Categories
ବିଶେଷ ଖବର ରାଜ୍ୟ ଖବର

ଗ୍ରାମ୍ୟ ଉନ୍ନୟନ ବିଭାଗର ୫-‘ଟି’ ସମୀକ୍ଷା, ଯୋଗାଯୋଗ ବ୍ୟବସ୍ଥାର ଅଧିକ ସୁଦୃଢ଼ ଉପରେ ଗୁରୁତ୍ୱ

ଭୁବନେଶ୍ୱର: ଗ୍ରାମ୍ୟ ଉନ୍ନୟନ ବିଭାଗର ୫-ଟି ମାସିକ ସମୀକ୍ଷା ବୈଠକ ଆଜି ଅପରାହ୍ନରେ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଭାଗର ବିଭିନ୍ନ କାର୍ଯ୍ୟର ସମୀକ୍ଷା ହୋଇଥିଲା ।

ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନସ୍ତ ସମସ୍ତ ଯୋଜନା ଓ ପ୍ରକଳ୍ପଗୁଡିକ ଶୀଘ୍ର ସମ୍ପୁର୍ଣ୍ଣ କରିବା ସହ ବିଭିନ୍ନ ବିଭାଗ ସହିତ ସମନ୍ୱୟ ରକ୍ଷା କରି ଠିକ ସମୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବା ପାଇଁ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ ନିର୍ଦ୍ଦେଶ ଦେଇଛନ୍ତି। ସାଧାରଣ ଲୋକଙ୍କୁ ସର୍ବାଧିକ ସରକାରୀ ସେବା ପ୍ରଦାନ ନେଇ ରାଜ୍ୟ ସରକାରଙ୍କ ଲକ୍ଷ୍ୟକୁ ପୂରଣ କରିବା ଆମ ସମସ୍ତଙ୍କର ପ୍ରଥମ କର୍ତ୍ତବ୍ୟ। ତେଣୁ ରାଜ୍ୟ ମୁଖ୍ୟାଳୟ ଏବଂ ଜିଲ୍ଲା ସ୍ତରରେ କାର୍ଯ୍ୟ କରୁଥିବା ପ୍ରତ୍ୟେକ ଅଧିକାରୀ ଓ କର୍ମଚାରୀ ଏହାକୁ ଧ୍ୟାନ ରଖି ତ୍ୱରିତ ଢଙ୍ଗରେ କାର୍ଯ୍ୟ କରିବାକୁ ସଚିବ ଶ୍ରୀ ସିଂହ ପରାମର୍ଶ ଦେଇଥିଲେ।

ବୈଠକରେ ଶେଷ ହୋଇଥିବା ପ୍ରକଳ୍ପର ପିସିଆର ରିପୋର୍ଟ ଦାଖଲ, ନୂଆ ଡିଭିଜନ ପ୍ରତିଷ୍ଠା, ନିର୍ମାଣଧୀନ ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ୍ଣ କରିବା ଆଦି ଉପରେ ଆଲୋଚନା ହୋଇଥିଲା। ଏଥି ସହିତ ଅର୍ଥ ବିଭାଗ ଏବଂ ନାବାର୍ଡ ସହିତ ସମନ୍ୱୟ ରଖି ପ୍ରକଳ୍ପ କାର୍ଯ୍ୟକୁ ଆଗେଇ ନେବା, ବିଭାଗୀୟ କର୍ମଚାରୀ ଓ ଅଧିକାରୀମାନଙ୍କୁ ସଠିକ ସମୟରେ ପେନ୍‌ସନ ପ୍ରଦାନ, ଅଦାଲତ ସମ୍ବନ୍ଧୀୟ କେଶଗୁଡିକର ଅଗ୍ରାଧିକାର ଭିତ୍ତିରେ ସମାଧାନ ଏବଂ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରୁ ଆସୁଥିବା ସମସ୍ତ ଅଭିଯୋଗଗୁଡିକ ସମ୍ପର୍କରେ ସଚିବ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିବା ସହ ଏହାକୁ ତୁରନ୍ତ ସମାଧାନ ଦିଗରେ କାର୍ଯ୍ୟ କାରିବାକୁ ନିର୍ଦ୍ଦେର୍ଶ ଦେଇଥିଲେ।

ସେହିପରି ଆର.ଆଇ.ଡି.ଏଫ ଯୋଜନା ଅଧିନରେ ଚାଲୁ ରହିଥିବା ପ୍ରକଳ୍ପଗୁଡିକ ଧାର୍ଯ୍ୟ ସମୟରେ ଶେଷ କରି ପିସିଆର ପ୍ରଦାନ କରିବା ଏବଂ ରୋଡ ଏବଂ ବ୍ରିଜ ସେକଫରରେ ସ୍ଥଗିତ ରହିଥିବା କାର୍ଯ୍ୟର ଡିପିଆର ଦାଖଲ କରିବାକୁ ସଚିବ ନିର୍ଦେଶ ଦେଇଥିଲେ।

ସେହିପରି ବିଜୁସେତୁ ଯୋଜନା ଅଧିନରେ ବିଭିନ୍ନ ଜିଲ୍ଲାରେ ଚାଲୁ ରହିଥିବା ପ୍ରକଳ୍ପଗୁଡିକର ଅଗ୍ରଗତି ସମ୍ବନ୍ଧରେ ସେ ପଚାରି ବୁଝିଥିଲେ। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ଅଧିନରେ ସମ୍ପୂର୍ଣ୍ଣ ହୋଇଥିବା ରାସ୍ତାଗୁଡିକର ନିୟମିତ ରକ୍ଷଣାବେକ୍ଷଣର କାର୍ଯ୍ୟ ଆଗେଇ ନେବାକୁ ସେ ପରାମର୍ଶ ଦେଇଥିଲେ।

ଏହି ବୈଠକରେ ନିର୍ଦ୍ଦେର୍ଶକ ଶ୍ରୀ ନିଖିଲ ପବନ କଲ୍ୟାଣ, ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ସୁଦର୍ଶନ ପରିଡା, ଶ୍ରୀ ସର୍ବେଶ୍ୱର ସିଂଙ୍କ ସମେତ ପ୍ରତ୍ୟେକ ସର୍କଲ ଓ ଡିଭିଜନର ମୁଖ୍ୟ ଯନ୍ତ୍ରୀ, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଏବଂ ଅନ୍ୟାୟ ଅଧିକାରୀମାନେ ଉପସ୍ଥିତ ଥିଲେ।

 

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଅନ୍ୟ ବିଭାଗ ସହିତ ସମନ୍ୱୟ ରଖି କାମ କରିବାକୁ ଆରଡି ବିଭାଗ ପ୍ରମୁଖ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନସ୍ଥ ସମସ୍ତ ଯୋଜନା ଓ ପ୍ରକଳ୍ପଗୁଡିକ ତ୍ୱରାନ୍ୱିତ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ କରିବା ସହ ବିଭିନ୍ନ ବିଭାଗ ସହିତ ସମନ୍ୱୟ ରକ୍ଷା କରି ଠିକ ସମୟରେ ପ୍ରକଳ୍ପ କାର୍ଯ୍ୟ ସମାପ୍ତ କରିବା ପାଇଁ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ ନିର୍ଦ୍ଦେଶ ଦେଇଛନ୍ତି।

ଆଜି ଅପରାହ୍ନରେ ଲୋକସେବା ଭବନସ୍ଥ ଗ୍ରାମ୍ୟ ଉନ୍ନୟନ ବିଭାଗ ଓସ୍ୱାନ୍‌ ହଲରେ ବିଭାଗର ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହ ଏଥିରେ ଅଧ୍ୟକ୍ଷତା କରି କହିଲେ ଯେ ବିଭାଗର ସମସ୍ତ କାର୍ଯ୍ୟ ଶୃଙ୍ଖଳିତ ହେବା ଆବଶ୍ୟକ।

ଏହି ଆଧାରରେ ଗ୍ରାମ୍ୟ ଉନ୍ନୟନ ବିଭାଗ ସହ ଜଡିତ ଅର୍ଥ ବିଭାଗ ଏବଂ ନାବାର୍ଡ ସହିତ ସମନ୍ୱୟ ରଖି ପ୍ରକଳ୍ପ କାର୍ଯ୍ୟକୁ ଆଗେଇ ନେବାକୁ ବିଭାଗ ବିଶେଷ ଭାବେ ଧ୍ୟାନ ଦେବା ଜରୁରୀ। ବିଭାଗୀୟ କର୍ମଚାରୀ ଓ ଅଧିକାରୀମାନଙ୍କ ପେନସନ ଓ ଶୃଙ୍ଖଳାଗତ ପ୍ରକ୍ରିୟା ଉପରେ ମଧ୍ୟ ବିଭାଗ ବିଶେଷ ଭାବେ ଧ୍ୟାନ ଦେଉଛି।

ଅଦାଲତ ସମ୍ବନ୍ଧୀୟ କେସ୍‌ଗୁଡିକୁ ଅଗ୍ରାଧିକାର ଭିତ୍ତିରେ ସମାଧାନ କରି କର୍ମଚାରୀମାନଙ୍କ ଗ୍ରାଚୁଇଟି, ପେନସନ ଆଦିକୁ ସହଜ କରିବା ପାଇଁ ଶ୍ରୀ ସିଂହ ପରାମର୍ଶ ଦେଇଥିଲେ। ବିଭାଗର ଲ ଅଫିସରମାନେ ପେଣ୍ଡିଂ କେଶଗୁଡିକୁ ତ୍ୱରାନ୍ୱିତ କରି ଫଇସଲା ଦିଗରେ ଯନିବାନ ହେବାକୁ ପରାମର୍ଶ ଦେଇଥିଲେ।

ସେହିପରି ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରୁ ଆସୁଥିବା ବିଭାଗ ସମ୍ବନ୍ଧୀୟ ସମସ୍ତ ଅଭିଯୋଗର ଯଥା ସମୟରେ ତ୍ୱରିତ ସମାଧାନପୂର୍ବକ ଅନୁପାଳନ ରିପୋର୍ଟ ବିଭାଗକୁ ପ୍ରଦାନ କରିବା ଜରୁରୀ ବୋଲି ସେ ପ୍ରକାଶ କରିଥିଲେ। ଗ୍ରାମ୍ୟ ଉନ୍ନୟନ ବିଭାଗର ବିଭିନ୍ନ ପ୍ରକଳ୍ପଗୁଡିକର ସମୀକ୍ଷା ଅବସରରେ ଶ୍ରୀ ସିଂହ କହିଲେ ଯେ ସଡକ, ସେତୁ ଓ ଗୃହ ନିର୍ମାଣ କ୍ଷେତ୍ରରେ ବିଭାଗ ସମସ୍ତ ସର୍କଲମାନଙ୍କୁ ପର୍ଯ୍ୟାପ୍ତ ପାଣ୍ଠି ଯୋଗାଇବା ସେ‰ କିଛି ଡିଭିଜନ୍‌ ଧାର୍ଯ୍ୟ ବ୍ୟୟ ଲକ୍ଷରେ ପହଞ୍ଚି ପାରି ନାହାନ୍ତି।

ସରକାରଙ୍କ ଦ୍ୱାରା ଚଳିତ ଡିସେମ୍ବର ସୁଦ୍ଧା ଧାର୍ଯ୍ୟ ବ୍ୟୟ ୬୦ ପ୍ରତିଶତ ରହିଥିବାବେଳେ ବର୍ତ୍ତମାନ ଏହା ୪୯.୧୮ ପ୍ରତିଶତ ରହିଛି। ଏଣୁ ଡିଭିଜନମାନଙ୍କୁ ଦିଆ ଯାଇଥିବା ଅନୁଦାନର ବ୍ୟୟ ଚଳିତ ମାସ ଶେଷ ସୁଦ୍ଧା ୬୦ ପ୍ରତିଶତରେ ପହଞ୍ଚାଇବାକୁ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ସମସ୍ତ ନିର୍ମାଣ କାମ ତ୍ୱରାନ୍ୱିତ ପ୍ରକ୍ରିୟାରେ ଏବଂ ଧାର୍ଯ୍ୟ ସମୟରେ ସମ୍ପୂର୍ଣ୍ଣ ହେବା ବିଭାଗର ଗୁରୁଦାୟିତ୍ୱ। ଏ ଦିଗରେ ବିଭାଗର ସମସ୍ତ ଯନ୍ତ୍ରୀମାନେ ଯନିବାନ ହେବା ଆବଶ୍ୟକ।

ସେହିପରି ଆର.ଆଇ.ଡି.ଏଫ ଯୋଜନା ଅଧିନରେ ଚାଲୁ ରହିଥିବା ପ୍ରକଳ୍ପଗୁଡିକ ଧାର୍ଯ୍ୟ ସମୟରେ ସାରିବା ସହ ଆଗାମୀ ଜାନୁୟାରୀ ସୁଦ୍ଧା ପିସିଆର ପ୍ରଦାନ କରିବାକୁ ଶ୍ରୀ ସିଂହ ନିର୍ଦ୍ଦେଶ ଦେବା ସହ ରୋଡ ଏବଂ ବ୍ରିଜ ସେକଫରରେ ସ୍ଥଗିତ ରହିଥିବା ଡିପିଆର ଦାଖଲ କରିବାକୁ କହିଥିଲେ।

ସେହିପରି ବିଜୁସେତୁ ଯୋଜନା ଅଧିନରେ ବିଭିନ୍ନ ଜିଲ୍ଲାରେ ଚାଲୁ ରହିଥିବା ପ୍ରକଳ୍ପଗୁଡିକର ଅଗ୍ରଗତି ସମ୍ବନ୍ଧରେ ପଚାରି ବୁଝିବା ସହ ପ୍ରକଳ୍ପ ଅନୁମୋଦନ ପାଇଁ ଫିଜିବିଲିଟି ରିପୋର୍ଟ ପ୍ରଦାନରେ ବିଳମ୍ବ ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଥିଲେ। ସମୟାନୁକ୍ରମେ ସଠିକ ଅନୁଧ୍ୟାନ କରି ବୈଠକରେ ବିଭାଗୀୟ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।

ନିର୍ବାହୀ ଯନ୍ତ୍ରୀମାନେ ପ୍ରକଳ୍ପର ଫିଜିବିଲିଟି ରିପୋର୍ଟ ପ୍ରଦାନ କରିବା ସମୟରେ କେଉଁ ଯୋଜନା ଏବଂ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହେଇ ପାରୁଛି ସେଗୁଡିକୁ ଅନୁଧ୍ୟାନପୂର୍ବକ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ୨୦୨୧-୨୨ ଆର୍ଥିକ ବର୍ଷ ପୂର୍ବରୁ ବାକି ରହିଥିବା ପ୍ରକଳ୍ପଗୁଡିକର ଅଗ୍ରଗତି ସମ୍ବନ୍ଧରେ ବୁଝିବା ସହ ୨୦୨୨-୨୩ ଓ ୨୦୨୩-୨୪ ଆର୍ଥିକ ବର୍ଷରେ ହାତକୁ ନିଆ ଯାଇଥିବା ସମସ୍ତ ପ୍ରକଳ୍ପଗୁଡିକର ବାକି ରହି ଯାଇଥିବା ଡିପିଆର ଫାଇନାଲ କରିବାକୁ ପରାମର୍ଶ ଦେଇଥିଲେ।

୨୦୨୩-୨୪ ଆର୍ଥିକ ବର୍ଷରେ ନିଆଯାଇଥିବା ସମସ୍ତ ପ୍ରକଳ୍ପଗୁଡିକର ସର୍ଭେ ଇନ୍‌ଭେଷ୍ଟିଗେସନ ସମାପ୍ତ ହୋଇଥିବାବେଳେ ୧୦ ଗୋଟି ପ୍ରକଳ୍ପର ଜିଏଡି ଅନୁମୋଦନ ସ୍ଥଗିତ ଅଛି, ଯାହା ଚଳିତ ମାସ ଶେଷ ସୁଦ୍ଧା ସମାଧାନ ହେବ। ମୁଖ୍ୟମନ୍ତ୍ରୀ ସଡକ ଯୋଜନା ଅଧିନରେ ଚାଲୁ ରହିଥିବା ପ୍ରକଳ୍ପଗୁଡିକୁ ଅଗ୍ରାଧିକାର ଭିତ୍ତିରେ ସାରିବା ସହିତ ୨୦୨୧-୨୨ ପୂର୍ବରୁ ଚାଲୁ ରହିଥିବା ପ୍ରକଳ୍ପ ଆସନ୍ତା ଜାନୁୟାରୀ ସୁଦ୍ଧା ସମ୍ପୂର୍ଣ୍ଣ ହେବା ଜରୁରୀ ବୋଲି ଶ୍ରୀ ସିଂହ କହିଥିଲେ।

ଏଥି ସହିତ ୨୦୨୨-୨୩ ଏବଂ ୨୦୨୩-୨୪ ଆର୍ଥିକ ବର୍ଷରେ ଶତପ୍ରତିଶତ ପ୍ରଶାସନିକ ଅନୁମୋଦନ ସହ ସମସ୍ତ ପ୍ରକଳ୍ପ ପ୍ରକ୍ରିୟା ଜାନୁୟାରୀ ୧୦ ତାରିଖ ସୁଦ୍ଧା ଚୂଡାନ୍ତ କରିବାକୁ କହିଥିଲେ। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ଅଧିନରେ ସମ୍ପୂର୍ଣ୍ଣ ହୋଇଥିବା ରାସ୍ତାଗୁଡିକର ନିୟମିତ ଓ ସାମୟିକ ରକ୍ଷଣାବେକ୍ଷଣର ବ୍ୟୟବରାଦକୁ ଦୃଷ୍ଟିରେ ରଖି କାର୍ଯ୍ୟ ଆଗେଇ ନେବାକୁ ଡିଭିଜନମାନଙ୍କୁ ପରାମର୍ଶ ଦେଇଥିଲେ। ପ୍ରକଳ୍ପ କାର୍ଯ୍ୟ ସମୟରେ ଜଙ୍ଗଲ ଜମି ଅଧିଗ୍ରହଣ ପାଇଁ ଉପୁଜୁ ଥିବା ଅସୁବିଧା ଦୂର କରି ଏବଂ ଔପଚାରିକତା ସମ୍ପୂର୍ଣ୍ଣ କରି ବିଭାଗକୁ ଜଣାଇବାକୁ ଶ୍ରୀ ସିଂହ ନିର୍ଦ୍ଦେଶ ଦେଇଥିଲେ।

ବୈଠକରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା, ମୁଖ୍ୟମନ୍ତ୍ରୀ ସଡକ ଯୋଜନା, କୋଠାବାଡି, ଗ୍ରାମ୍ୟ ଉନ୍ନୟନ ବିଭାଗର ସମସ୍ତ ଯୋଜନା ଏବଂ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣି ସମ୍ପର୍କରେ ଆଲୋଚନା କରାଯାଇଥିଲା। ପ୍ରତ୍ୟେକ ସର୍କଲ ଓ ଡିଭିଜନର ସମସ୍ତ ଯନ୍ତ୍ରୀମାନଙ୍କୁ ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମର ଅଗ୍ରଗତି ଓ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂ ପଚାରି ବୁଝିଥିଲେ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ୍ୟ ଉନ୍ନୟନ ବିଭାଗ, ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ସୁଦର୍ଶନ ପରିଡା, ଇ.ଆଇ.ସି ଶ୍ରୀ ଅକ୍ଷୟ କୁମାର ପ୍ରଧାନ, ଇ.ଆଇ.ସି ଶ୍ରୀ ଜୀବନାନନ୍ଦ ନାୟକଙ୍କ ସମେତ ବିଭାଗୀୟ ବରିଷ୍ଠ ପଦାଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Categories
ବିଶେଷ ଖବର ରାଜ୍ୟ ଖବର

ଝାଡଖଣ୍ଡର ଅଜୟ ସିଂହ, ଓଡିଶାର ସଞ୍ଜୟ ସିଂହ; ଆରଡି ବିଭାଗର ଦୁଇ ପ୍ରମୁଖ ସଚିବଙ୍କ ଆଲୋଚନା

ଭୁବନେଶ୍ବର: ଝାଡଖଣ୍ଡ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଅଜୟ ସିଂହ ଓଡିଶା ଲୋକସେବା ଭବନସ୍ଥ ଗ୍ରାମ୍ୟ ଉନ୍ନୟନ ବିଭାଗ ପରିଦର୍ଶନରେ ଆସି ବିଭାଗ ସମ୍ବନ୍ଧୀୟ କାର୍ଯ୍ୟଶୈଳୀ ଉପରେ ଅଧିକାରୀମାନଙ୍କ ସହିତ ମତ ବିନିମୟ କରିଛନ୍ତି।

ଏହି ଉପଲକ୍ଷେ  ଆଜି ଅପରାହ୍ନରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂହ ଝାଡଖଣ୍ଡ ରାଜ୍ଯର ପ୍ରମୁଖ ଶାସନ ସଚିବଙ୍କୁ ସ୍ଵାଗତ କରିବା ସହ ଓଡିଶାରେ ଗ୍ରାମ୍ୟ ଉନ୍ନୟନ ବିଭାଗର ରୂପରେଖ, ପ୍ରଣିତ ହେଉଥିବା ବିଭିନ୍ନ ଯୋଜନା ଏବଂ ଓଡିଶାରେ ଗ୍ରାମାଞ୍ଚଳର ବିକାଶ କ୍ଷେତ୍ରରେ ଏହାର ସଫଳ ରୂପାୟନ ଦିଗରେ ଗ୍ରାମ୍ୟ ଉନ୍ନୟନ ବିଭାଗ ହାତକୁ ନେଇଥିବା ବିଭିନ୍ନ ପଦକ୍ଷେପ ଉପରେ ବିସ୍ତ୍ରୁତ ବିବରଣୀ ପ୍ରଦାନ କରିଥିଲେ।

ବିଭାଗର କାର୍ଯ୍ୟଧାରା ଦ୍ବାରା ଓଡିଶାରେ ପ୍ରଶାସନ ଲୋକାଭିମୁଖୀ ହେବା ସହ ବିଭାଗ ଗ୍ରାମିଣ ଭିତ୍ତିଭୂମୀ ମଜଭୁତ କରିବାରେ ସହାୟକ ହୋଇ ପାରିଛି ବୋଲି ଶ୍ରୀ ସିଂହ ଝାଡଖଣ୍ଡ ସଚିବଙ୍କୁ କହିଥିଲେ।

ଓଡିଶା ଗ୍ରାମ୍ୟ ଉନ୍ନୟନ ବିଭାଗ ସଂପର୍କରେ ବିସ୍ତୃତ ସୂଚନା ଦେବାକୁ ଯାଇ ଶ୍ରୀ ସିଂହ କହିଲେ ଯେ ଗ୍ରାମାଞ୍ଚଳର ଭିରିଭୂମି ବିକାଶ ପାଇଁ ବିଭାଗ ବହୁ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ସଂପାଦନ କରୁଛି। ସେଥ୍ ମଧ୍ୟରୁ ରାସ୍ତା, ଗୃହ ନିର୍ମାଣ ଓ ସେତୁ ନିର୍ମାଣ ଆଦି ବିଭାଗର ପ୍ରମୁଖ କାର୍ଯ୍ୟ ଥ‌ିବାବେଳେ ବିଭାଗ ଅଧ୍ଵନରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଓ ବିଜୁ ସେତୁ ଯୋଜନାର ରୂପରେଖ ଓ କାର୍ଯ୍ୟକାରିତା ଉପରେ ପିପିଟି ମାଧ୍ୟମରେ ଝାଡଖଣ୍ଡ ସଚିବଙ୍କୁ ଅବଗତ କରାଇଥିଲେ।

ନିର୍ମାଣ କ୍ଷେତ୍ରରେ ନୂତନ ଜ୍ଞାନକୌଶଳର ବ୍ୟବହାର, ଗୁଣବତ୍ତା ଓ ରକ୍ଷଣାବେକ୍ଷଣ ଉପରେ ମଧ୍ୟ ସୂଚନା ପ୍ରଦାନ କରାଯାଇଥିଲା। ଓଡିଶା ଗ୍ରାମ ଉନ୍ନୟନ ବିଭାଗ ନିଜର ଉତ୍କର୍ଷତା ପାଇଁ ଜାତୀୟ ସ୍ତରରେ ପୁରସ୍କୃତ ହୋଇଛି। ଚଳିତ ଆର୍ଥିକ ବର୍ଷରେ ବିଭିନ୍ନ ଯୋଜନା ପାଇଁ ରାଜ୍ୟ ବଜେଟର ଅନୁଦାନ ଏବଂ ପ୍ରସ୍ତାବିତ ପ୍ରକଳ୍ପ ଗୁଡିକ ବିଷୟରେ ଶ୍ରୀ ଅଜୟ ସିଂହକୁ ସୂଚନା ଦିଆ ଯାଇଥିଲା। ଆଗାମୀ ୫ ବର୍ଷ ପାଇଁ ବିଭାଗ ତରଫରୁ ହାତକୁ ନେଇଥିବା ପ୍ରକଳ୍ପ ଏବଂ ଲକ୍ଷ ହାସଲ ଦିଗରେ ନିଆ ଯାଉଥିବା ପଦକ୍ଷେପ ବିଷୟରେ ମଧ୍ୟ ସୂଚନା ପ୍ରଦାନ କରା ଯାଇଥିଲା।

ପରେ ପରେ ଝାଡଖଣ୍ଡ ପ୍ରମୁଖ ଶାସନ ସଚିବ ଶ୍ରୀ ଅଜୟ ସିଂହ ବିଭାଗର ଉଚ୍ଚପଦସ୍ଥ ଅଧିକାରୀମାନଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିବା ସହିତ କେତେ ଗୁଡିଏ ନିର୍ଦ୍ଦିଷ୍ଟ ବିଷୟରେ ପଚାରି ବୁଝିଥିଲେ। ନୂଆ ନୂଆ ଜ୍ଞାନକୌଶଳରେ ନିର୍ମିତ ରାସ୍ତା ଓ ସେତୁ ନିର୍ମାଣର ଭିଡ଼ିଓ ଚିତ୍ର ପ୍ରଦର୍ଶନ କରା ଯାଇଥିଲା। ଆସନ୍ତା ୧୯ ତାରିଖରେ ଝାଡଖଣ୍ଡ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହ ଓଡିଶା ଟିମ ସହିତ କ୍ଷେତ୍ର ପରିଦର୍ଶନରେ ଯିବେ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ୍ୟ ଉନ୍ନୟନ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଇଂ ଅକ୍ଷୟ କୁମାର ପ୍ରଧାନ , ମୁଖ୍ୟଯନ୍ତ୍ରୀ ଇଂ ପ୍ରସନ୍ନ କୁମାର ସାହୁ, ଇଂ ରମେଶ ଚନ୍ଦ୍ର ବେହେରା, ଇଂ ସଂଜୀବ କୁମାର ମହାନ୍ତି, ବିତ୍ତ ଅଧିକାରୀ ଶ୍ରୀମତୀ ସ୍ମିତା ପାଣି ଏବଂ ସ୍ଵତନ୍ତ୍ର ସଚିବ ଶ୍ରୀ ସୁଦର୍ଶନ ପରିଡ଼ା ପ୍ରମୁଖ ଉପସ୍ଥିତ ରହି  କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Categories
ବିଶେଷ ଖବର

ଗ୍ରାମ୍ୟ ଉନ୍ନୟନ ବିଭାଗର କାର୍ଯ୍ୟାବଳୀ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଗତ ୪ ବର୍ଷର ଗ୍ରାମ୍ୟ ଉନ୍ନୟନ ବିଭାଗର ସଫଳତା ଏବଂ ନିର୍ବାଚନ ଇସ୍ତାହାରରେ ଦିଆ ଯାଇଥିବା ପ୍ରତିଶ୍ରୁତି ଏବଂ ପଦକ୍ଷେପ ବିଷୟରେ ସମୀକ୍ଷା କରିଛନ୍ତି। ସମୀକ୍ଷା ପରେ ବିଭାଗ ପକ୍ଷରୁ ଗୀତଗୋବିନ୍ଦ ସଦନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ ଏବଂ ବିଭାଗୀୟ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ ଇସ୍ତାହାରରେ ପ୍ରଦତ୍ତ ପ୍ରତିଶ୍ରୁତିଗୁଡ଼ିକର ପୂରଣ ନେଇ ବିସ୍ତୃତ ସୂଚନା ଦେବା ସହିତ ବିଭାଗ ଦ୍ୱାରା ନିଆ ଯାଇଥିବା ବିଭିନ୍ନ ପରିବର୍ତ୍ତନମୂଳକ ପଦକ୍ଷେପ ଉପରେ ମଧ୍ୟ ଆଲୋକପାତ କରିଥିଲେ।

ମନ୍ତ୍ରୀ ଶ୍ରୀ ଘଡାଇ ପ୍ରକାଶ କରିଛନ୍ତି ଯେ ଆର୍ଥିକ ବର୍ଷ ୨୦୦୦-୨୦୦୧ ତୁଳନାରେ ବିଭାଗର ବଜେଟ୍‌ ୨୫ ଗୁଣ ବୃଦ୍ଧି ପାଇଛି। ୨୦୦୦-୦୧ ମସିହାରେ ବିଭାଗର ବଜେଟ୍‌ ୩୦୫ କୋଟି ଥିଲାବେଳେ ଏହା ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୭୫୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଆଜି ପର୍ଯ୍ୟନ୍ତ ବିଭାଗ ବିଭିନ୍ନ ଯୋଜନା ଅଧୀନରେ ୨୨୪୧ ଗୋଟି ସେତୁ ନିର୍ମାଣ କରିଛି ଏବଂ ଅନ୍ୟ ୧୩୦୪ ଟି ସେତୁ ନିର୍ମାଣ ବିଭିନ୍ନ ପର୍ଯ୍ୟାୟରେ ଅଛି। ସଡକ କ୍ଷେତ୍ରରେ ବିଭାଗ ଦ୍ୱାରା ୧,୦୩,୭୩୧ କିମି ରାସ୍ତା ନିର୍ମାଣ ଓ ରକ୍ଷଣାବେକ୍ଷଣ କରାଯାଇ ୧୮୧୬୧ ଟି ଗ୍ରାମବସତିକୁ ସବୁଦିନିଆ ରାସ୍ତା ସଂଯୋଗ ପ୍ରଦାନ କରାଯାଇଛି।

ଗ୍ରୀନ୍‌ ଟେକ୍ନୋଲୋଜି ବ୍ୟବହାର କରି ୧୦,୦୦୦ କିଲୋମିଟରରୁ ଅଧିକ ରାସ୍ତା ନିର୍ମାଣ କରାଯାଇଛି। ଗ୍ରାମାଞ୍ଚଳରେ କୋଠାବାଡି ଭିତ୍ତିଭୂମିର ବିକାଶ ପାଇଁ ଓଡିଶା ଆଦର୍ଶ ବିଦ୍ୟାଳୟ, ଆଇ.ଟି.ଆଇ କଲେଜ ଏବଂ ସ୍କୁଲ୍‌ କୋଠା, ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ଓ ରାଜସ୍ୱ ବିଭାଗ ଆଦିରେ ୮୭୦୦ ଟି କୋଠାବାଡି ନିର୍ମାଣ କରି ଗ୍ରାମୀଣ ଭିତ୍ତିଭୂମିକୁ ସୁଦୃଢ କରିପାରିଛି।

ବିଜୁ ସେତୁ ଯୋଜନା ଅଧୀନରେ ୭୫୦ ଟି ପ୍ରସ୍ତାବିତ ସେତୁର ଲକ୍ଷ୍ୟ ପୂରଣ ଦିଗରେ ବିଭାଗ ଆଜି ପର୍ଯ୍ୟନ୍ତ ୬୭୯ ଟି ସେତୁ ନିର୍ମାଣ ସମ୍ପୁର୍ଣ୍ଣ କରିଛି। ମାର୍ଚ୍ଚ ୨୦୨୪ ସୁଦ୍ଧା ମୋଟ ୯୦୦ ଟି ସେତୁ ନିର୍ମାଣ କାର୍ଯ୍ୟ ସମ୍ପୁର୍ଣ୍ଣ ହେବ। ମୁଖ୍ୟମନ୍ତ୍ରୀ ସଡକ ଯୋଜନା ଏବଂ ଅନ୍ୟାନ୍ୟ ରାଜ୍ୟ ଯୋଜନା ଅଧୀନରେ ୩୦୦୦ କିଲୋମିଟର ସଡକ ନିର୍ମାଣ ପାଇଁ ପ୍ରସ୍ତାବ ରହିଥିଲାବେଳେ ଅଦ୍ୟାବଧି ୬୨୪୭ କିମି ଦ୍ରଘ୍ୟ ରାସ୍ତା ନିର୍ମାଣ କରାଯାଇଛି।

ମାର୍ଚ୍ଚ ୨୦୨୪ ସୁଦ୍ଧା ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ଆଉ ୬୦୦୦ କିଲୋମିଟର ରାସ୍ତା ନିର୍ମାଣ କରି ସମୁଦାୟ ୧୨,୨୪୭ କିମି ସମ୍ପୁର୍ଣ୍ଣ କରିବାକୁ ବିଭାଗ ଲକ୍ଷ୍ୟ ରଖିଛି। ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଅଧୀନରେ ୨୭୦୭୯ କିମି ରାସ୍ତା ନିର୍ମାଣ କରାଯାଇଛି।

ମାର୍ଚ୍ଚ ୨୦୨୪ ସୁଦ୍ଧା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଅଧୀନରେ ଆଉ ୭୬୪୩ କିମି ନିର୍ମାଣ କରିବାକୁ ବିଭାଗ ଲକ୍ଷ୍ୟ ରଖିଛି ଯାହା ସମୁଦାୟ ୩୪୭୨୨ କିମି ଅଟେ। ଗ୍ରାମ୍ୟ ଉନ୍ନୟନ ବିଭାଗ ଗ୍ରାମୀଣ ଭିତ୍ତିଭୂମି ବିକାଶ ଲକ୍ଷରେ ଶିକ୍ଷା, ସ୍ୱାସ୍ଥ୍ୟ, ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ଏବଂ ରାଜସ୍ୱ ବିଭାଗ ଆଦିରେ ୧୬୪ ଟି କୋଠାବାଡି ନିର୍ମାଣ କରିଛି ଏବଂ
ମାର୍ଚ୍ଚ ୨୦୨୪ ସୁଦ୍ଧା ଆଉ ୧୮୬ ଟି କୋଠାବାଡି ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛି।

ଗତ ୫ ବର୍ଷ ମଧ୍ୟରେ ବିଭାଗ ଦ୍ୱାରା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା କାର୍ଯ୍ୟରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ରାଜ୍ୟକୁ ୧୧୫୮ କୋଟି ଟଙ୍କାର ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦିଆଯାଇଛି।

ସର୍ବାଧିକ ଲମ୍ବା ସଡ଼କ ନିର୍ମାଣ ଏବଂ ସବୁଜ ପ୍ରଯୁକ୍ତି ବିଦ୍ୟା ବ୍ୟବହାର କରି ରାସ୍ତା ନିର୍ମାଣପୂର୍ବକ ସଂଯୋଗବିହୀନ ବସତି ଅଞ୍ଚଳରେ ଗମନାଗମନ ସଂଯୋଗ ପ୍ରଦାନ ପାଇଁ ଗ୍ରାମ ଉନ୍ନୟନ ବିଭାଗକୁ ଜାତୀୟ ସ୍ତରରେ ପୁରସ୍କୃତ କରାଯାଇଛି।

୨୦୦୦ ମସିହା ପର୍ଯ୍ୟନ୍ତ ବିଭାଗ କେବଳ ୫୮ ଟି ସେତୁ ନିର୍ମାଣ କରିଥିଲା। ବର୍ତ୍ତମାନ ସୁଦ୍ଧା ବିଭାଗ ୨୨୪୧ ସେତୁ ନିର୍ମାଣ ସମ୍ପୁର୍ଣ୍ଣ କରିସାରି ଥିବାବେଳେ ଅନ୍ୟ ୧୩୦୪ ଟି ସେତୁର ନିର୍ମାଣ ବିଭିନ୍ନ ପର୍ଯ୍ୟାୟରେ ଅଛି। ଉପରୋକ୍ତ ସେତୁ ମଧ୍ୟରୁ ମହାନଦୀ, ଋଷିକୁଲ୍ୟା, ବ୍ରାହ୍ମଣୀ, ବୈତରଣୀ, ତେଲ ନଦୀ, ଇନ୍ଦ୍ରାବତୀ ଏବଂ ଜିରା ଭଳି ବିଭିନ୍ନ ପ୍ରମୁଖ ନଦୀ ଉପରେ ୫୨ ଟି ସେତୁ ନିର୍ମାଣ କରାଯାଇଛି ଯାହାର ହାରାହାରି ଲମ୍ବ ୫୦୦ ମିଟର ରହିଛି।

ଗ୍ରାମ ଉନ୍ନୟନ ବିଭାଗ ହେଉଛି ପ୍ରଥମ ବିଭାଗ ଯିଏ ସ୍ୱୟଂଚାଳିତ କାର୍ଯ୍ୟ ଏବଂ ଆକାଉଣ୍ଟ୍‌
ମ୍ୟାନେଜମେଣ୍ଟ ପାଇଁ WAMIS ପ୍ରଣୟନ କରିଛି ଯାହା ରାଜ୍ୟର ଅନ୍ୟ ଇଞ୍ଜିନିୟରିଂ ବିଭାଗ ଦ୍ୱାରା ଗ୍ରହଣ କରାଯାଇଛି। ସାମ୍ପ୍ରତିକ ବର୍ଷମାନଙ୍କରେ ଗ୍ରାମ ଉନ୍ନୟନ ବିଭାଗ ରାସ୍ତା ସମୁହ ODR ମାନକ ହେବା ସହିତ ଗ୍ରାମାଞ୍ଚଳରେ ଅଧିକ ଯାନବାହନ ଚଳାଚଳ ପାଇଁ ବ୍ୟବସ୍ଥା ହୋଇ ପାରିଛି । ୨୦୨୪ ମାର୍ଚ୍ଚ ସୁଧା ଖାଲଖମାମୁକ୍ତ ରାସ୍ତା ଏବଂ ଅବାଧ ଗମନାଗମନକୁ ସୁନିଶ୍ଚିତ କରିବାକୁ ବିଭାଗ ୫୦,୦୦୦ କିଲୋମିଟରରୁ ଅଧିକ ରାସ୍ତାର ଗୁଣବତ୍ତାରେ ଉନ୍ନତି ଆଣିବାକୁ ଯୋଜନା କରୁଛି।

ବିଭାଗ ପରବର୍ତ୍ତି ୫ ବର୍ଷରେ ବିଜୁ ସେତୁ ଯୋଜନା ଅଧୀନରେ ୬୦୦୦ କୋଟି ବ୍ୟୟରେ ୧୫୦୦ ଟି ନୂତନ ସେତୁ ନିର୍ମାଣ କରିବ ଯାହା ଗ୍ରାମାଞ୍ଚଳର ସଂଯୋଗ ନେଟାର୍କକୁ ଉଲ୍ଲେଖନୀୟ ଭାବେ ବୃଦ୍ଧି କରିବ ମୁଖ୍ୟମନ୍ତ୍ରୀ ସାଡକ ଯୋଜନା ଅଧୀନରେ ୧୫,୦୦୦ କିଲୋମିଟର ରାସ୍ତା ୧୨,୦୦୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯିବ।

ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହ ଯୋଜନାୱାରି ବିଭାଗର ସବିଶେଷ ତଥ୍ୟ ଉପସ୍ଥାପନପୂର୍ବକ ସାମ୍ବାଦିକମାନଙ୍କର ବଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ।

ଏହି ଅବସରରେ ଗ୍ରାମ୍ୟ ଉନ୍ନୟନ ବିଭାଗର କାର୍ଯ୍ୟକ୍ରମର ଅଗ୍ରଗତି ଓ ସଫଳତା ନେଇ ଏକ କ୍ଷୁଦ୍ର ବୃତ୍ତିଚିତ୍ର ପ୍ରଦର୍ଶିତ ହୋଇଥିଲା।

Categories
ବିଶେଷ ଖବର ରାଜ୍ୟ ଖବର

ଜୁନ୍‌ ସୁଦ୍ଧା ତ୍ରୈମାସିକ ବଜେଟ ଖର୍ଚ୍ଚ କରିବାକୁ ଆରଡି ପ୍ରମୁଖ ଶାସନ ସଚିବଙ୍କ କଡା ନିର୍ଦ୍ଦେଶ

ଭୁବନେଶ୍ୱର: ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ ବିଭାଗ ଅଧିନରେ ଥିବା ସମସ୍ତ ଯୋଜନାର ସମୀକ୍ଷା କରିଛନ୍ତି। ଲୋକ ସେବା ଭବନସ୍ଥ ଗ୍ରାମ୍ୟ ଉନ୍ନୟନ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହ ଅଧ୍ୟକ୍ଷତା କରି ୨୦୨୩-୨୪ ଆର୍ଥିକ ବର୍ଷରେ ବିଭିନ୍ନ ପ୍ରକଳ୍ପ ନିମନ୍ତେ ପ୍ରଥମ ତିନିମାସ ପାଇଁ ଅନୁମୋଦିତ ହୋଇଥିବା ବ୍ୟୟବରାଦକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଖର୍ଚ୍ଚ କରିବା ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

ପ୍ରଥମ ତିନିମାସ ପାଇଁ ବିଭାଗ ବଜେଟର ୨୫ ପ୍ରତିଶତ ବ୍ୟୟ ଧାର୍ଯ୍ୟ ଥିଲେ ହେଁ ଅନେକ ଡିଭିଜନରେ ଏହି ଲକ୍ଷ୍ୟ ହାସଲ ହୋଇପାରିନାହିଁ। ଆସନ୍ତା ଜୁନ ମାସ ଶେଷ ସୁଦ୍ଧା ପ୍ରଥମ ତ୍ରୈମାସିକ ଅନୁଦାନ ସମ୍ପୂର୍ଣ୍ଣ ବ୍ୟୟ କରିବା ପାଇଁ ଶ୍ରୀ ସିଂହ କଡା ନିର୍ଦ୍ଦେଶ ଦେବା ସହ ଅବହେଳା ପାଇଁ ସର୍ବୋଚ୍ଚ ଯନ୍ତ୍ରୀ ଓ ମୁଖ୍ୟ ଯନ୍ତ୍ରୀ ଉତ୍ତରଦାୟୀ ରହିବେ ବୋଲି ପ୍ରକାଶ କରିଥିଲେ। ସେହିପରି କ୍ଷେତ୍ରୀୟ ସ୍ତରରେ ବ୍ୟୟ ପାଇଁ ମଗା ଯାଉଥିବା ଅନୁଦାନ ରାଶି ୪୮ ଘଣ୍ଟା ଭିତରେ ମିଳିଯିବା ଜରୁରୀ।

ମୁଖ୍ୟଯନ୍ତ୍ରୀମାନେ ଏଥିପ୍ରତି ଯନିବାନ ହେବା ସହ ଆଗାମୀ ବୈଠକରେ ଏହାକୁ ସୁନିଶ୍ଚିତ କରିବାକୁ ସେ ପରାମର୍ଶ ଦେଇଥିଲେ। ସମୟସୀମା ମଧ୍ୟରେ ରାସ୍ତା, ସେତୁ ଓ କୋଠାବାଡି ନିର୍ମାଣ କାମ ତ୍ୱରାନ୍ୱିତ ପ୍ରକ୍ରିୟାରେ ସମ୍ପୁର୍ଣ୍ଣ ହେବା ବିଭାଗର ଗୁରୁଦାୟିତ୍ୱ ପ୍ରକଳ୍ପ ସମ୍ପୂର୍ଣ୍ଣ ପାଇଁ ଡିଭିଜନମାନେ ବିଭାଗକୁ ଦେଉଥିବା ସମୟସୀମା କୌଣସି ପରିସ୍ଥିତିରେ ପାର ହେବା ଉଚିତ ନୁହେଁ। ଯୋଗାଯୋଗ ପାଇଁ ଏଣିକି ବିଭାଗକୁ ପ୍ରେରିତ ସମସ୍ତ ଚିଠିପତ୍ର ଓସ୍ୱ୍ୱାସ ମାଧ୍ୟମରେ ପଠାଇବାକୁ ସମସ୍ତ କ୍ଷେତ୍ରୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆ ଯାଇଥିଲା।

ପ୍ରାରମ୍ଭରେ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ ସର୍ବୋଚ୍ଚ ପ୍ରାଥମିକତା ପ୍ରକଳ୍ପଗୁଡିକର ଆସନ୍ତା ଜୁନ ୭ ତାରିଖ ସୁଦ୍ଧା ଟେଣ୍ଡର ପ୍ରକ୍ରିୟା ଶେଷ କରି ୨୦୨୪ ଫେବୃୟାରୀ ସୁଦ୍ଧା ପ୍ରକଳ୍ପ ସାରିବାକୁ ବିଭାଗୀୟ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା, ମୁଖ୍ୟମନ୍ତ୍ରୀ ସଡକ ଯୋଜନା, କୋଠାବାଡି, ଗ୍ରାମ୍ୟ ଉନ୍ନୟନ ବିଭାଗର ସମସ୍ତ ଯୋଜନା ସମ୍ପର୍କରେ ଆଲୋଚନା କରା ଯାଇଥିଲା। ବିଗତ ବର୍ଷରେ ଆରମ୍ଭ କରାଯାଇଥିବା ପ୍ରକଳ୍ପଗୁଡିକ ଶୀଘ୍ର ସମ୍ପୁର୍ଣ୍ଣ କରିବା ସହ ଚଳିତ ୨୦୨୩-୨୪ ଆର୍ଥିକ ବର୍ଷରେ ହାତକୁ ନିଆ ଯାଇଥିବା ଯୋଜନା ଓ ପ୍ରକଳ୍ପଗୁଡିକର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ।

ରାଜ୍ୟର ସମସ୍ତ ୬୦ ଗୋଟି ଡିଭିଜନ ଏବଂ ୧୩ଟି ଇଞ୍ଜିନିୟରିଂ ସର୍କଲ ସଂସ୍ଥାର ମୁଖ୍ୟଯନ୍ତ୍ରୀ ଏବଂ ସର୍ବୋଚ୍ଚ ଯନ୍ତ୍ରୀମାନେ ଆଭାସୀ ମାଧ୍ୟମରେ ଏହି ସମୀକ୍ଷା ବୈଠକରେ ଯୋଗଦେଇଥିଲେ । ସର୍କଲ ଓ ଡିଭିଜନର ସମସ୍ତ ଯନ୍ତ୍ରୀମାନଙ୍କୁ ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମର ଅଗ୍ରଗତି ଓ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂ ପଚାରି ବୁଝିଥିଲେ ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ସୁଦର୍ଶନ ପରିଡା, ଇ.ଆଇ.ସି ଶ୍ରୀ ଅକ୍ଷୟ କୁମାର ପ୍ରଧାନ, ଇ.ଆଇ.ସି ଶ୍ରୀ ପ୍ରଦୀପ ସାମଲଙ୍କ ସମେତ ବିଭାଗୀୟ ବରିଷ୍ଠ ପଦାଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଗ୍ରାମ୍ୟ ଉନ୍ନୟନ ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ: ଧାର୍ଯ୍ୟ ସମୟ ମଧ୍ୟରେ ପ୍ରକଳ୍ପ ଶେଷ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନସ୍ତ ସମସ୍ତ ଯୋଜନା ଓ ପ୍ରକଳ୍ପଗୂଡିକ ଧାର୍ଯ୍ୟ ସମୟସୀମା ମଧ୍ୟରେ ଶେଷ କରିବା ପାଇଁ ବିଭାଗୀୟ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଅପରାହ୍ନରେ ଲୋକସେବା ଭବନସ୍ଥ ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରମୁଖ ସଚିବଙ୍କ ପ୍ରକୋଷ୍ଠରେ ବିଭାଗର ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।

ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ବୈଠକରେ ଅଧ୍ୟକ୍ଷତା କରିବା ସହିତ କହିଲେ ଯେ ବିଭାଗର ସ୍ୱଚ୍ଛତା ବଜାୟ ଲକ୍ଷ ନେଇ ସମ୍ପୁର୍ଣ୍ଣ ଡିଜିଟାଇଜେସନ୍‌ କାର୍ଯ୍ୟକ୍ରମ ଆରମ୍ଭ କରା ଯାଇଛି। ଏଣିକି ବିଭାଗର ସମସ୍ତ ପ୍ରକଳ୍ପ ଅନ୍‌ଲାଇନରେ ଅପଲୋଡ ହେବା ସହିତ କ୍ଷେତ୍ରସ୍ତରୀୟ କାର୍ଯ୍ୟ ଯଥା: ପ୍ରଶାସନିକ ଅନୁମୋଦନ, ଇ-ମେଜରମେଣ୍ଟ, ପ୍ରୋକ୍ୟୋରମେଣ୍ଟ ଆଦି ଅନ୍‌ଲାଇନ୍‌ ମାଧ୍ୟମରେ ହେବ। ଯେ କୌଣସି ପ୍ରକଳ୍ପ ଆରମ୍ଭଠାରୁ ଶେଷ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ପ୍ରତ୍ୟେକଟି କାର୍ଯ୍ୟକୁ ଭିଡିଓଗ୍ରାଫି/ ଫଟୋଗ୍ରାଫି ମାଧ୍ୟମରେ ଉତ୍ତୋଳନ କରାଯାଇ ଦସ୍ତାବିଜ ପ୍ରସ୍ତୁତ କରାଯିବ। ଏଣୁ କାର୍ଯ୍ୟକାରୀ ହେଉଥିବା ପ୍ରତ୍ୟେକ ଯୋଜନାର ସଫଳ ରୂପାୟନ ତଥା ସୁବିନିଯୋଗ ନିମନ୍ତେ ମୁଖ୍ୟଯନ୍ତ୍ରୀଙ୍କଠାରୁ ଆରମ୍ଭ କରି ନିମ୍ନସ୍ତରର ଅଧିକାରୀମାନେ ସମସ୍ତେ ଉତ୍ତରଦାୟୀ ରହିବା ଜରୁରୀ।

ଏହି ବୈଠକରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା, ମୁଖ୍ୟମନ୍ତ୍ରୀ ସଡକ ଯୋଜନା, କୋଠାବାଡି, ଗ୍ରାମ୍ୟ ଉନ୍ନୟନ ବିଭାଗର ସମସ୍ତ ଯୋଜନା ସହିତ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି ଓ ‘ମୋ ସରକାର’ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରା ଯାଇଥିଲା। ବିଗତ ବର୍ଷରେ ଆରମ୍ଭ କରାଯାଇଥିବା ପ୍ରକଳ୍ପଗୁଡିକ ଶୀଘ୍ର ସମ୍ପୁର୍ଣ୍ଣ କରିବା ସହ ଚଳିତ ୨୦୨୩-୨୪ ଆର୍ଥିକ ବର୍ଷରେ ହାତକୁ ନିଆ ଯାଇଥିବା ଯୋଜନା ଓ ପ୍ରକଳ୍ପଗୁଡିକର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ରାଜ୍ୟର ସମସ୍ତ ୬୦ ଗୋଟି ଡିଭିଜନ ଏବଂ ୧୩ ଟି ଇଞ୍ଜିନିୟରିଂ ସର୍କଲ ସସ୍ଥାର ମୁଖ୍ୟଯନ୍ତ୍ରୀ ଏବଂ ସର୍ବୋଚ୍ଚ ଯନ୍ତ୍ରୀମାନେ ଆଭାସୀ ମାଧ୍ୟମରେ ଏହି ସମୀକ୍ଷା ବୈଠକରେ ଯୋଗଦେଇ ଥିଲେ। ସର୍କଲ ଓ ଡିଭିଜନର ସମସ୍ତ ଯନ୍ତ୍ରୀମାନଙ୍କୁ ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମର ଅଗ୍ରଗତି ଓ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂ ପଚାରି ବୁଝିବା ସହ ସମସ୍ତ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟସୀମାରେ ସାରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ଶାସନ ସଚିବ ସୁଦର୍ଶନ ପରିଡା, ଇ.ଆଇ.ସି  ପ୍ରଦୀପ ସାମଲଙ୍କ ସମେତ ବିଭାଗୀୟ ବରିଷ୍ଠ ପଦାଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

Categories
ବିଶେଷ ଖବର

ଗାଁ ଗାଁ କୁ ସବୁଦିନିଆ ରାସ୍ତା ଦ୍ୱାରା ସଂଯୋଗୀକରଣକୁ ବଜେଟରେ ଗୁରୁତ୍ୱ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀ, ବିଶେଷ କରି ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କ ସାମାଜିକ-ଆର୍ଥିକ ପ୍ରଗତି ପାଇଁ ପ୍ରତିଶ୍ରୁତିବଦ୍ଧ। ସବୁଦିନିଆ ରାସ୍ତା ଓ ସେତୁ ନିର୍ମାଣ ଦ୍ୱାରା ଗ୍ରାମାଞ୍ଚଳର ଲୋକଙ୍କ ଗମନାଗମନ ଓ ଦ୍ରବ୍ୟ ପରିବହନ ସୁଗମ ହେବା ସହ ସେମାନଙ୍କ ଅର୍ଥନୈତିକ ଅଭିବୃଦ୍ଧି, ଦାରିଦ୍ର୍ୟ ଦୂରୀକରଣ ଏବଂ ସାମଗ୍ରିକ ବିକାଶ ସାଧିତ ହୋଇଥାଏ। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା (MMSY) ଓ ବିଜୁ ସେତୁ ଯୋଜନା (BSY) ଭଳି ରାଜ୍ୟ ପ୍ରାୟୋଜିତ ପ୍ରମୁଖ ଯୋଜନା ଜରିଆରେ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ଓ ସେତୁ ନିର୍ମାଣ କରି ଗ୍ରାମାଞ୍ଚଳର ସଂଯୋଗବିହୀନ ଗ୍ରାମଗୁଡିକୁ ଉନ୍ନତମାନର ଯୋଗାଯୋଗ ସୁବିଧା ଉପଲବ୍ଧ କରାଯାଉଛି ବୋଲି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ  ପ୍ରୀତିରଞ୍ଜନ ଘଡେଇ କହିଛନ୍ତି।

ଆଜି ଗୀତ ଗୋବିନ୍ଦ ସଦନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ଘଡ଼େଇ ବଜେଟର ମୁଖ୍ୟାଂଶ ଦର୍ଶାଇବାକୁ ଯାଇ କହିଲେ ଯେ ଗ୍ରାମ୍ୟ ଉନ୍ନୟନ ବିଭାଗ ଆଜି ସଫଳତାର ଶୀର୍ଷରେ ପହଞ୍ଚିଛି । ରାଜ୍ୟର ଅଭିବୃଦ୍ଧି ପଛରେ ରହିଛି ଗମନାଗମନର ସୁବ୍ୟବସ୍ଥା। ଗ୍ରାମାଞ୍ଚଳରେ ରହୁଥିବା ସମାଜର ଶେଷ ବ୍ୟକ୍ତି ପାଖରେ କିପରି ଗମନାଗମନ ସୁବିଧା ପହଞ୍ଚି ପାରିବ ସେଥିପାଇଁ ବିଭାଗ ସମସ୍ତ କାର୍ଯ୍ୟକ୍ରମ ହାତକୁ ନେଇଛି।
ଚଳିତ ୨୦୨୩-୨୪ ଆର୍ଥିକ ବର୍ଷ ବଜେଟକୁ ୭୫୦୦.୦୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି, ଯାହା କି ୨୦୧୯-୨୦ ବଜେଟ୍‌ ତୁଳନାରେ ୩୫.୫୭% ଅଧିକ।

୨୦୨୩-୨୪ ବର୍ଷରେ ୧୯୦୦.୦୦ କୋଟି ଟଙ୍କା ବ୍ୟୟଅଟକଳରେ ୫୨୬ଟି ନୂତନ ବିଜୁ ସେତୁ ନିର୍ମାଣ ପାଇଁ ବିଭାଗର ବ୍ୟବସ୍ଥା ରହିଛି। ବର୍ତ୍ତମାନ ସୁଦ୍ଧା ବିଭାଗ ଦ୍ୱାରା ୧୨୫୪ଟି ସେତୁ ନିର୍ମାଣ ସରିଛି ଏବଂ ଆଉ ୯୦୦ଟି ସେତୁ ନିର୍ମାଣର ବିଭିନ୍ନ ପର୍ଯ୍ୟାୟରେ ରହିଛି।

ଭୂତଳ ଜଳର ପୁନରୁଦ୍ଧାର ଏବଂ ପ୍ରବାହିତ ଜଳର ଆଭ୍ୟନ୍ତରୀଣ ସଂରକ୍ଷଣ ପାଇଁ ବିଭାଗ ୫୦.୦୦ କୋଟି ଟଙ୍କା ବ୍ୟୟଅଟକଳରେ ୧୦୦ଟି ଆଡ଼ିବନ୍ଧ ପ୍ରକଳ୍ପ ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛି । ବର୍ତ୍ତମାନ ସୁଦ୍ଧା ୩୨ ଟି ଆଡ଼ିବନ୍ଧ କାମ ଶେଷ ହୋଇଛି। ସେହିଭଳି, ସଡ଼କ ଅଧୀନରେ ମୁଖ୍ୟମନ୍ତ୍ରୀ ସଡକ ଯୋଜନା(MMSY), MMSY-ରହିଥିବା ଗ୍ରାମ୍ୟ ଉନ୍ନୟନ ରାସ୍ତାର ଉନ୍ନତିକରଣ, MMSY-ସ୍ଥାନାନ୍ତରିତ ରାସ୍ତାର ଉନ୍ନତିକରଣ (TRIP), MMSY-ଦୁର୍ଗମ ଅଂଚଳର ଯୋଗାଯୋଗବିହୀନ ଗ୍ରାମଗୁଡିକର ସଂଯୋଗୀକରଣ (CUVDA), MMSY-ରାସ୍ତା ନଥିବା ଗ୍ରାମଗୁଡିକର ସଂଯୋଗୀକରଣ (CMRL) ଆଦି ପ୍ରମୁଖ ଯୋଜନାରେ ୬୦୦୦ କିଲୋମିଟର ରାସ୍ତା ନିର୍ମାଣ ନିମନ୍ତେ ୨୦୬୧.୦୦ କୋଟି ଟଙ୍କାର ବଜେଟ୍‌ ବ୍ୟବସ୍ଥା କରାଯାଇଛି, ଯାହା ନିଶ୍ଚିତ ଭାବରେ ଗ୍ରାମୀଣ ସଡ଼କ ନେଟୱାର୍କରେ ଉନ୍ନତି ଆଣିବ। ବର୍ତ୍ତମାନ ସୁଦ୍ଧା ଏହି ବିଭାଗ MMSY ଯୋଜନା ଅଧୀନରେ ୧୦୬୨୧ କିଲୋମିଟର ରାସ୍ତା ନିର୍ମାଣ କରିସାରିଛି।

ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳ, ଦୁର୍ଗମ ମାଓ ପ୍ରବଣ ଅଞ୍ଚଳ ଏବଂ ଅନ୍ୟାନ୍ୟ ରାସ୍ତା ସଂଯୋଗ ନଥିବା ଅଞ୍ଚଳର ସଂଯୋଗୀକରଣ ନିମନ୍ତେ ୨୦୦ କିଲୋମିଟର ରାସ୍ତା ନିର୍ମାଣ ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ମନ୍ତ୍ରୀ ଶ୍ରୀ ଘଡେଇ କହିଛନ୍ତି।

ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ କହିଲେ ଯେ ସରକାର ଗ୍ରାମୀଣ ରାସ୍ତାର ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ୱ ଦେଉଛନ୍ତି। ୫୦,୦୦୦ କିଲୋମିଟର ରାସ୍ତାକୁ ଖାଲଖମା ମୁକ୍ତ କରିବା ଏବଂ ଯାନବାହାନ ଚଳାଚଳର ଗୁଣବତ୍ତାରେ ଉନ୍ନତି ଆଣିବା ପାଇଁ ୨୦୨୩-୨୪ ରେ ୧୧୫୮.୭୯ କୋଟି ଟଙ୍କାର ବଜେଟ୍‌ ବ୍ୟବସ୍ଥା କରାଯାଇଛି। ଏହା ପୂର୍ବ ବର୍ଷ ତୁଳନାରେ ପ୍ରାୟ ୨୫୦୦୦ କିଲୋମିଟର ଅଧିକ।

ମୁଖ୍ୟମନ୍ତ୍ରୀ ଗ୍ରାମାଞ୍ଚଳର ସର୍ବାଙ୍ଗୀନ ଉନ୍ନତି ପାଇଁ ବଦ୍ଧପରିକର। ସେଥିପାଇଁ ଆଗାମୀ ୫ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ଆନୁମାନିକ ୧୨,୦୦୦ କୋଟି ଟଙ୍କା ବିନିଯୋଗରେ ୧୫,୦୦୦ କିଲୋମିଟର ଗ୍ରାମୀଣ ରାସ୍ତା ଏବଂ ବିଜୁ ସେତୁ ଯୋଜନାରେ ଆନୁମାନିକ ୬,୦୦୦ କୋଟି ଟଙ୍କା ବିନିଯୋଗରେ ୧୫୦୦ ନୂତନ ସେତୁ ନିର୍ମାଣ କରି ସବୁଦିନିଆ ରାସ୍ତା ଯୋଗାଇଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ପ୍ରମୁଖ ଶାସନ ସଚିବ ଶ୍ରୀ ସିଂ କହିଛନ୍ତି।

ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଇନ୍ଦ୍ରମଣି ତି୍ରପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିବାବଳେ ଗ୍ରାମ୍ୟ ଉନ୍ନୟନ ବିିଭାଗର ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଓ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡି ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ଓ ପୋଲ ନିର୍ମାଣ, କାଗଜ ପତ୍ର ରେ ଶେଷ କିନ୍ତୁ ବାସ୍ତବ ଚିତ୍ର ଭିନ୍ନ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା ଜୁନାଗଡ ବ୍ଲକ ଅନ୍ତର୍ଗତ ବନ୍ଦୋଗୁଡା ଠାରୁ ସୋରିଷମାଳ ରାସ୍ତା ଓ ପୋଲ ନିର୍ମାଣ କାର୍ଯ୍ୟ ସୂଚନା ଫଳକ ଅନୁସାରେ ଗତ ୩୦.୧୨.୨୦୨୧ ରେ ଆରମ୍ଭ ହୋଇ ୨୯.୦୯.୨୦୨୨ ରେ ଶେଷ ହୋଇ ଯାଇଥିବା ବେଳେ ବାସ୍ତବରେ ଅଦ୍ୟାବଧି କାର୍ଯ୍ୟ ଚାଲିଥିବାର ଦେଖା ଯାଉଛି। କାର୍ଯ୍ୟ ସ୍ଥଳରେ କୌଣସି ଯନ୍ତ୍ରୀ ଉପସ୍ଥିତ ରହୁ ନ ଥିବା ହେତୁ ସମ୍ପୃକ୍ତ ଠିକାଦାର ନିଜ ମନ ଇଚ୍ଛା କାମ କରୁଥିବାର ସ୍ଥାନୀୟ ଜନ ସାଧାରଣ ଅଭିଯୋଗ କରୁଛନ୍ତି।

ରାସ୍ତାରେ ଥିବା ପୋଲରେ ଅଟକଳ ଅନୁସାରେ ବିନା କୌଣସି ବୈଷୟିକ କୌଶଳରେ ଆବଶ୍ୟକ ପରିମାଣର ଲୁହ ଛଡ, ସିମେଣ୍ଟ, ଗେଟି ପଥର, ବାଲି ଇତ୍ୟାଦିର ମିଶ୍ରଣ କରାଯାଇ ନ ଥିବା ସନ୍ଦେହ ପ୍ରକାଶ ପାଉଛି। ଯାହା ଫଳରେ ଉକ୍ତ ପୋଲର ସ୍ଥାୟିତ୍ବ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ପୋଲ ସଂଳଗ୍ନ ରାସ୍ତା ର ସ୍ଥାୟିତ୍ବ ଉପରେ ମଧ୍ୟ ପ୍ରଶ୍ନବାଚି ସୃଷ୍ଟି ହେଉଥିବା ବେଳେ ପାର୍ଶସ୍ଥ ଖମ୍ବ ସବୁ ଭାଙ୍ଗି ତଳେ ପଡି ଯାଇଥିବା ଦେଖା ଯାଉଛି। ସେଥିରୁ ଉକ୍ତ ରାସ୍ତା ଓ ଖମ୍ବ ର ଗୁଣବତ୍ତା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ରାସ୍ତା ର ନିର୍ମାଣ ନିମ୍ନ ମାନର ହୋଇଥିବା ସାଧାରଣରେ ଅଭିଯୋଗ ହେଉଛି। ରାସ୍ତା ଉପରେ ପକାଯାଇଥିବା ପିଚୁ ହାତରେ ଘଷି ଦେଲେ ଉଠି ଯାଉଥିବା ବେଳେ ତାହା ମଧ୍ୟ ନିମ୍ନ ମାନର ନିର୍ମାଣ କରାଯାଇଥିବା ଅଭିଯୋଗ ହେବା ସହିତ ଏହାର ଗୁଣ ବତ୍ତା ଉପରେ ସନ୍ଦେହ ପ୍ରକାଶ ପାଉଛି।

ଏହି ବନ୍ଦୋଗୁଡା ଠାରୁ ସୋରିଷମାଳ ରାସ୍ତା ଓ ପୋଲ ନିର୍ମାଣ କାର୍ଯ୍ୟ ସମ୍ପର୍କରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ଏହାର ସତ୍ୟାସତ୍ୟ ଲୋକ ଲୋଚନକୁ ଆସିପାରିବ ବୋଲି ଜନ ସାଧାରଣରେ ଦୃଢ ଦାବି ହେଉଛି। ଏହି କାର୍ଯ୍ୟ ରେ ସରକାରୀ ପାଣ୍ଠି ର ବାଟ ମାରଣା ହୋଇଥିବାର ସମ୍ଭାବନାକୁ ଏଡାଇ ଡିଆ ଯାଇ ନ ପାରେ। ତେଣୁ ସେସମ୍ପର୍କରେ ଭିଜିଲାନ୍ସ ତଦନ୍ତ କରାଯିବାକୁ ଦାବି ହେଉଛି।

Categories
ବିଶେଷ ଖବର ରାଜ୍ୟ ଖବର

ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବଙ୍କ କୁଶଭଦ୍ରା ହାଇଲେଭଲ ସେତୁ ପରିଦର୍ଶନ

ଭୁବନେଶ୍ୱର: ଆଜି ଗ୍ରାମ୍ୟ ଉନ୍ନୟନ ବିଭାଗ ତଥା ସୂଚନା ଓ ଲୋକ ସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲିପାଟଣା ବ୍ଲକର ବାଲିପାଟଣା ଓ ବନମାଳିପୁର ଅଂଚଳ ପରିଦର୍ଶନ କରିଗ୍ରାମ୍ୟ ଉନ୍ନୟନ ବିଭାଗର ବିଭିନ୍ନ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି ।

ପ୍ରମୁଖ ଶାସନ ସଚିବ ଶ୍ରୀ ସିଂ ପ୍ରଥମେ କୁଶଭଦ୍ରା ନଦୀରେ ନିର୍ମିତ ହାଇଲେଭଲ ସେତୁ ପରିଦର୍ଶନ କରିଥିଲେ । ଶିଶୁ ଅନନ୍ତ ପୀଠ ଠାରୁ ଜୟଦେବ ପୀଠ ସହିତ ସଂଯୋଗ କରୁଥିବା ଏହି ହାଇଲେଭଲ ସେତୁ ୩୭ କୋଟି ୨୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି । ଏହି ସେତୁ ନିର୍ମାଣ ସରିଥିବା ବେଳେ ଏହାର ସଂଯୋଗୀକରଣ ରାସ୍ତା ଉନ୍ନତିକରଣ କାର‌୍ୟ୍ୟ ଜାରି ରହିଛି । ଏହି ସେତୁ ଫଳରେ ସ୍ଥାନୀୟ ଗାରେଡିପାଂଚଣ, ଅଠାନ୍ତର,ପମ୍ପାଲୋ, ଜୟଦେବ, ପ୍ରତାପରୁଦ୍ରପୁର ଆଦି ୪ଟି ଗ୍ରାମ ପଂଚାୟତର ପ୍ରାୟ ୧୮୦୦୦ରୁ ଊର୍ଦ୍ଧ୍ୱ ଜନସାଧାରଣ ଉପକୃତ ହେଉଛନ୍ତି ।

ସେହିପରି ପ୍ରମୁଖ ଶାସନ ସଚିବ ଶ୍ରୀ ସିଂ, ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ୬ କୋଟି ୧ଲକ୍ଷ ଟଙ୍କା ବ୍ୟୟରେଉନ୍ନତିକରଣକରାଯାଉଥିବା ଚଣାହାଟ-ରାଜସ ରାସ୍ତା ଏବଂ ୫ କୋଟି ୬୨ ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳରେ ବନମାଳିପୁର-ବଳଙ୍ଗା ରାସ୍ତା ଉନ୍ନତିକରଣ କାର‌୍ୟ୍ୟର ତଦାରଖ କରିଛନ୍ତି ।

ଏହି ଗସ୍ତ ସମୟରେ ପୂର୍ତ୍ତ ସଚିବ ଶ୍ରୀ ପ୍ରଦୀପ କୁମାର ସାମଲ, ମୁଖ୍ୟ ଯନ୍ତ୍ରୀ, ସେତୁ ଓ ବିଲ୍ଡିଂ ଶ୍ରୀ ରମେଶ ଚନ୍ଦ୍ର ବେହେରା, ମୁଖ୍ୟ ଯନ୍ତ୍ରୀ-ଯୋଜନା ଓ ରାସ୍ତା ନିର୍ମାଣ ଶ୍ରୀ ସଂଜୀବ କୁମାର ମହାନ୍ତି, ମୁଖ୍ୟ ନିର୍ମାଣ ଯନ୍ତ୍ରୀ –କେନ୍ଦ୍ରୀୟ ଗ୍ରାମ୍ୟ ନିର୍ମାଣ ସର୍କଲ ଶ୍ରୀ ସତ୍ୟବ୍ରତ ବେହେରା ଓ ଅଧିକ୍ଷଣ ଯନ୍ତ୍ରୀ(ପୂର୍ତ୍ତ) ଶ୍ରୀ ଅଶୋକ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

ଅନୁଧ୍ୟାନ ସମୟରେ ପ୍ରମୁଖ ଶାସନ ଶ୍ରୀ ସିଂ ବିଭାଗର ଯନ୍ତ୍ରୀମାନଙ୍କ ସହିତ ନିର୍ମାଣ କାର‌୍ୟ୍ୟରେ ଗୁଣବତ୍ତା ବଜାୟ ରଖିବା, ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କାର‌୍ୟ୍ୟ ଶେଷ କରିବା, ଆବଶ୍ୟକ ସ୍ଥାନରେ ଗାର୍ଡଓ୍ୱାଲ ନିର୍ମାଣଆଦି ସଂପର୍କରେ ଆବଶ୍ୟକନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ ।

ଏହି ପରିପ୍ରେକ୍ଷୀରେ ସେ ବାଲିପାଟଣାର ପ୍ରସିଦ୍ଧ ଶିଶୁ ଅନନ୍ତ ପୀଠ ପରିଦର୍ଶନ କରିଥିଲେ। ସେଠାରେ ଶିଶୁ ଅନନ୍ତ ପୀଠର ମହିମା ସଂପର୍କରେ ପୀଠର ସଂପାଦିକା ତନୟା ଦାସ ଗୋସ୍ୱାମୀଙ୍କ ଠାରୁ ବିଶେଷ ଭାବେ ଅବଗତ ହୋଇଥିଲେ । ଏହି ଅବସରରେ ସଂପାଦିକା ତନୟା ଦାସ ଗୋସ୍ୱାମୀ ପ୍ରମୁଖ ଶାସନ ସଚିବଙ୍କ ସହିତ ପୀଠର ଉନ୍ନତିକରଣ ସଂପର୍କରେ ଅନୁରୋଧ କରିଥିଲେ ।

Categories
ଆଞ୍ଚଳିକ

ବାଣପୁର: ମରଣଯନ୍ତା ପାଲଟିଛି ଅନ୍ତରକିଆରୀ କେନାଲ ରୋଡ, ମରାମତି ପାଇଁ ବିଭାଗ ପାଖରେ ନାହିଁ ଅର୍ଥ!

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଅନ୍ତରକିଆରୀ କେନାଲ ରୋଡ ମରଣଯନ୍ତା ପାଲଟିଛି। ସାମାନ୍ୟ ବର୍ଷା ହେଲେ ଉକ୍ତ ରୋଡଟିରେ ପାଣିର ସୁଅ ଛୁଟୁଛି। ଫଳରେ ବର୍ଷା ଜଳ ଉକ୍ତ ରୋଡ ଦେଇ କେନାଲକୁ ପ୍ରବାହିତ ହେଉଥିବା ଲାଗି ପିଚୁ ରୋଡରୁ ପିଚୁ ଉଠିଯିବା ସହ ବଡ଼ ବଡ଼ ଗତ୍ର ହୋଇଯାଇଛି। ଶାଳିଆ ଡ୍ୟାମ ଜଳ ବିଲ ମଧ୍ୟକୁ ପ୍ରବେଶ କରି ଉକ୍ତ ରୋଡ ଦେଇ କେନାଲକୁ ଯାଇଥାଏ। ଯାହାଫଳରେ ବାରମ୍ବାର ରୋଡଟି ନଷ୍ଟ ହେଉଛି।

ତେବେ ନିମ୍ନମାନର ମରାମତି କାର୍ଯ୍ୟ ଲାଗି ରୋଡରୁ ବାରମ୍ବାର ପିଚୁ ଉଠିବା ସହ ଗତ୍ର ହେଉଥିବାର ଅଭିଯୋଗ ହେଉଛି। ଉକ୍ତ ରୋଡରେ ଗତ ଏକ ବର୍ଷ ମଧ୍ୟରେ ଦଶରୁ ଉର୍ଦ୍ଧ୍ଵ ବଡ଼ ଦୁର୍ଘଟଣା ଏବଂ ପ୍ରତ୍ୟେକ ଦିନ ଏକାଧିକ ଛୋଟ ମୋଟ ଦୁର୍ଘଟଣାମାନ ଘଟୁଥିଲେ ସୁଦ୍ଧା ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେଉନାହାନ୍ତି।

ଏହି ରୋଡଟି ଗ୍ରାମ୍ୟ ଉନୟନ ବିଭାଗ ଅଧୀନରେ ଆସୁଥିବା ବେଳେ ଏହାର ରକ୍ଷଣାବେକ୍ଷଣ କରିବାରେ ବିଭାଗ କୁଣ୍ଠାବୋଧ କରୁଛି। ବାରମ୍ବାର ରୋଡରେ ପକ୍କା କାମ ନକରି ଅଳ୍ପ ବାଲି ଓ ପିଚୁ ପକାଇ ଦିଆଯାଉଛି ଯାହାଫଳରେ ଅଳ୍ପ ଦିନ ମଧ୍ୟରେ ରୋଡ ପୁଣି ପୂର୍ବବସ୍ଥାକୁ ଫେରିଆସୁଛି।

ତେବେ ରାଜ୍ୟ ସରକାର ଗ୍ରାମ୍ୟ ଉନ୍ନୟନ ବିଭାଗକୁ କୋଟି କୋଟି ତାଙ୍କ ରାସ୍ତା ନିର୍ମାଣ ଓ ମରାମତି ପାଇଁ ପ୍ରଦାନ କରୁଥିବା ବେଳେ ବାଣପୁରରେ ତାହା ବିଫଳ ସଦୃଶ ହେଉଛି। ତେବେ ଏ ନେଇ ବାଣପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ଜେଇ ତ୍ରିଲୋଚନ ପାତ୍ରଙ୍କୁ ପଚାରିବାରୁ ସେଠାରେ ଏକ ଓସାରିଆ ପକ୍କା ରୋଡ ହେବା ପାଇଁ ସର୍ଭେ ସରିଛି ବୋଲି କହିଥିବା ବେଳେ ଆମ ପ୍ରତିନିଧି ନଷ୍ଟ ହୋଇଯାଇଥିବା ରାସ୍ତାକୁ ତୁରନ୍ତ ମରାମତି କରାଯାଉ ବୋଲି ଦାବି ରଖିଥିବା ବେଳେ ତାହା ପାଇଁ ବିଭାଗୀୟ ଅର୍ଥ ନଥିବା କହିଛନ୍ତି।

ସେପଟେ ଗ୍ରାମ୍ୟ ଉନ୍ନୟନ ବିଭାଗ ଟାଙ୍ଗୀ ଏସଡ଼ିଓ ସୁଧାକର ନାୟକଙ୍କୁ ଏ ନେଇ ପଚାରିବାରୁ ସେ ଖୁବଶୀଘ୍ର ଉକ୍ତ ରୋଡ ପରିଦର୍ଶନ କରି ତଦନୁଯାୟୀ ପଦକ୍ଷେପ ନେବେ ବୋଲି କହିଛନ୍ତି। ତେବେ ନୂଆ ରୋଡ ନିର୍ମାଣ ସମୟ ସାପେକ୍ଷ ହୋଇଥିବା ବେଳେ ବର୍ତ୍ତମାନ ଯୁଦ୍ଧକାଳୀନ ଭିତ୍ତିରେ ଉକ୍ତ ରାସ୍ତାର ମରାମତି ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ପାଇଁ ବାଣପୁରବାସି ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପୁରୀ ଗସ୍ତ କଲେ ଆରଡି ବିଭାଗର ପ୍ରମୁଖ ଶାସନ ସଚିବ, ଅଧିକାରୀଙ୍କୁ ଦେଲେ ଏହି ନିର୍ଦ୍ଦେଶ

ଭୁବନେଶ୍ୱର : ପୁରୀ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଭିତ୍ତିଭୂମି ବିକାଶ କାର୍ଯ୍ୟକୁ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ପରିଦର୍ଶନ କରିଛନ୍ତି। ଏହି ଅବସରରେ ଶ୍ରୀ ସିଂ କାଞ୍ଚିକୁ ସଂଯୋଗ କରୁଥିବା ୨୦୩ ଜାତୀୟ ରାଜପଥରେ ଭାର୍ଗବୀ ନଦୀ ଉପରେ ଥିବା ହାଇଲେବୁଲ୍‌ ସେତୁ ଏବଂ ନରସିଂହପୁର-ସିରୁଲି ରାସ୍ତାର ଚଷାପଡ଼ା ନିକଟବର୍ତ୍ତୀ ରନିଚିରା ନଦୀ ଉପରିସ୍ଥ ସେତୁ ନିର୍ମାଣ କାର୍ଯ୍ୟ ବୁଲି ଦେଖିବା ସହ ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି।

କାଞ୍ଚିକୁ ସଂଯୋଗ କରୁଥିବା ୨୦୩ ଜାତୀୟ ରାଜପଥର ଭାର୍ଗବୀ ନଦୀ ଉପରେ ହାଇଲେଭେଲ୍‌ ସେତୁ ନିର୍ମାଣ ନିମନ୍ତେ ୫.୧୦ କୋଟି ଟଙ୍କା ବ୍ୟୟ କରାଯାଇଛି। ଏହି ସେତୁ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିବାବେଳେ ସେତୁ ସହ ରାସ୍ତା ସଂଯୋଗୀକରଣ କାର୍ଯ୍ୟ ବାକି ରହିଛି। ତୁରନ୍ତ ଟେଣ୍ଡର ପ୍ରକ୍ରିୟା ଚୂଡ଼ାନ୍ତ କରି ଆସନ୍ତା ବର୍ଷ ୩୧ ମାର୍ଚ୍ଚ ସୁଦ୍ଧା ସେତୁ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଶ୍ରୀ ସିଂ ନିର୍ଦ୍ଦେଶ ଦେଇଛନ୍ତି। ଏହି ସେତୁ ନିର୍ମାଣ ହେଲେ ୧୬ଟି ଗ୍ରାମର ୧୨ ହଜାର ଲୋକ ଉପକୃତ ହେବେ।

ସେହିପରି ନରସିଂହପୁର-ସିରୁଲି ରାସ୍ତାର ଚଷାପଡ଼ାଠାରେ ରନିଚିରା ନଦୀ ଉପରେ ନିର୍ମିତ ଅନ୍ୟ ଏକ ସେତୁ କାର୍ଯ୍ୟର ମଧ୍ୟ ସେ ସମୀକ୍ଷା କରିଛନ୍ତି। ଏହି ସେତୁ ନିର୍ମାଣ କାର୍ଯ୍ୟରେ ୬ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏହାର ନିର୍ମାଣ କାର୍ଯ୍ୟକୁ ଆସନ୍ତା ବର୍ଷ ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ଶେଷ କରିବା ପାଇଁ ଶ୍ରୀ ସିଂ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକାଶ ଥାଉକି ଏହି ସେତୁ ନିର୍ମିତ ହେଲେ ୧୮ ଜିଲ୍ଲାର ୧୪ ହଜାର ଲୋକ ଉପକୃତ ହେବେ।

ଏହି ପରିଦର୍ଶନ ସମୟରେ ରାଜ୍ୟ ଗ୍ରାମ୍ୟ ନିର୍ମାଣ ଓ ସେତୁ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଇଂ ପ୍ରଦୀପ ସାମଲ ଏବଂ ମୁଖ୍ୟଯନ୍ତ୍ରୀ ଇଂ. ରମେଶ ଚନ୍ଦ୍ର ବେହେରା ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବାଣିଜ୍ୟ କର ତଥା ଜି.ଏସ୍‌.ଟି କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ସଂଜୟ ସିଂହ

ଭୁବନେଶ୍ୱର: ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂହ ବାଣିଜ୍ୟ କର ତଥା ଜି.ଏସ୍‌.ଟି କମିଶନର ଭାବେ ଆଜି ଅପରାହ୍ନରେ କଟକସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି।

ବାଣିଜ୍ୟ କର ଭବନ କାର୍ଯ୍ୟାଳୟରେ ଶ୍ରୀ ସିଂହ ପହଞ୍ଚିବା ପରେ ସେଠାରେ ସ୍ୱତନ୍ତ୍ର ଆୟୁକ୍ତ ଶ୍ରୀ ମାନଭଞ୍ଜନ ଆଚାର୍ଯ୍ୟ ଏବଂ ଶ୍ରୀ କୁଞ୍ଜ ବିହାରୀ ପଣ୍ଡା, ଅତିରିକ୍ତ ଆୟୁକ୍ତ ଶ୍ରୀମତୀ ବନିତା ଦାସ, ଶ୍ରୀ ସଦାଶିବ ପଣ୍ଡା, ଶ୍ରୀ ଦୀପଙ୍କର ସାହୁ ଏବଂ ନିହାର ରଞ୍ଜନ ନାୟକଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀମାନେ ପୁଷ୍ପଗୁଚ୍ଛ ପ୍ରଦାନ କରି ତାଙ୍କୁ ସ୍ୱାଗତ ଜଣାଇଥିଲେ। ଶ୍ରୀ ସିଂହ ବିଭାଗୀୟ କାର୍ଯ୍ୟପଦ୍ଧତି ସମ୍ବନ୍ଧରେ ପଚାରି ବୁଝିଥିଲେ। ପରେ ପରେ ଶ୍ରୀ ସିଂହ ଅଧିକାରୀମାନଙ୍କ ସହ ଏକ ବୈଠକରେ ମିଳିତ ହୋଇଥିଲେ।

ବାଣିଜ୍ୟକର ତଥା ଦ୍ରବ୍ୟ ଓ ସେବାକର ବିଭାଗୀୟ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ସହ ଏହାର ସୁଫଳ ଯେପରି ଉପଭୋକ୍ତାମାନେ ପାଇପାରବେ ସେ ଦିଗରେ ଯନିବାନ ହେବାକୁ ସେ ପରାମର୍ଶ ଦେଇଥିଲେ। ଦ୍ରବ୍ୟ ଓ ସେବାକର କ୍ଷେତ୍ରରେ ପ୍ରବର୍ତ୍ତିତ ହେଉଥିବା ସଂସ୍କାର ପ୍ରକ୍ରିୟାକୁ ଦୃଷ୍ଟିରେ ରଖି କାର୍ଯ୍ୟାନ୍ୱୟନ କଲେ ସୁଫଳ ମିଳିପାରିବ ବୋଲି ସେ ପ୍ରକାଶ କରିଥିଲେ। ବିଭାଗକୁ ଅଧିକ କ୍ରିୟାଶୀଳ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ।

ସୂଚନାଯୋଗ୍ୟ ଯେ ଏହି ଅତିରିକ୍ତ ଦାୟିତ୍ୱ ସହ ଶ୍ରୀ ସିଂହ ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ, ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷର ଉପାଧ୍ୟକ୍ଷ ଏବଂ ସ୍ମାର୍ଟ ସିଟିର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରୁଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ନିର୍ମାଣାଧୀନ ସେତୁଗୁଡିକର କାର୍ଯ୍ୟ ଶୀଘ୍ର ଶେଷ କର, ଆରଡି ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ ସିଂ

ଛତ୍ରପୁର/ଭୁବନେଶ୍ୱର: ବ୍ରହ୍ମପୁର ସ୍ଥିତ ଗ୍ରାମ୍ୟ ନିର୍ମାଣ ମଣ୍ଡଳ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ତଥା ସୂଚନା ଓ ଲୋକସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂ ଙ୍କ ଦ୍ଵାରା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂ ସମସ୍ତ ଯନ୍ତ୍ରୀମାନଙ୍କୁ ଅବଗତ କରାଇଥିଲେ ଯେ,ଗଞ୍ଜାମ ଜିଲ୍ଲା ସବୁବେଳେ ସୁନାମ ପାଇଆସୁଛି।

ଜିଲ୍ଲାର ସୁନାମ ଆଣିବା ଦିଗରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା କାର‌୍ୟ୍ୟ ହେଉଥିବା କାମ ଗୁଡିକ ସମ୍ପନ୍ନ କରିବା ଦିଗରେ ତ୍ୱରାନିତ କରିବାର ଆବଶ୍ୟକତା ରହିଛି। ସେତୁ ନିର୍ମାଣ କ୍ଷେତ୍ରରେ ଟେଣ୍ଡର କାର‌୍ୟ୍ୟ ସାରିଦେଇ ସମସ୍ତ କାର‌୍ୟ୍ୟ ଠିକାଦାରଙ୍କ ଉପରେ ନ୍ୟସ୍ତ କଲେ ହେବନାହିଁ। ଠିକାଦାରଙ୍କ କାର‌୍ୟ୍ୟଧାରା ଗୁଡିକ ବରାବର ତଦାରଖ କରିବାକୁ ସେ ପରାମର୍ଶ ଦେଇଥିଲେ।

ଉନ୍ନୟନ କାର‌୍ୟ୍ୟରେ ଦେଖାଯାଉଥିବା ପ୍ରତିବନ୍ଧକଗୁଡିକ ସମାଧାନ କରି ଉକ୍ତ କାର‌୍ୟ୍ୟର ଶୀଘ୍ର ସମାପନ ଦିଗରେ ପ୍ରତ୍ୟେକ ତତ୍ପରତା ପ୍ରକାଶ କରିବାର ଆବଶ୍ୟକତା ରହିଛି ବୋଲି ପ୍ରମୁଖ ଶାସନ ସଚିବ ଶ୍ରୀ ସିଂ ଜଣାଇଥିଲେ। ସେ ମଧ୍ୟ କହିଥିଲେ ଯେ ଯନ୍ତ୍ରୀମାନେ କ୍ଷେତ୍ର ପରିଦର୍ଶନ କରି ସମସ୍ତ ସୁବିଧା ଅସୁବିଧା ବୁଝନ୍ତୁ। ଅସୁବିଧା ସମ୍ପର୍କରେ ନିଜ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାନ୍ତୁ । ସେହିଠାରେ ସମସ୍ୟାର ସମାଧାନ ହୋଇନପାରିଲେ ଜିଲ୍ଲାପାଳଙ୍କ ସହାୟତା ନେଇ ସେସବୁର ସମାଧାନ କରି କାର‌୍ୟ୍ୟଗୁଡିକ ସଠିକ ସମୟରେ ସମାପନ କରିବାକୁ ଶ୍ରୀ ସିଂ ନିର୍ଦ୍ଦେଶ ଦେଇଥିଲେ।

ଯନ୍ତ୍ରୀମାନେ ସମସ୍ୟା ଦେଖିବା ସହିତ ଏହାର ସମାଧାନର ବାଟ ମଧ୍ୟ ବାହାର କରି କାର‌୍ୟ୍ୟ ଯେମିତି ସଠିକ ସମୟରେ ସମାପନ ହେବ ସେ ଦିଗରେ ତତ୍ପରତା ପ୍ରକାଶ କରିବାକୁ ପ୍ରମୁଖ ଶାସନ ସଚିବ ଜଣାଇଥିଲେ। ଡିପିଆର ପ୍ରସ୍ତୁତ କରିବା ପୂର୍ବରୁ କ୍ଷେତ୍ର ପରିଦର୍ଶନ କରି ପ୍ରକୃତ ଡିପିଆର ପ୍ରସ୍ତୁତ କରିବାକୁ ସେ ପରାମର୍ଶ ଦେଇଥିଲେ। ଯେଉଁ ଅଧିକାରୀମାନଙ୍କ ଦ୍ଵାରା କାର‌୍ୟ୍ୟ ଧାରା ବିଳମ୍ବ ହେବ, ସେମାନଙ୍କୁ ଉତ୍ତରଦାୟୀ କରାଯିବ। ଅଧିକାରୀମାନେ ନିଜ ସଦରମହକୁମାରେ ରହିବା ସହିତ କ୍ଷେତ୍ର ପରିଦର୍ଶନ କରିବାକୁ ଶ୍ରୀ ସିଂ ପରାମର୍ଶ ଦେଇଥିଲେ।

ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ପରିଡା ପ୍ରମୁଖ ଶାସନ ସଚିବଙ୍କ ଦୃଷ୍ଟି ଆକର୍ଷଣ କରି ଜଣାଇଥିଲେ ଯେ, ଅନେକ ସମୟରେ ଜନସାଧାରଣ ରାସ୍ତାର ମରାମତି ସମ୍ପର୍କରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରନ୍ତି। ଗୋଟିଏ ରାସ୍ତାକୁ ନିୟମିତ ନିର୍ଦ୍ଧିଷ୍ଟସମୟ ସୀମା ମଧ୍ୟରେ ସଜାଡିଲେ ରାସ୍ତାଗୁଡିକର ପରିଚାଳନା ଠିକ ହୋଇପାରିବ। ରାସ୍ତା ନିର୍ମାଣ ଗୃହ ନିର୍ମାଣ କିମ୍ବା ସେତୁ ନିର୍ମାଣ କ୍ଷେତ୍ରରେ କୌଣସି ସମସ୍ୟା ଦେଖାଗଲେ ତାହା ଜିଲ୍ଲା ପ୍ରଶାସନର ଦୃଷ୍ଟିକୁ ଆଣନ୍ତୁ । ତେବେ ଯାଇ ତାର ସମାଧାନ ବାଟ ଖୋଲିବ ଏବଂ ଉନ୍ନୟନ କାର‌୍ୟ୍ୟ ବିନା ଦ୍ଵିଧାରେ ସଠିକ ସମୟରେ ସମାପନ ହୋଇପାରିବ । ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା, ବିଜୁ ସେତୁ ଯୋଜନା,ମୁଖ୍ୟମନ୍ତ୍ରୀ ସଡକ ଯୋଜନା, ବହୁମୂଖୀ ବାତ୍ୟା ଆଶ୍ରୟ ସ୍ଥଳ ନିର୍ମାଣ ଯୋଜନା ଆଦି ସମ୍ପର୍କରେ ସୁବିସ୍ତୃତ ଆଲୋଚନା ହୋଇଥିଲା ।

ଏହି ସମୀକ୍ଷା ବୈଠକରେ ରାଜ୍ୟ ଗ୍ରାମ୍ୟ ନିର୍ମାଣ କୋଠବାଡି ଓ ସେତୁ ବିଭାଗ ଯନ୍ତ୍ରୀ ମୁଖ୍ୟ ପ୍ରଦୀପ ସାମଲ,ମୁଖ୍ୟ ଯନ୍ତ୍ରୀ ରମେଶ ଚନ୍ଦ୍ରବେହେରା, ଗଞ୍ଜାମ ଜିଲ୍ଲା ଗ୍ରାମ ନିର୍ମାଣ ମଣ୍ଡଳ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରଦୀପ କୁମାର ଜେନା , ଗଞ୍ଜାମ ଜିଲ୍ଲା ଗ୍ରାମ୍ୟ ନିର୍ମାଣ ବିଭାଜନ– ୧ ର ଅଧିକ୍ଷଣ ଯନ୍ତ୍ରୀ ନାରଣ ମୁର୍ମୁ ଏବଂ ସମ୍ପୃକ୍ତ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀଗଣ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଜଗତସିଂହପୁର ଜିଲ୍ଲା ଗସ୍ତ

ସମୀକ୍ଷା ବ୍ୟୁରୋ

ଜଗତସିଂହପୁର, ୩୧/୧୨: ରାଜ୍ୟସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ, ସ୍ବତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ କୁମାର ଜେନା ଜଗତସିଂହପୁର ଜିଲ୍ଲା ଗସ୍ତକରିଛନ୍ତି। ଏହି ଗସ୍ତ ଅବସରରେ ସଚିବ ବିଭିନ୍ନ ଗ୍ରାମ ପରିଦର୍ଶନ କରିବା ସହିତ ସରକାରୀ ଯୋଜନାର ସମୀକ୍ଷା ମଧ୍ୟ କରିଛନ୍ତି। ଏହି କ୍ରମରେ କୁଜଙ୍ଗ ବ୍ଲକର ହଂସୁରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କାଶିପୁରା ଗ୍ରାମର କଦଳୀ ଚାଷ ପରିଦର୍ଶନ କରିବା ସହିତ ଉଦ୍ୟାନ କୃଷି ବିଭାଗ ଦ୍ବାରା ଚାଷୀମାନେ କିପରି ଅଧିକ ଉପକୃତ ହୋଇପାରିବେ ସେହି ସମ୍ପର୍କରେ ଚାଷୀଙ୍କୁ ଜଣାଇଛନ୍ତି। ସେହିପରି ଜଗନ୍ନାଥପୁର ଅଙ୍ଗନଓ୍ବାଡି କେନ୍ଦ୍ର ପରିଦର୍ଶନ କରି ପିଲାମାନଙ୍କ ପାଠପଢା, ଖାଇବା ପିଇିବା ସମ୍ପର୍କରେ ବୁଝିଥିଲେ। ମହିଳାଙ୍କୁ ଭେଟି ମମତା ଯୋଜନାର ସମ୍ପର୍କରେ ବୁଝିଥିଲେ। ସେହିପରି ଫତେପୁର ଜୀବନଜ୍ୟୋତି ଟେରାକୋଟା ଉତ୍ପାଦକ ଗୋଷ୍ଠୀ ଦ୍ବାରା ତିଆରି ସାଜସଜ୍ଜା ଦ୍ରବ୍ୟ ତଥା ଅନ୍ୟାନ୍ୟ ସାମଗ୍ରୀକୁ ଦେଖି ସେମାନଙ୍କୁ ଅଧିକ ତାଲିମ ପ୍ରଦାନ ଓ ମାର୍କେଟିଂ ସୁବିଧା ଯୋଗାଇ ଦେବା ସମ୍ପର୍କରେ ଜିଲ୍ଲାପାଳ ଓ ଏରମାସ୍‌ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିଲେ।

ସେହିପରି ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ, ଆହାର କେନ୍ଦ୍ର ପରିଦର୍ଶନ କରିଥିଲେ। ଜିଲ୍ଲାପାଳଙ୍କ ସଦ୍‌ଭାବନା ଗୃହଠାରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହିତ  ଏକ ସମୀକ୍ଷା  ବୈଠକ କରିଥିଲେ। ମୁଖ୍ୟ ଡାକ୍ତରଖାନା ପରିସରରେ ପରିଷ୍କାର ପରିଚ୍ଛନ୍ନତା ଉପରେ ଗୁରୁତ୍ବାରୋପ କରିବା ସହିତ ଜିଲ୍ଲାର ଶିକ୍ଷାର ମାନବୃଦ୍ଧି ଦିଗରେ ମଧ୍ୟ ଆଲୋଚନା କରିଥିଲେ। ସେହିପରି ସ୍ବୟଂସହାୟକ ଗୋଷ୍ଠୀଙ୍କୁ ଉଦ୍ୟାନ ଓ କୃଷି ବିଭାଗରେ ପ୍ରୋତ୍ସାହନ ଯୋଗାଇ ଦେବାକୁ ସମ୍ପୃକ୍ତ ବିଭାଗକୁ ପରାମର୍ଶ ମଧ୍ୟ ଦେଇଛନ୍ତି। ଏହି ଅବସରରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର  ଜିଲ୍ଲାରେ ହୋଇଥିବା ଉନ୍ନତି ତଥା ପ୍ରଗତି ସମ୍ପର୍କରେ ଅବଗତ କରାଇଥିଲେ। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସଚିଦାନନ୍ଦ ସାହୁ, ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତି, ଉପଜିଲ୍ଲାପାଳ ମହେନ୍ଦ୍ର ପ୍ରସାଦ ମହାନ୍ତି, ଜିଲ୍ଲାସ୍ତରୀୟ ଅଧିକାରୀ, ନିର୍ବାହୀ ଯନ୍ତ୍ରୀ, ବିଡିଓ ଓ ତହସିଲଦାର ପ୍ରମୁଖ ଉପସ୍ଥିତ ରହିଥିଲେ।