Categories
ଆଜିର ଖବର ରାଜ୍ୟ ଖବର

ଚିଲିକା: ଖୋର୍ଦ୍ଧା ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି, ୧୯ ଟି ବିଦ୍ୟାଳୟକୁ ମିଳିଲା ସ୍ଥାୟୀ ପଟ୍ଟା

ସୀତାରାମ ଅଗ୍ରୱାଲ

ଚିଲିକା: ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଆଜି ଚିଲିକା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଚିଲିକା ବ୍ଳକ ଅଧୀନସ୍ଥ ୧୭ ଗୋଟି ପଞ୍ଚାୟତ ଏବଂ ବାଲୁଗାଁ ଏନଏସିର ସମୁଦାୟ ୩୯୧ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ କରି ତନ୍ମଧ୍ୟରୁ ୩୫ ଗୋଟି ଅଭିଯୋଗର ତୁରନ୍ତ ଫଇସଲା କରିଥିଲେ। ୩୯୧ ଗୋଟି ଅଭିଯୋଗ ମଧ୍ୟରୁ ୩୮୧ ଟି ବ୍ୟକ୍ତିଗତ ଏବଂ ୧୦ ଟି ଗୋଷ୍ଠୀଗତ ସମସ୍ୟା ସମ୍ପର୍କିତ ଅଭିଯୋଗ ଥିବା ଜଣାପଡିଛି।

ଅନ୍ୟ ଅଭିଯୋଗଗୁଡ଼ିକ ସମ୍ପୃକ୍ତ ବିଭାଗକୁ ପଠାଇ ଦିଆଯାଇଥିବା ବେଳେ ୨ ଜଣ ହିତାଧିକାରୀଙ୍କୁ ରେଡକ୍ରସ୍ ପାଣ୍ଠିରୁ ୨୦ ହଜାର ଏବଂ ଜଣେ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ରିଲଫ ପାଣ୍ଠିରୁ ୧୫ ହଜାର ଟଙ୍କା ସହାୟତା ଯୋଗାଇ ଦିଆଯାଇଥିଲା। ଦୁଇ ଜଣ ଭିନ୍ନକ୍ଷମଙ୍କୁ ଗୋଟାଏ ଲେଖାଏଁ ଟ୍ରାଇ ସାଇକେଲ ଓ ହୁଇଲ ଚେୟାର ପ୍ରଦାନ କରାଯାଇଥିବା ବେଳେ ୧୯ ଗୋଟି ବିଦ୍ୟାଳୟକୁ ସ୍ଥାୟୀ ପଟ୍ଟା ପ୍ରଦାନ କରାଯାଇଥିଲା।

ସେହିପରି ଭାବେ ସ୍ୱଚ୍ଛ ଭାରତ ମିଶନ ଅନ୍ତର୍ଗତ ଚିଲିକା ବ୍ଲକର ସତର ଗୋଟି ପଞ୍ଚାୟତକୁ ୧୭ ଟି ଟ୍ରାଇ ସାଇକେଲ ପ୍ରଦାନ କରାଯାଇଛି।

ଉକ୍ତ ଜନଶୁଣାଣି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେନ୍ଦ୍ରନାଥ ମୁର୍ମୁ, ତହସିଲଦାର ସୁରେଶ ଚନ୍ଦ୍ର ପଣ୍ଡା, ବିଡିଓ ଡ଼ା ସୁଷମା ବାରିକ, ବାଲୁଗାଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ, ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ, ବାଲୁଗାଁ ଥାନା ଇନଚାର୍ଜ ଡ଼ିଏସପି ରମାକାନ୍ତ ମାହାଲିକ, ବାଣପୁର ଆଇଆଇସି ରଶ୍ମିରଞ୍ଜନ ସାହୁ, ପଞ୍ଚାୟତ ସମିତି ଅଧ୍ୟକ୍ଷା ଜ୍ୟୋତ୍ସ୍ନା ବେହେରା, ଉପାଧ୍ୟକ୍ଷ ଅରୁଣ ପଟ୍ଟନାୟକ, ସମସ୍ତ ନିର୍ବାଚିତ ଜନ ପ୍ରତିନିଧି ଓ ବିଭିନ୍ନ ସରକାରୀ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ସରପଞ୍ଚଙ୍କ କାର୍ଯ୍ୟରେ ବାଧା!: ଅଭିଯୋଗ ପରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସୋରଣ ପଞ୍ଚାୟତ ଗସ୍ତ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଳକ ଅନ୍ତର୍ଗତ ସୋରଣ ଗ୍ରାମ ପଞ୍ଚାୟତରେ କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ହେଉନଥିବାର ଲିଖିତ ଅଭିଯୋଗ ବାରମ୍ବାର ସରପଞ୍ଚ ସୁଜାତା ବିଶ୍ୱାଳ ଜିଲ୍ଲାପାଳଙ୍କୁ ଜଣାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରିନାହିଁ। ସୋରଣ ଗ୍ରାମର କିଛି ମୁଷ୍ଟିମେୟ ଖଳ ପ୍ରକୃତିର ବ୍ୟକ୍ତିବିଶେଷଙ୍କ ପାଇଁ ପଞ୍ଚାୟତରେ କୌଣସି ଉନ୍ନତିମୂଳକ କାର୍ଯ୍ୟ ହେଉନଥିବାର ଅଭିଯୋଗ କରିଛନ୍ତି ସରପଞ୍ଚ। ବିରୋଧୀ ଦଳ ସମର୍ଥିତ ସରପଞ୍ଚ ହୋଇଥିବାରୁ ଶାସକ ଦଳର ଚାପରେ ବ୍ଲକ ପ୍ରଶାସନ ତାଙ୍କୁ କୌଣସି କାର୍ଯ୍ୟରେ ସହଯୋଗ କରୁନଥିବାର ସରପଞ୍ଚ ସାଙ୍ଘାତିକ ଅଭିଯୋଗ କରିଛନ୍ତି।

ଅନେକ ଅଭିଯୋଗ ପରେ ଆଜି ସୋରଣ ଗ୍ରାମପଞ୍ଚାୟତ ଗସ୍ତରେ ଆସି ବିଭିନ୍ନ ସ୍ଥିତିର ସମୀକ୍ଷା କରିଥିଲେ ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି। ସେହିଭଳି ପଂଚାୟତର ବିଭିନ୍ନ ସମସ୍ୟା ସରପଞ୍ଚ ଜଣାଇବା ପରେ ତାହାର ସମାଧାନ କିପରି ଭାବେ ହୋଇପାରିବ ତାହା ମଧ୍ୟ ଜିଲ୍ଲାପାଳ ଆଲୋଚନା କରିଥିଲେ। ଚିଲିକା ତହସିଲଦାର ପୁନମ୍ ମହାପାତ୍ର, ସୋରଣ ସରପଞ୍ଚ ସୁଜାତା ବିଶ୍ଵାଳ, ବ୍ଲକ ଯୋଗାଣ ନିରୀକ୍ଷକ ଅରୁଣ କୁମାର୍ ଲେଙ୍କା, ପିଇଓ ପ୍ରକାଶ ବେହେରାଙ୍କ ସମେତ ଅନ୍ୟ ସରକାରୀ କର୍ମଚାରୀମାନେ ଉପସ୍ଥିତ ରହି ଜିଲ୍ଲାପାଳଙ୍କ ସହ ସମସ୍ତ ବିଷୟରେ ଆଲୋଚନା କରିଥିଲେ।

ପଞ୍ଚାୟତର ସମସ୍ୟାଗୁଡିକ ଯଥା ଏନ୍.ଆର୍.ଜି.ଏସ ର ଲକ୍ଷାଧିକ ଟଙ୍କା ହଡପ, ଓଏପି/ଭତ୍ତାର ବଳକା ଟଙ୍କାକୁ ବ୍ଲକ୍ କର୍ମଚାରୀ ନିଜ ପାଖରେ ରଖିବା, ପଞ୍ଚାୟତର ଜାଗାକୁ ଜବରଦଖଲ କରିବା, ବସ୍ତି ପାଇଁ ରହିଥିବା ଜାଗାକୁ ନେଇ ଟାୱାର ବସାଇ ଟଙ୍କା ଆଦାୟ କରିବା ଓ ପଞ୍ଚାୟତର ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟ ଉପରେ ଆଲୋଚନା କରି ସମସ୍ତ ସମସ୍ୟାକୁ ଖୁବଶୀଘ୍ର ଦୁରୀକରଣ କରାଯିବ ବୋଲି ଜିଲ୍ଲାପାଳ ସନତ କୁମାର୍ ମହାନ୍ତି ପ୍ରତିଶ୍ରୁତି ଦେଇଥିଲେ।

ସେହିପରି ଭାବେ ସୋରଣ ଗ୍ରାମର ଜନସାଧାରଣଙ୍କ ଅନେକ ସାଧାରଣ ସମସ୍ୟା ଥିବାରୁ ଆଜି ଜିଲ୍ଲାପାଳଙ୍କୁ ଦେଖି ଅନେକ ଜନସାଧାରଣ ବହୁ ଲିଖିତ ଅଭିଯୋଗ ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିବା ଜଣା ପଡ଼ିଛି। ତେବେ ଆଜି ଜିଲ୍ଲାପାଳଙ୍କ ଗସ୍ତ ପରେ ସରପଞ୍ଚ ଆଶାବାଦୀ ଅଛନ୍ତି ଯେ, ଆଗକୁ ସବୁ ସମସ୍ୟା ଦୂର ହେବ। ତେବେ ଯଦି ଏକ ମାସ ମଧ୍ୟରେ ଏ ସବୁ ଦୂର ନହୁଏ ତେବେ ସରପଞ୍ଚ ସରକାରୀ ଅଧିକାରୀଙ୍କ ବିରୁଦ୍ଧରେ ଆଇନର ଆଶ୍ରୟ ନେବେବୋଲି କହିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ସମୀକ୍ଷା ପ୍ରଭାବ: ଚିଲିକା ବ୍ଳକର ଚାଷୀ ପାଇଲେ ଧାନ ବିକ୍ରି ଟଙ୍କା

ସୀତାରାମ ଅଗ୍ରୱାଲ

ଚିଲିକା: ଧାନ ବିକ୍ରିର ୧୦ ଦିନ ପରେବି ଚାଷୀଙ୍କୁ ଟଙ୍କା ମିଳୁନଥିବା ଖବର ଗତକାଲି ‘ସମୀକ୍ଷା’ ରେ ପ୍ରକାଶିତ ହେବା ପରେ ଶୋଇଥିବା ଜିଲ୍ଲା ଯୋଗାଣ ବିଭାଗ ବର୍ତ୍ତମାନ ଚେଇଁ ଉଠିଛି।

ଚିଲିକା ବ୍ଳକ୍ ର ଜରିପଡ଼ା, ସୋରଣ, ନଈରି, ବିରିବାଡି, ଚଣ୍ଡେଶ୍ୱର ଆଦି ସେବା ସମବାୟ ସମିତିର ଶହ ଶହ ଚାଷୀ ଗତ ୧/୨ ତାରିଖରୁ ଧାନ ଦେଇ ୭ ତାରିଖରେ ଆଧାର ଭେରୀଫିକେସନ କରିଥିଲେ। କିନ୍ତୁ ଚାଷୀଙ୍କୁ ଧାନ ବିକ୍ରି ଟଙ୍କା ଗତକାଲି ପର୍ଯ୍ୟନ୍ତ ମିଳିପାରିନଥିଲା। ଏନେଇ ସମୀକ୍ଷାରେ ଗତକାଲି ଏକ ଖବର ପ୍ରକାଶିତ ହୋଇଥିଲା।

ତେବେ ଆଜି ଜିଲ୍ଲା ପ୍ରଶାସନ ଏକକାଳୀନ ଭାବେ ଶହ ଶହ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସେମାନଙ୍କ ପ୍ରାପ୍ୟ ଟଙ୍କା ପଠାଇଛି। ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀ ଅନାଥ ଚରଣ ସ୍ୱାଇଁ ଏ ନେଇ ସୂଚନା ଦେଇଛନ୍ତି। ଏବଂ ଆସନ୍ତା ତିନି ଦିନ ଭିତରେ ସମସ୍ତ ଚାଷୀଙ୍କୁ ସେମାନଙ୍କ ବକେୟା ଅର୍ଥ ମିଳିଯିବ ବୋଲି ମଧ୍ୟ କହିଛନ୍ତି। ଅପରପକ୍ଷରେ ଚାଷୀମାନେ ନିଜର ପ୍ରାପ୍ୟ ପାଇଥିବାରୁ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।