Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି: ଜାଣନ୍ତୁ ସକାଳ ୧୧.୩୦ ସୁଦ୍ଧା କେତେ ରହିଛି ତାପମାତ୍ରା

ଭୁବନେଶ୍ଵର: ଆଜି ବି ରାଜ୍ୟରେ ଭୀଷଣ ଗରମ ଅନୁଭୂତ ହେଉଛି। ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଜରୁରୀ କାମ ନଥିଲେ ବାହାରକୁ ନଯିବା ପାଇଁ ପରାମର୍ଶ ଦିଆଯାଉଛି। ଜରୁରୀ କାମ ଥିଲେ ସାଥିରେ କଳା ଚଷମା, ଗାମୁଛା, ପାଣି ବୋତଲ ଇତ୍ୟାଦି ନେଇ ବାହାରକୁ ଯିବା ପାଇଁ କୁହାଯାଉଛି। ଘରୁ ବାହାରିବା ପୂର୍ବରୁ ପ୍ରଚୁର ପାଣି ପିଇବା ପାଇଁ ପରାମର୍ଶ ଦିଆଯାଉଛି।

ତେବେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଜି ସକାଳ ୧୧.୩୦ ସୁଦ୍ଧା ରାଜ୍ୟର ମୁଖ୍ୟ ସହରଗୁଡିକରେ କେତେ ତାପମାତ୍ରା ରହିଛି, ତାହା ଟ୍ବିଟର ମାଧ୍ୟମରେ ସୂଚନା ଦିଆଯାଇଛି।

୧- ଝାରସୁଗୁଡା: ୩୯.୨

୨- ଡ଼ିଗ୍ରୀ ଭୁବନେଶ୍ୱର:୩୯.୦ ଡ଼ିଗ୍ରୀ

୩- କେନ୍ଦୁଝର: ୩୯.୦ ଡ଼ିଗ୍ରୀ

୪- ସମ୍ବଲପୁର: ୩୮.୨ଡ଼ିଗ୍ରୀ

୫- ଚାନ୍ଦବାଲି: ୩୭.୬ ଡ଼ିଗ୍ରୀ

୬- ବାଲେଶ୍ୱର: ୩୬.୮ ଡ଼ିଗ୍ରୀ

୭- ହୀରାକୁଦ: ୩୬.୪ ଡ଼ିଗ୍ରୀ

୮- ଗୋପାଳପୁର: ୩୫.୦ ଡ଼ିଗ୍ରୀ

୯- ପୁରୀ:୩୩.୪ ଡ଼ିଗ୍ରୀ

୧୦- ପାରାଦୀପ:୩୨.୪ ଡ଼ିଗ୍ରୀ

Categories
ଆଜିର ଖବର ରାଜ୍ୟ ଖବର

ଅଘୋଷିତ ବିଦ୍ୟୁତ କାଟ ଯୋଗୁଁ କଲବଲ ଚିଲିକାବାସି

ସୀତାରାମ ଅଗ୍ରୱାଲ

ଚିଲିକା: ଦିନକୁଦିନ ସାରା ରାଜ୍ୟରେ ପ୍ରଚଣ୍ଡ ଖରାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବାବେଳେ ଅଘୋଷିତ ବିଦ୍ୟୁତ କାଟ ଲାଗି ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରଚଣ୍ଡ ଖରାରେ ଲୋକମାନେ ଘରୁ ବାହାରି ପାରୁ ନଥିବାବେଳେ ଘନ ଘନ ବିଦ୍ୟୁତ କାଟ ଯୋଗୁଁ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି।ସାଧାରଣ ଜନତାଙ୍କୁ ସ୍ୱଳ୍ପ ମୂଲ୍ୟରେ ଉନ୍ନତ ମାନର ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ବିଦ୍ୟୁତ ବିତରଣ ଦାଇତ୍ୱ ଟିପିସିଓଡିଏଲ କମ୍ପାନୀକୁ ହସ୍ତାନ୍ତର କରିଥିଲେ।ମାତ୍ର ଉକ୍ତ କମ୍ପାନୀ ଦାୟିତ୍ବ ନେବା ଦିନଠାରୁ ଉପଭୋକ୍ତାଙ୍କ ନିଦ ହଜିଯାଇଛି।

କୌଣସି ଅଭିଯୋଗ ନେଇ ଅଭିଯୋଗକାରି ସ୍ଥାନୀୟ ଅଧିକାରୀ ତଥା ସମ୍ପୃକ୍ତ ଟୋଲ ଫ୍ରି ନମ୍ବରକୁ ଯୋଗାଯୋଗ କଲେ କୋୖଣସି ଉତ୍ତର ମିଳୁନି। ବର୍ତ୍ତମାନ ପରିସ୍ଥିତିରେ ଛାତ୍ରଛାତ୍ରୀ ମାନେ ବୋର୍ଡ ପରୀକ୍ଷା ଦେଉଛନ୍ତି ଏପରିକି ବୃଦ୍ଧ ବୃଦ୍ଧା, ଛୋଟ ଛୋଟ ଛୁଆ ଅବା ରୋଗୀମାନେ ବାରମ୍ବାର ବିଦ୍ୟୁତ କାଟ ହେଉଥିବା ଯୋଗୁଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଏସମ୍ବନ୍ଧରେ ଟିପିସିଓଡିଏଲ ବାଲୁଗାଁ ଉପଖଣ୍ଡ ଅଧିକାରୀ ଟୁକୁନା ଦଳେଇଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାରେ ଅତ୍ୟଧିକ ଲୋଡ଼ ପାଇଁ ବିଦ୍ୟୁତ କାଟ ଗ୍ରୀଡ଼ କରୁଛି।ଏପର୍ଯ୍ୟନ୍ତ ଗ୍ରୀଡ଼ ତରଫରୁ ଆମକୁ କୌଣସି ସମୟ ସାରଣୀ ସୂଚନା ମିଳିନାହିଁ। କିନ୍ତୁ ଟିପିସିଓଡିଏଲ ପକ୍ଷରୁ ଗ୍ରୀଡ଼କୁ ଲେଟର କରାଯାଇଛି ଏବଂ ବିଦ୍ୟୁତ କାଟ ପାଇଁ ନିର୍ଦ୍ଧିଷ୍ଟ ସମୟ ସୀମା ଆସିଲେ ସର୍ବସାଧାରଣରେ ସୂଚନା ଦିଆଯିବା ନେଇ ସ୍ପଷ୍ଟ କରିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର ସ୍ବାସ୍ଥ୍ୟ

କଳାହାଣ୍ଡିର କୋକସରା ତଥା ଲଡୁଗାଁ ଅଂଚଳ ପ୍ରଦୂଷଣର ଗନ୍ତାଘର, ଜନଜୀବନ ଅସ୍ତବ୍ୟସ୍ତ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅର୍ନ୍ତତ ଲଡୁଗାଁ ର୍ପଦୂଷଣର ଗନ୍ତାଘର ପାଳଟିଛି। ଲଡୁଗାଁ ପଂଚାୟତର ଲଡୁଗାଁ ଗ୍ରାମ ବ୍ୟବସାୟୀକ ପେଣ୍ଠସ୍ଥଳ ହୋଇଥିବା ବେଳେ ସେଠାରେ ପ୍ରାୟ ପନ୍ଦର ହଜାର ରୁ ଅଧିକ ଜନ ବସତି ରହିଛି। ଏତଦ ବ୍ୟତୀତ ପ୍ରତ୍ୟହ ସେଠାକୁ ଆଖପାଖ ଅଂଚଳର ପ୍ରାୟ ଦୁଇ/ତିନି ହଜାର ଲୋକେ ବ୍ୟବସାୟ କାର୍ଯ୍ୟରେ ଆସିଥାନ୍ତି।

ଜନଗହଳିପୂର୍ଣ୍ଣ ଲଡୁଗାଁ ଯଦିଓ ଗ୍ରାମପଂଚାୟତ ମୂଖ୍ୟାଳୟ ତଥାପି ଏହା ଛୋଟ ସହରାଂଚଳରୁ କମ ନୁହେଁ। ଲଡୁଗାଁର ଚାରିପଟେ ୧୦ ରୁ ଉର୍ଦ୍ଧ୍ୱ ରାଇସ ମିଲ ସ୍ଥାପିତ ହୋଇଥିବା ବେଳେ ଏହାର ଧୂଆଁ ଗ୍ରାମସାରା ବିସ୍ତାରିତ ହୋଇ କଳା ବାଦଲର ଭ୍ରମ ସୃଷ୍ଟିକରେ। ଏପରିକି ଘରେ ଦ୍ୱାରେ କଳା ଆସ୍ତରଣ ଜମିଯାଉଥିବା ବେଳେ ଗଛପତ୍ର ମାନଙ୍କରେ ମଧ୍ୟ କଳା ଛାଇଯାଏ। ରାଇସ ମିଲ ମାନଙ୍କରୁ ନିର୍ଗତ ପାଣି ଦୁର୍ଗନ୍ଧ ହୋଇ ଆଖପାଖ ଅଂଚଳ ଦୂଷିତ କରୁଥିବା ବେଳେ ରୋଗପୋକ ବୃଦ୍ଧି କରୁଥିବା ଜଣାପଡିଛି। ନିକଟ

ଅତୀତରେ ରାଇସ ମିଲ ମାନଙ୍କର ପୂତିଗନ୍ଧମୟ ପାଣି ଜମା ହୋଇ ଲଡୁଗାଁ ଅଂଚଳରେ ଡେଙ୍ଗୁ ଜ୍ୱର ଭଲି ମାରାତ୍ମକ ରୋଗ ବ୍ୟାପିଯାଇଥିଲା। ରାଇସମିଲ ମାନଙ୍କରୁ ବାହାରୁ ଥିବା ରାଖଡ ରାସ୍ତା ପାଶ୍ୱର୍ରେ ପକାଇ ଦିଆଯାଉଥିବା ବେଳେ ଯାତାୟତ ସମୟରେ ଲୋକେ ହଇରାଣ ହରକତ ହେଉଥିବା ପରିଲକ୍ଷିତ ହେଉଛି। ପବନରେ ଉଡି ଏହି ରାଖଡ ରାସ୍ତାରେ ଯାଉଥିବା ଲୋକଙ୍କ ଆଖିରେ ପଡିଲେ ଆଖି ଖରାପ ହୋଇଯାଉଥିବା ମଧ୍ୟ ଅନେକ ଅଭିଯୋଗ କରୁଛନ୍ତି। ରାଇସମିଲରୁ ନିର୍ଗତ ପାଣି ନିକଟସ୍ଥ ପୋଖରୀ, ଗାଡିଆ ରେ ମିଶି ଲୋକଙ୍କୁ ବିଭିନ୍ନ ଚର୍ମ ରୋଗ ହେଉଥିବା ବେଳେ ଗାଈ ଗୋରୁ ତଥା ଅନ୍ୟାନ୍ୟ ପଶୁପକ୍ଷୀ ମଧ୍ୟ ବିଭିନ୍ନ ରୋଗର ଶୀକାର ହେଉଥିବା ଅଭିଯୋଗ ହେଉଛି।

ଦୀର୍ଘ ବର୍ଷ ବର୍ଷ ଧରି ଏଭଲି ଭାବେ ପାଣି ପବନ ପ୍ରଦୂଷିତ ହେଉଥିବା ଏହି ଲଡୁଗାଁ ଅଂଚଳ ବାସୀ ଅଭିଯୋଗ କରୁଥିବା ବେଳେ ରାଇସମିଲ ମାଲିକ ମାନେ ଶୀତତାପ ନିୟନ୍ତ୍ରଣ ଘରେ ରହୁଥିବା ଏବଂ ନଳ କୂପ ତଥା ଆକ୍ୱା ପାଣି ବ୍ୟବହାର ହେତୁ ସାଧାରଣ ଲୋକ ଅନୁଭବ କରୁଥିବା ସମସ୍ୟା ଜାଣି ପାରୁନଥିବା ବେଳେ ସାଧାରଣ ଲୋକଙ୍କୁ ମରଣ ମୁହଁକୁ ଜାଣିଶୁଣି ଠେଲୁଥିବା ଅଭିଯୋଗ ହେଉଛି। ରାଜ୍ୟ ପ୍ରଦୂଷଣ ବୋର୍ଡ ପକ୍ଷରୁ ଜଳ ବିଷୋଧନ ପ୍ରକଳ୍ପ (ଇଟିପି) ବାଧ୍ୟତା ମୂଲକ କରାଯାଉଥିବା ବେଳେ ଲଡୁଗାଁରେ ରାଇସମିଲ ମାଲିକ ମାନେ ସେଥିପ୍ରତି ଗୁରୁତ୍ୱ ଦେଉନଥିବା ଜଣାପଡିଛି।

ଏପରିକି ମୋଟେର ଠାରୁ କୋକସରା ରାସ୍ତା ଉପରେ ଥିବା ଡଙ୍ଗରୀଗୁଡାସ୍ଥିତ ବୈଷ୍ଣୋଦେବୀ ରାଇସମିଲରୁ ନିର୍ଗତ ପାଣି ଏନଏଚ୨୬ ଜାତୀୟ ରାଜପଥ ପାଶ୍ୱର୍ରେ ଥିବା ଜମିରେ ଦୂଷିତ ପାଣିର ଏକ ବଡ ପୋଖରୀର ଭ୍ରମ ସୃଷ୍ଟି କରୁଥିବା ବେଳେ ଏହାର ପାଶ୍ୱର୍ରେ ରାଖଡ ପକାଇଦିଆଯାଉଥିବା ହେତୁ ଜାତୀୟ ରାଜପଥରେ ଯାଉଥିବା ଲୋକେ ବିଶେଷ ହଇରାଣ ହରକତ ହେଉଥିବା ଅଭିଯୋଗ ହେଉଛି। ଏହି ରାଇସମିଲରେ ରାଜ୍ୟ ପ୍ରଦୂଷଣ ବୋର୍ଡ ଅନୁସାରେ ଜଳ ବିଷୋଧନ ପ୍ରକଳ୍ପ (ଇଟିପି) ନଥିବା ଜଣାପଡିଛି।

ଅନେକ ରାଇସମିଲ ମାଲିକମାନେ ପ୍ରଭାବଶାଳି ରାଜନୈତିକ ଛତ୍ରଛାୟା ତଳେ ରହୁଥିବା ହେତୁ ସାଧାରଣ ଲୋକଙ୍କୁ ହେୟ ଦୃଷ୍ଟିରେ ଦେଖୁଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷରେ ଅନ୍ୟ ସାଧାରଣ ଲୋକେ ହଇରାଣ ହରକତ ହେଲେ ସେମାନଙ୍କ ଯାଏଆସେ କେତେ ବୋଲି ବିଚାର କରୁଥିବା ଏହି ରାଇସମିଲ ଗୁଡିକର ପ୍ରଦୂଷଣ ବ୍ୟବସ୍ଥା ଗୁଡିକ ସଂପର୍କରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ଦୃଢ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହେଉଛି।