Categories
ବିଶେଷ ଖବର ରାଜ୍ୟ ଖବର

ମଝି ନଈରେ ମାଝି, କେଉଁ କୂଳକୁ ଯିବେ ? ସକାଳେ ଶୁଭୁଛି କଂଗ୍ରେସ ଛାଡିବେ, ସଂଧ୍ୟାରେ ନାହିଁ

ଭୁବନେଶ୍ବର: ବର୍ତ୍ତମାନ ମଝି ନଈରେ ଭାସୁଛନ୍ତି କଂଗ୍ରେସ ନେତା ପ୍ରଦୀପ ମାଝି। ସକାଳେ ଶୁଭୁଛି କଂଗ୍ରେସ ଛାଡିବେ, ପୁଣି ସଂଧ୍ୟାରେ ଶୁଭୁଛି ନାଇଁ ଛାଡିବେ ନାହିଁ। କେତେବେଳେ କୁହାଯାଉଛି ବିଜେଡି ଯିବେ, କେତେବେଳେ ବିଜେପି। ଏସବୁ ଦୋଛକି ଭିତରେ ବର୍ତ୍ତମାନ ଘାଣ୍ଟି ହେବାରେ ଲାଗିଛନ୍ତି ଏହି ପୂର୍ବତନ ସାଂସଦ ପ୍ରଦୀପ ମାଝି।

ନିକଟରେ ସେ ନୂଆଦିଲ୍ଲୀରେ ରାହୁଳ ଗାନ୍ଧୀଙ୍କୁ ସାକ୍ଷାତ କରିଛନ୍ତି। ପ୍ରଦୀପ କଂଗ୍ରେସ ଛାଡିବା ନେଇ କୁଆଡେ ରାହୁଳ ଗାନ୍ଧୀଙ୍କ ପାଖରେ ଖବର ପହଞ୍ଚିଲା। ସେଥିପାଇଁ ରାହୁଳ ତାଙ୍କୁ ଡାକି ଆଲୋଚନା କଲେ। ଶୁଣାଗଲା ଯେ, ତାଙ୍କୁ ରାହୁଳ ଗାନ୍ଧୀ ରାଜସ୍ଥାନରୁ ରାଜ୍ୟସଭାକୁ ପଠାଇବେ। ସେଥିପାଇଁ ସେ ଆଉ କଂଗ୍ରେସ ଛାଡିବେ ନାହିଁ। ହେଲେ ଏହା କିଛି ଦିନର ନିରବତା ପରେ ପୁଣି ଉଠିଲା ନା ପ୍ରଦୀପ କଂଗ୍ରେସ ଛାଡିବେ।

ରାହୁଳ ଗାନ୍ଧୀଙ୍କୁ ସାକ୍ଷାତ କରି ଆସିବାର କିଛି ଦିନ ପରେ ପ୍ରଦୀପ କୁଆଡେ ବିଜେଡି ସାଂଗଠାନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ପୁଣି ଭେଟିଛନ୍ତି। ଏହି ଗୁପ୍ତ ଆଲୋଚନା ପରେ ପୁଣିଥରେ ପ୍ରଦୀପ କୁଆଡେ ମନ ପରିବର୍ତ୍ତନ କରିଛନ୍ତି। ବିଜେଡିରୁ ରାଜ୍ୟ ସଭାକୁ ଯିବେ ବୋଲି ତାଙ୍କୁ ପ୍ରତିଶୃତି ଦିଆଯାଇଛି। ଫଳରେ ସେ କଂଗ୍ରେସ ଛାଡି ବିଜେଡିରେ ଯୋଗଦେବେ ବୋଲି ପୁଣି ଆରମ୍ଭ ହେଲା ଚର୍ଚ୍ଚା।

ଥରେ ନୁହେଁ, ବହୁଥର ପ୍ରଣବଙ୍କୁ ଭେଟିଛନ୍ତି ପ୍ରଦୀପ। ସେ ବିଜେଡିରେ ଯୋଗ ଦେବା ଏକ ପ୍ରକାରର ନିଶ୍ଚିତ ବୋଲି ଜଣାପଡିଥିଲା। ଯାହାଫଳରେ ପ୍ରଦୀପଙ୍କ ମିଶ୍ରଣକୁ ନେଇ ନବରଂଗପୁର ବିଜେଡିରେ ଅସନ୍ତୋଷ ବୃଦ୍ଧି ପାଇଲା। ହେଲେ ସେସବୁକୁ ପ୍ରଣବ ମ୍ୟାନେଜ କଲେ। ସେମାନଙ୍କ ମିଶ୍ରଣ ପର୍ବ କେବେ ହେବ ତାହା ମଧ୍ୟ କୁଆଡେ ନିର୍ଦ୍ଧାରିତ ହେଲା। ହେଲେ ହଠାତ କଣ ହେଲା କେଜାଣି ସେଥିରେ ଭଟ୍ଟା ପଡିଲା।

ତେବେ ଏଠାରେ ସାଧାରଣରେ ପ୍ରଶ୍ନ ଉଠୁଛି ଯେ, ପ୍ରଦୀପ କଂଗ୍ରେସ ଛାଡିବା ପାଇଁ କାହିଁକି ଚାହୁଛନ୍ତି। ତାହାର କାରଣରେ ଏତିକି କୁହାଯିବ ଯେ, ସେ ଦୀର୍ଘ ବର୍ଷ ଧରି ପଦପଦବୀରୁ ଦୂରେଇ ରହିଲେଣି। କଂଗ୍ରେସ ଅବସ୍ଥା ଯାହା ସେଥିରେ ସଂଗଠନକୁ ବଞ୍ଚାଇ ରଖିବା ପାଇଁ ଯେଉଁ ଅର୍ଥର ଆବଶ୍ୟକ ତାହା ନାହିଁ। ପଦପଦବୀ ନ ଥିବାରୁ ପ୍ରଦୀପ ନିଜେ ମଧ୍ୟ ନିଜର ସଂଗଠନ ଚଳାଇବା ପାଇଁ ଅକ୍ଷମ ହୋଇପଡିଲେଣି। ବର୍ତ୍ତମାନ ପରିସ୍ଥିତିରେ କର୍ମିମାନଙ୍କୁ ବାନ୍ଧି ରଖିବା ତାଙ୍କ ପାଇଁ କାଠିକର ପାଠ ହୋଇ ପଡିଛି। ସେଥିପାଇଁ ସେ ଏକ ବିକଳ୍ପ ରାସ୍ତା ବାଛିବାକୁ ଚିନ୍ତା କରୁଛନ୍ତି ବୋଲି ଅନୁମାନ କରାଯାଇଛି।

ତେବେ ଏହି ବିକଳ୍ପରେ ତାଙ୍କୁ ବାଧା ଦେଉଛି କଂଗ୍ରେସ ସହିତ ଥିବା ତାଙ୍କର ରକ୍ତ ସଂପର୍କ। ରାହୁଳ ଗାନ୍ଧୀ ସୋନିଆ ଗାନ୍ଧୀଙ୍କ ସହ ଜାତୀୟ କଂଗ୍ରେସର ବରିଷ୍ଠ ନେତାଙ୍କ ସହିତ ପ୍ରଦୀପଙ୍କ ଭଲ ସଂପର୍କ। ସେମାନଙ୍କରେ କଳାଦାଗ ଲଗାଇବା ପାଇଁ ସେ ଚାହୁଁ ନାହାଁନ୍ତି। ତାଙ୍କର ବାପା ଅବଶ୍ୟ ବିଜୁବାବୁଙ୍କ ସାଥୀରେ ଥିଲେ। ହେଲେ ସେ ନିଜେ ପୁରା ଖାଣ୍ଟି କଂଗ୍ରେସିଆ ଭାବେ ପରିଚୟ ସୃଷ୍ଟି କରିଛନ୍ତି।

ହେଲେ ସେ ଅନୁଭବ କରିସାରିଲେଣି ଯେ, ନିଜର ସଂଗଠନ ବଞ୍ଚିଲେ ତାଙ୍କ ରାଜନୀତି ବଞ୍ଚିବ। ନଚେତ ସେ ମୈଦାନରୁ କୁଆଡେ ହଜିଯିବେ। ଆଉ ସେଥିପାଇଁ ଆବଶ୍ୟକ ଅର୍ଥ। ସେହି ଦୃଷ୍ଟିରୁ ପ୍ରଦୀପ ବିଜେଡିରୁ ରାଜ୍ୟସଭା ଯାଇ ନିଜ ରାଜନୈତିକ ଭବିଷ୍ୟତକୁ ସୁଦୃଢ କରିବା ପାଇଁ ଚାହୁଁଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ଗଂଜାମ କଂଗ୍ରେସର ଗୋଷ୍ଠୀ କନ୍ଦଳ, ଇନ୍ଦିରା ଗାନ୍ଧୀଙ୍କ ଜନ୍ମଦିନରେ ମଧ୍ୟ ଫୁଲମାଳଟିଏ ଦେବାକୁ କୁଣ୍ଠାବୋଧ

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ଆଜି ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ତଥା ଲୌହମାନବୀ ଭାରତରତ୍ନ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ଜନ୍ମତିଥିରେ ଗଂଜାମ କଂଗ୍ରେସରେ ଦେଖାଦେଇଛି ଅନ୍ତଃଦ୍ବନ୍ଦ। ଇନ୍ଦିରାଙ୍କ ଜନ୍ମତିଥିରେ ମଧ୍ୟ କଂଗ୍ରେସରେ ଭିତରେ ଥିବା ଗୋଷ୍ଠୀ କନ୍ଦଳ ବାରି ହୋଇ ପଡ଼ୁଥିଲା। କାରଣ ବ୍ରହ୍ମପୁର ପୁୁରୁଣା ବସ୍‌ଷ୍ଟାଣ୍ଡ ନିକଟସ୍ଥ ଇନ୍ଦିରାଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଦିନ ୧୦.୩୦ ପର୍ଯ୍ୟନ୍ତ କୌଣସି କଂଗ୍ରେସ କର୍ମୀ କିମ୍ବା ନେତା ଫୁଲମାଳଟିଏ ଦେବାକୁ ମଧ୍ୟ ଆସି ନ ଥିଲେ। ଏନେଇ ସାମାଜିକ ଗଣମାଧ୍ୟମରେ ପ୍ରଚାର ହେଲା ପରେ କିଛି କର୍ମୀ ତତ୍ପରତା ଦେଖାଇ ଆସି ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କର ପ୍ରତିମୂର୍ତ୍ତିରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ଦେଖିବାକୁ ମିଳିଥିଲା।

ମୁଖ୍ୟତଃ କଂଗ୍ରେସର ଏହି ଅବସ୍ଥା ପାଇଁ ଦାୟୀ କିଏ ଏହା ଏକ ଅମୀମାସିଂତ ପ୍ରଶ୍ନ କହିଲେ କିଛି ଭୁଲ ହେବ ନାହିଁ। ଯେତେବେଳେ ନିର୍ବାଚନ ଆସିଲା ସାଂସଦ ପ୍ରାର୍ଥୀ ହେବା ପାଇଁ କଂଗ୍ରେସର ଖୋଜା ପଡ଼ିଲା। ଗଂଜାମ ଜିଲ୍ଲା ଓ ବ୍ରହ୍ମପୁର ସାଂସଦୀୟ କ୍ଷେତ୍ର ସହ ସଂପର୍କ ନ ଥିବା ଏକ ନୂଆଁ ଚେହେରା ନେଇ ଭି. ଚନ୍ଦ୍ରଶେଖର ନାଇଡ଼ୁ ପ୍ରାର୍ଥୀ କରାଯାଇଥିଲା। ନିର୍ବାଚନ ସମୟରେ ସେ କିଛି ଦିନ ହୋଟେଲ୍ ଡ଼େରା ପକାଇ ରହିଥିଲେ। ହେଲେ ନିର୍ବାଚନ ସରୁ ସରୁ ସେ ଗଂଜାମରୁ କୁଆଡେ ଉଭାନ ହୋଇଗଲେ। ଦୀର୍ଘ ଦୁଇବର୍ଷ ଭିତରେ ପ୍ରାୟତଃ ତାଙ୍କର ଦେଖା ନାହିଁ । ଦିଲ୍ଲୀରେ ଥାଇ ରିମୋର୍ଟ କଣ୍ଟ୍ରୋଲରେ ନିଜ ସାଂସଦୀୟ କ୍ଷେତ୍ର ଚଳାଉଥିବାର ପ୍ରତିଛବି ସୋସିଆଲ୍ ମିଡ଼ିଆରେ ଦେଖିବାକୁ ମିଳୁଛି।

ସେ ଯାହା ବି ହେଉ ରମେଶ ଜେନା ସଭାପତି ହେବା ପରେ ଗଂଜାମ କଂଗ୍ରେସର କିଛିଟା ଆଶା ସଂଚାର ହୋଇଥିଲା। କିନ୍ତୁ ତାହା ମଧ୍ୟ ହେଲା ନାହିଁ। କଂଗ୍ରେସର ପୂର୍ବରୁ ଏକ ଜିଲ୍ଲା କାର୍ଯ୍ୟାଳୟ ଥାଇ ମଧ୍ୟ ଗାନ୍ଧିନଗରରେ ଚନ୍ଦ୍ରଶେଖର ନାଇଡ଼ୁ କଂଗ୍ରେସର ଏକ ନୂତନ ଅଫିସ୍ ଖୋଲିଦେଲେ। ସେହିଦିନ ହିଁ ବାରି ହୋଇ ପଡ଼ିଲା, କଂଗ୍ରେସରେ ଥିବା ଛିଦ୍ର। ଯାହାକି ସେହି ଛିଦ୍ର ହିଁ କଂଗ୍ରେସ ଡ଼ଂଗା ବୁଡ଼ିବାର ସୂଚନା ଦେଉଥିଲା। ଗୋଟିଏ ପଟେ ବରିଷ୍ଠ କଂଗ୍ରେସ ନେତା ତଥା ଆଇନଜୀବୀ ପୀତବାସ ପଣ୍ଡା ଯିଏକି ଗଣମାଧ୍ୟମର କଂଗ୍ରେସ ପାଇଁ କେନ୍ଦ୍ରବିନ୍ଦୁ ଥିବାବେଳେ ତାଙ୍କୁ ମଧ୍ୟ ଦଳ କଣଠେସା କରିବାର ଦେଖିବାକୁ ମିଳିଲା।

ବର୍ତ୍ତମାନ କଂଗ୍ରେସର ମଙ୍ଗ ଧରିଥିବା ରମେଶ ଜେନା ପ୍ରତି ଯୁବଗୋଷ୍ଠୀଙ୍କର ସମର୍ଥନ ରହିଛି। ହେଲେ ସେ କିଭଳି ଗୋଟି ଚାଳନା କରିବେ ଏବଂ ଜିଲ୍ଲା କଂଗ୍ରେସକୁ କିଭଳି ଆଗକୁ ନେବେ ତାହା ସନ୍ଦେହଜନକ। ତେବେ ଭିତରେ ଯାହା ଅନ୍ତଃଦ୍ବନ୍ଦ ଥାଉ ନା କାହିଁକି, ଇନ୍ଦିରା ଗାନ୍ଧୀଙ୍କ ଜନ୍ମଜୟନ୍ତିରେ ଏକାଠି ହେବା ଉଚିତ ଥିଲା। ମାତ୍ର ଗୋଷ୍ଠୀ କନ୍ଦଳ ଏତେ ତୀବ୍ର ଯେ ସେମାନେ ଏକାଠି ହେବା ମଧ୍ୟ ସମ୍ଭବ ନ ଥିଲା ବୋଲି ଜଣାପଡିଛି।