ଚା’ ବଗିଚାରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଜନ ବର୍ଲା ହେଲେ କେନ୍ଦ୍ରମନ୍ତ୍ରୀ: ଶିକ୍ଷାଗତ ଯୋଗ୍ୟତା ଜାଣିଲେ ହେବେ ଆଶ୍ଚର୍ଯ୍ୟ

Published: Jul 8, 2021, 12:44 pm IST

ନୂଆଦିଲ୍ଲୀ: ମୋଦୀ କ୍ୟାବିନେଟରେ ଜନ ବର୍ଲାଙ୍କୁ ସଂଖ୍ୟାଲଘୁ ସମ୍ପ୍ରଦାୟର ରାଜ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ଦିଆଯାଇଛି। ଅଲିପୁରଦ୍ଵାରରୁ ବିଜେପି ସାଂସଦ ଜନ ବର୍ଲାଙ୍କ ବ୍ୟକ୍ତିଗତ ଜୀବନର କାହିଣୀ ଏକ ଅଦ୍ଭୁତ ଏବଂ ଅସାଧାରଣ ଅଟେ। କିଛି ବର୍ଷ ପର୍ଯ୍ୟନ୍ତ ସେ ଚା ବଗିଚାରେ ଶ୍ରମିକ ଭାବେ କାମ କରୁଥିଲେ।

ଏକ ସାଧାରଣ ପରିବାରରେ ଜନ୍ମ ହୋଇଥିବା ବର୍ଲାଙ୍କ ପିତାଙ୍କ ନାମ ଥୋମସ ବର୍ଲା ଅଟେ। ପଶ୍ଚିମବଙ୍ଗ ଜଲପାଇଗୁଡି ଜିଲ୍ଲା ଅନ୍ତର୍ଗତ ବନାରହାଟ ଲକ୍ଷ୍ମୀପାରା ଚା’ ବଗିଚାରେ ସେ ରହୁଥିଲେ। ଏଭଳି କି ମହାବୀର ହିନ୍ଦୀ ହାଇସ୍କୁଲରେ ଜନ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢିପାରିଥିଲେ। ଅର୍ଥର ଘୋର ଅଭାବ ଯୋଗୁଁ ପାଠ ପଢା ଅଷ୍ଟମ ଶ୍ରେଣୀରେ ଛାଡି ଦେଇଥିଲେ ଏବଂ ଚା’ ବଗିଚାରେ କାମ କରିଥିଲେ। ୨୦୦୭ରେ ଚା’ ବଗିଚାରେ ଜନ ଅସ୍ଥାୟୀ ଡ୍ରାଇଭର ଭାବେ କାର୍ଯ୍ୟ କଲେ। ଦିନ ମଜୁରିଆ ଭାବେ ତାଙ୍କୁ ଦରମା ମିଳୁଥିଲା। କିନ୍ତୁ ରାଜନତୀରେ ରୁଚି ରଖିଥିବା ଜନ ୨୦୦୭ ମସିହାରେ ଗୋରଖାଲ୍ୟାଣ୍ଡ ଆନ୍ଦୋଳନରେ ସାମିଲ ହୋଇଗଲେ।

ଧୀରେ ଧୀରେ ସେ ଆଦିବାସୀ ଅଞ୍ଚଳର ଜଣେ ବଡ ନେତା ଭାବେ ପରିଚିତ ହୋଇଗଲେ। ଏହାପରେ ତରାଇ ଡୁଅର୍ସ କୋର୍ଡିନେସନ କମିଟିର ଅଧ୍ୟକ୍ଷ ଭାବେ ତାଙ୍କୁ ଆଦିବାସୀ ବିକାଶ ପରିଷଦ ମନୋନୀତ କରିଥିଲା। ତା’ପରେ ୨୦୧୪ ମସିହାରେ ଜନ ବିଜେପିରେ ସାମିଲ ହୋଇଥିଲେ। ୨୦୧୯ରେ ବିଜେପି ପ୍ରାର୍ଥୀ ଭାବେ ଲୋକସଭା ନିର୍ବାଚନ ଲଢି ଆଲିପୁରଦ୍ଵାର ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।

ଉଲ୍ଲେଖ ଯୋଗ୍ୟ ଯେ, ଗତ କୀଚଚି ଦିନ ତଳେ ଜନ ବର୍ଲା ଚର୍ଚ୍ଚାକୁ ଆସିଥିଲେ। ସେ ଉତ୍ତର ପଶ୍ଚିମବଙ୍ଗକୁ ପଶ୍ଚିମବଙ୍ଗ ଠାରୁ ପୃଥକ କରି ଅଲଗା ରାଜ୍ୟ କରିବା ପାଇଁ ଦାବି କରିଥିଲେ। ତୃଣମୂଳ କଂଗ୍ରେସ ପକ୍ଷରୁ ଜନଙ୍କ ବିରୋଧରେ ଥାନାରେ ଅନେକ ମାମଲା ରୁଜୁ କରାଯାଇଛି। ପୃଥକ ରାଜ୍ୟର ଦାବି କରୁଥିବା ଏହି ଶ୍ରମିକ ନେତାଙ୍କୁ ମୋଦୀ ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଇଛି।

Related posts