Categories
ଆଜିର ଖବର ରାଜ୍ୟ ଖବର

ଗୁଣାତ୍ମକ ଶିକ୍ଷା ଏବଂ ପ୍ରି -ମେଟ୍ରିକ୍ ସ୍କଲାରସିପ୍ ବିଷୟରେ ଜିଲ୍ଲା ପ୍ରଶାସନ ତରଫରୁ କର୍ମଶାଳା ଅନୁଷ୍ଠିତ

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲାରେ କାର୍ଯ୍ୟରତ ଏନ୍ ଜି ଓ ମାନଙ୍କୁ ନେଇ ୧୪ ମାର୍ଚ୍ଚ ୨୦୨୪ ରେ ଡି ପି ଏମ୍ ୟୁ ସଭା ଗୃହରେ ଶ୍ରୀକାନ୍ତ ଦଳେଇ, ଡେପୁଟି ଡାଇରେକ୍ଟର, ଡି ପି ଏମ୍ ୟୁ ଙ୍କ ଅଧ୍ୟକ୍ଷତାରେ କର୍ମଶାଳା ଆୟୋଜିତ ହୋଇଯାଇଛି। ଏହି କର୍ମ ଶାଳାରେ ଅରବିନ୍ଦ ରାୟ, ଡବ୍ଲୁଓ, କଳାହାଣ୍ଡି, ପବିତ୍ର ସାହୁ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, କଳାହାଣ୍ଡି, ଡାକ୍ତର କୁମୁଦିନୀ ମିଶ୍ର, ଜୀବିକା ଏକସ୍ପଟ, ଈଶ୍ୱର ଚନ୍ଦ୍ର ବେହେରା, ବରିଷ୍ଠ ଶିକ୍ଷକ, ଡାଇଟ, ନିହାରିକା ଦେବୀ, ବରିଷ୍ଠ ଶିକ୍ଷକ, ଡାଇଟ, ସୌମେନ୍ଦ୍ର ନାଥ ପଟ୍ଟନାୟକ, ପ୍ରୋଗ୍ରାମର, ବିକ୍ରମ କିଶୋର ରଣା ଓ ଚାର୍ଲସ୍ ଜିମି, ପ୍ରୋଗ୍ରାମ ମାନେଜର, ପିରାମଲ୍ ଫାଉଣ୍ଡେସନ ତରଫରୁ ଉପସ୍ଥିତ ଥିଲେ।

ପିରାମଲ ଫାଉଂଡେସନ ତରଫରୁ ଏହି କର୍ମଶାଳା ଟି ସଚଳା ବାରିକ୍ ଙ୍କ ଦ୍ଵାରା ଚେତନା ଗୀତ ସହ ଆରମ୍ଭ କରାଯାଇଥିଲା। ସମସ୍ତ ଅତିଥି ତାଙ୍କ ଅଭିଭାଷଣରେ ବାଳିକା ଶିକ୍ଷା, ଗୁଣାତ୍ମକ ଶିକ୍ଷାରେ ଏନ୍ ଜି ଓ ର ଯୋଗଦାନ ସହ ପ୍ରି- ମେଟ୍ରିକ ଛାତ୍ରବୃତ୍ତି ପାଇବାରେ କିପରି ସହାୟକ ହୋଇପାରିବେ ତାହା ଅତି ସୁନ୍ଦର ଭାବରେ ବର୍ଣନା କରିଥିଲେ। ଶ୍ରୀକାନ୍ତ ଦଳେଇ, ଡେପୁଟି କଲେକ୍ଟର, ଏସ୍ ଡି ଜି ଲକ୍ଷ -୪ ବିଶେଷ ଆଲୋଚନା କରିବା ସହିତ କିପରି ତାହାର ସମସ୍ତ ଇଂଡିକେଟରକୁ ୨୦୩୦ ସୁଧା ହାସଲ କରାଯାଇ ପାରିବ ତାହା ଉପରେ ଆଲୋକପାତ କରିଥିଲେ। ଅରବିନ୍ଦ ରାୟ, ଜିଲ୍ଲା ମଂଗଳ ଅଧିକାରୀ ପ୍ରାକ ଛାତ୍ରବୃତ୍ତି ପାଇ ଆମ ଅଂଚଳର ଅଭାବ ଗ୍ରସ୍ତ ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ ତାହା ଉପରେ ଆଲୋକପାତ କହିଥିଲେ।

ନବମ ଏବଂ ଦଶମ ଶ୍ରେଣୀରେ ଅଧ୍ୟୟନ ରତ ଅନୁସୂଚୀତ ଜନଜାତି, ଅନୁସୂଚିତ ଜାତି, ଅନ୍ୟାନ୍ୟ ପଛୁଆ ବର୍ଗ /ସାମାଜିକ ଓ ଶିକ୍ଷା କ୍ଷେତ୍ରରେ ଅନଗ୍ରସର ବର୍ଗ, ଆର୍ଥିକ କ୍ଷେତ୍ରରେ ଅନଗ୍ରସର ବର୍ଗର ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ସରକାରଙ୍କ ସ୍ୱତନ୍ତ୍ର ଛାତ୍ରବୃତ୍ତି ବ୍ୟବସ୍ଥା ରହିଛି।

ନବମ ଏବଂ ଦଶମ ଶ୍ରେଣୀ ଛାତ୍ରବୃତ୍ତି ପାଇବା ପାଇଁ ଯୋଗ୍ୟତା –

୧. ଆବେଦନକାରୀ ଅନୁସୂଚୀତ ଜନଜାତି, ଅନୁସୂଚୀତ ଜାତି, ଅନ୍ୟାନ୍ୟ ପଛୁଆ ବର୍ଗ/ ସାମାଜିକ ଶିକ୍ଷା କ୍ଷେତ୍ରରେ ଅନଗ୍ରସର ବର୍ଗ କିମ୍ବା ଆର୍ଥିକ କ୍ଷେତ୍ରରେ ଅନଗ୍ରସର ବର୍ଗ (ସାଧାରଣ ବର୍ଗ)ରେ ଅନ୍ତର୍ଭୁକ୍ତ ଥିବେ।

୨. ଆବେଦନକାରୀ ଓଡ଼ିଶାର ସ୍ଥାୟୀ ଅଧିବାସୀ ହୋଇଥିବେ।

୩. ଆବେଦନକାରୀଙ୍କ ପାରିବାରିକ ବାର୍ଷିକ ଆୟ ସମସ୍ତ ସୁତ୍ରରୁ ଟ.୨,୫୦,୦୦୦/-ଙ୍କା (ଦୁଇଲକ୍ଷ ପଚାଶ ହଜାର) ରୁ ଅଧିକ ହୋଇନଥିବ।

୪. ଆବେଦନକାରୀ ମାନେ ବୈଧ UDISE CODE ପ୍ରାପ୍ତ ସରକାରୀ କିମ୍ବା ମାନ୍ୟତା ପ୍ରାପ୍ତ ବେସରକାରୀ ବିଦ୍ୟାଳୟରେ ପୁର୍ଣ କାଳୀନ ଭିତିରେ ଅଧ୍ୟୟନରତ ଥିବେ।

୫. ଅନ୍ୟାନ୍ୟ ପଛୁଆ ବର୍ଗ/ ସାମାଜିକ ଶିକ୍ଷା କ୍ଷେତ୍ରରେ ଅନଗ୍ରସର ବର୍ଗ କିମ୍ବା ଆର୍ଥିକ କ୍ଷେତ୍ରରେ ଅନଗ୍ରସର ବର୍ଗ (ସାଧାରଣ ବର୍ଗ) ଛାତ୍ରଛାତ୍ରୀମାନେ କେବଳ ସରକାରୀ ବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ ହିଁ ଏହି ଛାତ୍ରବୃତ୍ତି ପାଇଁ ଯୋଗ୍ୟ ବିବେଚିତ ହେବେ।

ଶିକ୍ଷାବର୍ଷ ୨୦୨୩-୨୪ ପାଇଁ ଆବେଦନ ପ୍ରକ୍ରିୟା ୧୫ ଡ଼ିସେମ୍ବର ୨୦୨୩ ରୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ / ଶିକ୍ଷୟିତ୍ରୀ ଙ୍କ ମାଧ୍ୟମରେ ଆରମ୍ଭ ହୋଇଛି।

ଆବଶ୍ୟକୀୟ ନଥିପତ୍ର –

୧. ଆଧାର କାର୍ଡ
୨. ଜାତି ପ୍ରମାଣ ପତ୍ର
୩. ଆୟ ପ୍ରମାଣ ପତ୍ର ( ଟ. ୨,୫୦,୦୦୦ ରୁ କମ),
୪. ଆଧାର ସଂଯୋଗ ବ୍ୟାଙ୍କ ଖାତା

ବୃତ୍ତିରାଶି ହାର (ଟଙ୍କାରେ) (ବାର୍ଷିକ)

ଅନୁସୂଚୀତ ଜନଜାତି ବର୍ଗ ଦିବାଧ୍ୟାୟୀ -୩୦୦୦ ଏବଂ ଅନ୍ତେବାସୀ ୬୨୫୦
ଅନୁସୂଚୀତ ଜାତି ବର୍ଗ ଦିବାଧ୍ୟାୟୀ -୩୫୦୦ ଏବଂ ଅନ୍ତେବାସୀ ୭୦୦୦

ଅନ୍ୟାନ୍ୟ ପଛୁଆ ବର୍ଗ / ସାମାଜିକ ଓ ଶିକ୍ଷା କ୍ଷେତ୍ରରେ ଅନଗ୍ରସର ବର୍ଗ- ୪୦୦୦

ଆର୍ଥିକ କ୍ଷେତ୍ରରେ ଅନଗ୍ରସର ବର୍ଗ (ସାଧାରଣ ବର୍ଗ)- ४००० ଅଭିଭାବକ ଏବଂ ଲୋକ ମାନଙ୍କର ସଚେତନତା ବଢିଲେ ଛାତ୍ର ଛାତ୍ରୀମାନେ ଅଧିକରୁ ଅଧିକ ଛାତ୍ରବୃତ୍ତି ଆବେଦନ କରିପାରିବେ ବୋଲି ଆଶା ପୋଷଣ କରାଯାଇଥିଲା। ତେଣୁ ଏଦିଗରେ ସବୁ ଏନ୍ ଜି ଓ ମାନଙ୍କୁ ନିବେଦନ କରାଯାଇଛି କି ସେମାନେ ଏହି ବିଷୟରେ ଅଧିକ ଅଧିକ ଲୋକଙ୍କ ସଚେତନ କରାଇବେ।

ଶେଷରେ ରିକେତା କୁମାରୀ ଦ୍ୱାରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇ କର୍ମଶାଳା ଶେଷ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡି ଜିଲ୍ଲା ସ୍ତରୀୟ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମାରୋହ: ପୁରସ୍କୃତ ହେଲେ ୨୨୦୧ ଛାତ୍ରଛାତ୍ରୀ

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): ଗୁଣାତ୍ମକ ଶିକ୍ଷାକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଶିକ୍ଷା ବିଭାଗ ତରଫରୁ ଅନେକ ସମୟରେ ଅଭିନବ ଯୋଜନା ସବୁ ପ୍ରଣୟନ ହେଉଛି। ସେହି କ୍ରମରେ ଶିକ୍ଷାୟତନର ବିବିଧ ଦିଗ ଉପରେ ଗୁରୁତ୍ୱ ଦିଆଯାଉଛି। ଏହାସହ ସମ୍ପୃକ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଏସଏମସି, ଆଲୁମିନି କମିଟି ଓ ଗ୍ରାମପଞ୍ଚାୟତମାନଙ୍କୁ ଶିକ୍ଷାର ବିକାଶ ଦିଗରେ ଉତ୍ସାହିତ କରିବା ପାଇଁ ପ୍ରଚଳିତ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଏକ ଅଭିନବ ପ୍ରୟାସ ବୋଲି କଳାହାଣ୍ଡି ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। କଳାହାଣ୍ଡି ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ଡିଆଇଇଟି ପଡ଼ିଆରେ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ଆୟୋଜିତ ହୋଇଯାଇଛି।

ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ରାଜ୍ୟସଭା ସାଂସଦ ସୁଜିତ କୁମାର, ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ, ଧର୍ମଗଡ଼ ବିଧାୟକ ମୌଷଧି ବାଗ, ଭବାନୀପାଟଣା ପୌରାଧ୍ୟକ୍ଷା ସଂଯୁକ୍ତା ବେହେରା, ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟ, ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ନିହାରେନ୍ଦ୍ର ପଣ୍ଡା, ଡିଆଇଇଟି ଅଧ୍ୟକ୍ଷା ଡ.ସ୍ନେହପ୍ରଭା ମହାପାତ୍ର, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ, ଜିଲ୍ଲାର ସମସ୍ତ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଧ୍ୟକ୍ଷା ଅତିଥି ଭାବେ ଯୋଗଦେଇ କୃତି ପ୍ରତିଭା ଓ ଅନୁଷ୍ଠାନମାନଙ୍କୁ ପୁରସ୍କୃତ କରିଥିଲେ।

ଏହି ଅବସରରେ ୧୧୭ ଜଣ ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ସ୍ତରୀୟ ଏକାଡେମିକ ପୁରସ୍କାର (₹୧୧,୭୦,୦୦୦), ୧୩୩୪ ଜଣ ଛାତ୍ରଛାତ୍ରୀଙ୍କୁ ବ୍ଲକ ସ୍ତରୀୟ ଏକାଡେମିକ ପୁରସ୍କାର (₹୬୬,୭୦,୦୦୦), ୬୧୪ ଜଣଙ୍କୁ ଛାତ୍ର ଲିଡରସିପ ପୁରସ୍କାର (₹୧୮,୪୨,୦୦୦), ୧୨ଟି ବ୍ଲକ ଆଲୁମିନି କମିଟି ପୁରସ୍କାର (₹୩,୬୦,୦୦୦), ୭ଟି ମାଧ୍ୟମିକ ପ୍ରଧାନଶିକ୍ଷକ ପୁରସ୍କାର (୨,୧୦,୦୦୦), ୩୯ଟି ଲେଖାଏଁ ମାଧ୍ୟମିକ ଓ ପ୍ରାଥମିକ ବିଦ୍ୟାଳୟ ପୁରସ୍କାର (₹୧,୧୭,୦୦,୦୦୦ ଓ (୩୯,୦୦,୦୦୦), ୧୩ଟି ଲେଖାଏଁ ବ୍ଲକ ସ୍ତରୀୟ ଗ୍ରାମପଞ୍ଚାୟତ ପୁରସ୍କାର (₹୧୩,୦୦,୦୦୦), ଏସଏମସି ପୁରସ୍କାର (₹୩,୯୦,୦୦୦) ଓ ପ୍ରାଥମିକ ଶିକ୍ଷକ ପୁରସ୍କାର ପ୍ରଦାନ (₹୩,୨୫,୦୦୦) ପ୍ରଦାନ କରାଯାଇଥିଲା। ଜିଲ୍ଲାର ୧୩ଟି ବ୍ଲକରୁ ସମୁଦାୟ ୨୨୦୧ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଏସଏମସି, ଆଲୁମିନି କମିଟି ଓ ଗ୍ରାମପଞ୍ଚାୟତ ପ୍ରତିନିଧି ଉପସ୍ଥିତ ରହି ପୁରସ୍କାର ଗ୍ରହଣ କରିଥିଲେ।

ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ସର୍ବେଶ୍ୱର ଭୋଇ, ଜଗନ୍ନାଥ ତ୍ରିପାଠୀ, ସଂଗୀତା ରାଉତ ଓ ଯଦୁ ନାଏକ ସଂଗୀତ ପରିବେଷଣ କରିଥିବା ବେଳେ ଡିଆଇଇଟିର ଗୁରୁଛାତ୍ରଛାତ୍ରୀ ନୃତ୍ୟ ପରିବେଷଣ କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ଶିକ୍ଷକ ଡିଲେଶ୍ବର ରଣା, ଶ୍ରୁତି ସିଲଭା ପଣ୍ଡା ଓ ବିରଞ୍ଚି ନାରାୟଣ ମୁଣ୍ଡ। ସମଗ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ମୋ ସ୍କୁଲ ସଂଯୋଜକ ପ୍ରଶାନ୍ତ ନନ୍ଦ ଓ ଶଗଡ଼ା ହାଇସ୍କୁଲ ପ୍ରଧାନଶିକ୍ଷକ ସୁକାନ୍ତ ସାହୁ। ଏଥିରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ସମଗ୍ର ଶିକ୍ଷା, ଜିଲ୍ଲାର ସମସ୍ତ ବିଇଓ, ଏବିଇଓ, ଡିଆଇଇଟି ଓ ଆୟୋଜକ କମିଟିର ସମସ୍ତ ସଦସ୍ୟ ସଦସ୍ୟା ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲି ମୟୂରଭଞ୍ଜ କୁଳିଅଣାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟକୁ ଉଦଘାଟନ କରିବେ ରାଷ୍ଟ୍ରପତି

ଭୁବନେଶ୍ଵର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ଅର୍ଥାତ୍‌ ୨୦ ନଭେମ୍ବର, ୨୦୨୩ ସୋମବାର ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସି ଜିଲ୍ଲାର କୁଳିଅଣା ଠାରେ ଏକ ନୂତନ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟକୁ ଉଦଘାଟନ କରିବେ। ଏହି ଅବସରରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା, ଜଳଶକ୍ତି ଓ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେବେ।

ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ଏକଲବ୍ୟ ଆବାସିକ ଆଦର୍ଶ ବିଦ୍ୟାଳୟ (ଇଏମଆରଏସ୍‌) ଭାରତ ସରକାରଙ୍କ ଏକ ପ୍ରମୁଖ ଯୋଜନା । ୨୦୧୯ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ୪୫୨ଟି ନୂତନ ଏକଲବ୍ୟ ଆବାସିକ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠାକୁ ମଞ୍ଜୁର କରାଯାଇଥିଲା। ୫୦% କିମ୍ବା ତା’ଠାରୁ ଅଧିକ ଏବଂ ୨୦,୦୦୦ରୁ ଅଧିକ ଅନୁସୂଚିତ ଜନଜାତି ଜନସଂଖ୍ୟା ବିଶିଷ୍ଟ ପ୍ରତ୍ୟେକ ଆଦିବାସୀ ବହୁଳ ବ୍ଲକରେ ଏକଲବ୍ୟ ବିଦ୍ୟାଳୟ ପ୍ରତିଷ୍ଠା କରାଯାଉଛି। ମାନ୍ୟବର ପ୍ରଧାନମନ୍ତ୍ରୀ ୧୨ ସେପ୍ଟେମ୍ବର ୨୦୧୯ରେ ଝାଡ଼ଖଣ୍ଡ ରାଞ୍ଚିରୁ ଏହି ଯୋଜନାର ଶୁଭାରମ୍ଭ କରିଥିଲେ । ପ୍ରତ୍ୟେକ ବିଦ୍ୟାର୍ଥୀ ପିଛା ନିୟମିତ ଖର୍ଚ୍ଚ ୬୧,୦୦୦ ଟଙ୍କାରୁ ୧,୦୯,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଥିଲା। ପରେ ୨୦୨୨ରେ, ଇଏମଆରଏସର ନିର୍ମାଣ ଖର୍ଚ୍ଚ ଯଥାକ୍ରମେ ୨୦ କୋଟି ଟଙ୍କା ଏବଂ ୨୪ କୋଟି ଟଙ୍କାରୁ ୩୮ କୋଟି ଟଙ୍କା ଏବଂ ୪୮ କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିଲା।

ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ଏକଲବ୍ୟ ଆବାସିକ ଆଦର୍ଶ ବିଦ୍ୟାଳୟ (ଇଏମଆରଏସ୍‌) ଭାରତ ସରକାରଙ୍କ ଏକ ପ୍ରମୁଖ ଯୋଜନା । ୨୦୧୯ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ୪୫୨ଟି ନୂତନ ଏକଲବ୍ୟ ଆବାସିକ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠାକୁ ମଞ୍ଜୁର କରାଯାଇଥିଲା। ୫୦% କିମ୍ବା ତା’ଠାରୁ ଅଧିକ ଏବଂ ୨୦,୦୦୦ରୁ ଅଧିକ ଅନୁସୂଚିତ ଜନଜାତି ଜନସଂଖ୍ୟା ବିଶିଷ୍ଟ ପ୍ରତ୍ୟେକ ଆଦିବାସୀ ବହୁଳ ବ୍ଲକରେ ଏକଲବ୍ୟ ବିଦ୍ୟାଳୟ ପ୍ରତିଷ୍ଠା କରାଯାଉଛି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ୧୨ ସେପ୍ଟେମ୍ବର ୨୦୧୯ରେ ରାଞ୍ଚି ଝାଡ଼ଖଣ୍ଡରୁ ଏହି ଯୋଜନାର ଶୁଭାରମ୍ଭ କରିଥିଲେ । ଏହାବ୍ୟତୀତ ପ୍ରତ୍ୟେକ ବିଦ୍ୟାର୍ଥୀ ପିଛା ନିୟମିତ ଖର୍ଚ୍ଚ ୬୧,୦୦୦ ଟଙ୍କାରୁ ୧,୦୯,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଥିଲା। ପରେ ୨୦୨୨ରେ, ଇଏମଆରଏସର ନିର୍ମାଣ ଖର୍ଚ୍ଚ ଯଥାକ୍ରମେ ୨୦ କୋଟି ଟଙ୍କା ଏବଂ ୨୪ କୋଟି ଟଙ୍କାରୁ ୩୮ କୋଟି ଟଙ୍କା ଏବଂ ୪୮ କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିଲା। ପୁରୁଣା ଯୋଜନାରେ ୨୦୧୯ ପୂର୍ବରୁ ୨୮୮ଟି ବିଦ୍ୟାଳୟ ମଞ୍ଜୁର ହୋଇଥିବା ବେଳେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ୨୦୨୬ ମାର୍ଚ୍ଚ ସୁଦ୍ଧା ସମୁଦାୟ ୭୪୦ଟି ବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଛି, ଏଥିରେ ୨୦୧୯ରେ ମଞ୍ଜୁର ହୋଇଥିବା ୪୫୨ଟି ବିଦ୍ୟାଳୟ ସାମିଲ ରହିଛି।

ନବୋଦୟ ବିଦ୍ୟାଳୟ ଅନୁରୂପ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଜାତୀୟ ଶିକ୍ଷା ସମିତି (ଏନଇଟିଏସ୍) ଜରିଆରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଏହି ଯୋଜନା କାର୍ଯ୍ୟକାରୀ କରୁଛି। ଏନଇଟିଏସ ଏହି ବିଦ୍ୟାଳୟଗୁଡ଼ିକ ପାଇଁ ୩୮,୦୦୦ରୁ ଅଧିକ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କୁ ନିଯୁକ୍ତି ଦେଉଛି।

ଏହି ବିଦ୍ୟାଳୟ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କୁ ଗୋଟିଏ ବିଦ୍ୟାଳୟ ପିଛା ପ୍ରାୟ ୧୫୦ ଏକର ଜମି ମାଗଣାରେ ଯୋଗାଇ ଦେବାକୁ ପଡ଼ିବ। ଓଡ଼ିଶାରେ ମୋଟ ୧୧୪ଟି ବିଦ୍ୟାଳୟ ନିର୍ମାଣ ହେବାକୁ ଥିବା ବେଳେ ସେଥି ମଧ୍ୟରୁ ୧୦୬ଟି ମଞ୍ଜୁର ହୋଇଛି। ଏହି ୧୧୪ଟି ବିଦ୍ୟାଳୟ ମଧ୍ୟରୁ ୨୭ଟି ବିଦ୍ୟାଳୟ ପୁରୁଣା ଯୋଜନାରେ ଏବଂ ୮୭ଟି ବିଦ୍ୟାଳୟ ନୂଆ ଯୋଜନାରେ ରହିଛି। ୮ଟି ସ୍ଥାନରେ ଜମି ଯୋଗାଡ଼ ପ୍ରକ୍ରିୟା ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ୩୨ଟି ସ୍ଥାନରେ ସ୍କୁଲ କାର୍ଯ୍ୟକ୍ଷମ ହୋଇଥିବା ବେଳେ ୩୧ଟି ସ୍କୁଲର କୋଠା ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ଏବଂ ୪ଟିର ନିର୍ମାଣ କାମ ନୂଆ ଯୋଜନାରେ ଜାରି ରହିଛି।

ମାନ୍ୟବର ରାଷ୍ଟ୍ରପତି ମୟୂରଭଞ୍ଜର କୁଳିଅଣାରେ ନିର୍ମିତ ଏକଲବ୍ୟ ବିଦ୍ୟାଳୟକୁ ଉଦ୍‌ଘାଟନ କରିବେ। ଏଥିପାଇଁ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ୩୮ କୋଟି ଟଙ୍କାର ବଜେଟ୍ ମଞ୍ଜୁର କରାଯାଇଛି। ଗୃହ ନିର୍ମାଣ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଅଧୀନରେ ଥିବା  ରାଷ୍ଟ୍ରାୟତ୍ତ ଉଦ୍ୟୋଗ ହିନ୍ଦୁସ୍ତାନ ଷ୍ଟିଲ କନଷ୍ଟ୍ରକସନ୍ ଲିମିଟେଡ୍ (ଏଚଏସସିଏଲ) ଦ୍ୱାରା ଏହାର ନିର୍ମାଣ କରାଯାଉଛି।

ଓଡ଼ିଶାରେ ମଞ୍ଜୁର ହୋଇଥିବା ୮୭ଟି ନୂଆ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ମଧ୍ୟରୁ କେବଳ ମୟୂରଭଞ୍ଜ ଜିଲ୍ଲାର ପ୍ରତି ବ୍ଲକ୍‌ରେ ଗୋଟିଏ ଲେଖାଏଁ ମିଶାଇ ୧୯ଟି ବିଦ୍ୟାଳୟ ରହିଛି, ଯାହା ଭାରତର ଯେକୌଣସି ଜିଲ୍ଲା ପାଇଁ ସର୍ବାଧିକ । ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟ ସରକାରଙ୍କ ସହ ସମନ୍ୱୟ ସ୍ଥାପନ କରାଯାଇ ଓଡ଼ିଶାର ୪୮ଟି ସ୍ଥାନରେ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ଜାରି ରହିଛି। କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ମୟୂରଭଞ୍ଜରୁ ସାଂସଦ ଅଛନ୍ତି ଏବଂ ଏଥିପାଇଁ ସହଯୋଗ ଯୋଗାଇ ଦେଉଛନ୍ତି। କୁଳିଅଣା  ଇଏମଆରଏସ କ୍ୟାମ୍ପସ ପ୍ରାୟ ୧୨ ଏକର ଜମିରେ ନିର୍ମିତ ହୋଇଛି। ଏଥିରେ ୨୪୦ ଜଣ ଛାତ୍ରୀ ଓ ୨୪୦ ଜଣ ଛାତ୍ରଙ୍କୁ ମିଶାଇ ୪୮୦ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ୧୬ଟି ଶ୍ରେଣୀଗୃହ ରହିଛି। ଏଠାରେ ଛାତ୍ରଛାତ୍ରୀଙ୍କ ପାଇଁ ପୃଥକ ହଷ୍ଟେଲ, ମେସ୍, ପ୍ରଧାନ ଶିକ୍ଷକ, ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ପାଇଁ ଆବାସିକ ଗୃହ, ପ୍ରଶାସନିକ କାର୍ଯ୍ୟାଳୟ, ଖେଳ ପଡ଼ିଆ, କମ୍ପ୍ୟୁଟର ଓ ବିଜ୍ଞାନ ପରୀକ୍ଷାଗାର ରହିଛି। ଏହି ଅଞ୍ଚଳର ଆଦିବାସୀ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ପାଇଁ ଏହି ବିଦ୍ୟାଳୟଗୁଡ଼ିକ  ମାଇଲଖୁଣ୍ଟ ସାବ୍ୟସ୍ତ ହେବେ।

Categories
ଆଞ୍ଚଳିକ

ବାଲୁଗାଁ: ଗୁଣାତ୍ମକ ଶିକ୍ଷା ପାଇଁ ଅଭିଭାବକ -ଶିକ୍ଷକ ବୈଠକ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗଙ୍କ ନିର୍ଦ୍ଦେଶ ଅନୁଯାୟୀ ବାଲୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଗୁଣାତ୍ମକ ଶିକ୍ଷା ନିମନ୍ତେ ଏକ ଅଭିଭାବକ – ଶିକ୍ଷକ ବୈଠକ ବାଲୁଗାଁ ମହାବିଦ୍ୟାଳୟ ପରିସରରେ ଆଜି ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷା ବିନତି ମଞ୍ଜରୀ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଯୁକ୍ତ ଦୁଇ ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶ, ପ୍ରଶାସନିକ ଅଧିକାରୀ ଅଧ୍ୟାପକ ଅକ୍ଷୟ କୁମାର ମହାପାତ୍ର, ଡକ୍ଟର ଜୟନ୍ତୀ ସାମଲ, ଡକ୍ଟର କୈଳାସ ଚନ୍ଦ୍ର ମହାରଣା, ଅଧ୍ୟାପକ ପତିତପାବନ ପଣ୍ଡା, ଅଧ୍ୟାପକ ମୃଡ଼ାନୀ ଶଙ୍କର ପ୍ରସାଦ ମିଶ୍ର, ବିଜୟ ରାଉତ, ଅଧ୍ୟାପକ ପ୍ରବୀଣ ଜେନା ପ୍ରମୁଖ ମହାବିଦ୍ୟାଳୟର ଗୁଣାତ୍ମକ ଶିକ୍ଷା ପାଇଁ ଅଭିଭାବକ ଓ ଶିକ୍ଷକ ମାନଙ୍କର ମିଳିତ ଉଦ୍ୟମ ଓ ସମନ୍ୱୟ ଅପରିହାର୍ଯ୍ୟ ବୋଲି ମତବ୍ୟକ୍ତ କରିଥିଲେ।

ଉପସ୍ଥିତ ଅଭିଭାବକମାନେ ମଧ୍ୟ ବିଭିନ୍ନ ସମସ୍ୟା ସମ୍ପର୍କରେ ଅଭିମତ ରଖିଥିଲେ। ଏହି ଅବସରରେ ଅନୁଷ୍ଠାନରେ ପ୍ରଶାସନିକ ଶୃଙ୍ଖଳା, ଛାତ୍ର ବୃତ୍ତି, ମେଧା ତାଲିକା, କ୍ୟାରିଅର କାଉନ ସେଲିଙ୍ଗ, ଆଣ୍ଟି ରାଗିଙ୍ଗ, ବାଳିକା ଆତ୍ମ ରକ୍ଷା କୌଶଳ ତାଲିମ୍ ଆଦି କାର୍ଯ୍ୟକ୍ରମ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରାଯାଇଥିଲା।