Categories
ଆଜିର ଖବର ରାଜ୍ୟ ଖବର

କାଳ ବୈଶାଖୀରେ ବ୍ୟାପକ କ୍ଷୟକ୍ଷତି: ସହାୟତା ଦାବୀରେ ତହସିଲ ଘେରିଲେ ସରାପାଲି ପଞ୍ଚାୟତବାସୀ

କନ୍ଦର୍ପ ବେହେରା
ରେଢ଼ାଖୋଲ: ନାକଟିଦେଉଳ ବ୍ଲକ ଅନ୍ତର୍ଗତ ସରାପାଲି ପଞ୍ଚାୟତ ଅଞ୍ଚଳର ବିଭିନ୍ନ ଗ୍ରାମରେ କାଳ ବୈଶାଖୀର ବ୍ୟାପକ କ୍ଷୟକ୍ଷତି ହୋଇଛି। ଥରେ ନୁହେଁ ବରଂ ୩ ଥର କାଳ ବୈଶାଖୀର ତାଣ୍ଡବରେ ଘର ଦ୍ୱାରର ଚାଳ ଛପର ଉଡିଯିବା ସହ ପନି ପରିବା ଚାଷ ଓ ଡାଲି ଜାତୀୟ ଫଲଲ ଉଜୁଡି ଯାଇଛି। ହେଲେ କ୍ଷତିଗ୍ରସ୍ତଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଲୋକମାନେ ପୂର୍ବରୁ ଦାବୀ କରିଥିବା ବେଳେ ରାଜସ୍ୱ ବିଭାଗର ନାକଟିଦେଉଳ ତହସିଲଦାର ଓ ଆରଆଇଙ୍କ ନିକଟକୁ କ୍ଷତିଗ୍ରସ୍ତ ଲୋକେ ସହାୟତା ପାଇଁ ଦୌଡ଼ି ଦୌଡ଼ି ନୟାନ୍ତ ହେଉ ଥିଲେ ମଧ୍ୟ ରାଜସ୍ୱ ବିଭାଗର ଅବହେଳାରୁ କୌଣସି ଆର୍ଥିକ ସହାୟତା ମିଳି ପାରିଲା ନାହିଁ।

ଏପରିକି ଘର ଛପର ଉପରେ ପକାଇବା ପାଇଁ ପଲିଥିନ ଖଣ୍ଡେ ମଧ୍ୟ ମିଳି ପାରିଲା ନାହିଁ। ଏଣୁ କ୍ଷତିଗ୍ରସ୍ତ ପରିବାର ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇ ଥିଲା। ଏହି ପରିପ୍ରେକ୍ଷୀରେ ବିଜେପି ବରିଷ୍ଠ ନେତା ଗୋବିନ୍ଦ ଅଗ୍ରୱାଲଙ୍କ ନେତୃତ୍ୱରେ ଶନିବାର ଦିନ ସରାପାଲି ପଞ୍ଚାୟତର ଜୁରାପାଲି , ପଣ୍ଡୁଆଖୋଳ,ପୁଡ଼ାଖୋଳ ,କତରାପାଲି,ଦୁମାମହୁଲ, ଘସିଆପଡାଓ ବଳମ ପଞ୍ଚାୟତର ଗଡଖୋଳ ଆଦି ଗ୍ରାମର କ୍ଷତିଗ୍ରସ୍ତ ଲୋକେ ନାକଟିଦେଉଳ ତହସିଲଦାରଙ୍କ ଦ୍ୱାରସ୍ଥ ହୋଇ ସହାୟତା ପାଇବା ପାଇଁ ଏକ ଦାବିପତ୍ର ଦେବା ସହ ତହସିଲ କାର୍ଯ୍ୟାଳୟକୁ ଘେରାଉ କରିଥିଲେ।

ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ ନାକଟିଦେଉଳ ବ୍ଲକ ଅନ୍ତର୍ଗତ ସରାପାଲି ଓ ବଳମ ପଞ୍ଚାୟତ ଅଞ୍ଚଳରେ ଗତ ଫେବୃୟାରୀ ୪ତାରିଖ, ମେ ୩ତାରିଖ ଓ ମେ ୨୨ତାରିଖରେ କାଳ ବୈଶାଖୀର ବର୍ଷା ଝଡ଼ ପବନ ଓ କୁଆ ପଥର ମାଡ଼ ଯୋଗୁଁ ଘର ଦ୍ୱାର ଛପର ଉଡି ଯିବା ସହ ଅନେକ ପନି ପରିବା ଚାଷ ଓ ଡାଲି ଜାତୀୟ ଫସଲ ଉଜୁଡି ଯାଇଛି। ହେଲେ କାଳ ବୈଶାଖୀରେ କ୍ଷତିଗ୍ରସ୍ତ ହୋଇ ଥିବା ସବୁକୁ ତଦାରଖ କରି କ୍ଷତି ପୂରଣ ଯୋଗାଇ ଦେବାକୁ ରାଜସ୍ୱ ବିଭାଗ ପାଖରେ କ୍ଷତିଗ୍ରସ୍ତ ଲୋକେ ଦାବି କରିଥିଲେ।

ଏହାର କୌଣସି ସୁଫଳ ନ ମିଳିବାରୁ ପୁନଶ୍ଚ କ୍ଷତିଗ୍ରସ୍ତ ଲୋକେ ପୁନର୍ବାର ଦାବି କରିଥିଲେ ମଧ୍ୟ କୌଣସି ସହାୟତା ମିଳି ନ ଥିଲା। ଏଣୁ ବାଧ୍ୟ ହୋଇ କ୍ଷତିଗ୍ରସ୍ତ ଲୋକେ ତହସିଲଦାରଙ୍କ ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିବା ସହ ତହସିଲ କାର୍ଯ୍ୟାଳୟ ଘେରାଉ କରିଥିଲେ।

ଏ ସଂକ୍ରାନ୍ତରେ ନାକଟିଦେଉଳ ତହସିଲଦାର ସୁକାନ୍ତ କୁମାର ନାଏକଙ୍କୁ ପଚରା ଯିବାରେ କ୍ଷତିଗ୍ରସ୍ତଙ୍କ ତଦନ୍ତ କରି ଖୁବ ଶୀଘ୍ର କ୍ଷତି ପୂରଣ ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର

କିଛି ସମୟ ପାଇଁ କଳାହାଣ୍ଡିଆ ମେଘରେ ଅନ୍ଧାର ହେଲା ଶ୍ରୀମନ୍ଦିର, ନଇଁଲା ପତିତପାବନ ବାନା

ପୁରୀ, ଆଜି ସାରା ରାଜ୍ୟରେ କାଳବୈଶାଖୀର ପ୍ରଭାବ ପରିଲକ୍ଷିତ ହୋଇଛି। ଯାହା ଫଳରେ ବିଭିନ୍ନ ସ୍ଥାନରେ ପ୍ରବଳ ପବନ ସହିତ ଝଡବର୍ଷା ହୋଇଯାଇଛି। ତେବେ ଏପରି ପରିସ୍ଥିତିରେ ପୁରୀ ଶ୍ରୀମନ୍ଦିର ଉପରେ ଦେଖିବାକୁ ମିଳିଥିଲା ଅଭୁତ ଦୃଶ୍ୟ।

ଝଡବର୍ଷା ଆସିବା ପୂର୍ବରୁ ପ୍ରଥମେ ଶ୍ରୀମନ୍ଦିର ଉପରେ ପୁରା କଳାବାଦଲ ଢାଙ୍କି ରହିଥିଲା। ଲାଗୁଥିଲା ସତେ ଯେପରି ଶ୍ରୀ ଜଗନ୍ନାଥଙ୍କ ସୁରକ୍ଷା କବଚ ଭାବେ ପ୍ରଭୁ ଇନ୍ଦ୍ର ଏକ ଚାଦର ଢାଙ୍କି ଦେଇଛନ୍ତି।

ଏପରି ଦୃଶ୍ୟ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ମନରେ ବେଶ କୌତୁହଳ ସୃଷ୍ଟି ହୋଇଥିଲା। ସେତେବେଳେକୁ ଦିନ ପ୍ରାୟ 12 ଟା ହୋଇଥିଲେ ମଧ୍ୟ ପୁରା ପୁରୀରେ ଅନ୍ଧକାରମୟ ହୋଇ ଯାଇଥିଲା। ଅନେକ ଏପରି କଳାହାଣ୍ଡିଆ ମେଘ ଦେଖି ଭୟଭିତ ମଧ୍ୟ ହୋଇପଡିଥିଲେ।

ଏହାପରେ ପ୍ରବଳ ପବନ ସହିତ ଆରମ୍ଭ ହୋଇଯାଇଥିଲା ଝଡ ବର୍ଷା। ବଡଦାଣ୍ଡରେ ଥିବା ଉଠା ଦୋକାନ ସବୁ ପବନରେ ଉଡିବାକୁ ଲାଗିଥିଲା। ସେଠାରେ ଥିବା କେତେକ ଭକ୍ତ ଦୈଡାଡୈଡି ହୋଇ ନିକଟସ୍ଥ ବିଲିଡିଂରେ ଆଶ୍ରୟ ନେଇଥିଲେ।

ଏହି ପ୍ରବଳ ପବନରେ ଶ୍ରୀମନ୍ଦିରର ପତିତପାବବାନା ପ୍ରବଳ ବେଗରେ ଉଡିବାକୁ ଲାଗିଥିଲା। ଲାଗୁଥିଲା ସତେଯେପରି ବାନା ଉଡି ସମୁଦ୍ର ଗର୍ଭରେ ପଡିଯିବ। ତେବେ ବହୁ ସମୟ ଧରି ଏପରି ଉଡିବା ପରେ ବାନା ବନ୍ଧାଯାଇଥିବା ବାଉଁଶ ନଇଁ ପଡିଥିଲା। ତେବେ ଏହାକୁ ନେଇ ପୂଜାନୀତିରେ କୌଣସି ବାଧା ସୃଷ୍ଟି ହୋଇ ନାହଁ।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକାରେ ଅଘଟଣ: କାଳ ବୈଶାଖୀରେ ଛିଣ୍ଡା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଗତକାଲି କାଳ ବୈଶାଖୀ ଯୋଗୁଁ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଏଥିରେ ଜଣେ ୫୦ ବର୍ଷୀୟ ପୁରୁଷଙ୍କର ପ୍ରାଣହାନୀ ଘଟିଛି।

ସୂଚନା ଅନୁଯାୟୀ, ଗତକାଲି ରାତ୍ରିରେ କାଳ ବୈଶାଖୀ  ଯୋଗୁଁ  ଜୋର୍ ରେ ପବନ  ବହିବା ସହ ବଜ୍ରପାତ ହୋଇଥିଲା। ଫଳରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ସୋରଣ ଗ୍ରାମର ଦାଣ୍ଡରେ  ଏକ ବିଦ୍ୟୁତ୍ ତାର ଛିଣ୍ଡି ପଡିରହିଥିଲା। ଏହି ସମୟରେ ସୋରଣ ଗ୍ରାମର ସମୀର ରଣସିଂ ନିଜ ସାଇକେଲରେ ଘରକୁ ଫେରୁଥିବାବେଳେ ହଠାତ୍ ସେହି ଛିଣ୍ଡା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯାଇଥିଲେ।

ସମୀର ଚିତ୍କାର କରିବାରୁ ଗାଁଲୋକେ ବିଦ୍ୟୁତ୍ ବିଭାଗକୁ ଖବର ଦେଇଥିଲେ। ଗୁରୁତର ଅବସ୍ଥାରେ ସମୀରଙ୍କୁ  ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ୍ ମୃତ ଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ବିଦ୍ୟୁତ୍ ବିଭାଗର ଚରମ ଅବହେଳା ଯୋଗୁଁ ଏଭଳି ଅଘଟଣ ଘଟିଲା ବୋଲି ଲୋକେ ଅଭିଯୋଗ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

30 ମିନଟ ଭିତରେ କଟକ ଭୁବନେଶ୍ବରକୁ କାଳବୈଶାଖୀ କରିଦେଲା ଛାରଖାର

ଭୁବନେଶ୍ବର, ମାତ୍ର 30 ମିନିଟ ଭିତରେ କଟକ ଭୁବନେଶ୍ବରୁ କରିଦେଲା ଛାରଖାର। ଆଜି ସଂଧ୍ୟାରେ ଦୁଇ ମହାନଗରରେ ହଠାତ ଆସିଥିଲା କାଳବୈଶାଖୀ। ଫଳରେ ଏହାର ପ୍ରଭାବରେ କଟକ ଓ ଭୁବନେଶ୍ବରରେ ପ୍ରବଳ ପବନ ସହିତ ବର୍ଷା ହୋଇଥିଲା। ପବନର ବେଗ ଏପରି ଥିଲା ଯେ, ଉଠା ଦୋକାନୀ ଏବଂ ବସ୍ତିର ଚାଳ ଛପର କୁଆଡେ ଉଡି ଯାଇଥିଲା। ପଲିଥିନ ତଳେ ବେପାର କରୁଥିବା ବ୍ୟବସାୟୀ ନିଜ ଜିନଷ ଭିତରକୁ ନେବା ଭିତରେ ପବନରେ ଅନେକ କିଛି କ୍ଷୟକ୍ଷତି କରିଦେଇଥିଲା।

ଆଜି ରାଜଧାନୀରେ ଅପରାହ୍ନ ପ୍ରାୟ ସାଢେ ପାଞ୍ଚଟା ପାଖାପାଖି ଆକାଶରେ କଳାହାଣ୍ଡିଆ ମେଘ ଢାଙ୍କି ଦେଇଥିଲା। ଚାରିଆଡେ ଅନ୍ଧାର ଘୋଟି ଆସିଥିଲା। ଚାହୁଁଚାହୁଁ ନିମିଷକ ମଧ୍ୟରେ ପବନ ପ୍ରବାହିତ ହେବାକୁ ଲାଗିଲା। ଧିରେଧିରେ ପବନ ବେଗ ବଢିବାରେ ଲାଗିଲେ। ଧୂଳିରେ ପରିପୂର୍ଣ୍ଣ ହୋଇଗଲା ରାସ୍ତାଘାଟ। ଗାଡି ଚଳେଇ ଯାଉଥିବା ଯାତ୍ରୀମାନେ ଆଗକୁ ଗାଡି ନେବାର ମଧ୍ୟ ଅସମ୍ଭବ ହୋଇ ପଡିଥିଲା।

ପବନର ପ୍ରକୋପରେ ବସ୍ତିଗୁଡିକରେ ଥିବା ଚାଳଛପର ଏପରିକି ଆଜବେଷ୍ଟ ମଧ୍ୟ ଉଡିଗଲା। କିଛି ସମୟ ପାଇଁ ପୁରା କଟକ ଭୁବନେଶ୍ବର ଅନ୍ଧକାର ପାଲଟିଗଲା। ପବନର ଉତପାତ୍ ପରେ ଆରମ୍ଭ ହୋଇଗଲା ପ୍ରବଳ ଘଡଘଡି, ବିଜୁଳି ସହିତ ବର୍ଷା। ପ୍ରାୟ 10 ମିନିଟ ଧରି ବର୍ଷା ଲାଗି ରହିଥିଲା। ଏହା ପରେ ଧିରେଧିରେ ପାଗ ସ୍ବାଭାବିକ ହୋଇଥିଲା।

କଟକ ଭୁବନେଶ୍ବରରେ କାଳବୈଶାଖୀର ତାଣ୍ଡବ ଲାଗି ରହିବ ବୋଲି ପାଣିପାଗ ବିଭାଗ ତରଫରୁ ଆଗୁଆ ସୂଚନା ଦିଆଯାଇଥିଲା।