Categories
ଆଜିର ଖବର ରାଜ୍ୟ ଖବର

ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ହଜାର ହଜାର କନିଷ୍ଠ ଶିକ୍ଷକ

ଭୁବନେଶ୍ୱର: ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ ପାଇଁ ଆଜି ହଜାର ହଜାର କନିଷ୍ଠ ଶିକ୍ଷକ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଗତ ତା ୧୫.୧୦.୨୦୨୨ରିଖରେ ଓଡ଼ିଶାରୁ ସମ୍ପୂର୍ଣ୍ଣ ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ ଘୋଷଣା ପୂର୍ବରୁ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ସହ କନିଷ୍ଠ ଶିକ୍ଷକ ମଧ୍ୟ ନିୟମିତ ହେବେ ବୋଲି ତା ୧୩.୧୦.୨୦୨୨ରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣୀ ଗୃହରେ ପ୍ରତିଶ୍ରୁତି ମିଳିଥିଲା ଏବଂ ୧୫ ତାରିଖ କ୍ୟାବିନେଟ ପୂର୍ବରୁ ସରକାରଙ୍କ ତରଫରୁ କନିଷ୍ଠ ଶିକ୍ଷକମାନଙ୍କୁ ଫୋନ ଯୋଗେ ୭ ଦିନ ଭିତରେ ଆପଣଙ୍କ ବିଭାଗୀୟ ଆଦେଶନାମା ବାହାରିବ ବୋଲି ଜଣାଇଥିଲେ।

୧୫ ଅକ୍ଟୋବରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଘୋଷଣା କଲେ ଓଡ଼ିଶାରୁ ସମ୍ପୂର୍ଣ୍ଣ ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ ହେଲା। ଏଥିରେ ୫୭ ହଜାର କର୍ମଚାରୀ ଚୁକ୍ତିଭିତ୍ତିକ ଉଚ୍ଛେଦ ହେଲେ, କିନ୍ତୁ ଏହି ଘୋଷଣାରୁ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକମାନେ ବାଦ୍ ପଡ଼ିଯାଇଥିଲେ। ତା ୨୬.୧୦.୨୦୨୨ରିଖରେ ମୁଖ୍ୟ ଶାସନ ସଚିବ, ଗଣଶିକ୍ଷା ବିଭାଗ ସହ ବୈଠକ ହୋଇଥିଲା। ସେଥିରେ କନିଷ୍ଠ ଶିକ୍ଷକଙ୍କ ଦାବକୁ ସରକାର ଖୁବ୍‌ଶୀଘ୍ର କ୍ୟାବିନେଟରେ ପାସ୍ ହୋଇ ଘୋଷଣା କରାଯିବ ବୋଲି କୁହାଗଲା। ଦୁଇଟା ଉପନିର୍ବାଚନ ସମୟରେ ଆମ ଦାବିକୁ ପ୍ରାଥମିକତା ଭିତ୍ତିରେ ପୂରଣ କରିବାକୁ ପ୍ରତିଶ୍ରୁତି ମିଳିଥିଲା ଏବଂ ତା ୧୪.୧୨.୨୦୨୨ରିଖରେ ମୁଖ୍ୟ ଶାସନ ସଚିବ ଅଫିସ୍ ଭିତରେ ଆଲୋଚନା ହେଲା। କିନ୍ତୁ ସ୍କିମ୍‌ରେ କର୍ମଚାରୀ ସଂଖ୍ୟା ଅଧିକ ଓ କେନ୍ଦ୍ରୀୟ ସ୍କିମ ବୋଲି ଭିତ୍ତିହୀନ କଥା କହି ନିୟମିତ କରିବାକୁ ମନା କରିଦେଲେ।

ବର୍ତ୍ତମାନ ଯେଉଁ ୫୭ ହଜାର କର୍ମଚାରୀଙ୍କ ଚୁକ୍ତିଭିତ୍ତିକ ଉଚ୍ଛେଦ କଲେ ସେଥିରେ ମଧ୍ୟ ପୂର୍ବରୁ କେନ୍ଦ୍ର ରାମ୍‌ସା ସ୍କିମ୍‌ରୁ  ହାଇସ୍କୁଲ୍ ଶିକ୍ଷକ, ସ୍ୱାସ୍ଥ୍ୟ ବିଭାଗ କେନ୍ଦ୍ର ସ୍କିମ୍‌ରୁ ନର୍ସିଂ ଅଫିସର ଓ ପଞ୍ଚାୟତ ଜଳଯୋଗାଣ ବିଭାଗର ଡିପ୍ଲୋମାଧାରୀ ମାନଙ୍କୁ ନିୟମିତ ଘୋଷଣା ସହ ୬ବର୍ଷ କାର୍ଯ୍ୟକାଳକୁ ମୂଳ ଚାକିରୀରେ ସାମିଲ୍ କରିଛନ୍ତି। ଅନ୍ୟପଟେ କେନ୍ଦ୍ର ସରକାରଙ୍କ କେନ୍ଦ୍ର ମନ୍ତ୍ରଣାଳୟର ଦାୟାଦ ସମୀର କୁମାର ପତିଙ୍କ ଏକ ସୂଚନା ଅଧିକାର ପତ୍ରର ଉତ୍ତରରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ତା ୨୯.୦୭.୨୦୧୯ରିଖରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରିଛନ୍ତି ଯେ, କନିଷ୍ଠ ଶିକ୍ଷକମାନଙ୍କର ବାର୍ଷିକ କାର୍ଯ୍ୟପନ୍ଥା ଓ ବଜେଟ ସମ୍ପୂର୍ଣ୍ଣ ଭାବେ ସମ୍ପୃକ୍ତ ରାଜ୍ୟ ଉପରେ ନିର୍ଭର କରେ। ଏହାର ଅର୍ଥ ସ୍ୱରୂପ ଓଡ଼ିଶାର କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଚୁକ୍ତିଭିତ୍ତିକ ଉଚ୍ଛେଦ ରାଜ୍ୟ ସରକାର କରିପାରିବେ ଏବଂ ଏହା ସମଗ୍ର ଶିକ୍ଷାରେ ମଧ୍ୟ ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି। ଶିକ୍ଷକ ନିଯୁକ୍ତି ନିୟମ ଓ ଶିକ୍ଷକମାନଙ୍କ ଦରମା ସମ୍ପୂର୍ଣ୍ଣ ଭାବେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି। ଇତିମଧ୍ୟରେ ସଂଘ ତରଫରୁ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନି।

ଗତ ବିଧାନସଭାରେ ତା ୨୯.୦୩.୨୦୨୩ରିଖରେ ୟୁଡି ୩୭୧୮ ନମ୍ବର ବିଧାୟକ ମୋହନ ଚରଣ ମାଝୀଙ୍କ ପ୍ରଶ୍ନର ଉତ୍ତରରେ ମାନ୍ୟବର ଗଣଶିକ୍ଷାମନ୍ତ୍ରୀ ଉତ୍ତର ରଖି ସମଗ୍ର ଶିକ୍ଷା ଯୋଜନା ଅଧୀନରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିୟୋଜିତ ଶିକ୍ଷକ ଶିକ୍ଷୟିତ୍ରୀମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହାୟତା ଦ୍ୱାରା ଆର୍ଥିକ ପାରିଶ୍ରମିକ ପାଇଥାନ୍ତି। ପ୍ରାଥମିକସ୍ତରରେ ୨୦୧୮ ମସିହାରେ ନିୟୋଜିତ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରିବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି କହିଥିଲେ। ମାତ୍ର ଇତି ମଧ୍ୟରେ ଏକମାସରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ କୌଣସି ନିର୍ଯ୍ୟାସରେ ପହଞ୍ôଚ ନାହାଁନ୍ତି। ପୂର୍ବରୁ ରାଜ୍ୟ ସରକାର ୨୦୦୭ମସିହାରେ ୯ବର୍ଷ ଚୁକ୍ତିଭିତ୍ତିକ ଅବଧିକୁ ୩ ବର୍ଷ କମାଇ ୨୦୦୮ ମସିହାରେ ୬ ବର୍ଷରେ ନିୟମିତ କରିଛନ୍ତି। କିନ୍ତୁ ବର୍ତ୍ତମାନ କାହିଁକି ରାଜ୍ୟ ସରକାର ନିଷ୍ପତ୍ତି ନେବାରେ ବିଳମ୍ବ କରୁଛନ୍ତି। ରାଜ୍ୟ ସରକାର ଓଆରଭି ନିୟମ ପାଳନ, ଚୟନମୂଳକ ପରୀକ୍ଷା ଦେଇ ଡିଏଲ୍‌ଇଡି, ବିଏଡ଼୍ ଏବଂ ଓଟିଇଟି ବାଧ୍ୟତାମୂଳକ ଭାବେ ନିଯୁକ୍ତି ପାଇ ୨୦୧୮ ମସିହାରୁ କାର୍ଯ୍ୟ କରି ୪ ବର୍ଷରୁ ଅଧିକ ସମୟ ଅତିକ୍ରାନ୍ତ କରିସାରିଲେଣି । ରାଜ୍ୟ ସରକାରଙ୍କ ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ ଘୋଷଣାକୁ ୬ ମାସ ବିତିଯାଇଥିଲେ ମଧ୍ୟ ଦାବି ଦୁଇଟି ପୂରଣ ହୋଇପାରିି ନାହିଁ।

କନିଷ୍ଠ ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ଚୁକ୍ତିଭିତ୍ତିକ ଉଚ୍ଛେଦ କରିବା ଏବଂ ଚୁକ୍ତିଭିତ୍ତିକ ଅବଧି କାର୍ଯ୍ୟକୁ ମୂଳ ଚାକିରିରେ ଯୋଗ କରିବା ଆଦି ଦୁଇଦଫା ଦାବି ନେଇ ସଂଘ ବାରମ୍ବାର ନିବେଦନ କରୁଥିଲେ ମଧ୍ୟ  ଏପର୍ଯ୍ୟନ୍ତ ରାଜ୍ୟ ସରକାର ଦାବୀ ପୂରଣ କରିନାହାଁନ୍ତି। ତେଣୁ ବାଧ୍ୟ ହୋଇ ରାଜ୍ୟର ହଜାର ହଜାର କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ବୋଲି ସଂଘର ସଭାପତି ଅକ୍ଷୟ କୁମାର ପାଢୀ କହିଛନ୍ତି। ଯଦି ଦୁଇଦଫା ଦାବିକୁ ଆଗାମୀ ଦିନରେ ପୂରଣ କରାନଯାଏ, ତେବେ  ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ସଂଘର ଉପଦେଷ୍ଟା ଶ୍ରୀକାନ୍ତ ବାରିକ, ସମ୍ପାଦକ ସୌମ୍ୟରଞ୍ଜନ ପ୍ରଧାନ, ମହାସଚିବ ଆଦିତ୍ୟ ନାରାୟଣ ସ୍ୱାଇଁ ପ୍ରମୁଖ ଚେତାବନୀ ଦେଇଛନ୍ତି। ଏହି ଆନ୍ଦୋଳନରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରୁ ହଜାର ହଜାର ସଂଖ୍ୟାରେ କନିଷ୍ଠି ଶିକ୍ଷକ ଶିକ୍ଷୟିତ୍ରୀମାନେ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଏପ୍ରିଲ୍ ୩ ତାରିଖରୁ ଆନ୍ଦୋଳନକୁ ଓହ୍ଲାଇବ ଓଡ଼ିଶା ସରକାରୀ ସିବିଟି ଶିକ୍ଷକ ସଂଘ

ଭୁବନେଶ୍ୱର: ଏପ୍ରିଲ୍ ୩ ତାରିଖରେ ଓଡ଼ିଶା ସରକାରୀ ସିବିଟି ଶିକ୍ଷକ ସଂଘ (ମିଳିତମଞ୍ଚ ୨୦୧୬ ରୁ ୨୦୨୨) ନିୟମିତ କରିବା ଦାବିରେ ସେମାନେ ଲୋୟର୍ ପିଏମ୍‌ଜିରେ ବିକ୍ଷୋଭ ପ୍ରଦର୍ଶନ କରିବେ। ମିଳିତମଞ୍ଚ ୨୦୧୬ ରୁ ୨୦୨୨ ଏ ନେଇ ଏକ ପ୍ରେସ୍ ବିବୃତ୍ତିରେ ସୂଚନା ଦେଇଛନ୍ତି।

ସଂଘର ଅଭିଯୋଗ ଅନୁଯାୟୀ ମୁଖ୍ୟମନ୍ତ୍ରୀ ଚୁକ୍ତିଭିତ୍ତିକ ପ୍ରଥାର ଉଚ୍ଛେଦ ଘୋଷଣା କରିଥିଲେ। ଏହାପରେ ସମସ୍ତ ବିଭାଗର ସରକାରୀ କର୍ମଚାରୀଙ୍କୁ ନିୟମିତ କରାଯାଇଛି। ହେଲେ ବିଦ୍ୟାଳୟ ଓ ଗଣଶିକ୍ଷାବିଭାଗ ଅଧିନରେ କାର୍ଯ୍ୟ କରୁଥିବା ୨୦୧୬ ରୁ ୨୦୨୨ ବ୍ୟାଚ୍ ର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ନିୟମିତ କରାଯାଇନାହିଁ। ଅନ୍ୟ ବିଭାଗର କର୍ମଚାରୀମାନେ ନିୟମିତ ହେବାପରେ ସମସ୍ତ ସରକାରୀ ସୁବିଧା ଲାଭ କରୁଛନ୍ତି। ମାତ୍ର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନିୟମିତ ଘୋଷଣା କରାଯାଇନାହିଁ। ଫଳରେ ୧୮୦୦୦ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ମନରେ ଅସନ୍ତୋଷ ସୃଷ୍ଟି ହୋଇଛି। ଏହିପରିକି କିଛି ଶିକ୍ଷକ ନିୟମିତ ନ ହୋଇପାରି ମୃତ୍ୟୁବରଣ କରିଛନ୍ତି।

ତେଣୁ ଆସନ୍ତା ୩ ତାରିଖ ରୁ ୨୦୧୬ ରୁ ୨୦୨୨ ବ୍ୟାଚ୍ ର ଶିକ୍ଷକ ଶିକ୍ଷୟିତ୍ରୀମାନେ ଧାରଣା ଦେବେ ବୋଲି ରାଜ୍ୟ ସଂଘର ସଭାପତି ରାଜେନ୍ଦ୍ର ମଲ୍ଲିକ୍‌, ଆବାହକ ମନୋଜ ଜେନା, ମହା ସଚିବ ଦେବାଶିଷ ଜେନା, ସମ୍ପାଦକ ଦେବରାଜ ସାହୁ ପ୍ରମୁଖ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଡ଼ିସେମ୍ବର ୭ରେ ବିଧାନସଭା ଘେରିବ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ: ଜାଣନ୍ତୁ କାରଣ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ମାସ ୧୫ ତାରିଖରେ ଗଣମାଧ୍ୟମରେ ଓଡିଶା ମାଟିରୁ ସଂପୂର୍ଣ୍ଣ ଭାବେରେ ଚୁକ୍ତିଭିତ୍ତିକ ପ୍ରଥାକୁ ବିଲୋପ କରି ସମସ୍ତ ଚୁକ୍ତିଭିତ୍ତିକ ଶିକ୍ଷକ ଓ କର୍ମଚାରୀମାନଙ୍କୁ ନିୟମିତ କରିବା ପାଇଁ ଘୋଷଣା କଲେ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ ସାଧାରଣ ଓ ପ୍ରଶାସନିକ ବିଭାଗ ଗତ ମାସ ୧୬ ତାରିଖରେ ଏକ ନୋଟିଫିକେସନ ପ୍ରକାଶ କରି ସମସ୍ତ ବିଭାଗକୁ ଅବଗତ କରାଇଲେ। ଉକ୍ତ ନିୟମରେ ସମସ୍ତ ଚୁକ୍ତିଭିତ୍ତିକ ପଦବୀକୁ ନିୟମିତ କରି ୬ ଗୋଟି ଇନ୍କ୍ରିମେଣ୍ଟ ପ୍ରଦାନ କରିବା ପାଇଁ ଚିଠିରେ ପରିପ୍ରକାଶ କଲେ। ଏହି ଖବରଟି ପ୍ରଥମେ ସମସ୍ତଙ୍କ ଚୁକ୍ତି ଭିତ୍ତିକ ଶିକ୍ଷକ ମନରେ ଖୁସିର ବାର୍ତ୍ତା ଆଣିଥିଲା। କିନ୍ତୁ ଏହି ଆଦେଶକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମାନୁନାହିଁ।

ଫଳସ୍ୱରୂପ ୧୮ ହଜାର ଚୁକ୍ତିଭିତ୍ତିକ ଶିକ୍ଷକ ନିୟମିତରୁ ବଞ୍ଚିତ ହେଉଛନ୍ତି। ଏହା ମଧ୍ୟରେ ଅନ୍ୟବିଭାଗର କର୍ମଚାରୀ ମାନେ ନିୟମିତ ହେଉଥିବା ସମୟରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଅଣଦେଖା କରାଯାଉଛି। ସମସ୍ୟାର ତୁରନ୍ତ ସମାଧାନ ପାଇଁ ସଂଘ ବିଭାଗର ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିବା ପରେ, ଏକ ଉଚ୍ଚ ସ୍ତରୀୟ ଆଲୋଚନା କରି ନିୟମିତ କରିବାକୁ ବିଭାଗର ବରିଷ୍ଠ ଅଧିକାରୀ ମତ ରଖିଥିଲେ। କିନ୍ତୁ ଇତି ମଧ୍ୟରେ ୫୦ ଦିନ ବିତିସାରିଥିବା ବେଳେ ବିଭାଗ କୌଣସି ବିହିତ ପଦକ୍ଷେପ ନେଇନାହାନ୍ତି।

ଯେଉଁ ଚୁକ୍ତିଭିତ୍ତିକ ଶିକ୍ଷକ ମାନେ ୬ ବର୍ଷ ଚୁକ୍ତି ଅବଧି ପୂରଣ କରିଥିବେ, ସେମାନଙ୍କୁ ନିୟମିତ କରିବା ପାଇଁ ୨୦୧୧ ମସିହାରେ ଏକ ନିୟମ ଗଣଶିକ୍ଷା ବିଭାଗ କରିଥିଲେ। ଏହି ଆଧାରରେ ୩୨୦୦ ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ନିୟମିତ କରିବା ପାଇଁ ଏକ ତାଲିକା ମାଧ୍ୟମିକ ଶିକ୍ଷା ନିର୍ଦ୍ଧେଶକ ଗଣଶିକ୍ଷା ବିଭାଗକୁ ପଠାଇଥିଲେ। କିନ୍ତୁ ୨ ମାସ ବିତିଗଲାଣି ନିୟମିତ କରିବା ପାଇଁ ଇଚ୍ଛା ପ୍ରକାଶ କରୁନାହାନ୍ତି ଗଣଶିକ୍ଷା ବିଭାଗ।

ବିଭିନ୍ନ ବାହାନା ଦେଖାଇ ଦିନ ପରେ ଦିନ ଗଡ଼ାଇ ଚାଲୁଛନ୍ତି, ଏହା ଦ୍ୱାରା ୨୦୧୬ ରୁ ୨୦୨୨ ଭିତରେ ନିଯୁକ୍ତି ପାଇଥିବା ୧୮ ହଜାର ଚୁକ୍ତିଭିତ୍ତିକ ଶିକ୍ଷକ ନିୟମିତରୁ ବଂଚିତ ହେଉଛନ୍ତି। ଗଣଶିକ୍ଷା ବିଭାଗର ଏହି ନୀରବତା ପାଇଁ ଗତ ୧୬ ତାରିଖରେ ସଂଘ ଗଣଶିକ୍ଷା ମନ୍ତ୍ରୀଙ୍କ ସରକାରୀ ବାସଭବନ ଘେରାଉ କରିଥିଲା, ଏହା ପରେ ଗଣଶିକ୍ଷା ସଚିବ ୧୭ ତାରିଖରେ ସଂଘ ସହ ଆଲୋଚନା କରିଥିଲେ ଓ ତୁରନ୍ତ ସମସ୍ତ ୧୮୦୦୦ ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କୁ ନିୟମିତ କରିବା ପାଇଁ ପ୍ରତିଶୃତି ଦେଇଥିଲେ। କିନ୍ତୁ ୧୫ ଦିନ ବିତିଯାଇଥିବା ସତ୍ତ୍ୱେ ବିଭାଗ ଏ ଯାଏଁ ନ୍ୟାୟ ପ୍ରଦାନ କରିବା କ୍ଷେତ୍ରରେ ଦୃଷ୍ଟି ଦେଉନାହାନ୍ତି। ସର୍ବ ସାଧାରଣରେ ଗୋଟିଏ ଚର୍ଚ୍ଚା ହେଲାଣି ମୁଖ୍ୟମନ୍ତ୍ରୀ ମିଛ ଘୋଷଣା କରିଛନ୍ତି।

ବର୍ତ୍ତମାନ ସାଧାରଣ ପ୍ରଶାସନିକ ବିଭାଗ ହେଉବା ଅର୍ଥ ବିଭାଗ ଶିକ୍ଷକମାନଙ୍କୁ ନିୟମିତ କରିବା ପାଇଁ କୌଣସି ପଦକ୍ଷେପ ନେଉନାହାନ୍ତି। ଗଣଶିକ୍ଷା ବିଭାଗ ବର୍ତ୍ତମାନ ୭୫୦୦ ନିୟମିତ ପଦବୀ ହାଇସ୍କୁଲ ନିମନ୍ତେ ବିଜ୍ଞାପନ ବାହାରକରିଛନ୍ତି। ଏହାକୁ ସଂଘ ସ୍ୱାଗତ କରୁଅଛି। କିନ୍ତୁ ପ୍ରଥମେ ୧୮୦୦୦ ଶିକ୍ଷକ ମାନଙ୍କୁ ଗଣଶିକ୍ଷା ବିଭାଗ ନିୟମିତ କରି ତାପରେ ନିୟମିତ ପଦବୀ ଦେଇ ଶିକ୍ଷକ ସମସ୍ୟା ଦୂର କରନ୍ତୁ ବୋଲି ସଂଘ ଅଭିଯୋଗ କରିଛି।

ସରକାରଙ୍କ ଶିକ୍ଷକ ମାରଣନୀତି ବିରୁଦ୍ଧରେ ଓ ୧୮୦୦୦ ଚୁକ୍ତିଭିତ୍ତିକ ଶିକ୍ଷକ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ନିୟମିତ କରିବା ଦାବୀ ନେଇ ଆସନ୍ତା ଡିସେମ୍ବର ୦୭ ତାରିଖରେ ଗାନ୍ଧୀ ମାର୍ଗରେ ଆନ୍ଦୋଳନ କରିବା ପାଇଁ ସଂଘ ସଭାପତି ପଞ୍ଚାନନ ଜେନା ପ୍ରେସ ମାଧ୍ୟମରେ ଜଣାଇଛନ୍ତି। ଆନ୍ଦୋଳନ ସମୟରେ ଯେଉଁ ଅପ୍ରୀତିକର ପରିସ୍ଥିତି ହେବ, ସେଥିପାଇଁ ସରକାର ଦାୟୀ ରହିବେ ବୋଲି ସଙ୍ଘ ମହାସଚିବ ବିଶ୍ୱଜିତ ବିଶ୍ୱାଳ ମତ ରଖିଛନ୍ତି।

ସରକାରଙ୍କ ତୁରନ୍ତ ଚୁକ୍ତିଭିତ୍ତିକ ଶିକ୍ଷକ ମାନଙ୍କୁ ନିୟମିତ କରନ୍ତୁ, ନଚେତ ଆନ୍ଦୋଳନ ତ୍ରୀବ୍ରତର ହେବ ବୋଲି ସଂଘର କୋଷାଧ୍ୟକ୍ଷ ଅକ୍ଷୟ ସତନାମୀ, ଉପସଭାପତି ବିନୋଦ ମିଶ୍ର, ଦାମୋଦର ମହାନନ୍ଦ, ରଂଜିତ ନାୟକ, ଶାନ୍ତନୁ ଦାସ, ହବିଲ କିସାନ ପ୍ରତାପସମାଲ ,ବିନୋଦ ମିଶ୍ର, ସତ୍ୟ ତରାଇ, ମନୋହର ଦାଶ, ପ୍ରିୟବ୍ରତ ବେହେରା, ସାଇ ପ୍ରିତମ ସେନାପତି, ରାଜୀବ ପରିଡା, ବସନ୍ତ କୌଶଲ୍ୟା, ସୁବାଷ ଜେନା, ଆନନ୍ଦ ମହାନ୍ତି, ସୁବ୍ରତ ଲେଙ୍କା, ରଶ୍ମି ରଞ୍ଜନ ସାହୁ, ମିଥୁନ ମାଳି, ମାନସ ସେଥି, ଜଗଦୀଶ ବେହେରା, ନୟନ କୁମାର ପାଢ଼ୀ, ସିମାଞ୍ଚଳ ସାହୁ, ଦିଲୁ ସାହୁ ସୁରଦର୍ଶନ ସାହୁ, ମାନସ ବେହେରା, ପ୍ରମୁଖ ସରକାରଙ୍କୁ ଜଣାଇଅଛନ୍ତି।