Categories
ଆଞ୍ଚଳିକ

ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକଙ୍କ ବଦଳି: ବଢୁଛି ଜନ ଅସନ୍ତୋଷ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଶୁକ୍ରବାର ଅପରାହ୍ନରେ ବାଲୁଗାଁ ଏସଡିପିଓ ଓପିଏସ ମାନସ ରଞ୍ଜନ ବାରିକଙ୍କ ବଦଳି ନିର୍ଦ୍ଦେଶନାମା ଜାରି ହୋଇଛି। ତାଳଚେର ଏସଡ଼ିପିଓ ଭାବେ ତାଙ୍କର ବଦଳି ହୋଇଛି। ହେଲେ ଏ କଥାକୁ ବାଣପୁର-ବାଲୁଗାଁବାସୀ ସହଜରେ ଗ୍ରହଣ କରିପାରୁନାହାନ୍ତି। ଏହି ଖବର ସମଗ୍ର ବାଣପୁର-ବାଲୁଗାଁରେ ବ୍ୟାପିବା ମାତ୍ରେ ସବୁ ମହଲରୁ ଏହାକୁ ବିରୋଧ ହେବା ଆରମ୍ଭ ହୋଇଛି। ଶ୍ରୀ ବାରିକ ଜଣେ ସଚ୍ଚୋଟ, କର୍ତ୍ତବ୍ୟପରାୟଣ, ପରୋପକାରି ଏବଂ ଭଦ୍ର ଅଧିକାରୀ ବୋଲି କହିବା ସହ ତାଙ୍କର ବଦଳି ଖବରକୁ ସ୍ଥାନୀୟ ଲୋକେ ବିରୋଧ କରିବା ଆରମ୍ଭ କରିଛନ୍ତି।

ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଓପିଏସ ମାନସ ରଞ୍ଜନ ବାରିକ ଜାନୁଆରୀ ୧ ତାରିଖ ୨୦୨୧ରେ ବାଲୁଗାଁ ଏସଡ଼ିପିଓ ଭାବେ ଦାଇତ୍ୱ ନେବା ପରଠାରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ୨ ବର୍ଷ ହେଲା ନିରବଛିନ୍ନ ଭାବେ ଜନସାଧାରଣଙ୍କ ସେବା କରି ଆସୁଛନ୍ତି। ଖୁବ କମ ଛୁଟି ନେଉଥିବା ଏହି ଅଧିକାରୀ ସଦାବେଳେ ଦିନ ରାତି ଜନସାଧାରଣଙ୍କ ପାଇଁ ଉପଲବ୍ଧ ରୁହନ୍ତି। ଏପରିକି ତାଙ୍କ ବ୍ୟକ୍ତିଗତ ମୋବାଇଲ ନମ୍ବର ୨୪ ଘଣ୍ଟା ଜନସାଧାରଣଙ୍କ ପାଇଁ ଖୋଲା ଥାଏ। ପୁର୍ବରୁ ବାଲୁଗାଁରେ ଅନେକ ଏସଡ଼ିପିଓ ଆସିଥିଲେ ମଧ୍ୟ ମାନସ ରଞ୍ଜନ ବାରିକ ଜନସାଧାରଣଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ଛାପ ଛାଡିବାରେ ସକ୍ଷମ ହୋଇପାରିଛନ୍ତି।

ପୁର୍ବରୁ ଅଭିଯୋଗକାରୀମାନେ ଏସଡ଼ିପିଓଙ୍କ କାର୍ଯ୍ୟାଳୟକୁ ଯିବା ପାଇଁ ସଙ୍କୋଚ କରୁଥିବାବେଳେ ଶ୍ରୀ ବାରିକ ଯୋଗଦେବା ପରେ ବହୁ ଅଭିଯୋଗକାରୀମାନେ ଏସଡ଼ିପିଓଙ୍କ କାର୍ଯ୍ୟାଳୟକୁ ନିଃସଙ୍କୋଚରେ ଯାଇ ନ୍ୟାୟ ପାଇଥିବାର ଏକାଧିକ ନଜିର ରହିଛି।

ଅନୁରୂପ ଭାବେ ବାଲୁଗାଁ ପୋଲିସ ଉପଖଣ୍ଡରେ ଶ୍ରୀ ବାରିକଙ୍କ ତତ୍ୱାବଧାନରେ ବହୁ ଜଟିଳ ଅପରାଧିକ ମାମଲାଗୁଡ଼ିକର ସମାଧାନ ହୋଇଥିବା ବେଳେ କ୍ରାଇମ ଫିଗର ଗ୍ରାଫ ତଳମୁହାଁ ହୋଇଛି। ସେହିପରି ଭାବେ ବାଣପୁର ବାଲୁଗାଁରେ କୋଭିଡ ପରିଚାଳନାରେ ଶ୍ରୀ ବାରିକଙ୍କ ଉଲ୍ଲେଖନିୟ ଅବଦାନ ରହିଥିବା ବେଳେ ଲକଡ଼ାଉନ ସମୟରେ ନିଜସ୍ୱ ପାଣ୍ଠିରୁ ଏକାଧିକ ସେବା କାର୍ଯ୍ୟ ମଧ୍ୟ ଏସଡ଼ିପିଓ ବାରିକ ଜାରି ରଖିଥିଲେ। ବାଲୁଗାଁ ଉପଖଣ୍ଡରେ ବହୁ ଅସହାୟଙ୍କୁ ସାହାଯ୍ୟ, ଦୁର୍ଘଟଣାଗ୍ରସ୍ତଙ୍କ ଚିକିତ୍ସା, ଗୋସେବା, କୋଭିଡ଼ ଆକ୍ରାନ୍ତ ମୃତକଙ୍କ ଶବ ସତ୍କାର କରିବା ଆଦି ଅନେକ ସେବା କାର୍ଯ୍ୟ କରି ଶ୍ରୀ ବାରିକ ପ୍ରଶଂସା ସାଉଁଟିଛନ୍ତି।

ଦେଶର ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ଦିଲ୍ଲୀ ଜେଏନୟୁରୁ ଉଚ୍ଚ ଶିକ୍ଷା ସାରି ଓଡ଼ିଶା ପୋଲିସ ସେବାରେ ଯୋଗଦେଇଥିବା ଏହି ଯୁବ ଅଧିକାରୀ ଆଜି ବହୁ ପୋଲିସ ଅଧିକାରୀ ଏବଂ ଜନସାଧାରଣଙ୍କ ଆଦର୍ଶ ପାଲଟିଛନ୍ତି। ଶ୍ରୀ ବାରିକ ଜଣେ ଭଲ କବି ଏବଂ ଲେଖକ ମଧ୍ୟ।  ନିକଟରେ ତାଙ୍କ ଲିଖିତ ପୁସ୍ତକ ‘ଅଣୁଗଳ୍ପ ମାନସାଙ୍କ’ ଉନ୍ମୋଚନ ଅପେକ୍ଷାରେ ଅଛି।

ଟ୍ରେନିଂ ସମୟରେ ନିଜ ବ୍ୟାଚର ଶ୍ରେଷ୍ଠ କ୍ୟାଡେଟ ଭାବେ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଉକ୍ତ ଯୁବ ଓପିଏସ ଅଧିକାରୀଙ୍କ ବଦଳିରେ ମ୍ରିୟମାଣ ହୋଇପଡିଛି ସାରା ବାଲୁଗାଁ-ବାଣପୁର ଏବଂ ଉପଖଣ୍ଡବାସୀ। ରାଜ୍ୟ ସରକାର ପୁଣି ଥରେ ଏହା ଉପରେ ବିଚାର କରନ୍ତୁ ବୋଲି ସାଧାରଣରେ ଦାବି ହେଉଛି।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା: ନୂଆ ରେଳ ଲାଇନ ସର୍ଭେକୁ ନେଇ ଜନ ଅସନ୍ତୋଷ, ଆନ୍ଦୋଳନର ମିଳୁଛି ଆଭାସ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକାରେ ନୂଆ ରେଳ ଲାଇନ ସର୍ଭେକୁ ନେଇ ଜନ ଅସନ୍ତୋଷ ଦେଖିବାକୁ ମିଳିଛି। ଆଜି ବଡ଼କୁଳ ଠାରେ ଥିବା ଶ୍ରୀ ଶ୍ରୀ ରାମେଶ୍ୱର ମନ୍ଦିରରେ ଜିଲ୍ଲା ପରିଷଦ ପ୍ରତିନିଧି ବୁଟା ସୁନ୍ଦରାୟଙ୍କ ଆବାହକତ୍ଵରେ ପ୍ରାୟ ୪ଟି ପଂଚାୟତର ସରପଞ୍ଚଙ୍କ ସମେତ ବହୁ ଲୋକ ଏକାଠି ହୋଇଥିଲେ।

ଖବରରୁ ଜଣାଯାଇଛି ବାଲୁଗାଁ ନିକଟ ଦେଇ ଦକ୍ଷିଣ ପୂର୍ବ ରେଳପଥ ଯାଇଥିବା ବେଳେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି କ୍ରମେ କେବଳ ମାଲବାହୀ ଟ୍ରେନ ଗମନା ଗମନ ପାଇଁ କଲିକତା ଠାରୁ ବିଜୟୱାଡା ପର୍ଯ୍ୟନ୍ତ ନୂଆକରି ଏକ ଟ୍ରେନ ଲାଇନ ନିର୍ମାଣ ପାଇଁ ଯୋଜନା ହୋଇଛି। ଯାହା ଫଳରେ ବିଭିନ୍ନ ସର୍ବେକ୍ଷଣ ସଂସ୍ଥା ଦ୍ୱାରା ସରକାର ସର୍ଭେ କରୁଥିବାର ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। କିନ୍ତୁ ସର୍ବେକ୍ଷଣ କେତେଦୂର ଅଗ୍ରଗତି ହୋଇଛି, କେଉଁ କେଉଁ ରାଜସ୍ୱ ମୌଜ଼ାର ଲୋକ କ୍ଷତିଗ୍ରସ୍ତ ହେଉଛନ୍ତି, କେଉଁ କେଉଁ ଗ୍ରାମ ତାହାର ସତ୍ତା ହରାଇବାକୁ ଯାଉଛି, ଏ ସମ୍ପର୍କରେ କାହା ପାଖରେ ସଠିକ ତଥ୍ୟ ନଥିବା ଜଣାଯାଇଛି।

ଅନୁସନ୍ଧାନରୁ ଏହାର ସତ୍ୟତା ଥିବା ଜଣାଯାଇଛି ଯେ, ୧୦/୦୮/୨୦୨୨ ତାରିଖରେ ପତ୍ର ସଂଖ୍ୟା ୧୨୪୭୨ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସ ତରଫରୁ ବେଗୁନିଆ, ଟାଙ୍ଗି, ଚିଲିକା ଓ ବାଣପୁର ତହସିଲଦାର/ବିଡ଼ିଓ ଙ୍କୁ ଜମି ଅଧିଗ୍ରହଣ ଅଧିକାରୀ ଚିଠି ପ୍ରେରଣ କରିଛନ୍ତି। ଯାହାଫଳରେ ଚିଲିକାର ବଡ଼କୁଳ, ଅଠର ବାଟିଆ, ନିମିକ୍ଷେତା ଏବଂ ନନ୍ଦପୁର ଗ୍ରାମପଂଚାୟତ ଗୁଡିକ ଏହି ରେଳ ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ତ ହେବାର ସମ୍ଭାବନା ଅଛି।

ଏହି ପରିପ୍ରେକ୍ଷୀରେ ସମବେତ ପଂଚାୟତବାସୀ ଏକ କମିଟି ଗଠନ କରିଛନ୍ତି। କମିଟି ଜିଲ୍ଲାପାଳ ଏବଂ ରେଳ ବିଭାଗର ଉଚ୍ଚ ପଦସ୍ଥ କର୍ମଚାରୀମାନଙ୍କ ସାଥିରେ ଆଲୋଚନା କରି କେଉଁ କେଉଁ ମୌଜାର ଜମି ଓ ଗ୍ରାମ କ୍ଷତିଗ୍ରସ୍ତ ହେଉଛି ଏବଂ ଏହାର କଣ ସତ୍ୟତା ଅଛି ତାହାକୁ ଲୋକମାନଙ୍କୁ ଅବଗତ କରିବେ। କମିଟି ଅବଗତ କଲାପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ବୈଠକ କରାଯାଇ ନିର୍ଦ୍ଧାରଣ କରାଯିବ ବୋଲି ସଭାରେ ସହମତି ପ୍ରକାଶ ପାଇଛି।

ଉକ୍ତ ଘଟଣାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଲାଗିରହିଥିବା ବେଳେ ନିଜର ଜମି ଚାଲିଯିବା ଓ ଭିଟାମାଟି ଚାଲିଯିବା ଭୟରେ ଉପରୋକ୍ତ ପଂଚାୟତବାସୀ ଭୀତତ୍ରସ୍ତ ଅବସ୍ଥାରେ ଅଛନ୍ତି। ଏହାକୁ ନେଇ ଏକ ଜୋରଦାର ଆନ୍ଦୋଳନର ଆଭାସ ମିଳୁଛି। ତେଣୁ ପ୍ରଶାସନ ଏହାକୁ ଗୁରୁତର ସହ ନେଇ ଲୋକମାନଙ୍କ ସାଥିରେ ଆଲୋଚନା କରିବାକୁ ସାଧାରଣରେ ଦୃଢ଼ ଦାବି ହେଉଛି।