Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଜଟିଳ ଅସ୍ତ୍ରୋପଚାର ଦ୍ୱାରା ୭୩ ବର୍ଷୀୟା ରୋଗୀଙ୍କ ଜୀବନ ରକ୍ଷା କଲେ ସମ୍ମମ୍‌ର ସର୍ଜନ

ଭୁବନେଶ୍ୱର: ବିରଳ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତ ଥିବା ଜଣେ ୭୩ ବର୍ଷୀୟା ମହିଳାଙ୍କର ଜଟିଳ ଅସ୍ତ୍ରୋପଚାର ଜରିଆରେ ଜୀବନ ରକ୍ଷା କରିବାରେ ସଫଳ ହୋଇଛନ୍ତି ସମ୍ ଅଲ୍ଟିମେଟ ମେଡିକେୟାରର ସର୍ଜନ୍। ଅସ୍ତ୍ରୋପଚାର ସମ୍ଭବ ନୁହେଁ ବୋଲି ଦର୍ଶାଇ ଅନେକ ହସ୍ପିଟାଲ୍ ଏହି ରୋଗୀଙ୍କୁ ପୂର୍ବରୁ ଫେରାଇ ଦେଇଥିଲେ।

ଅମ୍ବିକା ପାତ୍ର ନାମକ ଏହି ବୟସ୍କା ମହିଳାଙ୍କର ଦୀର୍ଘ ୧୫ ବର୍ଷ ହେବ ବେକରେ ଫୁଲା ସହିତ ଯନ୍ତ୍ରଣା ଓ ମୁଣ୍ଡ ବୁଲାଇବା ଭଳି ସମସ୍ୟା ଦେଖା ଦେଉଥିଲା। ସେ ଅନେକ ହସ୍ପିଟାଲ୍‌କୁ ଚିକିତ୍ସା ନିମନ୍ତେ ଯାଇଥିଲେ ମଧ୍ୟ ତାଙ୍କ ଅସୁସ୍ଥତାର ନିରାକରଣ ହୋଇପାରି ନଥିଲା।

ସମ୍ମମ୍‌କୁ ଚିକିତ୍ସା ପାଇଁ ଆସିବା ପରେ ନ୍ୟୁରୋସର୍ଜନ ଡାକ୍ତର ସୋମନାଥ ପ୍ରସାଦ ଜେନା ଡିଜିଟାଲ ସବ୍‌ଷ୍ଟ୍ରାକ୍ସନ୍ ଆନ୍‌ଜିଓଗ୍ରାଫି (ଡିଏସ୍‌ଏ) ମାଧ୍ୟମରେ ପରୀକ୍ଷା କରି ମହିଳା ଜଣକ ଆର୍ଟେରିଓଭେନସ୍ ମାଲ୍‌ଫର୍ମେସନ୍ (ଏଭିଏମ୍‌) ସମସ୍ୟାରେ ପୀଡ଼ିତ ଥିବା ଜାଣିବାକୁ ପାଇଥିଲେ। ସେହିପରି ରେଡିଓଲୋଜିଷ୍ଟ ଡାକ୍ତର ଗୋଲକ ପାସା ଏମ୍‌ଆର୍‌ଆଇ ମାଧ୍ୟମରେ ଏହି ରୋଗକୁ ଚିହ୍ନଟ କରିଥିଲେ।

ସମ୍ମମ୍‌ର ପ୍ଲାଷ୍ଟିକ୍ ଓ କସ୍‌ମେଟିକ୍ ସର୍ଜନ୍ ଡାକ୍ତର ଉନ୍ମେଶ କୁମାର ଜେନା ରୋଗୀଙ୍କର ପରୀକ୍ଷା କରିବା ପରେ ଏହି ଜଟିଳ ଅସ୍ତ୍ରୋପଚାର କରିବା ନିମନ୍ତେ ନିଷ୍ପତି ନିଆଯାଇଥିଲା। ମାଇକ୍ରୋସର୍ଜରୀ କରିବାରେ ଅଭିଜ୍ଞ ଡାକ୍ତର ଜେନା ଗତ ଶନିବାର ଦିନ ଦୀର୍ଘ ୩ ଘଂଟା ଧରି ସଫଳତାର ସହ ଏହି ଅସ୍ତ୍ରୋପଚାର ସମ୍ପନ୍ନ କରିଥିଲେ। ଏହା ଏକ ବିରଳ ସମସ୍ୟା ଏବଂ ଏକ ଲକ୍ଷ ଲୋକଙ୍କ ମଧ୍ୟରୁ ଜଣକ ନିକଟରେ ଏହା ଚିହ୍ନଟ ହୋଇଥାଏ ବୋଲି ଡାକ୍ତର ଜେନା କହିଛନ୍ତି।

ଏହା ଏକ ବିପଦପୂର୍ଣ୍ଣ ଅସ୍ତ୍ରୋପଚାର ଥିଲା କାରଣ ଏହି ସମୟରେ ଅତ୍ୟଧିକ ରକ୍ତସ୍ରାବ ଏବଂ ରୋଗୀର ଜୀବନହାନିର ମଧ୍ୟ ଆଶଙ୍କା ରହିଥିଲା। ଯେଉଁଥିପାଇଁ ଅନ୍ୟ ହସ୍ପିଟାଲ୍ ଏହି ଅସ୍ତ୍ରୋପଚାର କରିବାକୁ ନ ଚାହିଁବାର ଏକ ସମ୍ଭାବ୍ୟ କାରଣ। ଅସ୍ତ୍ରୋପଚାର ପୂର୍ବରୁ ରୋଗୀର ସମ୍ପର୍କୀୟଙ୍କୁ ବିସ୍ତୃତ ଭାବେ ଏହି ବିଷୟରେ ବୁଝାଇ ଦିଆଯାଇଥିଲା ଏବଂ ପରିବାର ପକ୍ଷରୁ ଏକ ହାଇ ରିସ୍କ ବଣ୍ଡରେ ମଧ୍ୟ ଦସ୍ତଖତ କରାଯାଇଥିଲା।

ଏହି ରୋଗୀଙ୍କ କ୍ଷେତ୍ରରେ ସୁପରିଅର୍ ଥାଇରଏଡ ଆର୍ଟେରୀ ଓ ଏକ୍ସଟରନାଲ୍ ଜୁଗୁଲାର ଭେନ୍ ଏକତ୍ର ହୋଇ ସମସ୍ୟା ସୃଷ୍ଟି କରିଥାଏ ଓ ଏହାକୁ କାଢ଼ି ବାହାର କରିବା ଦରକାର ହୁଏ। ଏହି ଅସ୍ତ୍ରୋପଚାରରେ ରକ୍ତସ୍ରାବର ସମସ୍ୟା ହୋଇନଥିଲା।

ଅପରେସନ୍ ପରେ ରୋଗୀଙ୍କର ବେକରେ ଯନ୍ତ୍ରଣା କମିଯାଇଥିବା ବେଳେ ମୁଣ୍ଡ ବିନ୍ଧା, ବାନ୍ତି ଇତ୍ୟାଦି ମଧ୍ୟ ବନ୍ଦ ହୋଇଯାଇଛି। ରୋଗୀ ଧୀରେ ଧୀରେ ସୁସ୍ଥ ହେବାରେ ଲାଗିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କ୍ୟାନ୍ସର ରୋଗୀଙ୍କ ଜଟିଳ ଅସ୍ତ୍ରୋପଚାର ସଫଳତାର ସହ ସମ୍ପନ୍ନ କଲେ ସମ୍ ହସ୍ପିଟାଲ୍‌ର ସର୍ଜିକାଲ୍ ଟିମ୍

ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ ଥର ପାଇଁ ସ୍ଥାନୀୟ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଯୁବ ସର୍ଜନଙ୍କର ଏକ ଟିମ୍ ଜଣେ କ୍ୟାନ୍ସର ରୋଗୀଙ୍କର ଅତ୍ୟନ୍ତ ଜଟିଳ ଅସ୍ତ୍ରୋପଚାରକୁ ସଫଳତାର ସହ ସମ୍ପନ୍ନ କରିଛନ୍ତି।

ଅଗ୍ନାଶୟ (ପାନ୍‌କ୍ରିଆସ) କର୍କଟ ରୋଗରେ ପୀଡ଼ିତ ଥିବା ଜଣେ ୫୫ ବର୍ଷୀୟ ବ୍ୟକ୍ତିଙ୍କର ଏହି ଜଟିଳ ଅସ୍ତ୍ରୋପଚାର କରିଛନ୍ତି ସମ୍ ହସ୍ପିଟାଲ୍‌ର ସର୍ଜିକାଲ୍ ଟିମ୍। ରୋଗୀଙ୍କ ଶରୀରରେ ସୃଷ୍ଟି ହୋଇଥିବା ଟ୍ୟୁମରଟି ପ୍ରମୁଖ ରକ୍ତ ଧମନୀ ସିଲିଆକ୍ ଟ୍ରଙ୍କକୁ ଆକ୍ରାନ୍ତ କରିଥିଲା ଯାହାକି ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଅଂଗ ସହ ମଧ୍ୟ ଜଡ଼ିତ ଥିଲା।

ସର୍ଜିକାଲ୍ ଗ୍ୟାଷ୍ଟ୍ରୋଏନ୍‌ଟେରୋଲଜି ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ଜ୍ୟୋର୍ତିମୟ ଜେନାଙ୍କ ନେତୃତ୍ୱରେ ଏକ ବହୁବିଧ ଟିମ୍ ଏହି ସମସ୍ୟାକୁ ନେଇ ଅନେକ ବିଚାରବିମର୍ଶ କରିବା ପରେ ଅସ୍ତ୍ରୋପଚାର ନିମନ୍ତେ ନିଷ୍ପତି ନେଇଥିଲେ।

ଟ୍ୟୁମରଟି ଶରୀରର ଗୁରୁତ୍ୱପୂର୍ଣ୍ଣ ଅଂଶ ଯେପରିକି ସିଲିଆକ୍ ଟ୍ରଙ୍କ୍‌, ଯକୃତକୁ ରକ୍ତବାହୀ ଧମନୀ, ପାକସ୍ଥଳୀ ଏବଂ ପ୍ଲିହାକୁ ପ୍ରଭାବିତ କରୁଥିବାରୁ ଏହା ଚିନ୍ତାର କାରଣ ଥିଲା। ସିଲିଆକ୍ ଟ୍ରଙ୍କ (ସିଲିଆକ୍ ଧମନୀ) ଯାହାକି ତିନି ଭାଗ ହୋଇ ପାକସ୍ଥଳୀ, ଯକୃତ ଏବଂ ପ୍ଲିହାକୁ ରକ୍ତ ଯୋଗାଇଥାଏ ତାହାକୁ ବାହାର କରିବାର ଆବଶ୍ୟକତା ପଡ଼ିଥିଲା। ତେବେ ଏଭଳି କରିବା ଦ୍ୱାରା ଯକୃତକୁ ରକ୍ତ ସଂଚାଳନ ବନ୍ଦ ହୋଇ ରୋଗୀର ମୃତ୍ୟୁ ହେବାର ଯଥେଷ୍ଟ ସମ୍ଭାବନା ଥିଲା ବୋଲି ଡାକ୍ତର ଜେନା ମଙ୍ଗଳବାର ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି।

ସମ୍ପୃକ୍ତ ରୋଗୀଙ୍କ ଶରୀରରେ ସୃଷ୍ଟି ହୋଇଥିବା କ୍ୟାନ୍ସର ନିର୍ଦ୍ଦିଷ୍ଟ ସ୍ଥାନରେ ସୀମିତ ରହିଥିବା ବେଳେ ସର୍ଜିକାଲ୍ ଟିମ୍ ଅସ୍ତ୍ରୋପଚାର କରିବାର ନିଷ୍ପତି ନେଇଥିଲେ। ମାତ୍ର ରକ୍ତ ଧମନୀ ଏକ ବଡ଼ ସମସ୍ୟା ସୃ୍‌ଷ୍ଟି କରିଥିଲା ବୋଲି ସେ କହିଥିଲେ।

ଏଭଳି ରୋଗୀଙ୍କ କ୍ଷେତ୍ରରେ ପ୍ରାୟତଃ ଅସ୍ତ୍ରୋପଚାର କରାଯାଇ ନଥାଏ କାରଣ ଏମାନେ ମାତ୍ର ୬ ମାସ ବଂଚିବାର ସମ୍ଭାବନା ଥାଏ। ତେବେ ଆପେଲ୍‌ବି ପ୍ରୋସିଡ୍ୟୁୟର୍ ନାମକ ଏକ ଜଟିଳ ଅସ୍ତ୍ରୋପଚାର ଏଭଳି ରୋଗୀଙ୍କ କ୍ଷେତ୍ରରେ କରାଯାଇଥାଏ। ବିଶ୍ୱର ଅଳ୍ପ କେତେକ ହସ୍ପିଟାଲ୍‌ରେ ଏହା ସମ୍ପାଦନ କରାଯାଉଥିବା ଡାକ୍ତର ଜେନା କହିଛନ୍ତି।

ତେବେ ନିର୍ଦ୍ଦିଷ୍ଟ କେତେକ ରୋଗୀଙ୍କ ଶରୀରରେ ଏହି ଅସ୍ତ୍ରୋପଚାର କରାଯାଇଥାଏ ଓ ସର୍ଜରୀ ପୂର୍ବରୁ ସିଟି ସ୍କାନ୍ ମାଧ୍ୟମରେ ଯକୃତକୁ ଅନ୍ୟ କେଉଁ ଦିଗରୁ ରକ୍ତ ସଂଚାଳନ ହୋଇପାରୁଛି କି ନାହିଁ ତାହା ପରୀକ୍ଷା କରାଯାଇଥାଏ। ତେବେ ଏହି ରୋଗୀଙ୍କ କ୍ଷେ୍‌ତ୍ରରେ ଅନ୍ୟ କୌଣସି ମାଧ୍ୟମରେ ଯକୃତକୁ ରକ୍ତ ସଂଚାଳନ ହେଉ ନଥିଲା। ତେଣୁ କାର୍ଡିଓ ଥୋରାସିକ୍ ଭାସ୍କୁଲାର ସର୍ଜରୀ (ସିଟିଭିଏସ୍‌) ସର୍ଜନଙ୍କ ସାହାଯ୍ୟରେ ଗୋଡ଼ରୁ ଏକ ରକ୍ତ ଧମନୀ ଆଣି ସେହି ସ୍ଥାନରେ ଏକ ନୂତନ ଧମନୀ ସୃଷ୍ଟି କରାଯାଇ ଆଓର୍ଟାରୁ ଯକୃତକୁ ରକ୍ତ ସଂଚାଳନ କରାଯାଇଥିଲା। ଏହି ପରିସ୍ଥିତିରେ “ମୋଡିଫାଏଡ୍ ଆପେଲବି ସର୍ଜରୀ” କରିବା ନିମନ୍ତେ ଚିନ୍ତା କରାଯାଇଥିଲା ବୋଲି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ସିଟିଭିଏସ୍ ସର୍ଜନ୍ ତଥା ଆସୋସିଏଟ୍ ପ୍ରପେସର ଡାକ୍ତର ସଂଗ୍ରାମ କେଶରୀ ବେହେରା କହିଥିଲେ।

ଗତ ଫେବୃଆରୀ ଶେଷ ସପ୍ତାହରେ ଏହି ଅସ୍ତ୍ରୋପଚାର କରାଯାଇଥିବା ବେଳେ ହସ୍ପିଟାଲ୍‌ର ଏହି ଟିମ୍‌ରେ ସର୍ଜିକାଲ ଗ୍ୟାଷ୍ଟ୍ରୋଏନ୍‌ଟେରୋଲଜି, କାର୍ଡିଓ ଥୋରାସିକ୍ ଭାସ୍କୁଲାର ସର୍ଜରୀ (ସିଟିଭିଏସ୍‌), ମେଡିକାଲ୍ ଅଙ୍କୋଲୋଜି, ରେଡିଓ-ଡାଏଗ୍ନୋସିସ୍ ଏବଂ ଆନେସ୍‌ଥେସିଓଲୋଜି ବିଭାଗର ବିଶେଷଜ୍ଞମାନେ ସାମିଲ ହୋଇଥିଲେ।

ଏହି ପ୍ରକ୍ରିୟାରେ ଟ୍ୟୁମର ସୃଷ୍ଟି ହୋଇଥିବା ଅଗ୍ନାଶୟର ପ୍ରାୟ ୭୫ ପ୍ରତିଶତ ସହିତ ସିଲିଆକ୍ ଧମନୀ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ରକ୍ତ ଧମନୀ କଢ଼ାଯାଇଥିଲା। ଗୋଡରୁ ଏକ ଧମନୀ କାଢ଼ି ନେଇ ବାଇପାସ୍ ସର୍ଜରୀ ମାଧ୍ୟମରେ ମୁଖ୍ୟ ରକ୍ତ ଧମନୀକୁ ଯକୃତ ସହ ସଂଯୁକ୍ତ କରାଯାଇଥିଲା।

ଏଭଳି ଅସ୍ତ୍ରୋପଚାରରେ ପ୍ରାୟ ୩୦ ରୁ ୪୦ ପ୍ରତିଶତ ରୋଗୀଙ୍କର ମୃତ୍ୟୁ ସମ୍ଭାବନା ରହିଥିବା ବେଳେ ଏହି ରୋଗୀ କିନ୍ତୁ ୩ ଦିନ ଆଇସିୟୁରେ ରହିବା ପରେ ଧୀରେ ଧୀରେ ସୁସ୍ଥ ହୋଇଥିଲେ। ଉପଯୁକ୍ତ ଚିକିତ୍ସା, ଧ୍ୟାନ ଓ ଯତ୍ନ ଫଳରେ ସେ ସୁସ୍ଥ ହୋଇଥିବା ବେଳେ ତାଙ୍କର ଫାଇନାଲ୍ ବାୟୋପ୍ସି ରିପୋର୍ଟରେ ତାଙ୍କ ଶରୀରରୁ ଟ୍ୟୁମରଟି ସମ୍ପୂର୍ଣ୍ଣ ରୂପେ ଅନ୍ତର୍ହୀତ ହୋଇଥିବା ଡାକ୍ତର ଜେନା କହିଥିଲେ।

ରୋଗୀ ଜଣକ ଆଇସିୟୁରେ ୭୨ ଘଂଟା ରହିଥିବା ବେଳେ ଡାକ୍ତର ସନ୍ତୋଷ ସିଂ ଓ ଡାକ୍ତର ଅନୀତା ତାଙ୍କର ସମ୍ପୂର୍ଣ୍ଣ ଯତ୍ନ ନେଇଥିଲେ।

ଭାରତରେ ଖୁବ୍ କମ୍ ଏଭଳି ଅସ୍ତ୍ରୋପଚାର ଘଟଣା ସାମ୍ନାକୁ ଆସୁଥିବା ବେଳେ ଓଡ଼ିଶାରେ ପ୍ରଥମ ଥର ପାଇଁ ସଫଳତାର ସହ ଏହି ଅସ୍ତ୍ରୋପଚାର କରାଯାଇଥିବା ଡାକ୍ତର ଜେନା କହିଥିଲେ।

ଏହି ଅସ୍ତ୍ରୋପଚାର ଟିମ୍‌ରେ ଡାକ୍ତର ଜେନାଙ୍କ ସହିତ ରେଡିଓ-ଡାଏଗ୍ନୋସିସ୍ ବିଭାଗର ପ୍ରଫେସର ଡାକ୍ତର ଏସ୍‌.ଏସ୍ ମହାପାତ୍ର, ଗ୍ୟାଷ୍ଟ୍ରୋସର୍ଜରୀ ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ସୁମିତ ମହାନ୍ତି, ମେଡିକାଲ୍ ଅଙ୍କୋଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ଲଲାଟେନ୍ଦୁ ମହାରଣା, ସିଟିଭିଏସ୍ ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ସଂଗ୍ରାମ କେଶରୀ ବେହେରା, ଆନେସ୍‌ଥେସିଓଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ସସ୍ମିତା ପାଣିଗ୍ରାହୀ ଏବଂ ପାଥୋଲୋଜି ବିଭାଗର ଆସିଷ୍ଟାଂଟ ପ୍ରଫେସର ଡାକ୍ତର ରୁପନ୍ୱିତା ବିଶ୍ୱାଳ ସାମିଲ ଥିଲେ।

ସେହିପରି ଏମ୍‌ସିଏଚ୍ ଛାତ୍ରଛାତ୍ରୀ ଡାକ୍ତର ଉଦୟ ରେଡ୍ଡୀ, ଡାକ୍ତର ହର୍ଷାଲ ଭୋଇ, ଡାକ୍ତର ଏଚ୍‌. ସ୍ୱାମୀ ରାଜେଶ ଓ ଡାକ୍ତର ରଘୁନାଥ ରାଜା ଏହି ସର୍ଜରୀ ଟିମ୍‌ରେ ସାମିଲ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଜଟିଳ ଅସ୍ତ୍ରୋପଚାର କରି ନବଜାତ ଶିଶୁର ଜୀବନ ବଂଚାଇଲେ ସମ୍ ଅଲ୍ଟିମେଟ୍ ସର୍ଜନ

ଭୁବନେଶ୍ୱର: ଏକ ନବଜାତ ଶିଶୁର ଶରୀରରେ ଥିବା ଜନ୍ମଗତ ତୃଟି କନ୍‌ଜେନିଟାଲ୍ ଡାୟାଫ୍ରାଗ୍‌ମେଟିକ୍ ହାର୍ନିଆ (ସିଡିଏଚ୍‌) କୁ ଜଟିଳ ଅସ୍ତ୍ରୋପଚାର ଦ୍ଵାରା ଦୂର କରି ଜୀବନ ବଞ୍ଚାଇବାକୁ ସକ୍ଷମ ହୋଇଛନ୍ତି ସମ୍ ଅଲ୍ଟିମେଟ୍ ମେଡିକେୟାରର ସର୍ଜନ୍।

ମା’ର ଗର୍ଭରେ ଥିବା ସମୟରୁ ହିଁ ଶିଶୁଟିର ଏହି ସମସ୍ୟା ସମ୍ପର୍କରେ ପରୀକ୍ଷାରୁ ଜଣାପଡ଼ିଥିଲା।

ନିର୍ଦ୍ଧାରିତ ସମୟ ପୂର୍ବରୁ ଓ ଶିଶୁର ମା’ ୮ ମାସ ଗର୍ଭବତୀ ଥିବା ସମୟରେ ଅସ୍ତ୍ରୋପଚାର ମାଧ୍ୟମରେ ଡେଲିଭରି କରାଯିବା ପରେ ଶିଶୁଟି ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାକୁ ତୁରନ୍ତ ଭେଂଟିଲେଟର ସାହାଯ୍ୟରେ ୩ ଦିନ ପର୍ଯ୍ୟନ୍ତ ରଖାଯାଇଥିଲା ବୋଲି ସୂଚନା ଦେଇଛନ୍ତି ସମ୍ମମ୍‌ର ପେଡିଆଟ୍ରିକ୍ ଓ ନିଓନାଟୋଲୋଜି ବିଭାଗର ସିନିୟର୍ କନ୍‌ସଲଟାଂଟ ଡାକ୍ତର ପ୍ରଦୀପ କୁମାର ଦେ।

ଶିଶୁର ଶରୀରରେ ଥିବା ତୃଟିକୁ ସୁଧାରିବା ନିମନ୍ତେ ହସ୍ପିଟାଲ୍ କନ୍‌ସଲ୍‌ଟାଂଟ ତଥା ପେଡିଆଟ୍ରିକ୍ ସର୍ଜନ୍ ଡାକ୍ତର ଅନ୍ତର୍ଯ୍ୟାମୀ ପ୍ରଧାନଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଟିମ୍ ତୁରନ୍ତ ସିଡିଏଚ୍ ରିପେୟାର ସର୍ଜରୀର ପ୍ରସ୍ତୁତି ଆରମ୍ଭ କରିଥିଲେ ଏବଂ ଜନ୍ମ ଗ୍ରହଣ କରିବାର ତିନି ଦିନରେ ହିଁ ଅସ୍ତ୍ରୋପଚାର କରାଯାଇଥିଲା।

ଏହି କ୍ଷେତ୍ରରେ ଶରୀରର ଛାତି ଓ ପେଟକୁ ଅଲଗା କରି ରଖୁଥିବା ଡିଆଫ୍ରାମ ଠିକ୍ ଭାବରେ ସୃଷ୍ଟି ହୋଇ ନଥିବାରୁ ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ଏପଟ ସେପଟ ହୋଇ ରହିଥିଲା।

ଏହି ଶିଶୁ କ୍ଷେତ୍ରରେ ଯକୃତର ଏକ ଅଂଶ ଛାତି ଆଡକୁ ଚାଲି ଯାଇଥିବାରୁ ଜଟିଳତା ସୃଷ୍ଟି ହୋଇଥିଲା ବୋଲି ଜୁନିଅର କନ୍ସଲ୍ଟାଣ୍ଟ ଡକ୍ଟର ଅଜୟ ମହାନ୍ତି ଗାହାଣ ପ୍ରକାଶ କରିଥିଲେ।

ସିଡିଏଚ୍ ଭଳି ଜଟିଳ ସମସ୍ୟା ଯାହାକି ୩୦୦୦ ନବଜାତ ଶିଶୁଙ୍କ ମଧ୍ୟରୁ ଜଣକୁ ହୋଇଥାଏ।

ଆଗାମୀ ମାସରେ ଶିଶୁଟିର ଏମ୍‌ଆର୍‌ଆଇ ସ୍କାନ୍ କରିବା ସହ ଆଗାମୀ ଦୁଇ ବର୍ଷ ପର୍ଯ୍ୟନ୍ତ ପ୍ରତ୍ୟେକ ଦୁଇ ମାସରେ ଥରେ ଶିଶୁଟିର ସ୍ନାୟୁଗତ ବିକାଶର ପରୀକ୍ଷଣ କରାଯିବ ବୋଲି ସେ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ହସ୍ପିଟାଲରେ ଜଟିଳ ଅସ୍ତ୍ରୋପଚାର: ଶିଶୁ ପେଟରୁ ବାହାରିଲା ସାଢେ ୭ କେଜି ଓଜନର ଟ୍ୟୁମର୍

ଭୁବନେଶ୍ୱର: ସ୍ଥାନୀୟ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ ଆଣ୍ଡ ସମ୍ ହସ୍ପିଟାଲର ଶୈଲ୍ୟ ଚିକିତ୍ସା ବିଭାଗର ଚିକିତ୍ସକମାନେ ଏକ ୨୦ ମାସ ବୟସର ଶିଶୁ ପୁତ୍ର ପେଟରୁ ଏକ ଜଟିଳ ଅସ୍ତ୍ରୋପଚାର ମାଧ୍ୟମରେ ସାଢେ ୭ କିଲୋଗ୍ରାମ ଓଜନର ଏକ ଟ୍ୟୁମର ସଫଳତାର ସହ ବାହାର କରିପାରିଛନ୍ତି।

ଗଞ୍ଜାମ ଜିଲ୍ଲାରୁ ଆସିଥିବା ଏହି ଶିଶୁଟି ପ୍ରାୟ ଏକ ବର୍ଷ ଧରି ଅସମ୍ଭବ ଭାବେ ଫୁଲି ରହିଥିଲା। ଚିକିତ୍ସକ ମାନେ ଏହାକୁ ନ୍ୟୁରୋବ୍ଲାଷ୍ଟୋମା ସମସ୍ୟା ବୋଲି ପୂର୍ବରୁ କହିଥିଲେ ଯେଉଁଥିପାଇଁ ଅସ୍ତ୍ରୋପଚାର ଆବଶ୍ୟକ ଥିଲା।

ଶିଶୁଟିର ପରିବାର ଅନେକ ଗୁଡିଏ ଡାକ୍ତରଖାନାକୁ ଯାଇଥିଲେ ମଧ୍ୟ ସେଠାରେ ଏହି ଅସ୍ତ୍ରୋପଚାର ସମ୍ଭବ ହୋଇ ନଥିଲା। ଶେଷରେ ସେମାନେ ସମ୍ ହସ୍ପିଟାଲର ପେଡିଆଟ୍ରିକ୍ ଅଙ୍କୋଲୋଜି ବିଭାଗରେ ଶିଶୁକୁ ଦେଖାଇଥିଲେ।

ଯଦିଓ ଏହି ଚିକିତ୍ସା ଜଟିଳ ଓ ବିପଦପୂର୍ଣ୍ଣ ଥିଲା ତଥାପି ଏହି ଅସ୍ତ୍ରୋପଚାର କରିବା ନିମନ୍ତେ ସର୍ଜିକାଲ ଅଙ୍କୋଲୋଜିଷ୍ଟ ଡାକ୍ତର ସଂଗ୍ରାମ କେଶରୀ ପଣ୍ଡାଙ୍କ ନେତୃତ୍ୱରେ ଏକ ମେଡିକାଲ ଟିମ୍ ଗଠନ କରାଯାଇଥିଲା।

ଏହି ଡାକ୍ତରୀ ଦଳରେ ପେଡିଆଟ୍ରିକ୍ ସର୍ଜନ୍ ଡାକ୍ତର ଅନ୍ତର୍ଯ୍ୟାମୀ ପ୍ରଧାନ, ପେଡିଆଟ୍ରିକ୍ ଅଙ୍କୋଲୋଜିଷ୍ଟ ଡାକ୍ତର ସରୋଜ ପଣ୍ଡା, ଆନେସ୍‌ଥେସିଓଲଜିଷ୍ଟ ଡାକ୍ତର ଡେଜି କରନ୍‌, ଡାକ୍ତର ସ୍ୱର୍ଣ୍ଣ ବାନାର୍ଜୀ, ଡାକ୍ତର ସୁଲୋଚନା ଦାଶ, ଡାକ୍ତର ସୌମ୍ୟା ସାମଲ, ଡାକ୍ତର ନୁପୁର ମୋଡା, ନର୍ସ, ଫାର୍ମାସିଷ୍ଟ ଓ ଅନ୍ୟାନ୍ୟ କର୍ମଚାରୀ ରହିଥିଲେ। ଚାରି ଘଂଟା ଧରି ହୋଇଥିବା ଏହି ଅସ୍ତ୍ରୋପଚାର ପରେ ସାଢ଼େ ୭ କିଲୋଗ୍ରାମ୍‌ର ଟ୍ୟୁମରଟିକୁ ସଫଳତାର ସହ ବାହାର କରାଯାଇଥିଲା। ଏହା ଶରୀରର ଅନ୍ୟାନ୍ୟ ଶିରାପ୍ରଶିରା ଓ ଅଙ୍ଗ ସହିତ ଜଡିତ ହୋଇ ରହିଥିବାରୁ ଏହି ଅସ୍ତ୍ରୋପଚାର ଜଟିଳ ହୋଇପଡ଼ିଥିଲା।

ଅସ୍ତ୍ରୋପଚାର ପରେ ଶିଶୁଟିର ଅବସ୍ଥା ଆହ୍ୱାନପୂର୍ଣ୍ଣ ଥିଲେ ମଧ୍ୟ ସେ ଧୀରେ ଧୀରେ ସୁସ୍ଥତା ଲାଭ କରିଥିଲା। ୧୫ ଦିନ ପରେ ସେ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇଥିଲା।

ଡାକ୍ତର ପଣ୍ଡା କହିଥିଲେ ଯେ, ଶିଶୁଟି ଏମ୍ବ୍ରିଓନାଲ୍ ରାବଡୋମାଇଓସାରକୋମା ସମସ୍ୟାରେ ଆକ୍ରାନ୍ତ ହୋଇଥିଲା। ଏହି ରୋଗ ଶୀଘ୍ର ଜଣା ପଡ଼ିଲେ କେମୋଥେରାପି ଓ ଅସ୍ତ୍ରୋପଚାର ଦ୍ୱାରା ଏହାର ସଫଳ ଉପଚାର କରାଯାଇପାରିବ। ମାତ୍ର ଏହି କ୍ଷେତ୍ରରେ ଏହି ରୋଗ ଆଗକୁ ବଢ଼ି ଯାଇଥିଲା ବୋଲି ସେ କହିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ବିରଳ ଓ ଜଟିଳ ଅସ୍ତ୍ରୋପଚାର କରି ଆଉ ଏକ ସଫଳତା ସାଉଁଟିଲେ ସମ୍ ନ୍ୟୁରୋସର୍ଜନ

ଭୁବନେଶ୍ୱର: ବିରଳ ଓ ଜଟିଳ ଜ୍ୟାଂଟ ଆନ୍ୟୁରିଜିମ୍ ସମସ୍ୟାରେ ପୀଡ଼ିତ ଥିବା ୧୮ ବର୍ଷ ଯୁବକଙ୍କର ଅସ୍ତ୍ରୋପଚାର କରି ଆଉ ଏକ ସଫଳତା ହାସଲ କରିଛନ୍ତି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ନ୍ୟୁରୋସର୍ଜନ୍।

ବିଶ୍ୱରେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ସମସ୍ୟାରେ ପୀଡ଼ିତ ଥିବା ପ୍ରାୟ ୩୦ ରୁ କମ୍ ବ୍ୟକ୍ତିଙ୍କର ସଫଳ ଅସ୍ତ୍ରୋପଚାର ସମ୍ଭବ ହୋଇପାରିଛୁ ବୋଲି ସୂଚନା ଦେଇଛନ୍ତି ଏହି ଅସ୍ତ୍ରୋପଚାର ଟିମ୍‌ର ନେତୃତ୍ୱ ନେଇଥିବା ସମ୍‌ର ନ୍ୟୁରୋସର୍ଜନ ଡାକ୍ତର ଆତ୍ମରଞ୍ଜନ ଦାସ।

ସୁବାଶିଷ ରାଉତ ନାମକ ଏହି ଯୁବକ ଜଣଙ୍କର ଦୀର୍ଘ ୧ ମାସ ଧରି ପ୍ରବଳ ମୁଣ୍ଡ ବ୍ୟଥା ଲାଗି ରହିବା ଯୋଗୁଁ ସେ ସମ୍ ହସ୍ପିଟାଲ୍‌କୁ ଆସିଥିଲେ। ତାଙ୍କ ମସ୍ତିଷ୍କର ସ୍କାନିଂ ହେବା ପରେ ମସ୍ତିଷ୍କ ମଧ୍ୟରେ ରକ୍ତସ୍ରାବ ହୋଇଥିବାର ଜଣାପଡିଥିଲା। ବ୍ରେନ୍ ଆଞ୍ଜିଓ କରାଯିବା ପରେ ପଛଭାଗରେ ଥିବା ମସ୍ତିଷ୍କର ଧମନୀରେ ଏକ ବଡ଼ ଫୋଟକା ସୃଷ୍ଟି ହୋଇଥିବାର ଦେଖିବାକୁ ମିଳିଥିଲା। ଯାହାକୁ କି ଡାକ୍ତରୀ ଭାଷାରେ ଜ୍ୟାଂଟ ପିସିଏ ଆନ୍ୟୁରିଜିମ୍ କୁହାଯାଏ।

ଏହା ଖୁବ୍ ବିରଳ ସମସ୍ୟା ଏବଂ ତଥ୍ୟ ଅନୁଯାୟୀ ବିଶ୍ୱରେ ୩୦ ରୁ କମ୍ ଏଭଳି ଘଟଣା ସାମ୍ନାକୁ ଆସିଛି ବୋଲି କହିବା ସହ ଯଦି ଠିକ୍ ଭାବରେ ଚିକିତ୍ସା କରା ନଯାଏ ତେବେ ରୋଗୀର ମୃତ୍ୟୁ ହେବାର ଯଥେଷ୍ଟ ସମ୍ଭାବନା ରହିଥାଏ ବୋଲି ଡା. କହିଛନ୍ତି।

ଡା. ଦାସ ଏବଂ ତାଙ୍କ ଟିମ୍ ଦୀର୍ଘ ୮ ଘଂଟା ଧରି ଏହି ଅସ୍ତ୍ରୋପଚାର କରିଥିଲେ ଏବଂ ଠିକ୍ ଏହାର ପରଦିନ ରୋଗୀଟି ଚାଲିବାକୁ ସକ୍ଷମ ହୋଇପାରିଥିଲା। ଏକ ସପ୍ତାହ ପରେ ସେ ଠିକ୍ ଭାବରେ କଥା କହିବାରେ ସକ୍ଷମ ହେବା ସହ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇଯାଇଛି।

ଡା. ଦାସଙ୍କ ନେତୃତ୍ୱ ଏହି ଟିମ୍‌ରେ ନ୍ୟୁରୋସର୍ଜନ୍ ଡା. ସତ୍ୟଭୂଷଣ ସେନାପତି ଏବଂ ଡା. ଅଭିଜିତ୍ ଆଚାର୍ଯ୍ୟ ରହିଥିବା ବେଳେ ଆନେସ୍‌ଥେସିଆ ଟିମ୍‌ରେ ଡା. ସୁଦୀପ ମହାପାତ୍ର ଏବଂ ଡା. ଶିଖା ସାମିଲ୍ ଥିଲେ। ଅସ୍ତ୍ରୋପଚାର ଗୃହ ଷ୍ଟାଫ୍ ଲଳିତ ନାରାୟଣ ସାହୁ ଏବଂ ବିଜୟ ଅସ୍ତ୍ରୋପଚାର ସମୟରେ ସାହାଯ୍ୟ କରିଥିଲେ।

ନିକଟରେ ଡା. ଦାସଙ୍କ ନେତୃତ୍ୱରେ ଏହି ନ୍ୟୁରୋସର୍ଜରୀ ଟିମ୍ ଜଟିଳ ବ୍ରେନ୍‌ଷ୍ଟେମ୍  କାଭେରନୁମା ମାୟୋକ୍ଲୋନିକ୍ ଏପିଲେପ୍ସି ବ୍ୟାଧିରେ ପୀଡ଼ିତ ଥିବା ଜଣେ ୨୮ ବର୍ଷୀୟ ଯୁବକଙ୍କ ଠାରେ ସଫଳତା ସହ ଜଟିଳ ଅସ୍ତ୍ରୋପଚାର କରିଥିଲେ।