Categories
ଆଞ୍ଚଳିକ

ଗମ୍ଭାରିମୁଣ୍ଡା: ୨୯ ବର୍ଷ ପରେ ପତିତପାବନ ବାଣୀ ମନ୍ଦିରର ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଗମ୍ଭାରିମୁଣ୍ଡା ସ୍ଥିତ ପତିତପାବନ ବାଣୀ ମନ୍ଦିର ୧୯୯୪ ବ୍ୟାଚର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମା’ ଖିଲାମୁଣ୍ଡାଙ୍କ ପିଠରେ ଉକ୍ତ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପୂର୍ବତନ ଶିକ୍ଷକ କାଶୀନାଥ ଲେଙ୍କା, ଧନେଶ୍ଵର ଭୋଳ, ସୁରେଶ ସାମନ୍ତରାୟ, ଦୂର୍ଗାପ୍ରସାଦ ମହାରଣା, ଗୌରହରି ଦଳବେହେରା ଓ ଯୁଧିଷ୍ଠିର ସ୍ଵାଇଁଙ୍କୁ ଅତିଥି ଭାବେ ନିମନ୍ତ୍ରିତ କରାଯାଇଥିଲା।

ଦୀର୍ଘ ୨୯ ବର୍ଷ ପରେ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ଏକତ୍ରିତ ହୋଇଥିଲେ। ଯାହାକୁ ନେଇ ୧୯୯୪ ବ୍ୟାଚର ବନ୍ଧୁମାନେ ଭାବବିହ୍ଵଳ ହୋଇପଡିଥିଲେ। ଏହି ସମୟରେ ବନ୍ଧୁମାନଙ୍କ ମଧ୍ୟରେ କୌତୁହଳ ସୃଷ୍ଟି ହୋଇଥିଲା। ଏତେ ବର୍ଷର ବ୍ୟବଧାନ ଯୋଗୁଁ ସମସ୍ତ ବନ୍ଧୁମାନଙ୍କର ଚେହେରାରେ ଅନେକ ପରିବର୍ତ୍ତନ ଘଟିଥିବାରୁ ପରସ୍ପରକୁ ଚିହ୍ନିବାରେ କଷ୍ଟକର ହୋଇପଡିଥିଲା। ତଥାପି ସେମାନେ ପୁରୁଣା ସ୍ମୃତିକୁ ମନ ପକାଇ ନିଜ ନିଜ ମଧ୍ୟରେ ପରିଚିତ ହୋଇଥିଲେ।

ତେବେ ସେମାନଙ୍କର ମିଳିତ ପ୍ରୟାସରେ “ବନ୍ଧୁ ମିଳନ” କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପାଦିତ ହୋଇଥିଲା। ଚଳିତ ବର୍ଷ ପରି ଆଗାମୀ ବର୍ଷ ମାନଙ୍କରେ ଏଭଳି ବନ୍ଧୁ ମିଳନ କାର୍ଯ୍ୟକ୍ରମ କରାଯିବ ଏବଂ ରହିଯାଇଥିବା ବନ୍ଧୁମାନଙ୍କୁ ଏକାଠି କରିବାକୁ ପ୍ରୟାସ କରିବେ ବୋଲି ଆମ ପ୍ରତିନିଧିଙ୍କୁ ୧୯୯୪ ବ୍ୟାଚର ବ୍ୟବସ୍ଥାପକ ଗ୍ରୁପ ସୂଚନା ଦେଇଛନ୍ତି।

Categories
ଆଞ୍ଚଳିକ

ଚିଲିକା: ସିଦ୍ଧେଶ୍ବରୀ ମଣ୍ଡଳର ବିଜେପି କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ଚିଲିକା ବିଧାନସଭା କ୍ଷେତ୍ର ଅନ୍ତର୍ଗତ ସିଦ୍ଧେଶ୍ବରୀ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ମଣ୍ଡଳ ସଭାପତି ସୌମ୍ୟ ରଂଜନ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଗମ୍ଭାରିମୁଣ୍ଡା ସ୍ଥିତ ପତିତପାବନ କଲ୍ୟାଣ ମଣ୍ଡପରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଅଛି।

ଉକ୍ତ ବୈଠକରେ ଦଳର ରାଷ୍ଟ୍ରୀୟ ପ୍ରବକ୍ତା ତଥା ପୁରୀ ଲୋକସଭା ପ୍ରାର୍ଥୀ ଡଃ ସମ୍ବିତ ପାତ୍ର, ଦଳର ପ୍ରଦେଶ ସାଧାରଣ ସଂପାଦକ ତଥା ଚିଲିକା ବିଧାନସଭା କ୍ଷେତ୍ର ବିଧାୟକ ପ୍ରାର୍ଥୀ ପୃଥ୍ୱୀରାଜ ହରିଚନ୍ଦନ, ଖୋର୍ଦ୍ଧା ଜିଲ୍ଲା ସଭାପତି ରଶ୍ମି ରଂଜନ ମହାପାତ୍ର, ଖୋର୍ଦ୍ଧା ଜିଲ୍ଲା ପୂର୍ବତନ ଜିଲ୍ଲା ସଭାପତି ନିକୁଞ୍ଜ କିଶୋର ପଟ୍ଟନାୟକ, ଜିଲ୍ଲା ସାଧାରଣ ସଂପାଦକ ଦୁଷ୍ମନ୍ତ ହରିଚନ୍ଦନ, ପୁରୀ ଲୋକସଭା ପ୍ରବାସ ଯୋଜନା ପ୍ରଭାରୀ ଅମୀୟ ଦାସ, ସହ-ପ୍ରଭାରୀ ଶଙ୍କର ପରିଡା, ଚିଲିକା ବିଧାନସଭା ପ୍ରଭାରୀ ରତିକାନ୍ତ ଦାସ, ଦଳର ମାର୍ଗଦର୍ଶକ ତଥା ବରିଷ୍ଠ ଡ଼ାକ୍ତର ସୁରେନ୍ଦ୍ର ନାଥ ଦାସ,୧୩ ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟା ରୋଜିତା ପ୍ରଧାନ, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ମାଧବ ଚନ୍ଦ୍ର ଦଳାଇ, ବାଣପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ବ୍ଲକ ଉପାଧ୍ୟକ୍ଷା ରିନା ଦେଇ, ଦଳ ବରିଷ୍ଠ ନେତା ଗୋଲଖ ବିହାରୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ। ଆଗାମୀ ଦିନରେ ପୁରୀ ଲୋକସଭା କ୍ଷେତ୍ର ଓ ଚିଲିକା ବିଧାନସଭା କ୍ଷେତ୍ରରେ ଭାରତୀୟ ଜନତା ପାର୍ଟିର କିପରି ବିଜୟ ହେବ ଏବଂ ବୁଥ୍ ସ୍ତର ଠାରୁ ଆରମ୍ଭ କରି ତ୍ରିଦେବ ଶକ୍ତି କେନ୍ଦ୍ର ପର୍ଯ୍ୟନ୍ତ କାର୍ଯ୍ୟକର୍ତ୍ତା ଯୋଡ଼ି ହୋଇ କିପରି ସୁଚାର ରୂପେ କାର୍ଯ୍ୟ କରିବେ ସେ ବିଷୟରେ ନେତାମାନେ ମାର୍ଗଦର୍ଶନ କରିଥିଲେ।

ପରିଶେଷରେ ଦକ୍ଷ ସଂଗଠକ ତଥା ୧୩ ନଂ ଜୋନ୍ ଯୁବ ନେତା ତପନ କୁମାର ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ।