Categories
ଜାତୀୟ ଖବର ଜୀବନ ଶୈଳୀ ବିଶେଷ ଖବର ରାଜ୍ୟ ଖବର

ଆସାମ ର ଚା’ ବଗିଚା ଓ ଓଡ଼ିଆ ଶ୍ରମିକଙ୍କ ଜୀବନ କାହାଣୀ

ଲକ୍ଷ୍ମୀପ୍ରିୟା ଓଝା

ଭାରତ ର ପୁର୍ବାଞ୍ଚଳରେ ସ୍ଥିତ ଆସାମ ତା’ର ପ୍ରାକୃତିକ ବନ ସମ୍ପଦ, ଗୋଟେ ସିଂଘ ଵାଲା ଗଣ୍ଡା, ତେଲ ଭଣ୍ଡାର, ଚା ବଗିଚାର ଅପୂର୍ବ ସବୁଜିମା ଏବଂ ସତୁରି ଦଶକରୁ ହିଂସ୍ରକ ଉଗ୍ରବାଦଗ୍ରସ୍ତ ଅଶାନ୍ତ ପ୍ରଦେଶ ଭାବରେ ପରିଚିତ। ସାତ ଭଉଣୀ ଭାବେ ପରିଚିତ ଆସାମ, ମେଘାଳୟ, ମଣିପୁର, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ, ତ୍ରିପୁରା ର ପ୍ରବେଶ ଦ୍ୱାର ଆସାମ ର ବ୍ୟବସାୟିକ କେଂଦ୍ର ଗୌହାଟୀ। ଆସାମ ଦି ଭାଗରେ ବିଭକ୍ତ, ଅପର (ଉପର) ଆସାମ ଓ ଲୋୟର (ତଳ) ଆସାମ। ଉପର ଆସାମ ର ମୁଖ୍ୟ ଉଦ୍ୟୋଗ, ଉତ୍ପାଦନ ଓ ବ୍ୟବସାୟ ହେଲା ଚା। ଇଂରେଜ ମାନଙ୍କର ଶାସନ ସମୟରେ ଆସାମ ରେ ଆରମ୍ଭ ହେଇଥିଲା ଚା ଚାଷ। ଆସାମ ର ଜଳବାୟୁ ଚା ଚାଷ ପାଇଁ ଯେ ଉପଯୋଗୀ ତାହା ଇଂରେଜ ମାନଙ୍କୁ ଜାଣିବାକୁ ଡେରି ହେଇ ନଥିଲା। ଥଣ୍ଡା ପାଣି ପାଗ ଯୋଗୁ ସାଧାରଣତଃ ଆସାମୀଜ ମାନେ କାମ କରିବାରେ ମନ୍ଥର।ତେଣୁ ସେମାନେ ଯେ ଚା ଚାଷ ପରି କଠିନ କାମ ପାଇଁ ଉପଯୁକ୍ତ ନୁହନ୍ତି , ତାହା ଜାଣି ପାରି ଇଂରେଜ ମାନେ ବେଙ୍ଗଲ, ବିହାର, ଓଡିଶାରୁ ଲୋକ ମାନଙ୍କୁ ବେଠି ଶ୍ରମିକ ଭାବରେ ଆଣି ଚା ଚାଷ ଆରମ୍ଭ କରିଥିଲେ।

ତନ୍ମଧ୍ୟ ରୁ ଓଡିଶା ର ଲୋକ ଥିଲେ ସର୍ବାଧିକ। ପରେ କିଛି ଲୋକ ରୋଜଗାର ଆଶା ରେ ଚା ବଗିଚାରେ କାମ କରିବାକୁ ଆସାମ ଆସିଥିଲେ। ଚା ଚାଷ ଆସାମ ରେ ହେଲେ ମଧ୍ୟ ଏହାର ମୁଖ୍ୟ ବ୍ୟବସାୟିକ କେଂଦ୍ର ଥିଲା କୋଲକତା। ଦେଶ ସ୍ୱାଧୀନ ହେଲା। ହେଲେ ଏମାନଂକୁ ସ୍ୱାଧୀନତା ମିଳିଲାନି। ଇଂରେଜ ମାନେ ଯିବା ପୂର୍ବରୁ କୋଲକତା ର ଵ୍ୟାପାରୀ ମାନଙ୍କୁ ଚା ବଗିଚା ସବୁ ବିକ୍ରି କରିଦେଇ ଗଲେ। ଏମାନଙ୍କ ଜୀବନ ଚକ୍ର ରେ କିଛି ପରିବର୍ତ୍ତନ ଆସିଲାନି।ଆଗରୁ ଇଂରେଜ ଓ ପରେ ବ୍ୟବସାୟୀ ମାନଙ୍କ ପାଇଁ ଗୋତି ଶ୍ରମିକ ପରି ଖଟିବାକୁ ଲାଗିଲେ। ପୂର୍ବ ପରି ଚା ବଗିଚା ଭିତରେ ଏମାନେ ଛୋଟ ଛୋଟ ଘରେ ରହୁଥିଲେ। ମାଲିକ ଦିନ ରାତି ସେମାନଙ୍କ ଠୁ କାମ ଆଦାୟ କରୁଥିଲେ ବିନା ମଜୁରୀ ଦେଇ। ସରକାରଙ୍କ ହସ୍ତକ୍ଷେପ ପରେ ସେମାନଙ୍କର ଶିକ୍ଷା ଓ ସ୍ୱାସ୍ଥ୍ୟ ର ବ୍ୟବସ୍ଥା ମାଲିକ ମାନେ କରିଥିଲେ। ହେଲେ ପାଣିପାଗ ର ଅସ୍ଥିରତା ଓ ଆତଙ୍କବାଦର ପ୍ରକୋପ ଯୋଗୁ ଧୀରେ ଧୀରେ ଚା ବଗିଚାଗୁଡିକ ବନ୍ଦ ବା କ୍ଷତିରେ ଚାଲିଲା।

ତେଣୁ କୋଲକାତା ଓ ମୁମ୍ବାଇରେ ବସିଥିବା ମାଲିକ ମାନେ ଶ୍ରମିକ ମାନଙ୍କର କଥା ଆଉ ବୁଝିଲେନି।ତଦ୍ୱାରା ସେମାନଙ୍କର ଅବସ୍ଥା ଆହୁରି ଖରାପ ହେବାକୁ ଲଗିଲା।ଅଶିକ୍ଷା, ଦରିଦ୍ରତା, ଅନ୍ଧବିଶ୍ୱାସ ନେଇ ଚା ବଗିଚାର ଅନ୍ଧାରି ଜୀବନ ଭିତରେ ସେମାନେ ଖୋଜୁଛନ୍ତି ଆଶ୍ୱାସନା ର ଆଲୋକ ଟିକିଏ। ଏକବିଂଶ ଶତାବ୍ଦୀରେ ତାଙ୍କ ପିଲାଙ୍କ ପାଇଁ ଗୋଟେ ଉନ୍ନତ ଜୀବନ। ଚା ବଗିଚା ବନ୍ଦ ହେଲା ପରେ ସେମାନଙ୍କର ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର ଆଦି କୌଣସି ଖବର ବୁଝୁନାହାଁନ୍ତି ଚା ମାଲିକ ମାନେ। ଏମିତିକି ଚା ବଗିଚା ଭିତରେ ଥିବା ବାଗାନି (ଚା ଶ୍ରମିକ) ମାନଙ୍କ ଘରେ ବିଜୁଳି ବି ନାହିଁ। ଦିନରେ ସୁନ୍ଦର ଦିଶୁଥିବା ଚା ବଗିଚା ,ଅନ୍ଧାରି ରାତିରେ କୌଣସି ଘଂଚ ଅରଣ୍ୟ ଠୁ ବି କମ ଭୟଙ୍କର ଲାଗେନି। ଦୀର୍ଘ ଦିନ ହେଲା ଆସାମ ରେ ରହିଲେ ମଧ୍ୟ ଚା ଶ୍ରମିକ ମାନେ ଏପର୍ଯନ୍ତ ଆସାମ ର ମୁଖ୍ୟଧାରା ରେ ମିଶି ପାରି ନାହାଂତି। ସେମାନକୁ “ବାଗାନି” (ବଗିଚାରେ କାମ କରୁଥିବା ଲୋକ) ବା “ଦେଶ କା ଲୋକ” ( ବାହାର ଦେଶର ଲୋକ) ହିସାବ ରେ ଗଣା ଯାଏ। ବହୁ ବର୍ଷ ଯାଏ ସେମାନଙ୍କର ଭୋଟ ଦେବାର ଅଧିକାର ବି ନଥିଲା। ମହିଳା ମାନେ ପରଘରେ ବାସନ ମାଜି ଆଉ ପୁରୁଷ ମାନେ ଚା ବଗିଚାରୁ କାଠ ସଂଗ୍ରହ କରି, ବିକ୍ରି କରି ଗୁଜୁରାଣ ମେଣ୍ଟାଇ ଥାନ୍ତି।ଓଡିଶା ର ଶ୍ରମିକ ମାନଂକୁ ଓଡିଶା ଫେରିବାର କୌଣସି ଉପାୟ ନାହିଁ।

ଏ ଭିତରେ ତିନି ପିଢ଼ି ବିତି ଗଲାଣି। ଯୁବ ପିଢିଙ୍କୁ ଜଣା ନାହିଁ ସେମାନେ ଓଡ଼ିଶାର କେଉଁ ପ୍ରାନ୍ତ ରୁ ଆସିଥିଲେ। ତାଛଡା ଓଡିଶା ଅପେକ୍ଷା ସେମାନଙ୍କର ଆସାମ ପାଇଁ ମୋହ ବେଶୀ।ପୁରୁଣା କାଳିଆ ବୁଢା ବୁଢ଼ୀ ଙ୍କୁ ଓଡିଶା ର କଥା କିଛି କିଛି ମନେ ଥିଲେବି , କୁଆଡେ ଯିବୁ ? କିଏ ଆମକୁ ଚିହ୍ନିବ? ଆଦି ପ୍ରଶ୍ନ ରୁ ସେମାନଙ୍କର ଅସହାୟତା ସ୍ପଷ୍ଟ ବାରି ହେଇ ପଡେ।ଆସାମ ର ଆସେମ୍ବ୍ଲି ରେ ବହୁ ଓଡ଼ିଆ ମଂତ୍ରୀ ଆଉ ଉଚ୍ଚପଦସ୍ଥ ଅଧିକାରୀ ମାନେ ଅଛନ୍ତି। ହେଲେ ଆଜି ଯାଏ ଏମାନଙ୍କର ଅସହାୟତା ଓ ଦୁର୍ଦଶା ଆସାମ ବା ଓଡିଶା ସରକାର ବା କୌଣସି ସ୍ଵୟଂସେବୀ ସଂସ୍ଥା ର ନଜର ରେ ପଡିନି। ହେଲେ ଦିନେ ନା ଦିନେ ସେମାନଙ୍କର ଉପରେ ସମସ୍ତଙ୍କର ନଜର ପଡିବ ଓ ସେମାନଙ୍କର ଜୀବନର ମାନଦଣ୍ଡ ଉନ୍ନତ ହେବ, ସେହି ଅଶାର ଦୀପକ ଜଳାଇ ଓଡିଶା ର ସନ୍ତାନ ଆଉ ଆସାମ ର ବାଗାନି ବିସ୍ତୃତ ଚା ବଗିଚାର ଅନ୍ଧାରି ମୁଲକ ରେ ଆଲୋକର ପ୍ରତୀକ୍ଷାରେ ଦିନ ଅତିବାହିତ କରୁଛନ୍ତି।

(ଲକ୍ଷ୍ମୀପ୍ରିୟା ଓଝା ,ବରୋଦା, ଗୁଜୁରାଟରେ ରହୁଥିବା ଜଣେ ଓଡିଆ ଲେଖିକା। ସେ ଦୀର୍ଘ ବର୍ଷ ଧରି ଆସାମରେ ଥିଲେ)

Categories
ଆଜିର ଖବର ଜାତୀୟ ଖବର

ଚା’ ବଗିଚାରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଜନ ବର୍ଲା ହେଲେ କେନ୍ଦ୍ରମନ୍ତ୍ରୀ: ଶିକ୍ଷାଗତ ଯୋଗ୍ୟତା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ମୋଦୀ କ୍ୟାବିନେଟରେ ଜନ ବର୍ଲାଙ୍କୁ ସଂଖ୍ୟାଲଘୁ ସମ୍ପ୍ରଦାୟର ରାଜ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ଦିଆଯାଇଛି। ଅଲିପୁରଦ୍ଵାରରୁ ବିଜେପି ସାଂସଦ ଜନ ବର୍ଲାଙ୍କ ବ୍ୟକ୍ତିଗତ ଜୀବନର କାହିଣୀ ଏକ ଅଦ୍ଭୁତ ଏବଂ ଅସାଧାରଣ ଅଟେ। କିଛି ବର୍ଷ ପର୍ଯ୍ୟନ୍ତ ସେ ଚା ବଗିଚାରେ ଶ୍ରମିକ ଭାବେ କାମ କରୁଥିଲେ।

ଏକ ସାଧାରଣ ପରିବାରରେ ଜନ୍ମ ହୋଇଥିବା ବର୍ଲାଙ୍କ ପିତାଙ୍କ ନାମ ଥୋମସ ବର୍ଲା ଅଟେ। ପଶ୍ଚିମବଙ୍ଗ ଜଲପାଇଗୁଡି ଜିଲ୍ଲା ଅନ୍ତର୍ଗତ ବନାରହାଟ ଲକ୍ଷ୍ମୀପାରା ଚା’ ବଗିଚାରେ ସେ ରହୁଥିଲେ। ଏଭଳି କି ମହାବୀର ହିନ୍ଦୀ ହାଇସ୍କୁଲରେ ଜନ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢିପାରିଥିଲେ। ଅର୍ଥର ଘୋର ଅଭାବ ଯୋଗୁଁ ପାଠ ପଢା ଅଷ୍ଟମ ଶ୍ରେଣୀରେ ଛାଡି ଦେଇଥିଲେ ଏବଂ ଚା’ ବଗିଚାରେ କାମ କରିଥିଲେ। ୨୦୦୭ରେ ଚା’ ବଗିଚାରେ ଜନ ଅସ୍ଥାୟୀ ଡ୍ରାଇଭର ଭାବେ କାର୍ଯ୍ୟ କଲେ। ଦିନ ମଜୁରିଆ ଭାବେ ତାଙ୍କୁ ଦରମା ମିଳୁଥିଲା। କିନ୍ତୁ ରାଜନତୀରେ ରୁଚି ରଖିଥିବା ଜନ ୨୦୦୭ ମସିହାରେ ଗୋରଖାଲ୍ୟାଣ୍ଡ ଆନ୍ଦୋଳନରେ ସାମିଲ ହୋଇଗଲେ।

ଧୀରେ ଧୀରେ ସେ ଆଦିବାସୀ ଅଞ୍ଚଳର ଜଣେ ବଡ ନେତା ଭାବେ ପରିଚିତ ହୋଇଗଲେ। ଏହାପରେ ତରାଇ ଡୁଅର୍ସ କୋର୍ଡିନେସନ କମିଟିର ଅଧ୍ୟକ୍ଷ ଭାବେ ତାଙ୍କୁ ଆଦିବାସୀ ବିକାଶ ପରିଷଦ ମନୋନୀତ କରିଥିଲା। ତା’ପରେ ୨୦୧୪ ମସିହାରେ ଜନ ବିଜେପିରେ ସାମିଲ ହୋଇଥିଲେ। ୨୦୧୯ରେ ବିଜେପି ପ୍ରାର୍ଥୀ ଭାବେ ଲୋକସଭା ନିର୍ବାଚନ ଲଢି ଆଲିପୁରଦ୍ଵାର ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।

ଉଲ୍ଲେଖ ଯୋଗ୍ୟ ଯେ, ଗତ କୀଚଚି ଦିନ ତଳେ ଜନ ବର୍ଲା ଚର୍ଚ୍ଚାକୁ ଆସିଥିଲେ। ସେ ଉତ୍ତର ପଶ୍ଚିମବଙ୍ଗକୁ ପଶ୍ଚିମବଙ୍ଗ ଠାରୁ ପୃଥକ କରି ଅଲଗା ରାଜ୍ୟ କରିବା ପାଇଁ ଦାବି କରିଥିଲେ। ତୃଣମୂଳ କଂଗ୍ରେସ ପକ୍ଷରୁ ଜନଙ୍କ ବିରୋଧରେ ଥାନାରେ ଅନେକ ମାମଲା ରୁଜୁ କରାଯାଇଛି। ପୃଥକ ରାଜ୍ୟର ଦାବି କରୁଥିବା ଏହି ଶ୍ରମିକ ନେତାଙ୍କୁ ମୋଦୀ ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଇଛି।