Categories
ବିଶେଷ ଖବର

ଜନଗଣନା କରିବାର ଅଧିକାର ରାଜ୍ୟ ସରକାରଙ୍କର ନାହିଁ: ସୁପ୍ରିମକୋର୍ଟରେ ବିହାର ଜାତି ସର୍ଭେକୁ କେନ୍ଦ୍ରର ବିରୋଧ

ନୂଆଦିଲ୍ଲୀ: ଜନଗଣନା କିମ୍ବା ଏଭଳି କୌଣସି ପ୍ରକ୍ରିୟା ଗ୍ରହଣ କରିବାର ଅଧିକାର ତାଙ୍କ ବ୍ୟତୀତ ଅନ୍ୟ କାହାର ନାହିଁ ବୋଲି କେନ୍ଦ୍ର ସରକାର ସୋମବାର ସୁପ୍ରିମକୋର୍ଟକୁ ଜଣାଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟର ବିଚାର ପାଇଁ ସାମ୍ବିଧାନିକ ଓ ଆଇନଗତ ସ୍ଥିତିକୁ ଦୃଷ୍ଟିରେ ରଖି ବିହାରରେ ଜାତିଭିତ୍ତିକ ସର୍ଭେକୁ ଚ୍ୟାଲେଞ୍ଜ କରୁଥିବା ପିଟିସନର ଜବାବରେ କେନ୍ଦ୍ର ଗୃହ ମନ୍ତ୍ରାଳୟର ରେଜିଷ୍ଟ୍ରାର ଜେନେରାଲଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ସଂକ୍ଷିପ୍ତ ସତ୍ୟପାଠ ଦାଖଲ କରାଯାଇଛି। ସମ୍ବିଧାନର ସପ୍ତମ ଅନୁସୂଚୀରେ ୬୯ ନମ୍ବର ସ୍ଥାନରେ ଜନଗଣନା ବିଷୟକୁ କେନ୍ଦ୍ର ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି ଏବଂ ଜନଗଣନା ଆଇନ, ୧୯୪୮ କେବଳ କେନ୍ଦ୍ର ସରକାରଙ୍କୁ ଜନଗଣନା କରିବାକୁ କ୍ଷମତା ପ୍ରଦାନ କରିଛି ବୋଲି ସତ୍ୟପାଠରେ ଦର୍ଶାଯାଇଛି। ଏଥିରେ ଦର୍ଶାଯାଇଛି ଯେ ସମ୍ବିଧାନ ଅନୁଯାୟୀ କିମ୍ବା ଅନ୍ୟ କୌଣସି ସଂସ୍ଥା (କେନ୍ଦ୍ର ବ୍ୟତୀତ) ଜନଗଣନା କିମ୍ବା ଏପରି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଅଧିକାର ନାହିଁ।

ଭାରତୀୟ ସମ୍ବିଧାନର ବ୍ୟବସ୍ଥା ଏବଂ ଅନ୍ୟାନ୍ୟ ପ୍ରଯୁଜ୍ୟ ଆଇନ ଅନୁଯାୟୀ ଏସସି/ଏସଟି/ଏସଇବିସି ଏବଂ ଓବିସିଙ୍କ ଉନ୍ନତି ପାଇଁ କେନ୍ଦ୍ର ସରକାର ସମସ୍ତ ସକାରାତ୍ମକ ପଦକ୍ଷେପ ନେବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ଏଥିରେ ସ୍ପଷ୍ଟ କରାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ମାମଲାର ସାମ୍ବିଧାନିକ ଓ ଆଇନଗତ ସ୍ଥିତିକୁ ରେକର୍ଡରେ ରଖିବାକୁ ଚାହୁଁଛନ୍ତି ବୋଲି କହିବା ପରେ ଅଗଷ୍ଟ ୨୧ତାରିଖରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଜବାବ ଦାଖଲ ପାଇଁ ଏକ ସପ୍ତାହ ସମୟ ଦେଇଥିଲେ। ବିହାରରେ ଜାତିଭିତ୍ତିକ ସର୍ଭେକୁ ଚ୍ୟାଲେଞ୍ଜ କରୁଥିବା ପିଟିସନଖାରଜ କରିବା ପାଇଁ ପାଟନା ହାଇକୋର୍ଟ ଦେଇଥିବା ରାୟକୁ ସୁପ୍ରିମକୋର୍ଟରେ ବହୁ ସଂଖ୍ୟାରେ ସ୍ୱତନ୍ତ୍ର ଲିଭ୍ ପିଟିସନ୍ ଚ୍ୟାଲେଞ୍ଜ କରାଯାଇଛି।

ଭାରତରେ ଜନଗଣନା କରିବାର କ୍ଷମତା କେନ୍ଦ୍ରର ରହିଛି

ଏହି ଆବେଦନଗୁଡ଼ିକ ସୋମବାର ତାଲିକାଭୁକ୍ତ ହୋଇପାରିନଥିଲେ ମଧ୍ୟ ଅଗଷ୍ଟ ୨୮ରେ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଥିଲା। ଆବେଦନକାରୀମାନେ ସର୍ବୋଚ୍ଚ ଅଦାଲତରେ ଯୁକ୍ତି ବାଢ଼ିଥିଲେ ଯେ ସର୍ଭେ ପ୍ରକ୍ରିୟା ଗୋପନୀୟତା ଆଇନକୁ ଉଲ୍ଲଂଘନ କରୁଛି ଏବଂ ଭାରତରେ ଜନଗଣନା କରିବାର ଅଧିକାର କେବଳ କେନ୍ଦ୍ର ସରକାରଙ୍କ ପାଖରେ ଅଛି, ଜାତିଭିତ୍ତିକ ସର୍ଭେ କରିବା ଏବଂ ବିଜ୍ଞପ୍ତି ଦେବାର ବିହାର ସରକାରଙ୍କର କୌଣସି କ୍ଷମତା ନାହିଁ। ସର୍ବେକ୍ଷଣ ପ୍ରକ୍ରିୟା କିମ୍ବା ସର୍ବେକ୍ଷଣ ଫଳାଫଳ ପ୍ରକାଶନ ଉପରେ ରୋକ୍ ଲଗାଇବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ଅନ୍ତରୀଣ ଆଦେଶ ଦେବାକୁ ମନା କରିଦେଇଥିଲେ, ଯଦିଓ ଯୁକ୍ତି କରାଯାଇଥିଲା ଯେ ତଥ୍ୟ ପ୍ରକାଶ ପାଇବା ପରେ ଏହି ମାମଲା ଅର୍ଥହୀନ ହୋଇଯିବ।
କ’ଣ ହେଉଛି ମାମଲା?

ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ରାଜ୍ୟ ସରକାର କହିଛନ୍ତି ଯେ ବିହାରରେ ଜାତିଭିତ୍ତିକ ସର୍ଭେ ଶେଷ ହୋଇଛି ଏବଂ ଖୁବଶୀଘ୍ର ଫଳାଫଳ ସାର୍ବଜନୀନ କରାଯିବ। ଗତ ଅଗଷ୍ଟ ୧ ତାରିଖରେ ପାଟନା ହାଇକୋର୍ଟ ଦେଇଥିବା ରାୟରେ ଅନେକ ଆବେଦନକୁ ଖାରଜ କରିବା ସହ ସର୍ଭେ କରିବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ସବୁଜ ସଙ୍କେତ ଦେଇଥିଲେ।

ହାଇକୋର୍ଟଙ୍କ ରାୟ ପରେ ବିହାର ସରକାର ସେହିଦିନ ପ୍ରକ୍ରିୟା ଆରମ୍ଭ କରିଥିଲେ ଏବଂ ଅବଶିଷ୍ଟ ସର୍ଭେ ପ୍ରକ୍ରିୟା ତିନି ଦିନ ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଚଳିତ ବର୍ଷ ଜାନୁଆରି ୭ତାରିଖରୁ ଆରମ୍ଭ ହୋଇଥିବା ଏହି ସର୍ଭେ ମେ’ ୧୫ ତାରିଖ ସୁଦ୍ଧା ଶେଷ ହେବାର ଥିଲା, ତାହା ଉପରେ ଅନ୍ତରୀଣ ରହିତାଦେଶ ଜାରି କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ପରେ ହାଇକୋର୍ଟ ଅନେକ ଆବେଦନକୁ ଖାରଜ କରି କହିଥିଲେ, ଆମେ ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟକୁ ସମ୍ପୂର୍ଣ୍ଣ ବୈଧ ମନେ କରୁଛୁ, ଏହା ଯଥେଷ୍ଟ ଦକ୍ଷତା ସହିତ ଆରମ୍ଭ ହୋଇଛି ଏବଂ ଏହାର ବୈଧ ଉଦ୍ଦେଶ୍ୟ ହେଉଛି ନ୍ୟାୟ ସହିତ ବିକଶିତ ହେବ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଜଗତସିଂହପୁରରେ ଜନଗଣନା ପାଇଁ ପଦକ ଓ ପ୍ରମାଣପତ୍ର ପ୍ରଦାନ କଲେ ଜିଲ୍ଲାପାଳ

ରମେଶ ମହାନ୍ତି

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ୨୦୧୧ ଜନଗଣନା କାର୍ଯ୍ୟରେ ନିର୍ଭୁଲ ଓ ସଠିକ୍ ଭାବରେ କାର୍ଯ୍ୟ ସମ୍ପାଦନ କରିଥିବାରୁ ଅଧିକାରୀ ଓ କର୍ମଚାରୀମାନଙ୍କୁ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ପ୍ରଶଂସା କରିବା ସହିତ ପଦକ ପ୍ରଦାନ କରିଛନ୍ତି।

ଗୁରୁବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ଜନଗଣନାରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ୯ଜଣ ପରିଗଣନାକାରୀ (ଏନ୍ୟୁମରଟର) ଏବଂ ୨ଜଣ ପର୍ଯ୍ୟବେକ୍ଷଣକାରୀ (ସୁପରଭାଇଜର) ମାନଙ୍କୁ ଭାରତୀୟ ଜନଗଣନା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରଦତ୍ତ ପ୍ରମାଣପତ୍ର, ରୌପ୍ୟ ଓ ବ୍ରୋଞ୍ଜ ପଦକ ପ୍ରଦାନ କରାଯାଇଛି। ପ୍ରମାଣପତ୍ର ଓ ପଦକ ପ୍ରଦାନ କରାଯିବା ପରେ ସେମାନଙ୍କର କାର୍ଯ୍ୟଦକ୍ଷତା କର୍ମନିଷ୍ଠତା ପାଇଁ ତାଙ୍କୁ ଜିଲ୍ଲାପାଳ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଥିଲେ।

ଏହି କାର୍ଯ୍ୟକ୍ରମରେ ବିରିଡ଼ିର ତତ୍କାଳୀନ ତହସିଲଦାର ସୁରରାଜ ସଦସ୍ୟ, ପ୍ରଧାନ ଶିକ୍ଷକ ନିରଞ୍ଜନ ପଣ୍ଡା (ଜଗତସିଂହପୁର), ସଂଜୀବ କୁମାର ମହାପାତ୍ର (ସହକାରୀ ଶିକ୍ଷକ ବି ବି ହାଇସ୍କୁଲ କୁଜଙ୍ଗ), ଜ୍ୟୋତି ରଞ୍ଜନ ସାହୁ (ଏସ୍ ଏସ୍ ଏମ୍ ନାଉଗାଁ), ତପନ କୁମାର ପ୍ରଧାନ (ସୁଧକଣ୍ଠି ପ୍ରାଇମେରୀ ସ୍କୁଲ୍), ରୁଦ୍ର ପ୍ରସାଦ ସ୍ୱାଇଁ, ବାନାମ୍ବର ମଲ୍ଲିକ (କେ ଏଲ୍ ହାଇସ୍କୁଲ), ବରଦା ପ୍ରସନ୍ନ ବଳିୟାର ସିଂହ, ରମାକାନ୍ତ ରାଉତ (ଦଧିବାମନ ୟୁପି ସ୍କୁଲ୍), ସତ୍ୟ ପ୍ରସନ୍ନ ଗୁରୁ (ଚୌଧୁରୀକୁଦ ପ୍ରାଇମେରୀ ସ୍କୁଲ୍), ନୃସିଂହ ଚରଣ ବାହାଲିଆ (ସୁରବଲ ହାଇସ୍କୁଲ ବଉଳାଙ୍ଗ), ବିପିନ୍ କୁମାର ସେଠୀ (ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଜଗତସିଂହପୁର)ଙ୍କୁ ପଦକ ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।

ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ଜନଗଣନା ଅଧିକାରୀ ସଚ୍ଚିଦାନନ୍ଦ ସାହୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଉପ-ଜନଗଣନା ଅଧିକାରୀ ସନ୍ତୋଷ କୁମାର ସାହୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନି ରଞ୍ଜନ ପଟ୍ଟନାୟକ, ବରିଷ୍ଠ ରାଜସ୍ବ ସହାୟକ ସମ୍ରାଟ କିଶୋର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଜନଗଣନା ସ୍ଥଗିତ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜନଗଣନା ପ୍ରକ୍ରିୟା ସ୍ଥଗିତ ରଖିବାକୁ ନିବେଦନ କରି ଚିଠି ଲେଖିଛନ୍ତି ନବୀନ। ଏପ୍ରିଲ୍‌ 1ରୁ ସେପ୍ଟେମ୍ବର 30 ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଗଣନା କାର୍ଯ୍ୟକ୍ରମ ରହିଛି । କରୋନା ପାଇଁ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଏହି ଜନଗଣନା କାର୍ଯ୍ୟକ୍ରମକୁ ସ୍ଥଗିତ କରିବା ପାଇଁ  ନିବେଦନ କରିଛନ୍ତି ନବୀନ। ଏବେ କୋରୋନା ମୁକାବିଲା ପାଇଁ କର୍ମଚାରୀ ମୁତୟନ ରହିଛନ୍ତି, ଏ ସମୟରେ ଜନଗଣନା ହେଲେ କୋରୋନା ମୁକାବିଲା ବାଧାପ୍ରାପ୍ତ ହେବ । ସେହିପରି କ୍ଷେତ୍ର ପରିଦର୍ଶନ ବେଳେ ମଧ୍ୟ ଫିଲ୍ଡ ଓ୍ବାର୍କରମାନଙ୍କ ପ୍ରତି ସଂକ୍ରମଣର ଆଶଙ୍କା ରହିଛି। ଏହି ଜନଗଣନାରେ ଗୃହ ତାଲିକା, ଗଣନା,ଜନସଂଖ୍ୟା ପଞ୍ଜିକା ଅପଡେଟ୍‌ ହୋଇଥାନ୍ତା। ତେବେ କରେନାକୁ ଦୃଷ୍ଟିରେ ରଖି ଜନଗଣନାକୁ ସ୍ଥଗିତ ରଖାଯାଉ ବୋଲି ଚିଠିରେ ନିବେଦନ କରିଛନ୍ତି ନବୀନ ପଟ୍ଟନାୟକ ।