ବିଭିନ୍ନ ଦାବୀ ନେଇ ଏସୟୁସିଆଇ ତରଫରୁ ରାଜଧାନୀରେ ଗଣ ବିକ୍ଷୋଭ

Published: Sep 30, 2022, 11:45 pm IST

ଭୁବନେଶ୍ୱର: ପେଟ୍ରୋଲ-ଡିଜେଲ, ରନ୍ଧନ ଗ୍ୟାସ, ତଥା ସମସ୍ତ ପ୍ରକାରର ନିତ୍ୟବ୍ୟବହାର୍ଯ୍ୟ ଜିନିଷ ପତ୍ରର ମୁଲ୍ୟବୃଦ୍ଧି,ଖାଦ୍ୟ ସାମଗ୍ରୀ ଉପରେ ଅନ୍ୟାୟ ଭାବେ ଜି.ଏସ୍‌.ଟି.ଲାଗୁ,ବିଦ୍ୟୁତ ଶୁଳ୍କ ବୃଦ୍ଧି,ଦେଶ ଓ ରାଜ୍ୟରେ ଶିକ୍ଷା-ସ୍ୱାସ୍ଥ୍ୟ କ୍ଷେତ୍ରରେ ଲାଗି ରହିଥିବା ଅବ୍ୟବସ୍ଥା ଓ ଶିକ୍ଷା-ସ୍ୱାସ୍ଥ୍ୟ ବିରୋଧି ନୀତି ପ୍ରଣୟନ ଦାବୀ ନେଇ ରାଜଧାନୀରେ ଏସୟୁସିଆଇ ତରଫରୁ ବିକ୍ଷୋଭ କରାଯାଇଥିଲା। ଓଡିଶା ରାଜ୍ୟ କମିଟି ପକ୍ଷରୁ ରାଜ୍ୟ ସଚିବାଳୟ ସମ୍ମୁଖରେ ଏହି ବିଶାଳ ଗଣବିକ୍ଷୋଭ କରାଯାଇଥିଲା।

ଦେଶରେ କ୍ରମବଦ୍ଧିଷ୍ଣୁ ବେକାର ସମସ୍ୟା,ବ୍ୟଙ୍କ-ବୀମା,ରେଳ ଓ ରାଷ୍ଟ୍ରାୟତ ସଂସ୍ଥାଗୁଡିକୁ ପୁଞ୍ଜିପତିମାନଙ୍କ ହାତରେ ଟେକିଦେବା, ଚାଷୀମାନଙ୍କ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ନଦେବା, ଶିଳ୍ପାୟନ ନାମରେ ଅନ୍ୟାୟ ଭାବେ ବିସ୍ଥାପନ କରିବା,ସମାଜରେ ନାରୀ ନିର୍ଯ୍ୟାତନା କ୍ରମାଗତ ବୃଦ୍ଧି ପାଇବା,ସ୍କିମ୍‌ ଶ୍ରମିକ ଓ ଅସଙ୍ଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକମାନଙ୍କୁ ସେମାନଙ୍କର ନ୍ୟାଯ୍ୟ ପ୍ରାପ୍ୟରୁ ବଂଚିତ ହେବା ତଥା ଅଶ୍ଲିଳତା, ନଗ୍ନତା ଓ ମଦ ମାଦକ ଦ୍ରବ୍ୟର ପ୍ରସାର ଇତ୍ୟାଦି ବିରୋଧରେ ଏକ ବାର ଦଫା ଦାବୀରେ ଏହି ବିକ୍ଷୋଭ କରାଯାଇଥିଲା।

ଏସ୍‌.ୟୁ.ସି.ଆଇ(କମ୍ୟୁନିଷ୍ଟ), ଏସ୍‌.ୟୁ.ସି.ଆଇ(କମ୍ୟୁନିଷ୍ଟ) ରାଜ୍ୟ ସମ୍ପାଦକ ମଣ୍ଡଳି ସଦସ୍ୟ ଶ୍ରୀ ବିଷ୍ଣୁ ଦାସଙ୍କ ସଭାପତିତ୍ୱରେ ଆନୁଷ୍ଠିତ ଏହି ବିକ୍ଷୋଭ ସଭାରେ ଏସ୍‌.ୟୁ.ସି.ଆଇ (କମ୍ୟୁନିଷ୍ଟ) ରାଜ୍ୟ ସମ୍ପାଦକ ଶ୍ରୀ ଶଙ୍କର ଦାସଗୁପ୍ତ, ସମ୍ପାଦକ ମଣ୍ଡଳି ସଦସ୍ୟ ସଦାଶିବ ଦାସ,ସ୍ୱୟଂପ୍ରଭା ନାୟକ,ଅକ୍ଷୟ ଦାସ,ନିରାକାର ପାଣ୍ଡବ,ଭିକାରୀ ପ୍ରଧାନ,ଅଶୋକ ମିଶ୍ର ପ୍ରମୁଖ ବକ୍ତବ୍ୟ ରଖି କେନ୍ଦ୍ର-ରାଜ୍ୟ ସରକାରଙ୍କ ବିଭିନ୍ନ ଜନ ବିରୋଧି ନୀତିର ତୀବ୍ର ସମାଲୋଚନା କରିବା ସଙ୍ଗେ ସଙ୍ଗେ ଆଜି ଶାସକ ଶ୍ରେଣୀ ଓ ତାର ରାଜନୈତିକ ଦଳଗୁଡିକ ଜନସାଧାରଣଙ୍କ ସଂଗ୍ରାମୀ ଏକତାକୁ ଧ୍ୱଂସ କରିବା ପାଇଁ ସମ୍ପ୍ରଦାୟୀକତାର ପ୍ରସାର କରୁଥିବା ନେଇ କ୍ଷୋଭ ପ୍ରକାଶ କରିଥିଲେ ।

Related posts