Categories
ଆଜିର ଖବର ଜୀବନ ଶୈଳୀ

ଭାରତର ଜଳ ବହୁଳତା ଓ ଜଳ ସଙ୍କଟର ଜଟିଳ ଗଣିତ, ବିନା ପାଣିରେ ହାହାକାରମୟ ହେବ ଆଗାମୀ ଜୀବନ

ନୂଆଦିଲ୍ଲୀ: ଭାରତରେ ଏବେ ମୁଖ୍ୟ ସମସ୍ୟା ଭାବରେ ପାନୀୟ ଜଳ ସମସ୍ୟା ଦେଖାଦେଇଛି। ଚେନ୍ନାଇ ଓ ବେଙ୍ଗାଲୁରୁରେ ପାଣି ପାଇଁ ଦୟନୀୟ ଅବସ୍ଥାରୁ ଏହି ସଙ୍କଟର ଗାମ୍ଭୀର୍ୟ ସହଜରେ ଅନୁମେୟ। ଯେଉଁଠି ପାଣି ପାଇଁ ଲୋକେ ଘଣ୍ଟା ଘଣ୍ଟା ଧାଡି ରେ ଛିଡା ହେଉଛନ୍ତି। ମୋଦିଙ୍କ ଦ୍ବିତୀୟ କାର୍ଯ୍ୟକାଳରେ ପ୍ରଥମ “ମନ୍‌ କୀ ବାତ୍‌” କାର୍ଯ୍ୟକ୍ରମରେ ମୋଦି ଜଳ ସଂରକ୍ଷଣ ଉପରେ ଜୋର୍‌ ଦେଇଛନ୍ତି। ଚଳିତ ଥର ସରକାର ମଧ୍ୟ ଜଳ ମନ୍ତ୍ରାଳୟ ଗଠନ କରିଛନ୍ତି। ପ୍ରତ୍ୟେକ ଘରେ ଶୁଦ୍ଧ ପାନୀୟ ଜଳ ଯୋଗାଣ ନେଇ ଏହି ମନ୍ତ୍ରାଳୟ ଲକ୍ଷ୍ୟ ରଖିଛି। ନିର୍ବାଚନୀ ଇସ୍ତାହାରରେ ମଧ୍ୟ ବିଜେପି ପାନୀୟ ଜଳକୁ ପ୍ରମୁଖ ଭାବରେ ସ୍ଥାନିତ କରିଥିଲା।

ଭାରତରେ ଉତ୍କଟ ଜଳ ସମସ୍ୟାକୁ ନେଇ ଗତବର୍ଷ ନୀତି ଆୟୋଗ ଏକ ରିପୋର୍ଟ ପ୍ରକାଶ କରିଥିଲା। ଏହି ରିପୋର୍ଟ ରେ ଅନେକ ଆଶ୍ଚର୍ଯ୍ୟ କଲାଭଳି ତଥ୍ୟ ପ୍ରକାଶିତ ହୋଇଥିଲା। ଏହି ରିପୋର୍ଟ ଅନୁସାରେ ଆଗାମୀ ବର୍ଷ ଦେଶର ପ୍ରାୟ ୨୧ଟି ସହର ରେ ଭୂତଳ ଜଳ ସରିଯିବ ଏବଂ ପାଣି ପାଇଁ ଲୋକେ ଅନ୍ୟ ସହର ଉପରେ ନିର୍ଭରଶୀଳ ହେବେ।

ଭାରତରେ ଜଳ ସଙ୍କଟର ମୁଖ୍ୟ କାରଣ

ଭାରତ ରେ ସର୍ବାଧିକ ଲୋକ ଭୂତଳ ଜଳ ବ୍ୟବହାର କରନ୍ତି। ଆମେରିକା ଏବଂ ଚୀନ ଉଭୟ ଭୂତଳ ଜଳ ଯେତିକି ବ୍ୟବହାର କରନ୍ତି ଭାରତ ଏକୁଟିଆ ସେତିକି ଭୂତଳ ଜଳ ବ୍ୟବହାର କରିଥାଏ। ଏଠି ପିଇବା ପାଣିର ଅଧା ରୁ ଅଧିକ ଭାଗ ଭୂତଳ ଜଳ ଉତ୍ସରୁ ଆସିଥାଏ। ଦେଶ ରେ ଯେତିକି ଭୂତଳ ଜଳ ବାହାର କରାଯାଏ ତାର ୮୯ ପ୍ରତିଶତ ଜଳ କୃଷି କାର୍ଯ୍ୟରେ ବ୍ୟବହୃତ ହୋଇଥାଏ, ଘର କାମ ପାଇଁ ୯ ପ୍ରତିଶତ ଏବଂ କଳକାରଖାନା  କାମ ପାଇଁ ୨ ପ୍ରତିଶତ ଜଳର ବ୍ୟବହାର ହୋଇଥାଏ।  ସରକାରୀ ରିପୋର୍ଟ ଅନୁସାରେ ୨୦୧୫ ମସିହା ରେ ଜଳ ଉତ୍ସକୁ ନେଇ ନିର୍ମିତ ଏକ ଷ୍ଟାଣ୍ଡିଂ କମିଟି ରିପୋର୍ଟ ମୁତାବକ ଦେଶରେ ଭୂତଳ ଜଳ ସବୁଠୁ ଅଧିକା ପିଇବା ପାଣି ଏବଂ କୃଷି କାର୍ଯ୍ୟ ରେ ବ୍ୟବହୃତ ହୋଇଥାଏ। ଏଥିପାଇଁ ୨୦୦୭ ରୁ ୨୦୧୭ ମଧ୍ୟରେ ଭୂତଳ ଜଳ ୬୧ ପ୍ରତିଶତ କମିଛି। ଭୂତଳ ଜଳ କମିବାର କାରଣ ଗୁଡିକ ମଧ୍ୟରେ ଜନସଂଖ୍ୟା ବୃଦ୍ଧି, ଦ୍ରୁତ ସହରିକରଣ ଏବଂ କମ ବର୍ଷା ବୋଲି ଦର୍ଶାଯାଇଛି।

୨୦୧୫ ରେ ଷ୍ଟାଣ୍ଡିଂ କମିଟି ଦ୍ଵାରା ସମ୍ବିଧାନ ରେ ଉପସ୍ଥାପିତ ହୋଇଥିବା ରିପୋର୍ଟ ଅନୁସାରେ ୧୯୯୫ ମସିହାରେ ଦେଶର ୯୨ ପ୍ରତିଶତ ଜିଲ୍ଲା ମାନଙ୍କରେ ଭୂତଳ ଜଳ ସ୍ତର ଆଦର୍ଶ ସ୍ତରରେ ଥିଲା ତାହା ଏବେ ୨୦୧୧ରେ ହ୍ରାସ ପାଇ ୭୧ ପ୍ରତିଶତକୁ କମି ଆସିଛି। ସେହିପରି ୧୯୯୫ ରେ ତିନି ପ୍ରତିଶତ ଜିଲ୍ଲାରେ ଭୂତଳ ଜଳର ଅତ୍ୟଧିକ ଉପଯୋଗ ହେଉଥିଲା। ତାହା ଏବେ ୨୦୧୧ ରେ ୧୫ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚି ଯାଇଛି ଏବଂ ଏହି ପରିସଂଖ୍ୟାନ ଦିନ କୁ ଦିନ ବଢି ଚାଲିଛି ଯାହାକି  ଉତ୍କଟ  ଜଳ ସମସ୍ୟାକୁ ସୃଷ୍ଟି କରୁଛି।

ଦେଶରେ ଜଳ ବିଭାଜନରେ ଅସମାନତା

ଦେଶରେ ଜଳର ପରିମାଣ ଏବଂ ଜଳ ବିଭାଜନରେ ଅସାମାନତା ରହିଛି। ନୀତି ଆୟୋଗର  ରିପୋର୍ଟ ଅନୁସାରେ ଦେଶରେ ୮୪ ପ୍ରତିଶତ ଗ୍ରାମୀଣ ଅଞ୍ଚଳ ଲୋକଙ୍କ ପାଖରେ ଜଳ ଯୋଗାଣ ନାହିଁ। ଏବଂ ୭୫ ପ୍ରତିଶତ ଘରେ ପିଇବା ଜଳ ମିଳେ ନହିଁ, ସେମାନେ ବାହାରୁ ପିଇବା ପାଣି ଆଣନ୍ତି। ଆଇଆ ଟି ଖଡଗପୁର ଏବଂ କାନାଡା ର ଏକ ବିଶ୍ୱବିଦ୍ୟାଳୟ ଦ୍ଵାରା ପ୍ରସ୍ତୁତ ଏକ ରିପୋର୍ଟ ଅନୁସାରେ ଉତ୍ତର ଭରତ ରାଜ୍ୟ ତୁଳନାରେ ପୂର୍ବ ଭାରତ ରାଜ୍ୟ ଗୁଡିକରେ ଭୂତଳ ଜଳ ହ୍ରାସ ଘଟିଛି। ଦେଶର ବଡ଼ ବଡ଼ ସହର ଦିଲ୍ଲୀ ଓ ମୁମ୍ବାଇ ପରି ସହରର ଲୋକମାନେ ବ୍ୟକ୍ତି ପିଛା ୧୫୦ ଲିଟରରୁ ଅଧିକ ଜଳ ବ୍ୟବହାର କରୁଥିବାବେଳେ ଅନ୍ୟ ସହରଗୁଡ଼ିକରେ ବ୍ୟକ୍ତି ପିଛା ୪୦ରୁ ୫୦ ଲିଟର ଜଳ ବ୍ୟବହାର କରୁଛନ୍ତି। ଏହା ଆମ ଦେଶରେ ଜଳ ବିଭାଜନର ଅସମାନତାକୁ ଦର୍ଶାଉଛି।

ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ଜଣେ ବ୍ୟକ୍ତିଙ୍କୁ ୨୫ ଲିଟର ଜଳ ଖାଇବା ପିଇବା ଏବଂ ଅନ୍ୟାନ୍ୟ ଆବଶ୍ୟକତା ଲାଗି ଦରକାର। ଅନ୍ୟ ଉପଲବ୍ଧ ଜଳରେ ସଫା ଏବଂ ଗାଧେଇବା କାମ ହୋଇଥାଏ। କିନ୍ତୁ ଦେଖାଯାଏ ଯେ ଆମେ ଏହାଠୁ ଢେର ଅଧିକା ଜଳ ବ୍ୟବହାର କରୁ।

ପରିସଙ୍ଖ୍ୟାନଗତ ଭାବରେ ଦେଖିଲେ ଦେଶ ରେ କୌଣସି ଜଳ ସଙ୍କଟ ନହିଁ । କିନ୍ତୁ ଜଳର ଉଚିତ ବ୍ୟବହାର ନେଇ ସଂକଟ ରହିଛି। କେନ୍ଦ୍ରୀୟ ଜଳ ଆୟୋଗ ଅନୁସାରେ ଦେଶ ରେ ବାର୍ଷିକ ୩ ହଜାର ବିଲିଅନ ଘନ ମିଟର ଜଳର ଆବଶ୍ୟକତା ଅଛି କିନ୍ତୁ ଏଠାରେ ବାର୍ଷିକ ୪ ହଜାର ଘନ ମିଟର ବର୍ଷା ହୋଇଥାଏ। ଏତେ ଅଧିକ ବର୍ଷା ପରେ ଜଳ ସଂକଟ ହେବାର ମୁଖ୍ୟ କାରଣ ହେଉଛି ବର୍ଷା ଜଳ ସଂରକ୍ଷଣ କରି ନ ପାରିବା। ତଥା ଭୂତଳ ଜଳ ସ୍ରୋତର ହ୍ରାସ। ତେବେ ସରକାରଙ୍କ ପାଇଁ ମୁଖ୍ୟ କାର୍ଯ୍ୟ ହେଉଛି ଭୂତଳ ଜଳସ୍ତରରେ ବୃଦ୍ଧି ଘଟାଇବା ଓ ଜଳ ଅପଚୟକୁ ରୋକିବା ସହିତ ଦୂଷିତ ଜଳକୁ ପରିଚାଳନା କରିବା ଦିଗରେ ଯଥେଷ୍ଟ ଯତ୍ନବାନ ହେବା। ଦେଶରେ ଯେତିକି ପରିମାଣରେ ବ୍ଲାକ୍‌ ଓ୍ବାଟର୍‌ ଅଛି ତାକୁ ବିଶୁଦ୍ଧୀକରଣ କରିବା ଦିଗରେ ସରକାର ଚେଷ୍ଟା କରିବା ଉଚିତ୍‌।

ଦେଶରେ ୮୦ ପ୍ରତିଶତ ପାଣି ବିଶୁଦ୍ଧିକରଣ ହୋଇପାରେ ନାହିଁ

ଦେଶରେ ଜଳ ପ୍ରକ୍ରିୟାକରଣ ର ବ୍ୟବସ୍ଥାରେ କିଛି ଉନ୍ନତି ହୋଇନାହିଁ। ଘରୁ ବାହାରୁଥିବା ୮୦ ପ୍ରତିଶତ ଜଳର ବିଶୁଦ୍ଧକରଣ ହୋଇପାରେ ନାହିଁ। ଏହି ଦୂଷିତ ଜଳ ନଦୀ ସହ ମିଶି ନଦୀକୁ ମଧ୍ୟ ପ୍ରଦୂଷିତ କରିଥାଏ। ଏହା ସହିତ ଦେଶ ରେ କେବଳ ୮ ପ୍ରତିଶତ ଜଳ କୁ ସଂରକ୍ଷଣ କରା ଯାଇଥାଏ ଯାହା ବିଶ୍ଵରେ ସବୁଠୁ କମ ପରିମାଣ। ଆଗରୁ ପୋଖୋରୀ ଖୋଲାଯାଇ ଜଳ ସଂଗ୍ରହ କରାଯାଉଥିଲା କିନ୍ତୁ ଏବେ ସହରୀକରଣ ଯୋଗୁଁ ଏହା ଲୁପ୍ତ ହେବାକୁ ବସିଲାଣି। ତେବେ ଜଳକୁ ଶତ ପ୍ରତିଶତ ବିଶୁଦ୍ଧକରଣ କରିବାରେ ଇସ୍ରାଏଲ୍‌ ଉଦାହରଣ ସୃଷ୍ଟି କରିଛି। ଘରର ବ୍ୟବହୃତପାଣିର ଶତ ପ୍ରତିଶତ ବିଶୁଦ୍ଧିକରଣ ଏବଂ ସେଥିରୁ ୯୪ ପ୍ରତିଶତକୁ ବିଶୁଦ୍ଧକରଣ ଜରିଆରେ ପୁନଃବ୍ୟବହାର କରାଯାଇଥାଏ। ଏଠାରେ ସିଂଚନ କରାଯାଉଥିବା ଅଧାରୁ ଅଧିକ ଜଳ ପୂର୍ବରୁ ବ୍ୟବହୃତ ହୋଇ ସାରି ଥାଏ। ଇସ୍ରାଏଲ୍‌ଠାରୁ ଜଳ ବିଶୁଦ୍ଧକରଣ ପଦ୍ଧିକୁ ଭାରତ ଆପଣାଇପାରିଲେ ଜଳ ସଂକଟର ସମସ୍ୟାକୁ କେତେକାଂଶରେ ଦୂର କରାଯାଇପାରନ୍ତା।

ୟୁ ଏନ ମାନବିକ ଅଧିକାର ସଂଗଠନ କହିଛି ଯେ ପୃଥିବୀ ସେହି ଦିଗରେ ଆଗକୁ ବଢୁଛି ଯେଉଠି କେବଳ ଧନିକମାନେ ହିଁ ନିଜର ମୌଲିକ ଆବଶ୍ୟକତାକୁ ପୂରଣ କରିବାରେ ସମର୍ଥ ହେବେ। ରିପୋର୍ଟ ଅନୁସାରେ ୨୦୩୦ ମସିହା ଯାଏଁ ପାଣିର ଆବଶ୍ୟକତା ଦ୍ଵିଗୁଣିତ ହୋଇଯିବ। ଏହା ଦ୍ଵାରା କୋଟି କୋଟି ଲୋକ ଜଳସଙ୍କଟ ର ସମ୍ମୁଖୀନ ହେବେ ଏହି ସଂସ୍ଥାର ଆଉ ଏକ ରିପୋର୍ଟ ଅନୁସାରେ ଆଗାମୀ ଦଶନ୍ଧି ପର୍ଯ୍ୟନ୍ତ  ଭାରତ ଜନସଂଖ୍ୟା ତୁଳନାରେ ଚୀନ କୁ ପଛରେ ପକାଇଦେବ ଏବଂ ୨୦୫୦ ମସିହା ପର୍ଯ୍ୟନ୍ତ ୪୧.୬ କୋଟି ଲୋକ ସହ ରେ ବସବାସ କରିବେ। ତେବେ ଦେଶରେ ବଢି ଚାଲିଥିବା ଉତ୍କଟ ଜଳସମସ୍ୟାକୁ ଅତି ଗମ୍ଭୀରତାର ବିଷୟ ରୂପେ ବିଚାର କରି ସରକାର ଏ ଦିଗରେ ଯଥେଷ୍ଟ ଯତ୍ନବାନ ହେବା ଉଚିତ୍‌। ପ୍ରାଥମିକ ସ୍ତରରୁ ଏହି ସମସ୍ୟାକୁ ସମାଧାନ କରିବା ନିତାନ୍ତ ଆବଶ୍ୟକ। କେବଳ ଯେ ମନ୍ତ୍ରାଳୟ ଗଠନ କରିଦେଲ, ଏହି କାର୍ଯ୍ୟ ସୁରୁଖୁରୁରେ ହୋଇଯିବ ସେୟା ନୁହେଁ। ସର୍ବପ୍ରଥମେ  ଜଳ ସଚେତନତାଙ୍କ ସମସ୍ତଙ୍କ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ହେବା ଦରକାର। ଏ ଦିଗରେ ଯଥେଷ୍ଟ ପଦକ୍ଷେପ ନେଇ ତ୍ବରିତ କାର୍ଯ୍ୟ କରିବା ସରକାରଙ୍କ ମୂଳ ଲକ୍ଷ୍ୟ ହେବା ଉଚିତ୍‌।