Categories
ଆଜିର ଖବର ଜାତୀୟ ଖବର

ଜାନୁୟାରୀ ୧୨ରେ ଚଳିତବର୍ଷର ଜାତୀୟ ଯୁବ ଉତ୍ସବକୁ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ଚଳିତ ଜାନୁୟାରୀ ମାସ ୧୨ ତାରିଖରେ କର୍ଣ୍ଣାଟକର ହୁବୁଲିଠାରେ ଆୟୋଜିତ ଜାତୀୟ ଯୁବ ଉତ୍ସବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ଘାଟନ କରିବେ। ଆଜି ନୂଆଦିଲ୍ଲୀଠାରେ କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଷଡବିଂଶ (୨୬ତମ) ଜାତୀୟ ଯୁବ ଉତ୍ସବ ଏଥର କର୍ଣ୍ଣାଟକର ଧାରୱାଡ ଜିଲ୍ଲା ଅନ୍ତର୍ଗତ ହୁବୁଲିଠାରେ ଆୟୋଜିତ ହେଉଛି। ସ୍ୱାମିଜୀଙ୍କ ଜୟନ୍ତୀ ଜାନୁୟାରୀ ୧୨ରୁ ଏହା ଆରମ୍ଭ ହୋଇ ୧୬ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଉତ୍ସବ କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ହେଉଛି। କର୍ଣ୍ଣାଟକ ସରକାର ଏହି କାର୍ଯ୍ୟକ୍ରମ ଆୟୋଜନରେ ସହାୟତା ଯୋଗାଉଛନ୍ତି।

ମନ୍ତ୍ରୀ ଅନୁରାଗ ସିଂହ ଠାକୁର କହିଛନ୍ତି ଯେ ଆମେ ଏବେ ଆଜାଦିର ଅମୃତ ମହୋତ୍ସବ ପାଳନ କରୁଛୁ। ଏହି ଅମୃତ କାଳରେ ଯୁବ ସମାଜର ଭୂମିକାକୁ ବଢାଇ ସେମାନଙ୍କୁ ରାଷ୍ଟ୍ର ନିର୍ମାଣ ଦିଗରେ ବ୍ରତୀ କରିବା ଏହି ଉତ୍ସବର ଲକ୍ଷ୍ୟ। ଅତଏବ ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ  ‘ପଞ୍ଚପ୍ରାଣ’ ବାର୍ତ୍ତା  ଯୁବବର୍ଗଙ୍କ ମଧ୍ୟରେ ପ୍ରଚାର ଓ ପ୍ରସାର କରିବା ପାଇଁ ଉଦ୍ୟମ କରାଯାଉଛି। ଏ ସମ୍ପର୍କରେ ଅଧିକ ତଥ୍ୟ ପ୍ରଦାନ କରି ସେ କହିଛନ୍ତି ଯେ ଚଳିତବର୍ଷ ଭାରତ ଜି-୨୦ ଅଧ୍ୟକ୍ଷ ପଦ ଗ୍ରହଣ କରିଛି। ଏହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ଗର୍ବ ଓ ଗୌରବର ବିଷୟ। ଏଥିପାଇଁ କ୍ରୀଡା ଓ ଯୁବ ସେବା ମନ୍ତ୍ରଣାଳୟ ପକ୍ଷରୁ ଦେଶ ବ୍ୟାପୀ ‘ୱାଇ ଟକ୍ସ’ ଆୟୋଜନ କରାଯାଉଛି। ଏଥିରେ ଜି-୨୦ର ଯୁବ -୨୦ ବା ୟୁଥ-୨୦ କାର୍ଯ୍ୟକ୍ରମ ଗୁରୁତ୍ୱ ପାଇବ। ଜାତୀୟ ଯୁବ ଉତ୍ସବ ୱାଇ-୨୦ କାର୍ଯ୍ୟକ୍ରମରେ ଦେଶବ୍ୟାପୀ ଯୁବକଯୁବତୀମାନଙ୍କୁ  ନିୟୋଜିତ କରିବାର ପ୍ରକ୍ରିୟା ଆରମ୍ଭ କରିବ। ଏଥିରେ ୱାଇ-୨୦ର ବିଷୟବସ୍ତୁ ସମ୍ପର୍କରେ ଯୁବ ସମାଜକୁ ସଚେତନ  କରାଯିବ। ଏହି ସଚେତନତା ବାର୍ତ୍ତାକୁ ଦେଶର କୋଣ ଅନୁକୋଣରେ ପହଂଚାଇବାକୁ ଉଦ୍ୟମ ହେବ।

ମନ୍ତ୍ରୀ ଶ୍ରୀ ଠାକରୁ କହିଛନ୍ତି ଯେ ଏହି ଯୁବ ଉତ୍ସବ ଏକ ସବୁଜ ମହୋତ୍ସବ ଭାବେ ମଧ୍ୟ ପାଳିତ ହେବାକୁ ଯାଉଛି। ଏଥିରେ ବ୍ୟବହୃତ ସମସ୍ତ ସାମଗ୍ରୀ ଜୈବିକ ଉପାୟରେ ନଷ୍ଟ ହେବା ଯୋଗ୍ୟ। ଏହା ଦ୍ୱାରା  ପରିବେଶ ପ୍ରଦୂଷଣର ଅବକାଶ ରହିବ ନାହିଁ। ଏଥିରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ‘ମିଶନ ଲାଇଫ’ ଏବଂ ସବୁଜ ଇନ୍ଧନ ଉପରେ ଅଗ୍ରାଧିକାର ପ୍ରଦାନ କରାଯିବ।

୨୬ତମ ଜାତୀୟ ଯୁବ ଉତ୍ସବ କାର୍ଯ୍ୟକ୍ରମର ସବିଶେଷ ବିବରଣୀ ପ୍ରଦାନ କରି କେନ୍ଦ୍ର ଯୁବସେବା ବିଭାଗର ସଚିବ ମିତା ଆର୍ ଲୋଚନ କହିଛନ୍ତି ଯେ କେନ୍ଦ୍ର କ୍ରୀଡା ଓ ଯୁବ ସେବା ମନ୍ତ୍ରଣାଳୟ କର୍ଣ୍ଣାଟକର ଧାରୱାଡ୍ ଜିଲ୍ଲା ଅନ୍ତର୍ଗତ ହୁବୁଲିରେ ଏହାକୁ ଆୟୋଜନ କରୁଛି। କର୍ଣ୍ଣାଟକ ସରକାର ଏଥିପାଇଁ ସହାୟତା ଯୋଗାଉଛନ୍ତି। ପ୍ରଧାନମନ୍ତ୍ରୀ ଏହାକୁ ଉଦ୍‌ଘାଟନ କରି ଉପସ୍ଥିତ ଯୁବବର୍ଗଙ୍କ ସହିତ ନିଜର ଲକ୍ଷ୍ୟକୁ ବାଣ୍ଟିବେ। ଏହି ଅନୁପମ ପାଞ୍ଚ ଦିନିଆ କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ପ୍ରାନ୍ତରୁ ୭୫୦୦ରୁ ଅଧିକ ଯୁବ ପ୍ରତିନିଧି ନାନାପ୍ରକାର ଶିକ୍ଷଣ କାର୍ଯ୍ୟରେ ଭାଗନେବେ। ଏହି ପ୍ରତିନିଧିମାନେ  ନିଜ ନିଜ କ୍ଷେତ୍ରରେ ପ୍ରତିଷ୍ଠିତ ଏବଂ ନେତୃତ୍ୱ ଦେଉଛନ୍ତି । ଚଳିତବର୍ଷ ଉତ୍ସବର ବିଷୟବସ୍ତୁ ହେଲା “ବିକଶିତ ଯୁବ ଶକ୍ତି, ବିକଶିତ ଭାରତ।”

ଏହି ଉତ୍ସବର କାର୍ଯ୍ୟକ୍ରମରେ ଛାତ୍ର କୈନ୍ଦ୍ରିକ ଶାସନ ଓ ଡିଜିଟାଲ ଇଣ୍ଡିଆ ଉପରେ ଆଲୋଚନା, ଦୁଃସାହସିକ କ୍ରୀଡା, ବିଭିନ୍ନ ରାଜ୍ୟର ପାରମ୍ପରିକ କ୍ରୀଡା, ପ୍ରତିଯୋଗିତାମୂଳକ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ, ଲୋକସଙ୍ଗୀତ ଗାୟନ ଆଦି ସ୍ଥାନ ପାଇଛି।

ଏଥିପାଇଁ ବିଭିନ୍ନ ରାଜ୍ୟରୁ ଯୁବ କଳାକାର ଗୋଷ୍ଠୀଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। ଏହାଛଡା ଏହି ପାଞ୍ଚଦିନିଆ କାର୍ଯ୍ୟକ୍ରମର ସାମାଜିକ ବିକାଶ ମେଳା ଯୁବକୃତି, ଦୁଃସାହସିକ ଉତ୍ସବ, ସୁବିଚାର, ଯୁବ କଳାକାର ଶିବିର ଆଦି ସ୍ଥାନ ପାଇଛି।

ଯୁବ ଶିଖର ସମ୍ମିଳନୀରେ ଏକ ବିଂଶ ଶତାବ୍ଦୀର ଦକ୍ଷତା, ଜଳବାୟୁ  ପରିବର୍ତ୍ତନ ଓ ବିପର୍ଯ୍ୟୟ ହ୍ରାସ, ଶାନ୍ତି ପ୍ରତିଷ୍ଠା ଓ ବୁଝାମଣା, ଗଣତନ୍ତ୍ର ଓ ଶାସନରେ ଯୁବ ସମାଜର ଭୂମିକା, ସ୍ୱାସ୍ଥ୍ୟ ଏବଂ ନିରାମୟ ଜୀବନ ଆଦି ପ୍ରସଙ୍ଗ ସ୍ଥାନିତ ହୋଇଛି। ଏହା ଉପରେ ଆଲୋଚନା କରାଯିବ। ଉତ୍ସବର ଅନେକ କାର୍ଯ୍ୟକ୍ରମର ସିଧାସଳଖ ପ୍ରସାରଣ କରାଯାଇ ଦେଶର ବିଭିନ୍ନ ଅଞ୍ଚଳର ଯୁବକଯୁବତୀଙ୍କ ପାଖରେ ପହଞ୍ଚାଯିବ। ସେମାନେ ପରୋକ୍ଷ ଭାବେ ଏହି ଉତ୍ସବ ସହିତ ଯୋଡି ହୋଇପାରିବେ। ଚଳିତବର୍ଷର ଉତ୍ସବଟିକୁ ସବୁଜ ଯୁବ ଉତ୍ସବ ଭାବେ ପାଳନ କରାଯାଉଛି। ଏଥିରେ କୌଣସି ପ୍ରଦୂଷଣକାରୀ ସାମଗ୍ରୀ ବ୍ୟବହାର କରାଯିବ ନାହିଁ।

ଜାନୁୟାରୀ ୧୫ରେ ସକାଳ ଛ’ରୁ ଆଠ ମଧ୍ୟରେ ‘ଯୋଗଥନ୍‌’ର ପରିକଳ୍ପନା କରାଯାଇଛି। ଏଥିରେ କର୍ଣ୍ଣାଟକର ୩୧ଟି ଜିଲ୍ଲାରୁ ୫ଲକ୍ଷ ଲୋକଙ୍କୁ ସାମିଲ କରିବାକୁ ଉଦ୍ୟମ କରାଯାଉଛି।

Categories
ବିଶେଷ ଖବର

ଆସନ୍ତାକାଲି ଜାତୀୟ ଯୁବ ଉତ୍ସବ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୨ ତାରିଖ ଦିନ ୧୧ଟା ବେଳେ ପୁଡୁଚେରୀଠାରେ ୨୫ତମ ଜାତୀୟ ଯୁବ ଉତ୍ସବ ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଟନ କରିବେ। ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଦିବସକୁ ଏହି ଦିନ ଜାତୀୟ ଯୁବ ଦିବସ ଭାବେ ପାଳନ କରାଯାଇଥାଏ।

ଏହି ଉତ୍ସବ ଭାରତୀୟ ଯୁବକଯୁବତୀମାନଙ୍କ ମନକୁ ସୁଗଠିତ କରିବା ସହ ରାଷ୍ଟ୍ର ଗଠନରେ ସେମାନଙ୍କୁ ଏକ ମିଳିତ ଶକ୍ତି କରି ଗଢ଼ି ତୋଳିଥାଏ। ସାମାଜିକ ସୌହାର୍ଦ୍ଦ୍ୟ ଏବଂ ମେଧା ଓ ସାଂସ୍କୃତିକ ସଂହତିର ଏହା ହେଉଛି ଏକ ବିରାଟ ପ୍ରଦର୍ଶନ। ଏହା ଭାରତର ବିବିଧ ସଂସ୍କୃତିକୁ ସମନ୍ୱିତ କରି ଏକତା ସୂତ୍ରରେ  ‘ଏକ ଭାରତ ଶ୍ରେଷ୍ଠ ଭାରତ’ କରି ବାନ୍ଧିଥାଏ।

କୋଭିଡ ପରିସ୍ଥିତିକୁ ଆଖି ଆଗରେ ରଖି ଚଳିତ ବର୍ଷ ୧୨-୧୩ ଜାନୁଆରୀ ୨୦୨୨ ରେ ଏହି ଉତ୍ସବକୁ ଭର୍ଚୁଆଲ ମୋଡରେ ପାଳନ କରିବାକୁ ସ୍ଥିର କରାଯାଇଛି। ଉଦଘାଟନ ପରେ ପରେ ଚାରିଟି ଚୟନିତ ବିଷୟକୁ ନେଇ ଜାତୀୟ ଯୁବ ଶିଖର ବୈଠକରେ ଏକ ଦଳଗତ ଆଲୋଚନା ହେବ। ଯୁବ ବର୍ଗର ବିକାଶ ଓ ସେମାନଙ୍କୁ ଦେଶ ଗଠନରେ ପ୍ରୋତ୍ସାହନ ଦେବାକୁ ଯେଉଁ ଚାରିଟି ବିଷୟ ବଛାଯାଇଛି ସେଗୁଡିକ ହେଲା ପରିବେଶ, ଜଳବାୟୁ ଓ ଏସଡିଜି ବା ନିରନ୍ତର ବିକାଶ ଲକ୍ଷ୍ୟ, ପ୍ରଯୁକ୍ତି, ଔଦ୍ୟୋଗିକତା ଓ ନବୀକରଣ, ଭାରତୀୟ ଓ ପ୍ରାଚୀନ ଜ୍ଞାନ, ଜାତୀୟ ଚରିତ୍ର ଗଠନ, ଦେଶ ଗଠନ ଓ ଘରୋଇ ପୃଷ୍ଠଭୂମିର ଅଭିବୃଦ୍ଧି।

ରେକର୍ଡ ହୋଇଥିବା ଭିଡିଓ କ୍ୟାପସୁଲ ପୁଡୁଚେରୀ, ଅରୋଭିଲ ନଗର ଅଭିଜ୍ଞତା, ଭାରତୀୟ ଖେଳକୁଦ ଏବଂ ଲୋକ ନୃତ୍ୟ ଇତ୍ୟାଦି ଅଂଶଗ୍ରହଣକାରୀଙ୍କ ନିମନ୍ତେ ପ୍ରଦର୍ଶିତ ହେବ। ଅଲିମ୍ପିଆନ ଓ ପାରା ଅଲିମ୍ପିଆନମାନଙ୍କ ସହ ଖୋଲା କଥାବାର୍ତ୍ତା ସାଙ୍ଗକୁ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସକାଳୁ ଭର୍ଚୁଆଲ ଯୋଗଶ୍ରେଣୀ ମଧ୍ୟ ଆୟୋଜିତ ହେବ।

ଏହି ସମୟରେ ପ୍ରଧାନମନ୍ତ୍ରୀ ‘ମେରେ ସପନୋ କା ଭାରତ’ ଉପରେ ବଛା ବଛା ପ୍ରବନ୍ଧ ଓ ଭାତୀୟ ସ୍ୱାଧୀନତା ସଂଗ୍ରାମର ଅନ୍ତରାଳରେ ରହି ଯାଇଥିବା ବୀରମାନଙ୍କ ଗାଥା ଉପରେ ପୁସ୍ତକ ଉନ୍ମୋଚନ କରିବେ। ଦୁଇଟି ବିଷୟ ବସ୍ତୁ ଉପରେ ଆଧାରିତ ଏକ ଲକ୍ଷରୁ ଅଧିକ ଯୁବକଯୁବତୀଙ୍କ ଲେଖା ମଧ୍ୟରୁ ଏହି ପ୍ରବନ୍ଧ ଗୁଡିକୁ ବଛାଯାଇଛି।

ପ୍ରଧାନମନ୍ତ୍ରୀ ପୁଡୁଚେରୀଠାରେ ୧୨୨ କୋଟି ଟଙ୍କାରେ ଏମଏସଏମଇ ମନ୍ତ୍ରଣାଳୟ ପକ୍ଷରୁ ନିର୍ମିତ ଏକ ପ୍ରଯୁକ୍ତି କେନ୍ଦ୍ର ମଧ୍ୟ ଉଦଘାଟନ କରିବେ । ଇଲେକ୍ଟ୍ରୋନିକ ପଦ୍ଧତି, ପରିପାଟୀ ଓ ନିର୍ମାଣ କ୍ଷେତ୍ର ଉପରେ ପର୍ଯ୍ୟବେସିତ ଏହି କେନ୍ଦ୍ର ଅତ୍ୟାଧୁନିକ ପ୍ରଯୁକ୍ତି ଜ୍ଞାନ ଦ୍ୱାରା ପରିପୁଷ୍ଟ। ଏହା ବାର୍ଷିକ ୬୪୦୦ ବିଦ୍ୟାର୍ଥୀଙ୍କୁ କୌଶଳ ବିକାଶ ତାଲିମ ପ୍ରଦାନ କରିବ।

ପ୍ରଧାନମନ୍ତ୍ରୀ ମଧ୍ୟ ପେରୁନଥାଲାଭାୟର କାମରାଜର ମଣିମଣ୍ଡପମକୁ ଉଦଘାଟନ କରିବେ। ଏହି ମୁକ୍ତାକାଶ ରଙ୍ଗମଞ୍ଚ ପୁଡୁଚେରୀ ସରକାରଙ୍କ ଦ୍ୱାରା ପ୍ରାୟ ୨୩ କୋଟି ଟଙ୍କାରେ ନିର୍ମିତ ହୋଇଛି। ଏହା ପ୍ରାଥମିକ ଭାବେ ଶିକ୍ଷା ଉଦ୍ଦେଶ୍ୟରେ ବ୍ୟବହୃତ ହେବ ଓ ଏଥିରେ ଏକ ହଜାର ବ୍ୟକ୍ତି ବସିପାରିବା ବ୍ୟବସ୍ଥା ଅଛି।

Categories
ଜାତୀୟ ଖବର ବିଶେଷ ଖବର

୧୨ ଜାନୁଆରୀରେ ଦ୍ୱିତୀୟ ଜାତୀୟ ଯୁବ ସଂସଦର ଉଦଯାପନୀ ଉତ୍ସବରେ ଅଭିଭାଷଣ ଦେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୨ ଜାନୁଆରୀ ୨୦୨୧ ସକାଳ ୧୦.୩୦ରେ ଦ୍ୱିତୀୟ ଜାତୀୟ ଯୁବ ସଂସଦର ଉଦଯାପନୀ ଉତ୍ସବ ଅବସରରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅଭିଭାଷଣ ପ୍ରଦାନ କରିବେ । ଏହି ସମାରୋହରେ ତିନି ଜାତୀୟ ବିଜେତା ମଧ୍ୟ ନିଜ ବିଚାର ବ୍ୟକ୍ତ କରିବେ । ଲୋକସଭା ବାଚସ୍ପତି, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଓ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଏହି ଅବସରରେ ଉପସ୍ଥିତ ରହିବେ ।

ଜାତୀୟ ଯୁବ ସଂସଦ ଉତ୍ସବ

ଜାତୀୟ ଯୁବ ସଂସଦ ଉତ୍ସବ (ଏନୱାଇପିଏଫ)ର ଉଦ୍ଦେଶ୍ୟ ହେଲା ୧୮ରୁ ୨୫ ବର୍ଷ ବୟସର ଭୋଟ ଦେବା ଅଧିକାର ପାଇଥିବା ଓ ଆଗାମୀ ଦିନରେ ସରକାରୀ ଚାକିରି ସମେତ ବିଭିନ୍ନ ପେସାରେ ଯୋଗ ଦେବାକୁ ଯାଉଥିବା ଯୁବ ପିଢିଙ୍କ ବିଚାର ଶୁଣିବା । ୩୧ ଡିସେମ୍ବର ୨୦୧୭ ମନ କି ବାତ ଅଭିଭାଷଣରେ ପ୍ରତିଫଳିତ ପ୍ରଧାନମନ୍ତ୍ରୀଙ୍କ ଚିନ୍ତାଧାରା ଆଧାରରେ ଏନୱାଇପିଏଫ ଗଢି ଉଠିଛି । ଏହି ଚିନ୍ତାଧାରା ଦ୍ୱାରା ଅନୁପ୍ରାଣିତ ହୋଇ ଜାନୁୟାରୀ ୧୨ରୁ ୨୭, ୨୦୧୯ ଯାଏଁ ନବ ଭାରତର ସ୍ୱର ପାଲଟିବା, ନୀତି ପ୍ରଣୟନରେ ଭାଗ ନେବା ଓ ସମାଧାନ ଖୋଜିବା ବିଷୟକୁ ନେଇ ପ୍ରଥମ ଏନୱାଇପିଏଫ ଆୟୋଜିତ ହୋଇଥିଲା। ସମୁଦାୟ ୮୮ ହଜାର ଯୁବକ/ଯୁବତୀ ଏହି କାର‌୍ୟ୍ୟକ୍ରମରେ ଭାଗ ନେଇଥିଲେ ।

ଦ୍ୱିତୀୟ ଏନୱାଇପିଏଫ ଡିସେମ୍ବର ୨୩, ୨୦୨୦ରୁ ଭର୍ଚୁଆଲ ମାଧ୍ୟମରେ ଆରମ୍ଭ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ସାରା ଦେଶରୁ ୨.୩୪ ଲକ୍ଷ ଯୁବକ/ଯୁବତୀ ଅଂଶଗ୍ରହଣ କରିଥିଲେ । ଏହା ପରେ ଜାନୁୟାରୀ ୧ରୁ ୫, ୨୦୨୧ ଯାଏଁ ରାଜ୍ୟ ଯୁବ ସଂସଦଗୁଡିକ ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ହୋଇଥିଲା।

ଦ୍ୱିତୀୟ ଏନୱାଇପିଏଫର ଅନ୍ତିମ ପର୍ଯ୍ୟାୟ ଜାନୁୟାରୀ ୧୧, ୨୦୨୧ରେ ସଂସଦର କେନ୍ଦ୍ରୀୟ ହଲରେ ଅନୁଷ୍ଠିତ ହେବ । ରାଜ୍ୟସଭା ସାଂସଦ ରୂପା ଗାଙ୍ଗୁଲି, ଲୋକସଭା ସାଂସଦ ପରବେଶ ସାହିବ ସିଂ ଓ ବିଶିଷ୍ଟ ସାମ୍ବାଦିକ ପ୍ରଫୁଲ୍ଲ କେତକରଙ୍କୁ ନେଇ ଗଠିତ ଜାତୀୟ ବିଚାରକ ମଣ୍ଡଳୀ ସମୁଖରେ ୨୯ ଜାତୀୟ ବିଜେତା ବକ୍ତବ୍ୟ ଉପସ୍ଥାପନ କରିବାର ସୁଯୋଗ ପାଇବେ । ଶ୍ରେଷ୍ଠ ତିନି ବିଜେତା ଜାନୁଆରୀ ୧୨ରେ ହେବାକୁ ଥିବା ଉଦଯାପନୀ ଉତ୍ସବ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ବକ୍ତବ୍ୟ ପ୍ରଦାନ କରିବାର ସୁଯୋଗ ପାଇବେ ।

ଜାତୀୟ ଯୁବ ଉତ୍ସବ

ପ୍ରତିବର୍ଷ ଜାନୁଆରୀ ୧୨ରୁ ୧୬ ଯାଏଁ ଜାତୀୟ ଯୁବ ଉତ୍ସବ ପାଳିତ ହୋଇଥାଏ । ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମବାର୍ଷିକୀ ଅବସରରେ ଜାନୁୟାରୀ ୧୨ରେ ଜାତୀୟ ଯୁବ ଦିବସ ପାଳିତ ହୁଏ । ଚଳିତ ବର୍ଷ ଜାତୀୟ ଯୁବ ଉତ୍ସବ ସହ ଏନୱାଇପିଏଫ ପାଳିତ ହେଉଛି।

ଦେଶର ଯୁବପୀଢିଙ୍କୁ ଏକୀକୃତ ଭାବେ ପ୍ରତିଭା ପ୍ରଦର୍ଶନର ସୁଯୋଗ ପ୍ରଦାନ, ଉଭୟ ଔପଚାରିକ ଓ ଅନୌପଚାରିକ ଭାବେ ସାଂସ୍କୃତିକ ଓ ସାମାଜିକ ବିବିଧତା ସମ୍ପର୍କରେ ମତ ବିନିମୟ ମାଧ୍ୟମରେ କ୍ଷୁଦ୍ର ଭାରତ ନିର୍ମାଣ ପାଇଁ ମଞ୍ଚ ପ୍ରଦାନ କରିବା ଜାତୀୟ ଯୁବ ଉତ୍ସବର ଉଦ୍ଦେଶ୍ୟ । ଏହା ଜାତୀୟ ସଂହତି, ସାମ୍ପ୍ରଦାୟିକ ସଦଭାବ, ଭାଇଚାରା, ବୀରତ୍ୱ ଓ ସାହସିକତାକୁ ମଧ୍ୟ ପ୍ରୋତ୍ସାହିତ କରିଥାଏ । କାୟମନୋବାକ୍ୟରେ ଏକ ଭାରତ ଶ୍ରେଷ୍ଠ ଭାରତର ପ୍ରଚାର ଏହାର ପ୍ରମୁଖ ଲକ୍ଷ୍ୟ ।

କୋଭିଡ-୧୯ ଯୋଗୁଁ ୨୪ ତମ ଜାତୀୟ ଯୁବ ଉତ୍ସବ ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ହୋଇଛି। ଚଳିତ ବର୍ଷର ଉତ୍ସବର ବିଷୟବସ୍ତୁ ଥିଲା ଯୁବା- ଉତ୍ସାହ ନୟେ ଭାରତ କା। ଯୁବପୀଢି ନବ ଭାରତ ଉତ୍ସବକୁ ଜୀବନ୍ତ ରଖନ୍ତି ବୋଲି ଏହା ଦର୍ଶାଉଛି । ୨୪ତମ ଜାତୀୟ ଯୁବ ଉତ୍ସବର ଉଦଘାଟନୀ ସମାରୋହ ଓ ଦ୍ବିତୀୟ ଜାତୀୟ ଯୁବ ସଂସଦ ଉତ୍ସବର ଉଦଯାପନୀ ସମାରୋହ ଜାନୁଆରୀ ୧୨, ୨୦୨୧ରେ ସଂସଦର କେନ୍ଦ୍ରୀୟ ହଲରେ ଆୟୋଜିତ ହେବ । ୨୪ତମ ଜାତୀୟ ଯୁବ ଉତ୍ସବର ଉଦଯାପନୀ ସମାରୋହ ଜାନୁୟାରୀ ୧୬, ୨୦୨୧ରେ ଡ. ଆମ୍ବେଦକର ଇଂଟରନ୍ୟାସନାଲ ସେଣ୍ଟର, ନୂଆଦିଲ୍ଲୀ ଠାରେ ଆୟୋଜିତ ହେବ ।