Categories
ବିଶେଷ ଖବର

୫-ଟି ଅଧ୍ୟକ୍ଷଙ୍କ ହିଞ୍ଜିଳି ଗସ୍ତ: ଆସନ୍ତା ଏକ ବର୍ଷ ମଧ୍ୟରେ ୯୯ ପ୍ରତିଶତ ଚାଷ ଜମିକୁ ଦିଆଯିବ ଜଳସେଚନ ସୁବିଧା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ଭି. କାର୍ତ୍ତିକେୟ ପାଣ୍ଡିଆନ୍ ଆଜି ହିଞ୍ଜିଳି ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିବା ସହିତ ଉନ୍ନୟନମୂଳକ କାର୍ଯ୍ୟ ଗୁଡିକର ସମୀକ୍ଷା କରିଛନ୍ତି। ଏହି ଅବସରରେ ହିଞ୍ଜିଳିବାସୀ ତାଙ୍କୁ ବିଭିନ୍ନ ସ୍ଥାନରେ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି ।

ଆଜି ଅପରାହ୍ନରେ ଶ୍ରୀ ପାଣ୍ଡିଆନ୍ ସର୍ବ ପ୍ରଥମେ ହିଞ୍ଜିଳିକାଟୁ ଗସ୍ତରେ ଯାଇ ପୋଚିଲିମା ଖମ୍ବେୟା ଦୋରା ଜୁନିୟର ବିଜ୍ଞାନ ମହାବିଦ୍ୟାଳୟର ରୂପାନ୍ତରୀକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏଥିପାଇଁ ୧୮୧.୨୩ ଲକ୍ଷ ଟଙ୍କା ବିନିଯୋଗ କରାଯାଇଛି। ଏହି ରୂପାନ୍ତର ଠିକ୍‌ ସମୟରେ ଶେଷ ହୋଇ ଥିବାରୁ  ସେ ଅଧିକାରୀ ମାନଙ୍କୁ ଧନ୍ୟବାଦ୍ ଦେଇଥିଲେ।

ସେହିଠାରୁ ସାରୁ ଛକ ଏବଂ ମକରଝୋଳ ଛକ ଦେଇ ଗସ୍ତ କରିବା ବେଳେ ବିପୁଳ ସଂଖ୍ୟାରେ ସ୍ଥାନୀୟ ବାସିନ୍ଦା ଉତ୍ସାହର ସହିତ ସ୍ବାଗତ ଜଣାଇଥିଲେ ।

ଶ୍ରୀ ପାଣ୍ଡିଆନ୍ ହିଞ୍ଜିଳିକାଟୁ ମିନି  ଷ୍ଟାଡିୟମ୍ ଠାରେ ହିଞ୍ଜିଳିକାଟୁ, ଶେରଗଡ ବ୍ଲକ୍ ଏବଂ ହିଞ୍ଜିଳିକାଟୁ ପୌରପରିଷଦ ଅଞ୍ଚଳ ସ୍ଥିତ ମହାବିଦ୍ୟାଳୟର ନୂଆ-ଓ କାର୍ଯ୍ୟକ୍ରମରେ ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ  । ସେହିଠାରୁ ବିଜୁ ପଟ୍ଟନାୟକ ଛକ ନିକଟରେ ସ୍ଥାପିତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ  । ଖଣ୍ଡରା ଛକ, ବୁରୁପଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଛକ, ମାରୁଡି ଛକ, ଗୋବିନ୍ଦପୁର, ପଥରାଭାଜି ଛକ, ସୁନାଥର ଛକ, ଶୋଳଷଳା ଛକ, ତାକରଡା, ଶେରଗଡ ଚାରିଛକ ଠାରେ ବିପୁଳ ସଂଖ୍ୟାରେ ସ୍ଥାନୀୟ ବାସିନ୍ଦା, ଲୋକପ୍ରତିନିଧି ଓ ସମର୍ଥକଗଣ ତାଙ୍କର ଏହି ଗସ୍ତକୁ ସ୍ବାଗତ ଜଣାଇ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ  ।

ଶେରଗଡସ୍ଥିତ ଗ୍ରାମ୍ୟ ଶିଳ୍ପ ପାର୍କ ଠାରେ ମିଶନ୍ ଶକ୍ତି ମା ମାନଙ୍କ ସହିତ ସେମାନଙ୍କ ଜୀବନ ଜୀବିକା  ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ  । ଗ୍ରାମ୍ୟ ଶିଳ୍ପ ପାର୍କର ରଣନୀତି ଓ ବିଭିନ୍ନ ସମସ୍ୟାର ସମାଧାନ କରି ଗ୍ରାମାଞ୍ଚଳରେ ବଜାର ଦ୍ବାରା ପରିଚାଳିତ ଜୀବିକା ସୁଯୋଗ ସମ୍ପର୍କରେ ସେ ଆଲୋଚନା କରିଥିଲେ  ।

ଉଦ୍ୟୋଗୀ ମାନଙ୍କୁ ଶିଳ୍ପ କ୍ଷେତ୍ରରେ ପ୍ରେରଣା, ଚାକିରୀ ସୁଯୋଗ ସୃଷ୍ଟି କରିବା ଏବଂ ରାଜ୍ୟର ଅର୍ଥ ନୈତିକ ଉନ୍ନତିର ବିକାଶ ଧାରା କିଭଳି ବୃଦ୍ଧି ହେବ ସେଥି ନିମନ୍ତେ ଉଦ୍ଦିଷ୍ଟ ଗ୍ରାମ୍ୟ ଶିଳ୍ପ ନିମନ୍ତେ ପ୍ରୋତ୍ସାହିତ କରିଥିଲେ  । ପୋଷାକ ତିଆରି କରିବା ୟୁନିଟ୍, ବଫେ କପ୍ ପ୍ଲେଟ୍ ପ୍ରସ୍ତୁତ ୟୁନିଟ୍, ଫୁଲଚାଷ, ବିୟୁଟି ପାର୍ଲର, ମକା ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍, ତୈଳ ଉତ୍ପାଦନ ୟୁନିଟ୍, ବେକରି ୟୁନିଟ୍, ଜୋତା ପ୍ରସ୍ତୁତ ୟୁନିଟ୍ ର କାର୍ଯ୍ୟରତ ସଭ୍ୟା ଏବଂ ଏହି କାର୍ଯ୍ୟରେ ଯୋଡି ହେବାକୁ ଯାଉଥିବା ସଭ୍ୟା ମାନଙ୍କ ସହିତ ଆଲୋଚନା କରିଥିଲେ  ।

ଶେରଗଡ ବ୍ଲକ୍ କାର୍ଯ୍ୟାଳୟ ଠାରେ   ଶେରଗଡ ଓ ହିଞ୍ଜିଳିକାଟୁ ବ୍ଲକ୍ ଅଞ୍ଚଳର ହିତାଧିକାରୀ କୃଷକ  ମାନଙ୍କ ସହିତ ସେମାନଙ୍କ ଚାଷ ଜମିରେ ଜଳ ଯୋଗାଣ ସମ୍ପର୍କରେ ଆଲୋଚନା କରିଥିଲେ  । ଚାଷୀ ମାନଙ୍କର ବୃହତ୍ତର ସ୍ୱାର୍ଥ ସାଧନ ତଥା ରୋଜଗାର ବୃଦ୍ଧି ଓ କର୍ମ ସଂସ୍ଥାନ ନିମନ୍ତେ ଅନ୍ୟ ରାଜ୍ୟକୁ ପଳାୟନ ରୋକିବା ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପ୍ରତି ଏକର ଜଳସେଚନ ସୁନିଶ୍ଚିତ କରାଇବା ପାଇଁ ଏକ ଯୁଗାନ୍ତକାରୀ  ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ସେ କହିଥିଲେ ।

ପ୍ରଥମ ପର୍ଯ୍ୟାୟରେ ଆସନ୍ତା ୧ ବର୍ଷ ମଧ୍ୟରେ ୧୮୬.୪୭ କୋଟି ଟଙ୍କା ବ୍ୟୟରେ ବିଭିନ୍ନ ଜଳସେଚନ ପ୍ରକଳ୍ପ ଜରିଆରେ ଜଳସେଚିତ ଜମିର ପରିମାଣ ୯୩୧୪ ହେକ୍ଟରରୁ ୧୪୧୭୩ ହେକ୍ଟର ଅର୍ଥାତ୍ ଶତକଡା ୫୯.୫୧ରୁ ୯୦.୫୬ ହେକ୍ଟର କୁ ବୃଦ୍ଧି ନିମନ୍ତେ ୬୬ଟି ପ୍ରକଳ୍ପ ମାଧ୍ୟମରେ ୨୧ଟି ଗ୍ରାମପଞ୍ଚାୟତ ଅଞ୍ଚଳରେ କାର୍ଯ୍ୟକାରୀ କରାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି  । ସେଥିମଧ୍ୟରୁ ବୃହତ୍ ଓ ମଧ୍ୟମ ଜଳସେଚନ ମାଧ୍ୟମରେ ୨୬୫୨ ହେକ୍ଟର, ହରଭଙ୍ଗୀ ଜଳସେଚନ ପ୍ରକଳ୍ପ ଦ୍ବାରା ଭୂତଳ ପାଇପ୍ ଲାଇନ୍ କ୍ଷୁଦ୍ର ଜଳସେଚନ ମାଧ୍ୟମରେ ୩୩ଟି ପ୍ରକଳ୍ପ, ବୃହତ୍ ଉଠା ଜଳସେଚନ ମାଧ୍ୟମରେ ୧୦୦୦ ହେକ୍ଟର ଓ ଉଠା ଜଳସେଚନ ୩୧ଟି ପ୍ରକଳ୍ପ ମାଧ୍ୟମରେ ୬୫୨ ହେକ୍ଟର ଜମିକୁ ଜଳସେଚନର ସୁବିଧା ଦିଆଯିବ। ସମୁଦାୟ ୨୧ଟି ଗ୍ରାମପଞ୍ଚାୟତ ଅଞ୍ଚଳରେ ଏହିସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଏହାଦ୍ଵାରା ଶେରଗଡ ବ୍ଲକର ପ୍ରାୟ ୧୦ ହଜାର ଚାଷୀ ଉପକୃତ ହୋଇପାରିବେ।

୨ୟ ପର୍ଯ୍ୟାୟରେ ଅବଶିଷ୍ଟ  ଜମିକୁ ବିଭିନ୍ନ ଉଠା ଜଳସେଚନ ଯୋଜନା ଦ୍ୱାରା ଜଳସେଚନ କରାଯାଇ ଶତ ପ୍ରତିଶତ ଲକ୍ଷ୍ୟ ଖୁବ୍ ଶୀଘ୍ର ହାସଲ କରାଯିବ ।

ସେହିପରି ହିଞ୍ଜିଳି ପଞ୍ଚାୟତ ସମିତି ଅନ୍ତର୍ଗତ ୧୪୪୭୦ ହେକ୍ଟର ଚାଷୋପଯୋଗୀ ଜମି ମଧ୍ୟରୁ ୧୩,୭୭୯ ହେକ୍ଟର ତଥା ୯୫.୨୨ ଶତକଡା ଅଂଶ ଜମି ବିଭିନ୍ନ ଉତ୍ସ ମାଧ୍ୟମରେ ଜଳ ସେଚିତ ହେଉଅଛି  । ଅବଶିଷ୍ଟ ୬୯୧ ହେକ୍ଟର ଚାଷ ଜମି ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୬୨୧ ହେକ୍ଟର ଜମିକୁ ବିଭିନ୍ନ ବିଭାଗ ଜରିଆରେ ତଥା ବୃହତ୍ ଓ ମଧ୍ୟମ ଜଳସେଚନ ଯୋଜନା ମାଧ୍ୟମରେ ୨୧୯ ହେକ୍ଟର, କ୍ଷୁଦ୍ର ଜଳସେଚନ ମାଧ୍ୟମରେ ୧୧୦ ହେକ୍ଟର ଓ ଉଠା ଜଳସେଚନ ମାଧ୍ୟମରେ ୨୯୨ ହେକ୍ଟର ଏହିପରି ମୋଟ ଶତକଡା ୯୯.୫୦ ଭାଗ ଅଂଶରେ ଜଳସେଚନ ଯୋଗାଇ ଦେବାପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମହୋଦୟ ନିର୍ଦ୍ଦେଶ ଦେଇଛନ୍ତି  ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ। ଏଥି ନିମନ୍ତେ ୨୦.୪୫ କୋଟି ବ୍ୟୟ କରାଯାଇ ମୋଟ ୧୩ ଗୋଟି ଗ୍ରାମପଞ୍ଚାୟତ ଅଞ୍ଚଳରେ ୩୭ଟି ପ୍ରକଳ୍ପ ଜରିଆରେ ଲକ୍ଷ୍ୟ ହାସଲ କରାଯିବ  । ଏହା ଦ୍ଵାରା ହିଞ୍ଜିଳି ବ୍ଲକର ପ୍ରାୟ ୨୦୦୦ ଚାଷୀ ଉପକୃତ ହେବେ। ଏହି କାର୍ଯ୍ୟ ଯେଭଳି ଉନ୍ନତ ମାନର ହେବ ଏବଂ ନିର୍ଦ୍ଧାରିତ ସମୟରେ ଶେଷ କରି କାର୍ଯ୍ୟକ୍ଷମ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ଶ୍ରୀ ପାଣ୍ଡିଆନ୍ ନିର୍ଦ୍ଦେଶ ଦେଇଥିଲେ  । ଉଭୟ ବ୍ଲକ୍‌ରେ ୨୦୭ କୋଟି ଟଙ୍କା ବ୍ୟୟରେ ୧୦୨ଟି ଜଳସେଚନା ପ୍ରକଳ୍ପ କରାଯିବ ବୋଲି ଶ୍ରୀ ପାଣ୍ଡିଆନଙ୍କ ସମୀକ୍ଷାରୁ ଜଣାଯାଇଛି।

ଶେରଗଡ ଠାରୁ ବ୍ରହ୍ମପୁର ଗସ୍ତ ମଧ୍ୟରେ ଅଲାରଗଡ ଛକ, ପିପିଏମ୍ ପୁର ଗ୍ରାମ୍ୟ ଛକ, ରଙ୍ଗୁଣୀ ପାଲି ଗ୍ରାମ୍ୟ ଛକ, ବଡଖଣ୍ଡି ଆବାସ କଲୋନୀ ଛକ, ସମରଝୋଳ କାଳୀ ମନ୍ଦିର ଛକ, କୁକୁଡାଖଣ୍ଡି ଛକ, ଫାଷ୍ଟ ଗେଟ୍ ଛକ, ବିଜୁ ପଟ୍ଟନାୟକ ପାର୍କ ଠାରେ ବିପୁଳ ସ୍ଥାନୀୟ ଜନ ସାଧାରଣ ଓ ଲୋକ ପ୍ରତିନିଧି ଶ୍ରୀ ପାଣ୍ଡିଆନଙ୍କ ଏହି ଗସ୍ତକୁ ସ୍ବାଗତ ଜଣାଇବା ସହିତ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ  ।

ଶ୍ରୀ ପାଣ୍ଡିଆନ୍ ବ୍ରହ୍ମପୁର ଠାରେ ଅବସ୍ଥିତ ମା’ ବୁଢୀ ଠାକୁରାଣୀ ମନ୍ଦିର ଗସ୍ତ କରିଥିଲେ  । ଓଡିଶା ସରକାରଙ୍କ ସ୍ଥାପତ୍ୟ ଓ କୀର୍ତ୍ତିରାଜିର ସୁରକ୍ଷା ନିମନ୍ତେ ଉଦ୍ଦିଷ୍ଟ କାର୍ଯ୍ୟକ୍ରମରେ ମା’ ବୁଢୀ ଠାକୁରାଣୀ ମନ୍ଦିରର ସର୍ବାଙ୍ଗୀନ ଉନ୍ନତି ସକାଶେ ୧୮.୯୧ କୋଟି ବ୍ୟୟରେ ମନ୍ଦିର ରେଖା ଦେଉଳ ଶୈଳୀରେ, ତିନିପାର୍ଶ୍ବ ମନ୍ଦିର ପିଢା ଦେଉଳ ଶୈଳୀରେ ନିର୍ମାଣ ହେବାକୁ ଥିବା କାର୍ଯ୍ୟ ଏବଂ ମୁଖ୍ୟ ଫାଟକର ନିର୍ମାଣ, ପୂଜାରୀ କକ୍ଷ, ଦୋକାନ ଗୃହ, ବହୁବିଧ ଗୃହର ନିର୍ମାଣ ସହିତ ପାରିପାର୍ଶ୍ବିକ ଉନ୍ନତି କିଭଳି କରାଯିବ ତାହା ସମୀକ୍ଷା କରି ଏହି କାର୍ଯ୍ୟ ଯଥାଶୀଘ୍ର ତ୍ବରାନ୍ବୀତ କରିବା ପାଇଁ ସଂପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ  ।

୫-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ଭି. କାର୍ତ୍ତିକେୟ ପାଣ୍ଡିଆନ୍  ଏହି ଗସ୍ତ ସମୟରେ ଜିଲ୍ଲାର ବହୁ ଲୋକ ପ୍ରତିନିଧି, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଙ୍କ ସମେତ ଜିଲ୍ଲାର ସମସ୍ତ ଜିଲ୍ଲା ସ୍ତରୀୟ ଓ ସଂପୃକ୍ତ ବିଭାଗୀୟ ଅଧିକାରୀଗଣ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ଟାଙ୍ଗୀ: ଚାଷ ଜମିରେ ହଳ କରୁଥିବା ବେଳେ ପ୍ରାଣ ହରାଇଲେ ଚାଷୀ, ମୃତ୍ୟୁର କାରଣ ଅସ୍ପଷ୍ଟ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଝରିଆ ଗ୍ରାମରେ ଚାଷ ଜମିରେ ହଳ କରୁଥିବା ବେଳେ ଆଜି ଜଣେ ଚାଷୀ ଗୁରୁତର ହୋଇପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରୀକ୍ଷା ନୀରିକ୍ଷା ପରେ ଡାକ୍ତର ଚାଷୀଙ୍କୁ ମୃତ ଘୋଷଣା କରିଥିଲେ।

ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ମୃତ ଚାଷୀଙ୍କର ନାମ ଅଜୟ ପଲାଇ ( ୪୩) ବୋଲି ଜଣାପଡିଛି। ବର୍ତ୍ତମାନ ଶବ ଜବତ କରି ତଦନ୍ତ କରୁଛି ପୋଲିସ୍।

ନିଜ ଚାଷ ଜମିରେ ଖରଡି ଧାନ ବୁଣିବା ପାଇଁ ଅଜୟ ଟ୍ରାକ୍ଟର ସହ ଧାନ ନେଇ ନିଜ ଚାଷ ଜମିକୁ ଯାଇଥିଲେ। ଚାଷ ଜମିରେ ହଳ କରିସାରି ଧାନ ବୁଣୁଥିବା ବେଳେ ସେ ହଠାତ୍ ଗୁରୁତର ହୋଇ ଅସୁସ୍ଥ ହୋଇ ପଡିଥିଲେ। ଅଜୟ ଜଣେ ଗରୀବ ଚାଷୀ ହୋଇଥିବାରୁ ତାଙ୍କ ପରିବାରକୁ ସରକାରୀ ସହାୟତା ଦେବାକୁ ସାଧାରଣରେ ଦାବି ହେଉଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବନ୍ୟାରେ ଚାଷ, ପ୍ରାଣୀସଂପଦ କ୍ଷୟକ୍ଷତିର ରିପୋର୍ଟ ଅଗଷ୍ଟ ୨୭ ସୁଦ୍ଧା ଦାଖଲ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଚଳିତ ବନ୍ୟାରେ ଖରିଫ ଫସଲର ସ୍ଥିତି ଏବଂ ମତ୍ସ୍ୟ ଓ ପ୍ରାଣୀ ସଂପଦର ସୁରକ୍ଷା ନିମନ୍ତେ ନିଆଯାଉଥିବା ପଦକ୍ଷେପ ଓ ବିଭିନ୍ନ ଜିଲ୍ଲାରେ ବନ୍ୟାର ସଦ୍ୟତମ ସ୍ଥିତି ସଂପର୍କରେ ଆଜି ଏକ ସମୀକ୍ଷା ବୈଠକ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ସମେତ ସମସ୍ତ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକବୃନ୍ଦ ଓ ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିବାବେଳେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଓ ଜିଲ୍ଲା ମତ୍ସ୍ୟ ଅଧିକାରୀମାନେ ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ଯୋଗଦେଇଥିଲେ।

ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ ଦ୍ୱାରା ଜାରି କରାଯାଇଥିବା ଏନ୍‌ଡିଆର୍‌ଏଫ୍‌/ଏସ୍‌ଡ଼ିିଆର୍‌ଏଫ୍‌ର ମାର୍ଗଦର୍ଶିକା ଅନୁସାରେ ବନ୍ୟା ପ୍ରଭାବିତ ଅଞ୍ଚଳରେ ଯୁଗ୍ମ ଫସଲ କ୍ଷୟକ୍ଷତିର ତୁରନ୍ତ ଆକଳନ ଆରମ୍ଭ କରି ଅଗଷ୍ଟ ୨୭ ତାରିଖ ସୁଦ୍ଧା ଦାଖଲ କରିବା ପାଇଁ କ୍ଷେତ୍ର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷ ପରିସ୍ଥିତିରେ ଯେଉଁଠାରେ ବନ୍ୟାଜଳ ଛାଡ଼ି ନଥିବ ଏବଂ କ୍ଷୟକ୍ଷତିର ଆକଳନ ସମ୍ଭବ ହେଉନଥିବ ସେ କ୍ଷେତ୍ରରେ ଅଗଷ୍ଟ ୩୦ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଏଥି ସହିତ କ୍ଷତିଗ୍ରସ୍ତ ଉଠା ଜଳସେଚନ ପଏଣ୍ଟଗୁଡ଼ିକର ରିପୋର୍ଟ ମଧ୍ୟ ଦାଖଲ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଥିଲେ। ବନ୍ୟା ପ୍ରଭାବିତ ଅଞ୍ଚଳରେ ସଅଳ କିସମର ଧାନ ବିହନର ଆବଶ୍ୟକତା ଏବଂ ଅଣଧାନ ଫସଲ ଯଥା ଡାଲି, ତୈଳବୀଜ, ପନିପରିବା ବିହନର ଆବଶ୍ୟକତା ଆକଳନ କରି ସଂପୃକ୍ତ ନିର୍ଦ୍ଦେଶାଳୟଗୁଡ଼ିକୁ ଜଣାଇବା ପାଇଁ କୁହାଯାଇଛି।

ବନ୍ୟା ଯୋଗୁଁ କୃଷି ସାମଗ୍ରୀ ବିହନ, ସାର ଏବଂ କୀଟନାଶକ ଔଷଧ ଗଚ୍ଛିତ ରଖିବାରେ କୌଣସି ଅସୁବିଧା ସଂପର୍କରେ ଅନୁଧ୍ୟାନ କରିବା ପାଇଁ କ୍ଷେତ୍ର ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବନ୍ୟା ପରିସ୍ଥିତିରେ ଫସଲରେ ରୋଗପୋକ ଲାଗିବାର ଆଶଙ୍କା ଥିବାରୁ ରୋଗପୋକ ନିରୀକ୍ଷଣ ଓ ନିୟନ୍ତ୍ରଣ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବାକୁ ବୈଠକରେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି ମତ୍ସ୍ୟସଂପଦର ସ୍ଥିତି ସଂପର୍କରେ ସମୀକ୍ଷା କରି ମଧୁରଜଳ ଓ କ୍ଷାରିପାଣିର ଜଳାଶୟର ଜଳସ୍ତରକୁ କମ କରିବା ଓ ଜଳାଶୟ ଚାରିପଟେ ନେଟ୍‌ ଲଗାଇବା ଆଦି ନିମନ୍ତେ ପଦକ୍ଷେପ ନିଆଯାଇଥିବାବେଳେ ବିଭାଗୀୟ ବରିଷ୍ଠ ଅଧିକାରୀମାନଙ୍କୁ ପ୍ରଭାବିତ ଜିଲ୍ଲାଗୁଡ଼ିକୁ ପ୍ରେରଣ କରାଯାଇଛି। ସମସ୍ତ ମାଛଧରା ଡଙ୍ଗାଗୁଡ଼ିକୁ ନିରାପଦ ସ୍ଥାନକୁ ଫେରାଇ ଆଣିବା ପାଇଁ ପଦକ୍ଷେପ ନିଆଯାଇଛି।

କଟକ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଜଗତସିଂହପୁର ଏବଂ ପୁରୀ ଜିଲ୍ଲାର ଉଭୟ ସରକାରୀ ଓ ବେସରକାରୀ ମତ୍ସ୍ୟ ଫାର୍ମଗୁଡ଼ିକର କ୍ଷୟକ୍ଷତିର ସଠିକ ଆକଳନ କରିବା ପାଇଁ କ୍ଷେତ୍ର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହିସବୁ ଜିଲ୍ଲାର ଜିଲ୍ଲା ମତ୍ସ୍ୟ ଅଧିକାରୀମାନେ ଅଧିକ କ୍ଷତିଗ୍ରସ୍ତ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରି କ୍ଷୟକ୍ଷତିର ଆକଳନ କରିବା ପାଇଁ ବୈଠକରେ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ କ୍ଷୟକ୍ଷତିର ରିପୋର୍ଟ ଅଗଷ୍ଟ ୨୭ ତାରିଖ ସୁଦ୍ଧା ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ପ୍ରାଣୀଧନର ସୁରକ୍ଷା କ୍ଷେତ୍ରରେ ଚିକିତ୍ସା ଓ ଟୀକାକରଣ ଆଦି କ୍ଷେତ୍ରରେ ୧୫ ଦିନ ପାଇଁ ୟୁଜର୍ସ ଫି ଛାଡ଼ କରାଯାଇଥିବାବେଳେ ପ୍ରଭାବିତ ଅଞ୍ଚଳରେ ଗୋଖାଦ୍ୟ ଯୋଗାଇ ଦିଆଯାଉଛି। ଅଦ୍ୟାବଧି ଓମ୍‌ଫେଡ୍‌ର ଗୋଖାଦ୍ୟ ପ୍ଲାଣ୍ଟରୁ ୮୨୨.୬୪ ମେଟି୍ରକ୍‌ ଟନ୍‌ ଗୋଖାଦ୍ୟ ଉଦ୍ଦିଷ୍ଟ ବ୍ଲକଗୁଡ଼ିକୁ ଯୋଗାଇ ଦିଆଯାଇଛି ଏବଂ ଅବଶିଷ୍ଟ ୪୧.୨୮ ମେଟି୍ରକ୍‌ ଟନ୍‌ ଗୋଖାଦ୍ୟ ପ୍ରେରଣ କରାଯାଇଛି।

ଅତିରିକ୍ତ ଗୋଖାଦ୍ୟର ବାସ୍ତବିକ ଆକଳନ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କ୍ଷେତ୍ର ଅଧିକାରୀମାନଙ୍କୁ କହିଥିଲେ। ବନ୍ୟା ପରବର୍ତ୍ତୀ ପରିସ୍ଥିତିରେ କୌଣସି ରୋଗ ବ୍ୟାପିବାକୁ ଏଡାଇବା ପାଇଁ ବ୍ୟାପକ ଚିକିତ୍ସା ଓ ଟୀକାକରଣ ଶିବିର ଆୟୋଜନ କରିବା ପାଇଁ କ୍ଷେତ୍ର ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।