Categories
ଆଜିର ଖବର ରାଜ୍ୟ ଖବର

ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀଙ୍କ ଦ୍ୱାରା ହିତାଧିକାରୀଙ୍କୁ କୃତ୍ରିମ ଅଙ୍ଗ ବଣ୍ଟନ

ଭୁବନେଶ୍ୱର : ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା  ମାଲକାନଗିରି ଜିଲ୍ଲାର ୧୭ ଜଣ ଭିନ୍ନକ୍ଷମ ହିତାଧିକାରୀଙ୍କୁ କୃତ୍ରିମ ଅଙ୍ଗ ବିତରଣ କରିଛନ୍ତି। କ୍ୟାପିଟାଲ ହସ୍‌ପିଟାଲ ପରିସରସ୍ଥିତ ରାଜ୍ୟ ଭିନ୍ନକ୍ଷମ ପୁନର୍ବାସ ପ୍ରତିଷ୍ଠାନରେ ଆୟୋଜିତ ଏହି ବିତରଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି ଯେ ରାଜ୍ୟରେ ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ପ୍ରାୟ ୬ ହଜାର ଭିନ୍ନକ୍ଷମ ହିତାଧିକାରୀଙ୍କୁ ରୋବୋଟିକ୍‌ ଥେରାପି ସହାୟତା କ୍ରମେ ପ୍ରସ୍ତୁତ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ବିତରଣ କରାଯାଇଛି। ରାଉରକେଲା ଓ ବ୍ରହ୍ମପୁରଠାରେ ମଧ୍ୟ ଆଧୁନିକ ପୁନର୍ବାସ କେନ୍ଦ୍ର ଖୁବ୍‌ଶୀଘ୍ର ପ୍ରତିଷ୍ଠା କରାଯିବ ଓ ଏହି ସୁବିଧା ଉପଲବ୍ଧ ହେବ ବୋଲି ମନ୍ତ୍ରୀ ପଣ୍ଡା କହିଛନ୍ତି।

ଆଜିର କାର୍ଯ୍ୟକ୍ରମରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା, ବିଭାଗର ନିର୍ଦ୍ଦେଶିକା ଶ୍ରୀମତୀ ବ୍ରତତୀ ହରିଚନ୍ଦନ ଉପସ୍ଥିତ ଥିଲେ। ସମସ୍ତ ହିତାଧିକାରୀଙ୍କ ସହିତ ମନ୍ତ୍ରୀ ଶ୍ରୀ ପଣ୍ଡା ମତବିନିମୟ କରିଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଆଇନର ଗଳାବାଟରେ ଖସିଯିବାକୁ ଚେଷ୍ଟା କରୁଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ: ବିଜେପି

ଭୁବନେଶ୍ବର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ବିଜେପି ସଙ୍ଗୀନ ଅଭିଯୋଗ ଆଣିଛି। ଚିଲିକା ବିଧାୟକ ମିଛ ବାହାନା କରି ଆଇନର ଗଳାବାଟରେ ଖସିଯିବାକୁ ଚେଷ୍ଟା କରୁଥିବା ବଜେପି ଅଭିଯୋଗ କରିଛି। ଜେଲ ଯିବା ଭୟରେ ପ୍ରଶାନ୍ତ ଜଗଦ୍ଦେବ ମିଛରେ ଅସୁସ୍ଥତା ଦର୍ଶାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଦଳରୁ ନିଲମ୍ବିତ କରାଯାଇଥିଲେ ମଧ୍ୟ ପ୍ରଶାନ୍ତଙ୍କୁ ପରୋକ୍ଷରେ ସରକାର ସାହାଯ୍ୟ କରାଯାଉଥିବା ବିଜେପି ଅଭିଯୋଗ କରିଛି। ତେବେ ଏହାକୁ ନେଇ ବିଜେପି ପକ୍ଷରୁ ଘୋର ବିରୋଧ କରାଯିବା ସହ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।

ଏହି ଅବସରରେ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ଅଧ୍ୟକ୍ଷ ବିଭୁ ପ୍ରସାଦ ତରାଇ କହିଛନ୍ତି ଯେ, ପୂର୍ବରୁ ପୋଲିସ ତାଙ୍କୁ ଜାଣିଶୁଣି ଗିରଫ କଲାନାହିଁ। ଏବେ ତାଙ୍କର କୌଣସି ରୋଗ ନ ଥିଲେ ମଧ୍ୟ କ୍ୟାପିଟାଲ ହସ୍ପିଟାଲରେ ରଖି ସ୍ୱାସ୍ଥ୍ୟ ବିଭାଗ ଦ୍ଵାରା ମିଛରେ ଚିକିତ୍ସା କରାଉଛି। ଏହାସହିତ ତାଙ୍କୁ ବେଆଇନ ଭାବେ ଅନେକ ଲୋକ ଭେଟୁଛନ୍ତି। ତେଣୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ବେଆଇନ ଭାବେ ଚିକିତ୍ସା କରାଗଲେ କ୍ୟାପିଟାଲ ହସ୍ପିଟାଲରେ ବିଜେପି ଧାରଣା ଦେବ ବୋଲି ଶ୍ରୀ ତରାଇ ଚେତାବନୀ ଦେଇଛନ୍ତି।

ତେବେ ବିଜେପିର ଅଭିଯୋଗ ଉପରେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଏଲ. ଡ଼ି. ସାହୁ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କର ନିଶ୍ଵାସ ନେବାରେ ଅସୁବିଧା ସହ ହୃଦରୋଗ, ମଦୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପ ଭଳି ଅନେକ ସମସ୍ୟା ରହିଛି। ତାଙ୍କର ଦିନେ ଦୁଇଦିନ ପରେ ଆଂଜିଓଗ୍ରାଫି ହେବ। ଯଦି ହୃଦୟରେ ସମସ୍ୟା ଥିବ, ତେବେ ଅସ୍ତ୍ରୋପଚାର କରାଯିବ ବୋଲି ନିର୍ଦ୍ଦେଶକ କହିଛନ୍ତି। ମେଡ଼ିସିନ ବିଭାଗ ଓ ହୃଦରୋଗ ବିଭାଗର ଡାକ୍ତର ତାଙ୍କର ଚିକିତ୍ସାରେ ନିଯୋଜିତ ଅଛନ୍ତି। ବିନା ସ୍ୱାସ୍ଥ୍ୟଗତ କାରଣରେ ବିଧାୟକଙ୍କ ଚିକିତ୍ସା କରାଯିବା ଅଭିଯୋଗ ମିଛ।

ବିଧାୟକଙ୍କୁ କେଉଁମାନେ ଦେଖା କରିପାରିବେ ତାହାର ପୋଲିସ ରେକର୍ଡ ରଖୁଛି। ତେଣୁ ହସ୍ପିଟାଲର କୌଣସି କର୍ମଚାରୀ ବେଆଇନ କାର୍ଯ୍ୟ କରୁନାହାନ୍ତି। ଯଦି ଏଭଳି କେହି କରୁଥିବେ, ତାହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡାକ୍ତର ସାହୁ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କ୍ୟାପିଟାଲ ହସ୍ପିଟାଲରେ ୨ ଡାକ୍ତରଙ୍କୁ କରୋନା: ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ କରାଗଲା ପରୀକ୍ଷା

ଭୁବନେଶ୍ବର: ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ୨ ଜଣ ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତ ଡାକ୍ତର ଦ୍ୱୟଙ୍କ ମଧ୍ୟରୁ  ଜଣେ ଭେଷଜ ବିଭାଗର ହୋଇଥିବା ବେଳେ ଆଉ ଜଣେ ଶଲ୍ଯ ବିଭାଗର ବୋଲି ଜଣା ପଡିଛି। ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟମାନଙ୍କର ପରୀକ୍ଷା କରାଯାଇଛି। ବର୍ତ୍ତମାନ ପରୀକ୍ଷା ହୋଇଥିବା ରିପୋର୍ଟ ନେଗେଟିଭ ଆସିଥିଲେ ମଧ୍ୟ ପୁଣିଥରେ ଆରଟିପିସିଆର ପରୀକ୍ଷା କରାଯିବ। କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧାରା ସାହୁ ଏନେଇ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ନେଲେ କରୋନା ଟିକା

ଭୁବନେଶ୍ବର: ଓଡିଶାରେ କରୋନା ଟିକାକାରଣ ପ୍ରକ୍ରିୟା ଦୃତଗତିରେ ଚାଲିଛି। ତେବେ ଏହି ଟିକାକାରଣରେ ପ୍ରକ୍ରିୟାରେ ଆଜି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସାମିଲ ହୋଇଛନ୍ତି। ଶ୍ରୀ ମହାପାତ୍ର କ୍ୟାପିଟାଲ ହସ୍ପିଟାଲରେ କୋରୋନା ଟିକା ନେଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।