30 ମିନଟ ଭିତରେ କଟକ ଭୁବନେଶ୍ବରକୁ କାଳବୈଶାଖୀ କରିଦେଲା ଛାରଖାର

Published: Mar 27, 2021, 11:26 pm IST

ଭୁବନେଶ୍ବର, ମାତ୍ର 30 ମିନିଟ ଭିତରେ କଟକ ଭୁବନେଶ୍ବରୁ କରିଦେଲା ଛାରଖାର। ଆଜି ସଂଧ୍ୟାରେ ଦୁଇ ମହାନଗରରେ ହଠାତ ଆସିଥିଲା କାଳବୈଶାଖୀ। ଫଳରେ ଏହାର ପ୍ରଭାବରେ କଟକ ଓ ଭୁବନେଶ୍ବରରେ ପ୍ରବଳ ପବନ ସହିତ ବର୍ଷା ହୋଇଥିଲା। ପବନର ବେଗ ଏପରି ଥିଲା ଯେ, ଉଠା ଦୋକାନୀ ଏବଂ ବସ୍ତିର ଚାଳ ଛପର କୁଆଡେ ଉଡି ଯାଇଥିଲା। ପଲିଥିନ ତଳେ ବେପାର କରୁଥିବା ବ୍ୟବସାୟୀ ନିଜ ଜିନଷ ଭିତରକୁ ନେବା ଭିତରେ ପବନରେ ଅନେକ କିଛି କ୍ଷୟକ୍ଷତି କରିଦେଇଥିଲା।

ଆଜି ରାଜଧାନୀରେ ଅପରାହ୍ନ ପ୍ରାୟ ସାଢେ ପାଞ୍ଚଟା ପାଖାପାଖି ଆକାଶରେ କଳାହାଣ୍ଡିଆ ମେଘ ଢାଙ୍କି ଦେଇଥିଲା। ଚାରିଆଡେ ଅନ୍ଧାର ଘୋଟି ଆସିଥିଲା। ଚାହୁଁଚାହୁଁ ନିମିଷକ ମଧ୍ୟରେ ପବନ ପ୍ରବାହିତ ହେବାକୁ ଲାଗିଲା। ଧିରେଧିରେ ପବନ ବେଗ ବଢିବାରେ ଲାଗିଲେ। ଧୂଳିରେ ପରିପୂର୍ଣ୍ଣ ହୋଇଗଲା ରାସ୍ତାଘାଟ। ଗାଡି ଚଳେଇ ଯାଉଥିବା ଯାତ୍ରୀମାନେ ଆଗକୁ ଗାଡି ନେବାର ମଧ୍ୟ ଅସମ୍ଭବ ହୋଇ ପଡିଥିଲା।

ପବନର ପ୍ରକୋପରେ ବସ୍ତିଗୁଡିକରେ ଥିବା ଚାଳଛପର ଏପରିକି ଆଜବେଷ୍ଟ ମଧ୍ୟ ଉଡିଗଲା। କିଛି ସମୟ ପାଇଁ ପୁରା କଟକ ଭୁବନେଶ୍ବର ଅନ୍ଧକାର ପାଲଟିଗଲା। ପବନର ଉତପାତ୍ ପରେ ଆରମ୍ଭ ହୋଇଗଲା ପ୍ରବଳ ଘଡଘଡି, ବିଜୁଳି ସହିତ ବର୍ଷା। ପ୍ରାୟ 10 ମିନିଟ ଧରି ବର୍ଷା ଲାଗି ରହିଥିଲା। ଏହା ପରେ ଧିରେଧିରେ ପାଗ ସ୍ବାଭାବିକ ହୋଇଥିଲା।

କଟକ ଭୁବନେଶ୍ବରରେ କାଳବୈଶାଖୀର ତାଣ୍ଡବ ଲାଗି ରହିବ ବୋଲି ପାଣିପାଗ ବିଭାଗ ତରଫରୁ ଆଗୁଆ ସୂଚନା ଦିଆଯାଇଥିଲା।

Related posts