ହାତୀ ଆକ୍ରମଣରେ ଚାଷୀ ମୃତ, ଜଣେ ଆହତ

Published: May 7, 2021, 10:46 am IST

କନ୍ଦର୍ପ ବେହେରା
ରେଢାଖୋଲ: ରେଢାଖୋଲ ରେଞ୍ଜ ଅଧିନସ୍ଥ ଲୁହାପଙ୍କ ପଂଚାୟତର ଜରିପାଣି ଗ୍ରାମରେ ଜନୈକ ବ୍ୟକ୍ତି ଜଙ୍ଗଲକୁ ହଜିଯାଇଥିବା ବଳଦ ଖୋଜିବାକୁ ଯାଇଥିବା ବେଳେ ହାତୀ ହାବୁଡରେ ପଡି ମୃତ୍ୟୁ ବରଣ କରିଥିବା ଖବର ହସ୍ତଗତ ହୋଇଛି।

ଖବରରୁ ପ୍ରକାଶ ଯେ, ଅନୁଗୋଳ ଜିଲ୍ଲା ମହୁଲମାଳ ଗ୍ରାମର ଧନେଶ୍ୱର ଦେହୁରୀଙ୍କ ବଳଦ ହଜିଯାଇଥିଲା। ସେମାନେ ବହୁ ଖୋଜାଖୋଜି କରିଥିଲେ ହେଲେ ନିଜ ଅଂଚଳରେ ନ ମିଳିବାରୁ ରାହାସ ମିର୍ଦ୍ଧା ଙ୍କ ସହ ସମ୍ବଲପୁର ଜିଲ୍ଲା ରେଢାଖୋଲ ବନାଂଚଳର ଲୁହାପଙ୍କ ପଂଚାୟତର ଜରିପାଣି ଗ୍ରାମ ଜଙ୍ଗଲକୁ ଗତକାଲି ସକାଳ ୭ ଟାରେ ପହଂଚି ଖୋଜାଖୋଜି କରୁଥିଲେ। ସେମାନେ ଜଙ୍ଗଲରେ ବଳଦ ଖୋଜୁଥିବା ସମୟରେ ହାତୀ ହାବୁଡରେ ପଡିଯାଇଥିଲେ ଧନେଶ୍ୱର ଦେହୁରୀ ଓ ରାହାସ ମିର୍ଦ୍ଧା। ହାତୀଟି ଧନେଶ୍ୱରଙ୍କୁ ଦଳି ଚକଟି ଦେଇ ମାରି ଦେଇଥିଲା। ଘଟଣା ସ୍ଥଳରେ ହିଁ ଧନେଶ୍ୱରଙ୍କର ମୃତ୍ୟୁ ହୋଇଯାଇଥିଲା। ତାଙ୍କ ସାଥିରେ ଯାଇଥିବା ରାହାସ ମିର୍ଦ୍ଧା ଆହତ ହୋଇ ଜରିପାଣି ଗାଁକୁ କୌଶଳ କ୍ରମେ ପଳାଇ ଆସି ଗାଁ ବାଲାଙ୍କୁ କହିଥିଲେ। ଗାଁ ବାଲା ସଙ୍ଗେ ସଙ୍ଗେ ଜଙ୍ଗଲ ବିଭାଗକୁ ଫୋନ୍ କରି ଜଣାଇଥିଲେ। ଜଙ୍ଗଲ ବିଭାଗ ଘଟଣା ସ୍ଥଳରେ ପହଂଚି ଶବ ଜବତ କରିଥିବା ଜଣା ପଡିଛି। ମୃତ ବ୍ୟକ୍ତିକୁ ସରକାର କ୍ଷତିପୂରଣ ଦେବାକୁ ସାଧାରଣରେ ଦାବୀ ହେଉଛି। ରେଢାଖୋଲ ସବ୍‌ଡିଭିଜନରେ ବହୁ ଜଣଙ୍କୁ ଅତୀତରେ ହାତୀ ଆକ୍ରମଣ କରି ମାରିଦେଇଥିବା ଜଣା ପଡିଛି।

ସୂଚନା ଯୋଗ୍ୟ ଯେ, ନିକଟ ଅତୀତରେ ରେଢାଖୋଲ ଉପଖଣ୍ଡ ନାକଟିଦେଉଳି ବ୍ଲକ୍ ବାଟଗାଁ ପଂଚାୟତ ବସାଲଇ ଗ୍ରାମର ଗରିଆଟୁପା ଖମଣ ଜଙ୍ଗଲରେ ଗ୍ରାମର ବିରଂଚି ବାଦୀ(୬୦) ନାମକ ବୃଦ୍ଧକୁ ହାତୀ ଦଳି ଦେଇଥିଲା। ଗତ ବର୍ଷ ଜୁନ୍ ୨୦ ତାରିଖରେ ବିନ୍ଧପୁର ଗ୍ରାମର ଓାର୍ଡ ସଭ୍ୟ ସୁରେଶ ପ୍ରଧାନଙ୍କୁ ହାତୀ ଆକ୍ରମଣ କରିଥିଲା। ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ନିଆଯାଇଥିଲା ହେଲେ ତାଙ୍କର ସେଠାରେ ମୃତ୍ୟୁ ହୋଇଯାଇଥିଲା, ବାଟଗାଁ ପଂଚାୟତର ହିନ୍ତସରା ଗ୍ରାମର ପ୍ରମିଳା ଦେହୁରୀ (୬୨)ଙ୍କୁ ହାତୀ ମାରିଦେଇଥିବା ବେଳେ, ଗତ ତା ୨୩/୫ /୨୦୨୦ ରେ ବେଠୀଆବେନୀ ଗ୍ରାମର ପତ୍ର ତୁଳାଳି ଦମୟନ୍ତୀ ଦେହୁରୀ(୬୫)ଙ୍କୁ ହାତୀ ଦଳୀଦେଇଥିଲା। ୨୦୧୪ ରେ ଚଡଚଡି ଗ୍ରାମର ବୃଦ୍ଧା ଜଣଙ୍କୁ, ୨୦୧୫ ରେ ଅଙ୍ଗାବିରା ଗ୍ରାମରେ ଜଣେ ଯୁବକଙ୍କୁ, ୨୦୧୬ ରେ ପ୍ରତାପପୁର ଗ୍ରାମରେ ଜଣେ ବୃଦ୍ଧଙ୍କୁ,୨୦୧୯ ରେ ବିନ୍ଧପୁର ଗ୍ରାମରେ ଜଣେ ବୃଦ୍ଧା, ୨୦୧୯ରେ ଡାହିମାଳ ଗ୍ରାମରେ ମଧ୍ୟ ଜଣେ ବୃଦ୍ଧଙ୍କୁ ହାତୀ ମାରିଦେଇଥିଲା।

ଏମିତି ବାରମ୍ବାର ରେଢାଖୋଲ ଅଂଚଳରେ ହାତୀ ହାବୁଡରେ ପଡି ବହୁ ଧନ ଜୀବନ ଯାଉଥିବାର ନଜିର ରହିଛି। ଦିକୁ ଦିନ ଜଙ୍ଗଲ ଧ୍ୱଂସ ପାଇବା ଫଳରେ ହାତୀମାନେ ଗାଁ ଆଡକୁ ମାଡି ଆସୁଛନ୍ତି। ଦନ୍ତା ହାତୀକୁ ଘଉଡାଇବାକୁ ବନ ବିଭାଗ ଚେଷ୍ଟା ଚଳାଇଛି।

Related posts