୧୨ ଜାନୁଆରୀରେ ଦ୍ୱିତୀୟ ଜାତୀୟ ଯୁବ ସଂସଦର ଉଦଯାପନୀ ଉତ୍ସବରେ ଅଭିଭାଷଣ ଦେବେ ପ୍ରଧାନମନ୍ତ୍ରୀ

Published: Jan 11, 2021, 8:21 am IST

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୨ ଜାନୁଆରୀ ୨୦୨୧ ସକାଳ ୧୦.୩୦ରେ ଦ୍ୱିତୀୟ ଜାତୀୟ ଯୁବ ସଂସଦର ଉଦଯାପନୀ ଉତ୍ସବ ଅବସରରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅଭିଭାଷଣ ପ୍ରଦାନ କରିବେ । ଏହି ସମାରୋହରେ ତିନି ଜାତୀୟ ବିଜେତା ମଧ୍ୟ ନିଜ ବିଚାର ବ୍ୟକ୍ତ କରିବେ । ଲୋକସଭା ବାଚସ୍ପତି, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଓ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଏହି ଅବସରରେ ଉପସ୍ଥିତ ରହିବେ ।

ଜାତୀୟ ଯୁବ ସଂସଦ ଉତ୍ସବ

ଜାତୀୟ ଯୁବ ସଂସଦ ଉତ୍ସବ (ଏନୱାଇପିଏଫ)ର ଉଦ୍ଦେଶ୍ୟ ହେଲା ୧୮ରୁ ୨୫ ବର୍ଷ ବୟସର ଭୋଟ ଦେବା ଅଧିକାର ପାଇଥିବା ଓ ଆଗାମୀ ଦିନରେ ସରକାରୀ ଚାକିରି ସମେତ ବିଭିନ୍ନ ପେସାରେ ଯୋଗ ଦେବାକୁ ଯାଉଥିବା ଯୁବ ପିଢିଙ୍କ ବିଚାର ଶୁଣିବା । ୩୧ ଡିସେମ୍ବର ୨୦୧୭ ମନ କି ବାତ ଅଭିଭାଷଣରେ ପ୍ରତିଫଳିତ ପ୍ରଧାନମନ୍ତ୍ରୀଙ୍କ ଚିନ୍ତାଧାରା ଆଧାରରେ ଏନୱାଇପିଏଫ ଗଢି ଉଠିଛି । ଏହି ଚିନ୍ତାଧାରା ଦ୍ୱାରା ଅନୁପ୍ରାଣିତ ହୋଇ ଜାନୁୟାରୀ ୧୨ରୁ ୨୭, ୨୦୧୯ ଯାଏଁ ନବ ଭାରତର ସ୍ୱର ପାଲଟିବା, ନୀତି ପ୍ରଣୟନରେ ଭାଗ ନେବା ଓ ସମାଧାନ ଖୋଜିବା ବିଷୟକୁ ନେଇ ପ୍ରଥମ ଏନୱାଇପିଏଫ ଆୟୋଜିତ ହୋଇଥିଲା। ସମୁଦାୟ ୮୮ ହଜାର ଯୁବକ/ଯୁବତୀ ଏହି କାର‌୍ୟ୍ୟକ୍ରମରେ ଭାଗ ନେଇଥିଲେ ।

ଦ୍ୱିତୀୟ ଏନୱାଇପିଏଫ ଡିସେମ୍ବର ୨୩, ୨୦୨୦ରୁ ଭର୍ଚୁଆଲ ମାଧ୍ୟମରେ ଆରମ୍ଭ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ସାରା ଦେଶରୁ ୨.୩୪ ଲକ୍ଷ ଯୁବକ/ଯୁବତୀ ଅଂଶଗ୍ରହଣ କରିଥିଲେ । ଏହା ପରେ ଜାନୁୟାରୀ ୧ରୁ ୫, ୨୦୨୧ ଯାଏଁ ରାଜ୍ୟ ଯୁବ ସଂସଦଗୁଡିକ ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ହୋଇଥିଲା।

ଦ୍ୱିତୀୟ ଏନୱାଇପିଏଫର ଅନ୍ତିମ ପର୍ଯ୍ୟାୟ ଜାନୁୟାରୀ ୧୧, ୨୦୨୧ରେ ସଂସଦର କେନ୍ଦ୍ରୀୟ ହଲରେ ଅନୁଷ୍ଠିତ ହେବ । ରାଜ୍ୟସଭା ସାଂସଦ ରୂପା ଗାଙ୍ଗୁଲି, ଲୋକସଭା ସାଂସଦ ପରବେଶ ସାହିବ ସିଂ ଓ ବିଶିଷ୍ଟ ସାମ୍ବାଦିକ ପ୍ରଫୁଲ୍ଲ କେତକରଙ୍କୁ ନେଇ ଗଠିତ ଜାତୀୟ ବିଚାରକ ମଣ୍ଡଳୀ ସମୁଖରେ ୨୯ ଜାତୀୟ ବିଜେତା ବକ୍ତବ୍ୟ ଉପସ୍ଥାପନ କରିବାର ସୁଯୋଗ ପାଇବେ । ଶ୍ରେଷ୍ଠ ତିନି ବିଜେତା ଜାନୁଆରୀ ୧୨ରେ ହେବାକୁ ଥିବା ଉଦଯାପନୀ ଉତ୍ସବ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ବକ୍ତବ୍ୟ ପ୍ରଦାନ କରିବାର ସୁଯୋଗ ପାଇବେ ।

ଜାତୀୟ ଯୁବ ଉତ୍ସବ

ପ୍ରତିବର୍ଷ ଜାନୁଆରୀ ୧୨ରୁ ୧୬ ଯାଏଁ ଜାତୀୟ ଯୁବ ଉତ୍ସବ ପାଳିତ ହୋଇଥାଏ । ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମବାର୍ଷିକୀ ଅବସରରେ ଜାନୁୟାରୀ ୧୨ରେ ଜାତୀୟ ଯୁବ ଦିବସ ପାଳିତ ହୁଏ । ଚଳିତ ବର୍ଷ ଜାତୀୟ ଯୁବ ଉତ୍ସବ ସହ ଏନୱାଇପିଏଫ ପାଳିତ ହେଉଛି।

ଦେଶର ଯୁବପୀଢିଙ୍କୁ ଏକୀକୃତ ଭାବେ ପ୍ରତିଭା ପ୍ରଦର୍ଶନର ସୁଯୋଗ ପ୍ରଦାନ, ଉଭୟ ଔପଚାରିକ ଓ ଅନୌପଚାରିକ ଭାବେ ସାଂସ୍କୃତିକ ଓ ସାମାଜିକ ବିବିଧତା ସମ୍ପର୍କରେ ମତ ବିନିମୟ ମାଧ୍ୟମରେ କ୍ଷୁଦ୍ର ଭାରତ ନିର୍ମାଣ ପାଇଁ ମଞ୍ଚ ପ୍ରଦାନ କରିବା ଜାତୀୟ ଯୁବ ଉତ୍ସବର ଉଦ୍ଦେଶ୍ୟ । ଏହା ଜାତୀୟ ସଂହତି, ସାମ୍ପ୍ରଦାୟିକ ସଦଭାବ, ଭାଇଚାରା, ବୀରତ୍ୱ ଓ ସାହସିକତାକୁ ମଧ୍ୟ ପ୍ରୋତ୍ସାହିତ କରିଥାଏ । କାୟମନୋବାକ୍ୟରେ ଏକ ଭାରତ ଶ୍ରେଷ୍ଠ ଭାରତର ପ୍ରଚାର ଏହାର ପ୍ରମୁଖ ଲକ୍ଷ୍ୟ ।

କୋଭିଡ-୧୯ ଯୋଗୁଁ ୨୪ ତମ ଜାତୀୟ ଯୁବ ଉତ୍ସବ ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ହୋଇଛି। ଚଳିତ ବର୍ଷର ଉତ୍ସବର ବିଷୟବସ୍ତୁ ଥିଲା ଯୁବା- ଉତ୍ସାହ ନୟେ ଭାରତ କା। ଯୁବପୀଢି ନବ ଭାରତ ଉତ୍ସବକୁ ଜୀବନ୍ତ ରଖନ୍ତି ବୋଲି ଏହା ଦର୍ଶାଉଛି । ୨୪ତମ ଜାତୀୟ ଯୁବ ଉତ୍ସବର ଉଦଘାଟନୀ ସମାରୋହ ଓ ଦ୍ବିତୀୟ ଜାତୀୟ ଯୁବ ସଂସଦ ଉତ୍ସବର ଉଦଯାପନୀ ସମାରୋହ ଜାନୁଆରୀ ୧୨, ୨୦୨୧ରେ ସଂସଦର କେନ୍ଦ୍ରୀୟ ହଲରେ ଆୟୋଜିତ ହେବ । ୨୪ତମ ଜାତୀୟ ଯୁବ ଉତ୍ସବର ଉଦଯାପନୀ ସମାରୋହ ଜାନୁୟାରୀ ୧୬, ୨୦୨୧ରେ ଡ. ଆମ୍ବେଦକର ଇଂଟରନ୍ୟାସନାଲ ସେଣ୍ଟର, ନୂଆଦିଲ୍ଲୀ ଠାରେ ଆୟୋଜିତ ହେବ ।

Related posts