ଜଗତସିଂହପୁରରେ ଜନଗଣନା ପାଇଁ ପଦକ ଓ ପ୍ରମାଣପତ୍ର ପ୍ରଦାନ କଲେ ଜିଲ୍ଲାପାଳ

Published: Mar 19, 2021, 12:07 pm IST

ରମେଶ ମହାନ୍ତି

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ୨୦୧୧ ଜନଗଣନା କାର୍ଯ୍ୟରେ ନିର୍ଭୁଲ ଓ ସଠିକ୍ ଭାବରେ କାର୍ଯ୍ୟ ସମ୍ପାଦନ କରିଥିବାରୁ ଅଧିକାରୀ ଓ କର୍ମଚାରୀମାନଙ୍କୁ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ପ୍ରଶଂସା କରିବା ସହିତ ପଦକ ପ୍ରଦାନ କରିଛନ୍ତି।

ଗୁରୁବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ଜନଗଣନାରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ୯ଜଣ ପରିଗଣନାକାରୀ (ଏନ୍ୟୁମରଟର) ଏବଂ ୨ଜଣ ପର୍ଯ୍ୟବେକ୍ଷଣକାରୀ (ସୁପରଭାଇଜର) ମାନଙ୍କୁ ଭାରତୀୟ ଜନଗଣନା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରଦତ୍ତ ପ୍ରମାଣପତ୍ର, ରୌପ୍ୟ ଓ ବ୍ରୋଞ୍ଜ ପଦକ ପ୍ରଦାନ କରାଯାଇଛି। ପ୍ରମାଣପତ୍ର ଓ ପଦକ ପ୍ରଦାନ କରାଯିବା ପରେ ସେମାନଙ୍କର କାର୍ଯ୍ୟଦକ୍ଷତା କର୍ମନିଷ୍ଠତା ପାଇଁ ତାଙ୍କୁ ଜିଲ୍ଲାପାଳ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଥିଲେ।

ଏହି କାର୍ଯ୍ୟକ୍ରମରେ ବିରିଡ଼ିର ତତ୍କାଳୀନ ତହସିଲଦାର ସୁରରାଜ ସଦସ୍ୟ, ପ୍ରଧାନ ଶିକ୍ଷକ ନିରଞ୍ଜନ ପଣ୍ଡା (ଜଗତସିଂହପୁର), ସଂଜୀବ କୁମାର ମହାପାତ୍ର (ସହକାରୀ ଶିକ୍ଷକ ବି ବି ହାଇସ୍କୁଲ କୁଜଙ୍ଗ), ଜ୍ୟୋତି ରଞ୍ଜନ ସାହୁ (ଏସ୍ ଏସ୍ ଏମ୍ ନାଉଗାଁ), ତପନ କୁମାର ପ୍ରଧାନ (ସୁଧକଣ୍ଠି ପ୍ରାଇମେରୀ ସ୍କୁଲ୍), ରୁଦ୍ର ପ୍ରସାଦ ସ୍ୱାଇଁ, ବାନାମ୍ବର ମଲ୍ଲିକ (କେ ଏଲ୍ ହାଇସ୍କୁଲ), ବରଦା ପ୍ରସନ୍ନ ବଳିୟାର ସିଂହ, ରମାକାନ୍ତ ରାଉତ (ଦଧିବାମନ ୟୁପି ସ୍କୁଲ୍), ସତ୍ୟ ପ୍ରସନ୍ନ ଗୁରୁ (ଚୌଧୁରୀକୁଦ ପ୍ରାଇମେରୀ ସ୍କୁଲ୍), ନୃସିଂହ ଚରଣ ବାହାଲିଆ (ସୁରବଲ ହାଇସ୍କୁଲ ବଉଳାଙ୍ଗ), ବିପିନ୍ କୁମାର ସେଠୀ (ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଜଗତସିଂହପୁର)ଙ୍କୁ ପଦକ ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।

ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ଜନଗଣନା ଅଧିକାରୀ ସଚ୍ଚିଦାନନ୍ଦ ସାହୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଉପ-ଜନଗଣନା ଅଧିକାରୀ ସନ୍ତୋଷ କୁମାର ସାହୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନି ରଞ୍ଜନ ପଟ୍ଟନାୟକ, ବରିଷ୍ଠ ରାଜସ୍ବ ସହାୟକ ସମ୍ରାଟ କିଶୋର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Related posts