Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ୧୪ ତମ ଜାତୀୟ ମତଦାତା ଦିବସ ପାଳନ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲା ସ୍ତରରେ ୧୪ ତମ ଜାତୀୟ ମତଦାତା ଦିବସ ପାଳିତ ହୋଇ ଯାଇଅଛି। ଏହା ୨୦୧୧ ମସିହାରୁ ପ୍ରତିବର୍ଷ ଜାନୁୟାରୀ ୨୫ ତାରିଖ ଦିନ ପାଳନ କରାଯାଇ ଆସୁଅଛି।। ଭାରତର ନିର୍ବାଚନ କମିଶନ ତା ୨୫/୦୧/୧୯୫୦ ମସିହାରେ ଗଠନ ହୋଇଥିଲା। ଏହି ଗଠନ ଦିବସକୁ ସ୍ମରଣ କରାଯାଇ ନୂଆ ଭୋଟର ମାନଙ୍କୁ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିବାକୁ ଉତ୍ସାହିତ କରିବା ଓ ଭୋଟ ଦେବାର ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ତଥା ଗଣତନ୍ତ୍ରକୁ ମଜବୁତ କରିବା ପାଇଁ ଏହି ଦିନ ଟିକୁ ଜାତୀୟ ମତଦାତା ଦିବସ ଭାବରେ ପାଳନ କରାଯାଏ।

ଏହି ପରିପ୍ରେକ୍ଷୀରେ ଡିବା ୯ ଘଟିକା ସମୟରେ  ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ପଦଯାତ୍ରା ଖୋର୍ଦ୍ଧା ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର‌୍ୟ୍ୟ।ଳୟରୁ ବାହାରି ପୋଲିସ ସୁରକ୍ଷା ସହିତ ଏକ କିଲୋମିଟର ପଲାହାଟ ଛକ ପର‌୍ୟ୍ୟନ୍ତ ଯାତ୍ରା କରି ପୁନଶ୍ଚ ସମସ୍ତେ ଜିଲ୍ଲା ପରିଷଦ, ଖୋର୍ଦ୍ଧା ସମ୍ମେଳନ କକ୍ଷକୁ ଫେରି ଆସିଲେ। ପଦଯାତ୍ରାରେ ଛାତ୍ର ଛାତ୍ରୀ, ଶିକ୍ଷକ, ଗଣମାଧ୍ୟମ ପ୍ରତିନିଧି, ରାଜନୈତିକ ପ୍ରତିନିଧି, ଅତିରିକ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ନିର୍ବାଚନ ଅଧିକାରୀ, ଖୋର୍ଦ୍ଧା, ଉପଜିଲ୍ଲାପାଳ, ଖୋର୍ଦ୍ଧା, ଉପ ନିର୍ବାଚନ ଅଧିକାରୀ, ଖୋର୍ଦ୍ଧା ଓ ଅନ୍ୟମାନେ ସାମିଲ ହୋଇଥିଲେ। ଜନ ସଚେତନତା ସୃଷ୍ଟି କରିବା ପାଇଁ ବ୍ୟାନର, ପୋଷ୍ଟର ବ୍ୟବହାର କରାଯାଇ ଥିଲା।

ପଦଯାତ୍ରା ସମାପ୍ତ ହେଲା ପରେ  ଜିଲ୍ଲା ପରିଷଦ, ଖୋର୍ଦ୍ଧା ସମ୍ମେଳନ କକ୍ଷରେ ଏକ ସଭା ଆୟୋଜନ କରାଯାଇ ଥିଲା। ଏହି ସଭାରେ ପ୍ରତାପ ଚନ୍ଦ୍ର ବେଉରା, ଅତିରିକ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ନିର୍ବାଚନ ଅଧିକାରୀ, ଖୋର୍ଦ୍ଧା ଅଧ୍ୟକ୍ଷତା କରି ଉପସ୍ଥିତ ସମସ୍ତଙ୍କୁ ମତଦାତାଙ୍କ ସଂକଳ୍ପ ପାଠ କରାଇ ଥିଲେ।

ଉପସ୍ଥିତ ଅଧିକାରୀଙ୍କ ଅଭିଭାଷଣ ପରେ ନୂଆ ପଞ୍ଜୀକୃତ ଭୋଟର ମାନଙ୍କୁ ସମ୍ବର୍ଦ୍ଧିତ କରି ଭୋଟ ପରିଚୟ ପତ୍ର  ପ୍ରଦାନ କରା ଯାଇଥିଲା। ତାହାପରେ ଜିଲ୍ଲା ସ୍ତରରେ ନିର୍ବାଚନ ସମ୍ବନ୍ଧିତ ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀ ମାନଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରା ଯାଇ ଥିଲା ଓ ଭୋଟର ତାଲିକା  ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ, ୨୦୨୪ ରେ  ଭଲ ପ୍ରଦର୍ଶିତ କରିଥିବା ASSISTANT ELECTORAL REGISTRATION OFFICER, BOOTH LEVEL OFFICER, BLO SUPERVISOR ମାନଙ୍କୁ ପ୍ରମାଣପତ୍ର ଓ ଉତ୍ତରୀୟ ପ୍ରଦାନ କରାଗଲା। ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସମାପ୍ତ କରା ଯାଇଥିଲା।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଜାତୀୟ ମତଦାତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର: ଆସନ୍ତା ଜାନୁଆରୀ ୨୫ ତାରିଖ ଦିନ ତ୍ରୟୋଦଶ ଜାତୀୟ ମତଦାତା ଦିବସ ପାଳନ ନିମନ୍ତେ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ସୁଶୀଲ କୁମାର ଲୋହାନୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନ ଆୟୋଗର ପ୍ରତିଷ୍ଠା ଦିବସକୁ ସ୍ମରଣ କରିବା ସହ ସର୍ବବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ନିମନ୍ତେ ପ୍ରତିବର୍ଷ ଜାନୁଆରୀ ୨୫ ତାରିଖକୁ ଜାତୀୟ ମତଦାତା ଦିବସ ଭାବେ ଦେଶରେ ପାଳନ କରାଯାଉଛି।

ଭୋଟର ତାଲିକାରେ ଅଧିକରୁ ଅଧିକ ନାମ ପଂଜୀକରଣ, ବିଶେଷ କରି ଯୁବଭୋଟମାନଙ୍କୁ ଭୋଟର ତାଲିକାରେ ନାମ ପଂଜୀକରଣ, ନିର୍ବାଚନ ସଂପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ନିର୍ବାଚନ ପ୍ରକ୍ରିୟାରେ ଶତପ୍ରତିଶତ ଅଂଶଗ୍ରହଣ କରି ସଠିକ୍‌ ତଥା ଉପଯୁକ୍ତ ନେତା ଚୟନ କରିବା ହେଉଛି ମତଦାତା ପାଳନ ଦିବସର ଅନ୍ୟ ଏକ ମହତ୍ତର ଉଦ୍ଦେଶ୍ୟ। ପ୍ରତିବର୍ଷ ନୂତନ ଭୋଟରଙ୍କ ପଂଜୀକରଣ ନିମନ୍ତେ ନିର୍ବାଚନ ଆୟୋଗ ଭୋଟର ତାଲିକାରେ ପଂଜୀକରଣ ପାଇଁ କେତେଗୁଡ଼ିଏ ସଂସ୍କାର ଆଣିଛନ୍ତି।

ଭୋଟର ତାଲିକାରେ ନାମ ପଂଜୀକରଣ ନିମନ୍ତେ ପୂର୍ବରୁ ଗୋଟିଏ ଯୋଗ୍ୟତାସୂଚକ ତାରିଖ ଥିଲା। ବର୍ତ୍ତମାନ ତାହା ପରିବର୍ତ୍ତନ କରାଯାଇ ଗୋଟିଏ ବର୍ଷରେ ୪ ଗୋଟି ଯୋଗ୍ୟତାସୂଚକ ତାରିଖ ସ୍ଥିର କରାଯାଇଛି । ପଂଜୀକରଣ ନିମନ୍ତେ ସହଜ ଓ ସରଳ ଫର୍ମର ବ୍ୟବହାର କରାଯାଉଛି ଓ ଅଯୋଗ୍ୟ ଭୋଟରମାନଙ୍କୁ ତାଲିକାରୁ ବାଦ୍‌ ଦେବା ନିମନ୍ତେ ଭୋଟର ଫଟୋ ପରିଚୟ ପତ୍ର ସହ ଆଧାର କାର୍ଡ ସଂଯୋଗ ଇତ୍ୟାଦି ବ୍ୟବସ୍ଥାର ପ୍ରଚଳନ କରାଯାଇଛି।

ବର୍ତ୍ତମାନ ନିର୍ବାଚନ ଆୟୋଗଙ୍କ ନୂତନ ନିଷ୍ପତ୍ତି ଅନୁସାରେ ୧୭ ବର୍ଷରୁ ଊଦ୍ଧ୍ୱର୍ ବୟସର ଯୁବକଯୁବତୀମାନେ ଚାହିଁଲେ ଆଗୁଆ ଭାବେ ଭୋଟର ତାଲିକାରେ ନାମ ପଂଜୀକରଣ ପାଇଁ ଅନ୍‌ଲାଇନ୍‌ ମାଧ୍ୟମରେ ଆବେଦନ କରିପାରିବେ। ସହଜରେ ଭୋଟର ତାଲିକାରେ ଅନ୍‌ଲାଇନ୍‌ ନାମ ପଂଜୀକରଣ ନିମନ୍ତେ ଭୋଟର ହେଲପ୍‌ ଲାଇନ୍‌ ଓ ଏନ୍‌ଭିଏସ୍‌ପି ଭଳି ଆପ୍‌ର ପ୍ରଚଳନ ନିର୍ବାଚନ ଆୟୋଗଙ୍କ ଦ୍ୱାରା କରାଯାଇଛି ।

ଜାତୀୟ ମତଦାତା ଦିବସ ପାଳନ ଅବସରରେ ଏହି ଦିନ ଅର୍ଥାତ୍‌ ଜାନୁଆରୀ ୨୫ ତାରିଖରେ ମହାବିଦ୍ୟାଳୟ ଓ ଅନ୍ୟ ଅନୁଷ୍ଠାନମାନଙ୍କର ଛାତ୍ରଛାତ୍ରୀ(୧୭ ବର୍ଷରୁ ଊଦ୍ଧ୍ୱର୍)ଙ୍କ ଦ୍ୱାରା ଶୋଭାଯାତ୍ରା, କୁଇଜ୍‌, ତର୍କ, ରଙ୍ଗୋଲି ପେଣ୍ଟିଂ ଇତ୍ୟାଦି ପ୍ରତିଯୋଗିତାମାନ ଆନୁଷ୍ଠିତ ହେବାକୁ ବୈଠକରେ ସ୍ଥିର କରାଯାଇଛି ।

ନିକଟ ଅତୀତରେ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା କର୍ମଚାରୀମାନଙ୍କୁ ଏହି ଅବସରରେ ସମ୍ମାନିତ କରାଯିବକୁ ସ୍ଥିର କରାଯାଇଛି । ସେହିଭଳି ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବୁଥ୍‌ସ୍ତରୀୟ ଅଧିକାରୀ, ରିଟର୍ଣ୍ଣିଂ ଅଧିକାରୀ, ସହକାରୀ ରିଟର୍ଣ୍ଣିଂ ଅଧିକାରୀଙ୍କୁ ସମ୍ମାନିତ କରାଯିବାକୁ ସ୍ଥିର କରାଯାଇଛି। ଏଥି ସହ ଉକ୍ତ ଦିନ ବିଭିନ୍ନ ପ୍ରକାରର ଆଦିବାସୀ ନୃତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସଂଘମିତ୍ରା ଶତପଥୀ ଓ ଶତ୍ରୁଘ୍ନ କର, ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ପି.କେ. ସ୍ୱାଇଁ, ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ (ବୈଷୟିକ) ସୁରେନ୍ଦ୍ର ନାଥ ପରିଡ଼ା, ଭୁବନେଶ୍ୱର ଉପଜିଲ୍ଲାପାଳ ଦେବବ୍ରତ ସାହୁ, ଓଏସ୍‌ଡ଼ି ଭବାନୀ ପ୍ରସାଦ ରାୟ, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ, ଅର୍ଥ ପରାମର୍ଶଦାତା ସଂଜୟ ଲୁଗୁନ୍‌, ଭୁବନେଶ୍ୱର ମୁନିସିପାଲ୍‌ କର୍ପୋରେସନ୍‌ର ଡେପୁଟୀ କମିଶନର ସପନ କୁମାର ନନ୍ଦ ଯୋଗଦେଇଥିଲେ।

ସେହିପରି ସଂସ୍କୃତି ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଅନାମିକା ଅଧିକାରୀ, ଉତ୍କଳ ସଂଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ବିଜୟ କୁମାର ଜେନା, ଡେପୁଟୀ କମିଶନର ଅଫ୍‌ ପୋଲିସ୍‌ ଆଇ.କେ. ମହାପାତ୍ର, ଭୁବନେଶ୍ୱର ସୂଚନା ଓ ଲୋକସଂପର୍କ ଅଧିକାରୀ ପଠାଣି ରାଉତ, ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍‌ ଓ ଗାଇଡ୍‌ର ରାଜ୍ୟ ସଂପାଦକ ମିହିର ରଞ୍ଜନ ପଟ୍ଟନାୟକ, ଓଡ଼ିଶା ଇଲେକ୍‌ସନ୍‌ ୱାଚର ଜ୍ୟୋତି ମହାନ୍ତି ଓ ରଞ୍ଜନ କୁମାର ମହାନ୍ତି, ଅନୁଶାସନ ସଚିବ ଶିବନାରାୟଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।