Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

କେଉଁ ଦଳରୁ ଛିଡା ହେବେ ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ

ଭୁବନେଶ୍ବର: କଂଗ୍ରେସର ପୁରୁଖା ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ ବର୍ତ୍ତମାନ ପାରିବାରିକ ରାଜନୀତି ଭିତରେ ଛନ୍ଦି ହୋଇପଡିଛନ୍ତି। କାରଣ ତାଙ୍କର ଦୁଇ ପୁଅ କିଏ କେଉଁଠି କେଉଁ ଦଳରୁ ଛିଡା ହେବେ ସେ ନେଇ କୌଣସି ନିଷ୍ପତି ହୋଇପାରୁ ନାହିଁ। ଫଳରେ ଏକ ଭସା ବାଦଲ ପରି ପରିସ୍ଥିତିରେ ଅଛନ୍ତି ବିଧାୟକ ସୁରେଶ ରାଉତରାୟ।

ତେବେ ସଦ୍ୟତମ ଖବର ଅନୁସାରେ ଗତକାଲି ସୁର ରାଉତରାୟ ଜଟଣୀ ନିର୍ବାଚନ ମଣ୍ଡଳୀର ଗଙ୍ଗପଡାଠାରେ ଏକ ବିରାଟ ସଭା କରିଥିଲେ। ଏହି ସଭାରେ ସେ ଘୋଷଣା କରିଥିଲେ ଯେ, ମୋ ସାନ ପୁଅ ମନ୍ମଥକୁ ଗାଦି ଛାଡିଲି। ମୁଁ ଆଜି ପର୍ଯ୍ୟନ୍ତ ଜନ ସେବା କରିଆସୁଛି। ଏବେ ମୋ ପୁଅ ତାହା କରିବ। ଆପଣମାନେ ସମସ୍ତେ ତାଙ୍କୁ ସାହାଯ୍ୟ କରିବେ ବୋଲି ଜନସମାବେଶକୁ ସମ୍ବୋଧନ କରିଥିଲେ ସୁର ରାଉତରାୟ।

ତେବେ ବଡକଥା ହେଲା ସେ ସେହି ସଭାରେ ପୁଅ ଜଟଣୀରୁ ଲଢେଇ କରିବ ବୋଲି କହିଥିଲେ ମଧ୍ୟ କେଉଁ ଦଳରୁ ଛିଡା ହେବ ତାହା କହି ନ ଥିଲେ। ତେବେ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିଲା ଯେ, ସୁର ରାଉତରାୟ ସେଠାରେ କହିଥିଲେ ଯେ, ପୁଅ କେଉଁ ଦଳରୁ ଛିଡା ହେବ ତାହା ତା’ ଉପରେ ନିର୍ଭର କରେ। ହେଲେ ମୁଁ କଂଗ୍ରେସରେ ରହିଛି ରହିବି। ଯଦି ପୁଅ ମୋତେ ନିର୍ବାଚନ ପ୍ରଚାର କରିବାକୁ ଡାକେ ତେବେ ମୁଁ ଯିବି। ସେ ଯେଉଁ ଦଳରୁ ଛିଡା ହେଲେ ମଧ୍ୟ ପୁଅ ପାଇଁ ପ୍ରଚାର କରିବି।

ଏହି କଥାକୁ ନେଇ ବର୍ତ୍ତମାନ ଜଟଣୀ ରାଜନୀତି ନୁହେଁ ରାଜ୍ୟ ରାଜନୀତିରେ ମଧ୍ୟ ଚର୍ଚ୍ଚା ଚାଲିଛି। କଂଗ୍ରେସର ପୁରୁଖା ନେତା ସୁର ରାଉତରାୟ ଏମିତି କାହିଁକି କହିଲେ ବୋଲି ପ୍ରଶ୍ନ ଉଠିଛି। ତେବେ କଣ ମନ୍ମଥ ରାଉତରାୟ କଂଗ୍ରେସରୁ ପ୍ରାର୍ଥୀ ହେବେ ନାହିଁ ବୋଲି ନିଷ୍ପତି କରିଛନ୍ତି କି  ? ପୂର୍ବରୁ ସୁର ରାଉତରାୟ କହି ଆସୁଥିଲେ ଯେ, ମନ୍ମଥ ଜଟଣୀ ନିର୍ବାଚନ ମଣ୍ଡଳିରୁ କଂଗ୍ରେସ ପ୍ରାର୍ଥୀ ହେବ। ହେଲେ ଏବେ ସେଥିରେ କାହିଁକି ପରିବର୍ତ୍ତନ ହେଲା ବୋଲି ସାଧାରଣରେ ଆଲୋଚନା ହେଉଛି।

ବିଶେଷ ସୁତ୍ର ଅନୁସାରେ ମନ୍ମଥ ରାଉତରାୟ କୁଆଡେ ବିଜେଡିରୁ ଲଢିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ସେଥିପାଇଁ ସେ ବିଜେଡି ନେତାଙ୍କ ସହିତ ଯୋଗାଯୋଗରେ ଅଛନ୍ତି। ଯଦି କୌଣସି କାରଣରୁ ବିଜେଡି ନ ହୁଏ ତେବେ ବିଜେପି ସହିତ ମଧ୍ୟ ସେ ଯୋଗାଯୋଗରେ ରହିଛନ୍ତି। ହେଲେ ସେ କଂଗ୍ରେସରୁ ପ୍ରାର୍ଥୀ ହେବେ ନାହିଁ ବୋଲି ନିଷ୍ପତି କରିଛନ୍ତି। ଏ ନେଇ ଆଉ ତିନିଦିନ ମଧ୍ୟରେ ଚିତ୍ର ସ୍ପଷ୍ଟ ହୋଇଯିବ ବୋଲି ଜଣାପଡିଛି।

ତେବେ ସୁର ରାଉତରାୟଙ୍କ ବଡ ପୁଅ ସିଦ୍ଧାନ୍ତ ରାଉତରାୟ ନିମାପଡାରୁ କଂଗ୍ରେସରୁ ପ୍ରାର୍ଥୀ ହେବେ ବୋଲି ଜଣାପଡିଛି। ତାଙ୍କ ମାମୁଁ ଘର ନିମାପଡା ହୋଇଥିବାରୁ ସେଠାରେ ସେ ନିର୍ବାଚନ ଲଢିବେ। ହେଲେ ପ୍ରଶ୍ନ ଉଠିଛି ଦୁଇ ପୁଅ ମଧ୍ୟରୁ ଜଣେ କଂଗ୍ରେସରେ ଆଉ ଜଣେ ବିଜେଡିରେ ପ୍ରାର୍ଥୀ ହେଲେ ସାଧାରଣ ଜନତା ତାହାକୁ କେଉଁ ଦୃଷ୍ଟିରେ ଦେଖିବେ ତାହା ଚର୍ଚ୍ଚାର ବିଷୟ।

Categories
ଆଞ୍ଚଳିକ

ଅଁଳାଇ ପୀଠରେ ବିଜେଡି କର୍ମୀ ସମାବେଶ: ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ପାଇଁ ନେଲେ ସଂକଳ୍ପ

ଖୋର୍ଦ୍ଧା: ୨୦୨୪ ନିର୍ବାଚନ ଯେତିକି ପାଖେଇ ଆସୁଛି ଜଟଣୀ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଉଷ୍ମତା ସେତିକି ବଢ଼ିଚାଲିଛି। ତାରି ଭିତରେ ଆଜି ସମାଜସେବୀ, ଆଇନୀଜୀବୀ ଅର୍ଜୁନ ପରିଡାଙ୍କ ନେତୃତ୍ୱରେ ଜଟଣୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧ ନମ୍ବର ଜୋନ ଟାଙ୍ଗିଆପଡା ପଞ୍ଚାୟତ ଉଇଲକିଶନ ନଗର ଅଁଳାଇ ଦେବୀଙ୍କ ପୀଠରେ ବିଜେଡି ଦଳ ପକ୍ଷରୁ ଏକ ବିରାଟ କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି। ୧ ହଜାରରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ କର୍ମୀ ଏହି ସମାବେଶରେ ଯୋଗ ଦେଇଥିଲା ବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବାକୁ ଶ୍ରୀ ପରିଡା ସଂକଳ୍ପ କରାଇଥିଲେ।

ସେହିପରି ମହିଳା କର୍ମୀମାନଙ୍କୁ ନେଇ ଏକ ପଦଯାତ୍ରା କରାଯାଇଥିଲା ବେଳେ ତୃଣମୂଳ ସ୍ତରରେ ଦଳକୁ ମଜବୁତ କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ। ପରେ ଶ୍ରୀ ପରିଡା ରାଜ୍ୟ ସରକାରଙ୍କ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ କରିଥିବା ସମସ୍ତ ଯୋଜନା କହିବା ସହିତ ନବୀନ ଓଡିଶାରେ ବିଭିନ୍ନ ଗ୍ରାମ ଓ ସହରରେ ହେଉଥିବା ନୂତନ ଓ ରୁପାନ୍ତିକରଣ କାର୍ଯ୍ୟ, ମହିଳା ଶସକ୍ତି କରଣ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ଓ ୫-ଟି ଦ୍ୱାରା ହେଉଥିବା ବିକାଶ କାର୍ଯ୍ୟ ଉପରେ କର୍ମୀଙ୍କୁ କହିଥିଲେ।

ସେହିପରି ଚଳିତ ଥର ଜଟଣୀରେ ବିଜେଡି ଓ ଶଙ୍ଖ ଚିହ୍ନକୁ ଘରେ ଘରେ ପହଞ୍ଚେଇବାକୁ ପ୍ରତି ବୁଥ ସ୍ତରରେ ଏକ ୫ ଜଣିଆ କମିଟି ଗଠନ କରାଯାଇଥିଲା। ଯେଉଁମାନେ କି ଦଳର ଯୋଜନାକୁ ପ୍ରତି ଘରେ ପହଞ୍ଚେଇବେ।

ଏହି ସମାବେଶରେ ପୂର୍ବତନ ବରିଷ୍ଠ ସମିତି ସଭ୍ୟ ସନ୍ତୋଷ ରଣା, ପୂର୍ବତନ ସରପଞ୍ଚ କଲ୍ୟାଣୀ ଦଳେଇ, ୱାର୍ଡ ସଭ୍ୟ ଲଳିତ ମୋହନ ସ୍ୱାଇଁ, ନାଏବ ସରପଞ୍ଚ ସୁଦର୍ଶନ ପ୍ରଧାନ, ମଙ୍ଗୁଳି ହରିଚନ୍ଦନ, ବିମ୍ବାଧର ବରାଳ, ଲକ୍ଷ୍ମୀଧର ସାମନ୍ତରାୟ, ଅର୍ଜୁନ ଲେଙ୍କା, ତ୍ରିନାଥ ବିଶ୍ୱାଳ, ଶରତ ସାହୁ, ମମତା ସାହୁ, ପ୍ରଫୁଲ ଭଟ, ପ୍ରଶାନ୍ତ ବିଶ୍ୱାଳ, ପ୍ରମୁଖ ନେତୃତ୍ୱ ନେଇଥିବା ବେଳେ ଶେଷରେ ପବିତ୍ର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ।