Categories
ଆଜିର ଖବର ଜାତୀୟ ଖବର

ଟ୍ରେନିଂ ସମୟରେ ବିମାନ ଦୁର୍ଘଟଣାଗ୍ରସ୍ତ, ୧ ପାଇଲଟଙ୍କ ମୃତ୍ୟୁ, ଜଣେ ଆହତ

ରିୱା: ମଧ୍ୟପ୍ରଦେଶର ରିୱାରେ ଟ୍ରେନିଂ ଚାଲିଥିବା ବେଳେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଜଣେ ପାଇଲଟଙ୍କର ମୃତ୍ୟୁ ହୋଇଛି। ସେଠାରେ ଆଉ ଜଣେ ଆହତ ହୋଇଛନ୍ତି। ଦୁର୍ଘଟଣା ସମୟରେ ବିମାନଟି ଏକ ଗଛ ଏବଂ ମନ୍ଦିରକୁ ମଧ୍ୟ ଧକ୍କା ଦେଇଥିଲା। ଏହି ଘଟଣା ଚୋରହଟ ପୋଲିସ ଷ୍ଟେସନ ଅନ୍ତର୍ଗତ ଉମ୍ରି ଗାଁର ଘଟିଛି।

ଗତକାଲି ରାତି ୧୧.୦୦ ରୁ ୧୧.୩୦ ମଧ୍ୟରେ ଏହି ଦୁଇ ସିଟ୍ ବିଶିଷ୍ଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଟ୍ରେନରଙ୍କ ମୃତ୍ୟୁ ହୋଇଥିବାବେଳେ ଟ୍ରେନିଂ ପାଇଲଟ ଆହତ ହୋଇଛନ୍ତି। ଦୁର୍ଘଟଣା ସମୟରେ ଏହି ଦୁଇ ସିଟ୍ ବିଶିଷ୍ଟ ବିମାନ ପ୍ରଥମେ ଏକ ଗଛ ସହିତ ମୁହାଁମୁହିଁ ହୋଇ ମନ୍ଦିରର ଗମ୍ବୁଜ ସହିତ ମୁହାଁମୁହିଁ ହୋଇ ତଳେ ପଡ଼ିଯାଇଥିଲା।

ପାଇଲଟଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ରିୱାସ୍ଥିତ ସଞ୍ଜୟ ଗାନ୍ଧୀ ଡାକ୍ତରଖାନାରେ ଟ୍ରେନିଂ ପାଇଲଟ ଚିକିତ୍ସିତ ହେଉଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପୃଥକ ପୃଥକ ବାଇକ ଦୁର୍ଘଟଣାରେ ୨ ମୃତ, ଜଣେ ଆହତ

କନ୍ଦର୍ପ ବେହେରା
ରେଢାଖୋଲ: ସମ୍ବଲପୁର ଜିଲ୍ଲା ରେଢାଖୋଲ ଓ ଚାରମାଳ ଥାନା ଅଞ୍ଚଳରେ ପୃଥକ ପୃଥକ ଦୁର୍ଘଟଣାରେ ୨ ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ରେଢାଖୋଲ ଥାନା ଅନ୍ତର୍ଗତ ରେଢାଖୋଲ-ନାକଟିଦେଉଳ ରାସ୍ତାର ଡିମିରିକୁଡ଼ା ଗ୍ରାମ ନିକଟରେ ଆଜି ଅପରାହ୍ନ ପ୍ରାୟ ୩ଟା ବେଳେ ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇ ବାଇକ ଆରୋହୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି।

ମୃତ ବାଇକ ଆରୋହି ଜଣଙ୍କ ହେଲେ ରେଢାଖୋଲ ଥାନା ଅନ୍ତର୍ଗତ ଶିମିଳିପାଳ ଗ୍ରାମର କୌସିକ ପ୍ରଧାନ (୪୦)। ସେ ବାଇକରେ ନିଜ ଘର ଶିମିଳିପାଳ ଗ୍ରାମରୁ ଜାତୀୟ ରାଜପଥ ଦେଇ ରେଢାଖୋଲକୁ କୌଣସି କାମରେ ଆସୁ ଥିବା ବେଳେ ଡିମିରିକୁଡ଼ା ଗ୍ରାମ ନିକଟରେ ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଥିଲା। ଦୁର୍ଘଟଣାରେ ବାଇକ ଆରୋହି କୌସିକଙ୍କ ମୃତ୍ୟୁ ହୋଇଥିଲା। ଘଟଣା ସ୍ଥଳକୁ ଅଗ୍ନିଶମ ବିଭାଗ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିଥିଲା।

ସେହିପରି ଅନ୍ୟ ଏକ ବାଇକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି। ଚାରମାଳ ଥାନା ଅନ୍ତର୍ଗତ ସାଗଜୁରୀ ଗ୍ରାମରେ ଆଜି ପ୍ରାୟ ୨ଟା ବେଳେ ଏକ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତ ବାଇକ ଆରୋହି ଜଣଙ୍କ ହେଲେ ଚାରମାଳ ଥାନା ରେଙ୍ଗାଲି ପଞ୍ଚାୟତ ଅନ୍ତର୍ଗତ ସୁନାମୁଦି ଗ୍ରାମର ରମେଶ ସାହୁ (୪୭)। ମୃତ ରମେଶ କୌଣସି କାମରେ ସାଗଜୁରୀ ଗ୍ରାମକୁ ଯାଇ ଥିବା ବେଳେ ସେ ନିଜ ଗ୍ରାମ ସୁନାମୁଦି ଗ୍ରାମକୁ ବାଇକରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ବାଇକଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଘଟଣା ସ୍ଥଳରେ ବାଇକ ଆରୋହି ରମେଶଙ୍କ ମୃତ୍ୟୁ ହୋଇଥିଲା।

ଏ ସଂକ୍ରାନ୍ତରେ ରେଢାଖୋଲ ଓ ଚାରମାଳ ଥାନାରେ ପୃଥକ ପୃଥକ ମାମଲା ରୁଜୁ ହେବା ସହ ରେଢାଖୋଲ ଉପଖଣ୍ଡ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରାଯାଇଛି ବୋଲି ପୋଲିସ କହିଛି। ସେହିପରି ରେଢାଖୋଲ- ବୌଦ୍ଧ ରାସ୍ତାର ରେଢାଖୋଲ ଥାନା ଅନ୍ତର୍ଗତ ଶୁଣ୍ଡିମୁଣ୍ଡା ଗ୍ରାମ ନିକଟରେ ହୋଇ ଥିବା ବାଇକ ଦୁର୍ଘଟଣାରେ ଜଣେ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ଜଣଙ୍କ ହେଲେ ସାଲେସିଂ ଗ୍ରାମର ହାଡିବନ୍ଧୁ କର୍ଣ। ସେ ଜାତୀୟ ରାଜପଥ ଦେଇ ଯାଉ ଥିବା ବେଳେ ଏକ କାର ଧକ୍କା ଦେଇ ଫେରାର ହୋଇଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ହାତୀ ଆକ୍ରମଣରେ ଚାଷୀ ମୃତ, ଜଣେ ଆହତ

କନ୍ଦର୍ପ ବେହେରା
ରେଢାଖୋଲ: ରେଢାଖୋଲ ରେଞ୍ଜ ଅଧିନସ୍ଥ ଲୁହାପଙ୍କ ପଂଚାୟତର ଜରିପାଣି ଗ୍ରାମରେ ଜନୈକ ବ୍ୟକ୍ତି ଜଙ୍ଗଲକୁ ହଜିଯାଇଥିବା ବଳଦ ଖୋଜିବାକୁ ଯାଇଥିବା ବେଳେ ହାତୀ ହାବୁଡରେ ପଡି ମୃତ୍ୟୁ ବରଣ କରିଥିବା ଖବର ହସ୍ତଗତ ହୋଇଛି।

ଖବରରୁ ପ୍ରକାଶ ଯେ, ଅନୁଗୋଳ ଜିଲ୍ଲା ମହୁଲମାଳ ଗ୍ରାମର ଧନେଶ୍ୱର ଦେହୁରୀଙ୍କ ବଳଦ ହଜିଯାଇଥିଲା। ସେମାନେ ବହୁ ଖୋଜାଖୋଜି କରିଥିଲେ ହେଲେ ନିଜ ଅଂଚଳରେ ନ ମିଳିବାରୁ ରାହାସ ମିର୍ଦ୍ଧା ଙ୍କ ସହ ସମ୍ବଲପୁର ଜିଲ୍ଲା ରେଢାଖୋଲ ବନାଂଚଳର ଲୁହାପଙ୍କ ପଂଚାୟତର ଜରିପାଣି ଗ୍ରାମ ଜଙ୍ଗଲକୁ ଗତକାଲି ସକାଳ ୭ ଟାରେ ପହଂଚି ଖୋଜାଖୋଜି କରୁଥିଲେ। ସେମାନେ ଜଙ୍ଗଲରେ ବଳଦ ଖୋଜୁଥିବା ସମୟରେ ହାତୀ ହାବୁଡରେ ପଡିଯାଇଥିଲେ ଧନେଶ୍ୱର ଦେହୁରୀ ଓ ରାହାସ ମିର୍ଦ୍ଧା। ହାତୀଟି ଧନେଶ୍ୱରଙ୍କୁ ଦଳି ଚକଟି ଦେଇ ମାରି ଦେଇଥିଲା। ଘଟଣା ସ୍ଥଳରେ ହିଁ ଧନେଶ୍ୱରଙ୍କର ମୃତ୍ୟୁ ହୋଇଯାଇଥିଲା। ତାଙ୍କ ସାଥିରେ ଯାଇଥିବା ରାହାସ ମିର୍ଦ୍ଧା ଆହତ ହୋଇ ଜରିପାଣି ଗାଁକୁ କୌଶଳ କ୍ରମେ ପଳାଇ ଆସି ଗାଁ ବାଲାଙ୍କୁ କହିଥିଲେ। ଗାଁ ବାଲା ସଙ୍ଗେ ସଙ୍ଗେ ଜଙ୍ଗଲ ବିଭାଗକୁ ଫୋନ୍ କରି ଜଣାଇଥିଲେ। ଜଙ୍ଗଲ ବିଭାଗ ଘଟଣା ସ୍ଥଳରେ ପହଂଚି ଶବ ଜବତ କରିଥିବା ଜଣା ପଡିଛି। ମୃତ ବ୍ୟକ୍ତିକୁ ସରକାର କ୍ଷତିପୂରଣ ଦେବାକୁ ସାଧାରଣରେ ଦାବୀ ହେଉଛି। ରେଢାଖୋଲ ସବ୍‌ଡିଭିଜନରେ ବହୁ ଜଣଙ୍କୁ ଅତୀତରେ ହାତୀ ଆକ୍ରମଣ କରି ମାରିଦେଇଥିବା ଜଣା ପଡିଛି।

ସୂଚନା ଯୋଗ୍ୟ ଯେ, ନିକଟ ଅତୀତରେ ରେଢାଖୋଲ ଉପଖଣ୍ଡ ନାକଟିଦେଉଳି ବ୍ଲକ୍ ବାଟଗାଁ ପଂଚାୟତ ବସାଲଇ ଗ୍ରାମର ଗରିଆଟୁପା ଖମଣ ଜଙ୍ଗଲରେ ଗ୍ରାମର ବିରଂଚି ବାଦୀ(୬୦) ନାମକ ବୃଦ୍ଧକୁ ହାତୀ ଦଳି ଦେଇଥିଲା। ଗତ ବର୍ଷ ଜୁନ୍ ୨୦ ତାରିଖରେ ବିନ୍ଧପୁର ଗ୍ରାମର ଓାର୍ଡ ସଭ୍ୟ ସୁରେଶ ପ୍ରଧାନଙ୍କୁ ହାତୀ ଆକ୍ରମଣ କରିଥିଲା। ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ନିଆଯାଇଥିଲା ହେଲେ ତାଙ୍କର ସେଠାରେ ମୃତ୍ୟୁ ହୋଇଯାଇଥିଲା, ବାଟଗାଁ ପଂଚାୟତର ହିନ୍ତସରା ଗ୍ରାମର ପ୍ରମିଳା ଦେହୁରୀ (୬୨)ଙ୍କୁ ହାତୀ ମାରିଦେଇଥିବା ବେଳେ, ଗତ ତା ୨୩/୫ /୨୦୨୦ ରେ ବେଠୀଆବେନୀ ଗ୍ରାମର ପତ୍ର ତୁଳାଳି ଦମୟନ୍ତୀ ଦେହୁରୀ(୬୫)ଙ୍କୁ ହାତୀ ଦଳୀଦେଇଥିଲା। ୨୦୧୪ ରେ ଚଡଚଡି ଗ୍ରାମର ବୃଦ୍ଧା ଜଣଙ୍କୁ, ୨୦୧୫ ରେ ଅଙ୍ଗାବିରା ଗ୍ରାମରେ ଜଣେ ଯୁବକଙ୍କୁ, ୨୦୧୬ ରେ ପ୍ରତାପପୁର ଗ୍ରାମରେ ଜଣେ ବୃଦ୍ଧଙ୍କୁ,୨୦୧୯ ରେ ବିନ୍ଧପୁର ଗ୍ରାମରେ ଜଣେ ବୃଦ୍ଧା, ୨୦୧୯ରେ ଡାହିମାଳ ଗ୍ରାମରେ ମଧ୍ୟ ଜଣେ ବୃଦ୍ଧଙ୍କୁ ହାତୀ ମାରିଦେଇଥିଲା।

ଏମିତି ବାରମ୍ବାର ରେଢାଖୋଲ ଅଂଚଳରେ ହାତୀ ହାବୁଡରେ ପଡି ବହୁ ଧନ ଜୀବନ ଯାଉଥିବାର ନଜିର ରହିଛି। ଦିକୁ ଦିନ ଜଙ୍ଗଲ ଧ୍ୱଂସ ପାଇବା ଫଳରେ ହାତୀମାନେ ଗାଁ ଆଡକୁ ମାଡି ଆସୁଛନ୍ତି। ଦନ୍ତା ହାତୀକୁ ଘଉଡାଇବାକୁ ବନ ବିଭାଗ ଚେଷ୍ଟା ଚଳାଇଛି।