ଚିଲିକାରେ ଅଘଟଣ: କାଳ ବୈଶାଖୀରେ ଛିଣ୍ଡା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ମୃତ

Published: Mar 28, 2021, 11:47 am IST

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଗତକାଲି କାଳ ବୈଶାଖୀ ଯୋଗୁଁ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଏଥିରେ ଜଣେ ୫୦ ବର୍ଷୀୟ ପୁରୁଷଙ୍କର ପ୍ରାଣହାନୀ ଘଟିଛି।

ସୂଚନା ଅନୁଯାୟୀ, ଗତକାଲି ରାତ୍ରିରେ କାଳ ବୈଶାଖୀ  ଯୋଗୁଁ  ଜୋର୍ ରେ ପବନ  ବହିବା ସହ ବଜ୍ରପାତ ହୋଇଥିଲା। ଫଳରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ସୋରଣ ଗ୍ରାମର ଦାଣ୍ଡରେ  ଏକ ବିଦ୍ୟୁତ୍ ତାର ଛିଣ୍ଡି ପଡିରହିଥିଲା। ଏହି ସମୟରେ ସୋରଣ ଗ୍ରାମର ସମୀର ରଣସିଂ ନିଜ ସାଇକେଲରେ ଘରକୁ ଫେରୁଥିବାବେଳେ ହଠାତ୍ ସେହି ଛିଣ୍ଡା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯାଇଥିଲେ।

ସମୀର ଚିତ୍କାର କରିବାରୁ ଗାଁଲୋକେ ବିଦ୍ୟୁତ୍ ବିଭାଗକୁ ଖବର ଦେଇଥିଲେ। ଗୁରୁତର ଅବସ୍ଥାରେ ସମୀରଙ୍କୁ  ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ୍ ମୃତ ଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ବିଦ୍ୟୁତ୍ ବିଭାଗର ଚରମ ଅବହେଳା ଯୋଗୁଁ ଏଭଳି ଅଘଟଣ ଘଟିଲା ବୋଲି ଲୋକେ ଅଭିଯୋଗ କରିଛନ୍ତି।

Related posts