Categories
ଆଜିର ଖବର ରାଜ୍ୟ ଖବର

ପୁରୀ ଗଜପତିଙ୍କୁ କରୋନା, ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ହୋଇପାରିବେନି ସାମିଲ

ପୁରୀ: ପୁରୀ ଗଜପତି ଦିବ୍ୟସିଂହ ଦେବ କରୋନା ସଂକ୍ରାମିତ ହୋଇଛନ୍ତି। ଫଳରେ ଶନିବାର ଦିନ ଦୁଇଦିନିଆ ଓଡିଶା ଗସ୍ତରେ ଆସୁଥିବା ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ରହିପାରିବେ ନାହିଁ। ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଯେଉଁମାନେ ତାଙ୍କୁ ସ୍ବାଗତ କରିବେ ସେମାନଙ୍କର କରୋନା ପରୀକ୍ଷା କରାଯାଇଥିଲା। ଏହି ପରୀକ୍ଷା ବେଳେ ଗଜପତି କରୋନା ସଂକ୍ରାମିତ ହୋଇଥିବାର ଜଣାପଡିଥିଲା।

ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୀମନ୍ଦିର ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ସିଂହ ଦ୍ବାରରେ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଥାଆନ୍ତେ ଗଜପତି। ସେଥିପାଇଁ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା। ବର୍ତ୍ତମାନ ସେ ପଜେଟିଭ ଚିହ୍ନଟ ହୋଇଥିବାର ରାଷ୍ଟ୍ରପତିଙ୍କ କୌଣସି କାର୍ଯ୍ୟକ୍ରମରେ ସେ ରହିପାରିବେ ନାହିଁ।

Categories
RathJatra ଜାତୀୟ ଖବର ଧର୍ମ ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ଚଳିତ ବର୍ଷ ପୁରୀ ଗଜପତି ମହାରାଜା କଲେ ଏକ ନୂଆ ରେକର୍ଡ, ଛେରା ପହଁରା କରିବାରେ ପୁରିଲା ୫୦ ବର୍ଷ

ପୁରୀ, ଚଳିତ ବର୍ଷ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଏକ ନୂଆ ରେକର୍ଡ କରିଛନ୍ତି। ତାହା ହେଲା ସେ ଶ୍ରୀଜିୟୁଙ୍କ ସେବା କରିବାରେ ୫୦ ବର୍ଷ ପୁରଣ କରିଛନ୍ତି। ସେ ୧୯୭୧ ମସିହାରୁ ଠାକୁରଙ୍କ ଏହି ସେବା କରି ଆସୁଛନ୍ତି।

କେବଳ ୧୯୭୬ ମସିହା ରଥଯାତ୍ରା ବେଳେ ସେ ପରୀକ୍ଷା ଦେବା ପାଇଁ ବିଦେଶରେ ଥିବାରୁ ଆସିପାରି ନ ଥିଲେ। ହେଲେ ପ୍ରତିବର୍ଷ ସେ ଏହି ବିରଳ ସେବାରେ ନିଜକୁ ନିୟୋଦିତ ରଖିଛନ୍ତି। ସୂଚନା ଅନୁସାରେ ତିନି ଶହ ବର୍ଷ ତଳେ ଜଣେ ଗଜପତି ୫୦ ବର୍ଷ ସେବା କରିଥିଲେ। ହେଲେ ଏ ନେଇ କୌଣସି ରେକର୍ଡ ନାହିଁ।

୬୮ ବର୍ଷୀୟ ବର୍ତ୍ତମାନର ଗଜପତି ଦିବ୍ୟସିଂହ ଦେବ ୧୯୭୦ ମସିହାରେ ଗଜପତି ବୀର କିଶୋର ଦେବ, ତୃତୀୟଙ୍କ ଦେହାନ୍ତ ପରେ ରାଜାଭିଷେକ ହୋଇଥିଲେ। ଗତ ବର୍ଷ ତାଙ୍କ ରାଜାଭିଷେକକୁ ମଧ୍ୟ ୫୦ ବର୍ଷ ପୁରଣ ହୋଇଛି। ଏହା ପୂର୍ବରୁ ପୁରୀରେ କୌଣସି ଗଜପତି ଏତେ ବର୍ଷ ଧରି ରାଜଗାଦିରେ ବସି ଥିବାର ମଧ୍ୟ ରେକର୍ଡ ନାହିଁ।

ଗଜପତି ଦିବ୍ୟସିଂହ ଦେବ ପାଠ ପଢୁଥିବା ବେଳେ ରାଜାଭିଷେକ ହୋଇଥିଲେ। ସେ ରାୟପୁର ରାଜକୁମାର କଲେଜରୁ ଆଇଏସସି ପାସ୍ କରିଥିଲେ। ଏହାପରେ ୧୯୭୨ ମସିହାରେ ସେଣ୍ଟ ଷ୍ଟିଫେନ୍ସ କଲେଜରୁ ଇତିହାସ ସମ୍ମାନରେ ବିଏ ପାସ୍ କରିଥିଲେ। ଏହା ପରେ ୧୯୭୫ ମସିହାରେ ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ଏଲଏଲ୍ ବି ଶିକ୍ଷା ଲାଭ କରିଥିଲେ।

ଗଜପତି ଆମେରିକାର ଚିକାଗୋସ୍ଥିତ ଉତ୍ତର ପଶ୍ଚିମ ବିଶ୍ବବିଦ୍ୟାଳୟରେ ଏଲ୍ଏଲ୍ଏମ୍ ଡିଗ୍ରି ମଧ୍ୟ ହାସଲ କରିଛନ୍ତି। କିଛି ମାସ ଧରି ସେ ଓକିଲାତି ମଧ୍ୟ କରୁ ଥିଲେ।ଏହି ପେଶାରେ ଥିଲେ ମଧ୍ୟ ସେ ରିତମତ ରଥଯାତ୍ରାକୁ ଆସି ପ୍ରଭୃଙ୍କ ସେବାରେ ନିଜକୁ ନିୟୋଜିତ ରଖିଥିଲେ। ପରବର୍ତ୍ତି ସମୟରେ ଶ୍ରୀଜଗନ୍ନାଥଙ୍କ ଆକର୍ଷଣ ତାଙ୍କୁ ଅତିମାତ୍ରାରେ ଟାଣିଆଣିଲା। ଫଳରେ ସେ ଓକିଲାତି ପେଶା ଛାଡି ପୁରା ସମୟ ଶ୍ରୀଜଗନ୍ନାଥଙ୍କ ସେବା ନିଜକୁ ନିୟୋଜିତ କଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ରଥଯାତ୍ରା ପାଇଁ ସୁପ୍ରିମକୋର୍ଟରେ ପୁନଃବିଚାର ଆବେଦନ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଜପତି

ପୁରୀ, ରଥଯାତ୍ରା ସଂପର୍କରେ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କରନ୍ତୁ । ଏ ନେଇ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଏକ ଲମ୍ବା ଚିଠି ଲେଖିଛନ୍ତି ଗଜପତି ଦିବ୍ୟସିଂହ ଦେବ। ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ରାଜ୍ୟ ସରକାର କୋର୍ଟକୁ ଅବଗତ କରାନ୍ତୁ ଯେ, କୋଭିଡ କଟକଣା ମଧ୍ୟରେ ରଥଯାତ୍ରା କରାଯିବ। ବିନା ଭକ୍ତରେ ଏହି ରଥଯାତ୍ରା ମନ୍ଦିର ପ୍ରଶାସନ କରିବ। ଏହା କୁହାଗଲେ ହୁଏତ ସୁପ୍ରିମକୋର୍ଟ ରଥଯାତ୍ରା କରିବା ପାଇଁ ଅନୁମତି ଦେଇପାରନ୍ତି ବୋଲି ଗଜପତି ଚିଠିରେ ଉଲ୍ଲେଖ କରିଛନ୍ତି।

ଏହି ଚିଠିରେ ଗଜପତି ରଥଯାତ୍ରା ଇତିହାସ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି। ସେ କହିଛନ୍ତି ଯେ, ମନ୍ଦିର ସତ୍ବଲିପିରେ ରଥଯାତ୍ରା କରିବାକୁ ମନ୍ଦିର ପ୍ରଶାସନ ବାଧ୍ୟ। ସେଥିପାଇଁ ପ୍ରାଚୀନ ସମୟରେ ଯେତେ ବାଧା ବିଘ୍ନ ଆସିଥିଲେ ମଧ୍ୟ ରଥଯାତ୍ରା ବନ୍ଦ ହୋଇ ନାହିଁ। ଯେତେବେଳେ ତିନିଠାକୁର ମନ୍ଦିର ଭିତରେ ନ ଥିଲେ ସେତେବେଳେ ରଥଯାତ୍ରା ବନ୍ଦ ହୋଇଛି। ହେଲେ ବର୍ତ୍ତମାନ ପରିସ୍ଥିତିରେ ଠାକୁର ମନ୍ଦିରରେ ଥିବାରୁ ରଥଯାତ୍ରା କରିବା ନିହାତି ଆବଶ୍ୟକ। ସେଥିପାଇଁ ରାଜ୍ୟ ସରକାର ଆଇନଗତ ପଦକ୍ଷେପ ଗ୍ରହଣ କରନ୍ତୁ  ବୋଲି ଗଜପତି ଏହି ଚିଠିରେ ଉଲ୍ଲେଖ କରିଛନ୍ତି।

Categories
ଆଜିର ଖବର

ଏବେ ବି ରଥଯାତ୍ରା ହେବ ବୋଲି ଆମେ ଆଶା ରଖିଛୁ, କହିଲେ ଗଜପତି ଦିବ୍ୟସିଂହ ଦେବ

ପୁରୀ,  ରଥଯାତ୍ରା ହେବ ବୋଲି ଆମେ ବର୍ତ୍ତମାନ ସୁଦ୍ଧା ଆଶା ରଖିଛୁ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରିଭ୍ୟୁ ପିଟିସନ ଦାଖଲ ହୋଇଛି। ସୋମବାର ଦିନ କୋର୍ଟ ଏହା ଉପରେ କିଛି ପୁନଃବିଚାର କରିପାରନ୍ତି ବୋଲି କହିଛନ୍ତି ଗଜପତି ଦିବ୍ୟସିଂହ ଦେବ। ଆଜି ପ୍ରାୟ ସାଢେ ତିନି ଘଣ୍ଟା ଧରି ଛତିଶା ନିଯୋଗ ବୈଠକ ପରେ ଗଜପତି ଏହା କହିଛନ୍ତି। ଏଥିସହିତ ସେ ଆହୁରି କହିଛନ୍ତି ଯେ, ସରକାର ଏହାର ପୁନଃବିଚାର ପାଇଁ ପକ୍ଷ ରଖନ୍ତୁ। ବିଭିନ୍ନ ଅନୁଷ୍ଠାନ ତରଫରୁ ପିଟିସନ ଦାଖଲ କରାଯାଇଛି। ଶନି ଓ ରବିବାର ଛୁଟି ଥିବାରୁ ସୋମବାର ଦିନ କୋର୍ଟ ତାଙ୍କ ରାୟକୁ ସଂଶୋଧନ କରିପାରନ୍ତି ବୋଲି ଗଜପତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସୁପ୍ରିମକୋର୍ଟରେ ଯେପରି ରଥଯାତ୍ରା ନେଇ ତଥ୍ୟ ଉପସ୍ଥାପନା କରାଗଲା ତାହା ଠିକ ନ ଥିଲା ବୋଲି ଗଜପତି କହିଛନ୍ତି। ରଥଯାତ୍ରା ବେଳେ 10 ରୁ 12 ଲକ୍ଷ ଭକ୍ତ ଯୋଗଦେବେ ବୋଲି କହିବା ଭୁଲ ଥିଲା। ଏଥର ରଥଯାତ୍ରା ବିନା ଭକ୍ତର କରାଯାଉ ବୋଲି କେହି ବି ଯୁକ୍ତି କଲେ ନାହିଁ। ଫଳରେ କୋର୍ଟ ରଥଯାତ୍ରା ବନ୍ଦ କରାଯାଉ ବୋଲି ରାୟ ଶୁଣାଇ ଦେଲେ। ତେବେ ମନ୍ଦିର ପରିସରରେ କିପରି ରଥଯାତ୍ରା ହେବ ସେ ନେଇ ବର୍ତ୍ତମାନ ସୁଦ୍ଧା ଆଲୋଚନା ଚାଲିଛି। ତଥାପି ଆମେ ସୋମବାର ପର୍ଯ୍ୟନ୍ତ ଅପେକ୍ଷା କରିଛୁ ବୋଲି ଗଜପତି କହିଛନ୍ତି।