Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

କଳାହାଣ୍ଡି ଉତ୍ସବର ‘ଘୁମୁରା’ ପୂର୍ବରୁ ଶୁଭିଲା ପଥୋତ୍ସବର ବିଗୁଲ: ରାଜରାସ୍ତା ପାଲଟିଲା ମହୋତ୍ସବର ମହାମଞ୍ଚ

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡିର କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ବାର୍ତ୍ତାବହ ୨୬ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୪ ଅବ୍ୟବହିତ ପୂର୍ବରୁ ଆଜି ଭବାନୀପାଟଣା ସହରରେ ମହା ସମାରୋହରେ ରାହାଗିରି(ପଥୋତ୍ସବ) ଆୟୋଜିତ ହୋଇଯାଇଛି। ପଥ ଉତ୍ସବକୁ ନେଇ ସହରରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିବାବେଳେ ଜେଲ୍ ଛକରୁ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଲୋକାରଣ୍ୟ ପାଲଟିଥିଲା।

ଉଦ୍ଘାଟନୀ ଉତ୍ସବରେ ରାଜ୍ୟସଭା ସାଂସଦ ସୁଜିତ କୁମାର, କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସଚିନ ପାୱାର, ଯୋଜନା ଉପ ନିର୍ଦ୍ଦେଶକ ଶ୍ରୀକାନ୍ତ ଦଳେଇ, ଭବାନୀପାଟଣା ପୌରାଧ୍ୟକ୍ଷା ସଂଯୁକ୍ତା ବେହେରା ଅତିଥି ଭାବେ ଯୋଗଦେଇ ଜନସାଧାରଣକୁ ସମ୍ବୋଧନ କରିଥିଲେ। ରାହଗିରି ଉପ କମିଟିର ସଭାପତି ଡ. ଅଜୟ ମିଶ୍ର ସ୍ଵାଗତ ଅଭିଭାଷଣ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିବାବେଳେ ଆବାହକ ସଞ୍ଜୟ କୁମାର ଧନ୍ୟବାଦ ଅର୍ପଣ କରିଥିଲେ। ରାହାଗିରି ଉପକମିଟିର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ବାଲ ଗୋପାଳ ସେବା ନିକେତନର ଶିଳ୍ପୀମାନଙ୍କ ଦ୍ଵାରା ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଆଧାରିତ ବାଲୁକା କଳା, ପତଞ୍ଜଳି ଯୋଗ ସମିତି ଓ ଶାସ୍ତ୍ରୀଜୀ ଶିକ୍ଷା ନିକେତନର ଛାତ୍ରଛାତ୍ରୀଙ୍କ ଯୋଗ ପ୍ରଦର୍ଶନ, ବିଭିନ୍ନ କଳାକାରଙ୍କ ଦ୍ଵାରା ପ୍ରସ୍ତୁତ ରଙ୍ଗୋଲି, ୮୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ଚିତ୍ରକଳା ପ୍ରଦର୍ଶନ, ବିକାଶ ଶିକ୍ଷାନୁଷ୍ଠାନର ସଙ୍ଗୀତ ପରିବେଷଣ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଶିଶୁଙ୍କ ଓଡିଶୀ, ହାଇଟେକ୍ ପବ୍ଲିକ ସ୍କୁଲର ସମର କଳା ଉଶୁ ଓ ସେଖ ମୁନୱାର ଓ ସହଯୋଗୀଙ୍କ ତାଇକୁଣ୍ଡୁ, ବ୍ୟାଡମିଣ୍ଟନ ଏସୋସିଏସନ ଦ୍ଵାରା ଆୟୋଜିତ ବ୍ୟାଡମିଣ୍ଟନ ଖେଳରେ ଜନ ସାଧାରଣଙ୍କ ଅଂଶଗ୍ରହଣ, ବିଭିନ୍ନ ଅନୁଷ୍ଠାନର କଳାକାରଙ୍କ ନୃତ୍ୟ ପ୍ରଦର୍ଶନ, ଇଶ୍ଵର ରାଓଙ୍କ ଘୁଡକା ନୃତ୍ୟ, ପ୍ରଭୃତି ଆକର୍ଷଣୀୟ ଓ ରଙ୍ଗାରଙ୍ଗ ସାଂସ୍କ୍ରୁତିକ କାର୍ଯ୍ୟକ୍ରମକୁ ବହୁ ସଂଖ୍ୟାରେ ଦର୍ଶକ ଓ କଳାପ୍ରେମୀ ଉପଭୋଗ କରିଥିଲେ।

ଶତାଧିକ ବରିଷ୍ଠ ନାଗରିକଙ୍କ ସମେତ ଶିଶୁ ଓ ଯୁବକ ଯୁବତୀଙ୍କ ରେମ୍ପ ସୋ, ଅନୁପ ଶତପଥୀଙ୍କ ଯାଦୁକଳା ପ୍ରଦର୍ଶନ, ବ୍ୟଙ୍ଗକବିମାନଙ୍କ ଦ୍ଵାରା କବିତା ପାଠୋତ୍ସବ, ବିଳମ୍ବିତ ରାତି ଯାଏଁ ହଜାର ହଜାର ଦର୍ଶକଙ୍କୁ ବାନ୍ଧି ରଖିଥିଲା। ସେହିପରି ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ଓ କାର୍ଯ୍ୟକ୍ରମରେ ହାଇଟେକ ପବ୍ଲିକ ସ୍କୁଲ, ଗାୟତ୍ରୀ ବିଜ୍ଞାନ ମହାବିଦ୍ୟାଳୟ, ବିକାଶ ଶିକ୍ଷାନୁଷ୍ଠାନ, ପ୍ରଗତି ମହାବିଦ୍ୟାଳୟ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, କେନ୍ଦ୍ରୀୟ ବିଦ୍ୟାଳୟ, ବୃନ୍ଦାବନ ସ୍ମାର୍ଟ ସ୍କୁଲ, ଶାସ୍ତ୍ରୀଜି ଶିକ୍ଷା ନିକେତନ ପ୍ରଭୃତି ଶିକ୍ଷାନୁଷ୍ଠାନମାନଙ୍କ ଛାତ୍ରଛାତ୍ରୀମାନେ ସାମିଲ ହୋଇ ସକ୍ରିୟ ଅଂଶଗ୍ରହଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

କଳାହାଣ୍ଡି ଉତ୍ସବ ଦ୍ଵିତୀୟ ଦିନ: ବଜାଶାଲ, ଘୁମୁରାର ତାଳେ ଦୁଲୁକିଲା ସହିଦ ରେଣ୍ଡୋ ମାଝୀ ମଞ୍ଚ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ରାଜ୍ୟ ଓ ରାଜ୍ୟ ବାହାରର କଳା ଓ କଳାକାରମାନଙ୍କ ମହା ସମାବେଶ ହେଉଛି କଳାହାଣ୍ଡି ଉତ୍ସବ ‘ଘୁମୁରା’। ଜିଲ୍ଲାରୁ ପ୍ରବହମାନ ଏଇ ସାଂସ୍କୃତିକ ଧାରା ସାରା ରାଜ୍ୟ ତଥା ଦେଶକୁ ଯୋଡ଼ି ରଖିବାରେ ସଫଳ ହୋଇପାରିଛି ବୋଲି କଳାହାଣ୍ଡି ଉତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।

ଦ୍ବିତୀୟ ସନ୍ଧ୍ୟାର ଗୁରୁତ୍ୱପୂର୍ଣ୍ଣ ସମାରୋହ ସହିଦ ରେଣ୍ଡୋ ମାଝୀ ମଞ୍ଚରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଯୋଗ ଦେଇଥିବାବେଳେ ବିଶିଷ୍ଟ ଅତିଥି ଭାବେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଂପାଦକ ପ୍ରବୋଧ କୁମାର ରଥ, ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଧୀରା ମେହେର, ଭବାନୀପାଟଣା ପୌର ପରିଷଦର ଉପାଧ୍ୟକ୍ଷ ବିଷ୍ଣୁ ପ୍ରଧାନ, ଜୁନାଗଡ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ମୁକେଶ ଅଗ୍ରୱାଲ, କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ନୃପରାଜ ଯାଦବ, ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି, ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି, ଥୁଆମୂଳ ରାମପୁର ବ୍ଲକ ଅଧ୍ୟକ୍ଷ ଦୟାନିଧି ମାଝୀ, କର୍ଲାମୁଣ୍ଡା ବ୍ଲକ ଅଧ୍ୟକ୍ଷା କୁନି ସାହୁ, ଜୟପାଟଣା ବ୍ଲକ ଅଧ୍ୟକ୍ଷ ଥବିର ବାଗ, କଲମପୁର ବ୍ଲକ ଅଧ୍ୟକ୍ଷା ମୋତି ବିହାରୀ, କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ଧର୍ମଗଡ ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଷୀ, ଜୁନାଗଡ ବ୍ଲକ ଅଧ୍ୟକ୍ଷା ସବିତା ମେହେର, ଭବାନୀପାଟଣା ସଦର ବ୍ଲକ ଅଧ୍ୟକ୍ଷ ପ୍ରଫୁଲ୍ଲ ସାହୁ, ମ. ରାମପୁର ବ୍ଲକ ଅଧ୍ୟକ୍ଷା ମନ୍ଦାକିନୀ ସିଂହଦେଓ, ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ସଚିନ ପାୱାର ପ୍ରମୁଖ ମଞ୍ଚାସୀନ ଥିଲେ।

କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଲୋକଗୀତ, ଘୁମୁରା, ମହାବୀର ସାଂସ୍କୃତିକ ଅନୁଷ୍ଠାନର ବଜାଶାଲ, ନୂପୁର, ମୃଣ୍ମୟୀ ସଂସ୍କୃତି ଅନୁଷ୍ଠାନ, ଶ୍ରୀ ଅରବିନ୍ଦ କଳା ବିକାଶ କେନ୍ଦ୍ର, ବଲାଙ୍ଗୀର ଦୁଲଦୁଲି କଳା ପରିଷଦ, ଜିଲ୍ଲା ସଂସ୍କୃତି ପରିଷଦ, କନ୍ଧମାଳ ଜିଲ୍ଲା ସଂସ୍କୃତି ପରିଷଦ, ଗଞ୍ଜାମର ମୁଖା ଓ ମୃଦଙ୍ଗ ନୃତ୍ୟ କଳା ସଂସଦ, ଭୁବନେଶ୍ୱରର ଗୁରୁ ବିଜୟ ଜେନା ଓ ସାଥୀ ଭଳି ରାଜ୍ୟର ବିଭିନ୍ନ ଲୋକକଳା ସହିତ ମଧ୍ୟପ୍ରଦେଶର ବଧେଇ ନୃତ୍ୟ, ମହାରାଷ୍ଟ୍ରର ଲାବଣୀ, ରାଜସ୍ଥାନର ମାନିଂହାର ଓ କାଲବେଲିଆ ଆଦି ନୃତ୍ୟ ପ୍ରଦର୍ଶିତ ହୋଇଥିଲା।

ଶେଷରେ ଗୀତକାର ଓ ଲୋକପ୍ରିୟ ଗାୟକ ସର୍ବେଶ୍ୱର ଭୋଇ ଏବଂ ସାଥୀଙ୍କ ଦ୍ୱାରା ସଙ୍ଗୀତ ପରିବେଷଣ ସହିତ ଲୋକେ ମତୁଆଲା ହୋଇ ଉଠିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମକୁ ଶୁଭେନ୍ଦୁ ମହାପାତ୍ର, ଲୋଚନୀ ବାଗ, ବିରଞ୍ଚି ନାରାୟଣ ମୁଣ୍ଡ, ସସ୍ମିତା ସିଂହ,ରାମେଶ୍ବର ତ୍ରିପାଠୀ, ସାବିତ୍ରୀ ମହାରଣା, ସୌରଭ ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ।

ସେହିପରି ଉତ୍ସବର ଦ୍ୱିତୀୟ ମଞ୍ଚ ପାରବା ମଞ୍ଚରେ ବିଭିନ୍ନ କଳାକାରଙ୍କ ପ୍ରଦର୍ଶନ ଲୋକଙ୍କୁ ଶୀତୁଆ ରାତିର ଆନନ୍ଦ ଆଣି ଦେଇଥିଲା। ପାରବା ମଞ୍ଚରେ ସୁଶୀଲ ଗହୀର, ଆଶୁତୋଷ ପୁରୋହିତ, ସ୍ନିଗ୍ଧାରାଣୀ ସିଂହ, ତଥାଗତ ମିଶ୍ର, ଆର୍ୟା ନାୟକ, ସସ୍ମିତା ରାଉତ ପ୍ରମୁଖ ମଞ୍ଚ ସଂଚାଳନ କରିଥିଲେ।

ଏଇ ଅବସରରେ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ କ୍ରୁତୀତ୍ବ ଅର୍ଜନ କରିଥିବା ପ୍ରତିଭାମାନଙ୍କୁ ପ୍ରଶଂସାପତ୍ର ସହିତ ସମ୍ମାନିତ କରାଯାଇଥିଲା। ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ସତ୍ୟବ୍ରତ ସାହୁ ଙ୍କ କଣ୍ଠ ରେ ଭଜନ ଓ ଏମିତି ରାତି ସେଜେ ଅଭୁଲା ସୃତି ଗୀତଟି ଉପସ୍ଥିତ ଲକ୍ଷାଧିକ ଦର୍ଶକଙ୍କ ମାନମୋହି ନେଇଥିଲା।

ତେବେ ଦ୍ଵିତୀୟ ଦିନ ର ଉଦଘାଟନୀ ଉତ୍ସବ ରେ ମଧ୍ୟ ଯେଉଁମାନେ କଳାହାଣ୍ଡି ଭାଷା କୁ ଘୃଣା କରନ୍ତି ସେମାନଙ୍କ ମଞ୍ଚ ପରିଚାଳନା ଯୋଗୁଁ କଳାହାଂଡିଆ ଭାଷା କୁ ଉପେକ୍ଷା ଘଟଣା ମୁଖ୍ୟ ଚର୍ଚ୍ଚା ର ବିଷୟ ହୋଇଛି। ସାମ୍ବାଦିକ ଗ୍ୟାଲେରୀ ରେ ସାମ୍ବାଦିକ ମାନଙ୍କୁ ଆସନ ନ ମିଳିବା ପ୍ରତିବାଦ ରେ ସାମ୍ବାଦିକ ମାନଙ୍କ ଗାନ୍ଧିଗିରି ତଳେ ବସି ପ୍ରତିବାଦ ଘଟଣା ଆୟୋଜନ କମିଟି , ପୋଲିସ ପ୍ରଶାସନ ଙ୍କ ମୁଣ୍ଡବ୍ୟଥା ପାଲଟି ଥିଲା। ଡ଼ିଏସପି ଓ ଟାଉନ ଥାନା ଅଧିକାରୀ ସାମ୍ବାଦିକ ମାନଙ୍କ ପାଖକୁ ଆସି ବୁଝାସୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣ ହୋଇଥିଲା।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର ସଂସ୍କୃତି

ଭବ୍ୟ ଆୟୋଜନ ସହ ଉଦଘାଟିତ ହେଲା କଳା, ସଂସ୍କୃତି ଓ ଐତିହ୍ୟର ମହାକୁମ୍ଭ କଳାହାଣ୍ଡି ମହୋତ୍ସବ ‘ଘୁମୁରା’

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ମାଟିର ପ୍ରାଚୁର୍ଯ୍ୟତା ଓ ପରିପୂର୍ଣ୍ଣତା ସଂପର୍କରେ ସାରା ଦୁନିଆ ଦେଖିବା ଆରମ୍ଭ କଲାଣି। ଆଜି ବିକାଶ ପଥରେ ଆଗେଇ ଚାଲିଥିବାବେଳେ ଜନଜୀବନର ଅଗ୍ରଗତି ଭଳି ଏ ଜିଲ୍ଲାର କଳା, ସଂସ୍କ୍ରୁତି ଓ ଐତିହ୍ୟ, ପରମ୍ପରାର ନିଖୁଣତା ବର୍ଷ ବର୍ଷ ଧରି ଦେଶ ଓ ବିଦେଶରେ ଆଦ୍ରୁତ ହୋଇଆସିଛି। ଆଜି ଜିଲ୍ଲାର ପ୍ରତ୍ୟେକ ମଣିଷ ନିଜ ନିଜର ଆତ୍ମସମୀକ୍ଷା କରିବା ସହିତ ଜିଲ୍ଲା ପ୍ରତି ନିଜର ଯୋଗଦାନ ସୁନିଶ୍ଚିତ କରିବାର ଆବଶ୍ୟକତା ରହିଛି।  କଳାହାଣ୍ଡି ଉତ୍ସବ ଘୁମୁରା କେବଳ ଉତ୍ସବ ନୁହେଁ ବରଂ କଳା, ସଂସ୍କ୍ରୁତି, ଐତିହ୍ୟ ଏବଂ ପରମ୍ପରାର ମହାକୁମ୍ଭ ବୋଲି ଆଜି ଅନୁଷ୍ଠିତ କଳାହାଣ୍ଡି ଉତ୍ସବର ଉଦଘାଟନୀ ସମାରୋହରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।

ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଲୋକସଭା ସାଂସଦ ବସନ୍ତ କୁମାର ପଣ୍ଡା, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ, ଧର୍ମଗଡ଼ ବିଧାୟକ ମୌଷୁଧୀ ବାଗ, ସଦର ବିଧାୟକ ପ୍ରଦୀପ କୁମାର ନାଏକଙ୍କ ପ୍ରତିନିଧି ମନୋଜ ସାହୁ, ଭବାନୀପାଟଣା ପୌର ପରିଷଦ ଅଧ୍ୟକ୍ଷା ସଂଯୁକ୍ତା ବେହେରା, ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅଭିଳାଷ ଜୀ, ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ସଚିନ ପାୱାର, ଅତିରିକ୍ତ ଜିଲ୍ଲାପାଳ ସୁଶାନ୍ତ କୁମାର ପଟେଲ, ଭବାନୀପାଟଣା ଉପଜିଲ୍ଲାପାଳ ଡ. ବିଶ୍ବଜିତ ଦାସ, ଜିଲ୍ଲା ସଂସ୍କ୍ରୁତି ଅଧିକାରୀ ଅର୍ପିତା ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ। ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ସତ୍ୟ ନାରାୟଣ ମହାପାତ୍ର ଉଦଘାଟନୀ ସଭାରେ ମଞ୍ଚ ପରିଚାଳନା କରିଥିବାବେଳେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପଟେଲ ସାମୁହିକ ଧନ୍ୟବାଦ ଅର୍ପଣ କରିଥିଲେ।

ଏଇ ଅବସରରେ କଳାହାଣ୍ଡି ଉତ୍ସବର ରୌପ୍ୟ ଜୟନ୍ତୀର ସ୍ମରଣିକା ‘କଳାଝରଣ’ ଓ ଜିଲ୍ଲାସ୍ତରୀୟ କବି ସମ୍ମିଳନୀର ମୁଖପତ୍ର ‘ନିଶାନ୍’ କୁ ଅତିଥିମାନେ ଉନ୍ମୋଚନ କରିଥିଲେ।  ଏହାସହିତ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ କ୍ରୁତୀତ୍ବ ଅର୍ଜନ କରିଥିବା ନଅଜଣ କୁନି ପ୍ରତିଭାଙ୍କ ସମେତ ଚାରିଜଣ ଘୁମୁରା କଳାକାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଦିନତମାମ ଅନୁଷ୍ଠିତ ଘୁମୁରା ପ୍ରତିଯୋଗିତାର ତିନୋଟି ଘୁମୁରା ଦଳକୁ ଅତିଥିମାନେ ପୁରସ୍କ୍ରୁତ କରିଥିଲେ।  ଶୁଭେନ୍ଦୁ ମହାପାତ୍ର ଓ ନମିତା ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡ଼ିଶୀ, ଘୁମୁରା, ବଜାଶାଲ, ଢେମସା, ସଖୀନାଚ, ବନାବାଡ଼ି, ମାନ୍ଦଲିଆ ଭଳି ରାଜ୍ୟର ବିଭିନ୍ନ ଅଞ୍ଚଳର ଲୋକକଳା ସହିତ ଆସାମର ବିହୁ, ଝାଡ଼ଖଣ୍ଡର ପାଇକିଆ, ମଧ୍ୟପ୍ରଦେଶର ବର୍ଦେଇ, ମହାରାଷ୍ଟ୍ରର ଲାବଣୀ, ରାଜସ୍ଥାନର ମାନିଂହାର ଓ କାଲବେଲିଆ ନ୍ରୁତ୍ୟ ପ୍ରଦର୍ଶିତ ହୋଇଥିଲା।

ଶେଷରେ ବିଖ୍ୟାତ ହାସ୍ୟ ଅଭିନେତା ପ୍ରଜ୍ଞାନ ଓଝା ଏବଂ ସାଥୀଙ୍କ ହାସ୍ୟ ଅଭିନୟକୁ ଲକ୍ଷାଧିକ ଦର୍ଶକ ବିଳମ୍ବିତ ରାତିଯାଏଁ ଉପଭୋଗ କରିଥିଲେ। ପ୍ରଥମ ଦିନରେ ୩୫୫ରୁ ଅଧିକ ଷ୍ଟଲରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। କଳାହାଣ୍ଡି ପୁଲିସ ପକ୍ଷରୁ ସାତ ପ୍ଲାଟୁନ ପୁଲିସ ଫୋର୍ସଙ୍କ ସମେତ ଅଗ୍ନିଶମ ବିଭାଗ, ଏନସିସି କ୍ୟାଡ଼େଟ୍ ଓ ସ୍ବେଚ୍ଛାସେବୀମାନେ ଶାନ୍ତିଶ୍ରୁଙ୍ଖଳା ରକ୍ଷା ଦାୟିତ୍ବରେ ନିୟୋଜିତ ଥିଲେ। ସାମ୍ୱାଦିକ ସମ୍ମିଳନୀ ରେ ବହୁ ଅତିଥି ଆସିବାର କୁହାଯାଇଥିଲେ ହେଁ ଅନେକେ ଆସିନଥିବା ଏବଂ ପ୍ରତ୍ୟେକ କମିଟିରେ ସେହି ପୁରୁଣା ସଭ୍ୟ ହିଁ ଦାୟିତ୍ୱ ରେ ରହୁଥିବା ବେଳେ ନୂଆ ତଥା ପ୍ରତିଭାବାନ ବ୍ୟକ୍ତିଙ୍କୁ ସାମିଲ କରାଯାଇ ପାରି ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା।

ବିଶେଷ କରି ଗ୍ରାମାଞ୍ଚଳ ରେ ଥିବା କଳାକାର ଓ ପ୍ରତିଭାଧର ମାନେ ଆଜି ୨୫ ବର୍ଷ ବିତି ଥିଲେ ମଧ୍ଯ ଅବହେଳିତ ହୋଇ ରହିଥିବା ଜିଲ୍ଲା ସାରା ଚର୍ଚ୍ଚା ହେବାରେ ଲାଗିଛି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

କଳାହାଣ୍ଡି ଲୋକମହୋତ୍ସବ ଘୁମୁରାର ମୂଲ୍ୟବୋଧ ହଜିଯାଉଥିବାର ଚର୍ଚ୍ଚା

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଲୋକ ମହୋତ୍ସବ ମାଧ୍ୟମରେ କଳାହାଣ୍ଡିର କୋଣ ଅନୁକୋଣରେ ଥିବା ପ୍ରତିଭାଧର ମାନଙ୍କୁ ଲୋକ ଲୋଚନକୁ ଆଣିବା ସହିତ କଳାହାଣ୍ଡିର ତୃଣମୂଳ ସ୍ତରରେ ଥିବା କଳାର ବିକାଶ ପାଇଁ ସମସ୍ତ ପ୍ରକାର ସୁଯୋଗ ସୃଷ୍ଟି କରିବା ପାଇଁ କଳାହାଣ୍ଡିର ଲୋକ ମହୋତ୍ସବର ପରିକଳ୍ପନା କରାଯାଇଥିବା ବେଳେ କଳାହାଣ୍ଡିର ବୀର ବାଦ୍ୟ ଘୁମୁରା ନାମରେ ନାମିତ କରାଯାଇଥିବା କୁହାଯାଉଥିଲା। କଳାହାଣ୍ଡି ଉତ୍ସବ କଳାହାଣ୍ଡିର ଲୋକ ଉତ୍ସବ ହେବାର ପରିକଳ୍ପନା କରାଯାଇଥିବା ବେଳେ ଆଜି ଆଉ ଲୋକ ଉତ୍ସବ ହୋଇ ରହି ନାହିଁ
ବୋଲି ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ହେବାରେ ଲାଗିଛି।

ଆଜି ଆଉ ଜିଲ୍ଲାର ଆଭ୍ୟନ୍ତରିଣ ଅଞ୍ଚଳର କଳାର ପୁନରୁତଥାନ ତ ହୋଇ ପାରୁନାହିଁ ନୂଆ ପୀଢି କୁ ସେଭଳି ସୁଯୋଗ ମଧ୍ୟ ମିଳି ପାରୁ ନ ଥିବାର କୁହା ଯାଉଛି। କଳାହାଣ୍ଡି ଲୋକଉତ୍ସବ ପାଳନ ଆରମ୍ଭ ହେବାର ପଚିଶ ବର୍ଷ ହୋଇଯାଇ ଥିଲେ ହେଁ କ୍ରମଶଃ ପୁରାତନ କଳା ସଂସ୍କୃତି ର ପୁନରୁତଥାନ ହେଉ ନ ଥିବା ଅଭିଯୋଗ ହେଉଛି।

ଦୀର୍ଘ ବର୍ଷ ହେବ ଜିଲ୍ଲାସ୍ତର ହେଉ କି ବ୍ଲକ ସ୍ତର ହେଉ କୌଣସି କମିଟିର ଅଦଳ ବଦଳ ହୋଇନ ଥିବା କିମ୍ବା ନୂଆ ସଭ୍ୟଙ୍କୁ ସାମିଲ କରାଯାଇ ନ ଥିବା କୁହା ଯାଉଛି। କିଛି ନିର୍ଦ୍ଧିଷ୍ଟ ଗୋଷ୍ଠୀ ମହୋତ୍ସବ ଆୟୋଜନର ମୂଳ ଉଦ୍ଦେଶ୍ୟର ବିଚ୍ୟୁତ କରିବାକୁ ଆପ୍ରାଣ ଉଦ୍ୟମ ଚଳାଇଥିବା ଲୋକେ ଅନୁଭବ କରୁଥିବା ଜଳ ଜଳ କରି ସୋସିଆଲ ମିଡ଼ିଆରେ ଦେଖାଯାଉଛି।

ପଂଚାୟତ ସ୍ତର ଠାରୁ ବ୍ଲକ ସ୍ତର ସବୁଠି ସେହି ଏକା ଅବସ୍ଥା ଦେଖାଯାଉଛି। ଜିଲ୍ଲା ସ୍ତରର ମହୋତ୍ସବ ଭବାନୀପାଟଣା ଓ ଧର୍ମଗଡ ଠାରେ ପାଳନ କରାଯାଉଥିବା ବେଳେ କେବଳ ଜୁନାଗଡ ଠାରେ ବ୍ଲକ ଓ ଏନ ଏ ସି ସ୍ତର ମହୋତ୍ସବ ଏକାଠି ପାଳନ କରାଯାଉଛି, ଯାହା ଫଳରେ ସେଠାରେ କେବଳ ସହରାଞ୍ଚଳ ବ୍ୟକ୍ତି ବିଶେଷଙ୍କ କବଜାରେ ସେହି ମହୋତ୍ସବ ପାଳନ କରାଯାଉଥିବା ବେଳେ ଗ୍ରାମାଞ୍ଚଳର ବ୍ୟକ୍ତି ବିଶେଷଙ୍କୁ ସାମିଲ କରାଯାଉ ନାହିଁ।

ଅନ୍ୟ ପକ୍ଷରେ କେଶିଙ୍ଗା ଠାରେ ସହରାଞ୍ଚଳ ସ୍ତରୀୟ ଉତ୍ସବ ସହିତ ବ୍ଲକ ସ୍ତର ରେ ସ୍ଵତନ୍ତ୍ର ଭାବେ ଗ୍ରାମାଞ୍ଚଳରେ କ୍ରମାନ୍ଵୟରେ ପାଳନ କରାଯାଉଥିବା ଦେଖାଯାଉଛି। ସେହିପରି ଧର୍ମଗଡ ଓ ଭବାନୀପାଟଣା ଠାରେ ସହରାଞ୍ଚଳ ସ୍ତରୀୟ, ବ୍ଲକ ସ୍ତରୀୟ ଏବଂ ଜିଲ୍ଲା ସ୍ତରୀୟ ଭାବେ ସ୍ଵତନ୍ତ୍ର ଉତ୍ସବ ପାଳନ କରାଯାଉ ଥିବା ଦେଖା ଯାଉଛି, ଯାହା ଦ୍ବାରା ପ୍ରତ୍ୟେକ ସ୍ତରର ଲୋକେ ସେହି ଉତ୍ସବ ପାଳନ କରିବାର ସୁଯୋଗ ପାଇ ପାରୁଥିବା କୁହଯାଉଛି।

ବିଗତ ଦୁଇ ବର୍ଷ ବନ୍ଦ ହେବା ପରେ ଚଳିତ ବର୍ଷ କଳାହାଣ୍ଡି ଉତ୍ସବ ୨୦୨୩ ଧୂମ ଧାମରେ ଜିଲ୍ଲାସାରା ପାଳନ କରାଯିବାକୁ ପ୍ରସାଶନ ଓ ସଂସ୍କୃତି ପରିଷଦ ନିଷ୍ପତି କରିଥିବା ବେଳେ ଗତ ୨୩ ତାରିଖ ଠାରୁ ପଂଚାୟତ ସ୍ତରରେ ଏହାର ଶୁଭାରମ୍ଭ ହୋଇଯାଇଛି। ଜିଲ୍ଲା ସ୍ତରରେ ଆଗାମୀ ୧୪ ତାରିଖ ଆରମ୍ଭ ହେବାର ସ୍ଥିର କରାଯାଇଛି। ଦୁଇ ବର୍ଷ ଉତ୍ସବ ଦେଖି ପାରି ନ ଥିବା ଲୋକେ ଉତ୍ସାହିତ ହୋଇ ଥିବା ବେଳେ ଆୟୋଜନରେ ଲୋକେ ସାମିଲ ହୋଇ ପାରୁ ନଥିବା ବେଳେ ଜିଲ୍ଲାର ଲୋକ ମହୋତ୍ସବରୁ ଲୋକଙ୍କ ଅଂଶୀଦାର ଉଭେଇ ଯାଉଥିବା ସୋସିଆଲ ମିଡ଼ିଆରେ ଚର୍ଚ୍ଚା ହେଉଛି। ମଞ୍ଚରୁ ଆରମ୍ଭ କରି ଆୟୋଜନ ସମସ୍ତ କ୍ଷେତ୍ର ରେ ରାଜନୀତି ହେଉଥିବା ଏବଂ ମହୋତ୍ସବ ଆଳରେ ଦଳୀୟ ରାଜନୀତି ହେଉଥିବା ସୋସିଆଲ ମିଡ଼ିଆରୁ ଜଣା ପଡିଛି। ଏପରିକି ଜୁନାଗଡ ଲଙ୍କେଶ୍ଵରୀ ମଞ୍ଚରେ ଅତିଥି ମାନଙ୍କ ଆସନ ପଛ ପଟେ ଏକ ବଡ ଏଲଇଡି ସ୍କ୍ରିନ ଲଗାଯାଇ ସେଥିରେ ନିର୍ଦ୍ଧିଷ୍ଟ ବ୍ୟବସାୟୀ ମାନଙ୍କ ବିଜ୍ଞାପନ ପ୍ରସାରିତ କରାଯାଇଥିବା ଦେଖା ଯାଇଛି।

କଳାହାଣ୍ଡି ଲୋକ ଉତ୍ସବରୁ ଏବେ ଲୋକ ଶବ୍ଦ ଉଭେଇ ଯାଇଥିବା କୁହଯାଉଛି। ପଂଚାୟତ ଠାରୁ ଆରମ୍ଭ କରି ବ୍ଲକ ତଥା ସହରାଞ୍ଚଳ ସବୁଠି ସେହି ଏକ ଅବସ୍ଥା। ମହୋତ୍ସବ ପାଳନ ଏବଂ ପରିଚାଳନା ଉଦ୍ଦେଶ୍ୟ ମୂଳକ ଭାବେ ନିର୍ଦ୍ଦିଷ୍ଟ ଗୋଷ୍ଠୀ ହାତରେ ରହିଥିବା କାରଣରୁ ସ୍ଥାନୀୟ ତଥା ଜିଲ୍ଲାର ଅନେକ ବୁଦ୍ଧିଜୀବି, ପ୍ରତିଷ୍ଠିତ କଳାକାର, ସମାଜସେବୀ, ଆଦି ସ୍ବାଭିମାନୀ ବ୍ୟକ୍ତି ବିଶେଷ ଏହି ଉତ୍ସବରୁ ଆପଣା ଛାଏ ଦୂରେଇ ରହୁଛନ୍ତି।

ଜିଲ୍ଲାର ବିଶିଷ୍ଟ ଶିକ୍ଷାବିତ, ଶିକ୍ଷାବିତ, ପ୍ରତିଷ୍ଠିତ ଚାଷୀ, ସ୍ବନାମ ଧନ୍ୟ କଳାକାର, ଗବେଷକ, ସାମ୍ବାଦିକ, ଡାକ୍ତର ଭଳି ସମାଜର ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କୁ ଅତିଥି କରିବା ତ ଦୂରର କଥା ସମ୍ମାନିତ କରାଯାଉ ନାହି, ଏପରିକି ଉତ୍ସବ ପାଇଁ ନିମନ୍ତ୍ରଣ ଖଣ୍ଡେ ଦିଆଯାଉନାହିଁ। ଅନ୍ୟ ପକ୍ଷରେ କଳାହାଣ୍ଡି ଉତ୍ସବ ଲୋକଙ୍କ ମହୋତ୍ସବ, ଅଞ୍ଚଳର ଲୋକ କଳା, ଲୋକ ସଂସ୍କୃତିର ଉତ୍ସବ କିନ୍ତୁ ଏଠାରେ ସ୍ଥାନୀୟ ଅଞ୍ଚଳର କଳାକାରଙ୍କୁ ଲୋକ ଲୋଚନକୁ ଆଣିବା ବଦଳରେ ବିଭିନ୍ନ ଅର୍କେଷ୍ଟ୍ରା ଦଳକୁ ସାମିଲ କରାଯାଉଛି। ଯେଉଁଠାରେ ସ୍ଥାନୀୟ ଲୋକନକୁ ସାମିଲ କରାଯାଉନାହି କିମ୍ବା ସ୍ଥାନୀୟ ଲୋକ କଳାକୁ ଗୁରୁତ୍ବ ଡିଆ ଯାଉ ନ ଥିବା ବେଳେ ଏହା କିପରି ଲୋକ ଉତ୍ସବ ବୋଲି ଲୋକେ ପ୍ରଶ୍ନ ଉଠାଇଛନ୍ତି। ଅନ୍ୟ ଅଞ୍ଚଳର ବିଭିନ୍ନ ଅର୍କେଷ୍ଟ୍ରା ଆଣିବା ବଦଳରେ ସ୍ଥାନୀୟ ଲୋକଙ୍କୁ ସାମିଲ କରିବା ସହିତ ସ୍ଥାନୀୟ କଳା ଓ ସଂସ୍କୃତିକୁ ଗୁରତ୍ବ ଦବକୁ ବିଭିନ୍ନ ମହଲରେ ଦାବି ହେଉଛି।