Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବରର ପ୍ରଥମ ମେୟର ଜଗନ୍ନାଥ ମହାପାତ୍ରଙ୍କ ପରଲୋକ

ଭୁବନେଶ୍ବର: ଆଜି ମହାନ ସମାଜସେବୀ, ଡାକ୍ତର ତଥା ଭୁବନେଶ୍ବର ପୌରାଞ୍ଚଳର ପ୍ରଥମ ମେୟର ଡାକ୍ତର ଜଗନ୍ନାଥ ମହାପାତ୍ରଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ  ବୟସ ହୋଇଥିଲା। ସେ ନିଜକୁ ଜନସେବାରେ ନିୟୋଜିତ ରଖିଥିଲେ।

ଡାକ୍ତରୀ ପାଶ ପରେ ସେ ଭୁବନେଶ୍ବରର ସହୀଦନଗରରେ ଚିକିତ୍ସା କରୁଥିଲେ। ସେଠାରେ ବର୍ତ୍ତମାନ ଜଗନ୍ନାଥ ସେବା ସଦନ ନାମରେ ଡାକ୍ତରଖାନା ରହିଛି। ତାଙ୍କର ଧର୍ମପତ୍ନୀ ସଂଘମିତ୍ରା ମହାପାତ୍ର ଓଡିଶାର ଜଣେ ଜଣାଶୁଣା ସାହିତ୍ୟିକ ଭାବେ ପରିଚିତ। ତାଙ୍କର ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।

Categories
ଆଜିର ଖବର ମତାମତ ରାଜ୍ୟ ଖବର

ବାଣପୁରରେ ରହିଛି ଏମିତି ଏକ ପାଠାଗାର, ଯାହାର ବୟସ ଆଜିକୁ ପୁରିଲା ୧୧୦ ବର୍ଷ

କୃଷ୍ଣ ମହାପାତ୍ର

ଖୋର୍ଦ୍ଧା ଜିଲ୍ଲା ବାଣପୁର ନିକଟସ୍ଥ କୁମାରାଙ୍ଗ ଶାସନ। ଏହି ଗ୍ରାମରେ ରହିଛି ଏକ ପାଠାଗାର, ଯାହାର ବୟସ ଆଜିକୁ ପୁରିଲା ୧୧୦ ବର୍ଷ। କୁମାର ପୂର୍ଣ୍ଣିମାରେ ଜନ୍ମ ଗ୍ରହଣ କରିଥିବା ଏହି ପାଠାଗାରର ନାମ ହେଉଛି ‘କୁମାର ପାଠାଗାର’। ଏହି ଗାଆଁରେ କୁମାରୋତ୍ସଵରେ ଅନ୍ୟ ଅଞ୍ଚଳ ଭଳି ଚାନ୍ଦ ପୂଜା ନ ହୋଇ ପାଳିତ ହୋଇଥାଏ କୁମାର ପାଠାଗାରର ଜନ୍ମୋତ୍ସଵ।

୧୯୧୨ ମସିହାରେ ଗାଁର ଦୁଇ ଜଣ ଦୁରଦ୍ରଷ୍ଟା ମହାପୁରୁଷ ସ୍ବର୍ଗତ ଗୋଦାବରୀଶ ମହାପାତ୍ର (ନିଆଁଖୁଣ୍ଟା) ଓ ସ୍ବର୍ଗତ ଜଗନ୍ନାଥ ମହାପାତ୍ରଙ୍କ କରକମଳରେ ଗାଁ ପିଲାମାନଙ୍କ ପାଇଁ ସ୍ଥାପିତ ହୋଇଥିଲା ଏହି ପାଠାଗାର। ଅବଶ୍ୟ ସମୟକ୍ରମେ ବଦଳିଛି ପାଠାଗାରର କାୟା କଳେବର। ମାଟି କାନ୍ଥ ଓ ଚାଳ ଘରେ ଠିଆ ହୋଇଥିବା ଏହି ଗ୍ରାମ୍ୟ ପାଠାଗାରଟି ଗାଁର କିଛି ବଦାନ୍ୟ ବ୍ୟକ୍ତିଙ୍କ ସୌଜନ୍ୟରୁ ଦୀର୍ଘ କାଳ ପରେ କିଛି ଦଶନ୍ଧି ପୂର୍ବେ ଏକ ବିଶାଳ କୋଠା ଘରରେ ପରିଣତ ହୋଇଛି।

ବର୍ତ୍ତମାନର ଡିଜିଟାଲ ଯୁଗରେ ପାଠାଗାର ପ୍ରତି ଯୁବ ପିଢୀଙ୍କର ଆଗ୍ରହ ହ୍ରାସ ପାଇଛି ସତ। ହେଲେ ଅଶୀ ଓ ନବେ ଦଶକ ଶେଷ ପର୍ଯ୍ୟନ୍ତ ଏହି ପାଠାଗାର ଥିଲା ଯୁବପିଢୀଙ୍କର ଜ୍ଞାନର ଗନ୍ତାଘର। ବିଭିନ୍ନ ଖବରକାଗଜ଼ ଓ ପତ୍ରପତ୍ରିକା ସାଙ୍ଗକୁ କୁମାର ପାଠାଗାରର ଅସଂଖ୍ୟ ଗପ ବହି ଓ ଉପନ୍ୟାସ ସେତେବେଳେ ଯୁବକଙ୍କୁ ଜ୍ଞାନର ଖୋରାକ ଯୋଗାଉଥିଲା।

ସେତେବେଳେ ଯୁବ ପ୍ରତିଭାଙ୍କୁ ପରିଚିତ କରାଇଥିଲା ବ୍ୟାସକବି ଫକୀରମୋହନ ସେନାପତିଙ୍କଠାରୁ ଆରମ୍ଭ କରି ଫତୁରାନନ୍ଦ, ଗୋପୀନାଥ ମହାନ୍ତି, ମନୋଜ ଦାସ, ପ୍ରତିଭା ରାୟ, ବାମାଚରଣ ମିତ୍ର, ବାରିଷ୍ଟର ଗୋବିନ୍ଦ ଦାସ, ଗୋଦାବରୀଶ ମିଶ୍ର, ଗୋଦାବରୀଶ ମହାପାତ୍ରଙ୍କ ସମେତ ଅନେକ କାଳଜୟୀ ସ୍ରଷ୍ଟାଙ୍କ ସହିତ।

ସେତେବେଳେ ଗ୍ରୀଷ୍ମ ଛୁଟି ଆରମ୍ଭ ହେବା ମାତ୍ରେ ଛୋଟ ପିଲା ମାସିକ ଜହ୍ନମାମୁଁ ପତ୍ରିକାର ୧୨ ଟି ଲେଖାଏଁ ସଂଖ୍ୟାକୁ ପଇତା ସୂତାରେ ଗୁନ୍ଥା ଯାଇଥିବା ମୋଟା ସଂକଳନକୁ ପାଠାଗାର ରେଜିଷ୍ଟରରୁ ନିଜ ନାଁ ରେ ଲେଖି ପଢିବାକୁ ଘରକୁ ନେଉଥିଲେ।

ପିଲାଟି ବେଳୁ ପ୍ରତିବର୍ଷ କୁମାର ପାଠାଗାରର ବାର୍ଷିକ ମୁଖପତ୍ର ‘କୁମାର’ ରେ ନିଜସ୍ୱ ଲେଖା ଦେବାପାଇଁ ଚାଲୁଥିଲା ଏକ ରକମ ପ୍ରତିଯୋଗିତା। ପ୍ରଥମେ ହାତରେ ସୁନ୍ଦର ଭାବରେ ଲେଖା ହୋଇ ପ୍ରକାଶିତ ହେଉଥିବା କୁମାର ପତ୍ରିକା ପରବର୍ତ୍ତୀ ସମୟରେ ମୁଦ୍ରଣ ପ୍ରେସରେ ଡିଜିଟାଲ ହୋଇ ଛପାଗଲା। ତେବେ ଏହି ପତ୍ରିକା ସମସ୍ତ କୁମାରାଙ୍ଗିଆଙ୍କୁ ପିଲାଟି ବେଳୁ ଲେଖକ ହେବାର ସହଯୋଗ କରିଆସିଛି।

ସେହିଭଳି ପ୍ରତିବର୍ଷ କୁମାରୋତ୍ସଵ ପୂର୍ବରୁ ଦୌଡ଼କୁଦରୁ ଆରମ୍ଭ କରି କୁଇଜ଼, ବକ୍ତୃତା, ରଚନା, ଚିତ୍ରଙ୍କନ, ଗଣିତ ଦୌଡ଼ ଇତ୍ୟାଦି ବିବିଧ କ୍ରୀଡା ପ୍ରତିଯୋଗିତା ତଥା କୁମାର ପୂର୍ଣ୍ଣିମା ଦିନ ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପିଲାମାନଙ୍କ ଅନ୍ତର୍ନିହିତ ପ୍ରତିଭା ଓ ସୃଜନଶୀଳତା ବିକାଶରେ ବିଶେଷ ସହାୟକ ହୋଇଛି। ଏହି ଦୃଷ୍ଟିରୁ ଦେଖିଲେ କୁମାର ପାଠାଗାର ଏକ ଅନୁଷ୍ଠାନ ଭାବରେ ପିଢ଼ି ପରେ ପିଢ଼ି ଗ୍ରାମର ଯୁବ ବର୍ଗକୁ ବେଶ ଉତ୍ସାହିତ ଓ ଅନୁପ୍ରାଣିତ କରିଛି।