Categories
ଆଜିର ଖବର ଜାତୀୟ ଖବର

କେନ-ବେତଓ୍ବା ନଦୀ ସଂଯୋଗୀକରଣ ଜାତୀୟ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୧୦୦ତମ ଜନ୍ମ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶର ଖଜୁରାହୋଠାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ଲୋକମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଭାରତ ଓ ସମଗ୍ର ବିଶ୍ବର ଖ୍ରୀଷ୍ଟିଆନମାନଙ୍କୁ ଖ୍ରୀଷ୍ଟମାସର ଅଭିନନ୍ଦନ ଜଣାଇଛନ୍ତି । ରାଜ୍ୟରେ ମୁଖ୍ୟମନ୍ତ୍ରୀ ଡ. ମୋହନ ଯାଦବଙ୍କ ନେତୃତ୍ବାଧୀନ ସରକାରର ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ସେ ମଧ୍ୟପ୍ରଦେଶର ଲୋକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ସେ କହିଥିଲେ ଯେ ଗତ ଏକ ବର୍ଷ ମଧ୍ୟରେ ନୂଆ ନୂଆ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରୀ ହେବା ସହ ବିକାଶମୂଳକ କାର୍ଯ୍ୟ ତ୍ବରାନ୍ବିତ ହୋଇଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଐତିହାସିକ କେନ-ବେତଓ୍ବା ନଦୀ ସଂଯୋଗୀକରଣ ପ୍ରକଳ୍ପ, ଦୌଧନ ଡ୍ୟାମ ଓ ମଧ୍ୟପ୍ରଦେଶର ପ୍ରଥମ ଭାସମାନ ସୌର ପ୍ରକଳ୍ପ ଓମକାରେଶ୍ବର ଭାସମାନ ସୌର ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି । ଏଥିପାଇଁ ସେ ମଧ୍ୟପ୍ରଦେଶ ଲୋକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଶତବାର୍ଷିକୀ ଯୋଗୁଁ ଆଜିର ଦିନକୁ ଏକ ସ୍ମରଣୀୟ ଦିନ ବୋଲି ଅବିହିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜିର ଦିନଟି ହେଉଛି ସୁଶାସନ ଓ ଉତ୍ତମ ସେବା ପ୍ରଦାନର ଉତ୍ସବ ଯାହାକି ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ। ଶ୍ରୀ ବାଜପେୟୀଙ୍କ ସ୍ମୃତିରେ ଡାକଟିକଟ ଓ ମୁଦ୍ରା ଉନ୍ମୋଚନ କରିବା ଅବସରରେ ତାଙ୍କୁ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଶ୍ରୀ ବାଜପେୟୀ ବିଗତବର୍ଷମାନଙ୍କରେ ତାଙ୍କପରି ଅନେକ ସାଧାରଣ କର୍ମୀମାନଙ୍କୁ ଗଢିଥିଲେ। ଦେଶର ବିକାଶ ଦିଗରେ ଅଟଳଜୀଙ୍କ ସେବା ଆମ ସ୍ମୃତିରେ ସର୍ବଦା ଅବିସ୍ମରଣୀୟ ରହିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଆଜିଠାରୁ ୧୧୦୦ରୁ ଅଧିକ ଅଟଳ ଗ୍ରାମ ସୁଶାସନ ସଦନର କାମ ଚାଲିବ ଏବଂ ଏଥିପାଇଁ ପ୍ରଥମ କିସ୍ତି ଜାରି କରାଯାଇଛି ବୋଲି ଶ୍ରୀ ମୋଦୀ କହିଥିଲେ। ଅଟଳ ଗ୍ରାମ ସେବା ସଦନ ଗ୍ରାମର ବିକାଶକୁ ତ୍ୱରାନ୍ୱିତ କରିବ ବୋଲି ସେ ମନ୍ତବ୍ୟ ଦେଇଥିଲେ।

ସୁଶାସନ ଏକ ଗୋଟିଏ ଦିନକ ବ୍ୟାପାର ନୁହେଁ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ ସୁଶାସନ ଆମ ସରକାରର ପରିଚୟ ରହିଆସିଛି । କେନ୍ଦ୍ରରେ କ୍ରମାଗତ ୩ୟ ଥର ପାଇଁ ଓ ମଧ୍ୟପ୍ରଦେଶର କ୍ରମାଗତଭାବେ ସେବା କରିବାର ସୁଯୋଗ ଦେଇଥିବାରୁ ସେ ଲୋକମାନଙ୍କୁ ଧନ୍ୟବାଦ ଦେଇ କହିଥିଲେ ଯେ ଏହା ପଛରେ ସବୁଠାରୁ ବଡ଼ କାରଣ ଥିଲା ସୁଶାସନ । ପ୍ରଧାନମନ୍ତ୍ରୀ ବୁଦ୍ଧିଜୀବୀ, ରାଜନୈତିକ ସମୀକ୍ଷକ ଏବଂ ଅନ୍ୟାନ୍ୟ ବିଶିଷ୍ଟ ଶିକ୍ଷାବିତମାନଙ୍କୁ ଅନୁରୋଧ କରିଥିଲେ ଯେ ସେମାନେ ସ୍ୱାଧୀନତାର ୭୫ ବର୍ଷ ପୂରଣ ଅବସରରେ ବିକାଶ, ଜନକଲ୍ୟାଣ ଏବଂ ସୁଶାସନ ମାନଦଣ୍ଡରେ ଦେଶର ମୂଲ୍ୟାଙ୍କନ କରନ୍ତୁ । ଯେତେବେଳେ କି ଲୋକମାନଙ୍କ ସେବା କରିବାର ସୁଯୋଗ ମିଳିଛି ତାଙ୍କ ସରକାରମାନେ ଜନକଲ୍ୟାଣ ଏବଂ ଉନ୍ନୟନମୂଳକ କାର୍ଯ୍ୟ କୁ ସୁନିଶ୍ଚିତ କରିବାରେ ସଫଳ ହୋଇଛନ୍ତି ବୋଲି ସେ ଉଲ୍ଲେଖ କରିଥିଲେ ।

ଶ୍ରୀ ମୋଦୀ କହିଥିଲେ, “ଆମକୁ ଯଦି କେତେକ ମାନଦଣ୍ଡରେ ମୂଲ୍ୟାଙ୍କନ କରାଯାଏ, ଦେଶ ଜାଣିପାରିବ ଯେ ଆମେ ସାଧାରଣ ଲୋକଙ୍କ ପାଇଁ ଆମେ କେତେ ଉତ୍ସର୍ଗୀକୃତ”। ସେ କହିଥିଲେ ଯେ ଦେଶ ପାଇଁ ନିଜର ଜୀବନକୁ ଉତ୍ସର୍ଗ କରିଥିବା ସ୍ବାଧୀନତା ସଂଗ୍ରାମୀମାନଙ୍କ ସ୍ବପ୍ନ ସାକାର କରିବାକୁ ସରକାର ନିରବଚ୍ଛିନ୍ନଭାବେ କାମ କରୁଛନ୍ତି । ସୁଶାସନ ପାଇଁ କେବଳ ଉତ୍ତମ ଯୋଜନା ନୁହେଁ ବରଂ ଏହାର ପ୍ରଭାବଶାଳୀ କାର୍ଯ୍ୟାନ୍ବୟନ ମଧ୍ୟ ଜରୁରୀ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସୁଶାସନର ମାପକାଠି ହେଉଛି ସରକାରୀ ଯୋଜନାଗୁଡ଼ିକ ଲୋକଙ୍କୁ କେତେ ମାତ୍ରାରେ ଉପକୃତ କରୁଛନ୍ତି । ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ପୂର୍ବ ସରକାରମାନେ ଅନେକ ଘୋଷଣା କରିଥିଲେ, କିନ୍ତୁ ସେଗୁଡ଼ିକର ସୁଫଳ ଲୋକମାନଙ୍କ ପାଖରେ ପହଞ୍ଚିପାରିନଥିଲା କାରଣ ତାହା ପଛରେ ଉଚିତ ଉଦ୍ଦେଶ୍ୟ ଓ ଗମ୍ଭୀରତାର ଅଭାବ ଥିଲା ।

ପିଏମ କିଶାନ ସମ୍ମାନ ନିଧି ଭଳି ଯୋଜନା, ଯାହାମାଧ୍ୟମରେ ମଧ୍ୟପ୍ରଦେଶର କୃଷକମାନେ ୧୨,୦୦୦ ଟଙ୍କା ପାଉଛନ୍ତି, ସଂପର୍କରେ ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ ଜନଧନ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ଦ୍ୱାରା ଏହା ସମ୍ଭବ ହୋଇଛି । ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶର ଲାଡଲି ବେହନା ଯୋଜନା ଉପରେ ଆଲୋକପାତ କରି କହିଥିଲେ ଯେ ବ୍ୟାଙ୍କ ଆକାଉଣ୍ଟକୁ ଆଧାର ଏବଂ ମୋବାଇଲ ନମ୍ବର ସହ ସଂଯୋଗ କରିବା ବିନା ଏହା ସମ୍ଭବ ହୋଇନଥାନ୍ତା। ପୂର୍ବରୁ ବି ଶସ୍ତା ରାସନ ଯୋଜନା ଥିଲା, କିନ୍ତୁ ଗରିବଙ୍କୁ ରାସନ ପାଇବା ପାଇଁ ସଂଘର୍ଷ କରିବାକୁ ପଡୁଥିଲା, ମାତ୍ର ଆଜି ଗରିବଙ୍କୁ ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହ ମାଗଣା ରାସନ ମିଳୁଛି, ଯାହା ବାଟମାରଣାକୁ ଦୂର କରିବା ସହ ‘ଗୋଟିଏ ଦେଶ, ଗୋଟିଏ ରାସନ କାର୍ଡ’ ଯୋଗୁଁ ଦେଶବ୍ୟାପୀ ଏହି ସୁବିଧା ମିଳିପାରୁଛି ।

ଶ୍ରୀ ମୋଦୀ କହିଥିଲେ, ସୁଶାସନର ଅର୍ଥ ହେଉଛି ନାଗରିକମାନଙ୍କୁ ସରକାରଙ୍କ ନିକଟରେ ନିଜର ଅଧିକାର ମାଗିବାକୁ ପଡିବ ନାହିଁ କିମ୍ବା ସରକାରୀ ଅଫିସକୁ ଦୌଡ଼ିବାକୁ ପଡିବ ନାହିଁ । ତାଙ୍କ ନୀତି ହେଉଛି ଶତ ପ୍ରତିଶତ ହିତାଧିକାରୀଙ୍କ ନିକଟକୁ ଶତ ପ୍ରତିଶତ ଲାଭ ପହଞ୍ଚାଇବା, ଯାହାକି ତା୍ଙ୍କ ସରକାରକୁ ଅନ୍ୟମାନଙ୍କଠାରୁ ଅଲଗା କରୁଛି । ସମଗ୍ର ଦେଶ ଏହା ଦେଖୁଛି, ଏଥିପାଇଁ ଦେଶବାସୀ ତାଙ୍କୁ କ୍ରମାଗତଭାବେ ସେବା କରିବାର ସୁଯୋଗ ଦେଉଛନ୍ତି ବୋଲି ସେ କହିଥିଲେ ।

ସୁଶାସନ ଉଭୟ ବର୍ତ୍ତମାନ ଓ ଭବିଷ୍ୟତର ଆହ୍ବାନର ସମାଧାନ କରେ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦୁର୍ଭାଗ୍ୟର କଥା ହେଉଛି ଯେ ପୂର୍ବବର୍ତ୍ତି ସରକାରମାନଙ୍କ କୁଶାସନ ଯୋଗୁଁ ବୁନ୍ଦେଲଖଣ୍ଡବାସୀଙ୍କୁ ଅନେକ କଷ୍ଟ ସହିବାକୁ ପଡ଼ିଥିଲା । ପୂର୍ବବର୍ତ୍ତି ସରକାରମାନଙ୍କ ପ୍ରଭାବୀ ଶାସନର ଅଭାବ ଓ ଜଳ ସଂକଟର ଏକ ସ୍ଥାୟୀ ସମାଧାନ ବାହାର କରିବା ପାଇଁ ଚିନ୍ତାର ଅଭାବ ଯୋଗୁଁ ବୁନ୍ଦେଲଖଣ୍ଡର ଚାଷୀ ଓ ମହିଳାମାନଙ୍କ ଅନେକ ପିଢି ଜଳର ପ୍ରତି ବୁନ୍ଦା ପାଇଁ ସଂଘର୍ଷ କରୁଥିଲେ।

ଡ. ବି.ଆର୍. ଡ. ଆମ୍ବେଦକର କିପରି ପ୍ରଥମେ ଭାରତ ପାଇଁ ନଦୀ ଜଳର ମହତ୍ତ୍ୱ ବୁଝିଥିଲେ ସେ ବିଷୟରେ ମନ୍ତବ୍ୟ ଦେଇ ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ ଭାରତର ପ୍ରମୁଖ ନଦୀ ଉପତ୍ୟକା ପ୍ରକଳ୍ପ ଗୁଡ଼ିକ ଡ. ଆମ୍ବେଦକରଙ୍କ ଦୂରଦୃଷ୍ଟି ଉପରେ ଆଧାରିତ ଏବଂ କେନ୍ଦ୍ରୀୟ ଜଳ ଆୟୋଗ ଗଠନ ମଧ୍ୟ ତାଙ୍କ ପ୍ରୟାସ ଯୋଗୁଁ ହୋଇଥିଲା । ଜଳ ସଂରକ୍ଷଣ ଏବଂ ବୃହତ ବନ୍ଧ ପ୍ରକଳ୍ପରେ ଡକ୍ଟର ଆମ୍ବେଦକରଙ୍କ ଅବଦାନ ପାଇଁ ପୂର୍ବ ସରକାରମାନେ ତାଙ୍କୁ କେବେ ବି ଉପଯୁକ୍ତ ଶ୍ରେୟ ଦେଇନଥିଲେ ଏବଂ ସେ ଏହି ପ୍ରୟାସ ପ୍ରତି ସେମାନେ କେବେ ବି ଗମ୍ଭୀର ନଥିଲେ ବୋଲି ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିଥିଲେ । ସାତ ଦଶନ୍ଧି ପରେ ମଧ୍ୟ ଭାରତର ଅନେକ ରାଜ୍ୟରେ ଜଳ ବିବାଦ ଲାଗି ରହିଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ପୂର୍ବ ସରକାରମାନଙ୍କର ଉଦ୍ଦେଶ୍ୟର ଅଭାବ ଏବଂ କୁଶାସନ ଏ ଦିଗରେ କୌଣସି ଠୋସ ସମାଧାନ ଉଦ୍ୟମକୁ ବାଧା ଦେଇଥିଲା ।

ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ଯେ ଶ୍ରୀ ବାଜପେୟୀଙ୍କ ସରକାର ଜଳ ସମ୍ବନ୍ଧୀୟ ସମସ୍ୟାର ସମାଧାନ କରିବା ପାଇଁ ଗମ୍ଭୀରତାର ସହ କାର୍ଯ୍ୟ କରିବା ଆରମ୍ଭ କରିଥିଲେ, କିନ୍ତୁ ୨୦୦୪ ପରେ ସେଗୁଡ଼ିକୁ ପଛକୁ ଠେଲିଦିଆଯାଇଥିଲା । ସେ ଗୁରୁତ୍ୱାରୋପ କରିଥିଲେ ଯେ ତାଙ୍କ ସରକାର ବର୍ତ୍ତମାନ ସାରା ଦେଶର ନଦୀଗୁଡ଼ିକୁ ସଂଯୋଗ କରିବା ଅଭିଯାନକୁ ତ୍ୱରାନ୍ୱିତ କରୁଛନ୍ତି । ସେ କହିଛନ୍ତି ଯେ କେନ୍-ବେଟୱା ସଂଯୋଗୀକରଣ ପ୍ରକଳ୍ପ ବାସ୍ତବରୂପ ନେବାକୁ ଯାଉଛି, ଯାହା ବୁନ୍ଦେଲଖଣ୍ଡ ଅଞ୍ଚଳରେ ସମୃଦ୍ଧି ଏବଂ ଖୁସିର ନୂତନ ଦ୍ୱାର ଖୋଲିବ ।

କେନ-ବେଟଓ୍ବା ସଂଯୋଗୀକରଣ ପ୍ରକଳ୍ପ, ଯାହାକି ଛତରପୁର, ଟିକମଗଡ଼, ନିୱାରୀ, ପାନ୍ନା, ଦମୋହ ଏବଂ ସାଗର ସମେତ ମଧ୍ୟପ୍ରଦେଶର ୧୦ଟି ଜିଲ୍ଲାକୁ ଜଳସେଚନ ସୁବିଧା ଯୋଗାଇ ଦେବ, ତାହାର ଲାଭ ସଂପର୍କରେ ଉଲ୍ଲେଖ କରି ସେ କହିଥିଲେ ଯେ ଏହି ପ୍ରକଳ୍ପ ଉତ୍ତରପ୍ରଦେଶର ବୁନ୍ଦେଲଖଣ୍ଡ ଅଞ୍ଚଳକୁ ମଧ୍ୟ ଉପକୃତ କରିବ, ଯେଉଁଥିରେ ବାନ୍ଦା, ମହୋବା, ଲଳିତପୁର ଏବଂ ଝାନ୍ସୀ ଜିଲ୍ଲା ଅନ୍ତର୍ଭୁକ୍ତ । “ନଦୀ ସଂଯୋଗୀକରଣ ପରି ଏକ ବୃହତ ଅଭିଯାନ ଅଧିନରେ ଦୁଇଟି ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ମଧ୍ୟପ୍ରଦେଶ ପ୍ରଥମ ରାଜ୍ୟ ହୋଇଛି” ବୋଲ ସେ କହିଛନ୍ତି । ନିକଟରେ ରାଜସ୍ଥାନ ଗସ୍ତ ସମୟରେ ପାର୍ବତୀ-କାଲିସିନ୍ଧ-ଚମ୍ବଲ ଏବଂ କେନ୍-ବେଟଓ୍ଵା ସଂଯୋଗୀକରଣ ପ୍ରକଳ୍ପ ମାଧ୍ୟମରେ ଅନେକ ନଦୀକୁ ସଂଯୋଗ କରିବା ନିଶ୍ଚିତ ହୋଇଥିଲା। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ବୁଝାମଣା ଦ୍ୱାରା ମଧ୍ୟପ୍ରଦେଶ ମଧ୍ୟ ବହୁତ ଉପକୃତ ହେବ ।

ଜଳ ନିରାପତ୍ତା ଏକବିଂଶ ଶତାବ୍ଦୀର ସବୁଠାରୁ ବଡ଼ ଆହ୍ୱାନ। କେବଳ ସେହି ଦେଶ ଏବଂ ଅଞ୍ଚଳ ଗୁଡ଼ିକ ହିଁ ପ୍ରଗତି କରିବେ ଯେଉଁଠାରେ ପର୍ଯ୍ୟାପ୍ତ ଜଳ ରହିଛି ଏବଂ ଜଳ ସମୃଦ୍ଧ କୃଷି ଏବଂ ସମୃଦ୍ଧ ଶିଳ୍ପ ପାଇଁ ଜରୁରୀ ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗୁଜରାଟରୁ ଆସିଥିବାରୁ, ଯେଉଁଠାରେ ବର୍ଷର ଅଧିକାଂଶ ସମୟ ମରୁଡ଼ି ପରିସ୍ଥିତିରେ ରହିଥାଏ, ସେ ଜଳର ଗୁରୁତ୍ୱ ବୁଝିଛନ୍ତି ଏବଂ କହିଥିଲେ ଯେ ମଧ୍ୟପ୍ରଦେଶରେ ନର୍ମଦା ନଦୀର ଆଶୀର୍ବାଦ ଗୁଜରାଟର ଭାଗ୍ୟ ବଦଳାଇ ଦେଇଛି । ମଧ୍ୟପ୍ରଦେଶର ମରୁଡ଼ି ପ୍ରଭାବିତ ଅଞ୍ଚଳକୁ ଜଳ ସଙ୍କଟରୁ ମୁକ୍ତ କରିବା ତାଙ୍କର ଦାୟିତ୍ୱ ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ବୁନ୍ଦେଲଖଣ୍ଡର ଲୋକମାନଙ୍କ ପାଇଁ, ବିଶେଷକରି କୃଷକ ଏବଂ ମହିଳାମାନଙ୍କ ଅସୁବିଧା ଦୂର କରିବା ପାଇଁ ଆନ୍ତରିକତାର ସହ କାର୍ଯ୍ୟ କରିବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି । ଏହି ଭିଜନ ଅଧୀନରେ ବୁନ୍ଦେଲଖଣ୍ଡ ପାଇଁ ୪୫ ହଜାର କୋଟି ଟଙ୍କାର ଜଳ ସମ୍ବନ୍ଧୀୟ ଯୋଜନା ପ୍ରସ୍ତୁତ କରାଯାଇଥିବା ସେ ଆଲୋକପାତ କରିଥିଲେ। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ମଧ୍ୟପ୍ରଦେଶ ଏବଂ ଉତ୍ତର ପ୍ରଦେଶରେ ତାଙ୍କ ସରକାରମାନଙ୍କୁ କ୍ରମାଗତ ଭାବରେ ପ୍ରୋତ୍ସାହିତ କରାଯାଉଥିଲା ଯାହାଫଳରେ କେନ୍-ବେଟୱା ସଂଯୋଗୀକରଣ ପ୍ରକଳ୍ପ ଅଧୀନରେ ଦୌଧନ ଡ୍ୟାମର ଶିଳାନ୍ୟାସ କରାଯାଇଥିଲା । ଏହି ଡ୍ୟାମ୍ ଶହ ଶହ କିଲୋମିଟର ଲମ୍ବର କେନାଲ ନିର୍ମାଣ କରିବ, ଯାହା ପ୍ରାୟ ୧୧ ଲକ୍ଷ ହେକ୍ଟର ଜମିକୁ ଜଳ ଯୋଗାଣ କରିବ ବୋଲି ସେ କହିଛନ୍ତି।

ଶ୍ରୀ ମୋଦୀ କହିଥିଲେ, “ଗତ ଦଶନ୍ଧି ଭାରତର ଇତିହାସରେ ଜଳ ସୁରକ୍ଷା ଏବଂ ଜଳ ସଂରକ୍ଷଣର ଏକ ଅଭୂତପୂର୍ବ ଦଶନ୍ଧି ଭାବରେ ସ୍ମରଣୀୟ ହୋଇ ରହିବ।“ ସେ କହିଛନ୍ତି ଯେ ପୂର୍ବବର୍ତ୍ତୀ ସରକାରମାନେ ଜଳ ସଂପର୍କିତ ଦାୟିତ୍ୱଗୁଡିକୁ ବିଭିନ୍ନ ବିଭାଗ ମଧ୍ୟରେ ବଣ୍ଟନ କରିଥିଲେ, କିନ୍ତୁ ତାଙ୍କ ସରକାର ଏହି ସମସ୍ୟାର ସମାଧାନ ପାଇଁ ଜଳ ଶକ୍ତି ମନ୍ତ୍ରଣାଳୟ ଗଠନ କରିଥିଲେ । ପ୍ରତ୍ୟେକ ଘରେ ଟ୍ୟାପ୍ ପାଣି ପହଞ୍ଚାଇବା ପାଇଁ ପ୍ରଥମ ଥର ପାଇଁ ଏକ ଜାତୀୟ ଅଭିଯାନ ଆରମ୍ଭ କରାଯାଇଛି ବୋଲି ଶ୍ରୀ ମୋଦୀ କହିଛନ୍ତି। ସ୍ୱାଧୀନତା ପରେ ସାତ ଦଶନ୍ଧି ମଧ୍ୟରେ ମାତ୍ର ୩ କୋଟି ଗ୍ରାମୀଣ ପରିବାରକୁ ଟ୍ୟାପ୍ ଜଳ ସଂଯୋଗ ଥିଲା ବୋଲି ଦର୍ଶାଇ ଶ୍ରୀ ମୋଦୀ କହିଥିଲେ ଯେ ଗତ ପାଞ୍ଚ ବର୍ଷ ମଧ୍ୟରେ ସେ ୧୨ କୋଟି ନୂତନ ପରିବାରକୁ ଟ୍ୟାପ୍ ଜଳ ଯୋଗାଇଛନ୍ତି ଏବଂ ଏହି ଯୋଜନାରେ ୩.୫ ଲକ୍ଷ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇଛି। ଜଳ ଜୀବନ ମିଶନର ଅନ୍ୟ ଏକ ଦିଗ ଜଳ ଗୁଣବତ୍ତା ପରୀକ୍ଷା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମଗ୍ର ଦେଶରେ ୨,୧୦୦ ଜଳ ଗୁଣବତ୍ତା ପରୀକ୍ଷାଗାର ପ୍ରତିଷ୍ଠା କରାଯାଇଛି ଏବଂ ୨୫ ଲକ୍ଷ ମହିଳାଙ୍କୁ ଗ୍ରାମରେ ପାନୀୟ ଜଳ ପରୀକ୍ଷା ପାଇଁ ତାଲିମ ଦିଆଯାଇଛି । ଏହି ପଦକ୍ଷେପ ହଜାର ହଜାର ଗ୍ରାମକୁ ଦୂଷିତ ପାଣି ପିଇବାର ବାଧ୍ୟବାଧକତାରୁ ମୁକ୍ତ କରିବା ସହ ଶିଶୁ ଓ ଲୋକମାନଙ୍କୁ ରୋଗ ଦାଉରୁ ରକ୍ଷା କରିଛି ବୋଲି ସେ କହିଥିଲେ।

୨୦୧୪ ପୂର୍ବରୁ ଦେଶରେ ପ୍ରାୟ ୧୦୦ଟି ବୃହତ୍ ଜଳସେଚନ ପ୍ରକଳ୍ପ ଥିଲା, ଯାହା ଦଶନ୍ଧି ଦଶନ୍ଧି ଧରି ଅସମ୍ପୂର୍ଣ୍ଣ ଥିଲା। ଏହି ପୁରୁଣା ଜଳସେଚନ ପ୍ରକଳ୍ପଗୁଡ଼ିକୁ ସମ୍ପୂର୍ଣ୍ଣ କରିବା ପାଇଁ ତାଙ୍କ ସରକାର ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରିବା ସହ ଆଧୁନିକ ଜଳସେଚନ କୌଶଳର ବ୍ୟବହାର କରାଯାଇଛି ବୋଲି ଶ୍ରୀ ମୋଦୀ କହିଥିଲେ। ସେ କହିଥିଲେ ଯେ ଗତ ୧୦ ବର୍ଷ ମଧ୍ୟରେ କ୍ଷୁଦ୍ର ଜଳସେଚନ ସୁବିଧାରେ ପ୍ରାୟ ଏକ କୋଟି ହେକ୍ଟର ଜମି ଯୋଡାଯାଇଛି ଯାହାମଧ୍ୟରେ ରହିଛି ମଧ୍ୟପ୍ରଦେଶରେ ପାଖାପାଖି ୫ ଲକ୍ଷ ହେକ୍ଟର ଜମି ।

ପ୍ରତ୍ୟେକ ବୁନ୍ଦା ଜଳର ପ୍ରଭାବଶାଳୀ ଉପଯୋଗ ପାଇଁ ନିରନ୍ତର ପ୍ରୟାସ କରାଯାଉଛି ବୋଲି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ଏବଂ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରତ୍ୟେକ ଜିଲ୍ଲାରେ ୭୫ଟି ଅମୃତ ସରୋବର ନିର୍ମାଣ ଅଭିଯାନ ଉପରେ ଆଲୋକପାତ କରିଥିଲେ, ଯାହାଫଳରେ ସମଗ୍ର ଦେଶରେ ୬୦,୦୦୦ରୁ ଅଧିକ ଅମୃତ ସରୋବର ସୃଷ୍ଟି ହୋଇଛି । ଜଳଶକ୍ତି ଅଭିଯାନ ଏବଂ କ୍ୟାଚ୍ ଦି ରେନ୍ ଅଭିଯାନର ଶୁଭାରମ୍ଭ ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ, ଯାହା ଅଧୀନରେ ସମଗ୍ର ଦେଶରେ ୩ ଲକ୍ଷରୁ ଅଧିକ ରିଚାର୍ଜ କୂପ ନିର୍ମାଣ କରାଯାଉଛି । ମଧ୍ୟପ୍ରଦେଶ ସମେତ ଭୂତଳ ଜଳସ୍ତର ସର୍ବନିମ୍ନ ଥିବା ରାଜ୍ୟରେ ଅଟଳ ଭୂଜଳ ଯୋଜନା କାର୍ଯ୍ୟକାରୀ କରାଯାଉଛି ବୋଲି ସେ ଉଲ୍ଲେଖ କରିଥିଲେ।

ଶ୍ରୀ ମୋଦୀ କହିଥିଲେ ଯେ ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟପ୍ରଦେଶ ସର୍ବଦା ଅଗ୍ରଣୀ ରହିଛି ଏବଂ ପର୍ଯ୍ୟଟନ ହେଉଛି ଏକ କ୍ଷେତ୍ର ଯାହା ଯୁବକମାନଙ୍କୁ ରୋଜଗାର ପ୍ରଦାନ କରେ ଏବଂ ଦେଶର ଅର୍ଥନୀତିକୁ ସୁଦୃଢ଼ କରେ । ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୈତିକ ଶକ୍ତିରେ ପରିଣତ ହେବାକୁ ଯାଉଛି ବୋଲି ଉଲ୍ଲେଖ କରି ସେ କହିଥିଲେ ଯେ ଭାରତକୁ ନେଇ ସମଗ୍ର ବିଶ୍ୱରେ ଉତ୍ସୁକତା ବୃଦ୍ଧି ପାଉଛି ଏବଂ ଭାରତକୁ ବିଶ୍ୱ ଜାଣିବାକୁ ଚାହୁଁଛି ଏବଂ ବୁଝିବାକୁ ଚାହୁଁଛି ଏବଂ ମଧ୍ୟପ୍ରଦେଶ ଏଥିରୁ ବହୁତ ଉପକୃତ ହେବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନିକଟରେ ଏକ ଆମେରିକୀୟ ଖବରକାଗଜରେ ପ୍ରକାଶିତ ଏକ ରିପୋର୍ଟକୁ ଉଲ୍ଲେଖ କରିଥିଲେ, ଯେଉଁଥିରେ ମଧ୍ୟପ୍ରଦେଶକୁ ବିଶ୍ୱର ଶ୍ରେଷ୍ଠ ଦଶଟି ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ମଧ୍ୟରେ ସ୍ଥାନିତ କରାଯାଇଥିଲା ।

ଘରୋଇ ଏବଂ ଅନ୍ତର୍ଜାତୀୟ ପର୍ଯ୍ୟଟକଙ୍କ ପାଇଁ ଯାତ୍ରାକୁ ସହଜ କରିବା ପାଇଁ ସୁବିଧା ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ସରକାର ଇ-ଭିସା ଯୋଜନା ଆରମ୍ଭ କରିଛନ୍ତି ଏବଂ ଭାରତରେ ଐତିହ୍ୟ ଓ ବନ୍ୟପ୍ରାଣୀ ପର୍ଯ୍ୟଟନ ବୃଦ୍ଧି ପାଇଁ ମଧ୍ୟ ପଦକ୍ଷେପ ନେଇଛନ୍ତି। ମଧ୍ୟପ୍ରଦେଶର ଅସାଧାରଣ ପର୍ଯ୍ୟଟନ ସମ୍ଭାବନା ଉପରେ ଗୁରୁତ୍ବାରୋପ କରି ଶ୍ରୀ ମୋଦୀ କହିଥିଲେ ଯେ ଖଜୁରାହୋ ଅଞ୍ଚଳ ଐତିହାସିକ ଏବଂ ଆଧ୍ୟାତ୍ମିକ ଐତିହ୍ୟରେ ସମୃଦ୍ଧ ଯେଉଁଠାରେ କନ୍ଦାରିଆ ମହାଦେବ, ଲକ୍ଷ୍ମଣ ମନ୍ଦିର ଏବଂ ଚୌଷଠ୍ ଯୋଗିନୀ ମନ୍ଦିର ପରି ସ୍ଥାନ ରହିଛି । ଭାରତରେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଖଜୁରାହୋ ସମେତ ସମଗ୍ର ଦେଶରେ ଜି-୨୦ ବୈଠକ ଆୟୋଜନ କରାଯାଇଥିଲା, ଯେଉଁଥିପାଇଁ ଖଜୁରାହୋରେ ଏକ ଅତ୍ୟାଧୁନିକ ଅନ୍ତର୍ଜାତୀୟ ସମ୍ମିଳନୀ କେନ୍ଦ୍ର ନିର୍ମାଣ କରାଯାଇଥିଲା।

ପର୍ଯ୍ୟଟନ କ୍ଷେତ୍ର ଉପରେ ଅଧିକ ଆଲୋଚନା କରି ଶ୍ରୀ ମୋଦୀ କହିଥିଲେ ଯେ କେନ୍ଦ୍ର ସରକାରଙ୍କ ସ୍ୱଦେଶ ଦର୍ଶନ ଯୋଜନା ଅଧୀନରେ ମଧ୍ୟପ୍ରଦେଶକୁ ଇକୋ-ଟୁରିଜିମସ୍ଥଳୀ ଏବଂ ପର୍ଯ୍ୟଟକଙ୍କ ପାଇଁ ନୂତନ ସୁବିଧାର ବିକାଶ ପାଇଁ ଶହ ଶହ କୋଟି ଟଙ୍କା ଆବଣ୍ଟନ କରାଯାଇଥିଲା । ସାଞ୍ଚି ଓ ଅନ୍ୟ ବୌଦ୍ଧ ସ୍ଥଳୀକୁ ବୌଦ୍ଧ ସର୍କିଟ ମାଧ୍ୟମରେ ସଂଯୋଗ କରାଯାଉଥିବା ବେଳେ ଗାନ୍ଧୀ ସାଗର, ଓମକାରେଶ୍ବର ଡ୍ୟାମ, ଇନ୍ଦିରା ସାଗର ଡ୍ୟାମ, ଭେଡାଘାଟ ଓ ବାଣସାଗର ଡ୍ୟାମ ଇକୋ ସର୍କିଟର ଅଂଶ ବିଶେଷ ବୋଲି ସେ ଆଲୋକପାତ କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଖଜୁରାହୋ, ଗ୍ୱାଲିୟର, ଓରଛା, ଚାନ୍ଦେରୀ ଏବଂ ମାଣ୍ଡୁ ଭଳି ସ୍ଥାନକୁ ଐତିହ୍ୟ ସର୍କିଟରେ ସାମିଲ କରାଯାଉଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ପାନ୍ନା ଜାତୀୟ ଉଦ୍ୟାନ ମଧ୍ୟ ବନ୍ୟପ୍ରାଣୀ ସର୍କିଟରେ ଅନ୍ତର୍ଭୁକ୍ତ ଏବଂ ଗତବର୍ଷ ପାଖାପାଖି ୨.୫ ଲକ୍ଷ ପର୍ଯ୍ୟଟକ ପନ୍ନା ବ୍ୟାଘ୍ର ଅଭୟାରଣ୍ୟ ପରିଦର୍ଶନ କରିଥିଲେ । ନିର୍ମାଣ କରାଯାଉଥିବା ଲିଙ୍କ୍ କେନାଲ ପାନ୍ନା ବ୍ୟାଘ୍ର ଅଭୟାରଣ୍ୟର ବନ୍ୟଜନ୍ତୁଙ୍କୁ ନଜରରେ ରଖିବ ବୋଲି ସେ ଖୁସି ବ୍ୟକ୍ତ କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ପାଇଁ କରାଯାଉଥିବା ପ୍ରୟାସ ସ୍ଥାନୀୟ ଅର୍ଥନୀତିକୁ ବହୁତ ପ୍ରୋତ୍ସାହିତ କରିବ । ପର୍ଯ୍ୟଟକମାନେ ସ୍ଥାନୀୟ ସାମଗ୍ରୀ କିଣିବେ, ଅଟୋ ଓ ଟ୍ୟାକ୍ସି ସେବା, ହୋଟେଲ, ଢାବା, ହୋମଷ୍ଟେ ଓ ଗେଷ୍ଟ ହାଉସ ଭଳି ସୁବିଧା ବ୍ୟବହାର କରିବେ। ଏହା ସହିତ କ୍ଷୀର, ଦହି, ଫଳ ଓ ପନିପରିବା ଭଳି ଉତ୍ପାଦିତ ଦ୍ରବ୍ୟର ଉତ୍ତମ ମୂଲ୍ୟ ମିଳିବାରୁ କୃଷକମାନେ ମଧ୍ୟ ଉପକୃତ ହେବେ ବୋଲି ସେ କହିଥିଲେ।

ଗତ ଦୁଇ ଦଶନ୍ଧି ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି କରିଥିବାରୁ ମଧ୍ୟପ୍ରଦେଶକୁ ପ୍ରଶଂସା କରି ଶ୍ରୀ ମୋଦୀ କହିଥିଲେ ଯେ ଆଗାମୀ ଦଶନ୍ଧିରେ ମଧ୍ୟପ୍ରଦେଶ ଦେଶର ଶୀର୍ଷ ଅର୍ଥନୀତି ମଧ୍ୟରୁ ଅନ୍ୟତମ ହେବ, ଯେଉଁଥିରେ ବୁନ୍ଦେଲଖଣ୍ଡ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏକ ବିକଶିତ ଭାରତ ପାଇଁ ମଧ୍ୟପ୍ରଦେଶକୁ ଏକ ବିକଶିତ ରାଜ୍ୟ ରେ ପରିଣତ କରିବା ଦିଗରେ କେନ୍ଦ୍ର ଓ ରାଜ୍ୟ ସରକାର ଆନ୍ତରିକତାର ସହ କାର୍ଯ୍ୟ ଜାରି ରଖିବେ ବୋଲି ଶ୍ରୀ ମୋଦୀ ତାଙ୍କ ଅଭିଭାଷଣ ଶେଷରେ ପ୍ରତିଶ୍ରୁତି ଦେଇଥିଲେ ।

ଏହି ଅବସରରେ ମଧ୍ୟପ୍ରଦେଶ ରାଜ୍ୟପାଳ ଶ୍ରୀ ମଙ୍ଗୁଭାଇ ସି. ପଟେଲ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡ. ମୋହନ ଯାଦବ, କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ, ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ ଶ୍ରୀ ବୀରେନ୍ଦ୍ର କୁମାର, କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ, ଶ୍ରୀ ସି.ଆର.ପାଟିଲ ପ୍ରମୁଖ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ପ୍ରଧାନମନ୍ତ୍ରୀ କେନ୍-ବେଟୱା ନଦୀ ସଂଯୋଗୀକରଣ ଜାତୀୟ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଯାହାକି ଜାତୀୟ ପରିପ୍ରେକ୍ଷୀ ଯୋଜନା ଅଧୀନରେ ଦେଶର ପ୍ରଥମ ନଦୀ ସଂଯୋଗୀକରଣ ପ୍ରକଳ୍ପ । ଏହି ପ୍ରକଳ୍ପ ଦ୍ୱାରା ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶର ବିଭିନ୍ନ ଜିଲ୍ଲାକୁ ଜଳସେଚନ ସୁବିଧା ମିଳିବ ଏବଂ ଲକ୍ଷ ଲକ୍ଷ କୃଷକ ପରିବାର ଉପକୃତ ହେବେ । ଏହି ପ୍ରକଳ୍ପ ଦ୍ୱାରା ଅଞ୍ଚଳବାସୀଙ୍କୁ ପାନୀୟ ଜଳ ସୁବିଧା ମଧ୍ୟ ଯୋଗାଇ ଦିଆଯିବ। ଏହା ସହିତ ଜଳବିଦ୍ୟୁତ ପ୍ରକଳ୍ପରୁ ୧୦୦ ମେଗାୱାଟରୁ ଅଧିକ ସବୁଜ ବିଦ୍ୟୁତ ଶକ୍ତି ଉତ୍ପାଦନ ହେବ । ଏହି ପ୍ରକଳ୍ପ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଏବଂ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବ ।
ପ୍ରଧାନମନ୍ତ୍ରୀ ୧୧୫୩ଟି ଅଟଳ ଗ୍ରାମ ସୁଶାସନ ସଦନର ଶିଳାନ୍ୟାସ କରିଛନ୍ତି । ଗ୍ରାମ ପଞ୍ଚାୟତଗୁଡ଼ିକର କାର୍ଯ୍ୟ ଓ ଦାୟିତ୍ୱର ବ୍ୟବହାରିକ ପରିଚାଳନାରେ ଏହି ସଦନଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ସ୍ଥାନୀୟ ସ୍ତରରେ ସୁଶାସନ ଆଣିବେ।

ଶକ୍ତି ଆତ୍ମନିର୍ଭରଶୀଳତା ଏବଂ ସବୁଜ ଶକ୍ତିକୁ ପ୍ରୋତ୍ସାହିତ କରିବା ପାଇଁ ତାଙ୍କର ପ୍ରତିବଦ୍ଧତା ଅନୁଯାୟୀ ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶର ଖଣ୍ଡୱା ଜିଲ୍ଲାର ଓମକାରେଶ୍ୱରଠାରେ ସ୍ଥାପିତ ଓମକାରେଶ୍ୱର ଭାସମାନ ସୌର ପ୍ରକଳ୍ପର ଉଦଘାଟନ କରିଥିଲେ । ଏହି ପ୍ରକଳ୍ପ କାର୍ବନ ନିର୍ଗମନକୁ ହ୍ରାସ କରିବ ଏବଂ ୨୦୭୦ ସୁଦ୍ଧା ନିଟ୍ ଶୂନ୍ୟ କାର୍ବନ ନିର୍ଗମନ ଅଭିଯାନରେ ଯୋଗଦାନ କରିବ । ଏହା ଜଳ ବାଷ୍ପୀକରଣକୁ ହ୍ରାସ କରି ଜଳ ସଂରକ୍ଷଣରେ ମଧ୍ୟ ସହାୟକ ହେବ ।

Categories
ବିଶେଷ ଖବର ରାଜ୍ୟ ଖବର

ଡଃ ମହତାବ ଓଡିଶାରେ ସ୍ବାଧୀନତା ଆନ୍ଦୋଳନରେ ଏକ ନୂତନ କ୍ରାନ୍ତି ଆଣିଥିଲେ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡିଶାର ସାମାଜିକ, ରାଜନୈତିକ ଏବଂ ଅର୍ଥନୈତିକ ଇତିହାସରେ ଉତ୍କଳ କେଶରୀ ଡଃ ହରେକୃଷ୍ଣ ମହତାବଙ୍କ ଜୀବନ ଓ କୃତିତ୍ବ ଏକ ତାତ୍ପର୍ଯ୍ୟପୂର୍ଣ୍ଣ ଅଧ୍ୟାୟ। ସେ ଥିଲେ ଆଧୁନିକ ଓଡିଶା ନିର୍ମାଣର ବିଶ୍ବକର୍ମା। ଡଃ ମହତାବଙ୍କ ବିନା ଆଧୁନିକ ଓଡିଶାର କଳ୍ପନା କରାଯାଇ ନପାରେ ବୋଲି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ବର ଠାରେ ଡଃ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମ ବାର୍ଷିକୀ ସ୍ମରଣତ୍ସୋବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି।

ସୂଚନା ଯୋଗ୍ୟ ଯେ ଏହି ସ୍ମରଣତ୍ସୋବର ପ୍ରଥମ ଦିନରେ ନୂଆ ଦିଲ୍ଲୀରେ ଆୟୋଜିତ ହୋଇଥିବା ଜାତୀୟ ସ୍ତରର କାର୍ଯ୍ୟକ୍ରମକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦ୍‌ଘାଟନ କରିଥିଲେ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ, କଟକ ସାଂସଦ ଭର୍ତ୍ତୃହରି ମହତାବ ପ୍ରମୁଖ ଯୋଗଦେଇଥିଲେ।

ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଡଃ ମହତାବଙ୍କୁ ଏକାଧାରରେ ଜଣେ ସ୍ବାଧୀନତା ସଂଗ୍ରାମୀ, ରାଜନୀତିଜ୍ଞ, ସାହିତ୍ୟିକ, ସାମ୍ବାଦିକ, ଐତିହାସିକ, କୂଟନୀତିଜ୍ଞ ଓ ଲୋକପ୍ରିୟ ରାଜନେତା ଭାବେ ବିବେଚନା କରାଯାଇଥାଏ। ୧୯୨୧ ରେଭେନ୍ସା ମହାବିଦ୍ୟାଳୟରେ ପଢୁଥିବା ସମୟରେ ମହାତ୍ମା ଗାନ୍ଧୀଙ୍କ ଡାକରାରେ ପାଠ ପଢା ଛାଡି ସେ ସ୍ବାଧୀନତା ଆନ୍ଦୋଳନରେ ଯୋଗଦେଇଥିଲେ। ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଡଃ ମହତାବ ଓଡିଶାରେ ସ୍ବାଧୀନତା ଆନ୍ଦୋଳନର ନେତୃତ୍ବ ନେଇ ଜନମାନସରେ ଏକ ନୂତନ କ୍ରାନ୍ତି ଆଣିଥିଲେ। ଭାରତର ସ୍ବାଧୀନତା ସଂଗ୍ରାମଠାରୁ ଆରମ୍ଭ କରି ଓଡିଶାରେ ରାଜନୈତିକ ଓ ସାମାଜିକ ଉତ୍‌ଥାନ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ତାଙ୍କର ଅବଦାନ ଥିଲା ଅତୁଳନୀୟ। ଗାନ୍ଧିଜୀଙ୍କ ଆଦର୍ଶରେ ପରିଚାଳିତ ହୋଇ ଓଡିଶାରେ ଅସହଯୋଗ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ, ଭାରତ ଛାଡ ଆନ୍ଦୋଳନ ସବୁଥିରେ ତାଙ୍କର ପ୍ରମୁଖ ଭୂମିକା ରଖିଥିଲେ। ଏଥିପାଇଁ ୧୯୨୧ ରୁ ୧୯୪୬ ମଧ୍ୟରେ ସେ ଅନେକବାର କାରାଗାର ଭୋଗ କରିଥିଲେ। ଓଡିଶାର ଗଡଜାତ ଆନ୍ଦୋଳନରେ ମଧ୍ୟ ତାଙ୍କର ମୁଖ୍ୟ ଭୂମିକା ରହିଥିଲା।

ସେ ପୁଣି କହିଥିଲେ ଦେଶ ସ୍ବାଧୀନ ହେବା ପୂର୍ବରୁ ୧୯୪୬ ମସିହା ଅପ୍ରେଲ ୨୩ ତାରିଖରେ ପ୍ରଧାନମନ୍ତ୍ରୀ ଭାବେ ଓଡିଶାର ଶାସନ ଭାର ଗ୍ରହଣ କରି ଏକ ଅବହେଳିତ ପଛୁଆ ରାଜ୍ୟକୁ ସେ ଉନ୍ନତି ପଥରେ ଆଗେଇ ନେଇଥିଲେ। ଓଡିଶାକୁ ଆଗେଇ ନେବା ପାଇଁ ସେ ତିନୋଟି କାର୍ଯ୍ୟକ୍ରମ ଉପରେ ଗୁରୁତ୍ବ ଦେଉଥିଲେ। ପ୍ରଥମଟି ହେଲା ଦେଶୀୟ ରାଜ୍ୟ ମିଶ୍ରଣରେ ବୃହତ୍ତର ଓଡିଶା ଗଠନ, ଦ୍ବିତୀୟ ଥିଲା ଓଡିଶାକୁ ସମୃଦ୍ଧ କରିବା ପାଇଁ ହୀରାକୁଦରେ ନଦୀବନ୍ଧ ବାନ୍ଧି ମହାନଦୀରେ ବନ୍ୟା ନିୟନ୍ତ୍ରଣ ଓ ବିଦ୍ୟୁତ ଉତ୍ପାଦନ ମାଧ୍ୟମରେ ଶିଳ୍ପ ପ୍ରତିଷ୍ଠା ଏବଂ ତୃତୀୟ ଥିଲା ଭୁବନେଶ୍ବରରେ ରାଜଧାନୀ ନିର୍ମାଣ। ଡଃ ମହତାବ ଥିଲେ ଓଡିଶାର ଶେଷ ପ୍ରଧାନମନ୍ତ୍ରୀ ଓ ପ୍ରଥମ ମୁଖ୍ୟମନ୍ତ୍ରୀ। ସେ ଥିଲେ ଓଡିଶାର ଏକ ବହୁମୁଖୀ ସ୍ବୟଂ ସମ୍ପୂର୍ଣ୍ଣ ଅନୁଷ୍ଠାନ। ଓଡିଶାର ଯେଉଁ ଶୌଧ ଅଥବା ପ୍ରତିଷ୍ଠାନ ଉପରେ ଧ୍ୟାନକେନ୍ଦ୍ରୀତ କଲେ ସେଠାରେ ଡଃ ମହତାବଙ୍କ ସ୍ବାକ୍ଷର ମିଳିବ। ପୂର୍ବରୁ ତାଙ୍କ କୀର୍ତ୍ତି ସବୁକୁ ଉହ୍ୟ ରଖାଯାଇଥିଲା। ହୀରାକୁଦ ବନ୍ଧ, ରାଜଧାନୀ ପ୍ରତିଷ୍ଠା, ରାଜଭବନ ନିର୍ମାଣ, ଓଡିଶା ସାହିତ୍ୟ ଏକାଡେମୀ, ଓଡିଶା ରାଜ୍ୟ ସଂଗ୍ରହାଳୟ, ରାଜ୍ୟ ଲଳୀତ କଳା ଏକାଡେମୀ, ଭଞ୍ଜ କଳା ମଣ୍ଡପ, ରବୀନ୍ଦ୍ର ମଣ୍ଡପ, କଟକ ରେଡିଓ ଷ୍ଟେସନ, ହାଇକୋର୍ଟ, ନନ୍ଦନ କାନନ, ବିଦ୍ୟାଧରପୁର ଧାନ ଗବେଷଣା କେନ୍ଦ୍ର, ଓଡିଶା ପବ୍ଲିକ ସର୍ଭିସ କମିଶନ ହେଉଛି କେତେକ ପ୍ରମୁଖ ଅବଦାନ ଯାହା ତାଙ୍କୁ ଚୀର ସ୍ମରଣୀୟ କରି ରଖିବ।
ନୂଆ ସରକାର ଆସିବା ପରେ ଆଧୁନିକ ଓଡିଶାର ନିର୍ମାତା ତଥା ବହୁମୁଖୀ ପ୍ରତିଭାଧାରୀଙ୍କୁ ଯଥୋଚିତ ସମ୍ମାନ ଦେବା ପାଇଁ ଓଡିଆ ଜାତିକୁ ପ୍ରସ୍ତୁତ କରିଛି। ବିଗତ ବହୁବର୍ଷ ଧରି ଓଡିଶା କେବଳ ଗୋଟିଏ ପରିବାରର ଅବଦାନ ପାଇଁ ତାଙ୍କୁ ସମ୍ମାନିତ କରିଆସୁଥିଲା। ଆମ ଯଶସ୍ବୀ ପ୍ରଧାନମନ୍ତ୍ରୀ ଦେଶ ଓ ଜାତି ଗଠନରେ ପ୍ରମୁଖ ଅବଦାନ ରଖିଥିବା ସମସ୍ତ ବରପୁତ୍ରଙ୍କୁ ଉଚିତ୍ ସମ୍ମାନ ଦେବା ପାଇଁ ଏହି ଧାରାରେ ପରିବର୍ତ୍ତନ ଆଣିଛନ୍ତି। ଜଣଙ୍କୁ ମହାନ କରିବା ପାଇଁ ଅନ୍ୟମାନଙ୍କୁ ହତାଦାର କରିବା କେବେ ହେଲେ ଏକ ସୁସ୍ଥ ପରମ୍ପରା ନୁହେଁ। ଏହି କ୍ରମରେ ଆଧୁନିକ ଓଡିଶାର ମଙ୍ଗୁଆଳ ଡଃ ମହତାବଙ୍କ ୧୨୫ ତମ ଜୟନ୍ତୀର ଏକ ବର୍ଷ ବ୍ୟାପୀ ଜାତୀୟ ସ୍ତରର ଉତ୍ସବ ପାଳନ ଏକ ଉପଯୁକ୍ତ ପଦକ୍ଷେପ। ଏଥିପାଇଁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ନୂଆ ସରକାର ଆସିବା ପରେ ଇତିହାସ ପୃଷ୍ଠାରେ ଅଲୋଡା, ଅନାମଧେୟ ହୋଇ ରହିଥିବା ମାଧୋ ସିଂହଙ୍କୁ ଉଚିତ୍ ସମ୍ମାନ ଦେଇ ତାଙ୍କ ନାମରେ ଏକ ଛାତ୍ରବୃତ୍ତି ଯୋଜନା ଏବଂ ଅନ୍ୟତମ ବରପୁତ୍ର ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ନାମରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଯୋଜନା ଆରମ୍ଭ କରିଛୁ। ଇତିହାସ ପୃଷ୍ଠାରେ ଏହି ଅନାଲୋଚିତ ଥିବା ଏହି ବରପୁତ୍ର ମାନଙ୍କର କୃତିକୁ ଲୋକଲୋଚନକୁ ଆଣିବା ପାଇଁ ରାଜ୍ୟ ସରକାର ଯଥା ସମ୍ଭବ ଉଦ୍ୟମ କରିବେ।

ସେ ଆହୁରି କହିଥିଲେ ଯେ ଡଃ ମହତାବଙ୍କ ସ୍ମୃତିକୁ ଓଡିଶାର ଜନମାନସରେ ଉଜ୍ଜିବୀତ କରି ରଖିବା ସହିତ ତାଙ୍କୁ ଜାତୀୟ ସ୍ତରରେ ଅଧିକ ପ୍ରତିଷ୍ଠିତ କରିବା ପାଇଁ ତାଙ୍କ ଜୀବନୀ ଉପରେ ବାୟୋପିକ୍ ନିର୍ମାଣ କରାଯିବ। ତାଙ୍କ ଜନ୍ମସ୍ଥଳୀ ଭଦ୍ରକ ଜିଲ୍ଲା ଅଗରପଡା ଠାରେ ଏକ ସ୍ମୃତି ସଂଗ୍ରାହଳୟ ପ୍ରତିଷ୍ଠା ସହିତ ପ୍ରତିମୂର୍ତ୍ତୀ ସ୍ଥପନା କରାଯିବ। ୨୦୩୬ରେ ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନର ୧୦୦ ବର୍ଷ ପୂର୍ତ୍ତି ଅନୁଷ୍ଠିତ ହେବ। ୨୦୩୬ ବେଳକୁ ଆମେ ଏକ ବିକଶିତ ଓ ସମୃଦ୍ଧ ଓଡିଶା ଗଠନର ଲକ୍ଷ୍ୟ ରଖିଛୁ। ୧୨ ବର୍ଷର ଏହି କାଳ ଖଣ୍ଡରେ ଡଃ ମହତାବଙ୍କ ନୀତି ଓ ଆଦର୍ଶକୁ ଆଧାର କରି ନୂଆ ସରକାର ନିଶ୍ଚିତ ରୂପେ ସମୃଦ୍ଧ ଓ ବିକଶିତ ଓଡିଶା ଗଠନ କରିବେ ବୋଲି ସେ କହିଥିଲେ।

ଅନ୍ୟତମ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତି କରଣ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଡଃ ମହତାବଙ୍କ ଏହି ଜନ୍ମ ବାର୍ଷିକୀକୁ ବର୍ଷେ ବ୍ୟାପୀ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଥିବାରୁ ପ୍ରଥମେ ମୁଖ୍ୟମନ୍ତ୍ରୀ ଓ କମିଟିର ସଦସ୍ୟ ମାନଙ୍କୁ ଧନ୍ୟବାଦ ଦେଇଥିଲେ। ସେ କହିଥିଲେ ଯେ ମହତାବଙ୍କ ବିଷୟରେ ଜାଣିବାକୁ ହେଲେ ଯୁବପିଢିଙ୍କୁ ତାଙ୍କ ବିଷୟରେ ଅଧ୍ୟୟନ କରିବାର ଆବଶ୍ୟକତା ରହିଛି। ଓଡିଶାର ବରପୁତ୍ରମାନଙ୍କୁ ମନେ ରଖିବା ଓ ମନେ ପକାଇବା ଦାୟିତ୍ବ ଆମ ସମସ୍ତଙ୍କର। ଭାରତ ବର୍ଷରେ ଓଡିଶାରେ ଡଃ ମହତାବ ହିଁ ପ୍ରଥମେ ଗଡଜାତ ମିଶ୍ରଣ କରିଥିଲେ ବୋଲି ସେ କହିଥିଲେ।

ଓଡିଆ ଭାଷା, ସହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ ଯେ ଡଃ ମହତାବ ଜଣେ ବିସ୍ମୟ ପୁରୁଷ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବ ଓ ଦିଗଦର୍ଶନରେ ତାଙ୍କର ଏହି ସ୍ମରଣତ୍ସୋବ କେବଳ ରାଜ୍ୟ ସ୍ତରୀୟ ଉତ୍ସବରେ ନୁହେଁ ଜାତୀୟ ସ୍ତରୀୟ ଉତ୍ସବରେ ପରିଣତ ହୋଇଛି।

ବିଶିଷ୍ଟ ସାହିତ୍ୟିକ ପ୍ରଫେସର ଡଃ ବିଜୟ ଶତପଥୀ କହିଥିଲେ ଯେ ଡଃ ମହତାବଙ୍କ ଜୀବନ ଯେତିକି ରୋଚକ ପୂର୍ଣ୍ଣ ସେତିକି ଚାଞ୍ଚଲ୍ୟକର। ସେ ହେଉଛନ୍ତି ଇତିହାସର ଆହ୍ବାନ ଓ ସ୍ବାଧୀନତା ସଂଗ୍ରାମ ପାଇଁ ବରଦାନ। ତାଙ୍କ ସମ୍ପୂର୍ଣ୍ଣ ଜୀବନ ସଂକଳ୍ପ, ସଂଗ୍ରାମ ଓ ସାଧନା ଭାବେ ତିନୋଟି ପର୍ଯ୍ୟାୟରେ ବିଭକ୍ତ ବୋଲି କହି ଡଃ ମହତାବଙ୍କ କୃତୀ ଓ କୀର୍ତ୍ତି ସମ୍ପର୍କରେ ଆଲୋକପାତ କରିଥିଲେ।

ଏହି ଅବସରରେ କଟକ ସାଂସଦ ତଥା ଡଃ ହରେକୃଷ୍ଣ ମହତାବଙ୍କ ସୁଯୋଗ୍ୟ ସନ୍ତାନ ଶ୍ରୀ ଭର୍ତ୍ତୃହରି ମହତାବ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ ମହତାବ ସାହିତ୍ୟ କୃତୀ ପାଇଁ ସାହିତ୍ୟିକ ଶଙ୍କର ଲାଲ ପୁରହିତ, ନିଶାମଣି କର ଓ ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ୭ଟି ପୁସ୍ତକ ଯଥା କଫିଟେବୁଲ ବୁକ ମ୍ୟାନ ଅଫ ଡେଷ୍ଟିନି, ମହାନାୟକ ମହତାବ, ଓଡିଆ ସାହିତ୍ୟ ଏକାଡେମୀ ଦ୍ବାରା ହରେକୃଷ୍ଣ ମହତାବ, ଶିଶୁଲେଖା, ମହତଂ ମହତାବ, ରାଜ୍ୟ ସଂଗ୍ରହାଳୟ ଦ୍ବାରା ମହତାବ ଓ ଅନନ୍ୟ କୃତୀ ଏବଂ ହରେକୃଷ୍ଣ ମହତାବ ଫାଉଣ୍ଡେସନ ଦ୍ବାରା ଗାଁ ମଜଲିସ୍‌ର ଏକାଦଶ ଖଣ୍ଡ ଉନ୍ମୋଚିତ ହୋଇଥିଲା।

ଏହି ଅବସରରେ ମହତାବଙ୍କ ଉପରେ ଆୟୋଜିତ ଫଟୋଚିତ୍ର ଏବଂ ତୈଳଚିତ୍ର ପ୍ରଦର୍ଶନୀ ମୁଖ୍ୟମନ୍ତ୍ରୀ ବୁଲିଦେଖିଥିଲେ।

କାର୍ଯ୍ୟକ୍ରମରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ସ୍ବାଗତ ଭାଷଣ ଦେଇଥିଲେ ଏବଂ ନିର୍ଦ୍ଦେଶକ ଶ୍ରୀ ବିଜୟ କେତନ ଉପାଧ୍ୟାୟ ଧନ୍ୟବାଦ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କୁ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଡ. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଆଜି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମାତୃଭୂମି ପ୍ରତି ତାଙ୍କ ଭକ୍ତି ଓ ତ୍ୟାଗ ଦେଶବାସୀଙ୍କୁ ସର୍ବଦା ପ୍ରେରଣା ଯୋଗାଇ ଆସୁଥିବ।

ଶ୍ରୀ ମୋଦୀ ଏକ୍ସରେ ପୋଷ୍ଟ କରିଛନ୍ତି:

“ନିଜର ପ୍ରଖର ରାଷ୍ଟ୍ରବାଦୀ ବିଚାର ଦ୍ୱାରା ମା ଭାରତୀଙ୍କୁ ଗୌରବାନ୍ୱିତ କରିଥିବା ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କୁ ତାଙ୍କ ଜନ୍ମ ଜୟନ୍ତୀରେ ଆଦରପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି। ମାତୃଭୂମି ପ୍ରତି ତାଙ୍କ ସମର୍ପଣ ଓ ତ୍ୟାଗ ଦେଶବାସୀଙ୍କୁ ସର୍ବଦା ପ୍ରେରଣା ଦେଇ ଆସୁଥିବ”।

Categories
ଆଜିର ଖବର ରାଜ୍ୟ ଖବର

ରଣପୁରରେ ଓଡିଶାର ବରପୁତ୍ର ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୮ ତମ ଜନ୍ମ ବାର୍ଷିକୀ ପାଳିତ

ରଣପୁର: ସାରା ରାଜ୍ୟରେ ମାର୍ଚ୍ଚ ୫ ତାରିଖରେ ଓଡିଶାର ବରପୁତ୍ର ତଥା ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀ ପାଳନ ହେଉଛି। ଆଜି ହେଉଛି ସେହି ପ୍ରବାଦ ପୁରୁଷଙ୍କ ୧୦୮ତମ ଜନ୍ମବାର୍ଷିକୀ। ୧୯୧୬ ମସିହା ମାର୍ଚ୍ଚ ୫ ତାରିଖରେ ବିଜୁ ବାବୁ ଜନ୍ମ ଗ୍ରହଣ କରିଥିଲେ।  ସ୍ୱାଧୀନତା ସଂଗ୍ରାମର ବହ୍ନି ପିଲାଟି ଦିନରୁ ତାଙ୍କ ଭିତରେ ଜାଗି ଉଠିଥିଲା। ଗାନ୍ଧିଜୀଙ୍କ ଆହ୍ୱାନରେ ସେ ୧୯୪୨ ମସିହାରେ ଭାରତ ଛାଡ଼ ଆନ୍ଦୋଳନରେ ସାମିଲ ହୋଇଥିଲେ।

ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବରହରଲାଲ ନେହେରୁଙ୍କ ସେ ଅତିପ୍ରିୟ ଅନୁଗତ ଥିଲେ। ସ୍ୱାଧୀନତା ପରେ ଓଡିଶାକୁ ଏକ ସମୃଦ୍ଧ ରାଜ୍ୟ ଭାବେ ଗଢି ତୋଳିବାର ସ୍ବପ୍ନ ଦେଖିଥିଲେ। ୬୦ ଦଶକର ଆରମ୍ଭରେ ରାଜ୍ୟ କଂଗ୍ରେସର ମଙ୍ଗ ଧରିଥିଲେ। ତାଙ୍କ ନେତୃତ୍ୱରେ ୧୪୦ ରୁ ୮୨ ଆସନ କଂଗ୍ରେସ ଜିତିଥିଲା। ୧୯୬୧ ମସିହାରେ ମାତ୍ର ୪୫ ବର୍ଷ ବୟସରେ ସେ ହୋଇଥିଲେ ଓଡିଶାର ମୁଖ୍ୟମନ୍ତ୍ରୀ। ବିଜୁ ବାବୁଙ୍କୁ ଆଧୁନିକ ଓଡ଼ିଶାର ନିର୍ମାତା ବୋଲି କୁହାଯାଏ। ସମାଜର ସବୁ ବର୍ଗର ଲୋକଙ୍କୁ ନେଇ ବିକାଶକୁ ବଳିଷ୍ଠ କରିବା ପାଇଁ ସେ ପଦକ୍ଷେପ ନେଇଥିଲେ ବୋଲି କୁହାଯାଏ।

ଏହି ଅବସରରେ ରଣପୁରରେ ବିଜୁ ଜୟନ୍ତୀ ପାଳିତ ହୋଇ ଯାଇଛି। ପ୍ରଥମେ ପଞ୍ଚୁଦୋଳ ପଡିଆରେ ଶହୀଦ ରଘୁଦିବାକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ କାର୍ଯ୍ୟକ୍ରମର ଅୟମ ଆରମ୍ଭ କରାଯାଇଥିଲା। ଏହା ପରେ ପଞ୍ଚୁଦୋଳ ପଡିଆ ଠାରୁ ମଣିନାଗ ମନ୍ଦିର ପର୍ଯ୍ୟନ୍ତ ଏକ ସାଇକେଲ ଶୋଭାଯାତ୍ରା କରାଯାଇଥିଲା। ଏହା ପରେ ମଣିନାଗ କଲ୍ୟାଣ ମଣ୍ଡପ ଠାରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ପୁନଃ ସ୍ଥାପନା କରାଯାଇଥିଲା। ଏହା ସହିତ ରଣପୁର ଡାକ୍ତରଖାନାରେ ଥିବା ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା। ଅପରାହ୍ନରେ ପଞ୍ଚୁଦୋଳ ପଡିଆରେ ଏକ ସଭାକାର୍ଯ୍ୟ ଆୟୋଜନ କରାଯାଇ ବିଜୁ ବାବୁଙ୍କ ଜୀବନୀ କଥା ପ୍ରଦର୍ଶନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ନୟାଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ରଣପୁର ବିଜ୍ଞାପିତ ପରିଷଦ ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ଉପାଧ୍ୟକ୍ଷ ବିଶ୍ୱରଂଜନ ପଟ୍ଟନାୟକ, ନଗର ସଭାପତି ଲିଙ୍ଗରାଜ ନାୟକ, ସାଂସଦ ପ୍ରତିନିଧି ସ୍ୱରାଜ ମହାନ୍ତି, ବ୍ଲକ ସଭାପତି ସଚିକାନ୍ତ ଷଡ଼ଙ୍ଗୀ, କିଶୋର ପଟ୍ଟନାୟକ, ଆଇନୀଜୀବୀ ବନମାଳୀ ମହାପାତ୍ର, ସୁଦର୍ଶନ ମାନସିଂହ, ଦିନେଶ ପରିଡା, କାମଳାକ୍ଷୀ ଦେବୀଦର୍ଶିନୀଙ୍କ ସମେତ ସମସ୍ତ କାଉନସିଲର, ସରପଞ୍ଚ, ସମିତିସଭ୍ୟ ଓ ସମସ୍ତ ବିଜେଡି କର୍ମୀ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଓ ବ୍ୟାପକ ସ୍ଵଚ୍ଛତା ପକ୍ଷ୍ୟ ପାଳିତ

ଭୁବନେଶ୍ଵର: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୪ ତମ ଜନ୍ମ ବାର୍ଷିକୀ ସାରା ଦେଶରେ ପାଳିତ ହେଉଛି। ଏହି ଅବସରରେ ପୂର୍ବ ତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବଙ୍କ ନେତୃତ୍ୱରେ ବିଭାଗୀୟ ପ୍ରମୁଖ ଅଧିକାରୀ, ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀମାନେ ଭୁବନେଶ୍ୱରସ୍ଥିତ ରେଳପଥର ମୁଖ୍ୟାଳୟ ରେଳ ସଦନ ଠାରେ ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ ଜଣାଇଥିଲେ।

ଏହି ଉତ୍ସବକୁ ସ୍ମରଣୀୟ କରିବା ପାଇଁ, ପୂର୍ବ ତଟ ରେଳପଥ ୧୬ ସେପ୍ଟେମ୍ବରରୁ ୩୦ ସେପ୍ଟେମ୍ବର ୨୦୨୩ ପର୍ଯ୍ୟନ୍ତ ସ୍ଵଚ୍ଛତା ପକ୍ଷ୍ୟ (ପଖୱାଡା) ଆୟୋଜନ କରିଥିଲା। ସମସ୍ତ ସ୍ତରର ରେଳବାଇ କର୍ମଚାରୀ ମାନେ ଷ୍ଟେସନ, ଟ୍ରେନ୍, କୋଚ୍ ରକ୍ଷଣାବେକ୍ଷଣ ଡିପୋ, ବିଭିନ୍ନ କାର୍ଯ୍ୟାଳୟ, କର୍ମକ୍ଷେତ୍ର ଏବଂ ରେଳ କଲୋନୀରେ ଆୟୋଜିତ ସ୍ଵଚ୍ଛତା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଦୂର ଷ୍ଟେସନରେ ରେଳବାଇ କର୍ମଚାରୀମାନେ ମଧ୍ୟ ବହୁତ ସଂଖ୍ୟାରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।

ଏହି ଅବସରରେ ପରିଷ୍କାର ପରିଚ୍ଛନ୍ନତା ସମୟରେ ସ୍ଵଚ୍ଛ ସମ୍ବାଦ, ସ୍ଵଚ୍ଛ ଷ୍ଟେସନ, ସ୍ଵଚ୍ଛ ପରିସର, ସ୍ଵଚ୍ଛ ଆହାର, ସ୍ଵଚ୍ଛ ନୀର, ସ୍ଵଚ୍ଛ ପ୍ରସାଦ, ସ୍ଵଚ୍ଛ ରେଳଗାଡି ଇତ୍ୟାଦି କାର୍ଯ୍ୟକଳାପ ହାତକୁ ନିଆଯାଇଥିଲା। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା ମଧ୍ୟ ଆୟୋଜିତ କରାଯାଇଥିଲା।

ଗାନ୍ଧୀ ଜୟନ୍ତୀ ଦିବସରେ ପୂର୍ବ ତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବ ବିଭିନ୍ନ ପ୍ରତିଯୋଗିତାରେ ଉଲ୍ଲେଖନୀୟ ସଫଳତା ତଥା କାର୍ଯ୍ୟ ସଫଳତା ପାଇଁ ଅଂଶଗ୍ରହଣକାରୀମାନଙ୍କୁ ସମ୍ମାନିତ କରିବା ସହିତ ଅଭିନନ୍ଦନ ଜଣାଇଥିଲେ।

ଏହି କାର୍ଯ୍ୟକ୍ରମକୁ ସ୍ମରଣୀୟ କରିବା ପାଇଁ ସକାଳେ ପ୍ରଭାତ ଫେରି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଯେଉଁଥିରେ ସମସ୍ତ ରେଳବାଇ ଅଧିକାରୀ, କର୍ମଚାରୀ, ଭାରତ ସ୍କାଉଟ ଓ ଗାଇଡ଼ ସମେତ ସ୍କୁଲ ପିଲାମାନେ ଅଂଶ ଗ୍ରହଣ କରି ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ସଚେତନତା ବାର୍ତ୍ତା ଲୋକମାନଙ୍କୁ ଜଣାଇବା ସହିତ ଆୟୋଜିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

ରେଳପଥର ପ୍ରମୁଖ ଯାନ୍ତ୍ରିକ ଯନ୍ତ୍ରୀ ବିଶ୍ୱଜିତ ମୈତ୍ରଙ୍କ ସମସ୍ତ ବିଭାଗର ବିଭାଗୀୟ ପ୍ରମୁଖ ଅଧିକାରୀ, ବରିଷ୍ଠ ଅଧିକାରୀ, ମହିଳା କଲ୍ୟାଣ ସଂଗଠନର ସଦସ୍ୟା ଓ କର୍ମଚାରୀମାନେ ଏହି ଅବସରରେ ଉପସ୍ଥିତ ଥିଲେ। ରେଳପଥର ମୁଖ୍ୟ ଯାନ୍ତ୍ରିକ ଯନ୍ତ୍ରୀ (ପରିବେଶ ଓ ଗୃହ ରକ୍ଷଣାବେକ୍ଷଣ) କେ. ପି. ଯାଦବ ଓ ଉପମୁଖ୍ୟ ଯାନ୍ତ୍ରିକ ଯନ୍ତ୍ରୀ (କୋଚିଙ୍ଗ ଏବଂ ପରିବେଶ ଓ ଗୃହ ରକ୍ଷଣାବେକ୍ଷଣ) ଶ୍ରୀ ଦୀନେଶ କୁମାର ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଜନ୍ମ ବାର୍ଷିକୀରେ ସହିଦ ଭଗତ ସିଂଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭଗତ ସିଂଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ସମୟରେ ସେ କହିଛନ୍ତି ଯେ, ଶହୀଦ ଭଗତ ସିଂ ସର୍ବଦା ନ୍ୟାୟ ଏବଂ ସ୍ୱାଧୀନତା ପାଇଁ ଭାରତର ନିରନ୍ତର ସଂଗ୍ରାମର ପ୍ରତୀକ ହୋଇ ରହିବେ।

ପ୍ରଧାନମନ୍ତ୍ରୀ ମୋଦୀ ଏହି ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରି କହିଛନ୍ତି ଯେ, ମୁଁ ତାଙ୍କ ଜନ୍ମ ବାର୍ଷିକୀରେ ସହିଦ ଭଗତ ସିଂଙ୍କୁ ସ୍ମରଣ କରୁଛି। ଭାରତର ସ୍ଵାଧୀନତା ପାଇଁ ତାଙ୍କର ବଳିଦାନ ଏବଂ ନିରନ୍ତର ଉତ୍ସର୍ଗ ପିଢୀ ପାଇଁ ପ୍ରେରଣା ଯୋଗାଇବ। ସାହସର ପ୍ରତୀକ ଭାବରେ ସେ ସର୍ବଦା ନ୍ୟାୟ ଏବଂ ସ୍ୱାଧୀନତା ପାଇଁ ଭାରତର ନିରନ୍ତର ସଂଗ୍ରାମର ପ୍ରତୀକ ହୋଇ ରହିବେ।

ଭଗତ ସିଂ କେଉଁଠାରେ ଜନ୍ମ ହୋଇଥିଲେ?:

ବିପ୍ଳବୀ ଭଗତ ସିଂ ତତ୍କାଳୀନ ମିଳିତ ପଞ୍ଜାବର ଲାୟଲପୁର ଜିଲ୍ଲାର ବଙ୍ଗା ଗାଁର ଏକ ବିପ୍ଳବୀ ପରିବାରରେ ମାତା ବିଦ୍ୟାବତୀଙ୍କ ଔରଷରୁ ଜନ୍ମଗ୍ରହଣ କରିଥିଲେ। ସେ ବିପ୍ଳବୀ କିଶନ ସିଂଙ୍କ ପତ୍ନୀ ଏବଂ ଅଜିତ ସିଂଙ୍କ ଭାଉଜ ଥିଲେ। ଶିଶୁର ଜନ୍ମ ଦିନ, ବାପା ଏବଂ ଦାଦାଙ୍କୁ ଜେଲରୁ ମୁକ୍ତ କରାଯାଇଥିଲା, ସେଥିପାଇଁ ତାଙ୍କର ନାମ ଭାଗୋଂୱାଲା ଅର୍ଥାତ୍ ଭାଗ୍ୟବାନ ଭାବରେ ପରିଚିତ ହେଲା। ଏହି କାରଣରୁ ତାଙ୍କୁ ଭଗତ ସିଂ ନାମିତ କରାଯାଇଥିଲା।

ତାଙ୍କୁ ମାତ୍ର ୨୩ ବର୍ଷ ବୟସରେ ଗୋଟିଏ ଦିନ ପୂର୍ବରୁ ଫାଶୀ ଦିଆଯାଇଥିଲା:

୨୨ ମାର୍ଚ୍ଚ ୧୯୩୨ ରେ ଭଗତ ସିଂଙ୍କୁ ଅକାଳରେ ଫାଶୀ ଦିଆଯାଇଥିଲା। ତାଙ୍କ ଫାଶୀ ପରେ ପଞ୍ଜାବର କିଛି ଅଞ୍ଚଳରେ ଅଶାନ୍ତି ବ୍ୟାପିଥିଲା। ତାଙ୍କୁ ଫାଶୀ ଦିଆଯିବା ପୂର୍ବରୁ ବ୍ରିଟିଶ ସରକାର ଅନେକ ଥର ଫାଶୀ ଦେବାକୁ ଉଦ୍ୟମ କରିଥିଲେ ମଧ୍ୟ ସେମାନେ ସଫଳ ହୋଇପାରିନଥିଲେ। ଭଗତ ସିଂଙ୍କର ବହୁତ କ୍ରାନ୍ତିକାରୀ ଚିନ୍ତାଧାରା ଥିଲା। ସେ ଲେନିନ୍‌ଙ୍କ ଚିନ୍ତାଧାରାର ସମର୍ଥକ ଥିଲେ।

Categories
ଆଜିର ଖବର ଜାତୀୟ ଖବର

୨୦୨୧ ବର୍ଷ ପାଇଁ ଘୋଷଣା ହେଲା ଗାନ୍ଧୀ ଶାନ୍ତି ପୁରସ୍କାର

ନୂଆଦିଲ୍ଲୀ: ୨୦୨୧ ବର୍ଷ ପାଇଁ ଗାନ୍ଧୀ ଶାନ୍ତି ପୁରସ୍କାର ଗୋରଖପୁରର ଗୀତା ପ୍ରେସକୁ ପ୍ରଦାନ କରାଯିବ।

ଗାନ୍ଧୀ ଶାନ୍ତି ପୁରସ୍କାର ହେଉଛି ମହାତ୍ମା ଗାନ୍ଧୀଙ୍କ ୧୨୫ ତମ ଜନ୍ମ ବାର୍ଷିକୀ ପାଳନ ଅବସରରେ ଭାରତ ସରକାରଙ୍କ ଦ୍ୱାରା ୧୯୯୫ ମସିହାରେ ପ୍ରତିଷ୍ଠିତ ବାର୍ଷିକ ପୁରସ୍କାର। ଜାତୀୟତା, ଜାତି, ଭାଷା, ଜାତି, ଧର୍ମ କିମ୍ବା ଲିଙ୍ଗ ନିର୍ବିଶେଷରେ ଏହି ପୁରସ୍କାର ସମସ୍ତଙ୍କ ପାଇଁ ଉନ୍ମୁକ୍ତ ଅଛି।

ଏହି ପୁରସ୍କାରରେ ୧ କୋଟି ଟଙ୍କା , ଏକ ପ୍ରଶସ୍ତି ପତ୍ର,  ଏକ ଫଳକ ଏବଂ ଏକ ସୂକ୍ଷ୍ମ ପାରମ୍ପରିକ ହସ୍ତକଳା / ହସ୍ତତନ୍ତ ସାମଗ୍ରୀ ପ୍ରଦାନ କରାଯିବ।

ବିଗତ ପୁରସ୍କାର ପ୍ରାପ୍ତକର୍ତ୍ତାଙ୍କ ମଧ୍ୟରେ ଇସ୍ରୋ, ରାମକୃଷ୍ଣ ମିଶନ, ବାଂଲାଦେଶର ଗ୍ରାମୀଣ ବ୍ୟାଙ୍କ, ବିବେକାନନ୍ଦ କେନ୍ଦ୍ର, କନ୍ୟାକୁମାରୀ, ଅକ୍ଷୟ ପାତ୍ର, ବେଙ୍ଗାଲୁରୁ, ଏକଲ ଅଭିଯାନ ଟ୍ରଷ୍ଟ, ଭାରତ ଏବଂ ସୁଲଭ ଇଣ୍ଟରନ୍ୟାସନାଲ, ନୂଆଦିଲ୍ଲୀ ଭଳି ସଙ୍ଗଠନ ଅନ୍ତର୍ଭୁକ୍ତ। ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ଦିବଂଗତ ଡକ୍ଟର ନେଲସନ ମାଣ୍ଡେଲା, ତାଞ୍ଜାନିଆର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଜୁଲିୟସ ନାଇରେରେ, ଶ୍ରୀଲଙ୍କାର ସର୍ବୋଦୟ ଶ୍ରମଦାନ ଆନ୍ଦୋଳନର ପ୍ରତିଷ୍ଠାତା ସଭାପତି ଡଃ. ଏ .ଟି. ଆରିୟାରତ୍ନେ, , ଫେଡେରାଲ୍ ରିପବ୍ଲିକ୍ ଅଫ୍ ଜର୍ମାନୀର ଡକ୍ଟର ଗେର୍ହଡ୍ ଫିସର, ବାବା ଆମତେ, ଡଃ ଜନ୍ ହ୍ୟୁମ୍‌, ଆୟର୍ଲାଣ୍ଡ, ଚେକୋସ୍ଲୋଭାକିଆର ପୂର୍ବତନ ରାଷ୍ଟ୍ରପତି ଭାକ୍‌ଲାଭ ହାଭେଲ, ଦକ୍ଷିଣ ଆଫ୍ରିକାର ଆର୍କବିଶପ ଡେସମଣ୍ଡ ଟୁଟୁ, ଚଣ୍ଡି ପ୍ରସାଦ ଭଟ୍ଟ ଏବଂ ଜାପାନର ୟୋହି ସାସାକାୱାଙ୍କ ପରି ପ୍ରମୁଖ ବ୍ୟକ୍ତି ବିଶେଷଙ୍କୁ ଏହା ପ୍ରଦାନ କରାଯାଇଛି।

ସମ୍ପ୍ରତି ପୁରସ୍କାର ପାଇଥିବା ବ୍ୟକ୍ତି ମାନଙ୍କ ମଧ୍ୟରେ ବାଂଲାଦେଶର ସୁଲତାନ କାବୁସ୍ ବିନ୍ ସୟଦ ଅଲ ସୟଦ, ଓମାନ (୨୦୧୯) ଏବଂ ବଙ୍ଗବନ୍ଧୁ ଶେଖ ମୁଜିବୁର ରହମାନ (୨୦୨୦), ବାଙ୍ଗଲାଦେଶ ଅନ୍ତର୍ଭୁକ୍ତ।

ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଜୁରି  ୧୮ ଜୁନ୍‌, ୨୦୨୩ ରେ ବିଚାରବିମର୍ଶ ପରେ ସର୍ବସମ୍ମତି କ୍ରମେ ଗୋରଖପୁର ସ୍ଥିତ ଗୀତା ପ୍ରେସ୍‌କୁ ଏହାର  ସାମାଜିକ, ଅର୍ଥନୈତିକ, ରାଜନୈତିକ ପରିବର୍ତ୍ତନ   କ୍ଷେତ୍ରରେ ଅହିଂସା ତଥା ଅନ୍ୟାନ୍ୟ ଗାନ୍ଧୀ ପ୍ରଣାଳୀ ମାଧ୍ୟମରେ ଉଲ୍ଲେଖନୀୟ ଅବଦାନକୁ ସ୍ୱୀକୃତି ଦେଇ ୨୦୨୧ ବର୍ଷ ପାଇଁ ଗାନ୍ଧୀ ଶାନ୍ତି ପୁରସ୍କାର ପ୍ରାପ୍ତକର୍ତ୍ତା ରୂପରେ ଚୟନ କରିବାକୁ ନିଷ୍ପତ୍ତି ନେଇଥିଲେ।

୧୯୨୩ ମସିହାରେ ପ୍ରତିଷ୍ଠିତ ହୋଇଥିବା ଗୀତା ପ୍ରେସ୍ ବିଶ୍ୱର ସର୍ବବୃହତ ପ୍ରକାଶକ ମାନଙ୍କ ମଧ୍ୟରୁ ଅନ୍ୟତମ, ଯାହା ୧୬.୨୧ କୋଟି ଶ୍ରୀମଦ୍ ଭଗବଦ୍ ଗୀତା ସମେତ ୧୪ ଟି ଭାଷାରେ ୪୧.୭ କୋଟି ପୁସ୍ତକ ପ୍ରକାଶ କରିଛି। ନିଜର ରାଜସ୍ୱ ସୃଷ୍ଟି ପାଇଁ ଅନୁଷ୍ଠାନ ଏହାର ପ୍ରକାଶନରେ ବିଜ୍ଞାପନ ଉପରେ କେବେ ବି ନିର୍ଭର କରେ ନାହିଁ। ଗୀତା ପ୍ରେସ୍ ଏହାର ଅନୁବନ୍ଧିତ ସଂଗଠନ ଗୁଡିକ ସହିତ ଜୀବନର ଉନ୍ନତି ଏବଂ ସମସ୍ତଙ୍କ କଲ୍ୟାଣ ପାଇଁ ଚେଷ୍ଟା କରେ।

ଶାନ୍ତି ଏବଂ ସାମାଜିକ ସମନ୍ୱୟର ଗାନ୍ଧୀବାଦୀ ଆଦର୍ଶ ଗୁଡିକୁ ପ୍ରୋତ୍ସାହିତ କରିବା କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୀତା ପ୍ରେସର ଅବଦାନକୁ ମନେ ପକାଇଛନ୍ତି। ସେ କହିଛନ୍ତି ଯେ ଗୀତା ପ୍ରେସ୍ ପ୍ରତିଷ୍ଠା ହେବାର ଶହେ ବର୍ଷ ପୂରଣ ହେବା ପରେ ସମାଜ ସେବା କ୍ଷେତ୍ରରେ ଏହି ଅନୁଷ୍ଠାନ ଦ୍ୱାରା କରାଯାଇଥିବା କାର୍ଯ୍ୟର ସ୍ୱୀକୃତି ହେଉଛି ଏଠାରେ ଗାନ୍ଧୀ ଶାନ୍ତି ପୁରସ୍କାର ପ୍ରଦାନ।

ଗାନ୍ଧୀ ଶାନ୍ତି ପୁରସ୍କାର ୨୦୨୧, ମାନବିକତାର ସାମୂହିକ ଉନ୍ନତିରେ ଯୋଗଦାନ କରିବାରେ ଗୀତା ପ୍ରେସର ଗୁରୁତ୍ୱପୂର୍ଣ୍ଣ ତଥା ଅଦ୍ୱିତୀୟ ଅବଦାନକୁ ସ୍ୱୀକୃତି ଦେଇଥାଏ, ଯାହା ପ୍ରକୃତ ଅର୍ଥରେ ଗାନ୍ଧୀବାଦୀ ଜୀବନର ପ୍ରତୀକ ଅଟେ।

Categories
ବିଶେଷ ଖବର

ଜାଣିଛନ୍ତି କି ଶହୀଦ ଭଗତ ସିଂଙ୍କ ସହ ଜଡିତ ଏହି ୫ ଟି ଜିନିଷ?, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଆଜି ଦେଶ ସହିଦ ଭଗତ ସିଂଙ୍କ ଜନ୍ମ ବାର୍ଷିକୀ ପାଳନ କରୁଛି। ଆଜି ଭଗତ ସିଂଙ୍କ ୧୧୫ ତମ ଜନ୍ମ ବାର୍ଷିକୀ। କେବଳ ୨୩ ବର୍ଷ ବୟସରେ ଦେଶ ପାଇଁ ନିଜ ଜୀବନ ଦେଇଥିବା ଭଗତ ସିଂ ପ୍ରତ୍ୟେକ ଯୁବ ଭାରତୀୟଙ୍କ ପାଇଁ ପ୍ରେରଣାର ଉତ୍ସ, ସେ ନିଜ ଦେଶର ସ୍ୱାଧୀନତା ପାଇଁ ଲୋକଙ୍କ ମନରେ ଏତେ ଉତ୍ସାହ ଭରି ଦେଇଥିଲେ ଯେ, ବ୍ରିଟିଶ ଶାସନର ମୂଳ ଦୋହଲିଯାଇଥିଲା। ଏପରି ପରିସ୍ଥିତିରେ, ଆଜି ତାଙ୍କ ଜନ୍ମ ବାର୍ଷିକୀରେ, ଆସନ୍ତୁ ଜାଣିବା ତାଙ୍କ ୨୩ ବର୍ଷର ଜୀବନର ଗୁରୁତ୍ୱପୂର୍ଣ୍ଣ ଘଟଣା ଯାହା ଲୋକମାନଙ୍କ ମଧ୍ୟରେ ଦେଶପ୍ରେମର ଉତ୍ସାହ ସୃଷ୍ଟି କରିଥିଲା। ​

ଭଗତ ସିଂ ଙ୍କ ସହିତ ଜଡିତ ୫ ଟି ଗୁରୁତ୍ୱପୂର୍ଣ୍ଣ ଜିନିଷ:

– ଭଗତ ସିଂଙ୍କ ପିତାମାତା ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ, କିନ୍ତୁ ଭଗତ ବିବାହ ବିରୋଧରେ ଥିଲେ। ସେ କହୁଥିଲେ ଯଦି ମୁଁ ପରାଧୀନ ଭାରତରେ ବିବାହ କରେ, ତେବେ ମୋର ବଧୁ କେବଳ ମରିବ”।

– ଆପଣଙ୍କୁ କହିରଖୁଛୁ ଯେ ଲାଲ ରାଜପାତ ରାୟଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ଭଗତ ସିଂ ଲାହୋରରେ ପୋଲିସ୍ ଅଧୀକ୍ଷକ ଜେମ୍ସ ସ୍କଟଙ୍କୁ ମାରିବା ପାଇଁ ଷଡଯନ୍ତ୍ର କରିଥିଲେ, କିନ୍ତୁ ତାଙ୍କୁ ସଠିକ୍ ଭାବରେ ଚିହ୍ନଟ କରିପାରିନଥିବାରୁ ସେ ବ୍ରିଟିଶ ପୋଲିସ୍ ଜନ୍ ସାଣ୍ଡର୍ସଙ୍କୁ ଗୁଳି କରିଥିଲେ।

– ଭଗତ ସିଂ ଶିଖ ଧର୍ମର ଥିଲେ। ଯେଉଁଥିରେ ପଗଡି ଏବଂ ଦାଢି ରହିବା ଅତ୍ୟନ୍ତ ଜରୁରୀ, କିନ୍ତୁ ବ୍ରିଟିଶମାନଙ୍କ ଆଖିରୁ ଦୂରେଇ ରହିବା ପାଇଁ ସେଗୁଡିକ କାଟି ଦେଇଥିଲେ। ଜନ୍ ସାଣ୍ଡର୍ସଙ୍କ ହତ୍ୟାର ପ୍ରାୟ ଏକ ବର୍ଷ ପରେ ସେ ତାଙ୍କ ସହଯୋଗୀ ବଟୁକେଶ୍ୱର ଦତ୍ତଙ୍କ ସହ ଦିଲ୍ଲୀର କେନ୍ଦ୍ରୀୟ ବିଧାନସଭା ହଲରେ ବୋମା ଫିଙ୍ଗି ଇନକିଲାବ ଜିନ୍ଦବାଦର ସ୍ଲୋଗାନ ଦେଇଥିଲେ। ଏଠାରେ ତାଙ୍କୁ ମଧ୍ୟ ଗିରଫ କରାଯାଇଥିଲା।

– ଗିରଫ ପରେ ଭଗତ ସିଂ ଜେଲରେ ଥିବା ଦେଶର ସ୍ୱାଧୀନତା ବିଷୟରେ କଏଦୀମାନଙ୍କୁ ଉତ୍ସାହିତ କରିଆସୁଥିଲେ, ଯେଉଁ କାରଣରୁ ବ୍ରିଟିଶ ସରକାର ଅସନ୍ତୋଷ ପ୍ରକାଶ କରିଥିଲେ। ଯେତେବେଳେ ତାଙ୍କ ବିରୋଧରେ ମାମଲା ଆସିଲା ସେତେବେଳେ ସେ ତାଙ୍କ ତରଫରୁ କୌଣସି ପ୍ରତିରକ୍ଷା ଉପସ୍ଥାପନ କରିନଥିଲେ। ଏହି ସମୟରେ ମଧ୍ୟ ସେ ସ୍ୱାଧୀନତା ପାଇଁ ଲୋକଙ୍କୁ ପ୍ରେରଣା ଯୋଗାଉଥିଲେ।

– ଅକ୍ଟୋବର ୭ ତାରିଖ ୧୯୩୦ରେ ଭଗତ ସିଂଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ମୃତ୍ୟୁଦଣ୍ଡ ଘୋଷଣା କରିଥିବା ବିଚାରପତିଙ୍କ ନାମ ଜି.ସି. ହିଲଟନ୍ ଥିଲା।

Categories
ଆଜିର ଖବର ଖେଳ ଜାତୀୟ ଖବର

ପୂର୍ବତଟ ରେଳପଥ ପକ୍ଷରୁ ଜାତୀୟ କ୍ରୀଡା ଦିବସ ପାଳନ

ଭୁବନେଶ୍ୱର: ସମସ୍ତଙ୍କ ଜୀବନରେ କ୍ରୀଡ଼ା ତଥା ଦୈନନ୍ଦିନ କାର୍ଯ୍ୟକଳାପର ମହତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ହକି କିମ୍ବଦନ୍ତୀ ମେଜର ଧ୍ୟାନ ଚାନ୍ଦଙ୍କ ୧୧୭ ତମ ଜନ୍ମ ବାର୍ଷିକୀକୁ ସ୍ମରଣ କରିବା ପାଇଁ ପୂର୍ବ ତଟ ରେଳପଥ ପକ୍ଷରୁ ଆଜି ଏହାର ମୁଖ୍ୟ କାର୍ଯ୍ୟାଳୟରେ ଜାତୀୟ କ୍ରୀଡ଼ା ଦିବସ ପାଳନ କରାଯାଇଅଛି।

ଏହି ଅବସରରେ ଯୋଗଦାନ କରି ପୂର୍ବତଟ ରେଳପଥର କାର୍ଯ୍ୟକାରୀ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବ କହିଛନ୍ତି ଯେ ଜାତୀୟ କ୍ରୀଡ଼ା ଦିବସ ଦେଶର କ୍ରୀଡ଼ା ନାୟକ ଏବଂ ସର୍ବଜୟୀ ଖେଳାଳି ମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ହୋଇଛି ଏବଂ ଦେଶକୁ ସମ୍ମାନ ଆଣିବାରେ ସେମାନଙ୍କର ଅବଦାନ ତଥା ଉତ୍ସର୍ଗୀକୃତତାକୁ ସମ୍ମାନିତ କରାଯାଇଛି। କ୍ରୀଡ଼ାର ମୂଲ୍ୟବୋଧ: ଶୃଙ୍ଖଳା, ଦୃଢ଼ତା, କ୍ରୀଡ଼ାବିତ୍ ଆତ୍ମା, ଦଳଗତ କାର୍ଯ୍ୟ ଏବଂ ଜନସାଧାରଣଙ୍କୁ କ୍ରୀଡା ପ୍ରତି ଉତ୍ସାହ ଆଣିବା ଏବଂ ଏହାକୁ ସେମାନଙ୍କ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ଦିନ ପାଳନ କରାଯାଉଅଛି।

ରେଳ କର୍ମଚାରୀ ବିଶେଷ ଭାବେ ପୂର୍ବତଟ ରେଳପଥ କ୍ରୀଡ଼ାବିତ ଓ କ୍ରୀଡା କର୍ମକର୍ତ୍ତାମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ଏବଂ ଜାତୀୟ କ୍ରୀଡ଼ା ଦିବସ ପାଳନ ପାଇଁ କ୍ରୀଡା / ଫିଟନେସ୍ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ପୂର୍ବ ତଟ ରେଳ ପଥ କ୍ରୀଡା ସଂଗଠନ (ଇକୋର୍ସା) ର ସଭାପତି ମାନସ କୁମାର ପୋଦ୍ଦାରଙ୍କ ସମେତ ବିଭାଗର ସମସ୍ତ ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ। ଇକୋର୍ସାର ସମ୍ପାଦକ ଅଶୋକ କୁମାର ମିଶ୍ର ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।