Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚିଲିକାରେ ଅଘଟଣ: କୂଅରୁ ସନ୍ଦେହଜନକ ଅବସ୍ଥାରେ ଯୁବକଙ୍କ ମୃତ ଦେହ ଉଦ୍ଧାର

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଫାଣ୍ଡି ଅନ୍ତର୍ଗତ ବଉଳାବନ୍ଧ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। କୂଅରେ ପଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବାର ଅଭିଯୋଗ ହୋଇଛି।

ସୂଚନା ମୁତାବକ ଟାଙ୍ଗୀ ଥାନା ନିମୁନା ଗ୍ରାମର ରାଜକିଶୋର ନାୟକଙ୍କ ପୁତ୍ର ଅଶୋକ ନାୟକ (୩୨)ଙ୍କୁ ଆଜି ସକାଳ ୭ ଘଟିକା ସମୟରେ ବଉଳାବନ୍ଧ ଗ୍ରାମର ଏକ କୂଅରେ ବୁଡି ପଡିଥିବାର ଦେଖିବାକୁ ପାଇଥିଲେ ଗ୍ରାମବାସୀ। ଏ ନେଇ ଗଙ୍ଗାଧରପୁର ଅଗ୍ନିଶମ ବାହିନୀକୁ ଖବର ଦେବାରୁ ଅଗ୍ନିଶମ ବାହିନୀ କୂଅରୁ ଅଶୋକଙ୍କ ମୃତ ଦେହକୁ ଉଦ୍ଧାର କରି ନାଚୁଣୀ ଫାଣ୍ଡି ପୋଲିସକୁ ଖବର ଦେଇଥିଲେ।

ଘଟଣାସ୍ଥଳରେ ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ସଦଳବଳେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି। ଏହି ଘଟଣାରେ ଆଜି ବାଣପୁର ଥାନାରେ ୟୁଡି କେସ ନମ୍ବର ୧୦/୨୧ ରେ ଏକ ଅପମୃତ୍ୟୁ ମାମାଲା ରୁଜୁ କରାଯାଇଛି। ତେବେ ମୃତ ବ୍ୟକ୍ତିଙ୍କ ଡ଼ାଏଟମ ଟେଷ୍ଟ ହେବା ସହ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲାପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଫାଣ୍ଡି ଅଧିକାରୀ ଶ୍ରୀ ସାହୁ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକାରେ ଅଘଟଣ: ପବଜି ଖେଳୁ ଖେଳୁ ଟ୍ରେନ ସହ ଧକ୍କା ହୋଇ ଚାଲିଗଲା ଛାତ୍ରଙ୍କ ଜୀବନ

ସୀତାରାମ ଅଗ୍ରୱାଲ

ଚିଲିକା: ମୋବାଇଲ୍ ରେ ପବଜି ଖେଳିବା ହେଲା କାଳ। ଟ୍ରେନ ଧକ୍କାରେ ଅକାଳରେ ଚାଲିଗଲା ନୀରିହ ଛାତ୍ରଙ୍କ ଅମୁଲ୍ୟ ଜୀବନ।

ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ଗଙ୍ଗାଧରପୁର ରେଳ ଷ୍ଟେସନ ନିକଟରେ ଏକ ଅଭାବନୀୟ ଘଟଣା ଘାଟିଯାଇଛି। ଗଂଗାଧରପୁର ରେଳ ଷ୍ଟେସନ ନିକଟରେ ନଇରୀ ଗ୍ରାମର ପ୍ରଶାନ୍ତ ବେହେରାଙ୍କ ପୁତ୍ର ସୁଶାନ୍ତ ବେହେରା (୧୫) ମୋବାଇଲରେ ପବଜି ଖେଳୁଥିଲେ। ହେଲେ ସୁଶାନ୍ତ ପବଜି ଖେଳୁ ଖେଳୁ ଟ୍ରେନ୍ ଲାଇନ୍ କୁ ଆସିଯାଇଥିଲେ। ଠିକ ସେହି ସମୟରେ ଏକ ଟ୍ରେନ ଆସୁଥିବା ସୁଶାନ୍ତ ଜାଣିପାରିନଥିଲେ। ଫଳରେ ଟ୍ରେନ୍ ତାଙ୍କୁ ଧକ୍କା ଦେଇଥିଲା।

ଟ୍ରେନ ଚାଳକଙ୍କ ଠାରୁ ଖବର ପାଇ ଗଂଗାଧର ପୁର ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ଗୁରୁତର ଅବସ୍ଥାରେ ସୁଶାନ୍ତଙ୍କୁ ଉଦ୍ଧାର କରିଥିଲା। ଅଗ୍ନିଶମ ବାହିନୀ  ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଟାଙ୍ଗୀ ଭର୍ତ୍ତି କରିଥିଲା। ଡାକ୍ତରଙ୍କର ଆପ୍ରାଣ ଉଦ୍ୟମ ପରେ ବି ସୁଶାନ୍ତଙ୍କ ଜୀବନ ବଂଚି ପାରିନଥିଲା। ଟାଙ୍ଗୀ ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଯାଇଛି। ଟାଙ୍ଗୀ ପୋଲିସ୍ ମେଡିକାଲରେ ପହଂଚି  ଶବ ଜବତ କରିବା ସହ ତଦନ୍ତ ଜାରି ରଖିଛି।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକାରେ ଅଘଟଣ: କାଳ ବୈଶାଖୀରେ ଛିଣ୍ଡା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଗତକାଲି କାଳ ବୈଶାଖୀ ଯୋଗୁଁ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଏଥିରେ ଜଣେ ୫୦ ବର୍ଷୀୟ ପୁରୁଷଙ୍କର ପ୍ରାଣହାନୀ ଘଟିଛି।

ସୂଚନା ଅନୁଯାୟୀ, ଗତକାଲି ରାତ୍ରିରେ କାଳ ବୈଶାଖୀ  ଯୋଗୁଁ  ଜୋର୍ ରେ ପବନ  ବହିବା ସହ ବଜ୍ରପାତ ହୋଇଥିଲା। ଫଳରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ସୋରଣ ଗ୍ରାମର ଦାଣ୍ଡରେ  ଏକ ବିଦ୍ୟୁତ୍ ତାର ଛିଣ୍ଡି ପଡିରହିଥିଲା। ଏହି ସମୟରେ ସୋରଣ ଗ୍ରାମର ସମୀର ରଣସିଂ ନିଜ ସାଇକେଲରେ ଘରକୁ ଫେରୁଥିବାବେଳେ ହଠାତ୍ ସେହି ଛିଣ୍ଡା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯାଇଥିଲେ।

ସମୀର ଚିତ୍କାର କରିବାରୁ ଗାଁଲୋକେ ବିଦ୍ୟୁତ୍ ବିଭାଗକୁ ଖବର ଦେଇଥିଲେ। ଗୁରୁତର ଅବସ୍ଥାରେ ସମୀରଙ୍କୁ  ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ୍ ମୃତ ଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ବିଦ୍ୟୁତ୍ ବିଭାଗର ଚରମ ଅବହେଳା ଯୋଗୁଁ ଏଭଳି ଅଘଟଣ ଘଟିଲା ବୋଲି ଲୋକେ ଅଭିଯୋଗ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକାରେ ଅଘଟଣ: ମାଛ ଧରିବା ବେଳେ ଡ଼ଙ୍ଗାରୁ ଖସିପଡି ମୃତ୍ୟୁବରଣ କଲେ ଜଣେ ଧୀବର

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ବଉଳାବନ୍ଧ ପଞ୍ଚାୟତରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ବଉଳାବନ୍ଧ ଗ୍ରାମ ଭୀମପାଟଣା ସାହିର ଖଲି ଘଡ଼ାଇଙ୍କ ପୁତ୍ର ଗନ୍ଧର୍ବ ଘଡ଼ାଇ(୪୨)ଙ୍କ ଆଜି ମଧ୍ୟାହ୍ନ ରେ ମୃତ୍ୟୁ ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ ଗନ୍ଧର୍ବ ପ୍ରତିଦିନ ମାଛ ଧରିବା ପାଇଁ ଘଡ଼ାଇ ପେଣ୍ଠ ଠାରୁ ଦଶ କିଲୋମିଟର ଦୂରରେ ଚିଲିକା ଭିତରକୁ ଜାଲ ପକେଇବାକୁ ଯାଇଥାନ୍ତି। ପ୍ରତିଦିନ ସନ୍ଧ୍ୟା ସୁଦ୍ଧା ଜାଲ ପକାଇ ତା ପରଦିନ ଭୋର ପାଞ୍ଚଟାରେ ଜାଲ କାଢ଼ିବାକୁ ଯାଆନ୍ତି। ହେଲେ ପ୍ରତିଦିନ ପରି ଆଜି ଭୋରରୁ ଏକ ଡ଼ଙ୍ଗା ଯୋଗେ ଜାଲ କାଢ଼ିବାକୁ ଯାଉଥିବା ବେଳେ ଅସାବଧାନତା ବଶତଃ ଜାଲ କାଢ଼ିବାବେଳେ ଗନ୍ଧର୍ବ ଚିଲିକାର ଗଭୀର ଜଳରାଶି ମଧ୍ୟରେ ଡ଼ଙ୍ଗାରୁ ଖସି ପଡିଥିଲେ।

ଏହା ଦେଖି ସଙ୍ଗେ ସଙ୍ଗେ ଡ଼ଙ୍ଗା ଚାଳକ ଜୋରରେ ପାଟି କରି ନିକଟରେ ଜାଲ କାଢୁଥିବା ଲୋକଙ୍କୁ ଡାକିଥିଲେ ଏବଂ ଗନ୍ଧର୍ବଙ୍କ ପରିବାରକୁ ସଙ୍ଗେ ସଙ୍ଗେ ସୂଚନା ଦେଇଥିଲେ। ଗନ୍ଧର୍ବଙ୍କ ପରିବାର ଗଙ୍ଗାଧରପୁର ଅଗ୍ନିଶମ ବିଭାଗ ଏବଂ ନାଚୁଣୀ ପୋଲିସକୁ ଏ ସମ୍ପର୍କରେ ସୂଚନା ଦେଇଥିଲେ। ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଁଚି ସ୍ଥାନୀୟ ଲୋକମାନଙ୍କ ସହାୟତାରେ ବହୁତ ସମୟ ଧରି ଗଭୀର ଜଳରାଶିରେ ଖୋଜିଲା ପରେ ଶେଷରେ ଗନ୍ଧର୍ବଙ୍କ ମୃତ ଶରୀରକୁ ଠାବ କରି ଜଳରୁ ଉଦ୍ଧାର କରିଥଲେ।

ଘଟଣାର ତଦନ୍ତକାରୀ ଅଧିକାରୀ ତଥା ନାଚୁଣୀ ଫାଣ୍ଡି ଏ.ଏସ.ଆଇ ହାଡିବନ୍ଧୁ ନାୟକ ଗନ୍ଧର୍ବଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବାଣପୁର ଡାକ୍ତରଖାନାକୁ ପଠାଇଛନ୍ତି। ବାଣପୁର ପୋଲିସ ତରଫରୁ ଏ ନେଇ କେସ ନମ୍ବର ୨୧/୨୦ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି।