ଡ଼ିସେମ୍ବର ୭ରେ ବିଧାନସଭା ଘେରିବ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ: ଜାଣନ୍ତୁ କାରଣ

Published: Nov 27, 2022, 2:43 pm IST

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ମାସ ୧୫ ତାରିଖରେ ଗଣମାଧ୍ୟମରେ ଓଡିଶା ମାଟିରୁ ସଂପୂର୍ଣ୍ଣ ଭାବେରେ ଚୁକ୍ତିଭିତ୍ତିକ ପ୍ରଥାକୁ ବିଲୋପ କରି ସମସ୍ତ ଚୁକ୍ତିଭିତ୍ତିକ ଶିକ୍ଷକ ଓ କର୍ମଚାରୀମାନଙ୍କୁ ନିୟମିତ କରିବା ପାଇଁ ଘୋଷଣା କଲେ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ ସାଧାରଣ ଓ ପ୍ରଶାସନିକ ବିଭାଗ ଗତ ମାସ ୧୬ ତାରିଖରେ ଏକ ନୋଟିଫିକେସନ ପ୍ରକାଶ କରି ସମସ୍ତ ବିଭାଗକୁ ଅବଗତ କରାଇଲେ। ଉକ୍ତ ନିୟମରେ ସମସ୍ତ ଚୁକ୍ତିଭିତ୍ତିକ ପଦବୀକୁ ନିୟମିତ କରି ୬ ଗୋଟି ଇନ୍କ୍ରିମେଣ୍ଟ ପ୍ରଦାନ କରିବା ପାଇଁ ଚିଠିରେ ପରିପ୍ରକାଶ କଲେ। ଏହି ଖବରଟି ପ୍ରଥମେ ସମସ୍ତଙ୍କ ଚୁକ୍ତି ଭିତ୍ତିକ ଶିକ୍ଷକ ମନରେ ଖୁସିର ବାର୍ତ୍ତା ଆଣିଥିଲା। କିନ୍ତୁ ଏହି ଆଦେଶକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମାନୁନାହିଁ।

ଫଳସ୍ୱରୂପ ୧୮ ହଜାର ଚୁକ୍ତିଭିତ୍ତିକ ଶିକ୍ଷକ ନିୟମିତରୁ ବଞ୍ଚିତ ହେଉଛନ୍ତି। ଏହା ମଧ୍ୟରେ ଅନ୍ୟବିଭାଗର କର୍ମଚାରୀ ମାନେ ନିୟମିତ ହେଉଥିବା ସମୟରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଅଣଦେଖା କରାଯାଉଛି। ସମସ୍ୟାର ତୁରନ୍ତ ସମାଧାନ ପାଇଁ ସଂଘ ବିଭାଗର ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିବା ପରେ, ଏକ ଉଚ୍ଚ ସ୍ତରୀୟ ଆଲୋଚନା କରି ନିୟମିତ କରିବାକୁ ବିଭାଗର ବରିଷ୍ଠ ଅଧିକାରୀ ମତ ରଖିଥିଲେ। କିନ୍ତୁ ଇତି ମଧ୍ୟରେ ୫୦ ଦିନ ବିତିସାରିଥିବା ବେଳେ ବିଭାଗ କୌଣସି ବିହିତ ପଦକ୍ଷେପ ନେଇନାହାନ୍ତି।

ଯେଉଁ ଚୁକ୍ତିଭିତ୍ତିକ ଶିକ୍ଷକ ମାନେ ୬ ବର୍ଷ ଚୁକ୍ତି ଅବଧି ପୂରଣ କରିଥିବେ, ସେମାନଙ୍କୁ ନିୟମିତ କରିବା ପାଇଁ ୨୦୧୧ ମସିହାରେ ଏକ ନିୟମ ଗଣଶିକ୍ଷା ବିଭାଗ କରିଥିଲେ। ଏହି ଆଧାରରେ ୩୨୦୦ ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ନିୟମିତ କରିବା ପାଇଁ ଏକ ତାଲିକା ମାଧ୍ୟମିକ ଶିକ୍ଷା ନିର୍ଦ୍ଧେଶକ ଗଣଶିକ୍ଷା ବିଭାଗକୁ ପଠାଇଥିଲେ। କିନ୍ତୁ ୨ ମାସ ବିତିଗଲାଣି ନିୟମିତ କରିବା ପାଇଁ ଇଚ୍ଛା ପ୍ରକାଶ କରୁନାହାନ୍ତି ଗଣଶିକ୍ଷା ବିଭାଗ।

ବିଭିନ୍ନ ବାହାନା ଦେଖାଇ ଦିନ ପରେ ଦିନ ଗଡ଼ାଇ ଚାଲୁଛନ୍ତି, ଏହା ଦ୍ୱାରା ୨୦୧୬ ରୁ ୨୦୨୨ ଭିତରେ ନିଯୁକ୍ତି ପାଇଥିବା ୧୮ ହଜାର ଚୁକ୍ତିଭିତ୍ତିକ ଶିକ୍ଷକ ନିୟମିତରୁ ବଂଚିତ ହେଉଛନ୍ତି। ଗଣଶିକ୍ଷା ବିଭାଗର ଏହି ନୀରବତା ପାଇଁ ଗତ ୧୬ ତାରିଖରେ ସଂଘ ଗଣଶିକ୍ଷା ମନ୍ତ୍ରୀଙ୍କ ସରକାରୀ ବାସଭବନ ଘେରାଉ କରିଥିଲା, ଏହା ପରେ ଗଣଶିକ୍ଷା ସଚିବ ୧୭ ତାରିଖରେ ସଂଘ ସହ ଆଲୋଚନା କରିଥିଲେ ଓ ତୁରନ୍ତ ସମସ୍ତ ୧୮୦୦୦ ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କୁ ନିୟମିତ କରିବା ପାଇଁ ପ୍ରତିଶୃତି ଦେଇଥିଲେ। କିନ୍ତୁ ୧୫ ଦିନ ବିତିଯାଇଥିବା ସତ୍ତ୍ୱେ ବିଭାଗ ଏ ଯାଏଁ ନ୍ୟାୟ ପ୍ରଦାନ କରିବା କ୍ଷେତ୍ରରେ ଦୃଷ୍ଟି ଦେଉନାହାନ୍ତି। ସର୍ବ ସାଧାରଣରେ ଗୋଟିଏ ଚର୍ଚ୍ଚା ହେଲାଣି ମୁଖ୍ୟମନ୍ତ୍ରୀ ମିଛ ଘୋଷଣା କରିଛନ୍ତି।

ବର୍ତ୍ତମାନ ସାଧାରଣ ପ୍ରଶାସନିକ ବିଭାଗ ହେଉବା ଅର୍ଥ ବିଭାଗ ଶିକ୍ଷକମାନଙ୍କୁ ନିୟମିତ କରିବା ପାଇଁ କୌଣସି ପଦକ୍ଷେପ ନେଉନାହାନ୍ତି। ଗଣଶିକ୍ଷା ବିଭାଗ ବର୍ତ୍ତମାନ ୭୫୦୦ ନିୟମିତ ପଦବୀ ହାଇସ୍କୁଲ ନିମନ୍ତେ ବିଜ୍ଞାପନ ବାହାରକରିଛନ୍ତି। ଏହାକୁ ସଂଘ ସ୍ୱାଗତ କରୁଅଛି। କିନ୍ତୁ ପ୍ରଥମେ ୧୮୦୦୦ ଶିକ୍ଷକ ମାନଙ୍କୁ ଗଣଶିକ୍ଷା ବିଭାଗ ନିୟମିତ କରି ତାପରେ ନିୟମିତ ପଦବୀ ଦେଇ ଶିକ୍ଷକ ସମସ୍ୟା ଦୂର କରନ୍ତୁ ବୋଲି ସଂଘ ଅଭିଯୋଗ କରିଛି।

ସରକାରଙ୍କ ଶିକ୍ଷକ ମାରଣନୀତି ବିରୁଦ୍ଧରେ ଓ ୧୮୦୦୦ ଚୁକ୍ତିଭିତ୍ତିକ ଶିକ୍ଷକ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ନିୟମିତ କରିବା ଦାବୀ ନେଇ ଆସନ୍ତା ଡିସେମ୍ବର ୦୭ ତାରିଖରେ ଗାନ୍ଧୀ ମାର୍ଗରେ ଆନ୍ଦୋଳନ କରିବା ପାଇଁ ସଂଘ ସଭାପତି ପଞ୍ଚାନନ ଜେନା ପ୍ରେସ ମାଧ୍ୟମରେ ଜଣାଇଛନ୍ତି। ଆନ୍ଦୋଳନ ସମୟରେ ଯେଉଁ ଅପ୍ରୀତିକର ପରିସ୍ଥିତି ହେବ, ସେଥିପାଇଁ ସରକାର ଦାୟୀ ରହିବେ ବୋଲି ସଙ୍ଘ ମହାସଚିବ ବିଶ୍ୱଜିତ ବିଶ୍ୱାଳ ମତ ରଖିଛନ୍ତି।

ସରକାରଙ୍କ ତୁରନ୍ତ ଚୁକ୍ତିଭିତ୍ତିକ ଶିକ୍ଷକ ମାନଙ୍କୁ ନିୟମିତ କରନ୍ତୁ, ନଚେତ ଆନ୍ଦୋଳନ ତ୍ରୀବ୍ରତର ହେବ ବୋଲି ସଂଘର କୋଷାଧ୍ୟକ୍ଷ ଅକ୍ଷୟ ସତନାମୀ, ଉପସଭାପତି ବିନୋଦ ମିଶ୍ର, ଦାମୋଦର ମହାନନ୍ଦ, ରଂଜିତ ନାୟକ, ଶାନ୍ତନୁ ଦାସ, ହବିଲ କିସାନ ପ୍ରତାପସମାଲ ,ବିନୋଦ ମିଶ୍ର, ସତ୍ୟ ତରାଇ, ମନୋହର ଦାଶ, ପ୍ରିୟବ୍ରତ ବେହେରା, ସାଇ ପ୍ରିତମ ସେନାପତି, ରାଜୀବ ପରିଡା, ବସନ୍ତ କୌଶଲ୍ୟା, ସୁବାଷ ଜେନା, ଆନନ୍ଦ ମହାନ୍ତି, ସୁବ୍ରତ ଲେଙ୍କା, ରଶ୍ମି ରଞ୍ଜନ ସାହୁ, ମିଥୁନ ମାଳି, ମାନସ ସେଥି, ଜଗଦୀଶ ବେହେରା, ନୟନ କୁମାର ପାଢ଼ୀ, ସିମାଞ୍ଚଳ ସାହୁ, ଦିଲୁ ସାହୁ ସୁରଦର୍ଶନ ସାହୁ, ମାନସ ବେହେରା, ପ୍ରମୁଖ ସରକାରଙ୍କୁ ଜଣାଇଅଛନ୍ତି।

Related posts