Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ପଞ୍ଜୀକୃତ ଗୋଶାଳାକୁ ୮ କୋଟି ୧୧ ଲକ୍ଷ ଟଙ୍କା ସହାୟତା ପ୍ରଦାନ କଲେ ରାଜ୍ୟ ସରକାର

ଭୁବନେଶ୍ବର: ବୁଲା ଗାଈଗୋରୁଙ୍କ ସୁରକ୍ଷା ଓ କଲ୍ୟାଣ ଦିଗରେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ରହିଛି। ଗୋରୁଙ୍କ ସମାଜ ପ୍ରତି ମୂଲ୍ୟବାନ ଅବଦାନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସେମାନଙ୍କ ନିରାପଦ ଆଶ୍ରୟସ୍ଥଳ ନିମନ୍ତେ ନୂତନ ଗୋଶାଳା ନିର୍ମାଣ ପାଇଁ ବିଭିନ୍ନ ବେସରକାରୀ ସଂସ୍ଥା ଏବଂ ପ୍ରାଣୀ କଲ୍ୟାଣକାରୀ ସଂସ୍ଥାକୁ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି। ଏଥି ସହିତ ପଞ୍ଜୀକୃତ ଗୋଶାଳାରେ ଗୋରୁମାନଙ୍କର ଯନି ଓ ରକ୍ଷଣାବେକ୍ଷଣ ପାଇଁ ରାଜ୍ୟ ସରକାର ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି।

ଏହି ପରିପ୍ରେକ୍ଷୀରେ ଅଧିକରୁ ଅଧିକ ପ୍ରାଣୀ କଲ୍ୟାଣ ସଂସ୍ଥା ସରକାରୀ ସହାୟତାର ସୁଯୋଗନେଇ ଆଗେଇ ଆସି ରାଜ୍ୟରେ ପ୍ରାଣୀ କଲ୍ୟାଣ କାର୍ଯ୍ୟକ୍ରମକୁ ଏକ ନୂତନ ଉଚ୍ଚତାରେ ପହଞ୍ଚାଇବେ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି।

ଆଜି ଏହି କ୍ରମରେ କୃଷିଭବନଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟର ୫୯ଗୋଟି ପଞ୍ଜୀକୃତ ଗୋଶାଳାକୁ ୮ କୋଟି ୧୧ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କାର ସହାୟତା ରାଶି ବଣ୍ଟନ କରିବା ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ ବୁଲା ଗାଈଗୋରୁଙ୍କ ଏକମାତ୍ର ନିରାପଦ ଆଶ୍ରୟସ୍ଥଳ ହେଉଛି ଗୋଶାଳା। ପ୍ରାଣୀକଲ୍ୟାଣ ପାଇଁ ପ୍ରତିବଦ୍ଧ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବୁଲା ଓ ଅସହାୟ ପ୍ରାଣୀଙ୍କ ହିତ ପାଇଁ ଗୋଶାଳାକୁ ପ୍ରଦାନ କରାଯାଉଥିବା ସହାୟତା ରାଶିର ପରିମାଣକୁ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଦୁଇଗୁଣ କରିଛନ୍ତି।

ଚଳିତବର୍ଷ ଏହି ସହାୟତା ରାଶି ୫ କୋଟି ଟଙ୍କାରୁ ୧୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ପ୍ରତି ଗୋରୁପିଛା ଖାଦ୍ୟ ଓ ରକ୍ଷଣାବେକ୍ଷଣ ପାଇଁ ଗତ ବର୍ଷର ସହାୟତା ରାଶି ୧୬ ହଜାର ଟଙ୍କାରୁ ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି।
ଏଥି ସହିତ ଗୋଶାଳାରେ ଜିଆଖତ ପ୍ରସ୍ତୁତି ନିମନ୍ତେ ଗୋଧନ କେନ୍ଦ୍ର ପ୍ରତିଷ୍ଠା କରି ସେଥିରୁ ଉପାର୍ଜିତ ଅର୍ଥ ଓ ଅନ୍ୟାନ୍ୟ ଦ୍ରବ୍ୟ ବିକ୍ରିକରି ଗୋଶାଳାଗୁଡିକର ଆର୍ଥିକ ଉନ୍ନତି ହୋଇପାରିବ।

ସେଥିପାଇଁ ଗୋଧନ କେନ୍ଦ୍ର ପ୍ରତିଷ୍ଠାକୁ ବିଭାଗ ପକ୍ଷରୁ ପ୍ରାଧାନ୍ୟ ଦିଆଯାଇଛି। ପ୍ରତି ଗୋଶାଳାରେ ଗୋଧନ କେନ୍ଦ୍ର ପ୍ରତିଷ୍ଠା ପାଇଁ ଖର୍ଚ୍ଚର ୫୦ ପ୍ରତିଶତ ସହାୟତା ତଥା ସର୍ବୋଚ୍ଚ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି। ଚଳିତ ବର୍ଷ ଏଥି ପାଇଁ ୧୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏଥି ସହିତ ଗୋଶାଳାରେ ଗୋରୁମାନଙ୍କ ଚିକିତ୍ସା ନିମନ୍ତେ ସ୍ଥାନୀୟ ପ୍ରାଣୀ ଚିକିତ୍ସକମାନେ ନିୟମିତ ପରିଦର୍ଶନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି।

କାର୍ଯ୍ୟକ୍ରମରେ ଯୋଗଦେଇ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ କହିଲେ ଆଜିର କାର୍ଯ୍ୟକ୍ରମରେ ଗୋଶାଳାକୁ ସହାୟତା ରାଶି ବଣ୍ଟନ ସହିତ ଗୋଶାଳାଗୁଡିକ ଜିଆଖତ ଉତ୍ପାଦନ ନିମନ୍ତେ କିପରି ଗୋଧନ କେନ୍ଦ୍ର ପ୍ରତିଷ୍ଠା କରିବେ ସେ ବିଷୟରେ ସଚେତନତା କରାଯାଇଛି। ଏହା ଦ୍ୱାରା ଗୋବର ଓ ଗୋମୁତ୍ର ଆଦି ବର୍ଜ୍ୟବସ୍ତୁର ସୁପରିଚାଳନା ହେବ ଓ କୃଷି କାର୍ଯ୍ୟ ପାଇଁ ଆବଶ୍ୟକ ଜିଆଖତ ସୃଷ୍ଟି ହୋଇ ପାରିବ ବୋଲି ସେ କହିଥିଲେ।

ସୂଚନାଯୋଗ୍ୟ ଚଳିତ ବର୍ଷରେ ପଞ୍ଜୀକୃତ ଗୋଶାଳାର ରକ୍ଷଣାବେକ୍ଷଣ ଓ ଗୋରୁମାନଙ୍କ ଯନି ନିମନ୍ତେ ୧୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଏଥିରୁ ୯ କୋଟି ଟଙ୍କା ପଞ୍ଜୀକୃତ ଗୋଶାଳାଗୁଡିକୁ ସହାୟତା ରାଶି ବ୍ୟୟ ବରାଦ ବ୍ୟବସ୍ଥା ହୋଇଥିବାବେଳେ ୧ କୋଟି ଟଙ୍କା ଅନୈତିକ ଗୋଚାଲାଣରେ ଜବତ ଓ ଦୁର୍ଘଟଣାଗସ୍ତ ଗୋରୁଙ୍କ ରକ୍ଷଣାବେକ୍ଷଣ ପାଇଁ ଖର୍ଚ୍ଚ କରାଯିବ। ଏଥି ସହିତ ରାଜ୍ୟରେ ନୂତନ ଭାବେ ଗୋଶାଳା ପ୍ରତିଷ୍ଠା ପାଇଁ ଆଗ୍ରହୀ ସଂସ୍ଥାଗୁଡିକୁ ୨୦ ଲକ୍ଷରୁ ୫୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତାର ବ୍ୟବସ୍ଥା ରହିଛି।

ଏଥିରେ ୫୦ ରୁ ୧୫୦ ପର୍ଯ୍ୟନ୍ତ ଅସହାୟ ଗୋରୁଙ୍କ ନିମନ୍ତେ ଆଶ୍ରୟସ୍ଥଳ ନିର୍ମାଣ କରାଯିବ।ନୂତନ ଗୋଶଳା ନିର୍ମାଣ ନିମନ୍ତେ ବର୍ତ୍ତମାନ ପର୍ଯ୍ୟନ୍ତ ୨୭ ଗୋଟି ସଂସ୍ଥାକୁ କାର୍ଯ୍ୟାଦେଶ ପତ୍ର ଦିଆଯାଇଛି ଓ ସେ ବାବଦକୁ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶକ ଶ୍ରୀ ରମାଶିଷ ହାଜରା ସ୍ୱାଗତ ଭାଷଣ ଦେଇଥିଲେ। କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ରାଜ୍ୟରୁ ଆସିଥିବା ଗୋଶାଳାର କର୍ମଜୀବୀ ଓ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଓଡିଶାରେ ବିଭିନ୍ନ ଗୋଶାଳାର ସ୍ଥିତି କିପରି ରହିଛି, ରାଜ୍ୟ ସରକାର କଲେ ସମୀକ୍ଷା

ଭୁବନେଶ୍ବର: ଜୀବେ ଦୟା ଓ ପ୍ରାଣୀ କଲ୍ୟାଣ ଭାରତୀୟ ସଂସ୍କୃତି ଓ ପରମ୍ପରାର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଗୋଶାଳା ଏହି ମହାନ ସଂସ୍କୃତିର ଏକ ସଂପ୍ରସାରିତ ରୂପ। ଗାଈଗୋରୁମାନଙ୍କ ନିରାପଦ ଆଶ୍ରୟ ନିମନ୍ତେ ନିର୍ମିତ ଗୋଶାଳାଗୁଡ଼ିକରେ ଯେପରି ପର୍ଯ୍ୟାପ୍ତ ପରିମାଣର ସୁବିଧାସୁଯୋଗ ଉପଲବ୍ଧ ହେବ ଏବଂ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ମିଳିପାରିବ ସେଥି ନିମନ୍ତେ ରାଜ୍ୟ ସରକାର ପ୍ରୋତ୍ସାହନ ଓ ପର୍ଯ୍ୟାପ୍ତ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି।

ଗୋଶାଳାଗୁଡ଼ିକୁ ଆହୁରି ଅଧିକ ସଶକ୍ତ କରିବା ଦିଗରେ ପ୍ରତ୍ୟେକ ସ୍ତରରେ ନିଷ୍ଠାପର ଉଦ୍ୟମର ଆବଶ୍ୟକତା ରହିଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି।

ଆଜି କୃଷି ଭବନଠାରେ ଆୟୋଜିତ ରାଜ୍ୟସ୍ତରୀୟ ଗୋଶାଳା ଓ ଆନିମଲ ହେଲପ୍‌ଲାଇନ୍‌ ସଂପର୍କିତ ବୈଠକରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ ପ୍ରାଣୀସଂପଦକୁ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପ୍ରଗତିର କ୍ଷେତ୍ର ଭାବରେ ଚିହ୍ନଟ କରାଯାଇଛି। ପ୍ରାଣୀସଂପଦର ସୁରକ୍ଷା ଓ ସେମାନଙ୍କର କଲ୍ୟାଣ ଦିଗରେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ସ୍ୱରୂପ ଅନେକଗୁଡ଼ିଏ ଯୋଜନା ପ୍ରଣୟନ କରିଛନ୍ତି।

ଗୋରୁଙ୍କ ମୂଲ୍ୟବାନ ଅବଦାନକୁ ବିଚାରକୁ ନେଇ ରାଜ୍ୟ ସରକାର ନୂତନ ଗୋଶାଳା ନିର୍ମାଣ ପାଇଁ ବିଭିନ୍ନ ବେସରକାରୀ ସଂସ୍ଥା ଓ ପ୍ରାଣୀ କଲ୍ୟାଣ ଅନୁଷ୍ଠାନକୁ ସହାୟତା ପ୍ରଦାନ କରୁଛନ୍ତି। ରାଜ୍ୟରେ ସଂପ୍ରତି ୮୦ଟି ପଂଜିକୃତ ଗୋଶାଳା ରହିଛି। ବୁଲାଗାଈଗୋରୁଙ୍କ ପାଇଁ ଆଶ୍ରୟ ସ୍ଥଳ ଓ ଗୋଶାଳା ସ୍ଥାପନ ନିମନ୍ତେ ରାଜ୍ୟ ସରକାର ଡିସେମ୍ବର ୨୦୨୨ରେ ଏକ ନୂତନ ଯୋଜନା ଆରମ୍ଭ କରିଛନ୍ତି।

ଏଥି ସହିତ ବିଭିନ୍ନ ପଞ୍ଜିକୃତ ଗୋଶାଳାଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ୨୦୨୨-୨୩ ବର୍ଷରେ ୫୨ଟି ପଂଜିକୃତ ଗୋଶାଳାକୁ ପ୍ରତି ବୟସ୍କ ଗୋରୁଙ୍କ ପାଇଁ ବାର୍ଷିକ ୧୬ ହଜାର ଟଙ୍କା ହିସାବରେ ୫ କୋଟି ଟଙ୍କା ବ୍ୟୟ କରାଯାଇଛି। ୨୦୨୩-୨୪ ଆର୍ଥିକ ବର୍ଷରେ ଏହି ରାଶିକୁ ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇ ଏ ବାବଦକୁ ୧୦ କୋଟି ଟଙ୍କା ମଂଜୁର କରାଯାଇଛି। ୫୦ରୁ ୧୫୦ ଗୋରୁଙ୍କ ଥଇଥାନ ଓ ଆଶ୍ରୟ ନିମନ୍ତେ ନୂତନ ଗୋଶାଳା ପ୍ରତିଷ୍ଠା ପାଇଁ ୨୦ ଲକ୍ଷରୁ ୫୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ପ୍ରଦାନ କରାଯାଉଛି। ଏ ପର୍ଯ୍ୟନ୍ତ ଏ ବାବଦରେ ୨୬ ଗୋଟି ଗୋ-ଆହେଡ୍‌ ପ୍ରଦାନ କରାଯାଇଛି।

ଗୋଶାଳାଗୁଡ଼ିକ କୃଷି ଓ ଉଦ୍ୟାନ କୃଷି ବିଭାଗ ଦ୍ୱାରା ଆବଶ୍ୟକ ହେଉଥିବା ଜୈବିକ ଖତ ଓ ଜିଆ ଖତ ଉତ୍ପାଦନ କରି ଆର୍ଥିକ ଉପାର୍ଜନ କରିବାର ସୁଯୋଗ ରହିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ। ଏଥି ପାଇଁ କୃଷି ବିଜ୍ଞାନ କେନ୍ଦ୍ର ବୈଷୟିକ ଜ୍ଞାନକୌଶଳ ଏବଂ ସ୍ଥାନୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସହାୟତା ଗ୍ରହଣ କରାଯାଇପାରେ ବୋଲି ସେ କହିଥିଲେ।

ମନ୍ତ୍ରୀ ଶ୍ରୀ ସ୍ୱାଇଁ ପୁଣି କହିଛନ୍ତି ଯେ ବୁଲା ଓ ଅସହାୟ ପଶୁପକ୍ଷୀଙ୍କୁ ଜରୁରୀକାଳନୀ ଚିକିତ୍ସା ସେବା ଯୋଗାଇଦେବା ପାଇଁ ରାଜ୍ୟବ୍ୟାପୀ ଆନିମଲ ହେଲପ୍‌ଲାଇନ୍‌ ପ୍ରତିଷ୍ଠା କରାଯାଇଛି। ଟୋଲ୍‌ ଫି୍ର ନମ୍ବର ୧୯୬୨କୁ କଲ୍‌ କଲେ ପୀଡ଼ିତ ବୁଲା ଓ ଅସହାୟ ପଶୁପକ୍ଷୀଙ୍କୁ ଚିକିତ୍ସା ସୁବିଧା ମିଳିପାରୁଛି। ରାଜ୍ୟର ୧୧ ଗୋଟି ସହରାଞ୍ଚଳରେ ଆନିମଲ ଆମ୍ବୁଲାନ୍ସ ଓ ଅନ୍ୟ ଅଞ୍ଚଳରେ ମୋବାଇଲ୍‌ ଭେଟେରିନାରୀ ୟୁନିଟ୍‌ ଏହି ସେବା ଯୋଗାଇ ଦେଉଛି। ଅସହାୟ ଓ ରୋଗଗ୍ରସ୍ତ ପ୍ରାଣୀଙ୍କ ପାଇଁ ଏହା ଏକ ଲାଇଫ୍‌ଲାଇନ୍‌ ଭାବରେ କାର୍ଯ୍ୟ କରୁଛି ଓ ଆବଶ୍ୟକ ସମୟରେ ତୁରନ୍ତ ସହାୟତା ମିଳିପାରୁଛି।

ବୈଠକରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ କହିଲେ ଯେ ଗୋଶାଳାଗୁଡ଼ିକର ଉନ୍ନତି ନିମନ୍ତେ ଅନ୍ୟ ବିଭାଗ ସହିତ ମିଳିମିଶି କାମ କରିବାକୁ ପଡ଼ିବ। ସ୍ଥାନୀୟ ପ୍ରାଣୀ ଚିକିତ୍ସକ ପ୍ରତି ମାସରେ ଥରେ ଗୋଶାଳା ପରିଦର୍ଶନରେ ଯିବେ ଏବଂ ଗୋଶାଳାଗୁଡ଼ିକରେ ଗାଈଗୋରୁଙ୍କ ଟୀକାକରଣ, ଡି-ୱର୍ମିଂ ଓ ଗୋ-ବନ୍ଧ୍ୟା ନିରାକରଣ କାର୍ଯ୍ୟକ୍ରମକୁ ପ୍ରାଥମିକତା ଭିତ୍ତିରେ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯିବ ବୋଲି ଶ୍ରୀ ବଶିଷ୍ଠ କହିଥିଲେ।

ବୈଠକରେ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶକ ଶ୍ରୀ ରାମାଶିଷ ହାଜରା ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ବୀରକିଶୋର ପରିଡ଼ା ଧନ୍ୟବାଦ ପ୍ରଦାନ କରିଥିଲେ। ବୈଠକରେ ରାଜ୍ୟର ବିଭିନ୍ନ ଗୋଶାଳା ପରିଚାଳନା ସହ ଜଡ଼ିତ ଶତାଧିକ ବ୍ୟକ୍ତିବିଶେଷ, ଆନିମଲ୍‌ ହେଲପ୍‌ଲାଇନ୍‌ର କର୍ମକର୍ତ୍ତା ଓ ବିଭାଗୀୟ ଅଧିକାରୀମାନେ ଯୋଗଦେଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଜାମୁକୋଳି ଗୋଶାଳାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଏକ ବାଛୁରୀର ଦେଲେ ନାମ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଜଟଣୀର ଜାମୁକୋଳି ଅଞ୍ଚଳରେ ଥିବା ଭୁବନେଶ୍ୱର ମହାନଗର ନିଗମ ଅଧୀନସ୍ଥ ଗୋଶାଳା ପରିଦର୍ଶନ କରି ଗୋରୁ ମାନଙ୍କ ରକ୍ଷଣା ବେକ୍ଷଣ ଓ ସେମାନଙ୍କ ପାଇଁ ଥିବା ବ୍ୟବସ୍ଥା ସମ୍ପର୍କରେ ପ୍ରତ୍ୟକ୍ଷ ଅନୁଧ୍ୟାନ କରିଛନ୍ତି।

ଗାଈ ମାନଙ୍କର ଉପଯୁକ୍ତ ଯତ୍ନ ନେବା ପାଇଁ କର୍ମଚାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି। ଗାଈ ମାନଙ୍କ ପାଇଁ ଥିବା ବିଭିନ୍ନ ବ୍ୟବସ୍ଥା, ଦିଆ ଯାଉଥିବା ଗୋ ଖାଦ୍ୟ ସବୁ ବୁଲି ଦେଖିଥିଲେ ଏବଂ କିଛି ଗାଈ ମାନଙ୍କୁ ଫଳ ଓ ପନିପରିବା ମଧ୍ୟ ଖାଇବାକୁ ଦେଇଥିଲେ।

ଏକ ନବ ଜନ୍ମିତ ବାଛୁରୀକୁ ଦେଖି ମୁଖ୍ୟମନ୍ତ୍ରୀ ଏହାର ନାମ କଣ ବୋଲି ପଚାରି ଥିଲେ। ତାହାର ନାମ ଦିଆ ଯାଇ ନାହିଁ ବୋଲି ଜାଣିବା ପରେ ମୁଖ୍ୟମନ୍ତ୍ରୀ ତା’ର ନାମ ରଖିଥଲେ କ୍ରିଷ୍ଣା।

ସୂଚନା ଯୋଗ୍ୟ ଯେ ଜାମୁକୋଳି ଠାରେ ୨୦୧୮ ମସିହାରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ୫.୫ ଏକର ପରିମିତ ଜମିରେ ଏକ ଗୋଶାଳା ସ୍ଥାପନ କରା ଯାଇଛି। ଏହାକୁ ୨୦.୫ ଏକର ପରିମିତ ଅଞ୍ଚଳକୁ ସମ୍ପ୍ରସାରିତ କରିବାକୁ ପ୍ରସ୍ତାବ ରହିଛି। ଏଥିରେ ବର୍ତ୍ତମାନ ୯୦୬ ଟି ଗାଈ ଗୋରୁ ଅଛନ୍ତି। ସହରର ବୁଲା ଗାଈ ଗୋରୁ ମାନଙ୍କୁ ମୁଖ୍ୟତଃ ଏଠାରେ ରଖାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ସହିତ ୫ଟି ସଚିବ ଶ୍ରୀ ଭି କେ ପାଣ୍ଡିଆନ ମଧ୍ୟ ଗୋଶାଳା ପରିଦର୍ଶନ କରିଥିଲେ। ଭୁବନେଶ୍ୱର ମହାନଗର ନିଗମ ମେୟର, ଉତ୍ତର ବିଧାୟକ, ପୂର୍ବତନ ବିଧାୟକ, ମହାନଗର ନିଗମର କମିଶନର ପ୍ରମୁଖ ଉପସ୍ଥତ ଥିଲେ।