ଆଇନର ଗଳାବାଟରେ ଖସିଯିବାକୁ ଚେଷ୍ଟା କରୁଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ: ବିଜେପି

Published: Oct 18, 2021, 3:16 pm IST

ଭୁବନେଶ୍ବର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ବିଜେପି ସଙ୍ଗୀନ ଅଭିଯୋଗ ଆଣିଛି। ଚିଲିକା ବିଧାୟକ ମିଛ ବାହାନା କରି ଆଇନର ଗଳାବାଟରେ ଖସିଯିବାକୁ ଚେଷ୍ଟା କରୁଥିବା ବଜେପି ଅଭିଯୋଗ କରିଛି। ଜେଲ ଯିବା ଭୟରେ ପ୍ରଶାନ୍ତ ଜଗଦ୍ଦେବ ମିଛରେ ଅସୁସ୍ଥତା ଦର୍ଶାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଦଳରୁ ନିଲମ୍ବିତ କରାଯାଇଥିଲେ ମଧ୍ୟ ପ୍ରଶାନ୍ତଙ୍କୁ ପରୋକ୍ଷରେ ସରକାର ସାହାଯ୍ୟ କରାଯାଉଥିବା ବିଜେପି ଅଭିଯୋଗ କରିଛି। ତେବେ ଏହାକୁ ନେଇ ବିଜେପି ପକ୍ଷରୁ ଘୋର ବିରୋଧ କରାଯିବା ସହ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।

ଏହି ଅବସରରେ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ଅଧ୍ୟକ୍ଷ ବିଭୁ ପ୍ରସାଦ ତରାଇ କହିଛନ୍ତି ଯେ, ପୂର୍ବରୁ ପୋଲିସ ତାଙ୍କୁ ଜାଣିଶୁଣି ଗିରଫ କଲାନାହିଁ। ଏବେ ତାଙ୍କର କୌଣସି ରୋଗ ନ ଥିଲେ ମଧ୍ୟ କ୍ୟାପିଟାଲ ହସ୍ପିଟାଲରେ ରଖି ସ୍ୱାସ୍ଥ୍ୟ ବିଭାଗ ଦ୍ଵାରା ମିଛରେ ଚିକିତ୍ସା କରାଉଛି। ଏହାସହିତ ତାଙ୍କୁ ବେଆଇନ ଭାବେ ଅନେକ ଲୋକ ଭେଟୁଛନ୍ତି। ତେଣୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ବେଆଇନ ଭାବେ ଚିକିତ୍ସା କରାଗଲେ କ୍ୟାପିଟାଲ ହସ୍ପିଟାଲରେ ବିଜେପି ଧାରଣା ଦେବ ବୋଲି ଶ୍ରୀ ତରାଇ ଚେତାବନୀ ଦେଇଛନ୍ତି।

ତେବେ ବିଜେପିର ଅଭିଯୋଗ ଉପରେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଏଲ. ଡ଼ି. ସାହୁ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କର ନିଶ୍ଵାସ ନେବାରେ ଅସୁବିଧା ସହ ହୃଦରୋଗ, ମଦୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପ ଭଳି ଅନେକ ସମସ୍ୟା ରହିଛି। ତାଙ୍କର ଦିନେ ଦୁଇଦିନ ପରେ ଆଂଜିଓଗ୍ରାଫି ହେବ। ଯଦି ହୃଦୟରେ ସମସ୍ୟା ଥିବ, ତେବେ ଅସ୍ତ୍ରୋପଚାର କରାଯିବ ବୋଲି ନିର୍ଦ୍ଦେଶକ କହିଛନ୍ତି। ମେଡ଼ିସିନ ବିଭାଗ ଓ ହୃଦରୋଗ ବିଭାଗର ଡାକ୍ତର ତାଙ୍କର ଚିକିତ୍ସାରେ ନିଯୋଜିତ ଅଛନ୍ତି। ବିନା ସ୍ୱାସ୍ଥ୍ୟଗତ କାରଣରେ ବିଧାୟକଙ୍କ ଚିକିତ୍ସା କରାଯିବା ଅଭିଯୋଗ ମିଛ।

ବିଧାୟକଙ୍କୁ କେଉଁମାନେ ଦେଖା କରିପାରିବେ ତାହାର ପୋଲିସ ରେକର୍ଡ ରଖୁଛି। ତେଣୁ ହସ୍ପିଟାଲର କୌଣସି କର୍ମଚାରୀ ବେଆଇନ କାର୍ଯ୍ୟ କରୁନାହାନ୍ତି। ଯଦି ଏଭଳି କେହି କରୁଥିବେ, ତାହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡାକ୍ତର ସାହୁ କହିଛନ୍ତି।

Related posts