Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଚଣ୍ଡିଖୋଲରେ ୧୯,୬୦୦ କୋଟି ଟଙ୍କା ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିନିକିଆ ଓଡିଶା ଗସ୍ତରେ ଆସି ୧୯,୬୦୦ କୋଟିରୁ ଅଧିକ ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ପ୍ରକଳ୍ପଗୁଡିକ ଓଡିଶାର ଯାଜପୁର ଜିଲ୍ଲା ଚଣ୍ଡିଖୋଲଠାରେରେ ପାଇଁ ଦେଶବାସୀଙ୍କୁ ଉତ୍ସର୍ଗ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି ତୈଳ ଏବଂ ଗ୍ୟାସ, ରେଳପଥ, ସଡକ, ପରିବହନ, ରାଜପଥ ଏବଂ ପରମାଣୁ ଶକ୍ତି ପ୍ରଭୃତି।

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭଗବାନ ଜଗନ୍ନାଥ ଏବଂ ମା ବିରଜାଙ୍କ ଆଶୀର୍ବାଦରେ ଆଜି ଯାଜପୁର ଜିଲ୍ଲାର ଓଡିଶା ବିକାଶର ଏକ ନୂତନ ସ୍ରୋତ ପ୍ରବାହିତ ହେବାକୁ ଲାଗିଲା। ସ୍ବର୍ଗତ ବିଜୁ ପଟ୍ଟନାୟକର ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଦେଶ ବିଦେଶ ତଥା ଓଡିଶାରେ ତାଙ୍କର ଅଦଭୁତ ଅବଦାନକୁ ମନେ ପକାଇଥିଲେ।

ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ, ପରମାଣୁ ଶକ୍ତି, ସଡ଼କପଥ, ରେଳପଥ ଏବଂ ସଂଯୋଗ କ୍ଷେତ୍ରରେ ପ୍ରାୟ ୧୯,୬୦୦ କୋଟି ଟଙ୍କା ମୂଲ୍ୟର ମେଗା ବିକାଶ ପ୍ରକଳ୍ପର ଉଦ୍ଘାଟନ ତଥା ଭିତ୍ତିପ୍ରସ୍ତର ସ୍ଥାପନ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ଏହି ଅଞ୍ଚଳରେ ଶିଳ୍ପ କାର୍ଯ୍ୟକଳାପକୁ ବୃଦ୍ଧି କରିବ ଏବଂ ରୋଜଗାର ସୃଷ୍ଟି କରିବ। ଆଜିର ବିକାଶମୂଳକ ପ୍ରକଳ୍ପ ପାଇଁ ସେ ଓଡିଶାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବିକାଶ ଭାରତ ପାଇଁ ବର୍ତ୍ତମାନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆମ ସରକାରଙ୍କ ପ୍ରମୁଖ ଆଭିମୁଖ୍ୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଶକ୍ତି କ୍ଷେତ୍ରରେ ପୂର୍ବ ରାଜ୍ୟଗୁଡିକର ଦକ୍ଷତା ବୃଦ୍ଧି ପାଇଁ ପ୍ରୟାସ ବିଷୟରେ ସେ ଉଲ୍ଲେଖ କରିଛନ୍ତି। ଉତ୍ତରପ୍ରଦେଶ, ବିହାର, ଝାଡଖଣ୍ଡ, ପଶ୍ଚିମବଙ୍ଗ ଏବଂ ଓଡିଶା ପରି ପାଞ୍ଚଟି ବଡ଼ ରାଜ୍ୟରେ ଉର୍ଜା ଯୋଜନା ଅଧୀନରେ ପ୍ରାକୃତିକ ଗ୍ୟାସ ଯୋଗାଣ ପାଇଁ ପ୍ରମୁଖ ପ୍ରକଳ୍ପ ଚାଲିଛି।

ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶାର ପାରାଦୀପରୁ ପଶ୍ଚିମବଙ୍ଗର ହାଲଦିଆ ପର୍ଯ୍ୟନ୍ତ ୩୪୪ କିଲୋମିଟର ଲମ୍ବା ପାଇପଲାଇନ ଉଦ୍ଘାଟନ କରିଛନ୍ତି। ସେ ପାରାଦ୍ବୀପ ରିଫାଇନାରୀରେ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ ମୋନୋ ଏଥାଇଲନ୍ ଗ୍ଲାଇକଲ୍ ପ୍ରକଳ୍ପ ଏବଂ ପାରାଦୀପରେ ୦.୬ MMTPA LPG ଆମଦାନୀ ସୁବିଧା ମଧ୍ୟ ଉଦ୍ଘାଟନ କରିଛନ୍ତି। ଯାହା ପୂର୍ବ ଭାରତର ପଲିଷ୍ଟର ଶିଳ୍ପରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ। ଏହା ମଧ୍ୟ ଭଦ୍ରକ ଏବଂ ପାରାଦୀପରେ ଥିବା ଟେକ୍ସଟାଇଲ୍ ପାର୍କକୁ କଞ୍ଚାମାଲ ଯୋଗାଇବ।

ଆଜିର ଏହି ଉତ୍ସବ ଦେଶରେ ପରିବର୍ତ୍ତିତ କାର୍ଯ୍ୟ ସଂସ୍କୃତିର ପ୍ରତୀକ ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ ପୂର୍ବ ସରକାରଙ୍କ ତୁଳନାତ୍ମକ ଚିତ୍ର ଆଙ୍କିଥିଲେ। ସେ କହିଥିଲେ ଯେ, ପୂର୍ବ ସରକାର ପାରାଦ୍ବୀପ ରିଫାଇନାରୀର ଭତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ମଧ୍ୟ ତାହାକୁ କାର୍ଯ୍ୟକାରୀ କରିପାରି ନ ଥିଲେ। ହେଲେ ଏବର ସରକାର ସେ ସବୁ କମ ଦିନ ମଧ୍ୟରେ ସଂପୂର୍ଣ୍ଣ କରି ଦେଖାଇଦେଇଛି।

ସେ ପାରାଦୀପ – ହାଇଦ୍ରାବାଦର ଉଦଘାଟନ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ଗତକାଲି ତେଲେଙ୍ଗାନାର ସାଙ୍ଗାରେଡିରେ ପାଇପଲାଇନ ଏବଂ ତିନି ଦିନ ପୂର୍ବେ ପଶ୍ଚିମବଙ୍ଗର ଅରାମବାଗରେ ହାଲଡିଆରୁ ବାରୁନି ପର୍ଯ୍ୟନ୍ତ ୫୦୦ କିଲୋମିଟର ଲମ୍ବା ଅଶୋଧିତ ତୈଳ ପାଇପଲାଇନ ଉଦଘାଟିତ ହୋଇଛି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ର ସରକାର ଓଡିଶାରେ ଆଧୁନିକ ସଂଯୋଗ ଉପରେ ଧ୍ୟାନ ଦେଉଛନ୍ତି ଯାହା ଦ୍ବାରା ସ୍ଥାନୀୟ ସମ୍ବଳ ରାଜ୍ୟର ଅର୍ଥନୀତିକୁ ବୃଦ୍ଧି କରିବ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗତ ୧୦ ବର୍ଷ ମଧ୍ୟରେ ୩୦୦୦ କିଲୋମିଟର ଜାତୀୟ ରାଜପଥ ଏବଂ ରେଳ ବଜେଟକୁ ୧୨ ଗୁଣ ବୃଦ୍ଧି କରାଯାଇଛି।

ସେ ପ୍ରକାଶ କରିଛନ୍ତି ଯେ ରେଳ-ରାଜପଥ-ବନ୍ଦର ସଂଯୋଗରେ ଉନ୍ନତି ଆଣିବା ପାଇଁ ଯାଜପୁର, ଭଦ୍ରକ, ଜଗତସିଂହପୁର, ମୟୂରଭଞ୍ଜ, ଖୋର୍ଦ୍ଧା, ଗଞ୍ଜାମ, ପୁରୀ ଏବଂ କେନ୍ଦୁଝରରେ ଜାତୀୟ ରାଜପଥ ବିସ୍ତାର କରାଯାଉଛି। ସେ କହିଛନ୍ତି ଯେ ନୂଆ ଅନୁଗୁଳ ସୁକିଣ୍ଡା ରେଳ ଲାଇନ କଳିଙ୍ଗ ନଗର ଶିଳ୍ପାଞ୍ଚଳର ବିକାଶକୁ ସହାୟକ ହେବ।

ପ୍ରଧାନମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଆଜିର ବିକାଶମୂଳକ ପ୍ରକଳ୍ପ ପାଇଁ ନାଗରିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ଉତ୍ସବରେ ଓଡିଶାର ରାଜ୍ୟପାଳ ଶ୍ରୀ ରଘୁବର ଦାସ, ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଶେଶ୍ବର ଟୁଡୁ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ନବୀନ କି ମନ୍ତ୍ର ଜାଣିଛନ୍ତି କେଜାଣି, ଏଥର ମଧ୍ୟ ବିଜେଡି ସରକାରଙ୍କ ବିରୋଧରେ ମୋଦି ଚୁପ୍

ଭୁବନେଶ୍ବର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଗସ୍ତ ଶେଷ କରି ଫେରିଯାଇଛନ୍ତି। ସେ ଓଡିଶା ଆସିଲେ ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜନ କରିବେ ବୋଲି ଓଡିଶା ନେତାମାନେ ଯେଉଁ ଆଶା ରଖିଥିଲେ ତାହା ଧୂଳିସାତ ହୋଇଛି।

ପୁଣିଥରେ ହତାସ ହୋଇଛନ୍ତି ଓଡିଶା ବିଜେପି ନେତା। ମଞ୍ଚ ଉପରେ ସବୁ ନେତା ହାତ ଟେକି ଅନେଇ ବସିଥିଲେ। ଯଦି ଧାଡିଟିଏ ନବୀନ ସରକାରଙ୍କ ବିରୋଧରେ ମୋଦି କହିଦିଅନ୍ତି, ତେବେ ସେମାନେ ତାଳିମାରି ହୁଲୁସ୍ତୁଲ କରିଦେଇଥାଆନ୍ତେ।

ହେଲେ ଦୀର୍ଘ ଭାଷଣ ମଧ୍ୟରେ ମୋଦି କେବଳ କଂଗ୍ରେସ ସରକାରଙ୍କ ଧୋଇଲେ ସିନା ରାଜ୍ୟ ସରକାରଙ୍କ ବିରୋଧରେ ଗୋଟିଏ ପଦ ମଧ୍ୟ କହିଲେ ନାହିଁ। ଏପରିକି ଓଡିଶାରେ ଡବଲ ଇଂଜିନି ସରକାର ଚାଲିବ ବୋଲି ମଧ୍ୟ କହିଲେ ନାହିଁ। ଯାହା ଫଳରେ ବିଜେପି ନେତା ପୁରା ହତାସ ହୋଇଯାଇଛନ୍ତି। ସେମାନେ ମନେ ମନେ ଭାବୁଛନ୍ତି ଯେ, ନବୀନ କି ମନ୍ତ୍ର ଜାଣିଛନ୍ତି କେଜାଣି ମୋଦି କିଛି କହୁ ନାହାଁନ୍ତି।

ସରକାରୀ ସଭାରେ ମୋଦିଙ୍କୁ ପ୍ରଶଂସା କଲେ ନବୀନ

ଚଣ୍ଡିଖୋଲରେ ପ୍ରଥମେ ଆରମ୍ଭ ହୋଇଥିଲା ସରକାରୀ ସଭା। ଯେଉଁଥିରେ ପ୍ରାୟ କୋଡିଏ ହଜାର କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ ହୋଇଥିଲା। ଏହି ସଭାରେ ପ୍ରଧାନମନ୍ତ୍ରୀଙ୍କ ସହିତ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଶେଶ୍ବର ଟୁଡୁ ଉପସ୍ଥିତ ଥିଲେ।

ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବେଶ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, ମୋଦିଙ୍କ ଯୋଗୁଁ ଆଜି ଭାରର ବିକାଶ ହୋଇପାରିଛି। ଭାରତ ବର୍ତ୍ତମାନ ବିଶ୍ବରେ ପଞ୍ଚମ ବୃହତ ଅର୍ଥନୀତି ଦେଶ ହୋଇପାରିଛି। ଖୁବ ଶିଘ୍ର ଏହା ବିଶ୍ବରେ ତୃତୀୟ ହେବ। ମୋଦିଙ୍କ ପାଇଁ ଓଡିଶାର ମଧ୍ୟ ବିକାଶ ହୋଇଛି ବୋଲି କହିଥିଲେ। ସେହିପରି ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବୋଧନ କରିବା ବେଳେ କହିଥିଲେ ଯେ, ରାଜ୍ୟ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ରାଜନୈତିକ ସଭାରେ କେବଳ କଂଗ୍ରେସକୁ ବିରୋଧ ଓ ମୋଦି ଗ୍ୟାରେଣ୍ଟି

ସରକାରୀ ସଭାପରେ ଆରମ୍ଭ ହୋଇଥିଲା ବିଜେପିର ଦଳିୟ କାର୍ଯ୍ୟକ୍ରମ। ଯେଉଁଥିରେ ରାଜ୍ୟର ସମସ୍ତ ବିଧାୟକ, ସାଂସଦ ଏବଂ ନେତା ମଞ୍ଚରେ ସାମିଲ ଥିଲେ। ମଞ୍ଚକୁ ଆସିବା ପୂର୍ବରୁ ମୋଦି ଏକ ଗାଡିରେ ଲୋକଙ୍କ ଭିତରେ ହାତ ହଲେଇ ହଲେଇ ପ୍ରବେଶ କରିଥିଲେ। ଏହାପରେ ମଞ୍ଚକୁ ଯାଇ ସ୍ବାଗତ ସମ୍ବର୍ଦ୍ଧନା ପରେ ସିଧା ଭାଷଣ ଆରମ୍ଭ କରିଥିଲେ।

ମୋଦିଙ୍କ ଏହି ଭାଷଣରେ ସେ କେବଳ କଂଗ୍ରେସ ସରକାର କିଛି କରିପାରି ନ ଥିଲା ବୋଲି କହିଥିଲେ। ପାରଦ୍ବୀପ ରିଫାଇନାରୀ ପ୍ରକଳ୍ପ କଂଗ୍ରେସ ସରକାର ତାଙ୍କ ଶାସନ କାଳରେ କରିପାରିଲେ ନାହିଁ ବୋଲି ମୋଦି କହିଥିଲେ। ଏହାପରେ ସେ ବିକଶିତ ଭାରତ ଏବଂ ମୋଦି ଗ୍ୟାରେଣ୍ଟି ଉପରେ ନିଜର ଅଭିଭାଷଣ ରଖିଥିଲେ। ଏହାପରେ ଜୟ ଜଗନ୍ନାଥ, ଜୟ ମା ବିରଜା କହି ମଞ୍ଚ ଛାଡିଥିଲେ।

ତେବେ ନିର୍ବାଚନ ସମୟରେ ମୋଦି ଦୁଇଥର ଓଡିଶା ଗସ୍ତରେ ଆସିସାରିଲେଣି। ହେଲେ ସେ କେବେ ବି ନବୀନ ପଟ୍ଟନାୟକ କିମ୍ବା ତାଙ୍କ ବିଜେଡି ସରକାରଙ୍କୁ ପଦୁଟିଏ ମଧ୍ୟ ବିରୋଧ କରୁ ନାହାଁନ୍ତି। ଯାହାକୁ ନେଇ ଓଡିଶା ବିଜେପି ନେତାମାନେ ହତୋତ୍ସାହ ହେବାରେ ଲାଗିଛନ୍ତି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଆସିଲା ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମର ସୂଚନା, ପ୍ରଶାସନ ସ୍ତରରେ ସମୀକ୍ଷା ବୈଠକ 

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ  ନରେନ୍ଦ୍ର ମୋଦୀଙ୍କର ଆାଗାମୀ ମାର୍ଚ୍ଚ ୫ ତାରିଖରେ ଓଡିଶା ଗସ୍ତ କାର୍ଯ୍ୟକ୍ରମ ରହିଛି । ସେଦିନ ପ୍ରଧାନମନ୍ତ୍ରୀ ତେଲେଙ୍ଗାନା ରାଜ୍ୟରୁ କାର୍ଯ୍ୟକ୍ରମ ସାରି ସ୍ୱତନ୍ତ୍ର ବାୟୁସେନା ବିମାନ ଯୋଗେ ଅପରାହ୍ଣରେ ଭୁବନେଶ୍ୱର ବିମାନ ବନ୍ଦରରେ ଅବତରଣ କରିବେ।

ସେଠାରୁ ସେ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଯାତ୍ରା କରି ଏକ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ/ଲୋକାର୍ପଣ କରିବା ସହ ପରେ ପରେ ଏକ ସାଧାରଣ ସଭାରେ ଯୋଗଦେବେ। ସେଠାରୁ କାର୍ଯ୍ୟକ୍ରମ ସରିବା ପରେ ସେ ସଂଧ୍ୟାରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରି ବିମାନ ଯୋଗେ  କୋଲକାତା ଅଭିମୁଖେ ଯାତ୍ରା କରିବେ।

ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ପହଞ୍ଚି ଚଣ୍ଡିଖୋଲ ଯିବା ଓ ସେଠାରୁ କାର୍ଯ୍ୟକ୍ରମ ସାରି କୋଲକାତା ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବା ପର୍ଯ୍ୟନ୍ତ ଆନୁଷଙ୍ଗିକ ପ୍ରଶାସନିକ ପ୍ରସ୍ତୁତି ଓ ସୁରକ୍ଷା ସଂପର୍କିତ ପ୍ରଶାସନିକ ତଦାରଖ ବ୍ୟବସ୍ଥା ସଂପର୍କରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଆଜି ଲୋକସେବା ଭବନରେ ରାଜ୍ୟ ପ୍ରଶାସନ ତଥା ପୁଲିସ୍ ପ୍ରଶାସନର ବରିଷ୍ଠ ପଦାଧିକାରୀଙ୍କ ସହିତ ସବିଶେଷ ସମୀକ୍ଷା କରିଛନ୍ତି।

ବୈଠକରେ ଭୁବନେଶ୍ୱର ବିମାନ ବନ୍ଦରଠାରେ, ଚଣ୍ଡିଖୋଲ  ହେଲିପ୍ୟାଡ୍ ଏବଂ  କାର୍ଯ୍ୟକ୍ରମ ସ୍ଥଳକୁ  ପ୍ରଧାନମନ୍ତ୍ରୀଙ୍କୁ ପାଛୋଟି ନେବା ଓ ମେଲାଣି ଦେବା ସମୟରେ ସୁରକ୍ଷା ଓ ଆନୁଷଙ୍ଗିକ  ବ୍ୟବସ୍ଥା ସଂପର୍କରେ ଆଲୋଚନା କରାଯାଇଥିଲା।

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ତାଙ୍କର ଜରୁରୀକାଳୀନ ସାମୟିକ ରହଣି ବ୍ୟବସ୍ଥା,  ପ୍ରସ୍ତୁତ ହେବାକୁ ଥିବା ମଞ୍ଚର ସୁରକ୍ଷା ଯାଂଚ, କାରକେଡ୍ ବ୍ୟବସ୍ଥା, ଭିଭିଆଇପି ଯାତ୍ରା ସମୟରେ ବିଭିନ୍ନ ସେବା ପାଇଁ ଆବଶ୍ୟକ ଯାନ ବ୍ୟବସ୍ଥା, ବ୍ୟବହୃତ ହେବାକୁ ଥିବା ହେଲିକପ୍ଟରର  ନିରାପତ୍ତା, ଚିକିତ୍ସା ବ୍ୟବସ୍ଥା ପାଇଁ ଆମ୍ବୁଲାନ୍ସ ପ୍ରସ୍ତୁତି, କାର୍ଯ୍ୟକ୍ରମ ସ୍ଥଳ ନିକଟସ୍ଥ ଡାକ୍ତରଖାନାକୁ  ସ୍ୱତନ୍ତ୍ର ବ୍ୟବସ୍ଥା ସହ ପୂର୍ଣ୍ଣ ପ୍ରସ୍ତୁତି ରଖାଯିବା, ଭିଭିଆଇପିଙ୍କ ଦ୍ୱାରା ବ୍ୟବହୃତ ହେବାକୁ ଥିବା ସଡ଼କର ଆବଶ୍ୟକ ମରାମତି ଓ  ରକ୍ଷଣାବେକ୍ଷଣ, ପରିମଳ ବ୍ୟବସ୍ଥା, କାର୍ଯ୍ୟକ୍ରମ ସ୍ଥଳରେ ନିରବଚ୍ଛିନ୍ନ ବିଦ୍ୟୁତ ସରବରାହକୁ ନିଶ୍ଚିତ କରାଯିବା ସଂପର୍କରେ ବୈଠକରେ ବିଶଦ୍ ଭାବେ ଆଲୋଚନା କରାଯାଇଥିଲା।

କାର୍ଯ୍ୟକ୍ରମ ସ୍ଥଳରେ ଆବଶ୍ୟକ ଜେନେରେଟର ସୁବିଧା ସହ ୨ ଟି ଅତିରିକ୍ତ ଜେନେରେଟରର ସୁବିଧା କରିବା ଓ ପ୍ରତ୍ୟେକ ସ୍ଥାନରେ ଏହାକୁ ପରିଚାଳନା କରିବା ପାଇଁ ୨ ଜଣ ଅପରେଟର ମୁତୟନ  ନିଶ୍ଚିତ କରିବାକୁ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଛନ୍ତି । କାର୍ଯ୍ୟକ୍ରମ ସ୍ଥଳରେ ନିରବଚ୍ଛିନ୍ନ ପାନୀୟ ଜଳ ଯୋଗାଣ, ବେରିକେଡିଂ ବ୍ୟବସ୍ଥା,  ଆବଶ୍ୟକ ପାସ୍ ବ୍ୟବସ୍ଥା, ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ସୂଚନା ସରବରାହ ବ୍ୟବସ୍ଥା, ଅଗ୍ନିଶମ ସେବା ବ୍ୟବସ୍ଥା ଓ କେନ୍ଦ୍ର ସରକାରଙ୍କ ସ୍ୱରାଷ୍ଟ୍ର ବିଭାଗ ଏବଂ  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିୟମାବଳୀ ଅନୁସାରେ କୋଭିଡ୍ ଗାଇଡଲାଇନକୁ ଅନୁପାଳନ କରିବା ସଂପର୍କରେ ବୈଠକରେ ଆଲୋଚନା କରାଯାଇ ତଦନୁସାରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଭାବେ କରାଯିବା ପାଇଁ ରାଜ୍ୟ ଗୃହ ବିଭାଗ ତରଫରୁ ଏକ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକରିବ। ଆୟୋଜନ ତଥା ସୁରକ୍ଷା ଦୃଷ୍ଟିରୁ କାର୍ଯ୍ୟକ୍ରମ ତଥା ହେଲିପ୍ୟାଡ୍ ସ୍ଥଳକୁ ପୁର୍ବରୁ ଭଲଭାବେ ଯାଂଚ ଓ ଅନୁଧ୍ୟାନ କରିବାକୁ ସଂପୃକ୍ତ ପଦାଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଅନୁଷ୍ଠିତ ଏହି  ଉଚ୍ଚସ୍ତରୀୟ  ବୈଠକରେ ଅନ୍ୟମାନଙ୍କ ମଧ୍ୟରେ  ରାଜ୍ୟ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଂଜନ କୁମାର ସିଂ,  ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବୀର ବିକ୍ରମ ଯାଦବ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ  ବିଶାଳ କୁମାର ଦେବ, ବାଣିଜ୍ୟ ଓ ପରିବହନ ତଥା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ  ଊଷା ପାଢୀ,  ସୂଚନା ଓ ଲୋକ ସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ, ସ୍ୱାସ୍ଥ୍ୟ ବିଭାଗ କମିଶନର ତଥା ଶାସନ ସଚିବ ଶାଳିନୀ ପଣ୍ଡିତ, ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅରୁଣ କୁମାର ଷଡ଼ଙ୍ଗୀ, ଭୁବନେଶ୍ୱର-କଟକ ପୁଲିସ କମିଶନର ଶ୍ରୀ ସଂଜୀବ କୁମାର ପଣ୍ଡା, ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ

ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସମେତ ସଂପୃକ୍ତ ଅନ୍ୟ ବିଭାଗର ସଚିବ ଓ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ। ରାଜ୍ୟ ସ୍ୱରାଷ୍ଟ୍ର ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଡଃ. ସନ୍ତୋଷ ବାଲା ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ଓ ପ୍ରସ୍ତୁତି ସଂପର୍କରେ ବିଶଦ୍ ସୂଚନା ପ୍ରଦାନ କରିଥିଲେ। ଯାଜପୁର ଜିଲ୍ଲାପାଳ ଓ ଯାଜପୁର ଆରକ୍ଷୀ ଅଧିକ୍ଷକଙ୍କ ସମେତ ଜିଲ୍ଲା ପ୍ରଶାସନର ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଆଭାସୀ ମାଧ୍ୟମରେ ବୈଠକରେ ଯୋଗଦେଇ ବିଭିନ୍ନ ବ୍ୟବସ୍ଥା ସଂପର୍କରେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।