Categories
ଆଜିର ଖବର ରାଜ୍ୟ ଖବର

ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବ ସାମ୍ବାଦିକଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗୋପାଳପୁର ଥାନା ନିକଟସ୍ଥ ରେଉ ସାହିର ଏକ ତାଲାବନ୍ଦ ଘରୁ ଜଣେ ଯୁବ ସାମ୍ବାଦିକଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇଛି।

ଘଟଣାରୁ ପ୍ରକାଶ ଯେ, ମୃତ ସାମ୍ବାଦିକ ଜଣକ ବେଲଗୁଣ୍ଠା ବ୍ଳକ ଗାଙ୍ଗପୁର ଥାନା ଅନ୍ତର୍ଗତ ଖଇରପୁଟି ଗ୍ରାମର ଜଗନ୍ନାଥ ନାୟକ। ସେ ଉକ୍ତ ବ୍ଳକର ଦୈନିକ ଖବରକାଗଜ ‘ସମୟ’ର ପ୍ରତିନିଧି ରୂପେ କାର୍ଯ୍ୟରତ ଅଟନ୍ତି। ଏତଦବ୍ୟତୀତ ସେ ସୋରଡ଼ା ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ଭାବେ କାର୍ଯ୍ୟରତ। ଏହି କିଛି ମାସ ହେବ ଗୋପାଳପୁର ବେଳାଭୂମିରେ ଏକ ଫାଷ୍ଟଫୁଡ୍ ଦୋକାନ ଆରମ୍ଭ କରି ଏହିଠାରେ ଏକ ଭଡ଼ା ଘରେ ରହୁଥିଲେ। କିନ୍ତୁ ଗତ ମଙ୍ଗଳବାର ଦିନ ତାଙ୍କର ଭାଇ ପୁର୍ଣ୍ଣ ଚନ୍ଦ୍ର ନାୟକ ଭାଇକୁ ମିଶିବା ପାଇଁ ଆସି ଦେଖିଲା ବେଳକୁ ଘର ବାହାରେ ତାଲା ପଡିଛି ଓ ସେ ବ୍ୟବହାର କରୁଥିବା ମୋଟରସାଇକେଲକୁ ଅନ୍ୟ ଜଣେ ଲୋକ ଧରି ବୁଲୁଥିବା ସମୟରେ ସେ ଲୋକ ଠାରୁ ଭାଇ ବିଷୟରେ ଜାଣିବାକୁ ଚାହିଁବାରୁ ତାଙ୍କ ଭାଇ କେଉଁ ଆଡେ ବୁଲିବାକୁ ଯାଇଥିବା ଜାଣିବା ପରେ ପୁର୍ଣ୍ଣ ଚନ୍ଦ୍ର ଗାଁ କୁ ଚାଲିଯାଇଥିଲେ।

ପୁଣି ଗତକାଲି ଭାଇ ସହ କଥା ହେବାପାଇଁ ତାଙ୍କର ମୋବାଇଲ ଫୋନକୁ କଲ୍ କରିଥିଲେ। କିନ୍ତୁ କିଛି ଜବାବ ନମିଳିବାରୁ ସେ ପୁଣି ଗୋପାଳପୁର ଆସି ଉକ୍ତ ବାହାର ଝରକା ପଟେ ଦେଖିଲା ବେଳକୁ ଘର ଭିତରୁ ଦୁର୍ଗନ୍ଧ ବାହାରୁଥିବା ଜାଣି ଗୋପାଳପୁର ଥାନାରେ ଅଭିଯୋଗ କରିଥିଲେ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ଘର ଭିତରକୁ ଯାଇ ଦେଖିଲା ବେଳକୁ ଅନ୍ୟ ଏକ କୋଠରୀରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଗନ୍ନାଥଙ୍କ ମୃତ ଦେହ ପଡ଼ିଛି ଓ ତାଙ୍କ ପାଖରେ ଏକ ବଡ଼ ପଥର ଓ ଗୋଟିଏ ଲୁହା ରଡ୍ ପଡ଼ିଛି। ଏହି ଭଳି ସମ୍ବେଦନଶୀଳ ପରିସ୍ଥିତି ଅନୁଭବ କରି ବ୍ରହ୍ମପୁର ଏସ୍ ପି ଡଃ ସର୍ବଣା ବିବେକ ଏମ୍ କନିଷି ଅତିରିକ୍ତ ତହସିଲଦାର ଓ ବଡଡାକ୍ତରଖାନାର ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଅଜଣା ଯୁବକଙ୍କ ମୃତ ଦେହ ଉଦ୍ଧାର

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗୋପାଳପୁର ଥାନା ଅନ୍ତର୍ଗତ ଗୋଳାବନ୍ଧ ମିଲିଟାରୀ କ୍ୟାଣ୍ଟନମେଣ୍ଟ୍ ନିକଟ ହାତୀପାଦୁ ଗ୍ରାମ ନିକଟରେ ଥିବା ଏକ କାଜୁ ଜଙ୍ଗଲରୁ ଜଣେ ଅଚିହ୍ନା ଯୁବକଙ୍କ ଶବକୁ ପୋଲିସ ଉଦ୍ଧାର କରିଛି। ଅଞ୍ଚଳବାସୀ ଉକ୍ତ ଶବକୁ ଦେଖିବା ପରେ ଗୋପାଳପୁର ଥାନାକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ତଦନ୍ତ ଆରମ୍ଭ କରିଛି।

ଶବଟି ପ୍ରାୟ ୧୦ ଦିନ ପୁର୍ବର ବୋଲି ପୋଲିସ ଆଶଂକା କରୁଛନ୍ତି। ଯୁବକ ଜଣକ ଏକ କଳା ରଙ୍ଗର ଫୁଲ ପ୍ୟାଣ୍ଟ୍ ପିନ୍ଧିଛି। ଶବ ମିଳିଥିବା ଅଞ୍ଚଳ ଟି ଲଉଡି ଗ୍ରାମ ନିକଟରେ ନିର୍ମାଣାଧୀନ ଆଇଜର କ୍ୟାମ୍ପସ ଅଞ୍ଚଳ ହୋଇଥିବାରୁ କେଉଁ ପରିସ୍ଥିତିରେ କାହାର ଏହି ମ୍ରୁତ ଦେହ ପଡ଼ିଛି ତାହାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।

Categories
ଆଞ୍ଚଳିକ

ମୋଟରସାଇକେଲ ଚୋରି ମାମଲାରେ ନାବାଳକ ଅଟକ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗୋପାଳପୁର ଥାନା ପୋଲିସ ଏକ ମୋଟରସାଇକେଲ ଚୋରି ମାମଲାରେ ପଥରା ଛକରୁ ଜଣେ ନାବାଳକକୁ ଅଟକ ରଖିଛି। ଥାନାରେ ଜେରା କରିବା ପରେ ତାଙ୍କୁ ବାଳସୁଧାର ଗୃହକୁ ପୋଲିସ ଚାଲାଣ କରିଛି। ଅଭିଯୁକ୍ତ ନାବାଳକ ଘର ବଡ଼ବଜାର ଥାନା ଅନ୍ତର୍ଗତ ଗଣେଶ ନଗର ବୋଲି ଜଣାପଡିଛି।

ସୁଚନା ଅନୁଯାୟୀ ଏହି ଚୋରି ମାମଲାରେ ପୋଲିସ ନାରାୟଣପୁର ଗ୍ରାମର ଶ୍ରୀଧର ବେହେରା ନାମକ ଜଣେ ଯୁବକଙ୍କୁ ଗିରଫ କରିବା ବେଳେ ଉକ୍ତ ନାବାଳକ ଜଣଙ୍କ ସେଠାରୁ ଚମ୍ପଟ୍ ମାରିଥିଲେ। ସେହି ଦିନ ଠାରୁ ପୋଲିସ ଅନୁସନ୍ଧାନ ଚଳାଇ ଏକ ପଲସର୍ ମୋଟରସାଇକେଲରେ ଯାଉଥିବା ବେଳେ ତାଙ୍କୁ କାବୁ କରିଥିଲା।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ମାଣ୍ଡିଆପଲି ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ୩ ମହିଳା ମୃତ ଓ ୧୨ ଆହତ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗୋପାଳପୁର ଥାନା ଅନ୍ତର୍ଗତ ମାଣ୍ଡିଆପଲି ଛକରେ ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ଗତ କାଲି ମଧ୍ୟ ରାତ୍ରୀରେ ଏକ ସ୍କର୍ପିଓ ଗାଡ଼ି ଲାଞ୍ଜିପଲି ଅଞ୍ଚଳର କନ୍ୟା ଯାତ୍ରୀ ଲୋକଙ୍କ ଉପରେ ମାଡ଼ି ଯାଇଥିଲା। ଯାହାଫଳରେ ସେଠାରେ ଥିବା ୩ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା। ଏବଂ ୧୨ ଜଣ ଲୋକଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନା ପଠାଯାଇଥିଲା। ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ମହିଳା ମାନଙ୍କ ମଧ୍ୟରେ ଲାଞ୍ଜିପଲିର ସ୍ବପ୍ନା ରେଡି, ସଞ୍ଜୁ ରେଡି ଓ ଭାରତୀ ରେଡ଼ି ବୋଲି ଜଣାପଡିଛି। ଅନ୍ୟ ଗୁରୁତର ଆହତ ମାନଙ୍କୁ ଚିକିତ୍ସା ପାଇଁ ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଅନ୍ୟ ପକ୍ଷରେ ଦୁର୍ଘଟଣା ଘଟାଇଥିବା କାରଟି ଘଟଣାସ୍ଥଳରୁ ଫେରାର ହେବାକୁ ଚେଷ୍ଟା କରୁଥିଲା। କିନ୍ତୁ ସ୍ଥାନୀୟ ଲୋକେ ମଦ୍ୟପ ଡ଼୍ରାଇଭରକୁ କାବୁ କରି ପୋଲିସକୁ ହସ୍ତାନ୍ତର କରିଥିବା ବିଶ୍ଵସ୍ତ ସୁତ୍ରରୁ ଜଣାପଡିଛି।