Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚୋରୀ ମାମଲା: ୪ ଅଭିଯୁକ୍ତ ଗିରଫ, ନଗଦ ଅର୍ଥ, ସ୍ବର୍ଣ୍ଣ ଅଳଙ୍କାର ଓ ବିଭିନ୍ନ ଯନ୍ତ୍ରପାତି ଜବତ୍

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: କୋଦଳା ଥାନା ଅନ୍ତର୍ଗତ କାଳିମେଘି ଗ୍ରାମର ସଙ୍ଗୀତା ସ୍ବାଇଁ ନାମ୍ନୀ ଜଣେ ମହିଳା ଗତ ୧୮ ତାରିଖ ରାତିରେ ଘରେ ଶୋଇଥିବା ବେଳେ କିଛି ଦୁର୍ବୃତ୍ତ ଘରର କବାଟ ଭାଙ୍ଗି ଘରେ ପଶି ତାଙ୍କ କାଠ ଆଲମାରୀ ଭାଙ୍ଗି ତା ଭିତରେ ଥିବା ନଗଦ ୩୮ ହଜାର ଟଙ୍କା ଓ ବହୁ ସୁନା ଅଳଙ୍କାର ଚୋରି କରିଥିବା କୋଦଳା ଥାନାରେ ଅଭିଯୋଗ କରିଥିଲେ। କୋଦଳା ପୋଲିସ ଏତଲା ଗ୍ରହଣ କରି କେଶ୍ ନଂ ୩୩୯/୨୩ ଅନୁଯାୟୀ ମାମଲା ରୁଜୁ କରି ଥିଲେ ଓ ଗଞ୍ଜାମ ଏସ୍ ପି ଙ୍କ ନିର୍ଦ୍ଦେଶକ୍ରମେ ପୁରୁଷୋତ୍ତମ ପୁର ଏସ୍ ଡି ପି ଓ ଙ୍କ ତତ୍ବାବଧାନରେ କୋଦଳା ପୋଲିସ ଟିମ ଗଠନ କରି ଅନୁସନ୍ଧାନ ଆରମ୍ଭ କରିଥିଲେ ଓ ବିଭିନ୍ନ ସ୍ଥାନରେ ଚଢାଉ କରି କୋଦଳା ଥାନା ଅନ୍ତର୍ଗତ ମାରୁଡିପଲ୍ଲୀ ଗ୍ରାମର ଜଗା ପାତ୍ର, ରାଜୁ ପାତ୍ର ଓ ଜାପାନ ପାତ୍ର ସମେତ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଅନ୍ତର୍ଗତ ଶ୍ରୀରାମ ପୁର ଗ୍ରାମର ଟୁକୁନା ନାୟକ ନାମକ ଯୁବକ କୁ ଉଠେଇ ଆଣି ଥାନାରେ ଜେରା କରିଥିଲେ। ଏହି ସମୟରେ ସେମାନେ ଚୋରି କରିଥିବା ରାଜି ହୋଇ ଥିଲେ।

ଏତଦବ୍ୟତୀତ ବଡ଼ ଖରିଡା ଗ୍ରାମର ଡାକ୍ତରଖାନାରୁ କମ୍ପ୍ୟୁଟର ଓ ପ୍ରିଣ୍ଟର ମେସିନ ସମେତ କବିସୂର୍ଯ୍ୟ ନଗର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚୋରି କରିଥିବା ରାଜି ହୋଇ ଥିଲେ। ଏହି ଜେରା ସମୟରେ ପୋଲିସ ଉକ୍ତ ୪ ଜଣ ଅଭିଯୁକ୍ତଙ୍କ ଠାରୁ ବହୁ ସୁନା ଅଳଙ୍କାର, ରୁପା ଅଳଙ୍କାର, ନଗଦ ୫୦ ହଜାର ଟଙ୍କା ଓ କମ୍ପ୍ୟୁଟର ଓ ପ୍ରିଣ୍ଟର ମେସିନ ଜବତ କରିଛନ୍ତି ଓ ଆଜି ସେମାନଙ୍କୁ କୋର୍ଟ ଚାଲାଣ କରିଛନ୍ତି।

ଉକ୍ତ ଚୋରି ଘଟଣାରେ ପୋଲିସ ଜବତ କରିଥିବା ସୁନା ଅଳଙ୍କାରକୁ ଏତଲାକାରୀ ତଥା ହିତାଧିକାରୀ ସଙ୍ଗୀତା ସ୍ବାଇଁଙ୍କୁ ପୋଲିସ ହସ୍ତାନ୍ତର କରିଛି। ଯାହା ଫଳରେ ଏତଲାକାରୀ ସଙ୍ଗୀତା, ସରପଞ୍ଚ ଥାନା ଅଧିକାରୀ ଉମାକାନ୍ତ ସାହୁଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚୋରୀ ମାମଲାରେ ୪ ଯୁବକ ଗିରଫ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବଡ଼ବଜାର ଥାନା ଅନ୍ତର୍ଗତ ଗାୟତ୍ରୀ ବିହାରରେ ଗତ ୩୧ ତାରିଖରେ ଘଟିଥିବା ଚୋରି ଘଟଣାରେ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଛି। ଏହି ମାମଲାରେ ୪ ଜଣ ଯୁବକଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି।

ଘଟଣାରୁ ପ୍ରକାଶ ଯେ, ଗାୟତ୍ରୀ ବିହାରର ସୁଶାନ୍ତ ମିଶ୍ର ନିଜର ଉପର ଘରେ ଶୋଇଥିବା ବେଳେ ତଳ ଘରେ କେହି ନଥିବା ସୁଯୋଗ ନେଇ କିଛି ନଗଦ ଟଙ୍କା, ସୁନା ଓ ରୂପା ଅଳଂକାର ଚୋରି ହୋଇଥିବା ବଡ଼ବଜାର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ଅନୁସନ୍ଧାନ ଚଳାଇ ଶଙ୍କର ପରିଡା, ଆକାଶ ପଣ୍ଡା, ବାବୁ ସାହୁ ଓ ରାଜା ପାତ୍ର ନାମକ ୪ ଜଣ ଯୁବକଙ୍କୁ କାବୁ କରି ସେମାନଙ୍କ ଠାରୁ ନଗଦ ୨ ହଜାର ଟଙ୍କା, କିଛି ରୁପା ଅଳଙ୍କାର ଜବତ କରିବା ସହ ଉକ୍ତ ଯୁବକମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ମହିଳାଙ୍କୁ ଅସଦାଚରଣ ଓ ଚୋରୀ ମାମଲାରେ ଦୁଇ ଅଭିଯୁକ୍ତ ଗିରଫ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ପୋଲିସ ଦୁଇ ଗୋଟି ପୃଥକ ମାମଲା ରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବାର ଜଣାପଡିଛି। ପ୍ରଥମ ଘଟଣାରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ଜଣେ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଚୋରୀ ମାମଲାରେ ଅନ୍ୟ ଜଣେ ଅଭିଯୁକ୍ତ ଗିରଫ ହୋଇଛନ୍ତି।

ସୂଚନା ମୁତାବକ ଗତକାଲି ରାତିରେ ନାରଣଦେଇପୁର ଗ୍ରାମର ଜନୈକ ମହିଳାଙ୍କ ଘରେ ପଶି ଅମୁଲ୍ୟ ଜେନା (୩୦) ନାମକ ଜଣେ ଯୁବକ ଅସଦାଚରଣ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ମହିଳାଙ୍କ ଅଭିଯୋଗକ୍ରମେ ପୋଲିସ ଅମୁଲ୍ୟଙ୍କ ବିରୁଦ୍ଧରେ କେସ ନମ୍ବର ୫୪୪/୨୨ ରେ ଏକ ମାମଲା ରୁଜୁ କରି ଗିରଫ କରିଛି।

ଅନୁରୂପ ଭାବେ ଦୁଇ ଦିନ ତଳେ ନୌଷଦ ମିର୍ଜା (୨୨) ନାମକ ଅଭିଯୁକ୍ତ ଗାଲୁଆ ଗ୍ରାମର ଶଙ୍କର୍ଷଣ ପରିଡ଼ାଙ୍କ ଘରେ ଚୋରି ଉଦ୍ଦେଶ୍ୟରେ ଲୁଚିକି ଥିଲେ।  ତାଙ୍କ ପତ୍ନୀ ରଜନୀ ପରିଡ଼ା କେହି ଜଣେ ଘରେ ଲୁଚିଥିବାର ଦେଖି ଚିତ୍କାର କରିଥିଲେ।  ସଙ୍ଗେସଙ୍ଗେ ସାହି ପଡିଶାର ଲୋକ ମାନେ ରୁଣ୍ଡ ହୋଇ ଅଭିଯୁକ୍ତ ନୌଷଦକୁ କାବୁ କରି ପୋଲିସ ଜିମା ଦେଇଥିଲେ। ପରବର୍ତ୍ତୀ ସମୟରେ ଘରୁ ୫ ହଜାର ଟଙ୍କା ଚୋରି ହୋଇଥିବାର ରଜନୀ ଜାଣିବାକୁ ପାଇଥିଲେ।

ତେବେ ଉକ୍ତ ପଇସା ଅଭିଯୁକ୍ତ ନୌଷଦଙ୍କ ନିକଟରୁ ପୋଲିସ ଜବତ କରି ରଜନୀଙ୍କୁ ଫେରାଇଥିବା ବେଳେ ତାଙ୍କରି ଅଭିଯୋଗ କ୍ରମେ କେସ ନମ୍ବର ୫୪୩/୨୨ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଛି। ତେବେ ନୌଷଦ ଜଣେ ଅଭ୍ୟାସଗତ ଅପରାଧୀ ହୋଇଥିବା ବେଳେ ପୁର୍ବରୁ ତାଙ୍କ ନାମରେ ମଧ୍ୟ ଏକାଧିକ ଅପରାଧିକ ମାମଲା ଥିବା ବାଣପୁର ପୋଲିସ କହିଛି।