ପୁରୀ ଗଜପତିଙ୍କୁ କରୋନା, ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ହୋଇପାରିବେନି ସାମିଲ

Published: Feb 18, 2022, 11:38 pm IST

ପୁରୀ: ପୁରୀ ଗଜପତି ଦିବ୍ୟସିଂହ ଦେବ କରୋନା ସଂକ୍ରାମିତ ହୋଇଛନ୍ତି। ଫଳରେ ଶନିବାର ଦିନ ଦୁଇଦିନିଆ ଓଡିଶା ଗସ୍ତରେ ଆସୁଥିବା ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ରହିପାରିବେ ନାହିଁ। ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଯେଉଁମାନେ ତାଙ୍କୁ ସ୍ବାଗତ କରିବେ ସେମାନଙ୍କର କରୋନା ପରୀକ୍ଷା କରାଯାଇଥିଲା। ଏହି ପରୀକ୍ଷା ବେଳେ ଗଜପତି କରୋନା ସଂକ୍ରାମିତ ହୋଇଥିବାର ଜଣାପଡିଥିଲା।

ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୀମନ୍ଦିର ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ସିଂହ ଦ୍ବାରରେ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଥାଆନ୍ତେ ଗଜପତି। ସେଥିପାଇଁ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା। ବର୍ତ୍ତମାନ ସେ ପଜେଟିଭ ଚିହ୍ନଟ ହୋଇଥିବାର ରାଷ୍ଟ୍ରପତିଙ୍କ କୌଣସି କାର୍ଯ୍ୟକ୍ରମରେ ସେ ରହିପାରିବେ ନାହିଁ।

Related posts