Categories
ଆଜିର ଖବର ରାଜ୍ୟ ଖବର

ବିଦ୍ୟାଳୟ ଗଣଶିକ୍ଷାମନ୍ତ୍ରୀ ଓ ବିଭାଗୀୟ ସଚିବଙ୍କ ସହ ଆଲୋଚନା ପରେ ଓଷ୍ଟାର ସ୍ଥଗିତ ରହିଲା  ଆନ୍ଦୋଳନ

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା)ର ଆହ୍ୱାନ କ୍ରମେ ଚାଲିଥିବା ଅହୋରାତ୍ର ଧାରଣାର ଷଷ୍ଠ ଦିବସରେ ମାନ୍ୟବର ଗଣଶିକ୍ଷାମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଏକ ଛଅ ଜଣିଆ ପ୍ରତିନିଧି ଦଳ ବିଭିନ୍ନ ଦାବୀ ସମ୍ପର୍କରେ ବିଧାନସଭାର ମନ୍ତ୍ରୀଙ୍କ ପ୍ରକୋଷ୍ଠରେ ଗଣଶିକ୍ଷାମନ୍ତ୍ରୀ, ବିଭାଗୀୟ ସଚିବ ଓ ଶିକ୍ଷା ବିଭାଗର ଅନ୍ୟାନ୍ୟ ଅଫିସ୍‌ରଙ୍କ ସହିତ ଆଲୋଚନା କରିଥିଲେ। ଏହି ଆଲୋଚନା ଅନୁଯାୟୀ ମାନ୍ୟବର ମନ୍ତ୍ରୀଙ୍କ ନିର୍ଭର ପ୍ରତିଶ୍ରୁତି ପରେ ଆନ୍ଦୋଳନ ସ୍ଥଗିତ ରଖାଯାଇଛି। ସରକାର ଯଦି ପୂର୍ବ ଭଳି ନିଜର ପ୍ରତିଶ୍ରୁତି ଭଙ୍ଗ କରନ୍ତି ତେବେ ଏକ ବଡ଼ ଧରଣର ଆନ୍ଦୋଳନ ଆପଣେଇବାକୁ ଓଷ୍ଟା ବାଧ୍ୟ ହେବ ବୋଲି ଓଷ୍ଟାର ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ ଦୃଢ଼ ଚେତାବନୀ ଦେଇଛନ୍ତିି।

ସୂଚନା ଥାଉକି ଆଜକୁ ଛଅ ଦିନ ଧରି ବିଭିନ୍ନ ଦାବୀ ସଂପର୍କରେ ଓଷ୍ଟା ତରଫରୁ ଅହୋରାତ୍ର ଧାରଣା ଗାନ୍ଧୀମାର୍ଗ ଠାରେ ଚାଲିଥିଲା। ଏହି ଧାରଣାରେ ୫୦ ହଜାରୁ ଊର୍ଦ୍ଧ୍ୱ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ ଯୋଗ ଦେଇଥିଲେ। ଓଷ୍ଟାର ଦୀର୍ଘଦିନର ଦାବୀ ଯଥା – ଅନୁଦାନରୁ ବଞ୍ଚିତ ଅନୁଦାନ ଯୋଗ୍ୟ ବିଦ୍ୟାଳୟକୁ ଅନୁଦାନ ପ୍ରଦାନ, ସପ୍ତମ ବେତନରୁ ବଞ୍ଚିତ ୨୨୬ ଓ ୩୯୯ ବିଦ୍ୟାଳୟକୁ ସପ୍ତମ ବେତନ ପ୍ରଦାନ, ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରୁ ଅବସର ନେଇଥିବା ଶିକ୍ଷକ, ଶିକ୍ଷିକା ଓ ଶିକ୍ଷାକର୍ମଚାରୀମାନଙ୍କୁ ପେନସନ୍ ଓ କାର୍ଯ୍ୟରତ ଶିକ୍ଷକ, ଶିକ୍ଷିକା ଓ ଶିକ୍ଷାକର୍ମଚାରୀମାନଙ୍କର ଚାକିରି ସର୍ତ୍ତାବଳୀ ସହ ପେନସନ୍ ପ୍ରଦାନ, ୬୧୦ ବିଦ୍ୟାଳୟକୁ ସରକାରୀକରଣ, ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କୁ ୬ଟି ନୋସନାଲ୍ ଇନ୍‌କ୍ରିମେଣ୍ଟ ଦେଇ ବରିଷ୍ଠତା ପ୍ରଦାନ, ବିଭିନ୍ନ ଗ୍ରେଡ଼ପେ ରେ ଥିବା ଅସଙ୍ଗତି ଦୂରୀକରଣ, ଆଣ୍ଟିଡେସନରୁ ବଞ୍ଚିତ ୨ଟି ପିଅନ ଓ ୩୭, ୪୬, ୬୩ ବିଦ୍ୟାଳୟକୁ ୨୦୦୮ ପରିବର୍ତ୍ତେ ୨୦୦୪ ରୁ ଆଣ୍ଟିଡେସନ କରିବା, ହିନ୍ଦୀ ସଂସ୍କୃତ ଶିକ୍ଷକମାନଙ୍କର ଯୋଗ୍ୟତା ଅନୁଯାୟୀ ଉପଯୁକ୍ତ ହାରରେ ଦରମା, ୪୮ ବର୍ଷରେ ପଦାପର୍ଣ କରି କୋର୍ଟର ନିର୍ଦ୍ଦେଶ ପାଇଥିବା ହିନ୍ଦୀ ଓ ସଂସ୍କୃତ ଶିକ୍ଷକମାନଙ୍କୁ ଟି.ଜି ସ୍କେଲ୍ ପ୍ରଦାନ, ଆଲେଜଡ୍ ଓ ସେକ୍ସନ ଶିକ୍ଷକମାନଙ୍କୁ ରେଗୁଲାର କରିବା, ଆର.ଏ. ସ୍କିମ୍‌ର ପୁନଃ ପ୍ରଚଳନ କରିବା, ୧୧୦ ବାଳିକା ବିଦ୍ୟାଳୟକୁ ପୂର୍ଣ୍ଣଅନୁଦାନ, କ୍ରୀଡ଼ା ଶିକ୍ଷକମାନଙ୍କୁ ବିଏ ବି.ପି.ଏଡ଼୍ / ବିଏ ସି.ପି. ଏଡ଼. ଭିତ୍ତିରେ ଉଚ୍ଚତର ଦରମା ପ୍ରଦାନ, ଅବସର ବୟସ ସୀମା ୬୦ ରୁ ୬୨ ବର୍ଷ ବୃଦ୍ଧି କରିବା, ଅଫିସ୍ ସହାୟକ ମାନଙ୍କର ଯୋଗ୍ୟତା ଭିତ୍ତିକ ପଦୋନ୍ନତି, ଊର୍ଦ୍ଦୁ ଶିକ୍ଷକମାନଙ୍କୁ ଅନୁଦାନ ପ୍ରଦାନ, ଆର.ଏ.ସି.ପି. କ୍ଷେତ୍ରରେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିବା ଆଦି ଦାବୀ ନେଇ ଆନ୍ଦୋଳନ ଜାରି ରହିଥିଲା।

ଓଷ୍ଟା ସଂଗଠନ ତରଫରୁ ପ୍ରକାଶ କରାଯାଇଛି ଯେ ଏହି ଦାବୀ ସଂଗଠନର ନୂଆ ଦାବୀ ନୁହେଁ ଏହା ଦୀର୍ଘଦିନର ଦାବୀ, ସରକାର ଏଥିପ୍ରତି ବିଗତ ଦିନରେ ବାରମ୍ବାର ପ୍ରତିଶ୍ରୁତି ଦେଇଛନ୍ତି। ସେପ୍ଟେମ୍ବର ୩୦ ତାରିଖ ଦିନ ଏହି ସମସ୍ତ ଦାବୀ ଉପରେ ମାନ୍ୟବର ମନ୍ତ୍ରୀ, ବିଭାଗୀୟ ସଚିବ ଓ ଶିକ୍ଷା ବିଭାଗ ଅଫିସର ମାନଙ୍କ ଉପସ୍ଥିତିରେ ସମସ୍ତ ଦାବୀ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ଆଲୋଚନା ପରେ ଆନ୍ତଃମନ୍ତ୍ରୀସ୍ତରୀୟ ବୈଠକ ଡକାଇ ନେତୃବୃନ୍ଦଙ୍କ ସହିତ ଖୁବ୍ ଶୀଘ୍ର ଆଲୋଚନା କରି ସମସ୍ତ ସମସ୍ୟାକୁ ସମାଧାନ କରିବା ପାଇଁ ଦୃଢ଼ ପ୍ରତିଶ୍ରୁତି ଦେବା ସହିତ ଆନ୍ଦୋଳନକୁ ସ୍ଥଗିତ ରଖିବାପାଇଁ ମାନ୍ୟବର ଗଣଶିକ୍ଷାମନ୍ତ୍ରୀ ଅନୁରୋଧ କରିଥିଲେ।

ଏହି ପ୍ରତିଶ୍ରୁତି ପରେ ଯଦିଓ ଶିକ୍ଷକମାନେ ପୂର୍ବରୁ ବାରମ୍ବାର ପ୍ରତାରିତ ହୋଇଛନ୍ତି ତଥାପି ପୂର୍ନବାର ସରକାରଙ୍କ ଉପରେ ଆସ୍ଥା ଓ ଭରସା ସହିତ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କର ୪ ତାରିଖରେ ଥିବା ମାଟ୍ରିକ ପରୀକ୍ଷାକୁ ଦୃଷ୍ଟିରେ ରଖି ଆନ୍ଦୋଳନ ପରିଚାଳନା କମିଟି ଓ ଉପସ୍ଥିତ ଜିଲ୍ଲା ସଂପାଦକ ମାନଙ୍କର ବୈଠକର ନିଷ୍ପତ୍ତି କ୍ରମେ ଆନ୍ଦୋଳନକୁ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଆଗକୁ ନିର୍ବାଚନ, ଏହି ନିର୍ବାଚନରେ ଶିକ୍ଷକମାନଙ୍କ ମଧ୍ୟରେ ଯେଉଁ ଅସନ୍ତୋଷ ସୃଷ୍ଟିହୋଇଛି, ସେହି ଅସନ୍ତୋଷକୁ ଯଦି ସରକାର ଦାବିପୂରଣ କରି ପ୍ରଶମିତ କରିବାକୁ ଉଦ୍ୟମ ନକରନ୍ତି ତାହାଲେ ପରିସ୍ଥିତି ଭୟଙ୍କର ହେବ ଏବଂ ଏହାର ପରିଣତି ନିଶ୍ଚୟ ସରକାର ଭୋଗ କରିବେ ବୋଲି ଓଷ୍ଟାର ସଭାପତି ସର୍ବଶ୍ରୀ ଅକ୍ଷୟ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ, ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ, ଯୁଗ୍ମ ସାଧାରଣା ସଂପାଦକ ବ୍ରଜ କିଶୋର ବିଶ୍ୱାଳ, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର, ଶିକ୍ଷାପ୍ରଦୀପ ସଂପାଦକ ଶଙ୍କର କୁମାର ସୁବୁଦ୍ଧି, ପ୍ରମୋଦ କୁମାର ସ୍ୱାଇଁ, ରାଜଲକ୍ଷ୍ମୀ ବେହେରା, ପ୍ରଣବ କୁମାର ଜେନା, ମାଣିକେଶ୍ୱର ସ୍ୱାଇଁ, ନିର୍ମଳ କୁମାର ଜେନା, ବିଜୟ କୁମାର ଛତ୍ର, ରମାକାନ୍ତ ମହାପାତ୍ର, ଯୁଗପ୍ରଭା ସାବତ, ମଧୁସୂଦନ ଦେ, ଅଜୟ କୁମାର ଆଚାର୍ଯ୍ୟ, ବିନାୟକ ପରିଡ଼ା ପ୍ରମୁଖ ସରକାରଙ୍କୁ ଚେତାବନୀ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବଦଳିବ ଯୁକ୍ତ ଦୁଇ ପରୀକ୍ଷାର ଢାଞ୍ଚା: ବଢିଲା ଏକ ନମ୍ବର ବିଶିଷ୍ଟ ପ୍ରଶ୍ନ

ଭୁବନେଶ୍ବର: ଯୁକ୍ତ ଦୁଇ ପରୀକ୍ଷା ଢାଞ୍ଚାର ପରିବର୍ତ୍ତନ ହୋଇଛି। ୨୦୧୬ ମସିହା ଠାରୁ ପଞ୍ଜୀକୃତ କରିଥିବା ଛାତ୍ରଛାତ୍ରୀଙ୍କ ଲାଗି ଏହି ନୂତନ ଢାଞ୍ଚା ଲାଗୁ ହେବ। ଏନେଇ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ଛାତ୍ରଛାତ୍ରୀ ସଂପୂର୍ଣ୍ଣ ୧୦୦ ନମ୍ବର ପ୍ରଶ୍ନର ଉତ୍ତର ଦେବେ। କିନ୍ତୁ ମଲ୍ଟିପୁଲ୍ ଚଏସ ୫୦ ନମ୍ବର ରହିବ, ୩୦ ନମ୍ବରର ସଂକ୍ଷିପ୍ତ ଉତ୍ତର ରହିବ ଏବ ୨୦ ନମ୍ବରର ଦୀର୍ଘ ମୂଳକ ପ୍ରଶ୍ନ ରହିବ।

ପ୍ରତ୍ୟେକ ମଲ୍ଟିପୁଲ୍ ଚଏସ ପ୍ରଶ୍ନ ଲାଗି ଏକ ନମ୍ବର ଲେଖାଏଁ ରହିଥିବା ବେଳେ ସଂକ୍ଷିପ୍ତ ପ୍ରଶ୍ନ ୨ ନମ୍ବର ଲେଖାଏଁ  ଏବଂ ଦୀର୍ଘ ମୂଳକ ପ୍ରଶ୍ନର ଉତ୍ତର ୫ ନମ୍ବର ଲେଖାଏଁ ରହିବ। ତେବେ ପରୀକ୍ଷା ଫି’ ଏବଂ ଫର୍ମ ଫିଲଅପ ନେଇ ଏବେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଜାନୁଆରୀରେ ଖୋଲିବ ସ୍କୁଲ !

ଭୁବନେଶ୍ବର : ଆସନ୍ତା ଜାନୁଆରୀ ମାସରେ ରାଜ୍ୟରେ ସ୍କୁଲ ଖୋଲିପାରେ । ରାଜ୍ୟରେ ସ୍କୁଲ ଖୋଲିବା ସମ୍ଭାବନା ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ପ୍ରଥମେ ଦଶମ ଓ ଦ୍ବାଦଶ ଶ୍ରେଣୀ ଖୋଲିବାକୁ ପ୍ରାଥମିକତା ଦିଆଯିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ। ଯଦି ଜାନୁଆରୀରେ ସ୍କୁଲ ଖୋଲେ, ଛୁଟିଦିନରେ ବି କ୍ଲାସ୍‌ ହେବ । କେବଳ ପର୍ବପର୍ବାଣୀ ଛୁଟିକୁ ଛାଡି, ଅନ୍ୟ ଛୁଟିରେ କ୍ଲାସ୍‌ ହେବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ତେବେ ଡିସେମ୍ବରରେ ସ୍କୁଲ ଖୋଲିହେବ ବୋଲି ଏସ୍‌ଆରସି ପୂର୍ବରୁ କହିଥିଲେ । କିନ୍ତୁ ବର୍ତ୍ତମାନ ପରିସ୍ଥିତି ଯାହା ଡିସେମ୍ବରେ ସ୍କୁଲ ଖୋଲିବା ସମ୍ଭାବନା ନୁହେଁ । ତେବେ ଜାନୁଆରୀରୁ ସ୍କୁଲ ଖୋଲାଯିବା ନେଇ ସମ୍ଭାବନା ରହିଛି । ସୂଚନାଯୋଗ୍ୟ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାର୍ଚ୍ଚ ମାସରୁ ରାଜ୍ୟରେ ସମସ୍ତ ସ୍କୁଲ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ସେହିପରି ନୂଆବର୍ଷରୁ ରାଜ୍ୟରେ କଲେଜ ଖୋଲିବାର ସମ୍ଭାବନା ରହିଥିବା ନେଇ ଆଜି ଉଚ୍ଚଶିକ୍ଷା ସଚିବ ମଧ୍ୟ ଆଶା ପ୍ରକଟ କରିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଅକ୍ଟୋବର ଶେଷ ସପ୍ତାହରେ ସ୍କୁଲ ଖୋଲିବା ନେଇ ବିଚାର ହେବ : ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର : ସ୍କୁଲ ଖୋଲିବା ନେଇ ଅକ୍ଟୋବର ଶେଷ ସପ୍ତାହରେ ବିଚାର ହେବ । ଅକ୍ଟୋବରର କରୋନା ସ୍ଥିତି ଦେଖି ନିଷ୍ପତ୍ତି ନେବେ ରାଜ୍ୟ ସରକାର । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ସ୍କୁଲ ଖୋଲିବା ନେଇ ପ୍ରତିକ୍ରିୟା ରଖିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ପୂଜା ପର୍ଯ୍ୟନ୍ତ ସ୍କୁଲ କଲେଜ ଖୋଲିବ ନାହିଁ ।  ଆସନ୍ତା 26ରେ ଦୁର୍ଗାପୂଜା ରହିଛି,ଅର୍ଥାତ୍‌ ଅକ୍ଟୋବରରେ ଖୋଲିବ ନାହିଁ ।  ଅକ୍ଟୋବର ମାସର ସ୍ଥିତି ଦେଖି ସ୍କୁଲ ଖୋଲିବାକୁ ବିଚାର ହେବ । ଅକ୍ଟୋବର ଶେଷ ସପ୍ତାହରେ ଏନେଇ ରାଜ୍ୟ ସରକାର ବିଚାର କରିବେ ।  କରୋନା ସ୍ଥିତି ଦେଖି ସ୍କୁଲ ଖୋଲିବା ନେଇ ନିଷ୍‌ପତ୍ତି ନିଆଯିବ । ସ୍କୁଲ ଖୋଲିବାର ଆବଶ୍ୟକତା ଅଛି, ତେବେ ପିଲାଙ୍କସ୍ବାସ୍ଥ୍ୟ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ।