ନୂଆଦିଲ୍ଲୀ: ରବିବାର ଦିନ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ର ନୀଲମ୍ ଘାଟିତ ନାଳରେ ଗୋଟିଏ ଯାତ୍ରୀବାହି ଜିପ ଖସିପଡିଛି। ଯେଉଁଥିରେ ୬ ଜଣ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। ଗଣମାଧ୍ୟମ ରିପୋର୍ଟ ମୁତାବକ ଏହି ଘଟଣାଟି ଅପରାହ୍ନ ପ୍ରାୟ ୩ ଟା ସମୟରେ ଦୁଧନିଆଲର ଛରୀ ଅଞ୍ଚଳରେ ଘଟିଥିଲା। ଦୁର୍ଘଟଣାଗ୍ରସ୍ତ ଜିପ୍ ଟି ପ୍ରାୟ ୩୦୦ ଫୁଟ ଗଭୀର ଶୁଖିଲା ଖାଲରେ ଖସିପଡିଥିଲା।
ଯାତ୍ରୀମାନେ ନୀଲମ ନଦୀ କୂଳରେ ଅବସ୍ଥିତ ଥଣ୍ଡା ପାନି ଗାଁର ବାସିନ୍ଦା ଥିଲେ। ଗାଡିଟି ଏହାର କ୍ଷମତା ଅପେକ୍ଷା ଅଧିକ ଲୋକଙ୍କୁ ନେଇ ଆସୁଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଆହତମାନଙ୍କୁ ଦୁଧନିଆଲର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଛି, ଯେଉଁଠାରୁ ପାଞ୍ଚ ଜଣଙ୍କୁ ଅଧିକ ଚିକିତ୍ସା ପାଇଁ ମୁଜାଫରବାଦର ଏକ ଡାକ୍ତରଖାନାକୁ ପଠାଯାଇଛି।