Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଜଳବାୟୁ ପରିବର୍ତ୍ତନ: ଅଷ୍ଟ୍ରେଲିଆ ସରକାରଙ୍କ ବିରୋଧରେ ମାମଲା ଜିତିଲେ ଲକ୍ଷ୍ନୌରେ ଜନ୍ମିତ ଅଞ୍ଜଳି

ନୂଆଦିଲ୍ଲୀ: ଯଦି ଗ୍ଲୋବାଲ୍ ୱାର୍ମିଂ ବୃଦ୍ଧି ହୁଏ ତେବେ ବିଶ୍ୱ ତାପମାତ୍ରାର ବିପଦ କ’ଣ? ବିଶେଷ କରି ପିଲାମାନେ କେଉଁ ପ୍ରକାରର ଅସୁବିଧାର ସମ୍ମୁଖୀନ ହେବେ? ଗ୍ଲୋବାଲ୍ ୱାର୍ମିଂ ପିଲାମାନଙ୍କର ମୃତ୍ୟୁ ଘଟାଇପାରେ କି? ଏହିପରି ପ୍ରଶ୍ନ ଆପଣଙ୍କ ମନକୁ ଆସିପାରେ କିମ୍ବା ନ ଆସିପାରେ, କିନ୍ତୁ ଏହି ପ୍ରଶ୍ନଗୁଡ଼ିକ ଲକ୍ଷ୍ନୌରେ ଜନ୍ମ ହୋଇଥିବା ଏବଂ ୧୦ ମାସ ବୟସରୁ ଅଷ୍ଟ୍ରେଲିଆରେ ରହୁଥିବା ୧୭ ବର୍ଷୀୟ ଅଞ୍ଜଲି ଶର୍ମାଙ୍କୁ କ୍ରମାଗତ ଭାବରେ ଆନ୍ଦୋଳିତ କରୁଥିଲା। ତାଙ୍କ ପରି ସମସ୍ତ ଅଷ୍ଟ୍ରେଲୀୟ ପିଲାଙ୍କ ଚିନ୍ତାରେ ଅଞ୍ଜଲି ଅଷ୍ଟ୍ରେଲିଆ ସରକାରଙ୍କ ବିରୋଧରେ ଏକ ପିଟିସନ ଦାଖଲ କରିଥିଲେ। ଯେଉଁଥିରେ ଫେଡେରାଲ କୋର୍ଟ ଏକ ଐତିହାସିକ ନିଷ୍ପତ୍ତି ଶୁଣାଇଛନ୍ତି। କୋର୍ଟଙ୍କ ନିଷ୍ପତ୍ତି ଅନୁଯାୟୀ ଭବିଷ୍ୟତରେ ଜଳବାୟୁ ପରିବର୍ତ୍ତନ ହେତୁ ପିଲାମାନଙ୍କୁ ବ୍ୟକ୍ତିଗତ ଆଘାତରୁ ରକ୍ଷା କରିବା ଏବଂ ଯତ୍ନ ନେବା ସରକାରଙ୍କ କର୍ତ୍ତବ୍ୟ। ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବାକୁ ଅଷ୍ଟ୍ରେଲିଆ ସରକାର ବର୍ତ୍ତମାନ ପ୍ରସ୍ତୁତ ହେଉଛନ୍ତି।

ଅଞ୍ଜଲି ଶର୍ମା ତାଙ୍କ ପିତାମାତାଙ୍କ ସହିତ ଅଷ୍ଟ୍ରେଲିଆରେ ରୁହନ୍ତି ଏବଂ ହାଇସ୍କୁଲରେ ପଢୁଛନ୍ତି। ଅଞ୍ଜଳି ପରିବେଶ ପ୍ରତି ଅତ୍ୟନ୍ତ ସମ୍ବେଦନଶୀଳ ଏବଂ ସେ ତାଙ୍କ ସହ ୭ ଟି କିଶୋର ସାଥୀଙ୍କୁ ପରିବେଶ ପ୍ରସଙ୍ଗରେ ଆଲୋଚନା ଏବଂ ଲଢିବା ପାଇଁ ଯୋଡିଛନ୍ତି। ଅଞ୍ଜଳି ଏବଂ ତାଙ୍କ ସହଯୋଗୀ କିଶୋର ପରିବେଶବିତ୍ମାନେ ଚଳିତ ବର୍ଷ ମେ ମାସରେ ଅଷ୍ଟ୍ରେଲିଆ ସରକାରଙ୍କ ବିରୋଧରେ ଆଇନଗତ ଯୁଦ୍ଧ ଆରମ୍ଭ କରିଥିଲେ। ଅଞ୍ଜଲି ଏବଂ ତାଙ୍କ ସହଯୋଗୀମାନେ ଯୁକ୍ତି ଦର୍ଶାଇଥିଲେ ଯେ, ବାୟୁମଣ୍ଡଳରେ କାର୍ବନ ଡାଇଅକ୍ସାଇଡ୍ ର ଅବିରତ ନିର୍ଗତ ହେବା ଦ୍ୱାରା ବିଶ୍ୱ ତାପମାତ୍ରା ବୃଦ୍ଧି ପାଇବ। ଯାହା ଦ୍ଵାରା ଜଙ୍ଗଲରେ ନିଆଁ ଲାଗିବ। ଏଥିରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବ, ଝଡ ସୃଷ୍ଟି ହେବ ଏବଂ ଘୂର୍ଣ୍ଣିବଳୟ ସୃଷ୍ଟି ହେବ।

ଏହି କ୍ଷତିକାରକ ପରିବେଶର ପରିବର୍ତ୍ତନ କେବଳ ପିଲାମାନଙ୍କ ପାଇଁ ଆଘାତ, ରୋଗ, ଅର୍ଥନୈତିକ କ୍ଷତି ଘଟାଇବ ନାହିଁ, ବରଂ ସେମାନଙ୍କ ଜୀବନ ମଧ୍ୟ ବିପଦରେ ପଡିପାରେ। ଅଞ୍ଜଳି ଏବଂ ତାଙ୍କ ସହଯୋଗୀ ପରିବେଶବିତମାନେ ଅଷ୍ଟ୍ରେଲିଆ ସରକାରଙ୍କ ବିରୋଧରେ ଏକ ପିଟିସନ ଦାଖଲ କରିଥିଲେ ଯେଉଁଥିରେ ଶିଶୁମାନଙ୍କର ସ୍ୱାର୍ଥ, ସେମାନଙ୍କର ସୁରକ୍ଷା ଏବଂ ସେମାନଙ୍କର ଉପଯୁକ୍ତ ଯତ୍ନ ନେବା ପାଇଁ ଫେଡେରାଲ କୋର୍ଟ ସରକାରଙ୍କ ଦାୟିତ୍ଵ ବୋଲି କହିଥିଲେ। ଅଦାଲତର ଏହି ନିଷ୍ପତ୍ତିରେ ଅଞ୍ଜଳି ଏବଂ ତାଙ୍କ ସାଥୀମାନେ ଉତ୍ସାହିତ ଅଛନ୍ତି। ଅଞ୍ଜଳି କହିଛନ୍ତି ଯେ କୋର୍ଟ ଦେଇଥିବା ଐତିହାସିକ ନିଷ୍ପତ୍ତି ପିଲାମାନଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ। ଜଳବାୟୁ ପରିବର୍ତ୍ତନର ବଢୁଥିବା ବିପଦରୁ ଆମ ପିଢୀଙ୍କୁ ରକ୍ଷା କରିବା ପାଇଁ ସରକାରଙ୍କର କର୍ତ୍ତବ୍ୟ ଅଛି। ଅଞ୍ଜଳି ଏବଂ ତାଙ୍କ ଯୁବ ପରିବେଶବିତ୍ ସହକର୍ମୀଙ୍କୁ ଗ୍ରେଟା ଥନବର୍ଗ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି। ସମଗ୍ର ଜଳବାୟୁ ଆନ୍ଦୋଳନ ପାଇଁ ଏହା ଏକ ବଡ଼ ବିଜୟ ବୋଲି ଗ୍ରେଟା କହିଛନ୍ତି।

Categories
ବିଶେଷ ଖବର

ଜୀବନଶୈଳୀ ନ ବଦଳିଲେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଘଟିବ ଅନେକ କ୍ଷତି: ସତର୍କ କରାଇଲେ ବିଶେଷଜ୍ଞ

ଭୁବନେଶ୍ୱର: ଜଳବାୟୁ ପରିବର୍ତ୍ତନ ଫଳରେ ମଣିଷ ସମାଜ ଉପରେ ଏହାର ଅନେକ ପ୍ରଭାବ ପଡ଼ିବାକୁ ଆରମ୍ଭ ହୋଇଛି ବୋଲି ବିଶେଷଜ୍ଞମାନେ ଚେତାବନୀ ଦେବା ସହ ତୁରନ୍ତ ଏହାକୁ ରୋକିବା ଦିଗରେ ପଦକ୍ଷେପ ନେବା ଆବଶ୍ୟକ ବୋଲି କହିଛନ୍ତି। ଗ୍ଲୋବାଲ୍ ୱାର୍ମିଂ ଯୋଗୁଁ ସମୁଦ୍ର ପତନର ବୃଦ୍ଧି ହୋଇଛି ଏବଂ ଏଥିପାଇଁ ଓଡ଼ିଶାର ଅନେକ ଉପକୂଳବର୍ତ୍ତୀ ଗ୍ରାମ ଲୋପ ପାଇବାକୁ ବସିଲାଣି।

ସେହିପରି ପାଣିର ଅପବ୍ୟବହାର ମଧ୍ୟ ଭବିଷ୍ୟତରେ ପରିସ୍ଥିତିକୁ ଜଟିଳ କରିବାକୁ ଯାଉଛି ବୋଲି କହିଛନ୍ତି କମ୍ବାଟ୍ କ୍ଲାଇମେଟ୍ ଚେଞ୍ଜ ନେଟୱାର୍କ ଭାରତ ଶାଖାର ଆବାହକ ରଞ୍ଜନ ପଣ୍ଡା। ଓଡ଼ିଶାର କେନ୍ଦ୍ରାପଡା ଜିଲ୍ଲା ଉପକୂଳରେ ଥିବା ସାତଭାୟା ଅଂଚଳର ୭ ଟି ଗ୍ରାମ ସମୁଦ୍ର ପତନ ବୃଦ୍ଧି ଯୋଗୁଁ ଲୋପ ପାଇଯାଇଥିବା ବେଳେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍‌ର ବହୁ ଗ୍ରାମ ସମାନ ପରିସ୍ଥିତିର ସମ୍ମୁଖୀନ ହୋଇଛି ବୋଲି ଓଡ଼ିଶାର ଜଳମାନବ ଭାବେ ପରିଚିତ ଶ୍ରୀ ପଣ୍ଡା କହିଛନ୍ତି।

ସୋମବାର ବିଶ୍ୱ ଜଳ ଦିବସ ଉପଲକ୍ଷେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଅନ୍ତର୍ଗତ ଇନ୍‌ଷ୍ଟିଚ୍ୟୁଟ ଅଫ୍ କମ୍ପ୍ୟୁଟର ଆଣ୍ଡ ବିଜିନେସ୍ ଷ୍ଟଡିଜ୍ (ଆଇବିସିଏସ୍‌) ପକ୍ଷରୁ ‘ବିଶ୍ୱରେ ଜଳ ସମସ୍ୟା ଓ ଜଳବାୟୁରେ ପରିବର୍ତନ’ ଶୀର୍ଷକ ଆଲୋଚନାରେ ଯୋଗ ଦେଇ ଶ୍ରୀ ପଣ୍ଡା ଏହା କହିଛନ୍ତି। ପ୍ରତ୍ୟେକ ଥର ବାତ୍ୟା ଆସିଲେ ବଙ୍ଗୋପସାଗର ଉପକୂଳ ଅଂଚଳର କେତେକ ସ୍ଥାନକୁ ମାଡି ଆସୁଛି ଏବଂ ଅସ୍ତରଙ୍ଗରେ ମଧ୍ୟ ୫ କିମି ପର୍ଯ୍ୟନ୍ତ ସମୁଦ୍ର ଜଳ ଆସିଯିବା କହିଛନ୍ତି ଗବେଷକ ତଥା ପରିବେଶବିତ୍ ଶ୍ରୀ ପଣ୍ଡା।

ଏହି ଅବସରରେ ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ତଥା ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ଡଃ ଶରତ ଚନ୍ଦ୍ର ସାହୁ, ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରୀ (ୟୁସିସିଆଇ) ର ଉପସଭାପତି (ବାଣିଜ୍ୟ), ଆଇବିସିଏସ୍ ଡିନ୍ ପ୍ରଫେସର ଅନୁପ୍ କୁମାର ସାମନ୍ତରାୟ ଏବଂ ଆସୋସିଏଟ୍ ପ୍ରଫେସର ଡଃ ଦୁର୍ଯ୍ୟୋଧନ ଜେନା ପ୍ରମୁଖ ବକ୍ତବ୍ୟ ରଖିଥିଲେ।

କୋଭିଡ ମହାମାରୀକୁ ପ୍ରତିହିତ କରିବା ପାଇଁ ଆମକୁ ବାରମ୍ବାର ହାତ ଧୋଇବାକୁ ଉପଦେଶ ଦିଆଯାଉଥିବା ବେଳେ ପୃଥିବୀର ବହୁ ସଂଖ୍ୟକ ଲୋକ ସେମାନଙ୍କର ଦୈନନ୍ଦିନ ଜୀବନର ଆବଶ୍ୟକତା ପାଇଁ ମଧ୍ୟ ଜଳ ପାଇ ନଥାନ୍ତି। ସ୍ୱଚ୍ଛ ଜଳ ପାଇବାକୁ ହେଲେ ଆମକୁ ଆମର ଜଙ୍ଗଲ ଏବଂ ଗଛକୁ ସୁରକ୍ଷିତ ରଖିବା ଦରକାର ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ଜଳବାୟୁ ପରିବର୍ତ୍ତନ ଯୋଗୁଁ ପାଣିପାଗର ସ୍ଥିତି ଜଟିଳ ହୋଇଛି ଯାହା ଦ୍ୱାରା ସହରାଂଚଳରେ ମଧ୍ୟ ପ୍ରଳୟଙ୍କରୀ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। ଯାହା ପାଇଁ କେବଳ ମଣିଷ ହିଁ ଦାୟୀ। ସହରର ସବୁଜିମାକୁ ନଷ୍ଟ କରିବା ତଥା ବଡ ବଡ ଅଟ୍ଟାଳିକ ନିର୍ମାଣ ଦ୍ୱାରା ଭୟଙ୍କର ବନ୍ୟା ପରସ୍ଥିତି ସୃଷ୍ଟି ହେଉଛି ବୋଲି ଡଃ ସାହୁ କହିଥିଲେ।

ଡଃ ସାହୁ କହିଥିଲେ ପୃଥିବୀରେ ଉପଲବ୍ଧ ଜଳ ସଂପଦର ମାତ୍ର ୨.୫ ପ୍ରତିଶତ ବ୍ୟବହାର ଯୋଗ୍ୟ ଓ ତହିଁରୁ ୨ ପ୍ରତିଶତ ବରଫ ଆକାରରେ ରହିଥିବା ବେଳେ ପୃଥିବୀ ବାସୀଙ୍କ ବ୍ୟବହାର ନିମନ୍ତେ ମାତ୍ର ୦.୫ ପ୍ରତିଶତ ମିଳିପାରିବ। ଜଳବାୟୁର ପରିବର୍ତ୍ତନ ଫଳରେ ବର୍ତମାନ ଅନୁଭୂତ ହେଉଥିବା ଗ୍ରୀଷ୍ମ ଋତୁ ୩ ମାସ ବଦଳରେ ୨୦୩୦ ମସିହା ବେଳକୁ ୭ ମାସ ଅନୁଭୂତ ହେବାର ସମ୍ଭାବନା ରହିଛି।

ସେହିପରି ଭାରତର ଚିରପ୍ରବାହୀ ୧୭ଟି ନଦୀ ମଧ୍ୟରୁ ୨୦୩୦ ବେଳକୁ କେବଳ ୬ଟି ନଦୀରେ ବର୍ଷ ସାରା ଜଳପ୍ରବାହ ରହିବ। ଶ୍ରୀ ଶାରଦା ଗ୍ଲୋବାଲ୍ ୱାର୍ମିଂକୁ ପ୍ରତିହତ କରିବା ନିମନ୍ତେ ବିଭିନ୍ନ ମାନବିକ ପ୍ରକ୍ରିୟା ଦ୍ୱାରା ନିର୍ଗତ କ୍ଷତିକାରକ ଉତ୍ସର୍ଜନକୁ କମ୍ କରିବାକୁ ପଡ଼ିବ ବୋଲି କହିଥିଲେ।

ଭାରତ ଏହି ଉତ୍ସର୍ଜନକୁ ୨୦୩୦ ସୁଦ୍ଧା ୨୦୦୫ ମସିହାର ସ୍ତରକୁ ଆଣିବା ନିମନ୍ତେ ବଦ୍ଧ ପରିକର। ଏଥି ନିମନ୍ତେ ଜଙ୍ଗଲକୁ ରକ୍ଷା କରିବା ସହ ପ୍ରତି ୫ ବର୍ଷ ମିଲିଅନ୍ ହେକ୍ଟର ଅଧିକ ଜଙ୍ଗଲ ସୃଷ୍ଟି କରିବା ଆବଶ୍ୟକ ବୋଲି କହିଥିଲେ।