Categories
ଆଜିର ଖବର ରାଜ୍ୟ ଖବର

ବିଶିଷ୍ଟ ସାହିତ୍ୟିକ ଚନ୍ଦ୍ରଶେଖର ଦାସବର୍ମାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକପ୍ରକାଶ

ଭୁବନେଶ୍ୱର: ଗତକାଲି ବିଶିଷ୍ଟ ସାହିତ୍ୟିକ ଚନ୍ଦ୍ରଶେଖର ଦାସବର୍ମାଙ୍କ 78 ବର୍ଷ ବୟସରେ ପରଲୋକ ହୋଇଯାଇଛି। ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସା ହେଉଥିବା ବେଳେ ତାଙ୍କର ବିୟୋଗ ହୋଇଛି। ସେ ଭୁବନେଶ୍ବରର ନାଗେଶ୍ବରଟାଙ୍ଗିରେ ଥିବା ନିଜ ବାସଭାବନରେ ରହିଆସୁଥିଲେ। ସେ ଓଡିଆ ସାହିତ୍ୟ ଜଗତରେ ବେଶ ପରିଚିତ ବ୍ୟକ୍ତିତ୍ବ ଥିଲେ।

‘ସାରସନ୍ଦର୍ଭ’, ‘ଇନ୍ଦ୍ରଧନୁ’, ‘ମେଘୁଆ ଆକାଶ’, ‘ଉଜୁଡ଼ା ଘରର ନକ୍ସା’, ‘ସବୁରାସ୍ତା ଏକା ଏକା’, ‘ସମକାଳୀନ ଓଡ଼ିଆ କ୍ଷୁଦ୍ରଗଳ୍ପ’ ପରି ଏକାଧିକ ସଂକଳନ ମାଧ୍ୟମରେ ଓଡ଼ିଆ କଥାସାହିତ୍ୟକୁ ତାଙ୍କର ବିପୁଳ ଅବଦାନ ରହିଛି । ଜଣେ ଅନୁବାଦକ ଭାବେ ମଧ୍ୟ ତାଙ୍କର ବିଶେଷ ପରିଚୟ ଓ ପ୍ରତିଷ୍ଠା ଥିଲା ଓ ସେ ୧୯୯୯ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର ଲାଭ କରିଥିଲେ ।

ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଏବଂ ଉପସଭାପତି ଭାବେ ଦାୟିତ୍ୱ ନେଇ ଓଡ଼ିଆ ଭାଷା ସାହିତ୍ୟର ପ୍ରଚାରପ୍ରସାରରେ ସେ ବିଶେଷ ଭୂମିକା ନିର୍ବାହ କରିଥିଲେ । ଓଡ଼ିଆ ସାହିତ୍ୟଜଗତକୁ ତାଙ୍କର ଅତୁଳନୀୟ ଅବଦାନ ପାଇଁ ସେ ଚିରସ୍ମରଣୀୟ ରହିବେ । ତାଙ୍କର ବିୟୋଗରେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ସଂଜୟ ଦାସବର୍ମା ଶୋକ ପ୍ରକାଶ କରିଛନ୍ତି। ଏକ ଶୋକବାର୍ତ୍ତାରେ ଶ୍ରୀ ଦାସବର୍ମା କହିଛନ୍ତି ଯେ ବୃତ୍ତିରେ ଯନ୍ତ୍ରୀ ଥିଲେ ମଧ୍ୟ ତାଙ୍କ ପ୍ରବୃତ୍ତି ଥିଲା ସାରସ୍ୱତ ସାଧନା । ସ୍ୱର୍ଗତ ଚନ୍ଦ୍ରଶେଖରଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ତାଙ୍କ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି।