ଜାନୁଆରୀରେ ଖୋଲିବ ସ୍କୁଲ !

Published: Dec 10, 2020, 1:35 pm IST

ଭୁବନେଶ୍ବର : ଆସନ୍ତା ଜାନୁଆରୀ ମାସରେ ରାଜ୍ୟରେ ସ୍କୁଲ ଖୋଲିପାରେ । ରାଜ୍ୟରେ ସ୍କୁଲ ଖୋଲିବା ସମ୍ଭାବନା ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ପ୍ରଥମେ ଦଶମ ଓ ଦ୍ବାଦଶ ଶ୍ରେଣୀ ଖୋଲିବାକୁ ପ୍ରାଥମିକତା ଦିଆଯିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ। ଯଦି ଜାନୁଆରୀରେ ସ୍କୁଲ ଖୋଲେ, ଛୁଟିଦିନରେ ବି କ୍ଲାସ୍‌ ହେବ । କେବଳ ପର୍ବପର୍ବାଣୀ ଛୁଟିକୁ ଛାଡି, ଅନ୍ୟ ଛୁଟିରେ କ୍ଲାସ୍‌ ହେବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ତେବେ ଡିସେମ୍ବରରେ ସ୍କୁଲ ଖୋଲିହେବ ବୋଲି ଏସ୍‌ଆରସି ପୂର୍ବରୁ କହିଥିଲେ । କିନ୍ତୁ ବର୍ତ୍ତମାନ ପରିସ୍ଥିତି ଯାହା ଡିସେମ୍ବରେ ସ୍କୁଲ ଖୋଲିବା ସମ୍ଭାବନା ନୁହେଁ । ତେବେ ଜାନୁଆରୀରୁ ସ୍କୁଲ ଖୋଲାଯିବା ନେଇ ସମ୍ଭାବନା ରହିଛି । ସୂଚନାଯୋଗ୍ୟ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାର୍ଚ୍ଚ ମାସରୁ ରାଜ୍ୟରେ ସମସ୍ତ ସ୍କୁଲ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ସେହିପରି ନୂଆବର୍ଷରୁ ରାଜ୍ୟରେ କଲେଜ ଖୋଲିବାର ସମ୍ଭାବନା ରହିଥିବା ନେଇ ଆଜି ଉଚ୍ଚଶିକ୍ଷା ସଚିବ ମଧ୍ୟ ଆଶା ପ୍ରକଟ କରିଛନ୍ତି ।

Related posts