Categories
ଆଞ୍ଚଳିକ ଖେଳ

ଲିପୁନଙ୍କ ବିସ୍ପୋରକ ଶତକୀୟ ଇନିଂସ: ଭଞ୍ଜନଗରକୁ ହରାଇ ବାଲୁଗାଁ ଏକାଦଶ ହେଲା ଚମ୍ପିୟାନ

ଭଞ୍ଜନଗର/ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଭଞ୍ଜନଗରଠାରେ ଏକ ସୀମିତ ଓଭର କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦଯାପନ ହୋଇଯାଇଛି। ଭଞ୍ଜନଗର କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ ଟି ଟିମ ଅଂଶଗ୍ରହଣ କରିଥିବା ବେଳେ ଗତକାଲି ଏହାର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଏହି ଫାଇନାଲ ମ୍ୟାଚରେ ଘରୋଇ ଭଞ୍ଜନଗର ମା’ ବନଦୂର୍ଗା ଏକାଦଶ ବିରୋଧରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ଏକାଦଶ ଖେଳିଥିଲା। ଏଥିରେ ବାଲୁଗାଁ ଏକାଦଶ ବିଜୟୀ ହୋଇ ଚମ୍ପିୟାନ ହୋଇଥିଲା।

ତେବେ ଘରୋଇ ଦଳ ଟସ୍ ଜିତି ଭ୍ରମଣକାରୀ ଦଳ ବାଲୁଗାଁକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ବାଲୁଗାଁ ଏକାଦଶ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୨ ଓଭରରେ ଧୂଆଁଧାର ୧୮୫ ରନ ସଂଗ୍ରହ କରିଥିଲା। ଲିପୁନ ବିସ୍ପୋରକ ବ୍ୟାଟିଂ କରି ବ୍ୟକ୍ତିଗତ ୧୪୦ ରନ ସଂଗ୍ରହ କରିଥିଲେ। ଜବାବରେ ଘରୋଇ ଭଞ୍ଜନଗର ଦଳ ନିର୍ଦ୍ଧାରିତ ଓଭର ମଧ୍ୟରେ ମାତ୍ର ୧୪୦ ରନ ସଂଗ୍ରହ କରିପାରିଥିଲା। ଫଳରେ ବାଲୁଗାଁ ଏକାଦଶ ୪୫ ରନ ବ୍ୟବଧାନରେ ଏକ ବିରାଟ ବିଜୟ ହାସଲ କରି ଚମ୍ପିୟାନ ଘୋଷିତ ହୋଇଥିଲା।

ବାଲୁଗାଁ  ଏକାଦଶର ଯାଦୁକରୀ ବୋଲର ତଥା ଅଧିନାୟକ ରାକେଶ ୩ ଓଭର ବୋଲିଂ କରି ସର୍ବାଧିକ ୪ ଟି ୱିକେଟ ହାସଲ କରିଥିଲେ। ଯେଉଁଥିରେ ଭଞ୍ଜନଗର ଦଳକୁ ମାତ୍ର ୧୪୦ ରନରେ ବାଲୁଗାଁ ଏକାଦଶ ସୀମିତ ରଖିବାରେ ସମର୍ଥ ହୋଇଥିଲା। ଏହି ଫାଇନାଲ ମ୍ୟାଚର ଶ୍ରେଷ୍ଠ ଖେଳାଳି ସହ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ଭାବେ ଲିପୁନଙ୍କୁ ପୁରଷ୍କୃତ କରାଯାଇଥିଲା। ସେହିଭଳି ବାଲୁଗାଁ ଏକାଦଶର ଅଧିନାୟକ ରାକେଶଙ୍କୁ ଶ୍ରେଷ୍ଠ ଫିଲଡର ଭାବେ ପୁରଷ୍କୃତ କରାଯାଇଥିଲା।

ଉଲ୍ଲେଖ ଯୋଗ୍ୟ ଯେ, ଚିଲିକାର ଯୁବ ଖେଳାଳିଙ୍କୁ ନେଇ ଗଠିତ ଏହି ଟିମରେ ବହୁ ପ୍ରତିଭାସମ୍ପନ୍ନ ଖେଳାଳି ଭରି ରହିଥିବା ବେଳେ ଜିଲ୍ଲା ବାହାରକୁ ଯାଇ ବହୁ ଟୁର୍ଣ୍ଣାମେଣ୍ଟରେ ଚମ୍ପିୟାନ ହେଉଥିବା ଦେଖାଯାଉଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଡବ୍ଲୁଟିସି ଫାଇନାଲ ମ୍ୟାଚରେ ବର୍ଷା ଆଶଙ୍କା: ମ୍ୟାଚ ଡ୍ର’ ହେଲେ କେଉଁ ଦଳ ହେବ ଚମ୍ପିୟାନ, ଜାଣନ୍ତୁ ଆଇସିସିର ନିୟମ

ନୂଆଦିଲ୍ଲୀ: ୱାର୍ଲ୍ଡ ଟେଷ୍ଟ ଚମ୍ପିୟାନଶିପ ଫାଇନାଲ ମ୍ୟାଚରେ ବର୍ଷା ସମ୍ଭାବନା ଯୋଗୁଁ ଖେଳାପ୍ରେମୀମାନେ ଚିନ୍ତାରେ ପଡିଛନ୍ତି। ଇଂଲଣ୍ଡର ସାଉଥେମ୍ପଟନରେ ଲଗାତର ବର୍ଷା ଯୋଗୁଁ ପ୍ରଥମ ଦିନର ଖେଳ ବାଧାପ୍ରାପ୍ତ ହୋଇଛି।

ତେବେ ଆଗାମୀ ଦିନରେ ଆହୁରି ବର୍ଷା ହେବା ସମ୍ଭାବନା ଥିବାରୁ ଫାଇନାଲ ମ୍ୟାଚକୁ ନେଇ ଆଶଙ୍କା ବଢିଛି। ପ୍ରଥମ ଦିନ ଖେଳ ବାତିଲ ହୋଇଥିଲେ ମଧ୍ୟ ଆଉ ୫ ଦିନ ଖେଳ ବାକି ଅଛି। ଇଂଲଣ୍ଡ ଜଳବାୟୁର ସ୍ଥିତିକୁ ଦେଖି ପୂର୍ବରୁ ଆଇସିସି ଏହି ମ୍ୟାଚ ପାଇଁ ଆଉ ଏକ ରିଜର୍ଭ ଡେ’ ର ବ୍ୟବସ୍ଥା କରିଥିଲା। ଏହି ମ୍ୟାଚ ୧୮ ରୁ ୨୨ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ବେଳେ ୨୩ ତାରିଖଟି ରିଜର୍ଭ ଡେ’ ଭାବେ ଆଇସିସି ଘୋଷଣା କରିଥିଲା।

ଆଇସିସି ମୁତାବକ, ଯେତେବେଳେ ପ୍ରଥମ ୫ ଦିନରେ ମୋଟ ୩୦ ଘଣ୍ଟା ଖେଳାଯାଇପାରିବ ନାହିଁ, ସେତେବେଳ ଏହି ରିଜର୍ଭ ଡେ’ ର ବ୍ୟବହାର କରାଯାଇପାରିବ। ବର୍ତ୍ତମାନ ପ୍ରଥମ ଦିନର ଖେଳ ବାଧାପ୍ରାପ୍ତ ହୋଇଥିବାରୁ ଏହି ଦିନର ସମସ୍ତ ଓଭର ଭରଣ କରିବା ପାଇଁ ପ୍ରତ୍ୟେକ ଦିନ ଅତିରିକ୍ତ ଓଭର ଖେଳାଯିବ। ଏହାପରେ ମଧ୍ୟ ଅବଶିଷ୍ଟ ଖେଳ ପାଇଁ ରିଜର୍ଭ ଡେ’ ର ବ୍ୟବହାର କରାଯାଇପାରିବ।

ଏହାପରେ ଯଦି ମ୍ୟାଚ ଡ୍ର କିମ୍ବା ଟାଇ ରହେ, ତେବେ ଦୁଇ ଦଳକୁ ସଂଯୁକ୍ତ ବିଜେତା ଭାବେ ଘୋଷଣା କରାଯିବ। ଆଇସିସି ୱାର୍ଲ୍ଡ ଟେଷ୍ଟ ଚମ୍ପିୟାନଶିପ ଆରମ୍ଭ ହେବା ପୂର୍ବରୁ ଆଇସିସି ଏଭଳି ନିଷ୍ପତ୍ତି ୨୦୧୮ ମସିହା ଜୁନ ମାସରେ ନେଇଥିଲା।

Categories
ଆଞ୍ଚଳିକ

ବାଣପୁରରେ ପ୍ରଦୀପ ଓ ରଞ୍ଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ: ଚମ୍ପିୟାନ ହେଲା ବଉଳାବନ୍ଧ

ସୀତାରାମ ଅଗ୍ରୱାଲ

ବାଣପୁର: ମା’ ଶୁଳିଆ ଦେବୀ କ୍ଲବ(ତୋରସିଂହ) ଆନୁକୁଲ୍ୟରେ ଆଜି ୧୪ତମ ପ୍ରଦୀପ ଓ ରଞ୍ଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଆଜିର ଅନ୍ତିମ ଦିବସରେ ବିସିସି ବଉଳାବନ୍ଦ ଓ ଆଇଡିସିସି ସଲପଡିହ ମଧ୍ୟରେ ଖେଳାଯାଇଥିଲା।

ବଉଳାବନ୍ଦ ପ୍ରଥମେ ଟସ୍ ଜିତି ନିର୍ଦ୍ଧାରିତ ୧୫ ଓଭରରେ ୭ ଉଇକେଟ୍ ହରାଇ ୧୮୧ରନ କରିଥିଲା। ଜବାବରେ ସଲପଡିହ ଟିମ୍ ସମସ୍ତ ଉଇକେଟ୍ ହରାଇ ମାତ୍ର ୧୦୪ରନ କରିବାରେ ସକ୍ଷମ ହୋଇଥିଲା। ଏହି ମ୍ୟାଚ୍ ବଉଳାବନ୍ଦ ଅତି ସହଜରେ ଜିତି ଚମ୍ପିୟାନ ହୋଇଥିଲା।

 

ପରିଶେଷରେ ବିଜେତା ଦଳକୁ ୧୭ ହଜାର ୧ ଟଙ୍କା ସହ ଟ୍ରଫି ଓ ଉପ-ବିଜେତା ଦଳକୁ ୧୨ ହଜାର ୧ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା। ଆଜିର ଫାଇନାଲ ଦିବସରେ ମୁଖ୍ୟ ଅତିଥି ଭାବେ ଭେଟେଶ୍ଵର ପଞ୍ଚାୟତର ବିଜେଡ଼ି ସଭାପତି ବାବୁଲା ଦଳେଇ, ପୃଥ୍ୱୀରାଜ ଭୋଳ, ବିପିନ୍ ପ୍ରଧାନ, ଅଶୋକ ସ୍ବାଇଁ, ପ୍ରମୋଦ ଚମ୍ପତି, ଅଶୋକ ଭୋଳ, ଦୁର୍ଯୋଧନ ସ୍ବାଇଁ, ବିକ୍ରମ ଭୋଳ, ବିଜୟ ଚମ୍ପତି ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହିତ ଉଭୟ ଦଳକୁ ପୁରସ୍କୃତ କରିଥିଲେ।

ଆଜିର ଫାଇନାଲ ମ୍ୟାଚଟିକୁ ପରିଚାଳନା କରିଥିଲେ ଭିମା ନନ୍ଦ ଓ ଗଣେଶ ଭୋଳ। ମା’ ଶୁଳିଆ ଦେବୀ କ୍ଲବର ସମସ୍ତ ସଦସ୍ୟ ଓ ତୋରସିଂହ ଗ୍ରାମବାସୀଙ୍କ ସହଯୋଗରେ ୧୪ତମ ପ୍ରଦୀପ ଓ ରଞ୍ଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଟି ସଫଳ ହୋଇଥିଲା।

Categories
ଆଞ୍ଚଳିକ

ବାଣପୁର ୧୭ ତମ ସଞ୍ଜୟ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ଗଙ୍ଗାଧରପୁରକୁ ହରାଇ ବୋରିଗାଁ ହେଲା ଚମ୍ପିୟାନ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ବୋରିଗାଁ ଗ୍ରାମରେ ୧୭ ତମ ସଞ୍ଜୟ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ୮ ଟି ଦଳକୁ ନେଇ ଏହି ସଞ୍ଜୟ ସ୍ମାରକୀ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିଲା। ଏହି ସ୍ମାରକୀ ଟୁର୍ଣ୍ଣାମେଣ୍ଟକୁ  କ୍ରମାଗତ ୧୭ ବର୍ଷ ଧରି ବୋରିଗାଁ ଗ୍ରାମର କ୍ରିକେଟ କ୍ଲବ ଆୟୋଜିତ କରିଆସୁଛି। ପ୍ରତ୍ୟେକ ବର୍ଷ ଏହି ଟୁର୍ଣ୍ଣାମେଣ୍ଟ ସଞ୍ଜୟ କୁମାର ପାଇକରାୟଙ୍କ ସ୍ମୃତ୍ତିରେ ଆୟୋଜନ କରାଯାଉଛି। ସଞ୍ଜୟ ଏହି ଦଳର ଜଣେ ସଦସ୍ୟ ଥିଲେ ଏବଂ ଗ୍ରାମରେ ଜଣେ ପରୋପକାରୀ ଯୁବକ ଥିଲେ। ଦୁର୍ଭାଗ୍ୟବଶତଃ ସେ ବିଦେଶର ଏକ କମ୍ପାନୀରେ କାର୍ଯ୍ୟ କରୁଥିବା ବେଳେ ତାଙ୍କର ପରଲୋକ ହୋଇଥିଲା। ସଞ୍ଜୟ ମେମୋରିଆଲ କ୍ରିକେଟ କ୍ଲବ ସେହି ଦିନଠାରୁ  ତାଙ୍କର ସ୍ମୃତ୍ତି ଉଦ୍ଦେଶ୍ୟରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରି ଆସୁଛି।

ତେବେ ଏହି ଟୁର୍ଣ୍ଣାମେଣ୍ଟର ଅନ୍ତିମ ଦିନରେ ସଞ୍ଜୟ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ(ବୋରିଗାଁ) ସହିତ ଗଙ୍ଗାଧରପୁର ଦଳ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ବୋରିଗାଁ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ମାତ୍ର ୪ ଟି ୱିକେଟ ହରାଇ ୫୦ ରନ ସଂଗ୍ରହ କରିଥିଲା। କିନ୍ତୁ ଗଙ୍ଗାଧରପୁର ଦଳ ନିର୍ଦ୍ଧାରିତ ଓଭରରେ ମାତ୍ର ୪୪ ରନ କରିବାରେ ସକ୍ଷମ ହୋଇପାରିଥିଲା। ବୋରିଗାଁ ୬ ରନରେ ବିଜୟ ଲାଭ କରି ୧୭ ତମ ସଞ୍ଜୟ ସ୍ମାରକୀ ଟୁର୍ଣ୍ଣାମେଣ୍ଟର ଚମ୍ପିୟାନ ଘୋଷିତ ହୋଇଛି। ଆଜିର ଏହି ଫାଇନାଲ ମ୍ୟାଚରେ ଖୋର୍ଦ୍ଧା ଜିଲ୍ଲା ବିଜେପି ସମ୍ପାଦକ ବିଦ୍ୟୁତ କୁମାର କାଣ୍ଡି ଏବଂ ସମାଜସେବୀ ପ୍ରଭାକର ଦଳାଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ।

ଶେଷରେ ବୋରିଗାଁ ଦଳକୁ ବିଜେତା ଏବଂ ଗଙ୍ଗାଧରପୁର ଦଳକୁ ଉପବିଜେତା ଭାବେ ସମାଜସେବୀ ଶ୍ରୀ ଦଳାଇ ଟ୍ରଫି ପ୍ରଦାନ କରିବା ସହ ଫାଇନାଲ ମ୍ୟାଚର ଶ୍ରେଷ୍ଠ ଖେଳାଳି ଭାବେ ବିପିନ କୁମାର ବିଶ୍ଵାଳ ଏବଂ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ଭାବେ ପ୍ରଶାନ୍ତ ବିଶ୍ଵାଳ(ବାପି)ଙ୍କୁ ପୁରଷ୍କୃତ କରିଥିଲେ।