କିଛି ସମୟ ପାଇଁ କଳାହାଣ୍ଡିଆ ମେଘରେ ଅନ୍ଧାର ହେଲା ଶ୍ରୀମନ୍ଦିର, ନଇଁଲା ପତିତପାବନ ବାନା

Published: May 11, 2021, 3:10 pm IST

ପୁରୀ, ଆଜି ସାରା ରାଜ୍ୟରେ କାଳବୈଶାଖୀର ପ୍ରଭାବ ପରିଲକ୍ଷିତ ହୋଇଛି। ଯାହା ଫଳରେ ବିଭିନ୍ନ ସ୍ଥାନରେ ପ୍ରବଳ ପବନ ସହିତ ଝଡବର୍ଷା ହୋଇଯାଇଛି। ତେବେ ଏପରି ପରିସ୍ଥିତିରେ ପୁରୀ ଶ୍ରୀମନ୍ଦିର ଉପରେ ଦେଖିବାକୁ ମିଳିଥିଲା ଅଭୁତ ଦୃଶ୍ୟ।

ଝଡବର୍ଷା ଆସିବା ପୂର୍ବରୁ ପ୍ରଥମେ ଶ୍ରୀମନ୍ଦିର ଉପରେ ପୁରା କଳାବାଦଲ ଢାଙ୍କି ରହିଥିଲା। ଲାଗୁଥିଲା ସତେ ଯେପରି ଶ୍ରୀ ଜଗନ୍ନାଥଙ୍କ ସୁରକ୍ଷା କବଚ ଭାବେ ପ୍ରଭୁ ଇନ୍ଦ୍ର ଏକ ଚାଦର ଢାଙ୍କି ଦେଇଛନ୍ତି।

ଏପରି ଦୃଶ୍ୟ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ମନରେ ବେଶ କୌତୁହଳ ସୃଷ୍ଟି ହୋଇଥିଲା। ସେତେବେଳେକୁ ଦିନ ପ୍ରାୟ 12 ଟା ହୋଇଥିଲେ ମଧ୍ୟ ପୁରା ପୁରୀରେ ଅନ୍ଧକାରମୟ ହୋଇ ଯାଇଥିଲା। ଅନେକ ଏପରି କଳାହାଣ୍ଡିଆ ମେଘ ଦେଖି ଭୟଭିତ ମଧ୍ୟ ହୋଇପଡିଥିଲେ।

ଏହାପରେ ପ୍ରବଳ ପବନ ସହିତ ଆରମ୍ଭ ହୋଇଯାଇଥିଲା ଝଡ ବର୍ଷା। ବଡଦାଣ୍ଡରେ ଥିବା ଉଠା ଦୋକାନ ସବୁ ପବନରେ ଉଡିବାକୁ ଲାଗିଥିଲା। ସେଠାରେ ଥିବା କେତେକ ଭକ୍ତ ଦୈଡାଡୈଡି ହୋଇ ନିକଟସ୍ଥ ବିଲିଡିଂରେ ଆଶ୍ରୟ ନେଇଥିଲେ।

ଏହି ପ୍ରବଳ ପବନରେ ଶ୍ରୀମନ୍ଦିରର ପତିତପାବବାନା ପ୍ରବଳ ବେଗରେ ଉଡିବାକୁ ଲାଗିଥିଲା। ଲାଗୁଥିଲା ସତେଯେପରି ବାନା ଉଡି ସମୁଦ୍ର ଗର୍ଭରେ ପଡିଯିବ। ତେବେ ବହୁ ସମୟ ଧରି ଏପରି ଉଡିବା ପରେ ବାନା ବନ୍ଧାଯାଇଥିବା ବାଉଁଶ ନଇଁ ପଡିଥିଲା। ତେବେ ଏହାକୁ ନେଇ ପୂଜାନୀତିରେ କୌଣସି ବାଧା ସୃଷ୍ଟି ହୋଇ ନାହଁ।

Related posts