Categories
ଆଞ୍ଚଳିକ ସ୍ବାସ୍ଥ୍ୟ

ବାଲୁଗାଁ: ‘ସମୀକ୍ଷା’ ଖବର ପରେ ଚେତିଲା ପ୍ରଶାସନ, ଫୁଡ୍ ଷ୍ଟଲରେ କଲା ଚଢାଉ

ସୀତାରାମ ଅଗ୍ରୱାଲ

ଚିଲିକା: ଗତ ୯ ତାରିଖ ଦିନ ‘ସମୀକ୍ଷା’ ରେ ‘ବାଣପୁର-ବାଲୁଗାଁରେ ଅପମିଶ୍ରିତ ଖାଦ୍ୟକୁ ନେଇ ବଢୁଛି ଜନଅସନ୍ତୋଷ: ନିଦ୍ରାରେ ଖାଦ୍ୟ ଓ ସୁରକ୍ଷା ବିଭାଗ’ ନାମକ ଏକ ଖବର ପ୍ରସାରଣ କରାଯାଇଥିଲା। ତେବେ ଖବର ବାଜିବା ପରେ ଏହାର ସୁଫଳ ଦେଖିବାକୁ ମିଳିଛି। ଗତକାଲି ଅର୍ଥାତ ୧୦ ତାରିଖ ରାତିରେ ଖାଦ୍ୟ ଓ ସୁରକ୍ଷା ବିଭାଗ ପକ୍ଷରୁ ବାଣପୁର ସହରାଞ୍ଚଳରେ ରାତ୍ରିକାଳିନ ଚଢ଼ାଉ କରାଯାଇଛି ।

ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଏବଂ ସିଡ଼ିଏମଓ ଡ଼ା ଆର୍ତ୍ତବନ୍ଧୁ ନାୟକଙ୍କ ନିର୍ଦେଶକ୍ରମେ ଟାଙ୍ଗୀ ଖାଦ୍ୟ ଓ ସୁରକ୍ଷା ଅଧିକାରୀ ଦେବାଶିଷ ବଳ ବାଣପୁର ର ୨୩ ଗୋଟି ଫୁଡ ଷ୍ଟଲରେ ରାତ୍ରିକାଳିନ ଚଢ଼ାଉ କରିଛନ୍ତି। ଉକ୍ତ ସମୟରେ ବିଭିନ୍ନ ଦୋକାନ ରୁ ବାସି ଖାଦ୍ୟ ଏବଂ ଖାଦ୍ୟ ରଙ୍ଗ ଜବତ କରି ନଷ୍ଟ କରିଦିଆଯାଇଛି।

ସେହିପରି ଭାବେ ୧୨ ଗୋଟି ଲାଇସେନ୍ସ ବିହୀନ ଦୋକାନୀଙ୍କୁ ୧୦ ଦିନ ଭିତରେ ଫୁଡ ଲାଇସେନ୍ସ କରିବାକୁ ନୋଟିସ ଦିଆଯାଇଛି। ଅନୁରୂପ ଭାବେ ୫ ଗୋଟି ଫୁଡ ଷ୍ଟଲ କୁ ୧୯ ଶହ ଟଙ୍କାର ଜରିମାନା ମଧ୍ୟ ପଡିଥିବାର ସିଡ଼ିଏମଓ ଶ୍ରୀ ନାୟକ ସୂଚନା ଦେଇଛନ୍ତି। ସେହିପରି ଭାବେ ଏକାଧିକ ଫୁଡ ଷ୍ଟଲରେ ମଦ ଚଢ଼ାଉ ବି କରାଯାଇଥିବା ଜଣାପଡିଛି। ପରିଶେଷରେ ସମସ୍ତ ଖାଦ୍ୟ ଦୋକାନୀଙ୍କୁ ଉନ୍ନତ ଖାଦ୍ୟ ପ୍ରସ୍ତୁତ ଏବଂ ସ୍ୱଛତା ବଜାୟ ରଖିବା ପାଇଁ ନିର୍ଦେଶ ଦିଆଯାଇଛି।

ତେବେ ଏହିପରି ଚଢ଼ାଉ ଆଗାମୀ ଦିନରେ ବାଣପୁର-ବାଲୁଗାଁ ଅଞ୍ଚଳରେ ଜୋରଦାର ହେବ ବୋଲି ଜଣାପଡିଛି। ଉକ୍ତ ଚଢ଼ାଉ କୁ ବାଣପୁର ବାସି ସ୍ୱାଗତ କରିଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏବଂ ଖାଦ୍ୟ ଓ ସୁରକ୍ଷା ଅଧିକାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ଚିଲିକା ମତ୍ସ୍ୟଜୀବୀଙ୍କ ଜୀବନଜୀବିକାର ଉନ୍ନତି ନିମନ୍ତେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସମୀକ୍ଷା ବୈଠକ

ଭୁବନେଶ୍ୱର : ଆଜି ଅପରାହ୍ନରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ସଂଜୟ କୁମାର ଦାସବର୍ମାଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରସ୍ଥ ସର୍କିଟ୍‌ ହାଉସ୍‌ ସମ୍ମିଳନୀ କକ୍ଷଠାରେ ମତ୍ସ୍ୟଜୀବୀମାନଙ୍କ କଲ୍ୟାଣ ନିମନ୍ତେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଚିଲିକା ମତ୍ସ୍ୟଜୀବୀଙ୍କ ଜୀବନଜୀବିକାରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ ବିଭିନ୍ନ ଯୋଜନା ନେଇ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ବୈଠକରେ ଶ୍ରୀ ଦାସବର୍ମା ରାଜ୍ୟ ସରକାରଙ୍କ ମତ୍ସ୍ୟଜୀବୀ ଉନ୍ନୟନ ଯୋଜନା ସମ୍ବନ୍ଧରେ ବ୍ୟାପକ ଜନସଚେତନତା ସୃଷ୍ଟି ଏବଂ ହିତାଧିକାରୀଙ୍କ ନିମନ୍ତେ ଶିବିର ଆୟୋଜନ ପୂର୍ବକ ମିଳୁଥିବା ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ବୈଠକରେ ଚିଲିକା ଉପରେ ନିର୍ଭରଶୀଳ ମତ୍ସ୍ୟଜୀବୀଙ୍କ ପାରମ୍ପରିକ ଡଙ୍ଗାକୁ ମୋଟରଚାଳିତ କରିବା, ପୁରାତନ କାଠଡଙ୍ଗା ବଦଳରେ ନୂତନ ଡଙ୍ଗା ପ୍ରଦାନ ବ୍ୟବସ୍ଥାରେ ଚିଲିକା ମତ୍ସ୍ୟଜୀବୀଙ୍କୁ ପ୍ରାଥମିକତା ଦେବା, ରାଜ୍ୟ ମତ୍ସ୍ୟନୀତି ଅନୁଯାୟୀ ମତ୍ସ୍ୟଜୀବୀଙ୍କୁ ନୂତନ ଡଙ୍ଗା, ଜାଲ କ୍ରୟ ଉପରେ ପ୍ରଚଳିତ ରିହାତି ବ୍ୟବସ୍ଥା, ଖାରିପାଣି ଚିଙ୍ଗୁଡ଼ି ଚାଷ ପାଇଁ ପ୍ରୋତ୍ସାହନ ଇତ୍ୟାଦି ବିଷୟରେ ସମୀକ୍ଷା କରାଯାଇଥିଲା।

ମତ୍ସ୍ୟଜୀବୀଙ୍କ ଉନ୍ନତି ନିମନ୍ତେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ନେଇ ବ୍ୟାପକ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଖୁବ୍‌ଶୀଘ୍ର ବାଲୁଗାଁ ଏବଂ ପୁରୀ ଅଞ୍ଚଳର ସମସ୍ତ ମତ୍ସ୍ୟଜୀବୀ ସମବାୟ ସମିତିର ସଦସ୍ୟମାନଙ୍କୁ ନେଇ ବ୍ରହ୍ମଗିରିଠାରେ ଏକ ସଚେତନତା ଶିବିର ଆୟୋଜନ କରାଯିବ ବୋଲି ଶ୍ରୀ ଦାସବର୍ମା ପ୍ରକାଶ କରିଥିଲେ।

ସମୀକ୍ଷା ବୈଠକରେ ରାଜ୍ୟ ମତ୍ସ୍ୟ ନିର୍ଦ୍ଦେଶକ ଶ୍ରୀ ସ୍ମୃତିରଞ୍ଜନ ପ୍ରଧାନ, ଅତିରିକ୍ତ ନିର୍ଦ୍ଦେଶକ ଦେବାନନ୍ଦ ଭଞ୍ଜ, ଯୁଗ୍ମ ନିର୍ଦ୍ଦେଶକ ପବିତ୍ର କୁମାର ବେହେରା ଏବଂ ପ୍ରତାପ ରଞ୍ଜନ ରାଉତ, ଉପନିର୍ଦ୍ଦେଶକ ବସନ୍ତ କୁମାର ଦାସ, ପୁରୀ ଓ ବାଲୁଗାଁର ଜିଲ୍ଲା ମତ୍ସ୍ୟ ଅଧିକାରୀ, ଅତିରିକ୍ତ ମତ୍ସ୍ୟ ଅଧିକାରୀ ରବୀନ୍ଦ୍ର କୁମାର ମହାନ୍ତି, ବାଲୁଗାଁ, ପୁରୀ ଓ ବ୍ରହ୍ମଗିରି ଅଞ୍ଚଳର ସମସ୍ତ ମତ୍ସ୍ୟ ସମବାୟ ସମିତିର କର୍ମକର୍ତ୍ତା ଏବଂ ବରିଷ୍ଠ ରାଜନେତା ତଥା ସମାଜସେବୀ କେଦାରନାଥ ଜେନା ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ଚିଲିକା-ବାଲୁଗାଁ ରୋଟାରୀ କ୍ଳବ୍ ପକ୍ଷରୁ ଜେଲ୍ ସଂସ୍କାର କାର୍ଯ୍ୟକ୍ରମ

ସୀତାରାମ ଅଗ୍ରୱାଲ

ଚିଲିକା: ଚିଲିକା-ବାଲୁଗାଁ ରୋଟାରୀ କ୍ଳବ୍ ପକ୍ଷରୁ ବାଣପୁର ଉପ- କାରାଗାରରେ ସେପ୍ଟେମ୍ବର ୧୮ ଓ ୧୯ ଦୁଇଦିନ ଧରି କଏଦୀ ମାନଙ୍କ ମଧ୍ୟରେ ଅନେକ ସଂସ୍କାର ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ୧୮ ତାରିଖ ପୂର୍ବାହ୍ନରେ କାରାଗାରର ସୁପରିଟେଣ୍ଡେଣ୍ଟ କୋଶଳ ପଦ୍ମିନୀ ଦଳବେହେରା ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମକୁ ଉଦଘାଟନ କରି କାରାଗାରରେ କଏଦୀ ମାନଙ୍କ ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା କଲ୍ୟାଣ ମୂଳକ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପସ୍ଥାପନ କରିଥିଲେ।

ରୋଟାରିଆନ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ଏହି କାର୍ଯ୍ୟକ୍ରମର ଅତିଥି ଓ ଉପସ୍ଥିତ ରୋଟାରୀଆନ ମାନଙ୍କର ପରିଚୟ ପ୍ରଦାନ କରିଥିଲେ। କ୍ଳବର ସଭାପତି ରୋଟାରୀଆନ ନମିତା ଝା ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଏହାପରେ ବିଶିଷ୍ଟ ସଙ୍ଗୀତ ଗୁରୁ ଡକ୍ଟର ମାଧବ ଚନ୍ଦ୍ର ପଲେଇ କଏଦୀ ମାନଙ୍କୁ ମାର୍ଗଦର୍ଶନ କରି ମା’ ଭଗବତୀ ଭଜନ ସନ୍ଧ୍ୟା ଅନୁଷ୍ଠାନର ସଙ୍ଗୀତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

ଏହି ଅବସରରେ କାରାଗାରର ଅନ୍ତେବାସୀ ମାନେ କଣ୍ଠ ସଙ୍ଗୀତ ଗାନ କରି ସମସ୍ତଙ୍କର ମନୋରଞ୍ଜନ କରିଥିଲେ। ଦ୍ଵିତୀୟ ଦିନରେ ନମିତା ଝାଙ୍କ ନେତୃତ୍ୱରେ ମହିଳା ଅନ୍ତେବାସୀଙ୍କ ଦ୍ଵାରା ଝୋଟି ପ୍ରଦର୍ଶନ ଓ ପୁରୁଷ ଅନ୍ତେବାସୀମାନେ ଭଲିବଲ, ବ୍ୟାଡମିଣ୍ଟନ, ଚେସ, କ୍ୟାରମ୍ ଆଦି ଖେଳ ଖେଳି ଥିଲେ। ଅପରାହ୍ନରେ ଆୟୋଜନ ହୋଇଥିବା ପୁରସ୍କାର ବିତରଣ ଉତ୍ସବରେ ସଭାପତି ନମିତା ଝା, ରୋଟରିଆନ ପ୍ରଫେସର ସୁଜାତା ପ୍ରଧାନ, ପ୍ରାକ୍ତନ ସଭାପତି ନିରଜ୍ ଝା, ରୋଟାରୀଆନ୍ ସୁରେନ୍ଦ୍ର ସ୍ବାଇଁ, ଭାଗିରଥି ସ୍ବାଇଁ, ପୁଷ୍ପାଞ୍ଜଳି ବାରିକ, ସମ୍ପାଦକ ଗଜେନ୍ଦ୍ର ସେଠୀ, ଏସ କେ ନାଇଡୁ, ଜେଲ୍ ଫାର୍ମାସିଷ୍ଟ ମୀରାବାଇ ସାହୁଙ୍କ ସହ ବହୁ ସଭ୍ୟ ଯୋଗଦେଇ ଦୁଇଦିନର କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

ପୁରସ୍କାର ବିତରଣି ଉତ୍ସବରେ ସହକାରୀ ଜେଲର ରମେଶ ସେଠୀ, ୱାର୍ଡର ଜୟକୃଷ୍ଣ ସାହୁ, ଆରକ୍ଷୀ ବନମାଳୀ ସେଠୀ ପ୍ରମୁଖ ସହଯୋଗ କରିଥିଲେ। ସଙ୍ଗୀତ କାର୍ଯ୍ୟକ୍ରମରେ ଜେଲ୍ ଅନ୍ତେବାସୀ ବିନାୟକ ରଣା, ନାରାୟଣ ପ୍ରଧାନ, ବିକାଶ ସାହା ଚମତ୍କାର କଣ୍ଠ ସଙ୍ଗୀତ ପରିବେଷଣ କରି ପୁରସ୍କାର ଗ୍ରହଣ କରିବା ସହ ଅନ୍ୟ ଅନ୍ତେବାସୀମାନଙ୍କୁ ବିଭିନ୍ନ ବିଭାଗରେ ସମ୍ମାନିତ କରାଯାଇଥିଲା। ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ଆୟୋଜକ ଓ ଅନ୍ତେବାସୀମାନଙ୍କୁ କୃତଜ୍ଞତା ଜଣାଇଥିଲେ।