Categories
ଆଜିର ଖବର ରାଜ୍ୟ ଖବର

ରଣପୁର ବ୍ଳକ ମଣ୍ଡଳ ଶିକ୍ଷାଧିକାରୀଙ୍କ ଅଫିସି ସମ୍ମୁଖରେ ପାଚିକା ସହାୟିକାଙ୍କ ଗଣ ବିକ୍ଷୋଭ

ରଣପୁର: ଆଜି ସି.ଆଇ.ଟି.ୟୁ ନେତୃତ୍ୱରେ ଶତାଧିକ ପାଚିକା ଓ ସହାୟିକାଙ୍କ ଏକ ଶୋଭାଯାତ୍ରାରେ ରଣପୁର ପଞ୍ଚୁ ଦୋଳ ପଡ଼ିଆ ରଘୁଦିବାକର ଶହୀଦ ମଣ୍ଡପ ଠାରୁ  ବାହାରି ବିଭିନ୍ନ ନାରାବାଜି ଦେଇ ରଣପୁର ବଜାର ପରିକ୍ରମା କରି ରଣପୁର ବ୍ଳକ ମଣ୍ଡଳ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ବିକ୍ଷୋଭ କରିଥିଲେ। ଶ୍ରମିକ ନେତା ଭିକାରୀ ଚରଣ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ବିକ୍ଷୋଭ ସମାବେଶରେ ବକ୍ତା ମାନେ କେନ୍ଦ୍ରର ମୋଦୀ ସରକାର ଙ୍କ ଶ୍ରମିକ ମହାରଣା ନୀତି ଓ ଜନ ମାରଣା ନୀତିକୁ ତୀବ୍ର ସମାଲୋଚନା କରିଥିଲେ।

ପାଚିକା ଓ ସହାୟିକା ମାନେ ଯେତେବେଳେ ନିୟମିତ ହେବାକୁ ଦାବୀ କରୁଛନ୍ତି ଠିକ୍ ସେତିକି ବେଳେ କେନ୍ଦ୍ର ମୋଦୀ ସରକାର ଓ ରାଜ୍ୟ ନବୀନ ସରକାର ଶ୍ରମିକ ବିରୋଧୀ ନିଷ୍ପତ୍ତିମାନ ଗ୍ରହଣ କରି ଚାଲିଛନ୍ତି। କେରଳ ସରକାର ଦୈନିକ ମଜୁରୀ ୬୫୦ ଟଙ୍କା ପାଚିକାଙ୍କୁ ଦେଲା ବେଳେ ଆମ ରାଜ୍ୟରେ ମାତ୍ର ୪୬ ଟଙ୍କା ଦେବା ଅତ୍ୟନ୍ତ ଦୁଃଖ ଓ ପରିତାପର କଥା।

ଏଥିପାଇଁ ପାଚିକା ପରିବାର ବହୁ ସଙ୍କଟ ମଧ୍ୟ ଦେଇ ଗତି କରୁଛନ୍ତି ବୋଲି ବକ୍ତା ମାନେ ଅଭିଯୋଗ କରିଥିଲେ। ଏକ ପ୍ରତିନିଧି ଦଳ ବ୍ଲକ ଶିକ୍ଷାଧିକାରିଣୀ ବନଲତା ବେହେରାଙ୍କୁ ଭେଟି ଏକ ୧୧ ଦଫା ସମ୍ବଳିତ ଦାବୀ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦେବା ସହ ସ୍ଥାନୀୟ ସମସ୍ୟା ଉପରେ ଆଲୋଚନା କରିଥିଲେ।

ପାଚିକା ଓ ସହାୟିକାଙ୍କୁ ଚତୁର୍ଥ ଶ୍ରେଣୀ କର୍ମଚାରୀର ମାନ୍ୟତା, ମାସିକ ଦରମା ୨୬ ହଜାର ଟଙ୍କା,ମାସିକ ୧୦ହଜାର ଟଙ୍କା ପେନସନ, ସାମାଜିକ ସୁରକ୍ଷା, ବର୍ଷକୁ ୧୦ମାସ ନୁହେଁ ୧୨ ମାସର ଦରମା ପାଇଁ ସଂଗଠନ ତରଫରୁ ଦାବୀ କରିଥିଲେ। ନଚେତ୍ ଆଗାମୀ ୨୦୨୪ ନିର୍ବାଚନ ରେ ମୋଦୀ ଓ ନବୀନ ସରକାର କୁ ଉଚିତ ଜବାବ ଦିଆଯିବ ବୋଲି ସଙ୍ଗଠନ ତରଫରୁ ଚେତାବନୀ ଦିଆଯାଇଛି। ଶିକ୍ଷା ଅଧିକାରୀଣି ଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

ଏହି ଗଣବିକ୍ଷୋଭରେ ରାଜ୍ୟର ଶ୍ରମିକ ନେତା ସୁରେଶ ସ୍ବାଇଁ, ଭିକାରୀ ଚରଣ ସାହୁ, ପାଚିକା ସଂଘ ର ଜିଲ୍ଲା ସଭାପତି ସୁକାନ୍ତି ଜେନା, ସଂଯୁକ୍ତା ସେଠୀ, ପ୍ରଭାତି ବେହେରା, ନିତ୍ୟାନନ୍ଦ ପରିଡା, ଦୁଃଶାସନ ଜେନା, ସୁଶୀଲ ମହାନ୍ତି, ସବ୍ୟସାଚୀ ସେନାପତି, ଗଦାଧର ପ୍ରଧାନ, କୁଳମଣି ପଲେଇ, ରଜତ ଜେନା ପ୍ରମ୍ମୁଖ ବକ୍ତବ୍ୟ ଦେଇ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିଭିନ୍ନ ଦାବୀ ନେଇ ଏସୟୁସିଆଇ ତରଫରୁ ରାଜଧାନୀରେ ଗଣ ବିକ୍ଷୋଭ

ଭୁବନେଶ୍ୱର: ପେଟ୍ରୋଲ-ଡିଜେଲ, ରନ୍ଧନ ଗ୍ୟାସ, ତଥା ସମସ୍ତ ପ୍ରକାରର ନିତ୍ୟବ୍ୟବହାର୍ଯ୍ୟ ଜିନିଷ ପତ୍ରର ମୁଲ୍ୟବୃଦ୍ଧି,ଖାଦ୍ୟ ସାମଗ୍ରୀ ଉପରେ ଅନ୍ୟାୟ ଭାବେ ଜି.ଏସ୍‌.ଟି.ଲାଗୁ,ବିଦ୍ୟୁତ ଶୁଳ୍କ ବୃଦ୍ଧି,ଦେଶ ଓ ରାଜ୍ୟରେ ଶିକ୍ଷା-ସ୍ୱାସ୍ଥ୍ୟ କ୍ଷେତ୍ରରେ ଲାଗି ରହିଥିବା ଅବ୍ୟବସ୍ଥା ଓ ଶିକ୍ଷା-ସ୍ୱାସ୍ଥ୍ୟ ବିରୋଧି ନୀତି ପ୍ରଣୟନ ଦାବୀ ନେଇ ରାଜଧାନୀରେ ଏସୟୁସିଆଇ ତରଫରୁ ବିକ୍ଷୋଭ କରାଯାଇଥିଲା। ଓଡିଶା ରାଜ୍ୟ କମିଟି ପକ୍ଷରୁ ରାଜ୍ୟ ସଚିବାଳୟ ସମ୍ମୁଖରେ ଏହି ବିଶାଳ ଗଣବିକ୍ଷୋଭ କରାଯାଇଥିଲା।

ଦେଶରେ କ୍ରମବଦ୍ଧିଷ୍ଣୁ ବେକାର ସମସ୍ୟା,ବ୍ୟଙ୍କ-ବୀମା,ରେଳ ଓ ରାଷ୍ଟ୍ରାୟତ ସଂସ୍ଥାଗୁଡିକୁ ପୁଞ୍ଜିପତିମାନଙ୍କ ହାତରେ ଟେକିଦେବା, ଚାଷୀମାନଙ୍କ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ନଦେବା, ଶିଳ୍ପାୟନ ନାମରେ ଅନ୍ୟାୟ ଭାବେ ବିସ୍ଥାପନ କରିବା,ସମାଜରେ ନାରୀ ନିର୍ଯ୍ୟାତନା କ୍ରମାଗତ ବୃଦ୍ଧି ପାଇବା,ସ୍କିମ୍‌ ଶ୍ରମିକ ଓ ଅସଙ୍ଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକମାନଙ୍କୁ ସେମାନଙ୍କର ନ୍ୟାଯ୍ୟ ପ୍ରାପ୍ୟରୁ ବଂଚିତ ହେବା ତଥା ଅଶ୍ଲିଳତା, ନଗ୍ନତା ଓ ମଦ ମାଦକ ଦ୍ରବ୍ୟର ପ୍ରସାର ଇତ୍ୟାଦି ବିରୋଧରେ ଏକ ବାର ଦଫା ଦାବୀରେ ଏହି ବିକ୍ଷୋଭ କରାଯାଇଥିଲା।

ଏସ୍‌.ୟୁ.ସି.ଆଇ(କମ୍ୟୁନିଷ୍ଟ), ଏସ୍‌.ୟୁ.ସି.ଆଇ(କମ୍ୟୁନିଷ୍ଟ) ରାଜ୍ୟ ସମ୍ପାଦକ ମଣ୍ଡଳି ସଦସ୍ୟ ଶ୍ରୀ ବିଷ୍ଣୁ ଦାସଙ୍କ ସଭାପତିତ୍ୱରେ ଆନୁଷ୍ଠିତ ଏହି ବିକ୍ଷୋଭ ସଭାରେ ଏସ୍‌.ୟୁ.ସି.ଆଇ (କମ୍ୟୁନିଷ୍ଟ) ରାଜ୍ୟ ସମ୍ପାଦକ ଶ୍ରୀ ଶଙ୍କର ଦାସଗୁପ୍ତ, ସମ୍ପାଦକ ମଣ୍ଡଳି ସଦସ୍ୟ ସଦାଶିବ ଦାସ,ସ୍ୱୟଂପ୍ରଭା ନାୟକ,ଅକ୍ଷୟ ଦାସ,ନିରାକାର ପାଣ୍ଡବ,ଭିକାରୀ ପ୍ରଧାନ,ଅଶୋକ ମିଶ୍ର ପ୍ରମୁଖ ବକ୍ତବ୍ୟ ରଖି କେନ୍ଦ୍ର-ରାଜ୍ୟ ସରକାରଙ୍କ ବିଭିନ୍ନ ଜନ ବିରୋଧି ନୀତିର ତୀବ୍ର ସମାଲୋଚନା କରିବା ସଙ୍ଗେ ସଙ୍ଗେ ଆଜି ଶାସକ ଶ୍ରେଣୀ ଓ ତାର ରାଜନୈତିକ ଦଳଗୁଡିକ ଜନସାଧାରଣଙ୍କ ସଂଗ୍ରାମୀ ଏକତାକୁ ଧ୍ୱଂସ କରିବା ପାଇଁ ସମ୍ପ୍ରଦାୟୀକତାର ପ୍ରସାର କରୁଥିବା ନେଇ କ୍ଷୋଭ ପ୍ରକାଶ କରିଥିଲେ ।