Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

ଜାତୀୟ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ: ଗୋଟିଏ କ୍ଲିକ୍ ଦ୍ୱାରା ଉପଲବ୍ଧ ହେବ ରୋଗୀର ସମ୍ପୂର୍ଣ୍ଣ ଚିକିତ୍ସା ରେକର୍ଡ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ ଆରମ୍ଭ କରିଛନ୍ତି। ଏହା ଅଧୀନରେ ଦେଶର ପ୍ରତ୍ୟେକ ନାଗରିକଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ପରିଚୟ ସୃଷ୍ଟି କରାଯିବ। ଏହି ଯୋଜନା ରବିବାର ଠାରୁ ୬ ଟି କେନ୍ଦ୍ରଶାସିତ ଅଞ୍ଚଳରେ ଆରମ୍ଭ କରାଯାଇଛି। ଆଜି ଆରମ୍ଭ ହୋଇଥିବା ଲାଲ କିଲ୍ଲାର ପ୍ରାଚୀରରୁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଡିଜିଟାଲ୍ ସ୍ୱାସ୍ଥ୍ୟ ମିଶନ ଘୋଷଣା କରାଯାଇଛି। ଏହା ଅଧୀନରେ ସମସ୍ତ ନାଗରିକଙ୍କ ସ୍ୱାସ୍ଥ୍ୟର ସମ୍ପର୍କିତ ତଥ୍ୟ ଗୋଟିଏ ଆଇଡିରେ ରହିବ। ଆଧାର କାର୍ଡ ପରେ ବର୍ତ୍ତମାନ ଲୋକଙ୍କ ଡିଜିଟାଲ୍ ସ୍ୱାସ୍ଥ୍ୟ କାର୍ଡ ତିଆରି ହେବ। ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ, ଚଣ୍ଡିଗଡ଼, ଦାଦରା ନାଗର ହାଭେଲି ଏବଂ ଦାମନ ଦିୟୁ, ଲଦାଖ, ଲକ୍ଷଦୀପ ଏବଂ ପୁଡୁଚେରୀର ୬ଟି କେନ୍ଦ୍ରଶାସିତରେ ଏହା କାର୍ଯ୍ୟକାରୀ କରିବାକୁ ଯୋଜନା କରାଯାଇଛି।

ଚିକିତ୍ସା, ପରୀକ୍ଷା ଏବଂ ଯେଉଁ ଡାକ୍ତରଙ୍କଠାରେ ଚିକିତ୍ସା କରାଯାଇଥିଲା, ସେ ସମ୍ବନ୍ଧରେ ଏହି ସ୍ୱାସ୍ଥ୍ୟ କାର୍ଡରେ ସୂଚନା ରହିବ। ଏହା ଡାକ୍ତରଖାନା ଏବଂ ନାଗରିକଙ୍କ ଉପରେ ନିର୍ଭର କରିବ ଯେ, ସେମାନେ ଏଥିରେ ଯୋଗଦେବାକୁ ଚାହୁଁଛନ୍ତି କି ନାହିଁ। ପ୍ରତ୍ୟେକ ନାଗରିକଙ୍କର ଏକ ଭିନ୍ନ ୟୁଆଇଡି ରହିବ। ଲୋକଙ୍କ ବ୍ୟକ୍ତିଗତ ସୂଚନାକୁ ସୁରକ୍ଷିତ ରଖିବା ପାଇଁ ସମ୍ପୂର୍ଣ୍ଣ ଯତ୍ନ ନିଆଯିବ। ସମସ୍ତଙ୍କର ଏକ ପୋର୍ଟେବଲ୍ ନମ୍ବର ରହିବ। ସଂଖ୍ୟା ବ୍ୟତୀତ, ଏହାକୁ ଲିଙ୍କ୍ କରିବା ଏବଂ ସହଜରେ ଆପଣଙ୍କର ନିଜର ଆଇଡି ସୃଷ୍ଟି କରିବା ପାଇଁ ଏକ ସୁବିଧା ମଧ୍ୟ ରହିବ। ସେଠାରେ ୧୪ ଅଙ୍କ ବିଶିଷ୍ଟ ସଂଖ୍ୟା ହେବ। ଏହାକୁ ମନେରଖିବା ଆବଶ୍ୟକ ନାହିଁ, କେବଳ ଆଇଡିକୁ ମନେରଖିବାକୁ ପଡ଼ିବ। ଲ୍ୟାବର ରେକର୍ଡ, ଚିକିତ୍ସା, ପ୍ରେସକ୍ରିପସନ୍ ଆଦିର ସମସ୍ତ ତଥ୍ୟ ଏହି ଆଇଡିରେ ରହିବ।

ବର୍ତ୍ତମାନ ଭାରତ ସରକାର ୫୦୦ କୋଟି ଟଙ୍କା ଆବଣ୍ଟନ କରିଛନ୍ତି ଏବଂ ଏହା ୬ ଟି କେନ୍ଦ୍ରଶାସିତ ଅଞ୍ଚଳରେ କାର୍ଯ୍ୟକାରୀ ହେବ। ଏହି ଯୋଜନା ସଫଳ ହେବା ପରେ ଏହା ଅନ୍ୟ ରାଜ୍ୟରେ ମଧ୍ୟ ଆରମ୍ଭ ହେବ। ଆମ ଦେଶରେ ଜନସଂଖ୍ୟାର ସତୁରି ପ୍ରତିଶତ ଲୋକ ଗ୍ରାମରେ ରୁହନ୍ତି ଏବଂ ସେମାନେ ଉତ୍ତମ ସ୍ୱାସ୍ଥ୍ୟ ସୁବିଧା ପାଇଁ ସବୁଠାରୁ ବଡ ଆବଶ୍ୟକତା। କିନ୍ତୁ ଡିଜିଟାଲ ସମସ୍ୟା ଆମ ଦେଶରେ ସର୍ବାଧିକ। ଏଭଳି ପରିସ୍ଥିତିରେ ଗ୍ରାମୀଣ ଜନସଂଖ୍ୟାକୁ ଏହି ଯୋଜନା ସହିତ ଯୋଡିବା ସବୁଠାରୁ ବଡ ଆହ୍ଵାନ।

Categories
PIB_NEWS ଜାତୀୟ ଖବର ବିଶେଷ ଖବର

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ଡିଜିଟାଲ ସ୍ୱାସ୍ଥ୍ୟର ୭୫ଟି ଷ୍ଟାର୍ଟ ଅପକୁ ସ୍ୱତନ୍ତ୍ର ପ୍ରୋତ୍ସାହନ ଘୋଷଣା

ନୂଆଦିଲ୍ଲୀ, “ଆଜାଦୀ କା ଅମୃତ ମହୋତ୍ସବ” ପାଳନ ସହିତ ତାଳଦେଇ ଟେଲି ମେଡ଼ିସିନ୍‍, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ଡିଜିଟାଲ ସ୍ୱାସ୍ଥ୍ୟ କ୍ଷେତ୍ରରେ ୭୫ଟି ଷ୍ଟାର୍ଟ ଅପ୍‍ଙ୍କୁ ସରକାର ଖୁବ୍‍ ଶୀଘ୍ର ସ୍ୱତନ୍ତ୍ର ପ୍ରୋତ୍ସାହନ ଯୋଗାଇଦେବେ । ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଏହା କହିଛନ୍ତି ବିଜ୍ଞାନ ଓ କାରୀଗରୀମନ୍ତ୍ରୀ ଡ ଜିତେନ୍ଦ୍ର ପ୍ରସାଦ ସିଂ। ଏହି ଯୋଜନା ସଂପର୍କରେ ଆଜି ସୂଚନା ଦେଇ କହିଛନ୍ତି ଯେ ଏ ସଂପର୍କରେ ବିରାକ ନେତୃତ୍ୱରେ ସମସ୍ତ ସଦସ୍ୟମାନଙ୍କୁ ଏହି ପରିପ୍ରେକ୍ଷୀରେ ସୂଚୀତ କରାଯାଇଛି । ‘ବିରାକ’ର ଅଧ୍ୟକ୍ଷ ଭାବେ ଏହାର ନେତୃତ୍ୱ ନେଉଛନ୍ତି ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟ ଅଧୀନସ୍ଥ ବାୟୋଟେକ୍ନୋଲୋଜି ବିଭାଗର ସଚିବ ଡକ୍ଟର ରେଣୁ ସ୍ୱରୂପ ।

ବିରାକର ବୋର୍ଡ଼ ଅଫ ଡାଇରେକ୍ଟର୍ସମାନଙ୍କ ସହ କଥାବାର୍ତ୍ତା କଲାବେଳେ ସେ କହିଛନ୍ତି ଯେ ଦେଶ ସ୍ୱାଧୀନତାର ୭୫ତମ ବର୍ଷପୂର୍ତ୍ତି ଅବସରରେ ସର୍ବଶ୍ରେଷ୍ଠ ୭୫ଟି ନବସୃଜନଙ୍କୁ ଚୟନ କରିବା ଏକ ବିରାଟ ଚାଲେଞ୍ଜ୍‍ ସଦୃଶ । ତେବେ ଏହା ଦ୍ୱାରା ଦେଶରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଗବେଷଣା ଓ ବିକାଶ କାର୍ଯ୍ୟକୁ ଏହା ପ୍ରୋତ୍ସାହନ ଯୋଗାଇବ ଯେତେବେଳେକି ସମଗ୍ର ବିଶ୍ୱର ମାନବ ସମାଜ କୋଭିଡ଼ ମହାମାରୀ ଯୋଗୁ ସୃଷ୍ଟ ସମସ୍ୟାକୁ ମୁକାବିଲା କରିଆସୁଛନ୍ତି।

ଡକ୍ଟର ଜିତେନ୍ଦ୍ର ସିଂହ ଏହି ଅବସରରେ ଦୃଢ଼ୋକ୍ତି ବ୍ୟକ୍ତ କରିଥିଲେ ଯେ ବରିଷ୍ଠ ଅଧିକାରୀମାନେ ଟର୍ଣ୍ଣ ଆରାଉଣ୍ଡ ସମୟକୁ ହ୍ରାସ କରିବା ଦିଗରେ ସେମାନଙ୍କର ପ୍ରୟାସ ଜାରି ରଖନ୍ତୁ ଏବଂ ଷ୍ଟାର୍ଟ ଅପମାନଙ୍କୁ ଆବଶ୍ୟକ ସମର୍ଥନ ଯୋଗାଇ ଚାଲନ୍ତୁ ଯାହା ଫଳରେ ଘରୋଇ କ୍ଷେତ୍ର ସେମାନଙ୍କର ଗୁରୁତ୍ୱ ବଜାୟ ରଖିପାରିବେ । ଏହି ଅବସରରେ ସେ ବିରାକର ବୋର୍ଡ ଅଫ୍‍ ଡାଇରେକ୍ଟର୍ସମାନଙ୍କୁ ଆହ୍ୱାନ ଜଣାଇ କହିଥିଲେ ଯେ ସେମାନେ ଷ୍ଟାର୍ଟ ଅପ୍‍ ଆବେଦନକାରୀମାନଙ୍କୁ ନିର୍ଦ୍ଦିଷ୍ଟ ପ୍ରସଙ୍ଗ ପ୍ରଦାନ କରନ୍ତୁ ଯାହା ଫଳରେ କୋଭିଡ଼ ୧୯ର ବିଭିନ୍ନ ପ୍ରସଙ୍ଗକୁ ଏକା ସଙ୍ଗେ ମୁକାବିଲା କରାଯାଇପାରିବ ।

ଷ୍ଟାର୍ଟ ଅପ୍‍ ଇଣ୍ଡିଆ ଏବଂ ମେକ୍‍ ଇନ୍‍ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ବିରାକ ବାୟୋଟେକ୍ନୋଲୋଜି ବାତାବରଣର ବିକାଶ କ୍ଷେତ୍ରକୁ ସଦାସର୍ବଦା ପ୍ରୋତ୍ସାହନ ଓ ସମର୍ଥନ ଯୋଗାଇ ଆସୁଛି । ବିରାକ ଦେଶର ପ୍ରାୟ ୧,୫୦୦ରୁ ଅଧିକ ଷ୍ଟାର୍ଟ ଅପ୍‍, ଉଦ୍ଦ୍ୟୋଗୀ ତଥା ଏସଏମଇମାନଙ୍କୁ ୨,୧୨୮ କୋଟିରୁ ଅଧିକ ପାଣ୍ଠିଗତ ଋଣ ସହାୟତା ଯୋଗାଇ ଦେଇଛି।

ନବସୃଜନ ପାଣ୍ଠି ଯୋଗାଣ ମାଧ୍ୟମରେ ୨୦୧୨ ମସିହାରେ ମାତ୍ର ୫୦ରୁ କମ୍‍ ବାୟୋଟେକ୍ନୋଲୋଜି ଷ୍ଟାର୍ଟ ଅପ୍‍ଙ୍କୁ ୧୦ କୋଟିରୁ କମ୍‍ ଟଙ୍କାର ସହାୟତା ଯୋଗାଇ ଦିଆଯାଉଥିବାବେଳେ ଏବେ ତାହା ୨,୫୦୦ କୋଟିରୁ ଅଧିକ ଟଙ୍କାରେ ପହଞ୍ôଚଛି । ୨୦୨୪ ମସିହା ସୁଦ୍ଧା, ବିରାକ ୧୦,୦୦୦ରୁ ଅଧିକ ବିଟି ଷ୍ଟାର୍ଟ ଅପ୍‍ଙ୍କୁ ସହାୟତା ଯୋଗାଇ ଦେବାର ଲକ୍ଷ୍ୟ ରଖିଛି ।

ପୂର୍ବରୁ ଡକ୍ଟର ଜିତେନ୍ଦ୍ର ସିଂହ ବିରାକର ଇ- କାର୍ଯ୍ୟାଳୟର ଶୁଭାରମ୍ଭ କରିଥିଲେ ଏବଂ ବିରାକ ଇ- କାର୍ଯ୍ୟାଳୟ ସଫ୍ଟୱେରକୁ ଆଜିଠାରୁ କାର୍ଯ୍ୟକ୍ଷମ କରାଯାଇଛି । ବିରାକ ଇ- କାର୍ଯ୍ୟାଳୟ ଲାଇଟ୍‍ ସଫ୍ଟୱେର୍‍କୁ ଏନଆସିଏସଆଇ ସର୍ଭରରେ ୨୦୨୧ ମସିହା ଅଗଷ୍ଟ ୧ ତାରିଖ ଠାରୁ ଟେଷ୍ଟିଂ ମୋଡରେ ଅବସ୍ଥାପିତ କରାଯାଇଛି । କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ କହିଲେ ଯେ ଡିଜିଟାଲ ଇଣ୍ଡିଆ ମିଶନ ଏକ ମହତ୍ତ୍ୱାକା, ପ୍ରକଳ୍ପ ଯାହାକି ଦେଶର ସମୃଦ୍ଧିକୁ ସ୍ୱଚ୍ଛତା ଏବଂ ସୁଶାସନ ଜରିଆରେ ପ୍ରୋତ୍ସାହିତ କରିବ ।

ବିରାକର ଏକ ଇନ୍‍ ହାଉସ୍‍ ବିରାକ ୩ଆଇ ପୋର୍ଟାଲ (inhouse BIRAC 3i portal) ରହିଛି ଯେଉଁଠାରେ ସମସ୍ତ ପ୍ରକାର ଆବେଦନ ଏବଂ ପ୍ରସ୍ତାବକୁ ଅନଲାଇନ୍‍ରେ ପୈଠ କରାଯାଇପାରିବ । ଏହି ପୋର୍ଟାଲ ୨୦୧୦ ମସିହା ଫେବୃଆରୀ ମାସରେ ଶୁଭାରମ୍ଭ କରାଯାଇଥିଲା ଏବଂ ଏହା ଏକ ସକ୍ରିୟ, ବିଶାଳ, ବିଜ୍ଞାନ ଏବଂ ନବସୃଜନ ଗବେଷଣା ପାଣ୍ଠି ପରିଚାଳନା ସକାଶେ ଏକ ଆକଳନଯୋଗ୍ୟ ପ୍ରୟୋଗସିଦ୍ଧ ସାଧନ ଯାହାର ବିଭିନ୍ନ ହିତଧାରକ ଯଥା ବିଭିନ୍ନ କମ୍ପାନୀ, ପ୍ରତିଷ୍ଠାନ ଓ ବ୍ୟକ୍ତିବିଶେଷ ରହିଛନ୍ତି ଏବଂ ସେମାନେ ଅନଲାଇନରେ ସେମାନଙ୍କର ପ୍ରସ୍ତାବମାନ ଏଥିରେ ପୈଠ କରିପାରୁଛନ୍ତି ।

ଡିଏସଟିର ଯୁଗ୍ମ ସଚିବ ତଥା ବିରାକର ପରିଚାଳନା ନିର୍ଦ୍ଦେଶକ ସୁଶ୍ରୀ ଅଞ୍ଜୁ ଭାଲ୍ଲା ଏବଂ ବିରାକର ଓ ଡିବିଟିର ବରିଷ୍ଠ ପଦାଧିକାରୀମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

Categories
ଜାତୀୟ ଖବର ବିଶେଷ ଖବର

ଖୁବ ଶିଘ୍ର ସ୍ବାସ୍ଥ୍ୟ ସେବାରେ ଲାଗୁ ହେବ ନୂତନ ଡିଜିଟାଇଜେସନ ବ୍ୟବସ୍ଥା, ପ୍ରଧାନମନ୍ତ୍ରୀ କଲେ ସମୀକ୍ଷା

ନୂଆଦିଲ୍ଲୀ, ଜାତୀୟ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ (ଏନଡିଏଚଏମ)ର ସମୀକ୍ଷା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ୧୫ ଅଗଷ୍ଟ ୨୦୨୦ରେ, ନିଜର ସ୍ୱାଧୀନତା ଦିବସ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ଏନଡିଏଚଏମର ଶୁଭାରମ୍ଭ ଘୋଷଣା କରିଥିଲେ। ସେବେଠାରୁ, ଡିଜିଟାଲ ମଡ୍ୟୁଲ ଓ ରେଜିଷ୍ଟ୍ରି ବିକଶିତ କରାଯାଇ ଆସୁଛି ଏବଂ ଏହି ମିଶନକୁ ଛଅଟି କେନ୍ଦ୍ର ଶାସିତ ପ୍ରଦେଶରେ କାର‌୍ୟ୍ୟକାରୀ କରାଯାଇଛି। ବର୍ତ୍ତମାନସୁଦ୍ଧା ୧୧.୯ ଲକ୍ଷ ସ୍ୱାସ୍ଥ୍ୟ ଆଇଡି ସୃଷ୍ଟି କରାଯାଇଛି ଏବଂ ୩୧୦୬ ଡାକ୍ତର ଓ ୧୪୯୦ ଡାକ୍ତରଖାନା ଏହି ପ୍ଲାଟଫର୍ମରେ ପଞ୍ଜୀକରଣ କରିଛନ୍ତି।

ଡିଜିଟାଲ ସ୍ୱାସ୍ଥ୍ୟ ପାଇଁ ଏକ ମୁକ୍ତ ଓ ଆନ୍ତଃପରିଚାଳିତ ଆଇଟି ନେଟଓ୍ବର୍କ-ୟୁନିଫାଏଡ ହେଲ୍ଥ ଇଣ୍ଟରଫେସ (ୟୁଏଚଆଇ) ଖୁବଶୀଘ୍ର କାର‌୍ୟ୍ୟକାରୀ କରିବା ପାଇଁ ପରିକଳ୍ପନା କରାଯାଇଛି। ଏହା ବ୍ୟବହାରକାରୀମାନଙ୍କୁ ଟେଲି ପରାମର୍ଶ ଏବଂ ଲାବୋରେଟୋରୀ ପରୀକ୍ଷା ଭଳି ଜରୁରି ଚିକିତ୍ସା ସେବା ସନ୍ଧାନ କରିବା, ପଞ୍ଜୀକରଣ କରିବା ଓ ହାସଲ କରିବାରେ ସହାୟକ ହୋଇପାରିବ। ଏହି ବ୍ୟବସ୍ଥା ଫଳରେ କେବଳ ପ୍ରାମାଣିକ ଚିକିତ୍ସା ସେବା ପ୍ରଦାନକାରୀମାନେ ବ୍ୟବସ୍ଥା ସହିତ ଯୋଡ଼ି ହୋଇପାରିବେ। ଏହା ନବୋନ୍ମେଷ ସହିତ ନାଗରିକମାନଙ୍କ ପାଇଁ ବିଭିନ୍ନ ସେବା ସହିତ ଡିଜିଟାଲ ସ୍ୱାସ୍ଥ୍ୟ ପ୍ରଯୁକ୍ତି ବିପ୍ଳବ ଆଣିବ ବୋଲି ଆଶା କରାଯାଉଛି। ଏପରି କରାଯିବା ଫଳରେ, ସାରା ଦେଶରେ ଅଧିକ ପ୍ରଭାବୀ ଢଙ୍ଗରେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ଓ ମାନବ ସମ୍ବଳକୁ ଉପଯୋଗ କରାଯାଇପାରିବ।

ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ (ଏନପିସିଆଇ) ଦ୍ଵାରା ବିକଶିତ ୟୁପିଆଇ ଇ-ଭାଉଚର ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା। ଏହି ଡିଜିଟାଲ ପଇଠ ବିକଳ୍ପ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ସହ ଜଡ଼ିତ ଆର୍ଥିକ କାରବାର ପାଇଁ ସୁବିଧା ଯୋଗାଇବ ଯାହାକୁ କେବଳ ନିର୍ଦ୍ଦିଷ୍ଟ ୟୁଜର ହିଁ ବ୍ୟବହାର କରିପାରିବେ। ବିଭିନ୍ନ ସରକାରୀ ଯୋଜନାର ବାଞ୍ଝିତ ଓ ପ୍ରଭାବୀ ବିତରଣ ଲାଗି ଏହା ଉପଯୋଗୀ ହୋଇପାରିବ। ଏହାଛଡ଼ା ଚିକିତ୍ସା ସେବା ପାଇବା ଲାଗି ୟୁପିଆଇ ଇ-ଭାଉଚରକୁ ଉପଯୋଗ କରାଯାଇପାରିବ।

ଏନଡିଏଚଏମ ଅନ୍ତର୍ଗତ ବିଭିନ୍ନ କାର‌୍ୟ୍ୟକ୍ରମଗୁଡ଼ିକୁ ସମ୍ପ୍ରସାରିତ କରିବା ଲାଗି ତ୍ୱରିତ ପଦକ୍ଷେପ ନେବା ନିମନ୍ତେ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ବହୁସଂଖ୍ୟକ ଚିକିତ୍ସା ସେବା ଉପଲବ୍ଧ କରାଇବା ଜରିଆରେ ଏନଡିଏଚଏମ ନାଗରିକମାନଙ୍କ ଜୀବନକୁ ସହଜ କରିବ। ସେ ଉଲ୍ଲେଖ କରିଥିଲେ ଯେ ଯଦିଓ ବୈଷୟିକ ପ୍ଲାଟଫର୍ମ ଓ ରେଜିଷ୍ଟ୍ରି ପ୍ରସ୍ତୁତି ଅତ୍ୟନ୍ତ ଜରୁରି ଉପାଦାନ, ତଥାପି ସାରା ଦେଶର ନାଗରିକମାନଙ୍କୁ ଡାକ୍ତରଙ୍କ ଟେଲି ପରାମର୍ଶ, ପରୀକ୍ଷାଗାରର ସେବା ପାଇବା, ଡାକ୍ତରଙ୍କୁ ପରୀକ୍ଷା ରିପୋର୍ଟ ଓ ସ୍ୱାସ୍ଥ୍ୟ ରେକର୍ଡ ଡିଜିଟାଲ ମାଧ୍ୟମରେ ହସ୍ତାନ୍ତର କରିବା ଏବଂ ଉପରୋକ୍ତ କୌଣସି ସେବା ପାଇଁ ଡିଜିଟାଲ ମାଧ୍ୟମରେ ଅର୍ଥ ପଇଠ କରିବା ଭଳି ସେବା ନାଗରିକମାନଙ୍କୁ ଉପଲବ୍ଧ କରାଯାଇପାରିଲେ ଏହି ପ୍ଲାଟଫର୍ମର ଉପଯୋଗିତା ସାବ୍ୟସ୍ତ ହୋଇପାରିବ। ଏ ଦିଗରେ ସମନ୍ୱିତ ପ୍ରୟାସ କରିବା ଲାଗି ଏନଏଚଏ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟକୁ ସେ ନିର୍ଦ୍ଦେଶ ଦେଇଥିଲେ।