ଲକ୍ଷ କ୍ଷତିପୂରଣ, ଜାଣନ୍ତୁ କାହିଁକି

ଭୁବନେଶ୍ୱର: ମିଛ ମାମଲା ଦର୍ଶାଇବା ପୋଲିସ  ଅଧିକାରୀଙ୍କୁ ବେଶ୍‌ ମହଙ୍ଗା ପଡିଛି। ଜଣେ ଜୀବିତ ନାବାଳକକୁ ମୃତ ଦର୍ଶାଇ ସେହି ମାମଲାରେ ଦୁଇ ଜଣଙ୍କୁ ଜେଲରେ ପୁରାଇବା ଘଟଣାରେ କ୍ଷତିପୂରଣ ଭରିବେ ସମ୍ପୃକ୍ତ ପୁଲିସ ଅଧିକାରୀ। ଏହି ମାମଲାରେ ପୁଲିସ ଅଧିକାରୀ ଠାରୁ 5 ଲକ୍ଷ ଟଙ୍କା କ୍ଷତିପୂରଣ ଆଦାୟ କରିବା ପାଇଁ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, 2016 ମସିହାରେ ପାଇକମାଳ ଥାନା ଅଞ୍ଚଳରେ ଜଣେ ନାବାଳକ ନିଖୋଜ ଥିଲେ। ନାବାଳକଙ୍କୁ ହତ୍ୟା କରାଯାଇଥିବା ଦର୍ଶାଇ 2 ଜଣଙ୍କୁ ଗିରଫ କରି ଜେଲ ପଠାଇଥିଲା ପୋଲିସ୍‌ । ତେବେ 2018 ମସିହାରେ ସମ୍ପୃକ୍ତ ନାବାଳକ ଜୀବିତ ଅବସ୍ଥାରେ ଘରକୁ ଫେରି ଆସିଥିଲେ। ଏହାକୁ ନେଇ ଗିରଫ ଦୁଇ ଜଣ ବ୍ୟକ୍ତି ଓଏଚଆରସିଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ଏହି ମାମଲାର ବିଚାର କରି କ୍ଷତିପୂରଣ ଦେବାକୁ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଛନ୍ତି।ସମ୍ପୃକ୍ତ ପୁଲିସ ଅଧିକାରୀ ପ୍ରତ୍ୟେକଙ୍କୁ ଅଢେଇ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମାନବାଧିକାର କମିଶନ। କ୍ଷତିପୂରଣ ଆଦାୟ ନେଇ ରାଜ୍ୟ ଗୃହବିଭାଗକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି। କ୍ଷତିପୂରଣ ରାଶି ସମ୍ପୃକ୍ତ ପୁଲିସ ଅଧିକାରୀଙ୍କ ଠାରୁ ଆଦାୟ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିର୍ଦ୍ଦେଶକୁ ଦୁଇ ମାସ ମଧ୍ୟରେ କାର୍ଯ୍ୟକାରୀ କରିବାକୁ କମିଶନ ଆଦେଶ ଦେଇଥିବା ନେଇ ଆବେଦନକାରୀଙ୍କ ପକ୍ଷରୁ ଲଢୁଥିବା ଓକିଲ ବିଶ୍ୱପ୍ରିୟ କାନୁନଗୋ ସୂଚନା ଦେଇଛନ୍ତି।

Categories
ବିଶେଷ ଖବର

ଏଣିକି ବିଦ୍ୟୁତ ତାର ସଂସ୍ପର୍ଶ ଜନିତ ଦୁର୍ଘଟଣା ପାଇଁ କ୍ଷତିପୂରଣ ମିଳିବ – ଶକ୍ତିମନ୍ତ୍ରୀ

ବିଧାନସଭାରୁ ପ୍ରଭୁକଲ୍ୟାଣ ମହାପାତ୍ର

ଏଣିକି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତାହତ ହେଉଥିବା ବ୍ୟକ୍ତିଙ୍କ ପରିବାରବର୍ଗଙ୍କୁ ସରକାରୀ ସାହାଯ୍ୟ ମିଳିବ ବୋଲି ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିଧାନସଭାରେ ଜଣାଇଛନ୍ତି। ଅନ୍ୟପକ୍ଷରେ ଏଥିଯୋଗୁଁ ମୃତ୍ୟୁ ଘଟୁଥିବା ଗୃହପାଳିତ ପଶୁପକ୍ଷୀଙ୍କ ପଇଁ ମଧ୍ୟ କ୍ଷତିପୂରଣ ମିଳିବ ବୋଲି ସ୍ପଷ୍ଟ କରିଛନ୍ତି।

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୧୧ ଜଣ ବସ୍‌ଯାତ୍ରୀଙ୍କ ପ୍ରାଣହାନୀ ସମ୍ପର୍କରେ ଆଜି ବିଧାନସଭାରେ ମୁଲତବୀ ପ୍ରସ୍ତାବ ନୋଟିସ୍‌ ଆଗତ ହୋଇଥିଲା। ଏହି ଆଲୋଚନାର ଉତ୍ତର ଦେଇ ଶକ୍ତି ମନ୍ତ୍ରୀ ଶ୍ରୀ ମିଶ୍ର କହିଲେ, ଏଣିକି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ ପରିବାରକୁ ଓ.ଇ.ଆର.ସି. ପକ୍ଷରୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବ। ସେହିପରି ୬୦ ଭାଗ ଅକର୍ମଣ୍ୟ ବ୍ୟକ୍ତିଙ୍କୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରାଯିବ ଏବଂ ୪୦ରୁ ୬୦ ଭାଗ ଅକର୍ମଣ୍ୟ ବ୍ୟକ୍ତିଙ୍କୁ ୧ ଲକ୍ଷ ଟଙ୍କାର ସହାୟତା ଦିଆଯିବ। ଅପରପକ୍ଷେ ଗୋଟିଏ ସପ୍ତାହ ହସ୍ପିଟାଲ୍‌ରେ ଚିକିତ୍ସା ପାଇଁ ୧୨,୭୦୦ ଟଙ୍କା ଓ ସପ୍ତାହେରୁ କମ୍‌ ସମୟ ଡାକ୍ତରଖାନା ଭର୍ତ୍ତି ବାବଦ  ୪୩୦୦ଟଙ୍କା ମିଳିବ। ଏତଦ୍‌ଭିନ୍ନ ଏହି କାରଣରୁ ଗୋଟିଏ ଗାଈ ଓ ଛେଳି/ମେଣ୍ଢାର ମୃତ୍ୟୁ ପାଇଁ ଯଥାକ୍ରମେ ୧୨ ହଜାର ଟଙ୍କା ଏବଂ ୩ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯିବ ।

ଅନ୍ୟାନ୍ୟ ପ୍ରସଙ୍ଗ ମଧ୍ୟରେ ଶକ୍ତି ମନ୍ତ୍ରୀ ଦର୍ଶାଇଥିଲେ ଯେ, ୨୦୦୦ ମସିହାରେ ରାଜ୍ୟରେ ୧୬ ଲକ୍ଷ ବିଦ୍ୟୁତ୍‌ ଗ୍ରାହକ ଥିବାବେଳେ ୨୦୧୯ ରେ ସେହି ସଂଖ୍ୟା ୯୬ ଲକ୍ଷରେ ପହଞ୍ଚିଛି। ସେହିପରି ଏଚ୍‌.ଟି (ହାଇ ଟେନସନ୍‌) ଲାଇନ୍‌ ଏହି ସମୟ ଭିତରେ ଚାରି ଗୁଣ ବୃଦ୍ଧି ପାଉଥିବାବେଳେ ଗ୍ରୀଡ୍‌, ସବ୍‌ଷ୍ଟେସନ୍‌ ପ୍ରଭୃତି ଅନେକ ପରିମାଣରେ ବୃଦ୍ଧି ପାଇଛି। ତେଣୁ ବ୍ୟବସ୍ଥାର ଉନ୍ନତିକରଣ ମାଧ୍ୟମରେ ଦୁର୍ଘଟଣା ଏଡାଇବା ପାଇଁ ସରକାର ଉଦ୍ୟମ ଚଳାଇଛନ୍ତି। ସେଥିଯୋଗୁଁ ଦୁଇ ହଜାର ମସିହାରେ ବିଦ୍ୟୁତ ତାର ସଂସ୍ପର୍ଶ ଦୁର୍ଘଟଣାରେ ୨୦୫ ଜଣ ବ୍ୟକ୍ତିଙ୍କ ପ୍ରାଣହାନି ଘଟିଥିବାବେଳେ ୨୦୧୯ରେ ୧୭୮ଜଣଙ୍କର ମୃତ୍ୟୁ ଘଟିଛି।

ବାଣିଜ୍ୟଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଉଲ୍ଲେଖ କରିଥିଲେ ଯେ, ବସ୍‌ ଡ୍ରାଇଭର୍‌ ବେପରୁଆ ମନୋଭାବ ଯୋଗୁଁ ଏଭଳି ଦୁର୍ଘଟଣା ଘଟିଛି । ସେଥିପାଇଁ ତାଙ୍କୁ ଗିରଫ କରାଯିବା ସହିତ ତା’ର ଡ୍ରାଇଭିଂ  ଲାଇସେନ୍ସ ମଧ୍ୟ ସସ୍‌ପେଣ୍ଡ କରାଯାଉଛି । ଯୁଗ୍ମ ଅନୁସନ୍ଧାନ କମିଟି ଦ୍ବାରା ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ମେନ୍ଦ୍ରାରାଜପୁର ବସ୍‌ଯାତ୍ରୀ ଦୁର୍ଘଟଣାରେ ତଦନ୍ତ କରାଯାଇଛି। ବସ୍‌ଟି ବେଆଇନ ଭାବରେ ସେହି ରାସ୍ତାରେ ଯାଇଥିବାରୁ ତା’ର ପରମିଟ୍‌ ରଦ୍ଦ କରାଯାଇଛି । ବସ୍‌ ମାଲିକ ଓ ଡ୍ରାଇଭରଙ୍କ ବିରୁଦ୍ଧରେ ଥାନାରେ ଏତଲା ଦିଆଯାଇଛି।  ୧୧କେଭି ବିଦ୍ୟୁତ୍‌ ତା’ର ଭୂମିଠାରୁ ୨୦ ଫୁଟ୍‌ ଉଚ୍ଚରେ ରହିବା କଥା । କିନ୍ତୁ ତାହା ମାତ୍ର ୧୨ଫୁଟ ଉଚ୍ଚରେ ଥିଲା । ଡ୍ରାଇଭରର ବେପରୁଆ ଆଚରଣ ଯୋଗୁଁ ବସ୍‌ଟି ବିଦ୍ୟୁତ୍ ତା’ର ସଂସ୍ପର୍ଶରେ ଆସିଥିଲା । ତେବେ ଯାତ୍ରୀମାନେ ଭୟଭୀତ ହୋଇ ତଳକୁ ଡେଇଁ ପଡିବା ଯୋଗୁଁ ଭୂମି ସ୍ପର୍ଶରେ ଆସି ମୃତାହତ ହୋଇଥିଲେ ।  ମଣିଷମାନଙ୍କ ବ୍ୟତୀତ ୨୯ଟି ହାତୀ ଏବଂ ୧୭୭ଟି ଅନ୍ୟାନ୍ୟ ପଶୁ ମଧ୍ୟ ଇତିମଧ୍ୟରେ ମୃତ୍ୟୁବରଣ କରିଛନ୍ତି । ବ୍ୟାପକ ଜନସଚେତନତା ଏବଂ ବ୍ୟବସ୍ଥାର ଉନ୍ନତିକରଣ ମାଧ୍ୟମରେ ଏହି ବିଦ୍ୟୁତ ଜନିତ ଦୁର୍ଘଟଣା ଏଡାଇବା ଲାଗି ନିରନ୍ତର ପ୍ରୟାସ ଜାରି ରହିଛି ।

ତେବେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏହି ମୁଲତବୀ ପ୍ରସ୍ତାବ ନୋଟିସ୍‌ର ବକ୍ତବ୍ୟ ପ୍ରଦାନ ଲାଗି ଉଦ୍ୟମ କରିବାରୁ ବିରୋଧୀ ଦଳର ସଭ୍ୟମାନେ ତା’ର ଦୃଢ ପ୍ରତିବାଦ କରିଥିଲେ।  ସେମାନେ ଆରୋପ କରିଥିଲେ ଯେ, ଗତ ୯ତାରିଖ ଦୁର୍ଘଟଣା ଘଟିବା ପରେ ପରିବହନ ମନ୍ତ୍ରୀ ସମ୍ପୃକ୍ତ ସ୍ଥାନକୁ ଗସ୍ତ କରିଥିଲେ ଏବଂ ଶକ୍ତି ବିଭାଗର ଅବହେଳା ପାଇଁ ଏଭଳି ଦୁର୍ଘଟଣା ସଂଘଟିତ ହୋଇଛି ବୋଲି ଜଣାଇଥିଲେ। ତେଣୁ ଶକ୍ତି ମନ୍ତ୍ରୀ ମୁଲତବୀ ପ୍ରସ୍ତାବ ନୋଟିସ୍‌ର ଉତ୍ତର ଦେବା ଦରକାର। ତେବେ ବାଚସ୍ପତି ଟିପ୍ପଣୀ ଦେଇଥିଲେ ଯେ, ସରକାର ପ୍ରତି ମନ୍ତ୍ରୀମାନଙ୍କର ସମ୍ମିଳିତ ଦାୟିତ୍ବ ରହିଛି। ତେଣୁ ଯେକୌଣସି ମନ୍ତ୍ରୀ ଉତ୍ତର ଦେଲେ ମଧ୍ୟ ତାହା ସରକାରଙ୍କ ବକ୍ତବ୍ୟ ବୋଲି ବୁଝାଯିବ। ତଥାପି ଆବଶ୍ୟକ ପଡ଼ିଲେ ଶକ୍ତିମନ୍ତ୍ରୀ ଉତ୍ତର ପ୍ରଦାନ କରିବେ ବୋଲି ସେ ଜଣାଇଥିଲେ । କିନ୍ତୁ ବାଚସ୍ପତିଙ୍କ ଏହି ମନ୍ତବ୍ୟରେ ବିରୋଧୀ ବିଜେପି ଓ କଂଗ୍ରେସ ସଭ୍ୟମାନେ ସନ୍ତୁଷ୍ଟ ହୋଇନଥିଲେ । ପ୍ରତିବାଦ ଜଣାଇ ସେମାନେ କକ୍ଷତ୍ୟାଗ କରିଥିଲେ। ଏହାପରେ ବିରୋଧୀ ସଭ୍ୟମାନଙ୍କୁ ଗୃହକୁ ଫେରାଇ ଆଣିବା ଲାଗି ବାଚସ୍ପତି ସରକାରୀ ଦଳ ମୁଖ୍ୟ ସଚେତକଙ୍କୁ ସେମାନଙ୍କୁ ବୁଝାଇବା ଲାଗି ପଠାଇଥିଲେ। ଏପରିକି ଖୋଦ୍‌ ବାଚସ୍ପତି ଶ୍ରୀ ପାତ୍ର ମଧ୍ୟ ବିରୋଧୀ ସଭ୍ୟମାନେ ଗୃହକୁ ଫେରି ଆସିବା ଲାଗି ଅନୁରୋଧ କରିଥିଲେ। କିନ୍ତୁ ବିରୋଧୀ ସଭ୍ୟମାନେ ନିଜ ଜିଦ୍‌ରେ ଅଟଳ ରହି ଆଲୋଚନାରେ ଭାଗ ନେଇନଥିଲେ । ଫଳରେ ବିରୋଧୀ ସଦସ୍ୟଙ୍କ ଅନୁପସ୍ଥିତିରେ ମୁଲତବୀ ପ୍ରସ୍ତାବ ନୋଟିସ୍‌ ଉପରେ ଚର୍ଚ୍ଚା ହୋଇଥିଲା।

ଦୃଷ୍ଟି ଆକର୍ଷଣକାରୀ ପ୍ରସ୍ତାବରେ ଶାସକ ଦଳ ସଭ୍ୟ ଉଷାଦେବୀ, ଲତିକା ପ୍ରଧାନ, ପ୍ରଦୀପ କୁମାର ପାଣିଗ୍ରାହୀ, ଧ୍ରୁବ ଚରଣ ସାହୁ ଅଂଶଗ୍ରହଣ କରିଥିଲେ। ବିଦ୍ୟୁତ ତା’ର ସଂସ୍ପର୍ଶ ଜନିତ ଦୁର୍ଘଟଣାକୁ ଏଡାଇବା ପାଇଁ ସମ୍ପୃକ୍ତ ବାତ୍ୟା ପ୍ରବଣ ଇଲାକାରେ ଭୂମିତଳ ବିଦ୍ୟୁତକରଣ କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ସେମାନେ ପ୍ରସ୍ତାବ ବାଢିଥିଲେ।  ଅନ୍ୟାନ୍ୟ ପ୍ରସଙ୍ଗ ମଧ୍ୟରେ ଏଭଳି ଦୁର୍ଘଟଣାରେ ବାପା, ମା’, ଛେଉଣ୍ଡ ପିଲାମାନଙ୍କ ପ୍ରତିପୋଷଣ ଓ ଶିକ୍ଷା ଦାୟିତ୍ବ ସମ୍ପୂର୍ଣ୍ଣ ଭାବରେ ସରକାର ଗ୍ରହଣ କରିବାକୁ ସେମାନେ ନିବେଦନ କରିଥିଲେ। ମନ୍ତ୍ରୀ ଦ୍ବୟଙ୍କ ଉତ୍ତର ପରେ ବାଚସ୍ପତି ଶ୍ରୀ ପାତ୍ର ମୁଲତବୀ ପ୍ରସ୍ତାବ ନୋଟିସ୍‌ଟିକୁ ଅଗ୍ରାହ୍ୟ କରି ଦେଇଥିଲେ।