Categories
ବିଶେଷ ଖବର

ଓଡ଼ିଶାରେ ଫିଫାର ‘ଫୁଟବଲ ଫର୍ ସ୍କୁଲ’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ମୁଣ୍ଡଳୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଫୁଟବଲ ଖେଳ ପ୍ରତି ଉତ୍ସାହ ତଥା ଖେଳୁଆଡ ମନୋଭାବ ତିଆରି କରିବା ଉଦ୍ଦେଶ୍ୟରେ ଆଜି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଟକର ମୁଣ୍ଡଳୀ ଠାରେ ପିଏମ  ଜବାହର ନବୋଦୟ ବିଦ୍ୟାଳୟରେ ଫିଫାର ଫୁଟବଲ ଫର୍ ସ୍କୁଲ୍ (F4S) କାର୍ଯ୍ୟକ୍ରମର ଶୁଭାରମ୍ଭ ସହ ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟ ଓ  ନବୋଦୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଫୁଟବଲ ବିତରଣ କରିଛନ୍ତି।

କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଫିଫା, ସର୍ବଭାରତୀୟ ଫୁଟବଲ ମହାସଂଘ(ଏଆଇଏଫ୍ଏଫ୍) ଓ ଜବାହର ନବୋଦୟ ବିଦ୍ୟାଳୟ(ଜେଏନଭି)ର ମିଳିତ ପ୍ରୟାସରେ ଏହି ମହତ୍ୱକାଂକ୍ଷୀ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଫିଫା ସମଗ୍ର ବିଶ୍ୱରେ ୪୦ ଲକ୍ଷ ଫୁଟବଲ ବିତରଣ କରୁଥିବା ବେଳେ କେବଳ ଭାରତରେ ମୋଟ ୭୪୨ଟି ଜିଲ୍ଲାରେ ୧ ଲକ୍ଷ ୫୩ ହଜାର ସ୍କୁଲରେ ପ୍ରାୟ ୧୧ ଲକ୍ଷରୁ ଉର୍ଦ୍ଧ୍ୱ ଫୁଟବଲ ବଣ୍ଟନ କରାଯିବ । ସେହିପରି ଓଡ଼ିଶାରେ ପ୍ରାୟ ସାଢେ ୫ ହଜାର ସ୍କୁଲରେ ପାଖାପାଖି ୩୦ ହଜାର ଫୁଟବଲ ବିତରଣ କରାଯିବ । ଆଗାମୀ ଦୁଇ ମାସ ମଧ୍ୟରେ ଫୁଟବଲ ଖେଳକୁ ନେଇ ଥିବା ଅନୁକୂଳଯୁକ୍ତ ବାତାବରଣକୁ ଲକ୍ଷ୍ୟ କରି ସେହି ସ୍କୁଲ ଗୁଡିକୁ ଫୁଟବଲ ଦିଆଯିବ । କେବଳ ଏତିକି ନୁହେଁ ଖେଳ ଶିକ୍ଷକ ମାନଙ୍କୁ ଆଧୁନିକ କୌଶଳର ପ୍ରଶିକ୍ଷଣ ଦେବା ପାଇଁ ମଧ୍ୟ ଯୋଜନା ହୋଇଥିବା ଶ୍ରୀ ପ୍ରଧାନ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ଫୁଟବଲ ଖେଳିବା ପାଇଁ ଉପଦେଶ ଦେବା ସହ କହିଛନ୍ତି ଯେ ଫୁଟବଲ ଏକ ରୁଚିପୂର୍ଣ୍ଣ ଖେଳ । ଫୁଟବଲ ଖେଳରେ କେବଳ ଖେଳାଳୀ ନୁହେଁ ଦର୍ଶକମାନେ ଆନନ୍ଦିତ ହୁଅନ୍ତି । ମୁଁ ମଧ୍ୟ ପିଲାବେଳେ ଫୁଟବଲ ଭାବେ ଖେଳୁଥିଲି । ଫୁଟବଲରେ ରେଜଲ୍ଟ ତୁରନ୍ତ ମିଳିଥାଏ। ଏଥିପାଇଁ ଏହା ମୋର ପ୍ରିୟ ଖେଳ ।  ଛାତ୍ରଛାତ୍ରୀଙ୍କ ପକ୍ଷେ ଖେଳ ସ୍ୱାସ୍ଥ୍ୟ ଓ ଶରୀର ପାଇଁ ବେଶ୍ ଉପଯୋଗୀ ।  ଖେଳ ପିଲାଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ସହ ଖେଳୁଆଡ ମାନସିକତା ଜାଗ୍ରତ କରିଥାଏ । ଯେଉଁ ପିଲାମାନେ ମଇଦାନରେ ଫୁଟବଲ୍ ଖେଳିବେ, ସେମାନେ ଜୀବନରେ ନିଶ୍ଚୟ ସଫଳତା ପାଇବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଏହି ଅବସରରେ ଶ୍ରୀ ପ୍ରଧାନ ଏଆଇଏଫଏଫର ସଭାପତି କଲ୍ୟାଣ ଚୌବେଙ୍କ ସହ ପିଏମ ଶ୍ରୀ ନବୋଦୟ ବିଦ୍ୟାଳୟ ଓ କେନ୍ଦ୍ରୀୟ ବିଦ୍ୟାଳୟ ଢେଙ୍କାନାଳ ମଧ୍ୟରେ ଆୟୋଜିତ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ମ୍ୟାଚକୁ ଦେଖିଥିଲେ। ଶ୍ରୀ ପ୍ରଧାନ ବିଜୟୀ ଟିମ ନବୋଦୟ ବିଦ୍ୟାଳୟ ଓ ପ୍ରତିଦ୍ୱନ୍ଦୀ ଟିମକୁ ଶୁଭେଚ୍ଛା ଜଣାଇବା ସହ ପୁରସ୍କୃତ କରିଥିଲେ।

 

Categories
ଆଜିର ଖବର ରାଜ୍ୟ ଖବର

ଢ଼େଙ୍କାନାଳ ଜିଲ୍ଲା ସରାଙ୍ଗ ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

ଢ଼େଙ୍କାନାଳ: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଢ଼େଙ୍କାନାଳ ଜିଲ୍ଲା ସରାଙ୍ଗ ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟ ପରିଦର୍ଶନ କରିବା ସହ ଶିକ୍ଷାନୁଷ୍ଠାନକୁ ଜ୍ଞାନର ମନ୍ଦିର ତଥା ଗୁଣାତ୍ମକ ଶିକ୍ଷାର ପ୍ରୟୋଗଶାଳା କରିବା ପାଇଁ ସାମୂହିକ ସଙ୍କଳ୍ପ ନେବାକୁ ଆହ୍ୱାନ କରିଛନ୍ତି।

ଶ୍ରୀ ପ୍ରଧାନ ଜବାହର ନବୋଦୟ ବିଦ୍ୟାଳୟ ପରିଦର୍ଶନ କରିବା ସହ ଶିକ୍ଷାନୁଷ୍ଠାନର ଶ୍ରେଣୀଗୃହ, ପାଠାଗାର ଓ ଛାତ୍ରାବାସ ବୁଲି ଦେଖିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ପ୍ରଣୟନ ହୋଇଥିବା ଜାତୀୟ ଶିକ୍ଷା ନୀତି ୨୦୨୦ରେ ଗୁଣାତ୍ମକ ଶିକ୍ଷା ସହ ରୋଜଗାର ଆଧାରିତ ଶିକ୍ଷା ଉପରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ। ଛାତ୍ରଛାତ୍ରୀମାନେ ଶିକ୍ଷାଲାଭ ପରେ ଉଚ୍ଚ ଶିକ୍ଷା ପାଇଁ ଜାତୀୟ ସ୍ତରର ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତି ହୋଇ ସଫଳ ହେଉଥିବା ଜାଣିବାକୁ ପାଇବା ନେଇ ଖୁସିବ୍ୟକ୍ତ କରିଥିଲେ କେନ୍ଦ୍ରମନ୍ତ୍ରୀ।

ସେ କହିଛନ୍ତି ଯେ ଦେଶ ଆଜି ଅମୃତ କାଳରେ ଉପନୀତ ହୋଇଛି। ଏହି ଅମୃତ ବେଳାରେ ଦେଶର ସର୍ବକନିଷ୍ଠ ସ୍ୱାଧୀନତା ସଂଗ୍ରାମୀ ଶହୀଦ ବାଜି ରାଉତଙ୍କ ବିଚାରଧାରାକୁ ଛାତ୍ରଛାତ୍ରୀମାନେ ଆପଣାଇବା ଦରକାର। ଏହାସହ ବିଦ୍ୟାଳୟ ଓ ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ ଛାତ୍ରଛାତ୍ରୀମାନେ ଦାୟିତ୍ୱ ନେବା ଦରକାର। ଜୀବନର ମୁଖ୍ୟ ଉଦ୍ଦେଶ୍ୟକୁ ସଫଳ ଭାବେ ରୂପାୟନ କରିବା ଦରକାର।

ଜବାହର ନବୋଦୟ ବିଦ୍ୟାଳୟ ଗ୍ରାମାଂଚଳର ସାମାଜିକ ଓ ଆର୍ôଥକ ଦୃଷ୍ଟିରୁ ପଛୁଆ ପୃଷ୍ଠଭୂମିର ମେଧାବୀ ପିଲା ମାନଙ୍କୁ ଚୟନ କରି ସେମାନଙ୍କୁ ଶିକ୍ଷାଦାନର ଏକ ନୂଆ ପରମ୍ପରା ତିଆରି କରିଛି। ଏକବିଂଶ ଶତାବ୍ଦୀରେ ଏହି ଶିକ୍ଷାନୁଷ୍ଠାନକୁ ଜ୍ଞାନର ମନ୍ଦିର ତଥା ଗୁଣାତ୍ମକ ଶିକ୍ଷାର ପ୍ରୟୋଗଶାଳା କରିବା ପାଇଁ ବିଭିନ୍ନ ଯୋଜନା ହେଉଛି। ଆମ ସମସ୍ତଙ୍କୁ ଏଥିପାଇଁ ସାମୂହିକ ସଂକଳ୍ପ ନେବାକୁ ପଡ଼ିବ। ନୂଆପିଢିର ପିଲା ମାନଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ଆମ୍ଭ ସମସ୍ତଙ୍କର ଦାୟିତ୍ୱ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଏହି ଗସ୍ତକାଳରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ନରହରିପୁର ବଙ୍ଗାଳିତୋଇଲା ସ୍ଥିତ ମଙ୍ଗଳା ମନ୍ଦିର ଓ ଶିବ ମନ୍ଦିର ଦର୍ଶନ କରିଥିଲେ। ଢ଼େଙ୍କାନାଳ ମାଟିର ବୀର ପୁତ୍ର ଶହୀଦ ବୀର ବାଜି ରାଉତଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଭାରତୀୟ ସ୍ୱତନ୍ତ୍ରତା ସଂଗ୍ରାମର ସର୍ବକନିଷ୍ଠ ସୈନିକ ବାଜି ରାଉତଙ୍କ ସାହସ, ବୀରତ୍ୱ ଏବଂ ବଳିଦାନ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଅନନ୍ତ ଉତ୍ସ ବୋଲି ସେ କହିଛନ୍ତି।

କେନ୍ଦ୍ରମନ୍ତ୍ରୀଙ୍କୁ ଢ଼େଙ୍କାନାଳ, ପରଜଙ୍ଗ, ବଡ଼ଜୋରା, ସାନ୍ଦା, ତୁମୁସିଂହା, କନ୍ତିଓକାଟେଣୀ, ଚାନ୍ଦପୁର, ସରାଙ୍ଗ ଓ ନରହରିପୁର ସମେତ ଅନେକ ସ୍ଥାନରେ ବିଜେପି କାର୍ଯ୍ୟକର୍ତା ଓ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ ସହ ସମ୍ବର୍ଦ୍ଧନା ଦିଆଯାଇଥିଲା।